ଲାନଟିନ୍

ଦାଣ୍ଡପିଣ୍ଡାରେ ସଭିଏଁ ଗୋଟିଏ ଗୋଡ଼ରେ ଠିଆ ହେଇଥାନ୍ତି ଯେ ପର୍ଯ୍ୟନ୍ତ ସାହିତ୍ୟ ବହିର ଗୋଟିଏ ପଦ୍ୟ ମୁଖସ୍ଥ କରି ନ ଶୁଣେଇଛନ୍ତି।

ଆରତୀ ସାହୁ

“ଆରେ ଏ ବଟୁ, ଏଗୋ ଏ ରୁକ୍ମିଣୀ, କାହିଁ ଗଲ ସଭିଏଁ। ମୁହଁ ସଞ୍ଜରୁ ଯେ ଲାନଟିନ୍ ଟା ପୁଛିପାଛି ଲଗେଇ ଦେବେଏଏ ନାଇଁ, ଭୁଷା ଅନ୍ଧାରକୁ ଜଗିଥିବେ। କିଏ ପଡ଼ି ହୁଣ୍ଟରି ହେବ କି ନାଇଁ? ଯାଅ ଜଲଦି ପଢ଼ିବସ ତାହୁଁ।”
ବଟୁଭାଇ, ନୁଠୁଭାଇ, ତୁଳସୀନାନୀ ସମସ୍ତେ ଧାଇଁ ଯିବେ ଲଣ୍ଠନ କାଚ ପୋଛି ତାକୁ ଲଗେଇବା ପାଇଁ। ଚଗଲା ନୁଠୁଭାଇ ମୁହଁ ମୋଡ଼ି କହିବ, କାଚଟାକୁ ପଟକି ଭାଙ୍ଗି ଦେବି କି? ବୁଢ଼ାର ପାଠ ପଢ଼େଇବା ନିଶା ଉତୁରିଯିବ। ଡରୁଆ ମିଟୁଭାଇ ଡରିଯାଏ, ନାଇଁ ନାଇଁ, ଜେଠାଙ୍କ ବଙ୍କୁଲିବାଡ଼ି ଦେଖିଛୁ ନା? ଇଆଡ଼େ ‘ନଗାନୁତରି ପାନିଆଁ ପତରି’ ଆଖ୍ୟା ପାଇଥିବା ଟିକିନାନୀ ଧାଇଁ ଯାଇ କହିଦିଏ ଏକଥା, ତାପରେ ତ ଦାଣ୍ଡପିଣ୍ଡାରେ ମୋ ଛଡ଼ା ସଭିଏଁ ଗୋଟିଏ ଗୋଡ଼ରେ ଠିଆ ହେଇଥାନ୍ତି ଯେ ପର୍ଯ୍ୟନ୍ତ ସାହିତ୍ୟ ବହିର ଗୋଟିଏ ଗୋଟିଏ ପଦ୍ୟ ମୁଖସ୍ଥ କରି ନ ଶୁଣେଇଛନ୍ତି। କହିବା ନିରର୍ଥକ ଯେ ଟିକି ନାନୀ ମଧ୍ୟ ଦଣ୍ଡରୁ ଛାଡ଼ ପାଏନା।
ମାନ୍ଧାତା ଅମଳରୁ ସେଇ ଗୋଟାକ ଲଣ୍ଠନ, ପିତ୍ତଳର। ତେନ୍ତୁଳି ପାଉଁଶ ଦେଇ ବର୍ଷକୁ ଥରେ ମାଜିମୁଜି ଦେଲେ ସୁନା ପରି ଝଲଝଲ। ସେଇଟା ଦାଣ୍ଡପିଣ୍ଡାରେ ଲାଗେ , ଆମେ ଯୋଉଠି ପଢ଼ିବସୁ। ବାକି ରୋଷେଇଘରେ ଆଉ ବାଡ଼ି ପିଣ୍ଡାରେ ତ କାଚବୋତଲ ତିଆରି ଡିବିରି ଜଳାହୁଏ।
କଳାକର ଜେଠାଙ୍କର ଗୋଟିଏ ଗର୍ଜନରେ ମୂତି ପକାଉଥିଲୁ ଆମେ ସବୁ ଭାଇ ଭଉଣୀ । ଦୁଇ ନା ଚାରି ଯେ, ପୂରା ଗୋଟେ ଦର୍ଜନରୁ ଚାରି ଅଧିକା ଭାଇ ଭଉଣୀ ଆମ ବାଖୁଳିରେ। ମୁଁ ଥିଲି ସବାସାନ। ମୋ ବାପା ବି ସବାସାନ। କଳାକର ଜେଠା ତଳେ ଆଉ ଚାରି ଜେଠା ଓ ଦୁଇ ପିଇସୀ ଥିଲେ। ଆମ୍ବଡ଼ାଗୁଚ୍ଛ ପରି ଛୁଆପିଲାଙ୍କୁ ନେଇ ଆମର ରାବଣ ବଂଶ ପରି ବଂଶଟିଏ। କିନ୍ତୁ କଳାକର ଜେଠା ଥିଲେ ଆଣ୍ଠୁକୁଡ଼ା, ସେଇ ବୁଢ଼ୀ ଖୁଣ୍ଟୁରୀ, କଳିହୁଡ଼ୀ ବିଦିଆ ମାଆ ପିଠିପଟେ ଗାଳି ଦେଉଥିଲା ଏଇ ଭାଷାରେ। ମୁହଁରେ କହିବାର ଜୁ ନାହିଁ। ସିଏ କ’ଣ, କେହି ତ ତାଙ୍କ ସାମନାରେ ପଦେ କହି ପାରିବେ ନାହିଁ। ଗର୍ଭିଣୀ ଗାଈ ବାଟ ଛାଡ଼ୁଥିଲା ତାଙ୍କୁ। ପରଛିଦ୍ର ଡଗରେଇଲାବାଲା ସିନା ତାଙ୍କୁ ଦୁଇ ଆଖିରେ ଦେଖି ସହି ପାରୁନଥିଲେ କିନ୍ତୁ ଗାଁଟା ସାରା ତାଙ୍କ କଥାକୁ ବେଦର ଗାର ବୋଲି ମଣୁଥିଲେ।
ହଁ କଳାକର ଜେଠା ନିଃସନ୍ତାନ ହେଲେ କଣ ହେଲା, କାହା ପାଟିରେ କିଏ ହାତ ଦବ ନା ଆଣ୍ଠୁକୁଡ଼ା କହିଦେଲେ କିସ ଅଣେଇ ପଡ଼ିବ। ଆମ ସମସ୍ତଙ୍କ ପାଇଁ, ଏମିତି କି ତାଙ୍କ ଭାଇଭଉଣୀଙ୍କ ପାଇଁ ମଧ୍ୟ ସେ ଥିଲେ ବାପା ସମାନ। ମୋ ବାପାଙ୍କର ବାପା ଦୋବେହି ଥିଲେ। ପ୍ରଥମ ଜେଜେମା କଳାକର ଜେଠାକୁ ଷଠିଘରେ ଏକୁଟିଆ ଛାଡ଼ି ମରିଗଲା। ସୁତରାଂ ବାପାଙ୍କ ମାଆ ଆସିଲା ଦୂତୀୟ ହେଇ, ଛଅଦିନର କଅଁଳା କଳାକର ଜେଠାଙ୍କର ସାବତ ମାଆ ହେଇ। ଜେଠା ଟିକେ ଜାଣିବାର ହେଲେ ତ ଭୀଷ୍ମ ପିତାମହ ପରି ତାଙ୍କ ବାପାଙ୍କ ସଂସାରଟାକୁ ଜଗି ରଖି ସମ୍ଭାଳିଲେ। କାରଣ ମୋ ବାପାଙ୍କର ବାପା ସଂସାର ବଢ଼େଇ ସାରି ସଂସାର ତ୍ୟାଗୀ ବାବାଜୀ ସାଜିଲେ, ସେହି ଖଞ୍ଜା ଭିତରେ ରହି ମଧ୍ୟ। ଜୁଆଳୀ ପଡ଼ିଲା କଳାକର ଜେଠା କାନ୍ଧରେ।

ଲେଖିବାର ଉଦ୍ଦେଶ୍ୟ ଠାରୁ କେତେ ଦୂର ଚାଲି ଆସିଲିଣି। ଲଣ୍ଠନ, ହଁ ସେଇ ଲଣ୍ଠନ ବହୁତ ପ୍ରିୟ ଥିଲା ଜେଠାଙ୍କର। ତାଙ୍କ ବାପାଙ୍କର ବି ପ୍ରିୟ ଥିଲା ତ। ଚଗଲା ନୁଠୁଭାଇର ଚଗଲାମୀ କୋଉ ବନ୍ଦ ହୁଏ ? କୋଉ ଦିନ ଲଣ୍ଠନ ଫିତାକୁ ଅଧିକ ତେଜି ଦେଇଥିବ ତ କେବେ କିରାସିନି କମ୍ ପୂରେଇଥିବ ଯେ ଶୀଘ୍ର ଲିଭିଯିବ ଲଣ୍ଠନ। ପାଠ ପଢ଼ିବାରୁ ତ୍ରାହି ମିଳିବ। କିନ୍ତୁ ଧରା ବି ପଡ଼େ କୁଟା ବି ଖାଏ ତଥାପି ଖୋଇ ଛାଡ଼େନି।
ମଝିରେ ଲଣ୍ଠନ ଜଳୁଥିବ ଦିକ୍ ଦିକ୍ ହେଇ। କଳାକର ଜେଠା ପାଠ ଆଦାୟ କରୁଥିବେ;
ଏ ମଣି, ତେରକ ପଣିକା ଡାକ, ଡାକ୍ ଜଲଦି
ହଇରେ ବୁଲୁ, ଇଏ ତୋର୍ ଲକ୍ଷ୍ୟ ବିଷୟରେ ରଚନା ଲେଖିଛୁ ନା, ଏମିତି ଲେଖିଲେ ତ ବାବା ତୁ ତୋ ଲକ୍ଷ୍ୟରେ ପହଞ୍ଚିବା ଆଗରୁ ଝୁଣ୍ଟିପଡ଼ି ଆଣ୍ଠୁ ଖଣ୍ଡିଆ ଖାବରା କରି ସାରିଥିବୁ, ଲକ୍ଷ୍ୟକୁ ଲେଖିଛି ଲକ୍ଷ, ଜୀବନକୁ ଲେଖିଛି ଜିବନ।
ଆରେ ଚଣ୍ଡ, ତୋର ଟ୍ରାନ୍ସଲେସନ ସଇଲା ନା?
ବେକୁବ୍ କୋଉଟିକାର, ଇଏ…ଇଏ କ’ଣ, ଲେଖିଛୁ? ଗୁଡ୍ ଗୁଡାର୍ ଗୁଡେଷ୍ଟ , ବେଡ୍ ବେଡର୍ ବେଡେଷ୍ଟ। ହେବନାଇଁ, ତୋ ଦେଇ ଶାଗ ଶିଝିବ ନାଇଁ। ଯା କାନ୍ଧରେ ଜୁଆଳି ପକା।
ମୁଁ ବୁଝି ପାରେ ନାହିଁ, ବିଗ୍ ବିଗର୍ ବିଗେଷ୍ଟ ଯଦି ହେଲା ତେବେ ଗୁଡ ଆଉ ବେଡ ଅଲଗା କିଆଁ। ଆହୁରି ନୁଠୁଭାଇ ଲେଖେ , ଘୋଡ଼ା ଘୋଡ଼ୀ, କୁକୁର କୁକୁରୀ, ଧୋବା ଧୋବଣୀ ଯେମିତି ହର୍ଷ ହର୍ଷି, ଡଗ୍ ଡଗୁଣୀ, କେଟ୍ କେଟୁଣୀ।
କିନ୍ତୁ ସେଇମିତି ପଢ଼ୁ ପଢ଼ୁ , ବଢ଼ୁ ବଢ଼ୁ ଆମେ ସବୁ ଆଗକୁ ବଢ଼ିଯାଉ। ଆମ୍ବଡ଼ାଗୁଚ୍ଛରୁ ଆମ୍ବଡ଼ା ସବୁ ଗୋଟି ଗୋଟି ହେଇ ବିଞ୍ଚି ହେଇ ଯାଆନ୍ତି କିଏ କୁଆଡ଼େ, ଦିଲ୍ଲୀ, କଲିକତା, ଅହମଦାବାଦ, ଅଷ୍ଟ୍ରେଲିଆ, ହଂକଂ ଇତ୍ୟାଦି ଇତ୍ୟାଦି। ଜେଠା ଆଗ ଓ ପରେ ପରେ ସମସ୍ତେ ଯେ ଯାହାର ଅଭିନୟ ସାରି ବାହୁଡ଼ି ଯାଆନ୍ତି। ଘରଡିହ ସେଇମିତି ପଡ଼ି ରହେ। ଶିଆଳ, ତମ୍ପ, ଘରଚଟିଆଙ୍କର ଆପଣାର ବସା ହେଇ।
ଅନେକ ବର୍ଷ ପରେ ଜମି ଜୁମା କାମରେ ଆମେ ସବୁ ସେହି ଗାଁ ଘରେ ଏକାଠି ହେଉ। ବୁଢିଆଣୀ ଜାଲ ଆଉ ଉଇହୁଙ୍କା ଭର୍ତ୍ତି ଅଗଣାରେ କାନସିରି, ପୁରୁଣି, ସିଜୁ, କୁଆକୁନ୍ଦୁରି, ଗୁଗୁଚିଆ ଭର୍ତ୍ତି। ତାକୁ ଆଡ଼େଇ ମଝିଘରେ ପଶୁ। ମୋଟା ଲୁହାକଣ୍ଟାରେ ଟଙ୍ଗା ହେଇଥାଏ ସେହି ପିତ୍ତଳ ଲଣ୍ଠନ। ଆମେ ସମସ୍ତେ ଏକ ଆରେକକୁ ଚାହିଁ ରହୁ। କାନରେ ବାଜୁଥାଏ, ଖଣ୍ଡିଆ ଖଣ୍ଡିଆ ବାକ୍ୟ
ଭାଙ୍ଗିଦେବି କି?
ଲେଖିଛି କଣ ନା ,
ଓଲ୍ଡମେନ, ଓଲ୍ଡ ମେନୁଣୀ,
ଗୋ , ଗୋଇଲା, ଗୋଇଥିଲା…… ଶ୍ୟଃ
କିଛି ହେବନାଇଁ, କିଛି ହେବନାଇଁ……
ମୁଁ ଭାବୁଥିଲି, ସତରେ ବହୁତ କିଛି ହେଇ ମଧ୍ୟ କିଛି ବି ହେଇନାହିଁ।

5 thoughts on “ଲାନଟିନ୍

  1. ଚମତ୍କାର, ମାଟିଲଗ୍ନ ଭାଷା ଏବଂ ମାଟିମଗ୍ନ ଭାବନା।

  2. ବହୁତ ବଢିଆ ଗପ। ପୁରା ଅତୀତକୁ ଫେରି ଗଲା ପରି ଲାଗିଲା। ସୁନ୍ଦର ଶବ୍ଦ ଗୁଡ଼ାକ ଖଞ୍ଜାଯାଇଛି।

  3. ବାଃ ଏ ଆଧୁନିକ ଯୁଗରେ ମଧ୍ୟ ଏମିତି ନିଖୁଣ ଭାଷା ଆଉ ବର୍ଣ୍ଣନା ସେ ବି ଆରତି ଙ୍କ ଭଳି କମ୍ ବୟସ୍କ ଲେଖିକା ଙ୍କ ଲେଖନି ରୁ। ଅନେକ ସମ୍ଭାବନା ର ଶୁଭେଚ୍ଛା, ବାର୍ତ୍ତା ବହନ କରୁଥିବା ସାଙ୍କେତିକ ଗଳ୍ପଟି ପାଇଁ।

Leave a Reply

Your email address will not be published. Required fields are marked *