କବିତା ଛକରେ ଠିଆ ହେଇକରି ହାତ ହଲେଇବାର କଥା। ହାତ ଧରି ଡାକିନେବା କଥା ନୁହଁ କବିତା।
ସ୍ୱନାମଧନ୍ୟ କବି ବିପିନ ନାୟକଙ୍କୁ ବୟସ ଏବେ ୭୪ ବର୍ଷ। ଓଡ଼ିଆ କବିତା ସମ୍ଭାରକୁ ତାଙ୍କର ମୂଲ୍ୟବାନ ଅବଦାନ ସ୍ୱତନ୍ତ୍ର ପରିଚୟ ରଖେ। ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଏହି ଯଶସ୍ୱୀ କବି ନିଜର ନିଆରା ରଚନା ଶୈଳୀ ପାଇଁ ପାଠକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ। ବହୁ ବର୍ଷ କାଳ ଓଡ଼ିଶାର ବିଭିନ୍ନ ସରକାରୀ କଲେଜର ଅର୍ଥନୀତି ବିଭାଗରେ ଅଧ୍ୟାପନା କରିବା ପରେ ସେ ୨୦୦୮ ମସିହାରେ ସେବାନିବୃତ୍ତ ହୋଇଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: କଲେଜ ଜୀବନରେ ଆପଣ ଚେନ୍ ସ୍ମୋକର୍ ଥିଲେ ବୋଲି ଶୁଣିଛୁ। ସିଗାରେଟ୍ କ’ଣ ଆପଣଙ୍କ କବିତ୍ୱକୁ ପ୍ରସ୍ଫୁଟିତ କରିବାରେ ଏକ ଭୂମିକା ନେଇଥିଲା?
ବିପିନ ନାୟକ: (ପ୍ରବଳ ହସି) ହଁ, ସିଗାରେଟରେ ମୁଁ ଧ୍ୟାନସ୍ଥ ହୁଏ। ଥରେ ମୁଁ ଲେଖିଥିଲି କେଉଁଠି ଯେ ‘କପେ ଚାହା ପରେ, ଗୋଟାଏ ସିଗାରେଟ୍ ହେଲା ପରେ, ମୋତେ କବିତା ଲେଖିବାର ମିଂଜାସ୍ ଆସେ।’
ସାହିତ୍ୟ ଚର୍ଚ୍ଚା: ତା’ହେଲେ ସିଗାରେଟକୁ କ’ଣ ଆପଣ ନିଜ କବିତ୍ୱର ଶ୍ରେୟ ଦେବେ?
ବିପିନ ନାୟକ: ହଁ, ଏହାକୁ କିଛିଟା ଶ୍ରେୟ ଦେବି। ଅଥଚ ଏହା ମୋତେ ଧୂଆଁ ଧୂଆଁ କରିବାରେ କିଛିଟା ସାହାଯ୍ୟ କରେ।
ସାହିତ୍ୟ ଚର୍ଚ୍ଚା: ସେ ଅଭ୍ୟାସଟି ଏବେ ଅଛି, ନା ଛାଡ଼ିଦେଲେଣି?
ବିପିନ ନାୟକ: ଏବେ ଭାଙ୍ଗିଗଲାଣି। ୨୦୧୮ରୁ ସେଇଟା ଛାଡ଼ିଦେଲି। ସେ ଅବଶ୍ୟ ବହୁତ ମୂଲ୍ୟ ନେଇକରି ଗଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସର୍ଜନା ଭିତରେ ମଧ୍ୟ ସିଗାରେଟ କେବେ ଆବିର୍ଭୂତ ହୋଇଛି ନା ନାହିଁ!
ବିପିନ ନାୟକ: ଗୋଟିଏ ଗପ ଲେଖିଥିଲି: “ସିଗାରେଟ୍ ମୋ’ର ସେଇ ପ୍ରେମିକା, ଯାହାର ସଫେଦ ଆବରଣ ଭିତରେ ଅତି ଗୋପନରେ ମୁଁ ତାହା ସହିତ ପ୍ରେମାଳାପ କରେ।”
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଛାତ୍ରାବସ୍ଥା ବିତିଛି ପାରଳାଖେମୁଣ୍ଡିରେ। ଶୁଣାଯାଏ ସେତେବେଳକୁ ବାମପନ୍ଥୀ ବିଚାରଧାରା ଆପଣଙ୍କ କାବ୍ୟମାନସକୁ ପ୍ରଭାବିତ କରିଥିଲା। ସେଇ ମତାଦର୍ଶ ଆଡ଼କୁ କେମିତି ଢ଼ଳିପଡ଼ିଲେ?
ବିପିନ ନାୟକ: ସେତେବେଳେ ଯୁବକ ଅବସ୍ଥାରେ ମୁଁ ଜଣେ ଆଦର୍ଶବାଦୀ ମଣିଷ ଥିଲି। ବିଶେଷ ପ୍ରବଣତା ଥିଲା ସମାଜ ପାଇଁ କିଛି କରିବାକୁ। ଦୁଃଖୀରଙ୍କିଙ୍କୁ ଦେଖିଲେ ମୁଁ ଟିକିଏ ବିହ୍ୱଳିତ ହେଉଥିଲି। ମୁଁ ଯେହେତୁ ଅର୍ଥନୀତିର ଛାତ୍ର ଥିଲି, ମୋତେ ମାର୍କ୍ସବାଦ ପଢ଼ିବାପାଇଁ ପଡ଼ିଲା।
ସାହିତ୍ୟ ଚର୍ଚ୍ଚା: ତେଣୁ ବୋଧହୁଏ ଆପଣଙ୍କୁ ମାର୍କ୍ସବାଦ ଟିକିଏ ପ୍ରଭାବିତ କଲା।
ବିପିନ ନାୟକ: କିନ୍ତୁ ମାର୍କସୀୟ ଚେତନାର କବିତା ମୁଁ ଲେଖିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଆଦ୍ୟ କାବ୍ୟସମ୍ଭାରରେ କିଛି ମାର୍କସବାଦୀ ସ୍ୱର ଅଛି ବୋଲି ସମାଲୋଚକମାନେ ମତ ଦିଅନ୍ତି।
ବିପିନ ନାୟକ: ମୋ’ର କିନ୍ତୁ ସେମିତି ମନେହୁଏ ନାହିଁ।
ସାହିତ୍ୟ ଚର୍ଚ୍ଚା: କେତେଜଣ କହନ୍ତି ଯେ ମାର୍କସବାଦରୁ ଏବେ ଆପଣଙ୍କ ମୋହଭଙ୍ଗ ହୋଇଛି!
ବିପିନ ନାୟକ: ପୁରା ମିଛ। ତା’ର କାରଣ, ମୋ’ର କୌଣସି କବିତାରେ ମାର୍କ୍ସବାଦୀ ଚିନ୍ତା ନାହିଁ। କେବେ ନଥିଲା, ଏବଂ ଏବେ ବି ନାହିଁ।
ସାହିତ୍ୟ ଚର୍ଚ୍ଚା: ଶ୍ରେଣୀ ସଂଘର୍ଷର କଥା ମଧ୍ୟ କେଉଁଠି କହିନାହାଁନ୍ତି?
ବିପିନ ନାୟକ: ମୋ ‘ପାଦଶବ୍ଦ’ ସଂକଳନର ପ୍ରଥମ କବିତା କ’ଣ ଜାଣିଛନ୍ତି? “ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ କେମିତି ଫିଙ୍ଗିବି/ ଯୁଆଡ଼େ ଫିଙ୍ଗିଲେ କେହି ନା କେହି ତ ରକ୍ତାକ୍ତ ହେବ।” କୌଣସି ଯାଗାରେ ମୋ’ର ଶ୍ରେଣୀ ସଂଘର୍ଷ ବା ଦ୍ୱନ୍ଦ୍ୱର ଚେତନା ନାହିଁ। ପ୍ରକୃତରେ ମୁଁ ମାର୍କ୍ସବାଦୀ ନଥିଲି। କିନ୍ତୁ ମାର୍କ୍ସବାଦ କ’ଣ ତାହା ଜାଣିବା ପୂର୍ବରୁ ମୋ’ର ଗୋଟିଏ ବ୍ୟକ୍ତିଗତ ଆକର୍ଷଣ ତା’ପ୍ରତି ଥିଲା।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ପ୍ରଥମ କେତେକ କବିତାରେ ଯେଉଁ ବିପ୍ଳବାତ୍ମକ ଉଗ୍ରତା ଥିଲା, ତାହା ମନେହୁଏ ଏବେ ଧୀମା ପଡ଼ିଯାଇଛି।
ବିପିନ ନାୟକ: ମୋ’ର ସେମିତି ମନେ ହୁଏନାହିଁ। (ବହିଟିଏ ଦେଖାଇ) ଏଇଟା ହେଉଛି ମୋ’ର ପ୍ରଥମ କବିତା ସଂକଳନ। ଏଥିରେ କେଉଁ କବିତାରେ ମୋ’ର ମାର୍କ୍ସବାଦୀ ସ୍ୱର ଅଛି? ବରଂ ଆପଣ ଦେଖିବେ; ତା’ ଭିତରେ ରୋମାନ୍ସ ଅଛି, ସ୍ୱପ୍ନ ଅଛି, ମାନବୀୟତା ମଧ୍ୟ ଅଛି; ଯେମିତି, “ହଠାତ୍ କେଉଁ ନିରବିତ ମୁହୂର୍ତ୍ତରେ ନିକ୍ୱଣିତ ହୋଇଯାଏ କାହାର ନୁପୂର? କି ଅପୂର୍ବ ଆଳାପରେ ବେଳେ ବେଳେ ଉଚ୍ଚାରିତ ହୋଇଯାଏ ବହୁଦିନୁଁ ଭୁଲିଥିବା ପ୍ରିୟତମ ସଂଗୀତର ସ୍ୱର। … ବେଳେବେଳେ କାନ୍ଦିବାକୁ ଇଚ୍ଛା ହୁଏ ଏ ପୂଥିବୀରୁ ମରିସାରିଥିବା ସବୁ ଲୋକଙ୍କ ଉଦ୍ଦେଶ୍ୟରେ; ନିଜକୁ ବିହ୍ୱଳିତ ବିହ୍ୱଳିତ ଲାଗେ, ଶୋକାତୁର ବିଧବାର ସଫେଦ ଦୁଃଖରେ।” ଏହାତ ମାନବୀୟତା! ବିହ୍ୱଳିତ ହୋଇଯାଉଥିବା ଗୋଟିଏ ବିଧବାର କାରୁଣ୍ୟ ଅଛି ମୋ’ ଭିତରେ।
ସାହିତ୍ୟ ଚର୍ଚ୍ଚା: ତା’ ତ ଦିଶିଯାଉଛି, ନିଶ୍ଚିତ ଭାବରେ।
ବିପିନ ନାୟକ: ସେ ଖଣ୍ଡା, ଖଡ୍ଗ, ଦଳିତ, ଫଳିତ … ନା, ନେଭର୍ ! ମୋ’ର କୌଣସି କବିତାରେ କାହିଁକି ଏହା ନାହିଁ, ତା’ ବି ଏକ ଆଶ୍ଚର୍ଯ୍ୟ। ହୁଏତ କବିତା ଲେଖିବାପାଇଁ ମୋ’ର ଯେତେବେଳେ ପରିପକ୍ୱତା ଥିଲା, ସେ ଚେତନା ହିଁ ମୋ’ର ନଥିଲା। ମୁଁ ହୁଏତ ଏକ ଅସଫଳ ଆଦର୍ଶ ଭିତରୁ ଘୁଞ୍ଚି ଆସିଲି ପ୍ରେମ ପାଖକୁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସବୁତକ କବିତା ସଂକ୍ଷିପ୍ତ। କବିତାର ଏହି ସଂକ୍ଷିପ୍ତପଣିଆ ପାଠକର ହୃଦୟକୁ ଛୁଇଁବା ପାଇଁ ଅଧିକ ଭାବରେ ସକ୍ଷମ ହୁଏ ବୋଲି ଆପଣ ଭାବନ୍ତି କି?
ବିପିନ ନାୟକ: ମୁଁ ଭାବେ, କବିତା ନୃତ୍ୟ ପରି ଏକ କଳା। ଗଦ୍ୟ ଓ ପଦ୍ୟ ଭିତରେ ତଫାତ୍ କ’ଣ? ଗଦ୍ୟ ପ୍ରଲମ୍ବିତ, ଗଦ୍ୟରେ ବିସ୍ତାର ଅଛି। କବିତା ନୃତ୍ୟ ପରି ଛନ୍ଦୋବଦ୍ଧ, ମାଧୁର୍ଯ୍ୟ ଓ ମୁଦ୍ରାମୟ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଦୀର୍ଘ କାବ୍ୟର ସମ୍ଭାର ତ ବହୁତ ଅଛି ଆମ ସାହିତ୍ୟରେ, ବିଶେଷତଃ ମଧ୍ୟଯୁଗରେ !
ବିପିନ ନାୟକ: ଦେଖନ୍ତୁ, ମଧ୍ୟଯୁଗରେ ରହିବ। ତା’ର ଗୋଟିଏ କଥାବସ୍ତୁ ଅଛି। ଆଜିର କବିତାରେ କଥାବସ୍ତୁ ନାହିଁ; କଥକତା ନାହିଁ। ଇଏ ଗୋଟିଏ ମୁହୂର୍ତ୍ତର ପ୍ରଜ୍ଜ୍ୱଳନ; ଇଏ ଗୋଟିଏ ମୁହୂର୍ତ୍ତର ଆବେଗ।
ସାହିତ୍ୟ ଚର୍ଚ୍ଚା: ତେଣୁ ଆଜିର କବିତା ସଂକ୍ଷିପ୍ତ ହେବାକୁ ବାଧ୍ୟ!
ବିପିନ ନାୟକ: ହେବାକୁ ବାଧ୍ୟ ନୁହଁ। କବିର ସାଧ୍ୟ, କବିର ଆବେଗ, କବିର ରୁଚି ଅନୁଯାୟୀ ଏହା ରୂପ ନିଏ।
ସାହିତ୍ୟ ଚର୍ଚ୍ଚା: ଆମେ ଭାବୁ ଯେ ଆପଣଙ୍କ କବିତାରେ ଅତି ଏକ ସାନ୍ଦ୍ର ଭାବ ପରିବେଷିତ ହୁଏ; ସେଥିପାଇଁ ତାହାର କଳେବର ମଧ୍ୟ ସଂକ୍ଷିପ୍ତ। ପାଠକର ମନ ଭିତରକୁ ଏହା ଭେଦିଯାଏ ସହଜରେ।
ବିପିନ ନାୟକ: ଏକ୍ଜାକ୍ଟଲି, ଏହା ଅତି ସାନ୍ଦ୍ର। ମୁଁ ଭାବେ ଯେ କବିତାରେ ଅବାନ୍ତର ଶବ୍ଦ ରହିବା ଜରୁରୀ ନୁହେଁ। ପ୍ରଥମ ସଂକଳନରେ କେଉଁଠି ଲେଖିଛି, “କେ ଉଠେଇବତ ଉଠଉ / ମୋ କବିତାର ଓଜନରେ ଛିଣ୍ଡିଯିବ / କାହାରନା କାହାରତ ଡ଼େଣା।”
ସାହିତ୍ୟ ଚର୍ଚ୍ଚା: ଏକଥା ଆମେ ମଧ୍ୟ ଲକ୍ଷ୍ୟ କରିଛୁ। ଆପଣଙ୍କ କବିତାରେ ଶବ୍ଦର ଅପବ୍ୟୟ ହୁଏନାହିଁ; ସବୁ ଯେମିତି ମପାଚୁପା। ଆପଣ ମଧ୍ୟ ଜଣେ ସଫଳ କଥାକାର। ତେବେ କବିତା ତୁଳନାରେ ଆପଣଙ୍କ ଗଳ୍ପସମ୍ଭାରର ସଂଖ୍ୟା ଟିକିଏ କମ୍ କାହିଁକି?
ବିପିନ ନାୟକ: ପତ୍ରପତ୍ରିକାମାନଙ୍କରେ ଓ ସଂକଳନ ଆକାରରେ ମୋର ବହୁ ଗଳ୍ପ ଅବଶ୍ୟ ପ୍ରକାଶିତ ହୋଇଛି। ତେବେ ସେତେ ବେଶି ଲେଖିନାହିଁ। ଏଇଥିପାଇଁ ଲେଖିନାହିଁ ଯେ ମୋତେ ଅତିକ୍ରମ କଲା ଭଳି ଗଳ୍ପ ଅନ୍ୟ କେହି ଲେଖିପାରେ; ମୋ’ଠାରୁ ସାର୍ଥକ କଥାଶିଳ୍ପୀ ଥାଇପାରନ୍ତି। କିନ୍ତୁ କବିତାରେ ହୁଏତ ମୁଁ ଭାବୁଛି ଯେ ମୋ’ର କିଛି ଦକ୍ଷତା ଅଛି, କିଛି ଅନିର୍ବାଯ୍ୟତା ଅଛି, କିଛି ଅନନ୍ୟତା ଅଛି। ଅବଶ୍ୟ ଗପ ଏଥିପାଇଁ ଲେଖେ ଯେ, କବିତାରେ ସବୁକଥା କହିହୁଏ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରତ୍ୟେକ ଗଳ୍ପରେ ଗୋଟିଏ କବିତା ଥାଏ, ଏବଂ ପ୍ରତ୍ୟେକ କବିତାରେ ବି ଗୋଟିଏ ଗଳ୍ପ।
ବିପିନ ନାୟକ: ହଁ, ପ୍ରତ୍ୟେକ କବିତା ପଛରେ ଗପଟିଏ ଥାଏ। ଗୋଟିଏ ଚଳମାନ ସ୍ରୋତ ଭିତରୁ କିୟଦଂଶ ହେଉଛି କବିତା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ‘ବିପିନୀୟ କାବ୍ୟସମ୍ଭାର – ବିଦଗ୍ଧ ବିଚାର’ ପୁସ୍ତକରେ ଆପଣ ଠାଏଁ କହିଛନ୍ତି ଯେ ‘କବିତାରେ କଥ୍ୟ ଗୌଣ। ଶବ୍ଦର ବିନ୍ୟାସ ଓ ଶୈଳ୍ପିକ ସୁଷମା ପାଠକକୁ ରସସିକ୍ତ, ବିଭୋର କରିବାର ସାମର୍ଥ୍ୟ ରଖେ।’ ଆପଣ କ’ଣ ମନେ କରନ୍ତି ଯେ ଆଜିକାଲିର ଅନେକ କବି କବିତାର ଏହି ଶୈଳ୍ପିକ ସୁଷମା ବା କାରିଗରୀ ପ୍ରତି ଧ୍ୟାନ ଦିଅନ୍ତି ନାହିଁ?
ବିପିନ ନାୟକ: ଦିଅନ୍ତି ନାହିଁ।
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ କେବଳ ମନର ଉଦ୍ୱେଳନକୁ ହିଁ ଢ଼ାଳିଦିଅନ୍ତି?
ବିପିନ ନାୟକ: ଏକଥା ସତ୍ୟ। ବହୁତ କବିତା ଲେଖାହେଉଛି; କିନ୍ତୁ ଭଲ କବିତା ବେଶି ଲେଖାଯାଉନି। କବିତା କେବଳ ଏକ କଥ୍ୟ ନୁହେଁ; କବିତା ଏକ ଇଙ୍ଗିତ, କବିତା ଏକ ଆଭାସ, କବିତା ଏକ ସଂକେତ; କବିତା ଛକରେ ଠିଆ ହେଇକରି ହାତ ହଲେଇବାର କଥା। ହାତ ଧରି ଡାକିନେବା କଥା ନୁହଁ କବିତା। ଅକଥନୀୟ କଥା କହିପାରେନି ବୋଲି ମୁଁ କବିତା ଲେଖେ। କହିପାରୁଥିଲେ ମୁଁ କବିତା ଲେଖନ୍ତି ନାହିଁ।
ସାହିତ୍ୟ ଚର୍ଚ୍ଚା: କବିତାର ତେବେ ବିକଳ୍ପ ନାହିଁ!
ବିପିନ ନାୟକ: ବିକଳ୍ପ କେଉଁଠି ଅଛି? ପ୍ରେମରେ ଆଖି ମାରିବାର କ’ଣ ବିକଳ୍ପ ଅଛି? ଚୁମ୍ବନର କ’ଣ ବିକଳ୍ପ ଅଛି !
ସାହିତ୍ୟ ଚର୍ଚ୍ଚା: ଆଗାମୀ ଦିନମାନଙ୍କରେ ଆପଣଙ୍କର କେଉଁ ବହି ପ୍ରକାଶିତ ହେବାର ଅଛି?
ବିପିନ ନାୟକ: ବର୍ତ୍ତମାନ ଦୁଇ ବା ତିନୋଟି ବହି ପ୍ରକାଶନର ଅପେକ୍ଷାରେ ଅଛି। ତା’ଭିତରୁ ଗୋଟିଏ ହେଲା ଆତ୍ମୋପନ୍ୟାସ ବା ଅଟୋଫିକ୍ସନ୍।
ସାହିତ୍ୟ ଚର୍ଚ୍ଚା: ଏହା ବୋଧହୁଏ ଏକ ନୂଆ ଜନର୍।
ବିପିନ ନାୟକ: ହଁ, ଓଡ଼ିଆ ସାହିତ୍ୟ ପାଇଁ ନୂଆ। ଅବଶ୍ୟ ମୁଁ ଏହା ଆତ୍ମୋପନ୍ୟାସ ବୋଲି ଭାବିକରି ଲେଖିନଥିଲି। ଲେଖୁ ଲେଖୁ ଜାଣିଲି ଯେ ଏଇଟା ସେଇ ଜନର୍ର।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋରମ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
Good to read the interview.
ନିରୋଳା ବ୍ୟକ୍ତିତ୍ଵ, ନିଆରା କବିତ୍ୱ । ଅନ୍ତରଙ୍ଗ ଆଳାପ ରେ କବିତା ପରି ପ୍ରତ୍ୟୁତ୍ତର ବି ସଂଯତ ଓ ନାନା ଅସହମତ ର କ୍ଷେପିତ ତର୍ଜନୀ। ପ୍ରିୟ କବି ବିପିନ୍ ନାୟକଙ୍କ ସାକ୍ଷାତକାର ଅନ୍ୟ ଅନେକ ନିଭୃତ ଇଲାକା ଦେଖାହେଲା।
ଏକ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସାକ୍ଷାତକାର। ପ୍ରଭାବଶାଳୀ ମଧ୍ୟ। ବିପିନୀୟ କାବ୍ୟସ୍ଵରର ମଧୁର ଝଙ୍କାର। କବି ବିପିନ୍ ନାୟକଙ୍କ କାବ୍ୟ ଅଭ୍ୟନ୍ତରକୁ ଯାତ୍ରା କରିବା ପାଇଁ, ତାଙ୍କ କାବ୍ୟଚେତନାର ଚର୍ଚ୍ଚା କରିବା ପାଇଁ ଏ ସାକ୍ଷାତକାର ଅଭ୍ରାନ୍ତ ଦିଗ୍ ଦର୍ଶନ ଦେବ। ବିପିନ୍ ସାର୍ ଙ୍କୁ ପ୍ରଣାମ ଓ ସାହିତ୍ୟ ଚର୍ଚ୍ଚାର ସାଧୁ ଉଦ୍ୟମକୁ ସାଧୁବାଦ।
ଆପଣଙ୍କ ଅନ୍ତରଙ୍ଗ ଆଳାପ ରେ ସାକ୍ଷାତକାର ପଢ଼ି ମନ କବିତାତୁର ହେଇଗଲା ଆପଣ ଜଣେ ଅବିକଳ୍ପ ଅନନ୍ୟ କବିତାକାର, ନିଶବ୍ଦ ରୁ ଶବ୍ଦ ସୃଷ୍ଟି କରିପାରୁଥିବା ନିଆରା କବିଙ୍କୁ ମୋର ହୃଦୟ ରୁ ପ୍ରଣାମ 🙏🙏
ଖୁବ୍ କମ ଶବ୍ଦରେ ଗଭୀର କଥା କୁହେ ବିପିନ ସାର୍ ଙ୍କ କବିତା ସବୁ । ପ୍ରଣାମ
ସୁନ୍ଦର ସଞ୍ଜତ ସତ୍ୟ ର ଆଳାପ ।
ମୁଁ ଅନେକ କବିତା ପଢ଼ିଛି , ତର୍ଲ୍ଲିନ ହୋଇଛି ।
ବିପିନୀୟ କାବ୍ୟ ଶୈଳୀ ବେଶ୍ ମଧୁମୟ ରୁଚିକର ।
ମୁଁ କେବଳ ନୁହଁ କାବ୍ୟ ପିପାସୁ ଯେ ନା କେହି ସାର୍ ଙ୍କ କବିତା ପଢ଼ିବ ସେ ବିହ୍ଵଳିତ ହେବା ସ୍ଵାଭାବିକ ଏଥିରେ ଦ୍ଵିମତ ନାହିଁ।
ଓଡ଼ିଆ କାବ୍ୟ ଜଗତରେ ଏକ ଅନନ୍ୟ ସ୍ୱର
ସାକଷାତକାରଟି ସୁନ୍ଦର ହୋଇଛି, ମାତ୍ର ଅସମ୍ପୂର୍ଣ୍ଣ ଲାଗିଲା। କବିଙ୍କ ଜୀବନୀ ଜୀବିକା ଆଦି ବିଷୟରେ ସଂକ୍ଷେପରେ ଦି ଧାଡ଼ି ଲେଖିଥିଲେ କେମିତି ହେଇଥାନ୍ତା !!
ପ୍ରଣାମ ସାର୍,
ମୁଁ ଆପଣଙ୍କ କବିତା ପଢେ।ଭଲ ଲାଗେ ମତେ ,କେବଳ ମତେ କାହିଁକି ସଭିଙ୍କୁ ଭଲ ଲାଗେ। ଭାରି ଆତ୍ମିକ,ଭାବପୂର୍ଣ୍ଣ,ମିଠା ଲାଗେ।
ଏଇ ଉତ୍ତର ସବୁ ଖୁବ୍ ଛୁଇଁଲା ।