ଲକ୍ଷ୍ମୀପୁରାଣ କଥା

ଓଡ଼ିଶାର ଘରେ ଘରେ ପରିଚିତ ଲକ୍ଷ୍ମୀପୁରାଣର ବିଭିନ୍ନ ଦିଗ ଓ ବିଦିଗ ଉପରେ ଆଲୋକପାତ କରିଛି ସୁବିଦିତ ଲେଖକ ଓ ଗବେଷକ ଡ଼. ଅସିତ ମହାନ୍ତିଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକଟି। ଏଥିର ସନ୍ନିବେଶିତ ରଚନାଗୁଡ଼ିକ ଅଧିକାଂଶତଃ ‘ସମ୍ବାଦ’ ଖବରକାଗଜରେ ନଭେମ୍ବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ‘ଲକ୍ଷ୍ମୀପୁରାଣ କଥା’ କ୍ରମରେ ପ୍ରକାଶିତ ହୋଇଥିଲା।
ପଞ୍ଚଦଶ ଶତାବ୍ଦୀର ସନ୍ଥକବି ବଳରାମ ଦାସଙ୍କ ଦ୍ୱାରା ରଚିତ ହୋଇ ଏକ ପବିତ୍ର ପୁସ୍ତିକା ଭାବରେ ଓଡ଼ିଶାର ପୁରପଲ୍ଲୀରେ ଆଦୃତ ହୋଇସାରିଥିବା ‘ଲକ୍ଷ୍ମୀପୁରାଣ’କୁ ଜଣେ ଗବେଷକର ଦୃଷ୍ଟି ନେଇ ବିଶ୍ଳେଷଣ କରିଛନ୍ତି ଡ଼. ମହାନ୍ତି। ପରିଣାମରେ ପାଠକ ସାମନାରେ ଉନ୍ମୋଚିତ ହୋଇଛି ଏଥି ସମ୍ପର୍କିତ କେତେକ ଅନାଲୋଚିତ ତଥ୍ୟ। ଏହି ସନ୍ଦର୍ଭରେ ସେ ଓଡ଼ିଶାରେ ଉପଲବ୍ଧ ଏହି ପୁରାଣର ବିଭିନ୍ନ ରୂପ ବା ସଂସ୍କରଣର ତୁଳନାତ୍ମକ ଅଧ୍ୟୟନ ମଧ୍ୟ କରିଛନ୍ତି। ଅବଶ୍ୟ ବଳରାମ ଦାସଙ୍କ ଏହି ରଚନାକୁ ‘ପୁରାଣ’ ବର୍ଗରେ ରଖିବାର ଯଥାର୍ଥତାକୁ ନେଇ ଲେଖକଙ୍କ ଦ୍ୱିମତ ଥିବା ପ୍ରତୀତ ହୁଏ। ସେ କହିଛନ୍ତି, “ଅଷ୍ଟାଦଶ ପୁରାଣ ଆଧାରରେ ଓଡ଼ିଆରେ ଅନେକ ପୁରାଣ ରଚିତ ହୋଇଛି। ସେସବୁ ମଧ୍ୟରେ କିନ୍ତୁ ‘ଲକ୍ଷ୍ମୀପୁରାଣ’ ନାହିଁ।”
ତେବେ ଲେଖକ ୨୦୧୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘ବଳରାମ ଦାସକୃତ ଲକ୍ଷ୍ମୀପୁରାଣ’ (ସଂପାଦକ: ସୁଦର୍ଶନ ଆଚାର୍ଯ୍ୟ, ଭାଗ୍ୟଲିପି ମଲ୍ଲ ଓ ଗୌରାଙ୍ଗ ଚରଣ ଦାସ)କୁ ଲକ୍ଷ୍ମୀପୁରାଣର ଏକ ମାନକ ସଂସ୍କରଣ ଭାବରେ ଗ୍ରହଣ କରିଛନ୍ତି। ତାଙ୍କ ମତରେ, ସର୍ବତ୍ର ଉପଲବ୍ଧ ଥିବା ଏବଂ ଘରେ ଘରେ ମାଣବସା ଗୁରୁବାର ଦିନ ପଢ଼ାଯାଉଥିବା ଲକ୍ଷ୍ମୀପୁରାଣର ‘ବଜାର ସଂସ୍କରଣ’ରେ ବ୍ୟାପକ ପ୍ରଦୂଷଣ ରହିଛି। ତେବେ ଏହି ପ୍ରସଙ୍ଗରେ ଆମେ ଅବଶ୍ୟ ଦର୍ଶାଇ ଦେବାକୁ ଚାହୁଁ ଯେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ସେହି ପୁସ୍ତକରେ ଏହି ଜନପ୍ରିୟ ସଂସ୍କରଣଟିକୁ ‘ବଜାରି’ ସଂସ୍କରଣ ବୋଲି ଯାହା କୁହାଯାଇଛି, ତାହାକୁ ସ୍ୱର୍ଗତ ଗଗନେନ୍ଦ୍ର ନାଥ ଦାଶ, ନିଜର ‘ଓଡ଼ିଶା ସାହିତ୍ୟ ଓ ସଂସ୍କୃତି – ବୀକ୍ଷା ଓ ସମୀକ୍ଷା’ ସଂକଳନରେ ତୀବ୍ର ବିରୋଧ କରିଛନ୍ତି।
ଏ ସଂକ୍ରାନ୍ତରେ ଯେଉଁ ପ୍ରଶ୍ନଟି ଡ. ମହାନ୍ତିଙ୍କୁ ବିଶେଷ ଭାବରେ ଆନ୍ଦୋଳିତ କରିଛି ତାହା ହେଲା ସେହି ବହୁପଠିତ ‘ବଜାର’ ବା ‘ବଜାରି’ ସଂସ୍କରଣରେ ସୁଭଦ୍ରାଙ୍କ ଅନୁପସ୍ଥିତି। ଏଥି ସହିତ ସେହି ବହିରେ ବର୍ଣ୍ଣିତ ଆହୁରି କେତେକ ପ୍ରସଙ୍ଗ ଯାହା ସେ ବିଭିନ୍ନ ଅଧ୍ୟାୟରେ ଆଲୋଚନା କରିଛନ୍ତି ସେଗୁଡ଼ିକ ହେଲା, “ଲକ୍ଷ୍ମୀପୁରାଣ – ଓଷା ନା ବ୍ରତ?”, “ଘର ଝିଅ କ’ଣ ପର?”, “ତୋହର ଭାରିଜା ଲକ୍ଷ୍ମୀ କଲା ଏତେ ହୀନ”! ଏହିଭଳି ଆହୁରି କେତେକ ବିସଙ୍ଗତିର ମଧ୍ୟ ସମାଧାନ ବା ଉତ୍ତର ରଖିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ପୁସ୍ତକଟି ବହୁଳାଂଶରେ ସକ୍ଷମ ବୋଲି ଲେଖକ ମନେ କରନ୍ତି।
ମୂଳ କଥା ହେଲା ଲକ୍ଷ୍ମୀପୁରାଣ ବିଷୟରେ ବସ୍ତୁନିଷ୍ଠ ଭାବରେ କେତେକ ଗବେଷଣା ଲବ୍ଧ ତଥ୍ୟର ଉପସ୍ଥାପନ ପୁସ୍ତକଟିର ଲକ୍ଷ୍ୟ। ତେବେ ଏହି ତଥ୍ୟମାନଙ୍କ ଦ୍ୱାରା ଯେପରି ସମସ୍ତଙ୍କ ଦ୍ୱାରା ବ୍ୟାପକ ପଠିତ ହୋଇ ଗଭୀର ଶ୍ରଦ୍ଧା ଓ ଭକ୍ତିର ସହ ଗୃହୀତ ହୋଇସାରିଥିବା ଲକ୍ଷ୍ମୀପୁରାଣର ଲୋକାଦୃତ ସଂସ୍କରଣଟି ପ୍ରତି ଜନମାନସରେ ଅବିଶ୍ୱାସ ବା ବିଭ୍ରାନ୍ତି ସୃଷ୍ଟି ନ ହୁଏ ତାହା ମଧ୍ୟ ଦେଖିବା ଆମର କର୍ତ୍ତବ୍ୟ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ଲକ୍ଷ୍ମୀପୁରାଣ କଥା

  1. ସମୀକ୍ଷାଟି ଅତ୍ୟନ୍ତ ମନଛୁଆଁ ହୋଇଛି।

Leave a Reply

Your email address will not be published. Required fields are marked *