ସାଧୁବାବାଙ୍କ ଭୋଗ

ସେ ଚକାସନରେ ବସି ବଢ଼ିଆ କରି ଗ୍ରାସେ ଚଢ଼େଇଲେ। ତା’ପରେ ପେଟକୁ ଆଉଁସି ଆଉଁସି ଲୁଗାପାରି ଦାଣ୍ଡରେ ଚାରିକାତ ଲମ୍ବେଇ ପଡ଼ିଗଲେ।

ମୂଳ ହିନ୍ଦୀ – ମୁନ୍‌ସୀ ପ୍ରେମଚନ୍ଦ

ଅନୁବାଦ – ଆଶିଷ କୁମାର ରାୟ

ରାମଧନର ଦାଣ୍ଡ ଦୁଆରେ ଦିନେ ଜଣେ ସାଧୁ ଆସି ପହଞ୍ଚିଲେ ଆଉ କହିଲେ – ପୁତ୍ର, ତୁମ୍ଭର କଲ୍ୟାଣ ହେଉ, ଏ ସାଧୁ ଉପରେ କିଛି ଶ୍ରଦ୍ଧା ରଖ ବାବା।
ରାମଧନ ଯାଇ ସ୍ତ୍ରୀକୁ କହିଲା – ସାଧୁବାବା ଦୁଆରେ ଆସି ଛିଡ଼ା ହୋଇଛନ୍ତି। ତାଙ୍କୁ କିଛି ଦବାକୁ ପଡ଼ିବ। ସ୍ତ୍ରୀ ତା’ର ବାସନ ମାଜୁଥିଲା। ଚୈତ୍ର ମାସ ଶେଷ ହୋଇ ନ ଥିବା ସତ୍ତ୍ୱେ ତା’ ଘରୁ ସବୁ ଖାଲି ହୋଇଯାଇଥିଲା। ଦ୍ୱିପ୍ରହର ସମୟଟାରେ ବି ସତେ ଯେମିତି ଅନ୍ଧାର ମାଡ଼ି ଆସିଥିଲା ଦୁଇ ପ୍ରାଣୀଙ୍କପାଇଁ। ବିଲରୁ ଅମଳ ହୋଇଥିବା ଶସ୍ୟ ଖଳାରୁ ହିଁ ଉଠି ଯାଇଥିଲା। ଅଧା ମହାଜନ ନେଇଯାଇଥିବା ବେଳେ ଆଉ ଅଧା ଜମିଦାରଙ୍କ ପିଆଦା ଆସି ନେଇଯାଇଥିଲେ। ନଡ଼ାକୁଟା ବିକି ବଳଦ ବେପାରୀଙ୍କ ବାକି ଶୁଝାଗଲା। ବାସ୍‌, ଅଳ୍ପ କିଛି ପଡ଼ିଥିଲା ରାମଧନର ଭାଗରେ। ସେଇଆକୁ ହିଁ ବାଡ଼ାବାଡ଼ି କରି ମହଣେ ଖଣ୍ଡେ ମିଳିଲା, ଯାହାକି ଏବେ ସରିବା ସରିବା ଭଳି। ଆଗକୁ କ’ଣ ହେବ କେଜାଣି? ଦି’ ପ୍ରାଣୀ କ’ଣ ଖାଇବେ? ବଳଦ ଦିଇଟା କ’ଣ ଖାଇବେ? ଏହା କେବଳ ଭଗବାନଙ୍କୁ ଜଣା! ଆଉ ଏବେ ସାଧୁ ଆସି ଦୁଆରେ। ତାଙ୍କୁ ଖାଲି ଖାଲି ଫେରେଇଦେଲେ ସେ କ’ଣ ଭାବିବେ?
ସ୍ତ୍ରୀ କହିଲା – କ’ଣ ଦବ ବୋଲି କହୁଛ? କିଛି ତ ଘରେ ନାହିଁ।
ରାମଧନ – ଯା ଦେଖ୍‌, ହାଣ୍ଡିରେ ଯଦି ଅଟା ଫଟା ଥିବ ନେଇଆସିବୁ।
ସ୍ତ୍ରୀ କହିଲା – ସେଇଆକୁ ତ ଝାଡ଼ିଝୁଡ଼ି କାଲି କରି ଦେଇଥିଲି। ଆଜି ଆଉ କୁଆଡୁ ଆସିବ?
ରାମଧନ – ସାଧୁଙ୍କୁ ଯାଇ ମୁଁ କେମିତି କହିବି, ବାବା ଘରେ କିଛି ନାହିଁ ବୋଲି? ଯା’ ଯଦି ପାରିବୁ କାହାଘରୁ ଯାଇ ମାଗିଆଣ।
ସ୍ତ୍ରୀ – ଯାହାଠୁ ତ ନେଇଚେ, ତାଙ୍କୁ ଫେରସ୍ତ ଦେଇପାରୁନେ; ଏବେ ଯାଇ କୋଉ ମୁହଁରେ ମାଗିବି?
ରାମଧନ – ଆଚ୍ଛା, ଠାକୁରଙ୍କ ଭୋଗ ପାଇଁ ଯେଉଁ ଅମୋଣିଆ ରଖାଯାଇଛି, ସେଇଥିରୁ କିଛି ବାହାର କରିଦେ, ଯାଇ ଦେଇଆସେ।
ସ୍ତ୍ରୀ – ଆଉ ଠାକୁରଙ୍କ ଭୋଗ କେମିତି ହବ?
ରାମଧନ – ଆଲୋ, ଠାକୁର ଦେବତା ତ ଆଉ ମାଗିବାକୁ ଆସିବେନି, ଯଦି ଥିବ ଭୋଗ ହେବ, ନ ହେଲେ ନାହିଁ।
ସ୍ତ୍ରୀ – ଅମୋଣିଆ ଆଉ କେତେ ଥିବ, ଗଉଣିଏ ଦି’ ଗଉଣୀ ହେବ। ଏହା ପରେ ଯଦି ଆଉ କିଏ ସାଧୁ ମହାତ୍ମା ଆସିଗଲେ, ତାଙ୍କୁ ଆମେ କି ଜବାବ୍ ଦେବା?
ରାମଧନ – ଏ ବିପଦ ଆଗେ ଟଳିଯାଉ, ପଛରେ କ’ଣ ହେବ ଦେଖାଯିବ। ସ୍ତ୍ରୀ ବିରକ୍ତ ହୋଇ ଉଠିଗଲା ଆଉ ଗୋଟିଏ ଛୋଟ ହାଣ୍ଡି ଆଣି ଥୋଇଦେଲା। କିଛି ଗହମର ଅଟା ସେଥିରେ ଯତ୍ନର ସହିତ ରଖାଯାଇଥିଲା। ରାମଧନ ତ କିଛି ସମୟ ଛିଡ଼ାହୋଇ ହାଣ୍ଡି ଆଡ଼କୁ ଚାହିଁଲା। ତା’ ପରେ ଅଧସେର ଖଣ୍ଡେ ଅଟା ବାହାରି କରି ଆଣି ସାଧୁଙ୍କ ଝୁଲାମୁଣିରେ ଦେଇଗଲା।

ସାଧୁ ମହାତ୍ମା ଅଟା ନେଇ କହିଲେ – ବେଟା, ଆମ୍ଭେ ଆଜି ଏହିଠାରେ ହିଁ ବିରାଜମାନ କରିବୁ। ଅଟା ତ ଦେଲୁ, ଡାଲି କିଛି ଆଣି ଦେଇଦେ, ଭୋଗ ଲାଗିଯିବ।
ରାମଧନ ପୁଣି ଆସି ସ୍ତ୍ରୀକୁ କହିଲା। ଯୋଗକୁ ଘରେ ଡାଲି ଥିଲା। ରାମଧନ ତୁରନ୍ତ ଡାଲି, ଲୁଣ, କାଠ, ଘଷି ଯୋଗାଇଦେଲା। ପୁଣି ଯାଇ କୂଅରୁ ପାଣି କାଢ଼ିଆଣିଲା। ସାଧୁବାବା ବିଧି ଅନୁସାରେ ଧୁନି ଜାଳିଲେ। ଚୁଲି ଲଗେଇ ଡାଲି ବସେଇଲେ। ଝୁଲାମୁଣି ମଧ୍ୟରୁ ଆଳୁ ବାହାର କରି ସେଥିରେ ପକେଇଲେ। ରୁଟି ସେକିଲେ। ଖାଦ୍ୟ ପ୍ରସ୍ତୁତ ହୋଇଯିବା ପରେ ରାମଧନକୁ ଡାକି କହିଲେ – ପ୍ରଭୁଙ୍କ ଭୋଗ ପାଇଁ କିଛି ଘିଅ ଦରକାର। ଖାଦ୍ୟ ଯଦି ପବିତ୍ର ନ ହେବ, ତେବେ ଭୋଗ କିପରି ଲାଗିବ?
ରାମଧନ – ଘିଅ ତ ଘରେ ନାହିଁ ବାବା।
ସାଧୁ – ବେଟା, ଭଗବାନ ଅନେକ ଜିନିଷ ତୋ ପାଇଁ ଖଞ୍ଜି ଦେଇଛନ୍ତି। ଏମିତି ମନା କରନ୍ତିନି।
ରାମଧନ – ସାଧୁ ମହାରାଜ, ଗାଈ ମଇଁଷି ଆମ ଘରେ ଆଦୌ ନାହିଁ ଆଜ୍ଞା, ଘିଅ କୁଆଡୁ ଆସିବ?
ସାଧୁ – ପ୍ରଭୁଙ୍କ ଭଣ୍ଡାରରେ ସବୁ କିଛି ରହିଛି, ଯାଅ ଘର ମାଲିକାଣୀଙ୍କୁ କୁହ।
ରାମଧନ ଯାଇ ସ୍ତ୍ରୀଙ୍କୁ କହିଲା- ଏବେ ଘିଅ ମାଗୁଛନ୍ତି। ଏକରେ ତ ଆସି ଦୁଆରେ ଭିକ ମାଗୁଛନ୍ତି, ତା’ ଉପରକୁ ଘିଅ ନ ହେଲେ ଗୁଣ୍ଡା ଯିବନି ପାଟିକୁ।
ସ୍ତ୍ରୀ – ତା’ହେଲେ ଗୋଟେ କାମ କର। ଏଇ ଡାଲିରୁ କିଛି ନେଇ ଦୋକାନରେ ଦେଇ ତା’ ବଦଳରେ ଘିଅ ଟିକେ ନେଇଆସ। ସବୁ କାମ ଯେତେବେଳେ ସରିଲାଣି, ସେତେବେଳେ ଏଇ ଟିକେ କଥାକୁ ବିଗିଡ଼ିବାରେ କ’ଣ ଅଛି?
ଘିଅ ଆସିଗଲା। ସାଧୁ ମହାରାଜ ଠାକୁରଙ୍କ ପିଣ୍ଡି ବାହାର କଲେ, ଘଣ୍ଟି ବଜେଇ ଭୋଗ ଲଗେଇଲେ। ଚକାସନରେ ବସି ବଢ଼ିଆ କରି ଗ୍ରାସେ ଚଢ଼େଇଲେ। ତା’ପରେ ପେଟକୁ ଆଉଁସି ଆଉଁସି ଲୁଗାପାରି ଦାଣ୍ଡରେ ଚାରିକାତ ଲମ୍ବେଇ ପଡ଼ିଗଲେ। ଥାଳି, ଆଟିକା, କରଚୁଲି ଆଦି ରାମଧନକୁ ଦେଲେ ମାଜି ରଖିବାପାଇଁ। ସେଇ ରାତିରେ ରାମଧନର ଘରେ ଚୁଲି ଜଳିଲା ନାହିଁ। ଆଟିକାରେ ବଳିଥିବା ଅଳ୍ପ ଟିକେ ଡାଲିକୁ ପିଇ ଦୁଇ ପ୍ରାଣୀ କଷ୍ଟେମଷ୍ଟେ ଭୋକ ମେଣ୍ଟାଇଦେଲେ।
ରାମଧନ ବିଛଣାରେ ପଡ଼ି ଭାବିବାକୁ ଲାଗିଲା – ଆଃ! କି ସୁନ୍ଦର ଜୀବନ ତାଙ୍କର।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

4 thoughts on “ସାଧୁବାବାଙ୍କ ଭୋଗ

  1. ଯଦିଓ ଏହା ଏକ ଅନୁବାଦ ଗଳ୍ଫ, ଏଥିରୁ ଅନେକ କିଛି ଶିକ୍ଷା ମିଳୁଛି। ପ୍ରେମଚାନ୍ଦଙ୍କ ଗଳ୍ପ ସବୁବେଳେ ଅଲଗା ଓ ନିଆରା। ଦୁଃଖ ଓ ଅଭାବରେ ଥିବା ମଣିଷମାନଙ୍କର କଥାକୁ ସେ ତାଙ୍କ ଲେଖନୀ ମାଧ୍ୟମରେ ବେଶ୍‌ ଜୀବନ୍ତଭାବେ ଫୁଟାଇଥାନ୍ତି। ସେ ଯା ହେଉ, ଆଶିଷ ରାୟଙ୍କ ଅନୁବାଦ ବେଶ୍‌ ଚମତ୍କାର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି। କାରଣ ପ୍ରେମ୍‌ଚାନ୍ଦଙ୍କ ମୁଳ ଲେଖା ହିନ୍ଦୀରେ ହୋଇଥିବାରୁ ଅନେକ ପାଠକ ପଢ଼ିବା ସମ୍ଭବ ହୋଇ ନଥାଏ।

    ଏହି ଗଳ୍ଫଟି ପଢ଼ିସାରିବା ପରେ ମୁଁ ହିନ୍ଦୀରେ ମୁଳ ଗଳ୍ପଟି ମଧ୍ୟ ପଢ଼ିଲି। ଏହାପରେ ମୁଁ ଜାଣିଲି ଯେ, ଲେଖକ ଗଳ୍ପଟିର ଆକ୍ଷରିକ ଅନୁବାଦ ନକରି କିଛି କିଛି ପରିବର୍ତ୍ତନ କରିଛନ୍ତି। ଏହା ହିଁ ହେଉଛି ପ୍ରକୃତ ଅନୁବାଦ କଳା। ସେଥିପାଇଁ ଲେଖକଙ୍କୁ ଆଉଥରେ ଧନ୍ୟବାଦ।

    1. ଯଦିଓ ମୁଁ ସାହିତ୍ୟରେ ସମ୍ପୂର୍ଣ୍ଣ ନୂଆ, କିନ୍ତୁ ଅନୁବାଦ ଟି ପଢିବା ପରେ ମୋ ମନରେ ଅନେକ ପ୍ରଶ୍ନ ଫୁଟି ଉଠୁଚି । ମୁନସୀ କଣ ଜଣାଇବା କୁ ଛାଡ଼ୁଛନ୍ତି? କଣ ସାଧୁ ଏତେ ସ୍ୱେଚ୍ଛାଚାରୀ ଯେ ମୋଟେ ଜାଣି ପାରୁନାହାନ୍ତି ରାମ ଧନ ଗରିବ ଏବଂ ଅଭାବି। କଣ ରାମ ଧନ ବୁଝି ପାରୁନାହାନ୍ତି ସାଧୁ ଙ୍କୁ ନିଜ ଅଭାବ ବିଷୟରେ କହି ଦେବା ଉଚିତ୍। ମତେ ଏହି ଗଳ୍ପରେ ସାଧୁ ଅତ୍ୟନ୍ତ ସ୍ୱାର୍ଥପର ଏବଂ ରାମ ଧନ ନିହାତି ମୁର୍ଖ ଲାଗିଲେ।

Leave a Reply

Your email address will not be published. Required fields are marked *