‘ଓଡ଼ିଆ ଦାସ’ : କେତେ ବାସ୍ତବ?

ସର୍ବାଧିକ ଜନସଂଖ୍ୟା ବ୍ୟବହାର କରୁଥିବା ଭାଷା ତାଲିକାରେ ଓଡ଼ିଆ ଭାଷା ବିଶ୍ୱରେ ୩୭ତମ ଓ ଭାରତରେ ନବମ ସ୍ଥାନ ଅଧିକାର କରିଛି।

ଡ. ରମାକାନ୍ତ ନାୟକ

କଳ୍ପନାପ୍ରସୂତ ଗୋଟିଏ ଓଡ଼ିଆଶୂନ୍ୟ ଓଡ଼ିଶା ଭୂଖଣ୍ଡ। ସମୟ ୨୨୩୬ ମସିହା। ଏହି ପ୍ରେକ୍ଷାପଟରେ ଏକାନ୍ତ ନିଃସଙ୍ଗ ଦୁର୍ବିସହ ଜୀବନ ଅତିବାହିତ କରି ଆସିଥିବା ବିଶ୍ୱର ଏକମାତ୍ର ତଥା ଅନ୍ତିମ ଜରାଜୀର୍ଣ୍ଣ ବୟୋବୃଦ୍ଧ ମୁମୂର୍ଷୁ ଓଡ଼ିଆଟି ପ୍ରତି ହିନ୍ଦୀ ଟେଲିଭିଜନ ସାମ୍ବାଦିକର ମର୍ମଭେଦୀ ପ୍ରଶ୍ନ, “ଓଡ଼ିଆ କ୍ୟୁଁ ମର ଗୟା?” ଦୁଃଖ ଓ ଆତ୍ମଗ୍ଳାନିରେ ବିଷର୍ଣ୍ଣ ଓଡ଼ିଆଟି କରୁଣ ଚିତ୍କାର କରି ଉଠୁଛି, “ନାଁ, ଓଡ଼ିଆ ଭାଷା ମରିନି, ଆହୁରି ବାସ୍ତରି ଘଣ୍ଟା ବାକି ଅଛି।” ଏହା ଥିଲା ରାଜଧାନୀର ସାଂସ୍କୃତିକ ପ୍ରାଣକେନ୍ଦ୍ର ରବୀନ୍ଦ୍ରମଣ୍ଡପଠାରେ ସଦ୍ୟ ମଞ୍ଚାୟନ ହୋଇଥିବା ଭିନ୍ନସ୍ୱାଦର ନାଟକ ‘ଓଡ଼ିଆ ଦାସ’ର ସଂବେଦନଶୀଳ ସଂଳାପ, ଯାହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ସହସ୍ର ସହସ୍ର ବର୍ଷର ଗୌରବମୟ ଐତିହ୍ୟର ସ୍ୱାକ୍ଷର ବହନ କରିଥିବା ଓଡ଼ିଆ ଭାଷାର ସ୍ଥିତି ଓ ସମ୍ଭାବନା ଉପରେ ଚିନ୍ତାଉଦ୍ରେକକାରୀ ପ୍ରଶ୍ନବାଚୀ ଉତ୍ଥାପିତ କରେ। ଏହି ନାଟ୍ୟସାହିତ୍ୟରେ ବ୍ୟକ୍ତ ହୋଇଛି ଆଶଙ୍କା ଯେ, ସମ୍ପ୍ରତି ଓଡ଼ିଆ ଭାଷା ନିଜର ସ୍ଥିତି ପାଇଁ ସଂଘର୍ଷରତ ଏବଂ ଆଉ ଦୁଇଶହ ବର୍ଷ ପରେ ଏହାର ଅନ୍ତ ଘଟି ଧରାବକ୍ଷରୁ ନିଶ୍ଚିହ୍ନ ହୋଇଯାଇପାରେ। ଓଡ଼ିଆ ଭାଷାକୈନ୍ଦ୍ରିକ ଏହି ନାଟ୍ୟକୃତିର ସନ୍ଦେଶ ହେଉଛି ଏବେଠାରୁ ସତର୍କ ନ ହେଲେ, ନିକଟ ଭବିଷ୍ୟତରେ ହୁଏତ ଆମ ଭାଷାକୁ ବଞ୍ଚାଇବା କଷ୍ଟକର ହୋଇପାରେ।
ନିକଟରେ ଭୁବନେଶ୍ୱରଠାରେ ଏକ ଇଂରାଜୀ ସମ୍ବାଦପତ୍ର ପକ୍ଷରୁ ଆୟୋଜିତ ଦୁଇଦିବସୀୟ ସାହିତ୍ୟ ସମାରୋହରେ ଉଷ୍ମତା ଭରିଦେବା ଭଳି ଗୋଟିଏ ବିଷୟ ଆଧାରିତ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ଆଲୋଚ୍ୟ ବିଷୟ ଥିଲା “ୱାର୍ଡସ ଇନ୍ ଓଡ଼ିଶା: ଡେଡ୍ ଅର ଆଲାଇଭ୍‌?” ଓଡ଼ିଆ ଭାଷାକୁ ନେଇ ଏତାଦୃଶ ପ୍ରଶ୍ନ କେବଳ ଆଜିର ନୁହେଁ, ଊନବିଂଶ ଶତାବ୍ଦୀରୁ ଏ ପ୍ରକାର ପ୍ରସଙ୍ଗ ସମୟେ ସମୟେ ଉତ୍ଥାପିତ ହୋଇ ଓଡ଼ିଆ ଭାଷା ଜଗତରେ ଝଡ଼ ସୃଷ୍ଟି କରିଆସିଛି। ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ଯୁକ୍ତିନିଷ୍ଠ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ନିଜ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଯୁକ୍ତି ମଧ୍ୟକୁ ତୀବ୍ର ଭାବପ୍ରବଣତା ବି ପଶିଆସି ପରିବେଶକୁ ଅଧିକ ଉତ୍ତେଜନାମୟ କରିଦେଇଛି।

୧୮୭୦ ମସିହା ବେଳକୁ ଓଡ଼ିଆ ଭାଷାରେ ପ୍ରଚୁର ତାଳପତ୍ର ପୋଥି ପୁରାଣ ପ୍ରଭୃତି ଥିଲେ ସୁଦ୍ଧା କାଗଜ ମୁଦ୍ରିତ ପୁସ୍ତକ ଥିଲା ବିରଳ। ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଆମ ଭାଷାର ନାମ ଥିଲା ଉତ୍କଳଭାଷା। ସମ୍ଭବତଃ ଓଡ଼ିଆ ଭାଷା ନାମଟି ଦେଇଥିଲେ ବ୍ରିଟିଶ ପ୍ରଶାସନର କୌଣସି କମିଶନର କିମ୍ବା କଲେକ୍ଟର। ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ମତରେ ଦଶମ ଶତାବ୍ଦୀଠାରୁ ଭାରତବର୍ଷରେ ଭାଷା ପରିବର୍ତ୍ତନ ଆନ୍ଦୋଳନର ସୂତ୍ରପାତ ହୋଇ ଅଧୁନା ପ୍ରଚଳିତ ନାନା ଭାଷା କ୍ରମେ କ୍ରମେ ସୃଷ୍ଟି ହୋଇଛି। ଗଙ୍ଗବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାର ଅନ୍ୟାନ୍ୟ ସାଂସ୍କୃତିକ ପରିବର୍ତ୍ତନ ସହିତ ଭାଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନର ସୂତ୍ରପାତ ହେଲା। ତତ୍କାଳୀନ ପ୍ରଚଳିତ ଭାଷାର ରୂପ କ୍ରମଶଃ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆଭାଷାର ରୂପ ଗ୍ରହଣ କଲା। ଏହି ଭାଷାର ଉନ୍ନତି ହୋଇ ଗଜପତି ପ୍ରତାପରୁଦ୍ରଙ୍କ ସମୟକୁ ଓଡ଼ିଶାରେ ବହୁ ପରିମାଣର ଶୁଦ୍ଧ ଓଡ଼ିଆ ଭାଷା ସୃଷ୍ଟି ହୋଇଥିଲା। (ପ୍ୟାରୀମୋହନ ଆଚାର୍ଯ୍ୟ- ଓଡ଼ିଶାର ଇତିହାସ) ପ୍ରତାପରୁଦ୍ରଙ୍କ ପ୍ରାଣତ୍ୟାଗ ପରେ ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ଆକାଶରେ ଦୁର୍ଦ୍ଦିନର କଳାବାଦଲ ଘୋଟି ଆସିଲା।
ପାରସ୍ୟ ଭାଷାର ପ୍ରାଧାନ୍ୟ
ବ୍ୟାସକବି ଫକୀରମୋହନ ସେନାପତି କଟକ ଆଲୋଚନା ସଭାର ଚତୁର୍ଥ ବାର୍ଷିକ ଅଧିବେଶନରେ ପ୍ରଦାନ କରିଥିବା ସଭାପତି ଅଭିଭାଷଣର କିୟଦଂଶ ଏଠାରେ ଉଲ୍ଲେଖ କରିବା ସମୀଚୀନ ମନେହୁଏ। ତାଙ୍କ ଭାଷାରେ “ପଚାଶ ଷାଠିଏ ବରଷ ପୂର୍ବରେ ଏହି ଉତ୍କଳ ଦେଶରେ ପାରସ୍ୟ ଭାଷା ରାଜଭାଷା; ସୁତରାଂ ଆଲୋଚ୍ୟ ଭାଷା ରୂପେ ବ୍ୟବହୃତ ହେଉଥିଲା। ସମ୍ଭ୍ରାନ୍ତଲୋକଙ୍କ ଘର ପିଲାମାନେ ବିଧିରକ୍ଷା ପରି ଅବଧାନ ଚାଟଶାଳୀରେ ଉଡ଼ାଙ୍ଗ ଫେଡ଼ାଙ୍ଗ ନଳ ଭିଆଣ ପର୍ଯ୍ୟନ୍ତ ଉତ୍କଳ ଭାଷାର ପାଠ ସମାପ୍ତକରି ପାରସି ପଢ଼ିବା ପାଇଁ ଆଖୁନ୍‌ଜୀ ସେବାରେ ନିଯୁକ୍ତ ହେଉଥିଲେ। ସେ ସମୟରେ ପାର୍ସିମିଶା ଓଡ଼ିଆ ବା ବଙ୍ଗଳାରେ କଥା କହିବା ଜ୍ଞାନବାନର ପରିଚାୟକ ସ୍ୱରୂପ ଥିଲା। ବଡ଼ଲୋକମାନେ ପାରସ୍ୟ ଭାଷାରେ ଘରର ଆୟବ୍ୟୟ ହିସାବ ରଖୁଥିଲେ। କେବଳ ଭାଗବତ, ରାମାୟଣ ପ୍ରଭୃତି ଧର୍ମଶାସ୍ତ୍ର ଉତ୍କଳଭାଷାକୁ ଧରି ରଖିଥିଲା।” କିନ୍ତୁ ଉତ୍କଳଭାଷାର ଗୌରବମୟ ଅତୀତକୁ ସ୍ମରଣ କରି ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତ ବେଣ୍ଟଲି ସାହେବ କହନ୍ତି, “ପ୍ରାୟ ୪୨ଶତ ବରଷ ପୂର୍ବେ ଲିଖିତ ମାନବ ଧର୍ମଶାସ୍ତ୍ରରେ ଉତ୍କଳର ନାମ ଉଲ୍ଲେଖ ଅଛି XXXX ୨୫ଶତ ବର୍ଷ ପୂର୍ବେ ଯୁବକ ଶାକ୍ୟସିଂହ ଭାବୀ ଶ୍ୱଶୁରଙ୍କ ନିକଟରେ ଆତ୍ମବିଦ୍ୟାର ପରିଚୟ ଦେବା ନିମନ୍ତେ ଯେଉଁ ୬୪ ପ୍ରକାର ଅକ୍ଷର ଲେଖିଥିଲେ, ସେଥି ମଧ୍ୟରେ ଉତ୍କଳାକ୍ଷର ଅନ୍ୟତମ ଅଟେ। ପନ୍ଦରଶତ ବର୍ଷପୂର୍ବରେ ଉତ୍କଳରେ ଲିଖିତ ପୂର୍ଣ୍ଣାଙ୍ଗ ଭାଷା ବିଦ୍ୟମାନ ଥିବାର ଦେଖାଯାଏ।” ଏହି ପ୍ରେକ୍ଷାପଟରେ ଫକୀରମୋହନଙ୍କ ଖେଦୋକ୍ତି “ହାୟ! ଆମ୍ଭେମାନେ କି ଦୁର୍ଭାଗ୍ୟ କି ଅଯତ୍ନଶୀଳ ଏମନ୍ତ ପ୍ରାଚୀନ, ଏମନ୍ତ ଅଙ୍ଗ ସୌଷ୍ଠବ ସମ୍ପନ୍ନ ଭାଷା ପ୍ରାପ୍ତ ହୋଇମଧ୍ୟ ତାହାର ସଦ୍‌ବ୍ୟବହାରରେ ଉଦାସୀନ ହୋଇଅଛୁ।”
ବ୍ରିଟିଶ ଶାସନ କାଳରେ, ଯେତେବେଳେ ଭାଷା ସହିତ ଜାତିର ଆବେଗ ଜଡ଼ିତ ହୋଇପଡ଼ିଲା, ଭାଷା ହେଲା ମାତୃଭାଷା ଏବଂ ମାତୃଭାଷା ହିଁ ଜନନୀ, ତାହାର ସେବା କରିବାକୁ ପଡ଼ିବ, ସମ୍ମାନ ପ୍ରଦର୍ଶନ କରିବାକୁ ପଡ଼ିବ – ଏହି ଭାବ ଉଦ୍ରେକ ହେଲା। ଭି. ନାରାୟଣ ରାଏ ଏହି କଥା ଲେଖିଛନ୍ତି, “ଦେୟାର ଇଜ ନୋ ଏଭିଡେନ୍‌ସ ଅଫ ଲାଙ୍ଗୁଏଜ ଆଜ୍ ସର୍ଭିଙ୍ଗ୍ ଆଜ ସିମ୍ବଲ୍ ଅଫ ନେସନାଲ ଆଇଡେଣ୍ଟି ବିଫୋର୍ ଦି ନାଇନ୍‌ଟିଂଥ୍ ସେଞ୍ଚୁରୀ।” ଏଣିକି ଓଡ଼ିଆ ଭାଷା ହେଲା ମାତୃଭାଷା। ମାତୃଭାଷା ପ୍ରତି ମମତା ନ ଥିବା ଅଜ୍ଞାନତା ଓ ଅପରାଧ। ମାତୃଭାଷା ସେବାରେ କୃତାର୍ଥତା। ମାତୃଭାଷା ପ୍ରତି ଆମ ମୁଗ୍ଧତା ଓ ସପ୍ରଶଂସ ମନୋଭାବ ଆହୁରି ବଢ଼ିଯାଏ ଯେତେବେଳେ ମାତୃଭାଷା କୌଣସି କାରଣରୁ ଅବଜ୍ଞାତ ବା ଆକ୍ରାନ୍ତ ହୁଏ। ଭାଷା ପ୍ରତି ଅବଜ୍ଞା, ଉପେକ୍ଷା ଓ ଅପମାନର କାରଣ ସବୁଦିନେ ସାଧାରଣତଃ ଅନ୍ୟ ଏକ ଭାଷା। ସେଦିନ ବଙ୍ଗଳା ଥିଲା ଆକ୍ରମଣକାରୀ; ତେଣୁ ଓଡ଼ିଆମାନେ ଭାଷା ସୁରକ୍ଷା ଆନ୍ଦୋଳନରେ ଜାଗି ଉଠିଥିଲେ (ଓଡ଼ିଆ ସାହିତ୍ୟ ସମାଜ ସ୍ମରଣିକା-୨୦୦୮-୦୯ ଦାଶରଥି ପ୍ରସାଦ ଦାସ) ଏହି ସଂକ୍ରାନ୍ତରେ କର୍ମବୀର ଗୌରୀଶଙ୍କରଙ୍କ ବକ୍ତବ୍ୟ ଉଲ୍ଲେଖଯୋଗ୍ୟ, “ଉଡ଼ିୟା ସ୍ୱତନ୍ତ୍ର ଭାଷା ନୟ – ଏ ନାମରେ ଖଣ୍ଡିଏ ଗ୍ରନ୍ଥକର୍ତ୍ତାଙ୍କଠାରୁ ପାଇଥିବାରୁ କୃତଜ୍ଞତାପୂର୍ବକ ସ୍ୱୀକାର କରୁଅଛି। ଗ୍ରନ୍ଥକାରଙ୍କ ନାମ ବାବୁ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ। ବାଲେଶ୍ୱର ଗଭର୍ଣ୍ଣମେଣ୍ଟ ବିଦ୍ୟାଳୟର ପଣ୍ଡିତ। ଏହା ବଙ୍ଗଭାଷାରେ ରଚିତ। XXXX ଗ୍ରନ୍ଥକାର ଯେବେ ପକ୍ଷପାତଶୂନ୍ୟ ହୋଇ ବିଚାର କରିବାକୁ ଚେଷ୍ଟା କରି ଥାଆନ୍ତେ, ତେବେ ଜାଣି ପାରିଥାନ୍ତେ ଯେ ବର୍ତ୍ତମାନ ବଙ୍ଗଳା ଓ ଓଡ଼ିଆରେ ଯେଉଁ ପୁସ୍ତକାଦି ହେଉଅଛି, ତହିଁରେ ଅଧିକ ସଂସ୍କୃତ ଶବ୍ଦ ମିଶ୍ରିତ ହେଉଥିବାରୁ ଏ ଦୁହିଁରେ ବିସ୍ତର ସମତା ଦେଖାଯାଏ, ମାତ୍ର ଅବୋଧ ଓଡ଼ିଆ ଓ ବଙ୍ଗାଳୀ ଦୁହେଁ ଏ ଭାଷା ବୁଝିବାକୁ ଅକ୍ଷମ। ଶିକ୍ଷାଲାଭ ନ କଲେ, ଏଥିରେ ପ୍ରବେଶ ହୋଇପାରୁ ନାହାନ୍ତି। କିନ୍ତୁ କେହି କାହାର ଦେଶୀୟ ଭାଷାକୁ ସହଜରେ ବୁଝିପାରନ୍ତି ନାହିଁ। ସୁତରାଂ ପୃଥକ ବୋଲିବାକୁ ହେବ ଓ କାନ୍ତିବାବୁ ଯେତେ ପୁସ୍ତକ ରଚନା କରନ୍ତୁ ଦୁଇଭାଷା କଦାଚ ଏକ ହୋଇ ନ ପାରିବ।”(ଉତ୍କଳ ଦୀପିକା ୨୭/୦୧/୧୮୭୦)
ରୟାଲ ସୋସାଇଟିର ଭୂମିକା
ବିଲାତର ରୟାଲ ସୋସାଇଟି ଉଦ୍ୟମରେ ଭାରତ ସରକାର କିଛି ଟଙ୍କା ବ୍ୟବସ୍ଥା କରିଥିଲେ, ଓଡ଼ିଶାର ପ୍ରାଚୀନ ମୂର୍ତ୍ତିମାନଙ୍କର ପ୍ଲାଷ୍ଟର ଅଫ ପ୍ୟାରିସ ନକଲ ତିଆରି କରିବା ପାଇଁ। ସ୍ଥିର ହୋଇଥିଲା ଯେ କଲିକତାର ଆର୍ଟ ସ୍କୁଲ କେତେକ ଲୋକଙ୍କୁ ଛାଞ୍ଚ ତିଆରିକରି ମୂର୍ତ୍ତି ତିଆରି କରିବା ବିଷୟରେ ତାଲିମ ଦେବ ଏବଂ ସେମାନେ ଓଡ଼ିଶା ଯାଇ ସେଠାରେ ମନ୍ଦିରମାନଙ୍କରୁ ସୁନ୍ଦର ସୁନ୍ଦର ମୂର୍ତ୍ତି ବାଛି ତା’ର ନକଲ ତିଆରି କରିବେ। ଏମାନଙ୍କ ସହିତ ପ୍ରଖ୍ୟାତ ଐତିହାସିକ ବଙ୍ଗୀୟ ଲେଖକ, ବଙ୍ଗ ଏସିଆଟିକ ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ତଥା ୱାର୍ଡସ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରାଜେନ୍ଦ୍ର ଲାଲ ମିତ୍ରଙ୍କୁ ପ୍ରେରଣ କରାଯାଇଥିଲା ସୁନ୍ଦର ମୂର୍ତ୍ତିଗୁଡ଼ିକୁ ବାଛିବା ସହିତ ଓଡ଼ିଶାର ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରିବା ପାଇଁ। ପୁରୀ ଓ କୋଣାର୍କରେ ତାଙ୍କର ଦାୟିତ୍ୱ ସମ୍ପନ୍ନ କରିବା ପରେ ସେ କଟକକୁ ଆଗମନ କଲେ। କଟକ ଡିବେଟିଂ କ୍ଲବ ପକ୍ଷରୁ ତାଙ୍କ ସମ୍ମାନାର୍ଥେ ଗୋଟିଏ ସଭାର ଆୟୋଜିତ ହେଲା। ଏହି ସଭାରେ ଉଦ୍‌ବୋଧନ ଦେଇ ରାଜେନ୍ଦ୍ରଲାଲ କହିଲେ, “ଉତ୍କଳର ସେ ଯଥାର୍ଥ ହିତାକାଂକ୍ଷୀ ହେବେ, ଯେ ସର୍ବାଗ୍ରେ ଓଡ଼ିଆ ଭାଷା ଉଠାଇ ଦେଇ ବଙ୍ଗଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ, କାରଣ ଯେତେବେଳେ ଓଡ଼ିଆ ଭାଷା ଉଠିଯାଇନାହିଁ, ସେତେବେଳେ ଓଡ଼ିଶାର ଉନ୍ନତି ହେବ ନାହିଁ।”
ଓଡ଼ିଆ ଭାଷା ଉପରେ ବଙ୍ଗଳାର କ୍ରମାଗତ ଆକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଆଙ୍କ ଭାଷାପ୍ରୀତି ତୀବ୍ର ଦୁର୍ବାର ହୋଇ ଉଠିଥିଲା। ଓଡ଼ିଆ ଭାଷାର ସାହିତ୍ୟ, ସଂଗୀତ ଓ ଅନ୍ୟାନ୍ୟ ଭାଷା ଆଧାରିତ ସଂସ୍କୃତି ଏହି ଭାଷାପ୍ରୀତିକୁ ଅଧିକ ସୁଦୃଢ଼ କରିଥିଲା। ଶକ୍ତି ଦ୍ୱନ୍ଦ୍ୱରେ ବଙ୍ଗଳା ଭାଷାକୁ ପରାଭୂତ କରି ଓଡ଼ିଆ ଭାଷା, ସେତେବେଳେ ତିଷ୍ଠିବା ସହିତ ଶକ୍ତିଶାଳୀ ଓ ସମୃଦ୍ଧ ହୋଇଛି।
ଏହା ଥିଲା ଓଡ଼ିଆ ଭାଷାର ଅବସ୍ଥା ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ। ମାତ୍ର ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିବା କେତେକଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇ ନ ପାରେ। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଭାରତର ଭାଷାଭିତ୍ତିକ ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଭାବରେ ଓଡ଼ିଶା ଜନ୍ମ ନେଲା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ତା.୧୧/୦୩/୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କଲା। ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହେବା ଯୋଗୁ ଓଡ଼ିଆ ଭାଷା ସଂସ୍କୃତ ଭାଷା ସହିତ ସମାନ ଆସନ ଲାଭକଲା। ଏହି ମାନ୍ୟତା ପାଇବା ପାଇଁ ଗୋଟିଏ ପ୍ରଧାନ ସର୍ତ୍ତ ଥିଲା ଯେ ଭାଷାଟିର ସାହିତ୍ୟିକ ପରମ୍ପରା ମୌଳିକ ହୋଇଥିବ ଏବଂ ଏହା ଅନ୍ୟ କୌଣସି ଭାଷା ସମ୍ପ୍ରଦାୟରୁ ଉଦ୍ଧାର ସୂତ୍ରରେ ଆସି ନ ଥିବ। ଏହାର ଅର୍ଥ ଓଡ଼ିଆଭାଷା ସବୁବେଳେ ଅନ୍ୟ ଭାଷା ଉପରେ ନିର୍ଭର ନ କରି ନିଜ ଶକ୍ତିରେ ବଳୀୟାନ। ୧୮୭୦ ମସିହା ବେଳକୁ କାଗଜ ମୁଦ୍ରିତ ପୁସ୍ତକ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା। ୧୯୪୪ ମସିହା ବେଳକୁ ସମଗ୍ର ଓଡ଼ିଶା ପ୍ରଦେଶରେ ଗୋଟିଏ ସୁଦ୍ଧା ସାହିତ୍ୟ ପତ୍ରିକା ଜୀବିତ ନ ଥିଲା। ଏଣୁ ବାମଣ୍ଡା ରାଜାଙ୍କ ସାହାଯ୍ୟରେ ଡକ୍ଟର ମାୟାଧର ମାନସିଂହ ‘ଶଙ୍ଖ’ ନାମକ ଏକମାତ୍ର ପତ୍ରିକା ପ୍ରକାଶ କରିଥିଲେ। ବର୍ତ୍ତମାନ ଦାକ୍ଷିଣାତ୍ୟର ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ଼ ଏବଂ ପୂର୍ବଭାରତର ବଙ୍ଗଳାକୁ ଛାଡ଼ିଦେଲେ ଓଡ଼ିଆ ଭାଷାରେ ପ୍ରକାଶିତ ସାହିତ୍ୟ ପତ୍ରିକା ସଂଖ୍ୟା ଭାରତବର୍ଷରେ ସର୍ବାଧିକ। ସେହିପରି ଓଡ଼ିଶାରେ ଭାଷା ସାହିତ୍ୟକୁ କେନ୍ଦ୍ରକରି ସାହିତ୍ୟାନୁଷ୍ଠାନ, ସାହିତ୍ୟ ସଭା ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅହେତୁକ ଭାବରେ ବୃଦ୍ଧି ପାଇଛି।

ସମୃଦ୍ଧ ସାହିତ୍ୟ
ଓଡ଼ିଆ ଭାଷାରେ ରଚିତ ମଧ୍ୟଯୁଗୀୟ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ। ଏହାର ଆଧୁନିକ ସାହିତ୍ୟିକମାନେ ଜାତୀୟସ୍ତରର ସମସ୍ତ ମର୍ଯ୍ୟାଦାଜନକ ଶ୍ରେଷ୍ଠ ସମ୍ମାନରେ ବିମଣ୍ଡିତ ହୋଇଛନ୍ତି। ପ୍ରଥିତଯଶା କବି ରମାକାନ୍ତ ରଥ (୧୯୯୨ ମସିହା-ଶ୍ରୀରାଧା), ମନୋଜ ଦାସ (୨୦୦୦ ମସିହା-ଅମୃତଫଳ), ଜଗନ୍ନାଥ ପ୍ରସାଦ ଦାସ (୨୦୦୭-କବିତା ସଂକଳନ ‘ପରିକ୍ରମା’) ସରସ୍ୱତୀ ସମ୍ମାନରେ ଭୂଷିତ ହୋଇଛନ୍ତି। ୧୯୯୧ ମସିହାରୁ ପ୍ରଚଳିତ ଏହି ପୁରସ୍କାର ସର୍ବଭାରତ ସ୍ତରରେ ମୋଟ ୩୨ଜଣ ପ୍ରଖ୍ୟାତ ସାହିତ୍ୟିକଙ୍କୁ ଅର୍ପଣ କରାଯାଇଥିବାବେଳେ ସେଥି ମଧ୍ୟରୁ ତିନିଜଣ ଓଡ଼ିଆ ପ୍ରତିଭାଧର ଏଥିରେ ଅନ୍ତର୍ଭୁକ୍ତ ହେବା ଆମ ଭାଷା ଓ ସାହିତ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ପ୍ରତିବର୍ଷ ଓଡ଼ିଆ ଭାଷାର ରଚନା କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୁଏ। ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଜ୍ଞାନପୀଠ ପୁରସ୍କାର ଅଦ୍ୟାବଧି ୫୨ଜଣଙ୍କୁ ଅର୍ପଣ କରାଯାଇଥିବା ବେଳେ ଓଡ଼ିଆ ଭାଷାରେ ୧୯୭୩ରେ ଗୋପୀନାଥ ମହାନ୍ତି, ୧୯୮୬ରେ ସଚ୍ଚିଦାନନ୍ଦ ରାଉତରାଏ, ୧୯୯୩ରେ ସୀତାକାନ୍ତ ମହାପାତ୍ର ଓ ୨୦୧୧ରେ ପ୍ରତିଭା ରାୟ ଏହି ସମ୍ମାନଜନକ ପୁରସ୍କାର ହାସଲ କରି ଓଡ଼ିଆଭାଷାକୁ ଧନ୍ୟ କରିଛନ୍ତି। ସର୍ବାଧିକ ଜନସଂଖ୍ୟା ବ୍ୟବହାର କରୁଥିବା ଭାଷା ତାଲିକାରେ ଓଡ଼ିଆ ଭାଷା ବିଶ୍ୱରେ ୩୭ତମ ଓ ଭାରତରେ ନବମ ସ୍ଥାନ ଅଧିକାର କରିଛି। ଭାବ ବିନିମୟ ମାଧ୍ୟମ ଭାବରେ ୫୦ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରୁଥିବା ଜଣାଯାଏ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ସରକାରୀ ଭାଷା ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଆ ଭାଷାର ଦୁଇ ହଜାର ବର୍ଷର ଗୌରବମୟ ଇତିହାସ ଓ ମୌଳିକ ରଚନାବଳୀ ଉପଲବ୍ଧ।
ଓଡ଼ିଶାର ମୋଟ ଲୋକସଂଖ୍ୟାର ଶତକଡ଼ା ୮୦ ଭାଗ ଲୋକ ଓଡ଼ିଆଭାଷା ବୁଝିପାରନ୍ତି। ସରକାରୀ ସ୍ତରରେ ଓଡ଼ିଆଭାଷାର ବ୍ୟବହାର ଉପରେ ମଧ୍ୟ କିଛି ମାତ୍ରାରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠିତ ହୋଇ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରକୁ ପ୍ରୋତ୍ସାହିତ କରୁଛନ୍ତି। ସମ୍ପ୍ରତି ଗୁଗୁଲ ସର୍ଚ୍ଚ ଇଞ୍ଜିନର ଭାଷା ତାଲିକାରେ ଓଡ଼ିଆଭାଷା ସନ୍ନିବେଶିତ ହୋଇଛି। ଓଡ଼ିଆ ବିଭବ, ଇ-ଗ୍ରନ୍ଥାଳୟ, ଇ-ଲାଇବ୍ରେରୀ, ଓଡ଼ିଶା ଭର୍ଚୁଆଲ ଲାଇବ୍ରେରୀ ପ୍ରଭୃତି ଇଣ୍ଟରନେଟ୍ ସେବାରେ ଓଡ଼ିଆ ଭାଷାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ ପ୍ରତିବର୍ଷ ୩୦୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ପୁସ୍ତକ ପ୍ରକାଶିତ ହେଉଅଛି। ସରକାରୀ ସ୍ୱୀକୃତିପ୍ରାପ୍ତ ଓଡ଼ିଆ ସମ୍ବାଦପତ୍ର ସଂଖ୍ୟା ୮୬ରେ ପହଞ୍ôଚଥିବା ବେଳେ, ୧୨ଟି ଟେଲିଭିଜନ ସମ୍ବାଦ ଚ୍ୟାନେଲ, ୮ଟି ମନୋରଞ୍ଜନ ଧର୍ମୀ ଚ୍ୟାନେଲ, ୩ଟି ଆଧ୍ୟାତ୍ମିକ ଟେଲିଭିଜନ ଚ୍ୟାନେଲ, ୩ଟି ସଂଗୀତ ଓ ଚଳଚ୍ଚିତ୍ର ଚ୍ୟାନେଲ ଏବଂ ଗୋଟିଏ ସରକାରୀ ଓଡ଼ିଆ ଚ୍ୟାନେଲ ଚବିଶ ଘଣ୍ଟିଆ କାର୍ଯ୍ୟକ୍ରମ ପ୍ରସାରଣ କରୁଅଛନ୍ତି। ବିଶ୍ୱର ୧୯୫୦୦ ରୁ ଊର୍ଦ୍ଧ୍ୱ ମାତୃଭାଷା, ଭାରତରେ ୭୮୦ ଟି ଭାଷା ଓ ୧୨୨ଟି ବୃହତଭାଷା ମଧ୍ୟରେ ଓଡ଼ିଆ ଭାଷାର ସ୍ଥିତି ଯଥେଷ୍ଟ ସମ୍ମାନଜନକ।
ସଙ୍କଟଜନକ ଭବିଷ୍ୟତ
ଓଡ଼ିଆ ଭାଷାର ଏପରି ଅନୁକୂଳ ଅବସ୍ଥା ସତ୍ତ୍ୱେ ୨୦୨୪ ମସିହାରେ ଊନବିଂଶ ଶତାବ୍ଦୀ ଭଳି ଏହାର ସଙ୍କଟଜନକ ଭବିଷ୍ୟତ ସଂକ୍ରାନ୍ତରେ ପ୍ରଶ୍ନ ଉତ୍‌ଥାପିତ ହେବା ଅଯୌକ୍ତିକ କିମ୍ବା ଆଶ୍ଚର୍ଯ୍ୟଜନକ ନୁହେଁ। ‘ବିଜୟିନୀ’ ନାମକ ପତ୍ରିକାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଅଜିତ ମହାନ୍ତିଙ୍କ ପ୍ରକାଶିତ ପ୍ରବନ୍ଧର ଶୀର୍ଷକ “ଓଡ଼ିଶାର ଭାଷା ମାନସିକତା: ଓଡ଼ିଆ ଭାଷା ଓ ଭବିଷ୍ୟତ” ଏଠାରେ ପ୍ରାସଙ୍ଗିକ ମନେହୁଏ। ଏଥିରେ ସେ ଉଲ୍ଲେଖ କରିଛନ୍ତି, କୌଣସି ଭାଷାର ମୃତ୍ୟୁ ଆଦୌ ଅସ୍ୱାଭାବିକ ନୁହେଁ। ବିଗତ ୭/୮ ଦଶନ୍ଧି ମଧ୍ୟରେ ପୃଥିବୀର ୫୦୦ ଭାଷା ହଜିଯାଇଛି। ୟୁନେସ୍କୋର ସର୍ବେକ୍ଷଣ ଅନୁଯାୟୀ ବିଶ୍ୱର ୧୯୭ ଟି ଭାଷା ବିପନ୍ନ, ଯାହା ମଧ୍ୟରୁ ବୋଡୋ ଓ କୁଇ ଭଳି ଭାରତୀୟ ଭାଷା ଅନ୍ୟତମ। ୨୦୦୦ ମସିହା ସୁଦ୍ଧା ୭୦୦୦ ଭାଷା ବିଶ୍ୱରୁ ଲୋପ ପାଇଯାଇଛି। କେବଳ ବିଗତ ଶତାବ୍ଦୀରେ ୩୦୦୦ ଭାଷା ପୃଥିବୀରୁ ଅନ୍ତର୍ହିତ ହୋଇଯାଇଛନ୍ତି। ବିଗତ ପଚାଶବର୍ଷ ମଧ୍ୟରେ ଭାରତର ୨୨୦ଟି ଭାଷା ମୃତ୍ୟୁବରଣ କରିଛନ୍ତି। ପୃଥିବୀରେ ପ୍ରତି ୧୪ ଦିନରେ ଗୋଟିଏ ଭାଷା ନିଶ୍ଚିହ୍ନ ହୋଇଯାଏ। ବିଶ୍ୱରେ ୫୮ଟି ଭାଷା ଅଛି, ଯାହାକୁ ମାତ୍ର ଜଣେ ଲେଖାଏଁ ବ୍ୟକ୍ତି ବ୍ୟବହାର କରନ୍ତି। ସେପରି ଭାଷାର ସଂଖ୍ୟା ଭାରତରେ ୪୬। ଦଶ ଜଣ ମାତ୍ର ବ୍ୟବହାର କରୁଥିବା ଭାଷାର ସଂଖ୍ୟା ଭାରତରେ ୨୨। ଭାଷା କିପରି ଦୟନୀୟ ଭାବରେ ମୃତ୍ୟୁବରଣ କରେ ତାହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଆଣ୍ଡାମାନର ଆକା-ବୋ ଭାଷା। ୨୦୧୦ ମସିହାରେ ଏହି ଭାଷାର ଅନ୍ତିମ ବ୍ୟବହାରକାରିଣୀ ବୋଆ ସିନିଅର ନାମ୍ନୀ ମହିଳାଙ୍କର ମୃତ୍ୟୁ ସହିତ ଉକ୍ତ ଭାଷାର ଚିରଦିନ ପାଇଁ ବିଲୟ ଘଟିଲା। ବୋଆ ସିନିଅର ପିତାମାତାଙ୍କ ଦେହାନ୍ତ ପରେ ପ୍ରାୟ ୪୦ବର୍ଷ ଧରି ବଞ୍ôଚରହିଥିଲେ ଏକାକୀ ଆକା-ବୋ ଭାଷାର ଅନ୍ତିମ ବାହକ ଭାବରେ। ଅନ୍ୟ କେହି ସେ ଭାଷା ଜାଣି ନ ଥିବାରୁ ସେ କାହା ସହିତ ସେହି ଭାଷାରେ କଥାବାର୍ତ୍ତା କରିପାରୁ ନ ଥିଲେ। ଭାବର ବିନିମୟ ପାଇଁ ବାଧ୍ୟ ହୋଇ ତାଙ୍କୁ ହିନ୍ଦୀଭାଷାର ଏକ ଆଣ୍ଡାମାନ ସଂସ୍କରଣ ଶିକ୍ଷା କରିବାକୁ ପଡ଼ୁଥିଲା। ‘ଓଡ଼ିଆ ଦାସ’ ନାଟକରେ ହିନ୍ଦୀ ସାମ୍ବାଦିକଙ୍କ ବାର୍ତ୍ତାଳାପ ଏହି ନିଚ୍ଛକ ଦୃଶ୍ୟର ଏକ ଜୀବନ୍ତ ପ୍ରତିଫଳନ।
ଓଡ଼ିଆ ଭାଷାର ବିକାଶ ଓ ଅଭିବୃଦ୍ଧି ପାଇଁ ଶାସ୍ତ୍ରୀୟ ମାନ୍ୟତା କେବଳ ଯଥେଷ୍ଟ ନୁହେଁ। ଲାଟିନ ଗୋଟିଏ ଶାସ୍ତ୍ରୀୟ ଭାଷା; କିନ୍ତୁ ସେହି ଭାଷାକୁ ଖୁବ୍ କମ୍ ଲୋକ ଓ ସୀମିତ ପରିବେଶରେ ବ୍ୟବହାର କରନ୍ତି। ଅନ୍ୟପକ୍ଷରେ ଇଂରାଜୀ ଗୋଟିଏ ଶାସ୍ତ୍ରୀୟ ଭାଷା ନୁହେଁ ଅଥଚ ବିଶ୍ୱର ଏକ ଚତୁର୍ଥାଂଶ ଲୋକଙ୍କ ଦ୍ୱାରା ଏହା ଆଦୃତ ହୁଏ। ଇଂରାଜୀ ଭାଷା ପୃଥିବୀର ସବୁଠାରୁ ମର୍ଯ୍ୟାଦାବନ୍ତ ଭାଷାରେ ପରିଣତ ହୋଇଛି କେବଳ ସେହି ଭାଷାରେ ରଚିତ ଅତି ଉଚ୍ଚମାନର ତଥାକଥିତ ସର୍ଜନାତ୍ମକ ସାହିତ୍ୟକୃତି ପାଇଁ ନୁହେଁ। ଜର୍ମାନୀ, ଫରାସୀ, ଋଷ ଆଦି ଭାଷାରେ ତ ଆହୁରି ଅଧିକ ଉଚ୍ଚମାନର ସର୍ଜନାତ୍ମକ ସାହିତ୍ୟ ସୃଷ୍ଟି ହୋଇସାରିଛି, କିନ୍ତୁ ସେ ସମସ୍ତ ଭାଷା ଇଂରାଜୀ ପରି ମର୍ଯ୍ୟାଦାବନ୍ତର ଆସନ ଲାଭ କରିପାରି ନାହାନ୍ତି। ତାହାର ମୁଖ୍ୟ କାରଣ ହେଉଛି ଇଂରାଜୀ ଭାଷାରେ ରହିଛି ବିଶ୍ୱର ସର୍ବବୃହତ୍ ଜ୍ଞାନର ଭଣ୍ଡାର। ସକଳ ପ୍ରକାର ତଥ୍ୟ ବିବରଣ, ଜ୍ଞାନ ଓ ବିଜ୍ଞାନରେ ଇଂରାଜୀ ଭାଷା ପରିପୂର୍ଣ୍ଣ। ସେହି ତଥ୍ୟ ବିବରଣ ହାସଲ ପାଇଁ ପୃଥିବୀର ଅଧିକରୁ ଅଧିକ ଲୋକ ଇଂରାଜୀ ପ୍ରତି ଆକୃଷ୍ଟ ହୁଅନ୍ତି। ଏହି ଉଦାରୀକରଣ ଓ ଜଗତୀକରଣ ଯୁଗରେ ତୀବ୍ର ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କାଳରେ ସମସ୍ତଙ୍କ ପକ୍ଷରେ ବିବିଧ ତଥ୍ୟ, ବିବରଣ, ଜ୍ଞାନ ଓ ବିଜ୍ଞାନ ହୋଇପଡ଼ିଛି ଏକାନ୍ତ ଅପରିହାର୍ଯ୍ୟ। ଓଡ଼ିଆ ଭାଷା ସେହିପରି ଆକର୍ଷଣୀୟ ହୋଇ ନ ପାରିଲେ ତାହା କାହାକୁ ଆକର୍ଷିତ କରିପାରିବ ନାହିଁ। ଓଡ଼ିଆ ଭାଷାର ବ୍ୟବହାରୋପଯୋଗିତା ବୃଦ୍ଧି ପାଇଲେ ତାହା ମର୍ଯ୍ୟାଦାବନ୍ତ ଭାଷାର ମାନ୍ୟତା ପାଇପାରିବ। ବଙ୍ଗଭାଷା ଅଦ୍ୟାବଧି ଶାସ୍ତ୍ରୀୟ ମାନ୍ୟତା ଲାଭ କରି ନ ଥିଲେ ମଧ୍ୟ ସେ ଭାଷାରେ ଓଡ଼ିଆ ତୁଳନାରେ ବିଶାଳ ଜ୍ଞାନ ଭଣ୍ଡାର ରହିଛି। ବର୍ତ୍ତମାନ ହିନ୍ଦୀ, ମରାଠୀ ଓ ଗୁଜରାଟୀ ଭାଷାରେ ମୌଳିକ ଚିନ୍ତନ, ଦର୍ଶନ, ବୌଦ୍ଧିକ ବିତର୍କ ବହୁଳ ଭାବରେ ଚାଲିଅଛି। ଏହି ଭାଷାଗୁଡ଼ିକ ଶାସ୍ତ୍ରୀୟ ନୁହନ୍ତି।

ମୈଥିଳୀ ଭାଷାର ନିୟତି
ଏକଦା ମୈଥିଳୀ ଭାଷା ଥିଲା ଭାରତର ଏକ ପ୍ରାଚୀନ ଓ ଉନ୍ନତ ଭାଷା। ଏହି ଭାଷାରେ ବିଶାଳ ସାହିତ୍ୟ ଭଣ୍ଡାର ମଧ୍ୟ ରହିଛି। କିନ୍ତୁ ସମୟଚକ୍ରରେ ବର୍ତ୍ତମାନ ମୈଥିଳୀ ଭାଷା ହିନ୍ଦୀ ଭାଷାର ଗର୍ଭରେ ବିଲୀନ ହେବା ସହିତ ସେ ଭାଷାର ଲିପି ବଙ୍ଗଳା ଓ ଅସମୀୟା ଭାଷାରେ ବ୍ୟବହୃତ ହେଉଛି। ସେ ଭାଷାରେ ଆଉ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉନାହିଁ। ସମ୍ପ୍ରତି ମୈଥିଳୀ ଭାଷା ପରି ଏକ ଉନ୍ନତ ଭାଷା ଗୋଟିଏ ଉପଭାଷାରେ ପରିଣତ ହୋଇଛି। ଏହି ଭାଷାକୁ ବଞ୍ଚାଇବା ପାଇଁ ମିଥିଳାବାସୀ ଦୀର୍ଘଦିନ ବ୍ୟାପୀ ସଂଗ୍ରାମ ଜାରି ରଖିଥିଲେ ମଧ୍ୟ ବଞ୍ଚାଇବା ସମ୍ଭବପର ହେଉ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ମୈଥିଳୀ ଭାଷାର ଦୁଇଟି ଉପଭାଷା ଅଙ୍ଗିକା ଓ ବଜ୍ଜିକା ମୂଳଭାଷାର ଆଧିପତ୍ୟକୁ ଅସ୍ୱୀକାର କରି ନିଜକୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଭାଷାର ମାନ୍ୟତା ଦାବି କରୁଛନ୍ତି। ଆମ ଓଡ଼ିଶାର ଭାଷା କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜୁଛି। ଓଡ଼ିଶାର ପଶ୍ଚିମାଞ୍ଚଳର କେତେକ ବ୍ୟକ୍ତି ସେମାନେ କହୁଥିବା ଉପଭାଷାକୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଭାଷା ଭାବରେ ମାନ୍ୟତା ଦାବି କରି ଆନ୍ଦୋଳନ ଆରମ୍ଭ କରିଛନ୍ତି।
ନ’ଦଶନ୍ଧି ପୂର୍ବେ ପଶ୍ଚିମବଙ୍ଗର ମେଦିନିପୁର, ଚବିଶ ପରଗଣା, ଝାଡ଼ଖଣ୍ଡର ସିଂହଭୂମ, ଖରସୁଆଁ ଅଞ୍ଚଳ, ଛତିଶଗଡ଼ର ମହାସମୁନ୍ଦ, ବସନା ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପ୍ରଭୃତି ଜିଲ୍ଲାଗୁଡ଼ିକ ଓଡ଼ିଆବହୁଳ ଥିଲା। ଆଜି ସେଠାରେ ଓଡ଼ିଆମାନେ ସଂଖ୍ୟାଲଘୁରେ ପରିଣତ ହୋଇସାରିଛନ୍ତି। ଏହାର କାରଣ ସେ ସ୍ଥାନରେ ଥିବା ଓଡ଼ିଆ ଲୋକମାନଙ୍କ ପଳାୟନ ନୁହେଁ, ବରଂ ଭାଷାନ୍ତର ହିଁ ଦାୟୀ। ଏହି ଅଞ୍ଚଳଗୁଡ଼ିକୁ ଅଣଓଡ଼ିଆ ରାଜ୍ୟରେ ଅନ୍ତର୍ଭୁକ୍ତ କରିଦିଆଯିବାରୁ ସେମାନଙ୍କ ସରକାରୀ ବିଦ୍ୟାଳୟଠାରୁ ଆରମ୍ଭକରି ସରକାରୀ ନିଯୁକ୍ତି ପର୍ଯ୍ୟନ୍ତ ପରୀକ୍ଷା ତଥା ସରକାରୀ କାର୍ଯ୍ୟ ନିମନ୍ତେ ସବୁଠାରେ ଆଉ ଓଡ଼ିଆ ଭାଷାର ପ୍ରୟୋଜନ ହେଲା ନାହିଁ। ସେସବୁ ସ୍ଥାନରେ ଲୋକେ ନିଜ ପିଲାଙ୍କୁ ଓଡ଼ିଆ ପଢ଼ାଇବା ପରିବର୍ତ୍ତେ ବଙ୍ଗାଳୀ, ହିନ୍ଦୀ ଓ ତେଲୁଗୁ ପଢ଼ାଇଲେ। ଓଡ଼ିଆ ଜାଣିଥିବା ପୁରୁଣା ଲୋକମାନେ କ୍ରମେ ସଂସାରରୁ ବିଦାୟ ନେବାପରେ ଓଡ଼ିଆ ପଢ଼ିପାରୁଥିବା, ଲେଖିପାରୁଥିବା ବା କହିପାରୁଥିବା ଲୋକଙ୍କ ସଂଖ୍ୟା ହ୍ରାସପାଇ ସଂଖ୍ୟା ନ୍ୟୂନରେ ପରିଣତ ହୋଇଛି। ଆମର ଏହି ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ମିଳେ, ତାହା ହେଉଛି କୌଣସି ଭାଷାର ବ୍ୟବହାର ଦୈନନ୍ଦିନ ଜୀବନରୁ ଅପସରି ଗଲେ, ସେ ଭାଷାର କ୍ରମଶଃ ଅପମୃତ୍ୟୁ ଘଟେ। ଯେଉଁମାନେ ଯୁକ୍ତି କରନ୍ତି ଯେ ଆମର ରାମାୟଣ, ମହାଭାରତ, ଭାଗବତ ଲକ୍ଷ୍ମୀ ପୁରାଣ ରହିଛି, ଆମର ନିଜସ୍ୱ ଲିପି ଅଛି, ତେଣୁ ଭାଷା ପ୍ରତି କୌଣସି ବିପଦ ନାହିଁ ସେମାନେ ସ୍ମରଣ ରଖିବା ଉଚିତ ଯେ, ସଂସ୍କୃତଠାରୁ ଅଧିକ ଶାସ୍ତ୍ରପୁରାଣ ଓ ସାହିତ୍ୟ ଅନ୍ୟ କୌଣସି ଭାଷାରେ ନ ଥିବ। ମାତ୍ର ସମ୍ପ୍ରତି ସଂସ୍କୃତ ଭାଷା କେବଳ ଲିଖିତ ଓ ସାହିତ୍ୟର ଭାଷା ହୋଇ ରହିଛି। ତାହା କେଉଁ ରାଜ୍ୟ କିମ୍ବା ପ୍ରଶାସନ କ୍ଷେତ୍ରରେ ବ୍ୟବହାର ହେବାର ଦେଖାଯାଏ ନାହିଁ।
ଅର୍ଜିତ ସମ୍ପତ୍ତି
‘ଓଡ଼ିଆ ଦାସ’ର ଏକ ଲୋକପ୍ରିୟ ସଂଳାପ “ଭାଷା କାହାର ପୈତୃକ ସମ୍ପତ୍ତି ନୁହେଁ। ଏହା ହେଉଛି ଏକ ଅର୍ଜିତ ସମ୍ପତ୍ତି।” ଅର୍ଥାତ୍ ଯେଉଁ ଭାଷାରେ କର୍ମ ଉପାର୍ଜନର ସୁଯୋଗ ଅଧିକ ଥାଏ, ଅନ୍ୟ ଭାଷାଭାଷୀମାନେ ସେହି ଭାଷା ପ୍ରତି ଅଧିକ ଭାବରେ ଆକର୍ଷିତ ହେବା ସ୍ୱାଭାବିକ। ଏହି ଦୃଷ୍ଟିରୁ ଓଡ଼ିଆ ଭାଷାକୁ ଉପାର୍ଜନର ଭାଷାରେ ପରିଣତ କରିବା ଆବଶ୍ୟକ। ଓଡ଼ିଆ ଭାଷାକୁ ବିଜ୍ଞାନର ଭାଷାରେ ପରିଣତ କରିବାକୁ ପଡ଼ିବ। ଏଥିପାଇଁ ଓଡ଼ିଆ ପରିଭାଷିକ ଶବ୍ଦ ବିକଶିତ ହେବା ଯେତିକି ସମ୍ଭବ, ମୂଳ ଇଂରାଜୀକୁ ଓଡ଼ିଆରେ ଅଙ୍ଗୀଭୂତ କରିନେବା ସେତିକି ସମ୍ଭବ। ଏହା ହେଲେ ବୈଜ୍ଞାନିକ ଚିନ୍ତନ ପାଇଁ ଓଡ଼ିଆରେ ଭାଷାର ଅଭାବ ହେବ ନାହିଁ। ଓଡ଼ିଆ ବୈଜ୍ଞାନିକମାନେ ବୈଜ୍ଞାନିକ ଚିନ୍ତନ ପାଇଁ ଓଡ଼ିଆର ବ୍ୟବହାର କରି ଓଡ଼ିଶାରେ ପ୍ରସାରିତ କରିପାରିବେ। ବିଜ୍ଞାନରେ ଅର୍ଥ କେବଳ ପଦାର୍ଥ ବିଜ୍ଞାନ ବା ରସାୟନ ବିଜ୍ଞାନ ନୁହେଁ। ଅର୍ଥଶାସ୍ତ୍ର, ମାନବଶାସ୍ତ୍ର (ହ୍ୟୁମାନିଟିଜ୍‌) ମଧ୍ୟ ବିଜ୍ଞାନର ପ୍ରସାରିତ କ୍ଷେତ୍ରରେ ଅନ୍ତର୍ଭୁକ୍ତ।
ବଙ୍ଗଳା ଲୋକଙ୍କ ମାତୃଭାଷା ପ୍ରେମ ବିଶ୍ୱବିଦିତ, ଯାହାଙ୍କ ପାଇଁ ମାତୃଭାଷା ଦିବସ ସମଗ୍ର ପୃଥିବୀରେ ପାଳନ କରାଯାଏ। ତେଲୁଗୁ ଲୋକମାନେ ମଧ୍ୟ ଏ କ୍ଷେତ୍ରରେ କିଛି କମ୍ ନୁହନ୍ତି। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟର ସିଂହଭାଗ ହିନ୍ଦୀରେ ସମ୍ପନ୍ନ ହୁଏ। ଓଡ଼ିଆରେ କିନ୍ତୁ ବିପରୀତ ହୁଏ। ଏଠାରେ ମାତୃଭାଷା ଓଡ଼ିଆକୁ ଅତ୍ୟନ୍ତ ଅନାଦର କରାଯାଏ। ଓଡ଼ିଶାରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ ହେବ ବୋଲି, ଦି ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜ ଆକ୍ଟ ୧୯୫୫ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା। ସମୟ କ୍ରମେ ୧୯୮୫, ୨୦୧୬ ଓ ୨୦୧୮ରେ ଏହାକୁ ସଂଶୋଧନ କରାଯାଇଛି। ମାତ୍ର ଓଡ଼ିଆ ବ୍ୟବହାର କରିବା ପାଇଁ ସ୍ୱୟଂ ଓଡ଼ିଆମାନେ ଆଗ୍ରହୀ ନୁହନ୍ତି। ଘରୋଇ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ନଥିପତ୍ର କାର୍ଯ୍ୟ, ନିର୍ଦ୍ଦେଶନାମା, ରାଜପତ୍ର, ନିୟମାବଳୀ ତ ଦୂରର କଥା ସାମାନ୍ୟ ଛୁଟି ଦରଖାସ୍ତଟିଏ ମଧ୍ୟ ଓଡ଼ିଆରେ ଲେଖାଯାଏ ନାହିଁ। ଏପରିକି ଇଂରାଜୀ ଜାଣି ନ ଥିବା କର୍ମଚାରୀମାନେ ଅନ୍ୟ କର୍ମଚାରୀଙ୍କୁ ଅନୁରୋଧ କରି ଇଂରାଜୀରେ ଲେଖାଇ ଆଣନ୍ତି। ହେଲେ ନିଜେ ଓଡ଼ିଆରେ ଦୁଇପଦ ଲେଖିବାକୁ ପଛଘୁଞ୍ଚା ପ୍ରଦର୍ଶନ କରନ୍ତି। ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ମଧ୍ୟ ବିରଳ। ଏସବୁ ଦୃଷ୍ଟିରୁ ବିଚାର କଲେ ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ଆକ୍ରମଣାକାରୀ ବଙ୍ଗଭାଷା ଥିବାବେଳେ ସମ୍ପ୍ରତି ଆମେ ନିଜେ ହିଁ ଓଡ଼ିଆ ଭାଷାର ଶତ୍ରୁଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। ଓଡ଼ିଆ ଭାଷାଭାଷୀଙ୍କ ଭାଷାପ୍ରେମର ଅଭିବୃଦ୍ଧି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃୟାରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

2 thoughts on “‘ଓଡ଼ିଆ ଦାସ’ : କେତେ ବାସ୍ତବ?

  1. “ଓଡ଼ିଆ ଦାସ – କେତେ ବାସ୍ତବ?” ଏହା ଏକ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ। ଭୁବନେଶ୍ବରରେ ହେବାକୁ ଯାଉଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଏହି ବିଷୟ ଆଲୋଚିତ ହେବା ଉଚିତ।

  2. ଏହାର ଚମତ୍କାର ନମୁନା ଝାଡ଼ଖଣ୍ଡର ଷଢ଼େଇକଳା, ଖରସୁଆଁ, ମନୋହରପୁର, ଚକ୍ରଧରପୁର, ସୋଣୁଆ ଇତ୍ୟାଦି ଅଞ୍ଚଳ ଯେଉଁଠାରେ ଓଡ଼ିଆ ଏଇ ମରିବ ଏଇ ମରିବ ହେଉଛି।

Leave a Reply

Your email address will not be published. Required fields are marked *