ହୋଲି ଖେଳି ସବୁରି ସେ ମିତ ବନିଯାଏ, ସବୁରି ହିତରେ ସିଏ ନିଜ ହିତ ଚାହେଁ।
ପଳାଶ ଫୁଲରେ ବଣ ନାଲି ହୋଇଯାଏ,
ଶିମୁଳିର ନାଲି ଫୁଲ ଗଛେ ଛାଇଯାଏI
ସୁନାରିର ହଳଦିଆ ଫୁଲ ଗୀତ ଗାଏ,
ମଲ୍ଲୀ, ହେନାର ମହକ ପରାଣକୁ ଛୁଏଁI
ଫଗୁଣର ମିଠା ବାଆ ଦେହ ଉଲୁସାଏ,
ହଳଦୀ ବସନ୍ତ ରଙ୍ଗ, ରୂପ ମୋହିଦିଏI
ଖୁସିରେ ମାତି ଚଢ଼େଇ ରାଗିଣୀ ଶୁଣାଏ,
କୋଇଲିର କୁହୁ ତାନ ଯେବେ ଥମିଯାଏI
ଏ ବିରଳ ବେଳାରେ ମଣିଷ ଝୁମିଥାଏ,
ବସନ୍ତର ନାନା ରଙ୍ଗେ ନିଜକୁ ହଜାଏI
ସବୁରି ରଙ୍ଗ ସାଉଁଟେ ମାଖେ ଓ ମଖାଏ,
ଫଗୁଣର ଭେଟିକୁ ସେ ପିଏ ଓ ପିଆଏI
ପଳାଶ ଫୁଲରେ ବଣ ନାଲି ହୋଇଯାଏ,
ଶିମୁଳିର ନାଲି ଫୁଲ ଗଛେ ଛାଇଯାଏI (୦)
ଆଖି ଏହି ଲୀଳା ଦେଖି ଏତେ ଖୁସି ହୁଏ,
କାନ ତା’ ରାଗିଣୀ ଶୁଣି ଅଭିଭୂତ ହୁଏI
ଫୁଲର ମହକ ତା’ର ପରାଣ ହସାଏ,
ମିଠା ବାଆ ପରଶରେ ଦେହ ପୁଲକାଏI
ଫଗୁଣର ଏ କିମିଆ ଯାହା ଢାଳିଥାଏ,
ମଣିଷର ଜୀବନରେ ଖୁସି ଭରିଥାଏI
ନାନା ରଙ୍ଗ ବୋଳି ସିଏ ଫଗୁଣକୁ ନାଏ,
ସୁଖମୟ ଜୀବନର ଅନୁଭବ ପାଏI
ହୋଲି ଖେଳି ସବୁରି ସେ ମିତ ବନିଯାଏ,
ସବୁରି ହିତରେ ସିଏ ନିଜ ହିତ ଚାହେଁ।
ବରଷର ଏ କାଳକୁ ଆତୁରେ ଅନାଏ,
ଫଗୁଣ ଆସିଲେ ଦୋଳ ଖୁସିରେ ମନାଏ।
ପଳାଶ ଫୁଲରେ ବଣ ନାଲି ହୋଇଯାଏ,
ଶିମୁଳିର ନାଲି ଫୁଲ ଗଛେ ଛାଇଯାଏI (୧)
ଥିର ରହି ଜଗତକୁ ଯେ ନିରେଖି ଚାହେଁ,
ଜୀବନର ପ୍ରତି କ୍ଷଣେ ଏହା ଦେଖିଥାଏI
ବେଳା ପରେ ବେଳା ସିଏ ନୂଆଁ ରୂପ ନିଏ,
ପ୍ରତିଟି ବେଳାରେ ତା’ର ଯାଦୁ ଭରିଥାଏI
ଚମ-ଆଖି ଖରା, ବରଷା, କାକର କହେ,
ପରାଣ ପ୍ରତି ବେଳାରେ ଯାଦୁ ଦେଖିଥାଏI
ଜୀବନର ପ୍ରତି କ୍ଷଣେ ସୁଖ ଉଇଁଥାଏ,
ଫଗୁଣର ମିଠା ଛୁଆଁ ପୁଲକ ଜଗାଏI
ଗୋଟିଏ ବି ବେଳା କାହିଁ ଜଗତେ ନ ଥାଏ,
ଯେବେ ଜଗତ ସବୁଠି ଯାଦୁ ନ ଦେଖାଏI
ଦେଖିବାକୁ ଆଖି ଯେବେ ମେଲି ହୋଇଯାଏ,
ଜୀବନର ପ୍ରତି କ୍ଷଣ ହୋଲି ଖେଳିଯାଏI
ପଳାଶ ଫୁଲରେ ବଣ ନାଲି ହୋଇଯାଏ,
ଶିମୁଳିର ନାଲି ଫୁଲ ଗଛେ ଛାଇଯାଏI (୨)
ଏବେ କବିଙ୍କ କଣ୍ଠରୁ ଶୁଣନ୍ତୁ ଏହି କବିତାର ଆବୃତ୍ତି >
ଫଗୁଣର ତାଳେତାଳେ ଝୁମିଗଲା ଭଳି ଲାଗୁଛି। ଖୁବ୍ ସୁନ୍ଦର।