ପଗଦ୍ୟ ଓ ଗପଦ୍ୟ

ପଗଦ୍ୟ ଓ ଗପଦ୍ୟ – ଏହି ଶବ୍ଦ ଦୁଇଟି ହୁଏତ ଆମର ପାଠକ ବନ୍ଧୁମାନଙ୍କୁ ଟିକିଏ ଅଡ଼ୁଆ ଲାଗୁଥାଇପାରେ, ଅବୋଧ୍ୟ ବି। ଆମେ ମଧ୍ୟ ଯେତେବେଳେ ପ୍ରବୀଣ ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ଏକ କବିତାରେ ଏ ଶବ୍ଦ ଦୁଇଟିକୁ ପହିଲେ ଭେଟିଲୁ, ଏହାର ମର୍ମ ଠଉରାଇ ପାରିଲୁ ନାହିଁ। ସେଥିରେ ଥିଲା,
“ଗଦ୍ୟ, ପଦ୍ୟ ଯାହା ଯେବେ ଇଚ୍ଛା ଲେଖୁଁ
ପଗଦ୍ୟ, ଗପଦ୍ୟ କେବେ ବି ନ ଲେଖୁଁ
… କବିତା ସର୍ଜନା ଲୋଡ଼େନି ଗଦ୍ୟ କି ପଦ୍ୟ
ହୃଦୟର ଭାଷା ହୁଏ ସଦା ଅନବଦ୍ୟ।”
ଜଣେ କବିତା ଲେଖିବ, ଅଥଚ ତାହା ଗଦ୍ୟ କି ପଦ୍ୟ ହୋଇ ନ ଥିବ – ଏହା ପୁଣି କେମନ୍ତ କଥା? ଟିକିଏ ଗହୀରକୁ ଯାଇ ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କଲୁ। କବିତାର ସମ୍ପର୍କ ଯେ ହୃଦୟର ସହିତ, ଏଥିରେ ଦ୍ୱିମତ ନାହିଁ। ହୃଦୟର ଭାବକୁ ପ୍ରତିଫଳିତ ନ କଲେ କୌଣସି ରଚନା, ତାହା ଗଦ୍ୟ ହେଉ ଅବା ପଦ୍ୟ, କବିତାର ପଦବାଚ୍ୟ ହୋଇପାରିବ ନାହିଁ।
ଗଦ୍ୟ ବା ପଦ୍ୟ ତେବେ କ’ଣ କବିତାର ଗୋଟିଏ ଖୋଳପା ବା ବାହ୍ୟ ଆବରଣ? କିନ୍ତୁ ଏହି ବାହ୍ୟ ଆବରଣଟି ଆମକୁ କେତେ ଭ୍ରମରେ ନ ପକାଏ ସତେ ! ଏମିତି ଦେଖାଯାଇଛି ଯେ ବେଳେ ବେଳେ ଅନେକ ଅକବିତା କେବଳ ମାତ୍ର ପଦ୍ୟ ରୂପରେ ରଚିତ ହୋଇଥିବା କାରଣରୁ କବିତା ଭାବରେ ପରିଚିତ ହୋଇପଡ଼ନ୍ତି।
ଏଠାରେ ଦୁଇଟି ଉଦାହରଣ ଦେଲେ କଥାଟି ସ୍ପଷ୍ଟ ହୋଇଯିବ। ପିଲାଦିନେ ନିଜ ବିଦ୍ୟାଳୟର ଅକ୍ଷରଶିକ୍ଷା ବହିରେ ପଢ଼ିଥିବା ଏହି ଦୁଇଟି ପଦ୍ୟ ହୁଏତ ଆମର ମନେ ଥିବ:
୧. ଟାଇଲି ଛପର ଘର
ନିଆଁକୁ ନଥାଏ ଡର।
୨. ଆକାଶ ଦିଶେ କି ସୁନ୍ଦର
ତାହାକୁ ରଚିଲେ ଈଶ୍ୱର।
ଉଭୟ ପଦ୍ୟରୂପରେ ରଚିତ। ଅଥଚ ଦ୍ୱିତୀୟଟି ଗୋଟିଏ କବିତା ହୋଇଥିବା ସ୍ଥଳେ ପ୍ରଥମଟି ନୁହେଁ। ପ୍ରଥମଟିରେ ତ ନିରୁତା ଗଦ୍ୟ ପରାୟ କଥାଟିଏ ବ୍ୟକ୍ତ କରାଯାଇଛି; ଯାହାକୁ ସିଧା ଭାବରେ କହିଲେ ଏମିତି ହେବ: ଗୋଟିଏ ଘର ଟାଇଲ୍ ଦ୍ୱାରା ଛପର ହୋଇଥିଲେ ସେଥିରେ ନିଆଁ ଲାଗିବାର ଡର ନ ଥାଏ। ଏଥିରେ କବିତାର ଲେଶମାତ୍ର ଚିହ୍ନ ନାହିଁ। ଅଥଚ ତାହାର ପରବର୍ତ୍ତୀ ପଦ୍ୟଟିରେ ସୁନ୍ଦର ଆକାଶଟିକୁ ସୃଷ୍ଟି କରିଥିବା ଈଶ୍ୱରଙ୍କର ଅଲୌକିକ ବୈଚିତ୍ର‌୍ୟକୁ ବର୍ଣ୍ଣନା କରାଯାଇଛି। କୌଣସି ଦୃଶ୍ୟ ବା ଘଟଣାର ଅଭ୍ୟନ୍ତରକୁ ଯାଇ ସେଥିରେ ନିହିତ ଥିବା ଛନ୍ଦାୟିତ ଅସାଧାରଣତାକୁ ଅନୁଭବ କରିବା ହିଁ କବିତା। ତେଣୁ କେବଳ ଛନ୍ଦ ଓ ଯତିପାତ ଆଦିର କୃତ୍ରିମ ପୋଷାକ ପିନ୍ଧି କବିତାର ଧାଡ଼ିରେ ଠିଆ ହେବାକୁ ଚେଷ୍ଟା କରୁଥିବା କେତେକ ଗପଦ୍ୟ, ଅର୍ଥାତ୍ ଗଦ୍ୟ ଭାବାପନ୍ନ ପଦ୍ୟମାନଙ୍କ ପ୍ରତି ଆମକୁ ସତର୍କ ହେବାର ବେଳ ଆସିଛି।
ଗତ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓଡ଼ିଆ କବିତାରେ ଆଧୁନିକତାର ଧାରା ଆରମ୍ଭ ହେବା ପରେ ସଚ୍ଚି ରାଉତରାୟ, ଗୁରୁ ମହାନ୍ତି, ଭାନୁଜୀ ରାଓ ପ୍ରମୁଖ କବିମାନେ କବିତାରେ ଛନ୍ଦ ଓ ଯତିପାତ ପରିହାର କରି ଗଦ୍ୟରୂପରେ ନିଜ କବିତାର ଭାବକୁ ପ୍ରକାଶ କଲେ। ଏହା ହେଉଛି ପଗଦ୍ୟ, ଅର୍ଥାତ୍ ଏହା ଗଦ୍ୟରେ ରଚିତ ହୋଇଥିଲେ ହେଁ ଏଥିରେ ପଦ୍ୟ ବା କବିତାର ଉପାଦାନ ନିହିତ। ତେବେ ଆଜିକାଲି ତ କବିତା ଭିତରକୁ ଛନ୍ଦୋବଦ୍ଧ ପଦ୍ୟର ଧାରା ପୁଣି ଫେରିଆସିଲାଣି। ଏହାର ସୁଯୋଗ ନେଇ ପଦ୍ୟ ବେଶରେ ଅକବିତାମାନେ ଯେମିତି କବିତା ବୋଲାଇବାକୁ ଚେଷ୍ଟା ନ କରନ୍ତି ତାହା ଦେଖିବା ଆମର କର୍ତ୍ତବ୍ୟ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ପଗଦ୍ୟ ଓ ଗପଦ୍ୟ

  1. ମୁଁ ଆଗରୁ ଲେଖିଛି, ଏବେ ମଧ୍ୟ ଲେଖୁଛି, ନିହାର ବାବୁଙ୍କ ସମ୍ପାଦକୀୟରେ ସବୁବେଳେ କିଛି ଅଲଗା ବା ନିଆରାପଣ ଦେଖିବାକୁ ମିଳିଥାଏ। ସେ ନିଜେ ପ୍ରାୟତଃ କିଛି କହି ନଥାନ୍ତି, ଅନ୍ୟ କାହାର କଥାକୁ ନିଜ ଢଙ୍ଗରେ , ନିଜ ଲେଖା ମାଧ୍ୟମରେ ଚମତ୍କାରଭାବେ ପରିପ୍ରକାଶ କରିଥାନ୍ତି। କବିତା ଓ ଗଦ୍ୟ ସହିତ ପଦ୍ୟ ମଧ୍ୟରେ ଥିବା ଭାବ ଓ ଅଭାବର ସମ୍ପର୍କ ଦେଖାଣିଆ ଓ ହୃଦୟର ସମ୍ପର୍କକୁ ବେଶ୍‌ ଚମତ୍କାରଭାବେ ନିହାରଭାବୁ ଏହି ସମ୍ପାଦକୀୟ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ଧନ୍ୟବାଦ

Leave a Reply

Your email address will not be published. Required fields are marked *