ବୋଉ ପାଇଁ ତିନୋଟି ସ୍କେଚ୍

ଜଣ ଜଣ କରି ସମସ୍ତେ ଚାଲି ଯାଉଥିଲେ ନିଜ ନିଜ ବାଟରେ। ପଛରେ ଲୁହ ପୋଛୁଥିଲା ବୋଉ।

ଲତିକା ବିଳାସ

(୧) ବର୍ଗ ବନ୍ଧନୀ

ଦଶହରା ଛୁଟିରେ ସମସ୍ତେ ଗାଆଁକୁ ଆସିଥାନ୍ତି। ବଡ଼ଭାଇ, ସାନଭାଇ ଓ ଅଲିଭା। ହସଖୁସିରେ ଫାଟି ପଡୁଥାଏ ଘର। ପିଲାମାନଙ୍କର କିନ୍ତୁ ଯେଉଁଠି ରହିଲେ ବି ଗୋଟିଏ କାମ। ପାଠପଢ଼ା। ସେଦିନ ହଠାତ୍ ସାନଭାଇ ଝିଅ ଝୁନି ଗଣିତ ବହି ଧରି ବସିପଡ଼ିଲା ଅଲିଭା ପାଖରେ,
“…ପିଉସୀ ଏ ପିଉସୀ ! …. ଏଇ ବନ୍ଧନୀଟା ନା, ଉଁଉଁଉଁ…. ଭାରି କିଟିମିଟିଆ ପାଠ। ତୁମେ ପରା ମାଥ୍ ଟିଚର…. ବୁଝେଇ ଦିଅନା ପ୍ଲିଜ୍।”
ଅଲିଭା ବୁଝାଉଥିଲା ଉଦାହରଣ ମାଧ୍ୟମରେ। ରେଖା ବନ୍ଧନୀ, ଚନ୍ଦ୍ର ବନ୍ଧନୀ, କୁଟିଳ ବନ୍ଧନୀ ଖୋଲୁଥିଲେ କ୍ରମାନ୍ୱୟରେ ….ନିଜ ନିଜର ହିସାବ ତୁଟେଇ। ଛୋଟରୁ ଛୋଟ ହେଉଥିଲା ଧାଡ଼ି। ଶେଷକୁ ବର୍ଗ ବନ୍ଧନୀ ମଝିରେ କେବଳ ଦୁଇଟି ସଂଖ୍ୟା। ଅଲିଭା ଦୀର୍ଘ ନିଃଶ୍ୱାସ ଛାଡ଼ି ଚାହିଁଲା ଅଗଣାକୁ। ବୋଉ ଅଗଣାରେ ସମସ୍ତଙ୍କ ମନପସନ୍ଦ ଜିନିଷକୁ ଅଲଗା ଅଲଗା ପେଡ଼ି ପୁଟୁଳି ବାନ୍ଧି ସଜେଇ ରଖୁଥିଲା। ରାତି ପାହିଲା। ଜଣ ଜଣ କରି ସମସ୍ତେ ଚାଲି ଯାଉଥିଲେ ନିଜ ନିଜ ବାଟରେ। ପଛରେ ଲୁହ ପୋଛୁଥିଲା ବୋଉ।

(୨) ବିଣ୍ଡି

ବୋଉ ଭାରି ଅଭିମାନୀ। ଛୋଟ ଛୋଟ କଥାରେ ଅଭିମାନ କରେ। ମୁହଁ ଲୁଚେଇ କାନ୍ଦେ। ବାପା ବୁଝାଇ କହନ୍ତି —“ପାଗେଳିଟା, ବୁଢୀଟିଏ ହେଲଣି ଅଥଚ ସେଇ ନାକଫୁଲା ଗଲାନି ଏଯାଏଁ। ପୁଣି ଚୁପ୍ ଚୁପ୍ କହନ୍ତି ହେଲା ବାବା ସରି।”
ବୋଉର ସବୁ ରାଗ ଅଭିମାନ ପାଣି ଫାଟି କେମିତି ତରଳି ଯାଏ ବାପାଙ୍କର ସେ ଅନୁରାଗପୂର୍ଣ୍ଣ କଅଁଳ କଥା ପଦକରେ।
ଏ ଭିତରେ ବିତି ଗଲାଣି ଅନେକ ବର୍ଷ।
ବାପାଙ୍କ ଅନ୍ତେ ବୋଉର ଅଭିମାନ ସବୁ ବରଫ ପାଲଟି ଗଲେଣି କେବେଠୁ। ସେଦିନ ବୋଉ ନିଜ ପାଦର ବଡ଼ ବିଣ୍ଡିକୁ ବ୍ଲେଡରେ ସଫା କରୁଥିବା ବେଳେ ମୋ ଝିଅ ରୀମା କହିଲା – ” ବାପା ଦେଖିଲ, ଜେଜେମା କ’ଣ କରୁଛନ୍ତି।”
— “ଜେଜେମା ! କଞ୍ଚା ମାଉଁସ ଟାକୁ ଏମିତି ଛେଲୁଛ… କାଟୁନି ତୁମକୁ ? ମୋତେ ତ ଦେଖିକରି ବି କଷ୍ଟ ଲାଗୁଛି।”
ବୋଉ ରୀମା ମୁଣ୍ଡକୁ ଆଉଁସି କହିଲା– “ମୋର ଆଉ କ’ଣ ତୋ ଭଳି କଅଁଳ ଚମଡା ଅଛି ଯେ କାଟିବ ? କଷ୍ଟ ଲାଗିବ? କଣ୍ଟା, ପଥରର ଆଘାତ ସହି ସହି ବିଣ୍ଡି ହୋଇଗଲାଣି ପରା।”
ମୁଁ ଚାହିଁଲି ବୋଉର ମୁହଁକୁ। ଚଷମା ତଳେ ଲୁହ ଲୁଚାଉଥିଲା ବୋଉ।

(୩) ବିଲେଇ

ବଞ୍ଚିଥିବା ବେଳେ ଆଈ କହେ, “ତୋ ବୋଉଟା ଭାରି ଆଇଁଷିଆଣୀ। ପୂରା ବିଲେଇ ତ। ମାଛ ନ ହେଲେ ଭାତ ରୁଚେନି ତାକୁ। ସେଥିପାଇଁ ତୋ ଅଜା ମାଛବାଲୀଟେ ନାଗୁଆ ରଖିଥିଲେ ପା।”
….ଏ କଥା ଶୁଣି ମୁଁ ମୁଣ୍ଡ ହଲାଏ। ମୁଁ ବି ଜାଣେ, ବୋଉ ମାଛ ଭଲପାଏ ବୋଲି ପ୍ରତି ରବିବାର ବାପା ମାଛ ଆଣନ୍ତି। ବୋଉ ସେ ମାଛ ଭାଜେ, ବେସର କରେ। ବାପା ପାଇଁ ମୁଣ୍ଡ ସହିତ ବଡ଼ ବଡ଼ ଖଣ୍ଡ ସିକାରେ ସାଇତି ରଖେ। ଆମ ଭାଇ ଭଉଣୀକୁ ପେଟଭାଗ ଖୁଏଇ ଅବଶିଷ୍ଟ ଲାଞ୍ଜର କଣ୍ଟାକୁ ଚୁଚୁମି ସଫା କରିଦିଏ ବୋଉ।
…. ସୁନୟନା ଆସିଲା ପରେ ଆଲମିରା ଚାବି ଭଳି ରୋଷେଇ ଦାୟିତ୍ୱ ବି ଚାଲିଗଲା ତାଙ୍କ ହାତକୁ। ସେ ମଧ୍ୟ ଭଲ ରାନ୍ଧନ୍ତି। ମନ ଜାଣି ଗିନାଏ ମାଛ ଭଜା ଥୋଇଦିଅନ୍ତି ବୋଉର ଭାତ କଂସା ଆଗରେ। ପାଖରେ ବସେଇ ଦିଅନ୍ତି ଶିଲୁ ଆଉ ଶୁଭମ୍‌କୁ। ବୋଉ କଣ୍ଟା ଛଡ଼େଇବା ଆଗରୁ ଆଁ ସବୁ ଲମ୍ବି ଆସନ୍ତି।
…. ଆଜି ପିଣ୍ଡ ପଡୁଛି ବୋଉର। ସୁନୟନା ଆଣି ଥୋଇ ଦେଇଛନ୍ତି ଛଣା ମାଛ ଖଲିଏ। କହିଛନ୍ତି , ସବୁ ମାଛ ପତରରେ ବାଢ଼ିଦେବ। ଜାଣିଛ ତ, ବୋଉ କେମିତି ବିଲେଇ। ସୁନୟନା କଥା ଶୁଣି ଲୁହ ଛଳଛଳ ହୋଇଗଲା ମୋ ଆଖି। ଆଖି ପୋଛି ଚାହିଁଲା ବେଳକୁ ପଡିଥିବା ପିଣ୍ଡ ପତର ଅନ୍ୟମାନଙ୍କ ଖଲିରେ ଥିଲା ଲାଗି ପ୍ରସାଦ ହୋଇ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃୟାରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

2 thoughts on “ବୋଉ ପାଇଁ ତିନୋଟି ସ୍କେଚ୍

  1. Very touchy. I read it twice. Sorry, I could not type in Odia. I am learning.

  2. ଧନ୍ୟବାଦ ଆଜ୍ଞା …ସାହିତ୍ୟ ଚର୍ଚ୍ଚାର ଏ ଯାତ୍ରା ଚାଲିଥାଉ ।

Leave a Reply

Your email address will not be published. Required fields are marked *