ଓଡ଼ିଆ ବର୍ଣ୍ଣସଂଖ୍ୟା ଓ ଓଡ଼ିଆ ବର୍ଣ୍ଣକ୍ରମ

ଓଡ଼ିଆରେ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଧାରିତ ବ୍ୟାକରଣଟିଏ ଲେଖା ହୋଇପାରିଲା ନାହିଁ।

ଡ. ଦେବୀପ୍ରସନ୍ନ ପଟ୍ଟନାୟକ

ଓଡ଼ିଆ ଅକ୍ଷର ଶିକ୍ଷାର ପଦ୍ଧତି ଓ ପ୍ରୟୋଗ ବିଷୟରେ କହିବାକୁ ଯାଇ ବୈଷ୍ଣବ ଚରଣ ମହାନ୍ତି କହନ୍ତି, “ଆମ ଚାଟଶାଳୀ ପାଠ, ବର୍ଣ୍ଣବୋଧ ଆଦି ଯେତେ ଓଡ଼ିଆ ପ୍ରାଥମିକ ଅକ୍ଷର ଶିକ୍ଷା ବହି ୧୯୩୬ ପୂର୍ବରୁ ଲେଖାଯାଇଛି ସବୁ ଅକ୍ଷରକ୍ରମିକତା ରକ୍ଷାପୂର୍ବକ ଅକ୍ଷର ଶିକ୍ଷାର ସଂଶ୍ଳେଷଣ ପଦ୍ଧତି (ସିନ୍ଥେଟିକ୍ ମେଥଡ୍ ଅଫ୍ ଟିଚିଙ୍ଗ୍‌) ରେ ଲେଖାଯାଇଛି। ସ୍ୱର ବିନା ଶୁଦ୍ଧବ୍ୟଞ୍ଜନ ବର୍ଣ୍ଣ ଉଚ୍ଚାରିତ ହୋଇପାରିବ ନାହିଁ, ତେଣୁ ସାଧାରଣତଃ ଆମେ ବ୍ୟଞ୍ଜନ ବର୍ଣ୍ଣକୁ ‘ଅ’ ସ୍ୱର ସହିତ ଯୁକ୍ତ କରି ଉଚ୍ଚାରଣ କରୁ ଏବଂ ଏଇଥିପାଇଁ ବୋଧହୁଏ ଆମ ଅବଧାନ ମାନେ ‘ଅ’ କୁ ସ୍ୱରେ ଅ ବୋଲି କହୁଥିଲେ। ମୂଳରୁ ସ୍କୁଲ ମାଡ଼ି ନ ଥିବା ଓଡ଼ିଆ ପିଲାଟାକୁ କୋଉଯାଏ ପଢିଚୁ ବୋଲି ପଚାରିଲେ ସେ କହେ – ମୋର ଅ ଆ ଇ ଈ ଉ ଊ କ ଖ ଗ ଘ ଯାଏ ହେଲାଣି। ଏ ଦୃଷ୍ଟିରୁ ବିଚାର କଲେ ପ୍ରାଥମିକ ଅକ୍ଷର ଶିକ୍ଷା ପୁସ୍ତକରେ ବିଶ୍ଳେଷଣ ପଦ୍ଧତି (ଆନାଲିଟିକ୍ ମେଥଡ୍‌)ର ବ୍ୟବହାର ହେଉଛି ଆମ ପାଇଁ ପରମ୍ପରା ପ୍ରତିକୂଳ ପ୍ରୟୋଗ। ଏହା ଦ୍ୱାରା ବର୍ଣ୍ଣମାଳାର କ୍ରମିକତା ବ୍ୟାହତ ହୁଏ, କେବଳ ତାଲିମପ୍ରାପ୍ତ ଶିକ୍ଷକଙ୍କ ବ୍ୟତୀତ ଅନ୍ୟ କେହି ଅଭିଭାବକ ବା ପିଲାର ବାପା ମା’ ଏଇ ପଦ୍ଧତିରେ ପିଲାକୁ ଘରେ ପଢ଼େଇ ପାରନ୍ତି ନାହିଁ। ଏହା ଇଂରାଜୀ ବର୍ଣ୍ଣମାଳା ପାଇଁ ଠିକ, କିନ୍ତୁ ଓଡ଼ିଆ ବର୍ଣ୍ଣମାଳା ପାଇଁ ଆଦୌ ଉପଯୁକ୍ତ ପଦ୍ଧତି ନୁହେଁ।”
ଅକ୍ଷର ଶିକ୍ଷା ପଦ୍ଧତି
ଯେହେତୁ ସାହେବ କହିଛି ଆମ ଶିକ୍ଷାବିତ୍‌ମାନେ ଏବେ ବି ସାହେବ ପ୍ରଦର୍ଶିତ ଆନାଲିଟିକ୍ ମେଥଡ୍ ଟିଚିଙ୍ଗ୍‌ରେ ବହି ଲେଖି ଚାଲିଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ଯେ ସିନ୍ଥେଟିକ୍ ମେଥଡ୍ ଅଫ୍ ଟିଚିଙ୍ଗ୍ କ’ଣ, ଆନାଲିଟିକ୍ ମେଥଡ ଅଫ୍ ଟିଚିଙ୍ଗ୍ କ’ଣ, ଏହାର ଗୁଣ କ’ଣ, ଖୁଣ କ’ଣ, କିଛି ବିଚାର ବିବେଚନା ନ କରି ଆମେ ତେଲି, ଯା ପେଲି ନ୍ୟାୟରେ ଆମ ପ୍ରାଥମିକ ଶିକ୍ଷାକୁ ପେଲି ପେଲି ଚଳେଇଛୁ। ଅକ୍ଷର ଶିକ୍ଷା ପଦ୍ଧତି ସମ୍ବନ୍ଧରେ ସାମାନ୍ୟତମ ଧାରଣା ନ ଥିବା ଆମ ଲେଖକମାନେ ଅକ୍ଷର ଶିକ୍ଷା ବହି ଲେଖିଛନ୍ତି, ତାଲିମଦାତାମାନେ ଶିକ୍ଷକମାନଙ୍କୁ ତାଲିମ ଦେଉଛନ୍ତି ଏବଂ ଶିକ୍ଷକମାନେ ପିଲାକୁ ଅକ୍ଷର ଶିକ୍ଷା ଦେଉଛନ୍ତି।
ମୁଁ ଆମେରିକାର ଗବେଷକମାନଙ୍କ ପାଇଁ କନ୍‌ଭରସେସନାଲ୍ ଓରିଆ ବୋଲି ଗୋଟିଏ ବହି ଲେଖିଥିଲି। ସେଥିରେ ଫୋନେଟିକ୍ ରିଡର ଅଂଶରେ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣର ପରିଚୟ ଦିଆଯାଇଥିଲା, ସେମାନଙ୍କ ଅକ୍ଷର ଶିଖିବା ପାଇଁ ଆଉ ଗୋଟିଏ ବହି ଲେଖିଥିଲି। ସେଥିରେ ଅକ୍ଷର ସାମ୍ୟକୁ ଧରି ଚଳଣି ଥିବା ଶବ୍ଦ ବ୍ୟବହାର କରି ଶବ୍ଦ ଶିଖିବା ବ୍ୟବସ୍ଥା ଥିଲା। ଉଦାହରଣ ସ୍ୱରୂପ ଦ, ବ, କ, ଜ / ଅ, ଆ, ଥ, ଧ ପରି ଅକ୍ଷରର ସମାନତା ହେତୁ ପିଲା ଶିଖିଥିବା ଅକ୍ଷର କ୍ରମ ବଦଳେଇ ଶୀଘ୍ର ଲେଖାପଢ଼ା ଶିଖିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା। ସବାଶେଷରେ ପ୍ରଚଳିତ ଅକ୍ଷର କ୍ରମ ଦିଆଯାଇଥିଲା। ଏ ବହି ବୟସ୍କଙ୍କ ପାଇଁ ଲେଖା ହୋଇଥିଲା, ତା’ ପୁଣି ବିଦେଶୀ ଗବେଷକଙ୍କ ପାଇଁ।
ଆମ ବର୍ଣ୍ଣସଂଖ୍ୟା, ବର୍ଣ୍ଣକ୍ରମ ବିଷୟରେ ବିବାଦ ଏ ଯାଏ ଥମୁନାହିଁ। ଆମେ ଷୋଡ଼ଶା ପଢ଼ି ଏକ ସମୟରେ ୧୬ଟି ସ୍ୱରବର୍ଣ୍ଣ ଥିବା ଜାଣିଲୁ। ଚଉତିଶା ପଢ଼ି ୩୪ ବ୍ୟଞ୍ଜନ ବର୍ଣ୍ଣ ଥିବା ଜାଣିଲୁ। ମଧୁ ବର୍ଣ୍ଣବୋଧ ପଢ଼ି ଅକ୍ଷର ସଂଖ୍ୟା ଓ ଅକ୍ଷର କ୍ରମ ବିଷୟରେ ଜାଣିଲୁ। ଆମ ବ୍ୟାକରଣମାନଙ୍କରେ ସ୍ୱରବର୍ଣ୍ଣ ସଂଖ୍ୟା ବିଭିନ୍ନ ସମୟରେ ୬,୮,୧୧,୧୩ ହୋଇଥିବା ଜଣାଯାଏ। ମଧୁବାବୁ ନିଜେ ବର୍ଣ୍ଣ, ବର୍ଣ ଲେଖିଥିଲା ବେଳେ ପରବର୍ତ୍ତୀ ସମୟରେ ଦୁଇଟି ବ ସ୍ଥାନରେ ବ ୱ ଗ୍ରହଣ କରାଯାଇଛି। ପ୍ରଥମେ ବ ଭିତରେ ବିନ୍ଦୁ ଦେଇ ୱ ଲେଖାଯାଉଥିଲା। ଛପା ବହିରେ ବ ଭିତରେ ବିନ୍ଦୁ ଭାଙ୍ଗିଯାଇଥିବାରୁ ୱ ଲେଖାହେଲା। ଏହାକୁ କେହି କେହି ଓ ରେ ବ ଫଳା କହିଲାବେଳେ କେହି କେହି ସ୍ୱତନ୍ତ୍ର ଅକ୍ଷର କହିଲେ। ଉଚ୍ଚାରଣ ଓ ବନାନ ମଧ୍ୟରେ ପାର୍ଥକ୍ୟ ହେତୁ ଦନ୍ତ୍ୟସ, ତାଲବ୍ୟଶ, ମୂର୍ଦ୍ଧଣ୍ୟଷ ଉଚ୍ଚାରଣରେ ସ ହେବାରୁ ବନାନ ଅଶୁଦ୍ଧି ଦେଖାଗଲା। ଏ ସମସ୍ତ ବିଷୟରେ ସବିଶେଷ ଆଲୋଚନା ପାଇଁ ନିର୍ମଳକାନ୍ତ ମହାନ୍ତିଙ୍କର ବିଭିନ୍ନ ରଚନା ଦ୍ରଷ୍ଟବ୍ୟ।

ବୈଷ୍ଣବ ଚରଣ ମହାନ୍ତିଙ୍କର ‘ଲେଖି ନ ଜାଣି ଅକ୍ଷର ଦୋଷ’ ବହିରେ ବନାନ ବିଭ୍ରାଟ ଓ ରଚନା ଦୋଷ ସମ୍ବନ୍ଧରେ ଆଲୋଚନା କରାଯାଇଛି। ପରିବର୍ତ୍ତନ ଭାଷାର ସ୍ୱାଭାବିକ ପ୍ରକ୍ରିୟା ହୋଇଥିବାରୁ ପରିବର୍ତ୍ତିତ ରୂପକୁ ଶୁଦ୍ଧ ଅଶୁଦ୍ଧ ମାପକାଠିରେ ମାପିବା ଉଚିତ ନୁହେଁ। ଓଡ଼ିଆ ବର୍ଗ୍ୟବର୍ଣ୍ଣର ନାସିକ୍ୟ ରୂପକୁ ଭିନ୍ନ ଭିନ୍ନ ଅକ୍ଷରରେ ଲେଖାଯାଇଥାଏ। କ ଖ ଗ ଘ ଙ୍କ, ଙ୍ଖ, ଙ୍ଗ, ଙ୍ଘ। ଏହାକୁ ଅନୁସ୍ୱାର ଯୋଗରେ ଲେଖିବା ବ୍ୟାକରଣ ସମ୍ମତ – ଂକ (ସଂକଟ), ଂଖ (ପଂଖା), ଂଗ (ସାଂଗ), ଂଘ (ସଂଘ)। ଏହି ବିକଳ୍ପ ରୂପ ମଧ୍ୟ ପ୍ରୟୋଗରେ ଚଳେ (ସଂବାଦ, ସମ୍ୱାଦ)। ସମ୍ବାଦ ଖବରକାଗଜ ସଂବାଦକୁ ଗ୍ରହଣ କରିନାହାନ୍ତି। ଆମ ଶିକ୍ଷକମାନେ ଏସବୁ ବିଷୟରେ ଅବହିତ ନ ଥିବାରୁ ଛାତ୍ରମାନଙ୍କୁ ଦଣ୍ଡିତ କରିଥାନ୍ତି।
ଭାଷା ଆଧାରିତ ବ୍ୟାକରଣ
ଓଡ଼ିଆରେ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଧାରିତ ବ୍ୟାକରଣଟିଏ ଲେଖା ହୋଇପାରିଲା ନାହିଁ। ପ୍ରାଚୀନତମ ଓଡ଼ିଆ ବ୍ୟାକରଣ ସଟନଙ୍କ ଦ୍ୱାରା ଲେଖା ଓ ଏହା ଇଂରାଜୀ ଆଧାରିତ। ସାମ୍ପ୍ରତିକ କାଳର ପ୍ରାୟ ସବୁ ବ୍ୟାକରଣ ସଂସ୍କୃତ ଆଧାରିତ। ‘ପ୍ରୟୋଗ ସରଣାଃ ବୟାକରଣାଃ’ ବକ୍ତୃତାରେ କହୁଥିଲେ ମଧ୍ୟ ଓଡ଼ିଆ ପ୍ରୟୋଗକୁ ଧରି ଓଡ଼ିଆ ବ୍ୟାକରଣ ଲେଖା ହେଲା ନାହିଁ।
ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରକାଶନ ଦ୍ୱାରା ପ୍ରକାଶିତ ‘ବ୍ୟାକରଣ ଦର୍ପଣ’ ନାଁ ଓଡ଼ିଆ ବ୍ୟାକରଣ ନା ସଂସ୍କୃତ ବ୍ୟାକରଣ। ଏହା ଉଭୟକୁ ମିଶେଇ ଏକ ଖେଚୁଡ଼ି।
ମୁଖ ନିଃସୃତ ଧ୍ୱନିରୁ ଭାଷାର ସୃଷ୍ଟି। ଅନ୍ୟ ଭାବରେ କହିଲେ ଉଚ୍ଚାରିତ ଧ୍ୱନିରୁ ଭାଷାର ସୃଷ୍ଟି। ଉଚ୍ଚାରଣ ଦୃଷ୍ଟିରୁ ଆମେ ଧ୍ୱନିଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରୁ। ଯେଉଁ ଧ୍ୱନି ନିଜେ ନିଜେ ଅନ୍ୟ ଧ୍ୱନିର ବିନା ସାହାଯ୍ୟରେ ଉଚ୍ଚାରିତ ହୁଏ ସେହି ସ୍ୱରଧ୍ୱନି ସ୍ୱରବର୍ଣ୍ଣ ଏବଂ ଯାହା ସ୍ୱର ଛଡ଼ା ଉଚ୍ଚାରିତ ହୋଇପାରେ ନାହିଁ ତାହା ବ୍ୟଞ୍ଜନ ଧ୍ୱନି ବା ବ୍ୟଞ୍ଜନ ବର୍ଣ୍ଣ।
ସ୍ୱରଯୁକ୍ତ ବ୍ୟଞ୍ଜନ ହେଉଛି ଅକ୍ଷର (ସିଲାବଲ୍‌)। ପ୍ରତ୍ୟେକ ସ୍ୱର ଗୋଟିଏ ଗୋଟିଏ ଅକ୍ଷର (ସିଲାବଲ୍‌)। ଅକ୍ଷରର ଅନ୍ୟ ଏକ ଅର୍ଥ ହେଉଛି ଲେଖନର ସର୍ବନିମ୍ନ ଏକକ। କ ଚ ଟ ତ ପ ଗୋଟିଏ ଗୋଟିଏ ଅକ୍ଷର। ଚକ ଦୁଇଟି ଅକ୍ଷର। କିନ୍ତୁ ଚକ୍ ଶବ୍ଦରେ ଗୋଟିଏ ସ୍ୱର ଥିବାରୁ ଗୋଟିଏ ଅକ୍ଷର, ସ୍ତ୍ରୀ ଶବ୍ଦରେ ସ୍‌+ତ୍‌+ର୍+ଈ ରେ ଗୋଟିଏ ସ୍ୱର ଥିବାରୁ ଗୋଟିଏ ଅକ୍ଷର, ଯେଉଁଥିରେ ଅନ୍ୟ ଦୃଷ୍ଟିରୁ ଚାରୋଟି ଅକ୍ଷର ଅଛି। ଏଥିରେ ଯେଉଁ ହଳନ୍ତ ଚିହ୍ନ ଅଛି ତାହା ସ୍ୱରର ଅନୁପସ୍ଥିତିର ଚିହ୍ନ। ଂ ଃ ଁ ୍ ର ସ୍ୱତନ୍ତ୍ର ସ୍ଥିତି ନ ଥିବାରୁ ବ୍ୟାକରଣକାରମାନେ ଏଗୁଡ଼ିକୁ ଅଯୋଗବାହ ବର୍ଣ୍ଣ ନାମରେ ନାମିତ କରିଛନ୍ତି।
ଶବ୍ଦ ହେଉଛି ଅର୍ଥଯୁକ୍ତ ବର୍ଣ୍ଣ ଏବଂ ଅକ୍ଷରର ସମାହାର। ଆ ହେଉଛି ଗୋଟିଏ ଧ୍ୱନି, ଗୋଟିଏ ବର୍ଣ୍ଣ, ଗୋଟିଏ ଅକ୍ଷର ଏବଂ ଗୋଟିଏ ଶବ୍ଦ। ସେହିପରି କା ହେଉଛି ଗୋଟିଏ ଧ୍ୱନି, ଦୁଇଟି ବର୍ଣ୍ଣ (ଗୋଟିଏ ବ୍ୟଞ୍ଜନ ଓ ଗୋଟିଏ ସ୍ୱର) ଗୋଟିଏ ଅକ୍ଷର ଓ ଗୋଟିଏ ଶବ୍ଦ। ଦୁଇ ହାତ ବାଡ଼େଇଲେ ଯେଉଁ ଧ୍ୱନି ଉତ୍ପନ୍ନ ହୁଏ ତାହା ଶବ୍ଦ, ତାଳି ଲେଖିଦେଲେ, ତ୍ ଆଳ୍ ଇ ଚାରୋଟି ଅକ୍ଷର ଏବଂ ଦୁଇଟି ସ୍ୱରବର୍ଣ୍ଣ ଥିବାରୁ ଦୁଇଟି ଅକ୍ଷର ବିଶିଷ୍ଟ ଶବ୍ଦ।
ଶବ୍ଦର ପ୍ରକୃତି
ଶବ୍ଦ ବାକ୍ୟରେ ବ୍ୟବହାର ହେଲେ ପଦ। ଚୁନି ଆସିବ। ଚୁନି ନାମବାଚକ ବିଶେଷ୍ୟପଦ। ଆସିବ କ୍ରିୟାପଦ। ଚୁନି ଗୋଟିଏ ବୁଦ୍ଧିଆ ପିଲା। ଏଥିରେ ଗୋଟିଏ, ବୁଦ୍ଧିଆ ବିଶେଷଣ। ଏହା ବିଶେଷ୍ୟ ପଦ ଚୁନିର ସଂଖ୍ୟା ଓ ଗୁଣ ବୁଝାଉଥିବା ବିଶେଷଣ। ଯା, ଯାଏ, ଯିବ, ଯିବି, ଯାଉଚି, ଯାଇଚି, ଗଲି, ଗଲା, ଗଲେ ଇତ୍ୟାଦି କ୍ରିୟାର ବିଭିନ୍ନ ରୂପ।
ବ୍ୟାକରଣ ଶବ୍ଦର ବ୍ୟୁତ୍ପତ୍ତି ବି+ଆ+କୃ+ଲ୍ୟୁଟ ରୁ ବୁଝାଯାଏ ଯେ ପ୍ରକୃତି, ପ୍ରତ୍ୟୟ ପ୍ରଭୃତି ମାଧ୍ୟମରେ ଶବ୍ଦର ବିଶ୍ଳେଷଣ କରେ। ସମୟକ୍ରମେ ଭାଷାର ପ୍ରୟୋଗ ସାଙ୍ଗେ ସାଙ୍ଗେ ବ୍ୟାକରଣ ମଧ୍ୟ ବଦଳିଯାଏ। ମାହେଶ୍ୱରୀ ବ୍ୟାକରଣ, ଐନ୍ଦ୍ର ବ୍ୟାକରଣ ଓ ପାଣିନି ବ୍ୟାକରଣ ସଂସ୍କୃତ ବ୍ୟାକରଣର ତିନି ଐତିହାସିକ ମାଇଲ ଖୁଣ୍ଟ ଭାବେ ଗଣାଯାଏ। ସେହିପରି ପାଣିନିଙ୍କର ଅଷ୍ଟାଧ୍ୟାୟୀ, ଭର୍ତ୍ତୃହରିଙ୍କ ବାର୍ତ୍ତିକ ଓ ପତଞ୍ଜଳିଙ୍କ ମହାଭାଷ୍ୟ ଦ୍ୱାରା ସଂସ୍କାରିତ ହୋଇ ତ୍ରିମୁନି ବ୍ୟାକରଣ ନାମରେ ପରିଚିତ ହୋଇଛି। ଏଥିରେ କେତେକ ସୂତ୍ର ବାଦ ଦିଆଯାଇଛି, କେତେକ ଯୋଡ଼ାଯାଇଛି ଓ କେତେକର ସମ୍ପ୍ରସାରିତ ବ୍ୟାଖ୍ୟା କରାଯାଇଛି। ଏହା ସଂସ୍କୃତରେ ପରିବର୍ତ୍ତନର ନମୁନା।
ବୈଦିକ ସଂସ୍କୃତ ଓ ପାଣିନୀୟ ସଂସ୍କୃତ ମଧ୍ୟରେ ପରିବର୍ତ୍ତନର ଆଉ ଗୋଟିଏ ଉଦାହରଣ ହେଉଛି ଯେ ବୈଦିକ ସଂସ୍କୃତରେ ହ୍ରସ୍ୱ, ଦୀର୍ଘ, ପ୍ଳୁତ ସ୍ୱରବର୍ଣ୍ଣ ଥିଲା। ପାଣିନିଙ୍କ ବେଳକୁ ପ୍ଳୁତ ଲୋପ ପାଇଯାଇଥିଲା। ଆଧୁନିକ ଭାରତୀୟ ଆର୍ଯ୍ୟଭାଷାମାନଙ୍କରେ ହ୍ରସ୍ୱ ଦୀର୍ଘ ପ୍ରୟୋଗ ଉଚ୍ଚାରଣରେ ଲୋପ ପାଇଯାଇଥିଲେ ସୁଦ୍ଧା ବନାନରେ ଅଛି। ତେଣୁ ବର୍ତ୍ତମାନ କାଳରେ ବର୍ଣ୍ଣାଶୁଦ୍ଧି ବଢିଚାଲିଛି।
ବିବିଧ ବର୍ଣ୍ଣକ୍ରମ
ବର୍ଣ୍ଣକ୍ରମ ବିଷୟରେ କେତେକ କଥା କହି ଏ ଲେଖା ଶେଷ କରିବି। ପ୍ରଥମେ ଡ ଢ ଓ ଡ଼ ଢ଼। ଡ ଡ଼ ଓ ଢ ଢ଼ ଉଭୟେ ପରସ୍ପରର ପରିପୂରକ। ଡ ଢ ଶବ୍ଦର ଆରମ୍ଭରେ ଓ ଡ଼ ଢ଼ ଶବ୍ଦର ମଝିରେ ଓ ଶେଷରେ। ଉଦାହରଣ – ଡର, ରଡ଼, ପଡ଼, ଢଗ, ଗଢ଼, ପଡ଼୍। କେହିକେହି ଡ ଢ଼ ପରେ ଡ଼ ଢ଼ ରଖିଲାବେଳେ କେହି କେହି ଶେଷରେ ଡ଼ ଢ଼, ର, ଳ, ୟ, ୱ ଲେଖିଥାନ୍ତି। ସେହିପରି କ୍ଷ, କ + ଷ =କ୍ଷ ହୋଇଥିବାରୁ କେହିକେହି ଅଭିଧାନକାର କ ପରେ କ୍ଷ ଲେଖିଲାବେଳେ କେହିକେହି ହ ପରେ କ୍ଷ ଲେଖିଥାନ୍ତି। ଜ୍ଞ ର ଉଚ୍ଚାରଣ ଏବଂ କ୍ରମ ବିଷୟରେ ବିବାଦ ଅଛି। ମରାଠୀରେ ଜ୍ଞ ର ଉଚ୍ଚାରଣ ଦ୍ ନ୍ ୟ। ଦ୍ନ୍ୟାନ, ଦ୍ନ୍ୟାନେଶ୍ୱର (ଜ୍ଞାନ, ଜ୍ଞାନେଶ୍ୱର) ବୋଲି ସେମାନେ ଲେଖନ୍ତି। ରୋମାନ ଲିପି ବ୍ୟବହାର କରୁଥିବା ଲୋକ jn (jnana) ଲେଖନ୍ତି। ଓଡ଼ିଆରେ କେହି କେହି ଜ୍ଞାନ ଲେଖୁଥିବା ବେଳେ କେହି କେହି ଗ୍ୟାଁନ ଲେଖନ୍ତି। ତେଣୁ କେହି କେହି ଜ ପରେ ଜ୍ଞ ଲେଖିଥିବା ବେଳେ ଆଉ କେହି କ୍ଷ ପରେ ଜ୍ଞ ଲେଖନ୍ତି।
ଏହିସବୁ ବିଷୟରେ ଯେତେଶୀଘ୍ର ସହମତି ପ୍ରକାଶ ପାଏ ସେତେ ଭଲ।
୧୯୨୩ ରୁ ୧୯୩୦ ପର୍ଯ୍ୟନ୍ତ ଅନୁଗୁଳର ଶିକ୍ଷା ପରିଦର୍ଶକ (ଇନ୍ସପେକ୍ଟର ଅଫ୍ ସ୍କୁଲ୍‌ସ୍‌) ଏଚ୍‌.ହିପ୍‌ସି ଅକ୍ଷର ଶିକ୍ଷାରେ ନୂଆ ପଦ୍ଧତି ସୃଷ୍ଟି କରିଥିଲେ। “ପିଲାଙ୍କ ଅକ୍ଷର ଅ ଆ ଇ ଈ….ରୁ ଆରମ୍ଭ ନ କରି ସେ ବର୍ଣ୍ଣମାଳା ମଝିରୁ ଅକ୍ଷର ଶିକ୍ଷା ଆରମ୍ଭ କରିଥିଲେ। ଅନୁଗୁଳରେ ଥିଲାବେଳେ ସ୍କୁଲମାନଙ୍କୁ ଦେଇଥିବା ସର୍କୁଲାରଗୁଡିକର ଏକ ସମ୍ପାଦିତ ସଂକଳନରେ ବିହାର ଓଡ଼ିଶାର ସ୍କୁଲ ଇନ୍ସପେକ୍ଟର ଥିଲାବେଳେ ୧୯୩୧ରେ ‘ସଜେସନ ଫର୍ ପ୍ରାଇମେରୀ ସ୍କୁଲ ଟିଚର’ ନାମରେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ ମାଧ୍ୟମରେ ପ୍ରକାଶ କଲେ। ସେ ‘ମା’, ‘ଘର’ରୁ ଅକ୍ଷର ଶିକ୍ଷା କରିବାକୁ ପରାମର୍ଶ ଦେଇ କହିଥିଲେ: “ପିଲାମାନଙ୍କୁ ସେମାନେ ଲେଖୁଥିବା ବା ପଢ଼ୁଥିବା ନୂଆ ଶବ୍ଦଗୁଡିକୁ ବୁଝିବା ପାଇଁ ସେମାନଙ୍କ ସହିତ କଥୋପକଥନରେ ତାହାର ବ୍ୟବହାରର ଗୁରୁତ୍ୱ ଆମେ ବହୁବାର ସୂଚାଇଛୁ। ଆମକୁ ପ୍ରଥମେ ସେମାନେ ଦିନ ପ୍ରତିଦିନ ଦେଖୁଥିବା ବା ଅନୁଭବ କରୁଥିବା ଶବ୍ଦମାନଙ୍କ ସହିତ ସେମାନଙ୍କୁ ପରିଚିତ କରାଇବାକୁ ପଡିବ, ଯାହାର ଅର୍ଥ ସେମାନଙ୍କୁ ବୁଝାଇବାର ଆବଶ୍ୟକତା ପଡୁନଥିବ।”
ଯେ କୌଣସି ଭାଷା ଶିଖିବା ଶୁଣିବା, କହିବା, ପଢ଼ିବା, ଲେଖିବା ହେଉଛି ସ୍ୱାଭାବିକ ପ୍ରକ୍ରିୟା। ଏ ପ୍ରତ୍ୟେକ ସହିତ ବୁଝିବା ଲୋଡ଼ା। ଏଥିପାଇଁ ବର୍ଣ୍ଣସଂଖ୍ୟା ଓ ବର୍ଣ୍ଣକ୍ରମ ବିଷୟରେ ସ୍ପଷ୍ଟତା ନ ଥିଲେ ଭାଷା ଶିକ୍ଷା ଯେ ବ୍ୟାହତ ହେବ ଏ କଥା ଅଧିକ ବୁଝେଇ କହିବା ନିଷ୍ପ୍ରୟୋଜନ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

One thought on “ଓଡ଼ିଆ ବର୍ଣ୍ଣସଂଖ୍ୟା ଓ ଓଡ଼ିଆ ବର୍ଣ୍ଣକ୍ରମ

  1. ବର୍ଣ୍ଣମାଳାର ବର୍ଣ୍ଣକ୍ରମ ଗୁଡିକ କିପରି ହେବା ଆବଶ୍ୟକ ତାହା ଅତି ପ୍ରାଞ୍ଜଳ ଭାବରେ ଦର୍ଶାଇ ଦେଇଛନ୍ତି ପଦ୍ମଶ୍ରୀ ଦେବୀପ୍ରସନ୍ନପଟ୍ଟନାୟକ।

Leave a Reply

Your email address will not be published. Required fields are marked *