ଝୁମ୍ପୁଡ଼ି ନାୟିକା

ଛଳ ଛଳ ମନ କରୁଣ ଚାହାଁଣି / ଅନ୍ତର ତଳର ବ୍ୟଥା / ଚାଲିରେ ତାହାର ଶତଦଳ ଫୁଟେ / ଫଟା କପାଳର କଥା।

ଡ଼. ଚପଳା ପଣ୍ଡା

ଯେବେ ମୁଁ ଲେଖୁଛି ପ୍ରେମର କବିତା
ଲେଖନୀ ବଙ୍କେଇ ଯାଏ
ଭାଷା ଭାବ ମୋର ଆନମନା ହୋଇ
ଝୁମ୍ପୁଡ଼ି ବସ୍ତିକୁ ଧାଏଁ
ପାରୁନାହିଁ କିଛି ଲେଖି,
ଆଖି ଆଗେ ନାଚେ ନଗ୍ନ ନିରିମାଖି
ଶୀତେଇ ଯାଉଛି ଦେଖି।

ରହିଯାଏ ମୋର କଲମର ଧାର
କାଳି ଯାଏ ଆପେ ଶୁଖି
ଲାବଣ୍ୟବତୀର ଅନ୍ତର ବେଦନା
ଭୋକ ଭୂଗୋଳରେ ସାକ୍ଷୀ
ବେଦନା ମରମ ଛୁଏଁ,
ପ୍ରେମର କବିତା ଲେଖିବି କା’ ପାଇଁ
ଝୁମ୍ପୁଡ଼ି ଘରକୁ ଚାହେଁ।

ଛଳ ଛଳ ମନ କରୁଣ ଚାହାଁଣି
ଅନ୍ତର ତଳର ବ୍ୟଥା
ଚାଲିରେ ତାହାର ଶତଦଳ ଫୁଟେ
ଫଟା କପାଳର କଥା
ପଖାଳ କଂସାକୁ ଧରି,
ଭାବୁଛି ସତେ କି ମୁକୁତା ଖୋଜୁଛି
ରାଜ ଜେମା ସ୍ବର୍ଗ ପରୀ।

ଲବଣୀ ପିତୁଳା ଝାଉଁଳି ପଡ଼ିଛି
ଅଭାବର ଚାରି କାନ୍ଥେ
ଆଶରା ମାଗିଲେ ଇସାରା ମିଳୁଛି
ପାନ୍ଥ ନିବାସର ପଥେ
ସଇତାନ ହସେ ହସ,
ମଣିଷପଣିଆ ଉଜୁଡ଼ି ଯାଉଛି
ସୌନ୍ଦର୍ଯ୍ୟର ନାଗ ଫାଶ।

ଯେତେ ଦେଖୁଅଛି ସହର ସୁନ୍ଦରୀ
ତା ‘ ଆଗେ ପଡ଼ିବେ ଫିକା
ରଙ୍ଗର ପ୍ରଲେପ ତା ‘ ମୁହେଁ ମାଖିନି
ପ୍ରକୃତି ଦେଇଛି ଟୀକା
ପଦ୍ମ ତୋଳା ଗାଏ ଗୀତ,
ବଣମଲ୍ଲୀ ପରି ବଣରେ ଝଡ଼ିବ
ଘଟିବ ଦିନେ ତା’ ଅନ୍ତ।

2 thoughts on “ଝୁମ୍ପୁଡ଼ି ନାୟିକା

  1. ପ୍ରକୃତିର ପ୍ରତ୍ୟେକ ଉପାଦାନ ସୁନ୍ଦର ରୁ ସୁନ୍ଦରତର। ଏହା ଆପଣଙ୍କ କବିତାର ସ୍ୱର

  2. ନାରୀ ଜୀବନର ନିଚ୍ଛକ ପ୍ରତିଛବି ଏହି କବିତାରେ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *