ଶ୍ରୀମନ୍ଦିର ପ୍ରଶାସକଙ୍କ ଅନୁଭୂତିରେ ଶ୍ରୀଜଗନ୍ନାଥ

ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସମ୍ଫର୍କିତ ଅନୁଭୂତି କ୍ରମରେ ଗତ କିଛି ବର୍ଷ ହେଲା ଅନେକ ପୁସ୍ତକ ଧାରାବାହିକ ଭାବରେ ସଂକଳିତ କରି ବିଶିଷ୍ଟ ଜଗନ୍ନାଥ ଗବେଷକ ପୀତବାସ ରାଉତରାୟ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଛନ୍ତି। ଏହି କ୍ରମର ସଦ୍ୟତମ ପୁସ୍ତକ ହେଲା ‘ଶ୍ରୀମନ୍ଦିର ପ୍ରକାଶକଙ୍କ ଅନୁଭୂତିରେ ଶ୍ରୀଜଗନ୍ନାଥ’।
ବିଭିନ୍ନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀମାନଙ୍କର ପ୍ରତ୍ୟକ୍ଷ ଅନୁଭୂତିର ଅନୁପମ ଉପସ୍ଥାପନ ଏହି ବହିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏଥିରେ ପ୍ରକାଶିତ ନିଜର ସମ୍ପାଦକୀୟ ଅଗ୍ରଲେଖରେ ସଂକଳକ ପୀତବାସ ରାଉତରାୟ ନିଜର ଆଭିମୁଖ୍ୟ ନିମ୍ନମତେ ବର୍ଣ୍ଣନା କରିଛନ୍ତି:
“ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କଠାରୁ ଅନୁଭୂତି ସଂଗ୍ରହ ସମୟରେ ଶ୍ରୀମନ୍ଦିରରେ କାର୍ଯ୍ୟ କରିଥିବା ପ୍ରଶାସକ, ଉପପ୍ରଶାସକ ଓ ମୁଖ୍ୟ ପ୍ରଶାସକଙ୍କ ସଂସ୍ପର୍ଶରେ ଆସିବା ପରେ ମୋ ମନରେ ଆସିଲା ଏକ ଉତ୍ସାହ। ଯେଉଁ ପ୍ରଶାସକଗଣ ପ୍ରଭୁଙ୍କ କୃପା ରେ ତାଙ୍କ ସେବାପାଇଁ ସୁଯୋଗ ପାଇଛନ୍ତି ସେମାନେ ନିଜକୁ ଏତେ କୃତାର୍ଥ ମନେ କରୁଥିଲେ ଓ ସେମାନଙ୍କ କାର୍ଯ୍ୟକାଳ ସମୟରେ ବହୁ ସୁନ୍ଦର ସୁନ୍ଦର ଅଭିଜ୍ଞତା ବର୍ଣ୍ଣନା କରୁଥିଲେ। ସେମାନଙ୍କର ଅନୁଭୂତି ପ୍ରକାଶ କରିବା ପାଇଁ ମନ ଭିତରେ ଅଦମ୍ୟ ଆଗ୍ରହ ସୃଷ୍ଟି ହୋଇଥିଲା।”
ସଂକଳିତ ରଚନାଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ଅଛି ଶ୍ରୀମନ୍ଦିରର ଏବର ପ୍ରଶାସକ ରଂଜନ କୁମାର ଦାସଙ୍କ ସ୍ୱ-ଅନୁଭୂତିର ଏକ ମାର୍ମିକ ଉପସ୍ଥାପନ। ୨୦୧୭ ମସିହାରେ ତାଙ୍କ ଚାକିରି ଜୀବନରେ ଶ୍ରୀଜଗନ୍ନାଥଙ୍କୁ ନେଇ ଘଟିଥିବା ଏକ ଦିବ୍ୟ ଘଟଣା ବର୍ଣ୍ଣନା କରି ସେ ଶେଷକୁ ଲେଖିଛନ୍ତି, “ହେ ମାୟାବୀ ଠାକୁର! ତୁମ ମାୟା ବୁଝିବା ମୋ ସାଧ୍ୟ ବାହାରେ।”
ଏହିଭଳି ଅନ୍ୟ ଯେଉଁମାନଙ୍କ ରଚନାରେ ପୁସ୍ତକଟି ସମୃଦ୍ଧ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି, ଶୈଳେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ମହୀମୋହନ ତ୍ରିପାଠୀ, ପ୍ରଦୀପ ଦାଶ, ପଦ୍ମନାଭ ପଣ୍ଡା, ରବୀନ୍ଦ୍ର ନାରାୟଣ ମିଶ୍ର, ଅରବିନ୍ଦ କୁମାର ପାଢ଼ୀ ଓ ଏହିଭଳି ଶ୍ରୀମନ୍ଦିରର ପ୍ରଶାସନ ସହିତ ଜଡ଼ିତ ଆହୁରି କେତେଜଣ ବିଶିଷ୍ଟ ବ୍ୟକ୍ତିତ୍ୱ।
ସବୁଠାରୁ ବଡ଼କଥା ହେଲା ଯେ ହୃଦରୋଗରେ ପୀଡ଼ିତ ଥାଇ ଶଯ୍ୟାଶାୟୀ ଥିବା ସତ୍ୱେ ପୀତବାସ ରାଉତରାୟ ଯଥା ସମୟରେ ପୁସ୍ତକଟିର ସଂକଳନ ଓ ପ୍ରକାଶନ କରି ଗତ ଡିସେମ୍ବର ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ‘ଅକ୍ଷର’ ପୁସ୍ତକ ମେଳାରେ ଏହାକୁ ଲୋକାର୍ପିତ କରିବାକୁ ସକ୍ଷମ ହୋଇଛନ୍ତି। ଏହି ପୁସ୍ତକ ସଂକଳନ ଜନିତ ତାଙ୍କର ନିଜସ୍ୱ ଅନୁଭୂତି ପାଠକମାନେ ପଢ଼ିବାକୁ ପାଇଛନ୍ତି ‘ସାହିତ୍ୟ ଚର୍ଚ୍ଚା’ର ଚଳିତ ସଂଖ୍ୟା, ଅର୍ଥାତ୍ ଜାନୁଆରୀ, ୨୦୨୪ରେ ପ୍ରକାଶିତ ତାଙ୍କର ‘ପାଦେ ପାଦେ ପଦ୍ମନାଭ’ ଶୀର୍ଷକ ଲେଖାରେ। ସେଥିରେ ଆମେ ଦେଖିବାକୁ ପାଉ ତାଙ୍କର ଏକ ମାର୍ମିକ ସ୍ୱୀକାରୋକ୍ତି ଯେ ସେ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ଜଣେ ‘ମୁଦ୍ରଣ ସେବକ’ ମାତ୍ର।
ଏହି ନବ ପ୍ରକାଶିତ ପୁସ୍ତକଟିରେ ଅବଶ୍ୟ ଆମେ ଆଇ.ଏସ୍.ବି.ଏନ୍ ନମ୍ବର ଦେଖିବାକୁ ପାଇଲୁ ନାହିଁ। ପ୍ରକାଶକ ଏଥିପ୍ରତି ଯତ୍ନବାନ ହେବେ ବୋଲି ଆଶା। ଏହି କ୍ରମର ଅନ୍ୟାନ୍ୟ ପୁସ୍ତକମାନଙ୍କ ଭଳି ଏହା ମଧ୍ୟ ପାଠକମାନଙ୍କ ଦ୍ୱାରା ଯଥାଯଥ ଆଦୃତ ହେବ ବୋଲି ଆଶା କରାଯାଏ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

Leave a Reply

Your email address will not be published. Required fields are marked *