ରିଟର୍ନ୍ ଗିଫ୍ଟ୍

କେଡ଼େ ଶୁଭ ଦିନ ଆଜି। ପଚିଶବର୍ଷ କାଲିପରି ଲାଗୁଛି।

ଡା. ଅଭୟ ଦାଶ

(ବେହେରା ବାବୁଙ୍କ ବାସଭବନ, ବେହେରା ବାବୁ ଓ ଶ୍ରୀମତୀ ବେହେରା ଅତିଥି ମାନଙ୍କୁ ସ୍ବାଗତ ମୁଦ୍ରାରେ। ଅତିଥି ମାନେ ପ୍ୟାକେଟ୍, ଫୁଲତୋଡ଼ା ଧରି ପ୍ରବେଶ କରିବାର ଦୂଶ୍ୟ। ସାହାନାଇ ଧୁନ୍।)

ରଥ ବାବୁ ଓ ମିସେସ୍ ରଥ – ହାପି ଆନିଭର୍ସାରି ବେହେରା ବାବୁ, ମିସେସ୍ ବେହେରା। (ନମସ୍କାର କରି ପ୍ୟାକେଟ୍ ବଢ଼ାଇଲେ)
ବେହେରା ଦମ୍ପତି – ଏଗୁଡ଼ା କଣ ଆଜ୍ଞା। ଆପଣ ଆସିଲେ ସେଇ ଯଥେଷ୍ଟ।
ମିସେସ୍ ରଥ – ଏ କଥା କହିଲେ ହେବ? କେଡ଼େ ଶୁଭ ଦିନ ଆଜି। ପଚିଶବର୍ଷ କାଲିପରି ଲାଗୁଛି।
ବେହେରା – (ଅଳ୍ପ ହସି) ସେକଥା କଣ କହିହୁଏ? ଆସନ୍ତୁ ଭିତରକୁ। ପ୍ଲିଜ୍ ହେଲ୍ପ୍ ୟୋର ସେଲ୍ଫ୍।
ମହାନ୍ତି ବାବୁ – ନମସ୍କାର କଙ୍ଗ୍ରାଚୁଲେସନ୍।
ମିସେସ୍ ବେହେରା – ଆପଣ ଏକା? ମିସେସ୍ ମହାନ୍ତି?
ମହାନ୍ତି ବାବୁ – ତାଙ୍କ ଆଖି ଧରିଛି ତ !
ବେହେରା ବାବୁ – ଆସନ୍ତୁ ଭିତରକୁ। (ପୁଡିଆଟି ଧରିସାରି)
ସତ୍ୟ – ନମସ୍କାର ଆଜ୍ଞା। ଆପଣ ଦୁହିଁଙ୍କୁ ଅଭିନନ୍ଦନ। (ଲଫାପା ଦେଇ)
ମିସେସ୍ ବେହେରା – ମନି କାହିଁକି ଆସିନି?
ସତ୍ୟ – ( କିଛି ନ କହି) ହେଁ ହେଁ !
ବେହେରା ବାବୁ – (ଲଫାପା ମିସେସ୍ ଙ୍କୁ ଦେଇ ) ଆସନ୍ତୁ, କିଛି ଲାଜ ନ କରି ନିଜ ଘର ଭାବି ଟେକ୍ କେୟାର୍।
ଲତିକା – ( ଫୁଲତୋଡ଼ା ବଢ଼ାଇ) ନମସ୍କାର ଅପା, ଭାଇ। ଶୁଭକାମନା।
ମିସେସ୍ ବେହେରା – ବନ କାହିଁ ଆସିଲେନି?
ଲତିକା – ଯେତେ କହିଲେ ସେ କଣ ଶୁଣିବେ ? କଣ ନା, ତାଙ୍କର ଇନ୍ସପେକ୍ସନ ଅଛି। କହିଲେ ମୋ ପାଇଁ କହିଦେବୁ।
ବେହେରା ବାବୁ – ହଉ ,ଭିତରକୁ ଯା।

(ପାର୍ଟି ଦୃଶ୍ୟ: କେକ୍ , କ୍ୟାଣ୍ଡେଲ୍, ଫଟୋ ସହ ତାଳି, ‘ହାପି ସିଲ୍ଭର୍ ଆନିଭର୍ସାରି’।)

ବେହେରା ବାବୁ – ଆଜ୍ଞା ସୁପ୍, ଷ୍ଟାର୍ଟର୍, ହେଲ୍ପ ୟୋରସେଲ୍ଫ୍।

        ଦ୍ବିତୀୟ ଦୃଶ୍ୟ 

(ବେହେରାଙ୍କ ପିଲା ଦୁହେଁ, ବାର ପନ୍ଦର ବର୍ଷର, ପୁଅ ଝିଅ ମନୁ ଓ ତନୁ)

ମନୁ – ତନୁ ପ୍ୟାକେଟ୍ ସବୁ ଖୋଲିବା ଚାଲ୍।
ତନୁ – ହଁ। ମୁଁ ଆଣୁଛି।
ମନୁ – ( ପ୍ୟାକେଟ୍ ଖୋଲି) ଇହି !
ତନୁ – କଣ ? ନାକ ଟେକୁଛୁ କାହିଁକି?
ମନୁ – ଚାଇନିଜ୍ ମାଲ୍। ବୁଦ୍ଧ, ଗଣେଷ, ପାରା, ଫଟୋ ମଧୁୱାଲା।
ମିସେସ୍ ବେହେରା – ଦେଖିଲ, କି ସୁନ୍ଦର ଥିଲା ସିଏ?
ବେହେରା ବାବୁ – ରଖିଦେ ସବୁ।
ତନୁ – ଏ ସବୁ ଫୁଟପାଥ୍ ଇଣ୍ଡିଆ ଲିମିଟେଡ ମାଲ୍ ରଖି କି ଲାଭ? ଫୋପାଡି ଦିଅ।
ମିସେସ୍ ବେହେରା – ଉଁ ହୁଁ ! ଏମିତି କହନ୍ତି? ଜଣେ ଶ୍ରଦ୍ଧାରେ ଦେଇଛନ୍ତି!
ବେହେରା ବାବୁ – ସବୁ ରଖିଦିଅ। ରିଟର୍ନ ଗିଫ୍ଟ୍ କାମ ଆସିବ।
ତନୁ – ଯିଏ ଦେଇଛି ତାଙ୍କ ଭାଗରେ ଯଦି ପଡ଼ିଲା?
ମନୁ – କିଏ ପଚାରୁଛି? ସେଥିପାଇଁ ବୋଧେ କେହି ନାଁ ଲେଖିନାହାନ୍ତି!
ବେହେରା ବାବୁ – ସେ ରାପିଙ୍ଗ୍ ପେପର ଗୁଡ଼ା ବି ସମ୍ଭାଳି ରଖ! କାମରେ ଆସିବ। ଇଏ ଗୋଟାଏ ସମାନ୍ତରାଳ ଅର୍ଥନୀତି ଜାଣିଥାଅ। ଏପରି ଗିଫ୍ଟ ସବୁ ରିଟର୍ନ ଗିଫ୍ଟ ରୂପେ ବଜାରରେ ବୁଲୁଥାଆନ୍ତି। ଫର୍ ଇଣ୍ଟରନାଲ୍ ସର୍କ୍ୟୁଲେସନ୍ ଓନ୍ଲି।
(ମଞ୍ଚ ଅନ୍ଧାର। )

One thought on “ରିଟର୍ନ୍ ଗିଫ୍ଟ୍

  1. ଡା. ଦାଶଙ୍କ ଲେଖାରେ ଶାଣିତ ବ୍ୟଙ୍ଗ ଯାହା ସାମ୍ପ୍ରତିକ ସମୟକୁ ପୁରପୁରି ଶତପ୍ରତିଶତ ଦର୍ଶାଉଛି। କିନ୍ତୁ ତାଙ୍କ ଲେଖାରେ ଅନେକ ଇଂରାଜୀ ଶବ୍ଦ ରହିଥିବାରୁ ଲେଖାଟି ପଢ଼ିଲାବେଳେ ଖାପଛଡ଼ା ଲାଗୁଛି, ଏହା ଉପରେ ଧ୍ୟାନ ଦିଆଗଲେ ଭଲ ହୁଅନ୍ତା ବୋଲି ମୋର ମତ ।

Leave a Reply

Your email address will not be published. Required fields are marked *