ଓଡ଼ିଶାର ଅଭିନୟ ଜଗତରେ, ସେ ମଞ୍ଚ ହେଉ ବା ବେତାର ଅବା ଚଳଚ୍ଚିତ୍ର, ଝରଣା ଦାସ ଜଣେ ପ୍ରବାଦ-ଅଭିନେତ୍ରୀ ଭାବରେ ସୁପରିଚିତ। ଗତ ଷାଠିଏ ଦଶକରୁ ନେଇ ଦୀର୍ଘ ବହୁବର୍ଷ ପର୍ଯ୍ୟନ୍ତ ନିଜର ଅଭିନୟ କଳାର ନିଆରାପଣ ବଳରେ ସେ ଏକ ସ୍ୱତନ୍ତ୍ର ପରିଚୟର ଅଧିକାରିଣୀ ହୋଇପାରିଥିଲେ। ଦଶ ମାସ ପୂର୍ବେ, ଅର୍ଥାତ୍ ୧ ଡିସେମ୍ବର ୨୦୨୨ ତାରିଖ ଦିନ ତାଙ୍କର ଦେହାବସାନ ଓଡ଼ିଶାର କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
କିଛିଦିନ ତଳେ ‘ଝରଣା ଦାସ – ଆତ୍ମଲିପି’ ନାମରେ ତାଙ୍କର ଏକ ଆତ୍ମଜୀବନୀ ପ୍ରକାଶ ପାଇବା ତାଙ୍କର ଅଗଣିତ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବରେ ସୁସମ୍ବାଦ। ତେବେ କେହି ପାଠକ ଏହାକୁ ଯଦି ଝରଣା ଦାସଙ୍କ ଏକ ପ୍ରାମାଣିକ ଆତ୍ମଜୀବନୀ ବୋଲି ଭାବି ପଢ଼ିବା ଆରମ୍ଭ କରିବେ ତେବେ ହୁଏତ ସେ ନିରାଶ ହୋଇପାରନ୍ତି। ଯାହା ମନେହୁଏ, ଝରଣା ଦାସ ଏକ ଆତ୍ମଜୀବନୀ ଲେଖିବା ଉଦ୍ଦେଶ୍ୟରେ ଏହା ରଚନା କରିନାହାନ୍ତି; ବରଂ ନିଜ ଜୀବନର କିଛି ଘଟଣାବଳୀକୁ ଅନୌପଚାରିକ ଭାବରେ ଲିପିବଦ୍ଧ କରିଛନ୍ତି ମାତ୍ର। ବୋଧହୁଏ ଏହି ଆତ୍ମଲିପିକୁ ଯଥାବତ୍ ପୁସ୍ତକ ଆକାରରେ ପ୍ରକାଶ କରିବାର ଯୋଜନା ତା’ଙ୍କର ନଥିଲା, ବରଂ ତାଙ୍କର ଆଶା ଥିଲା ଯେ ବହିଟିଏର ରୂପ ନେବା ପୂର୍ବରୁ ଏହା ଯଥାବିଧି ସୁସଂପାଦିତ ହେବ। ଏପରି କୌଣସି ସଂପାଦନାର ଚିହ୍ନବର୍ଣ୍ଣ ଏଥିରେ ଦେଖିବାକୁ ମିଳିଲା ନାହିଁ। ଉଦାହରଣ ସ୍ୱରୂପ, ଏଥିରେ ଥିବା ଓଡ଼ିଆ ଲେଖା ମଧ୍ୟରେ ଅନେକ ଶବ୍ଦକୁ ଅନାବଶ୍ୟକ ଭାବରେ ଇଂରାଜୀ ଅକ୍ଷରରେ ଅନ୍ତର୍ଭୁକ୍ତ କରାଯାଇଛି। ‘ଖ୍ରୀଷ୍ଟ କଲେଜ’, ‘ଫଟୋ’, ‘ଡ୍ରେସିଂ ଟେବୁଲ୍’ ଓ ‘ପୋଲିସ’ ଭଳି ଶବ୍ଦକୁ ହୁଏତ ନିଜର ଡ଼ାଏରୀ ଲେଖିବା ବେଳେ ଲେଖିକା ଗୋଟିଏ ପ୍ରବାହରେ ଓଡ଼ିଆରେ ନ ଲେଖି ଇଂରାଜୀରେ ଲେଖି ପକାଇଛନ୍ତି। ପୁସ୍ତକଟି ମୁଦ୍ରିତ ରୂପ ନେବା ପୂର୍ବରୁ ଏଗୁଡ଼ିକୁ ସଜାଡ଼ିବାର ଆବଶ୍ୟକତା ଥିଲା। ଏହା ବ୍ୟତୀତ ସମଗ୍ର ପୁସ୍ତକଟିକୁ କେତୋଟି ଅଧ୍ୟାୟରେ ବିଭକ୍ତ କରି ପ୍ରତ୍ୟେକଟି ଅଧ୍ୟାୟ ପାଇଁ ଏକ ଉପଯୁକ୍ତ ଶିରୋନାମା ମଧ୍ୟ ଦିଆଯାଇପାରିଥା’ନ୍ତା, ଯାହାର ଅଭାବ ପରିଲକ୍ଷିତ ହେଲା।
ଏହା ସତ୍ତ୍ୱେ ଝରଣା ଦାସଙ୍କର ଏହି ଆତ୍ମଲିପିଟିକୁ ତାଙ୍କ ଦ୍ୱାରା ସରଳ ଓ ନିଷ୍କପଟ ଭାବରେ ପାଠକଙ୍କ ନିକଟରେ ନିଜର ଭାବନା ପରଷିବାର ଏକ ସାର୍ଥକ ନିଦର୍ଶନ ବୋଲି କୁହାଯାଇପାରେ। ନିଜ ଜୀବନର କିଛି ଅନୁଭୂତି ଓ ଘଟଣାବଳୀକୁ ଉପସ୍ଥାପନ କରିବାର କ୍ରମରେ ସେ କୌଣସି କୃତ୍ରିମ ଭାଷାବିନ୍ୟାସର ଆଶ୍ରୟ ନେଇନାହାନ୍ତି। ଯେମିତି,
“ଖରାଦିନେ ରାତିରେ ଛାତ ଉପରେ ବସୁ। ଚଟେଇ ପରା ହୁଏ। କେହି କେହି ଗଡ଼ି ଗଡ଼ନ୍ତି। ଖୁବ୍ ଗପ ହୁଏ। ଆକାଶରେ କେତେ ତାରା। ମା ଚିହ୍ନେଇଦିଅନ୍ତି ଇଏ କାଳପୁରୁଷ। ଏଇଟା ତା ଖଣ୍ଡା। ସେଇ ଦେଖ ତା ହାତ। ମୁଣ୍ଡ ଗୋଡ଼। ସତରେ ତାରାକୁ ତାରା ଯୋଡ଼ି ଦେଲେ ମନେହୁଏ ସତେ ଅବା କାଳପୁରୁଷ ଠିଆ ହୋଇଛି।”
ମୋଟାମୋଟି ବିଚାର କଲେ ଝରଣା ଦାସଙ୍କ କଳାକାର ବା ଅଭିନେତ୍ରୀ ଜୀବନର ପଛରେ ଥିବା ସରଳ, ସ୍ନେହୀ ମଣିଷଟିଏର ଆମେ ସମ୍ମୁଖୀନ ହେଉ ଆମେ ଏହି ଆତ୍ମଲିପିରେ।
ବହିଟିର ପରବର୍ତ୍ତୀ ସଂସ୍କରଣ ଆହୁରି ସୁସମ୍ପାଦିତ ହୋଇ ପ୍ରକାଶ ପାଇଲେ ଏହା ପାଠକମାନଙ୍କ ମଧ୍ୟରେ ଆହୁରି ଆଦୃତ ହୋଇପାରିବ ବୋଲି ଆମର ଆଶା।
– ନିହାର ଶତପଥୀ
(ଏହି ପୁସ୍ତକ ସମୀକ୍ଷା ଟି ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ସମ୍ପାଦକଙ୍କୁ ଧନ୍ୟବାଦ, ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେଇଥିବାରୁ। ବାସ୍ତବିକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଝରଣା ଦାସ ହେଉଛନ୍ତି ଏକ ପ୍ରତିଷ୍ଠିତ ଓ ପରିଚିତ ତଥା ସ୍ପର୍ଦ୍ଧିତ ନାମ । ପୁସ୍ତକ ସମ୍ପର୍କୀତ ତଥ୍ୟରୁ ଯାହା ସୂଚନା ମିଳୁଛି, ବୋଧହୁଏ ତାଙ୍କ ପରିବାରର କେହି ବ୍ୟକ୍ତିଙ୍କ ଦ୍ୱାରା ଏହା ପ୍ରକାଶିତ। ସେ ଯାହାହେଉ ଓଡ଼ିଆରେ ଆତ୍ମଜୀବନୀ, ତାହା ପୁଣି ଚଳଚ୍ଚିତ୍ର ଜଗତର ବ୍ୟକ୍ତିତ୍ୱ – ଏକ ବିରଳ ଅନୁଭବ ବୋଲି ମୁଁ ଭାବୁଛି।