ସମ୍ପ୍ରତିସଞ୍ଚର *

ଓଡ଼ିଆ ଭାଷାରେ ଶିକ୍ଷାପ୍ରାପ୍ତ ହୋଇ ଆମ୍ଭର ଅନେକ ଭାଇଭଉଣୀ ଉପାର୍ଜନକ୍ଷମ ହୋଇ ପାରୁନାହାନ୍ତି; ତେଣୁ ଆମ ଭାଷା ଅର୍ଥକରୀ ନୁହେଁ ବୋଲି ଓଡ଼ିଶାବାସୀ ଅନ୍ୟ ଭାଷା ଶିଖିବାକୁ ବାଧ୍ୟ ହେଉଛନ୍ତି।

ପ୍ରଶାନ୍ତ ଭୂୟାଁ

“ବିରି ମାଡ଼ ଦେଖି କୋଳଥ ଚୋପା; ହରଡ଼ ବୋଲଇ ଇଲୋ ମା ବୋପା”; ଅନ୍ୟମାନଙ୍କ ଭଳି ଶୈଶବରୁ ଏହି ପଦ ଶୁଣି ଆସିଛି। ଇଦାନୀଂ ଏହାର ପ୍ରମାଣ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଦେଖୁଛି ମଧ୍ୟ। ଅନେକ ଆଗ୍ରହୀ ସାହିତ୍ୟପ୍ରେମୀ ଦୁଇପଦ ଲେଖିବାକୁ ଅସମସାହସ ଆବଶ୍ୟକ ଭାବି ଆପଣା ମନର ଭାବକୁ ଲେଖନୀମୁନରେ ଗାରେଇବାକୁ ଘେଞ୍ଚପେଞ୍ଚ କରୁଥିବା ବେଳେ ଆଉ କେତେ “ଓଳିଆରୁ ଗଜା”।
କିଏ ସ,ଶ ଓ ଷ ବ୍ୟବହାରରେ ସନ୍ଦିହାନ ତ କିଏ ବ, ୱ ଅକ୍ଷରକୁ ନେଇ ଦ୍ୱନ୍ଦ୍ୱରେ। ସେହି ଭଳି ଜ, ଯ, ଯ୍ୟ, ୟ, ପ୍ରଭୃତି ଅକ୍ଷର ଠାରୁ ଆରମ୍ଭ କରି ୍ , ଂ, ଁ ତଥା ଃ ର ସ୍ଥାନ ବିଶେଷରେ ବ୍ୟବହାର କେତେ ଭାଷାପ୍ରେମୀଙ୍କୁ ଅତି ଜଟିଳ ମନେ ହେଉଛି। ଞ, ଞ୍ଛ, ଞ୍ଝ, ଡ୍ଡ, ପ୍ପ, ଶ୍ଛ, କ୍ଷ୍ଣ, ଙକ୍ଷ , ନ୍ତ୍ର, ର୍ତ୍ସ, ନ୍ନ୍ୟ, ପ୍ରଭୃତିକୁ ଅନେକ ଭୁଲିବା ଆରମ୍ଭ କଲେଣି; ଆଉ କେତେ ଏହି ଭଳି ଜଟିଳ ବର୍ଣ୍ଣମାଳା ଆଉ କେତେ ଌ, ଌ, ଽର ନିତିଦିନିଆ ପ୍ରୟୋଗ ନଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ସାହିତ୍ୟ ସଂସାରର ଏହି “ସିନ୍ଦୂର ବିନ୍ଦୁର୍ବିଧବା ଲଲାଟେ” ପରିସ୍ଥିତିରେ କେତେ ପଣ୍ଡିତ ଆମ ଭାଷା ଓ ସାହିତ୍ୟର ସମ୍ପ୍ରତିସଞ୍ଚର ବେଳ ଉପନୀତ ବୋଲି ଅନେକ ମଞ୍ଚରେ ଘୋଷଣା କରିଲେଣି। ଆମ୍ଭେ ଯେତେବେଳେ ଏହି ଭଳି ଅତ୍ୟନ୍ତାତିଶୟୋକ୍ତି ଶୁଣୁ ସେତେବେଳେ ମାତୃଭାଷା ବ୍ୟବହାର କରିବାର ସଂଶୟ ଓ ସଙ୍କୋଚରେ ରହୁଥିବା ସେହି ଭାଇଭଉଣୀଙ୍କ ପ୍ରତି ‘ଆହା’ ବୋଲି ପଦେ ମନରେ ଆସେ।
ଲେଖି, ପଢ଼ି, ବୁଝି ଆମ ମାତୃଭାଷାକୁ ଜାଣିବାର ପ୍ରୟାସ ଏ ପର୍ଯ୍ୟନ୍ତ ଜାରି ରହିଛି ଆମ୍ଭର; ରହିଥିବ ମଧ୍ୟ। ପଚାଶ ଡେଇଁଲାଣି ଏଇ ଭାଷା ଲେଖି, ପଢ଼ି, ବୁଝି। ଆଜି ମଧ୍ୟ ଆମ୍ଭ ମାତୃଭାଷାର ବ୍ୟବହାରରେ ଗର୍ବ ଓ ଗୌରବ ଅନୁଭୂତ ହୁଏ। ସାତ ସମୁଦର ତେର ନଈ ଏପାରିରେ କାହା ତୁଣ୍ଡରୁ ଓଡ଼ିଆ ଶୁଣିଲେ ହୃଦୟରେ ହର୍ଷୋଚ୍ଛ୍ୱାସ ହୁଏ।
ବ୍ୟବହାର ନହେଉଥିବା ଯୋଗୁଁ ଅନେକ ଶବ୍ଦ ଆଉ ଶୁଣା ଯାଉନାହିଁ। କୋମଳମତି ଶିଶୁମାନଙ୍କୁ ପ୍ରକୃତ ସମୟରେ ଶୁଦ୍ଧ ଓଡ଼ିଆ ଶିଖା ଯାଉନଥିବାରୁ ସେମାନେ ଆଉ ଓଡ଼ିଆ ଲେଖି ପଢ଼ି ପାରୁନାହାନ୍ତି। ଓଡ଼ିଆ ଭାଷାରେ ଶିକ୍ଷାପ୍ରାପ୍ତ ହୋଇ ଆମ୍ଭର ଅନେକ ଭାଇଭଉଣୀ ଉପାର୍ଜନକ୍ଷମ ହୋଇ ପାରୁନାହାନ୍ତି ତେଣୁ ଆମ ଭାଷା ଅର୍ଥକରୀ ନୁହେଁ ବୋଲି ଓଡ଼ିଶାବାସୀ ଅନ୍ୟ ଭାଷା ଶିଖିବାକୁ ବାଧ୍ୟ ହେଉଛନ୍ତି।
ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ମଞ୍ଚରେ ଅନେକ କୁମ୍ଭୀର କାନ୍ଦଣା କାନ୍ଦିବାର ମଧ୍ୟ ଦେଖୁଛି। ହେଲେ, ସେ ସବୁ ବନ୍ଦ କରିବାକୁ ହେବ। ଓଡ଼ିଆ ଭାଷାର ପ୍ରଶସ୍ତି ନିମନ୍ତେ; ଏଇ ଭାଷା ପାଇଁ ରହିଥିବା ସମସ୍ତ ସମସ୍ୟାର ସମାଧାନ ସମାଜର ସମସ୍ତ ସ୍ତରରେ କରିବାକୁ ହେବ। ସଭିଏଁ ଆଗଭର ହୋଇ ମାତୃଭାଷାକୁ ତୁଣ୍ଡ ଆଉ ମୁଣ୍ଡରେ ରଖିବାକୁ ହେବ। କେବଳ କାର, ଫଳା ଓ ଅକ୍ଷର ସଂଖ୍ୟା କମାଇ ଦେଲେ ଭାଷା ସମସ୍ୟାର ସମାଧାନ ହୁଏ ନାହିଁ। ଗଛକୁ ସୁସ୍ଥସବଳ କରି ରଖିବାକୁ ହେଲେ; ମୂଳରେ ଜଳ ଓ ସାର ଦେବା ବିଧେୟ; ଗଛର ଡାଳ ହାଣିବା ନୁହଁ। ପ୍ରଥମେ, ଏଇ ପଦକ ପ୍ରତ୍ୟେକ ଓଡ଼ିଆଙ୍କ ବୁଝିବା ହେଉ।
ଅଳମତି ବିସ୍ତରେଣ।
– ପ୍ରଭୂ

*ସମ୍ପ୍ରତିସଞ୍ଚର – ବ୍ରାହ୍ମପ୍ରଳୟ (ଏ ପ୍ରଳୟରେ ବ୍ରହ୍ମାଙ୍କର ମଧ୍ୟ ବିନାଶ ହୁଏ)

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )

4 thoughts on “ସମ୍ପ୍ରତିସଞ୍ଚର *

  1. ପ୍ରକୃତରେ ପ୍ରଶାନ୍ତ ବାବୁ ହେଉଛନ୍ତି ସାହିତ୍ୟ ଚର୍ଚ୍ଚା ପତ୍ରିକାର ସୁଯୋଗ୍ୟ ସ୍ତମ୍ଭକାର। କାରଣ ତାଙ୍କର ଲେଖା ସବୁବେଳେ ନିଆରା ହୋଇଥାଏ। ଏହି ସ୍ତମ୍ଭରେ ସେ ପ୍ରତିଥର ବ୍ୟବହାର କରୁଥିବା ନିଆରା ଓ ପ୍ରାୟ ଅବ୍ୟବହୃତ ବା ଜଣା ନଥିବା ଶବ୍ଦର ବ୍ୟବହାର ତାଙ୍କୁ ଜଣେ ଭିଡ଼ ଭିତରେ ବାରି ହେଉଥିବା ମଣିଷରେ ପରିଣତ କରିପାରିଛି। ଏଥିପାଇଁ ଅନେକ ଶୁଭେଛା ଓ ଶୁଭକାମନା। ମୋ ମତରେ ସାହିତ୍ୟ ଚର୍ଚ୍ଚା ପତ୍ରିକା କ୍ରୟ କରୁ ନଥିବା ବା କ୍ରୟ କରି ପାରୁ ନଥିବା ପାଠକମାନେ ସାହିତ୍ୟ ଚର୍ଚ୍ଚା ପୋର୍ଟାଲ୍‌ରୁ ନିଶ୍ଚିତଭାବେ ଏହି ସ୍ତମ୍ଭ ପାଠ କରିବା ଉଚିତ। ପ୍ରଶାନ୍ତ ବାବୁଙ୍କ ଲେଖା ସର୍ବଦା ମପାଚୁପା, ଅପେକ୍ଷାକୃତ କ୍ଷୁଦ୍ର, ସମୟୋପଯୋଗୀ, ତଥ୍ୟ ଓ ସୂଚନା ସମ୍ବଳୀତ ଏବଂ ଶିକ୍ଷଣୀୟ। ତେଣୁ ତାଙ୍କ ରଚନା ପଢ଼ିବାକୁ ସବୁବେଳେ ଭଲ ଲାଗେ।

    ଆଉ ଏକ କଥା : ସମ୍ପ୍ରତି ଓଡ଼ିଆ ଭାଷା ମରିଯିବ, ମରିଯାଉଛି ବା ମରିଯିବାର ସ୍ଥିତି ହୋଇଛି କହି ଅନେକ ଆଲୋଚନା ଓ ସମାଲୋଚନା ଜାରି ରହିଛି। କିନ୍ତୁ ଏହି ଭାଷାକୁ ଜୀବନ ଓ ଜିବୀକାର ଭାଷା କରିବା କାର୍ଯ୍ୟ କରିବା ପାଇଁ ଆମେ ମାନେ ବିଶେଷ କିଛି କରିବା ଭଳି ମନେ ହେଉନାହିଁ। ସରକାରୀଭାବେ ବର୍ଷକୁ ଦୁଇଥର ସପ୍ତମ ଶ୍ରେଣୀ ଓ ଦଶକ ଶ୍ରେଣୀ ସ୍ତରର ଭାଷା ପରୀକ୍ଷା କେବଳ ଯାହା ଔପଚାରିକତା ରହିଯାଇଛି। ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ ଓଡ଼ିଶା ର ନାମ ‘ଓଡ଼ିଶା’ ‘ ଡ ରେ ବିନ୍ଦୁ ଡ଼’ ଅନେକ ଲେଖୁ ନଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ପ୍ରାଥମିକସ୍ତରରେ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାନକ ଓଡ଼ିଆ ଅକ୍ଷର ଲେଖା ପାଇଁ ସରକାରୀଭାବେ ବର୍ଣ୍ଣବୋଧ ବା ମଧୁ ବର୍ଣ୍ଣବୋଧ ଏବେ ମଧ୍ୟ କାଠଗଡ଼ାରେ। ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ବର୍ଣ୍ଣବୋଧରୁ କେଉଁଟି ଠିକ୍‌ ତାହା ବିକ୍ରୟ କରୁଥିବା ଦୋକାନୀକୁ ଜଣାନାହିଁ, ଗ୍ରାହକ ଜାଣିବାର ସୁଯୋଗ ଆସିବ କେଉଁଠୁ ? ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦ୍ୱିତୀୟ ଭାଷାଭାବେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ କଥା ଆଲୋଚନା ନକରିବା ଭଲ । ଏଭଳି ସମୟରେ କହିବା କାହାକୁ, ଶୁଣିବ କିଏ ? ସ୍ଥିତି । ଓଡ଼ିଆମାନଙ୍କର ଆସନ୍ତା ଓ ବର୍ତ୍ତମାନର ପିଢ଼ିକୁ ଜଗନ୍ନାଥ ଭରସା।

  2. ଆମ ଭାଷା କିପରି ଅର୍ଥକାରୀ ହୋଇ ପାରିବ ସେ ଦିଗରେ ଚିନ୍ତା କରି ଲେଖାଯାଉ l ପରେ ସରକାରଙ୍କୁ କାର୍ଯକାରୀ ପାଇଁ ପ୍ରସ୍ତାବ ଦିଆଯାଉ

  3. 🙏☑️💐 ଓଡ଼ିଆ ଭାଷା ର ସଂରକ୍ଷଣ ଓ ବିକାଶ ପାଇଁ ଆପଣଙ୍କର ଉଦ୍ୟମ ପ୍ରଶଂସନୀୟ ଅଟେ।

  4. ଆଧୁନା ଓଡିଆ ଖବର କାଗଜ ପଢିବାକୁ ଗଲେ ମନେହୁଏ, ଖବରକାଗଜଟା ପଢା ସରିଲା ବେଳକୁ ଓଡିଆଟା ଭୁଲିଯିବି – କାରଣ “ପରନ୍ତୁ“, “ବଧାଇ” , “ଅଚାନକ୍” ଶବ୍ଦଗୁଡିକର ବହୁଳ ବ୍ଯବହାରରୁ॥ ମୋର ଜ୍ଞାନରେ ଅନ୍ଯଭାଷାରୁ ଶବ୍ଦ ଅଣାଯାଏ ଯେତେବେଳେ ନିଜ ଭାଷାରେ କୌଣଷି ଭାବପ୍ରକାଶର ଶବ୍ଦ ବା ଉପଯୁକ୍ତ ଶବ୍ଦ ନଥାଏ ॥
    କିନ୍ତୁ ଯାହା ଚାଲିଛି – ତାହାର ଓଡିଆ ପରିଶବ୍ଦ ନାହିଁ – ଇଂରାଜୀରେ ଗୋଟେ ପାଖାପାଖି ଶବ୍ଦ – servile ବା servility.
    ଇତି॥

Leave a Reply

Your email address will not be published. Required fields are marked *