କବିତାପାଠର କଳା

କିଛି ଦିନ ତଳେ ଜଣେ ବର୍ଷୀୟାନ ଓ ଯଶସ୍ୱୀ ଲେଖକଙ୍କଠାରୁ ଶୁଣିଥିଲୁ ଏହି ପ୍ରକରଣଟି। ୧୯୫୦ ଦଶକର କଥା। ସେ ଥରେ କଲିକତା ଯାଇଥିଲେ ନିଜର ପ୍ରିୟ ବନ୍ଧୁ ତଥା ସେ ସମୟର ଜଣେ ପ୍ରସିଦ୍ଧ ଓଡ଼ିଆ ଔପନ୍ୟାସିକ ସ୍ୱର୍ଗତ କଣ୍ଡୁରୀ ଚରଣ ଦାସଙ୍କୁ ଭେଟିବା ପାଇଁ। ସନ୍ଧ୍ୟାବେଳେ ତାଙ୍କର ଘରେ ଯାଇ ପହଞ୍ଚିବା ପରେ ଅନୁଭବ କଲେ ଯେ କଣ୍ଡୁରୀ ବାବୁ ଓ ତାଙ୍କର ସହଧର୍ମିଣୀ ବଡ଼ ଚିନ୍ତାଗ୍ରସ୍ତ ଅବସ୍ଥାରେ ବସିଛନ୍ତି। ସେତେବେଳକୁ ସନ୍ଧ୍ୟା ବିଳମ୍ବିତ। ଝିଅ ତାଙ୍କର ସେତେବେଳ ସୁଦ୍ଧା କଲେଜରୁ ଫେରିନଥାଏ। ଆହୁରି ଅନେକ ସମୟ ଅପେକ୍ଷା କରିବା ସତ୍ତ୍ୱେ ସେ ଯେତେବେଳେ ଫେରିଲା ନାହିଁ, ସେମାନଙ୍କର ମାନସିକ ଚାପ ଆହୁରି ବଢ଼ିଗଲା। ଅବଶ୍ୟ ବହୁ ସମୟ ପରେ ସେମାନଙ୍କ ଚିନ୍ତାରେ ପୂର୍ଣ୍ଣଚ୍ଛେଦ ଟାଣି ଶେଷକୁ ସେ ଘରେ ଆସି ପହଞ୍ଚିଲା। ତେବେ ତା’ର ଫେରିବାରେ ବିଳମ୍ବ ହେବାର କାରଣ ସେ ଯାହା ବର୍ଣ୍ଣନା କଲା ତାହା ଏହିପରି। ସେଦିନ କଲେଜରୁ ଫେରୁଥିବା ବେଳେ ବାଟରେ ଗୋଟିଏ ହଲ୍‌ର ବାହାରେ ପ୍ରବଳ ଭିଡ଼ ଦେଖି ସେ ସେଠାରେ ଟିକିଏ ଅଟକିଯାଇଥିଲା। ବୁଝିବାରୁ ଜଣାଗଲା ଯେ ସେଦିନ ସେହିଠାରେ ବଙ୍ଗଳାର ଜଣେ ପ୍ରଖ୍ୟାତ କବି କବିତା ପାଠ କରିବାର କାର୍ଯ୍ୟକ୍ରମ ଅଛି। ନିଜର ପ୍ରିୟ କବି ଜଣକ ସେଦିନ ସେଠାକୁ ଆସୁଥିବାର ଜାଣି ତା’ ଖୁସିର ସୀମା ନଥିଲା। କିନ୍ତୁ ସେତେବେଳକୁ ହଲ ଭିତରକୁ ପ୍ରବେଶର ସମସ୍ତ ଟିକେଟ ସରିଯାଇଥାଏ; ଅଥଚ ବାହାରେ କିଛି ଲୋକ କଳାବଜାରରେ ତାହା ବିକ୍ରୀ କରୁଥାଆନ୍ତି। ଏହି ସୁଯୋଗଟି ସେ କୌଣସିମତେ ହାତଛଡ଼ା କରିବାକୁ ଚାହିଁନଥିଲା। ତେଣୁ ଅଗତ୍ୟା ସେଠାରୁ କଳାବଜାରରେ ଟିକେଟ ଖଣ୍ଡିଏ କିଣି ସେ ହଲ୍ ଭିତରକୁ ପ୍ରବେଶ କଲା, ଏବଂ ନିଜ ପ୍ରିୟ କବିଙ୍କର କବିତାପାଠ ଶୁଣି ବିଳମ୍ବରେ ଫେରିଥିଲା ଘରକୁ।
ଆମେ ଏହା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ଯେ ଆଜି ଆମ ଭାଷାର କୌଣସି କବିତା ପାଠୋତ୍ସବକୁ କେହି ବ୍ଲାକ୍‌ରେ ଟିକେଟ କିଣି ଏମିତି ପ୍ରବେଶ କରିବାର ସାମାନ୍ୟତମ ସମ୍ଭାବନା ଅଛି କି? ଆମ ଏଠାକାର କବିତା ପାଠୋତ୍ସବଗୁଡ଼ିକ ତ ଥାଏ ଶ୍ରୋତାଶୂନ୍ୟ। ଏପରିକି ନିଜର କବିତାଟି ପଢ଼ିସାରିବା ପରେ ସେଠାରେ ଉପସ୍ଥିତ ଅନ୍ୟ କବିବନ୍ଧୁମାନଙ୍କୁ ଶୁଣିବା ପାଇଁ ସେହି କବି ବା କବୟିତ୍ରୀଙ୍କ ମଧ୍ୟରୁ କାହାରି ଧୈର୍ଯ୍ୟ ନଥାଏ। ଆମ କବି-ସମ୍ମିଳନୀଗୁଡ଼ିକରେ କବିତାଗୁଡ଼ିକ ଏତେ ନିଷ୍ପ୍ରାଣ ଓ ଅନାକର୍ଷକ ଭାବରେ ପଠିତ ହୁଏ ଯେ ଶ୍ରୋତାମାନେ ସେଠାରେ ବସି ସେଗୁଡ଼ିକୁ ଶୁଣିବା ନିଜ ପାଇଁ ଏକ ପ୍ରକାର ଦଣ୍ଡ ବୋଲି ଧରିନିଅନ୍ତି। ମନେହୁଏ ଯେମିତି ମଞ୍ଚ ଉପରେ କବିତା ପଢ଼ୁଥିବା କବିମାନଙ୍କୁ ସେମାନଙ୍କର ନିଜର ରଚନା ହିଁ ସ୍ପର୍ଶ କରିନାହିଁ। ଏହେତୁ ସେମାନେ ନିଜ କବିତାଟିର ପଂକ୍ତିଗୁଡ଼ିକ ନିଜେ ମଧ୍ୟ ମନେ ମଧ୍ୟ ରଖିନଥାନ୍ତି। ଫଳରେ ହାତରେ ଧରିଥିବା କାଗଜ ବା ମୋବାଇଲ୍‌କୁ ନ ଦେଖିଲେ କେହି ନିଜର କବିତା ପଢ଼ିପାରନ୍ତି ନାହିଁ।
ମୂଳ କଥା ହେଲା, କବିତା ପଠନର କଳା ପ୍ରତି ଆମର କବିକୁଳ ଗୁରୁତ୍ୱ ଦିଅନ୍ତି ନାହିଁ। ଅତୀତର କେଇଜଣ ପ୍ରଥିତଯଶା କବି ଅବଶ୍ୟ ଆମପାଇଁ ମନଛୁଆଁ ଶୈଳୀରେ କବିତା ଆବୃତ୍ତିର ଉନ୍ନତ ଦୃଷ୍ଟାନ୍ତମାନ ଛାଡ଼ି ଯାଇଛନ୍ତି। ଏ ପ୍ରସଙ୍ଗରେ ମନେ ପଡ଼ନ୍ତି ରାଧାମୋହନ ଗଡ଼ନାୟକ, ରବି ସିଂ ଓ କୁମାର ମହାନ୍ତି ପ୍ରମୁଖ। ଏମାନେ କବିତାପାଠର କଳାକୁ ଯେଉଁ ସ୍ତରକୁ ନେଇପାରିଥିଲେ ଏବର ନୂଆ କବି-ପିଢ଼ି ତାହାର କାଣିଚାଏ ଅନ୍ତତଃ ଅନୁସରଣ କରିପାରିଲେ ଆମ କବିତା ପାଠୋତ୍ସବଗୁଡ଼ିକର ରୂପାନ୍ତରଣ ସମ୍ଭବ ହୁଅନ୍ତା।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।) 

2 thoughts on “କବିତାପାଠର କଳା

  1. ମନୋମନ୍ଥନକାରୀ ରଚନା । ଓଡିଶାରେ କବିତା ଆବୃତ୍ତିର କଳାଟା ଏଯାକେ ମୋଟେ ଉତ୍ତୁରି ନାହିଁ । କିନ୍ତୁ , ବଙ୍ଗଳାରେ କବିତା ଆବୃତ୍ତିର ପରମ୍ପରା ସମୃଦ୍ଧ ହେଲେ ବି ଅନେକ ସମୟରେ ଆବୃତ୍ତିରେ ବିହ୍ଵଳିତ ଅତିନାଟକୀୟତା ଥାଏ ।

  2. ସମ୍ପ୍ରତି ଓଡ଼ିଆ କବିତା ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିବାରେ ବ୍ୟସ୍ତ। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ସହିତ ତାଳଦେଇ ବଦଳିଛି କବିତା ଲେଖିବା ଓ ପ୍ରଚାର ଏବଂ ପ୍ରସାର କରିବାର କଳା। ତେଣୁ ଆଜିକାଳି ଅନେକ କବି , ସେ ପରିଚିତ ହେଉ ବା ଅପରିଚିତ , ସମସ୍ତେ ଚାହାନ୍ତି ତାଙ୍କ କବିତାରେ ଲାଇକ୍ ଆଉ ସେୟାର୍ ସଂଖ୍ୟା କେତେ ? ଏଭଳି ସ୍ଥିତିରେ ଓଡ଼ିଆ କବିତାର ପଠନ କଳା କଥା ଆଲୋଚନାର ପ୍ରଶ୍ନ ଆଉ ଉଠିଲା ଜେଉଁଠି ? ଆଜିକାଲି ଆଶୁ କବିତା ବା ଫଟାଫଟ୍‌ କବିତାର ଯୁଗରେ କବିତାର ପଠନ କରିବା ପାଇଁ ସମୟ ନଥିଲାବେଳେ ଶ୍ରୋତାଙ୍କ ମଧ୍ୟ ସମୟ ନାହିଁ। ଉଭୟେ ପାଠକ ଓ ଶ୍ରୋତା ବ୍ୟସ୍ତ ରହୁଛନ୍ତି ମୋବାଇଲରେ ଥିବା ମୁଖପୁସ୍ତକ ବା ଫେସ୍‌ବୁକ୍‌ ସହିତ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ।

    ଏଠାରେ ଉପାସ୍ଥାପିତ ପ୍ରସଙ୍ଗଟି ବେଶ୍‌ ଚିନ୍ତାଜନକ ଓ ମନନଧର୍ମୀ। ଏ ସମ୍ପର୍କରେ ପରିଚିତ ଓ ପ୍ରତିଷ୍ଠିତ କବିମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି। କଥାରେ ଅଛି ସାହିତ୍ୟର ସବୁଠାରୁ ବଳିଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି କବିତା। ସାମ୍ପ୍ରତିକ ସମୟରେ କିନ୍ତୁ ଏହା ବୋଧହୁଏ ଆଉ ଗୁରୁତ୍ୱପୂର୍ଣ୍ଣ ହୋଇ ରହିନାହିଁ ବା ଲେଖକମାନେ ଏହାକୁ ଗୁରୁତ୍ୱପୂର୍ଣ୍ଣ କରିବା ପାଇଁ ଚାହୁଁନାହାନ୍ତି – ବିଶେଷ କରି ଓଡ଼ିଆ କବିତାର ଲେଖକମାନେ। ସେଥିପାଇଁ ସମସ୍ତ ସାହିତ୍ୟ କାର୍ଯ୍ୟକ୍ରମରେ କବିତା ପାଠ କରିବା ଏକ ଧରାବନ୍ଧା ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ କବିତାର ଲେଖକ/ କବି ସେଥିପାଇଁ ଯେତିକି ଆଗ୍ରହୀ ହେବା କଥା ହେଉନାହାନ୍ତି, ଏହାର ପ୍ରଭାବରେ ଶ୍ରୋତା ମଧ୍ୟ ବୀତସ୍ପୃହ। ସେଥିପାଇଁ ଚା’ ଜଳଖିଆ , ମଧ୍ୟାହ୍ନ ଭୋଜନ ବା ରାତ୍ରଭୋଜନ ମାଧ୍ୟମରେ କବିତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

Leave a Reply

Your email address will not be published. Required fields are marked *