ବ୍ଲାଇଣ୍ଡନେସ୍‌

ମୁଁ ଜଣେ କଲର ବ୍ଲାଇଣ୍ଡ୍ ବ୍ୟକ୍ତି। ନୀଳ ରଙ୍ଗ କ’ଣ ଏବଂ ସବୁଜ ରଙ୍ଗ କ’ଣ ମୁଁ ଜାଣେନାହିଁ।

ଜାକିର ଖାନ୍

ପୃଥିବୀବାସୀ ଆସି ବସିପଡ଼ିଲେ ସମୟ ଏକ୍ସପ୍ରେସ୍‌ରେ। ଅନନ୍ତ ଷ୍ଟେସନରୁ ଅନନ୍ତ ଷ୍ଟେସନକୁ ଯାତ୍ରା। କେତେ ବିଚିତ୍ର ସତେ, ଆରମ୍ଭ ଓ ଶେଷ ଷ୍ଟେସନର ନାଁ ପୂରା ଏକାଭଳି।
ଅନନ୍ତ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ସମୟ ଏକ୍ସପ୍ରେସ କ୍ରମେ ଗତିଶୀଳ ହେବାରେ ଲାଗିଥିଲା। ମୌନତା କ୍ରମେ ମୁଖରତାରେ ରୂପାନ୍ତରିତ ହେବାର ପ୍ରକ୍ରିୟାରେ ଥିଲା। ହଠାତ୍ ଜଣେ କହି ଉଠିଲେ – ଆରେ, ଏତେ ଧୀରେ କ’ଣ ଯାଉଛି ଏ ଗାଡ଼ି ? ତାଙ୍କ କଥାରେ ଜଣେ ପ୍ରତ୍ୟୁତ୍ତର ରଖିଲେ – କାହିଁ, ନାହିଁ ତ। ଠିକ୍ ଗତିରେ ଗାଡ଼ି ଯାଉଛି ତ। ଏଥର ଆଉ ଜଣେ କହି ଉଠିଲେ, ଠିକ୍ ଗତିରେ ! ନା ନା। ଅତି ତୀବ୍ରଗତିରେ ଗତି କରୁଛି ଏହି ଗାଡ଼ି। ଏଭଳି ଭାବରେ ସବୁ ଯାତ୍ରୀ ଅଲଗା ଅଲଗା ଭାବରେ ନିଜ ନିଜ ମତବ୍ୟକ୍ତ କରିଚାଲିଲେ। ତା’ପରେ ଆରମ୍ଭ ହେଲା ଉଚ୍ଚବାଚ, କଥା କଟାକଟି, ସମର୍ଥନ, ବିରୋଧ। ଏହାରି ଭିତରେ ଜଣେ ମନକୁ ମନ କହିଉଠିଲା – ଆମେ ଏଠି ପରସ୍ପର ପରସ୍ପରର ବିରୋଧୀ। କିନ୍ତୁ ସେ ଏହା ଏତେ ନିମ୍ନ ସ୍ୱରରେ କହିଲା ଯେ ତାହା ତା’ ନିଜ ବ୍ୟତୀତ ଅନ୍ୟ କାହାରିକୁ ଶୁଣାଗଲା ନାହିଁ। ଇତିମଧ୍ୟରେ ଗାଡ଼ିଟି ଏକ ଅନ୍ଧକାରରେ ପରିପୂର୍ଣ୍ଣ ଟନେଲ ଭିତରେ ପଶିଗଲା। ଅନ୍ଧାର କାରଣରୁ ଏକ ଶୀତଳ ନୀରବତା ପ୍ରସାରିତ ହୋଇଗଲା ଗାଡ଼ି ଭିତରେ। ଚାରିଆଡ଼େ ନିସ୍ତବ୍ଧ ନୀରବତା।
ତେବେ ଅନ୍ଧାର ହଟିଗଲା ପରେ ଧୀରେ ଧୀରେ। ପୁଣି ଯାତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା ଯାହା କ୍ରମେ ସଘନ ହେବାରେ ଲାଗିଲା। ଆମେ ସମସ୍ତେ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ବା ଚର୍ଚ୍ଚା କରନ୍ତେ, ତେବେ ଯାଇ ଆମ ବାର୍ତ୍ତାଳାପ ସଠିକ୍ ଦିଗରେ ଆଗେଇପାରନ୍ତା। ନଚେତ ଭିନ୍ନ ଭିନ୍ନ ବିଷୟରେ ଚର୍ଚ୍ଚା କଲେ କେହି କାହାକୁ ଶୁଣିପାରିବେନି। ଅଯଥାରେ ହୋହାଲ୍ଲା, ଘୋ ଘା ହେବା ହିଁ ସାର ହେବ। ଏପରିକି ହାତାହାତି ଏବଂ ରକ୍ତପାତ ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ମତ ପ୍ରକାଶ ପାଇଲା। ତେଣୁ ଶାନ୍ତି ବଜାୟ ରଖିବା ପାଇଁ ସ୍ଥିର ହେଲା ଯେ ଆକାଶର ନୀଳ ରଙ୍ଗ ଏବଂ ଧରିତ୍ରୀର ସବୁଜିମାକୁ ନେଇ ଚର୍ଚ୍ଚା କରାଯିବ।

ଜଣେ ଧନୀ ଓ ଶକ୍ତିଶାଳୀ ଭଳି ଦେଖାଯାଉଥିବା ବ୍ୟକ୍ତି ଯାହାଙ୍କ ପାଖରେ ଜଣେ ଧର୍ମଗୁରୁ ମୌନ ହୋଇ ବସି ରହିଥିଲେ କହିଲେ – ଭାବିଲେ ଦେଖି, ଯଦି ଆକାଶଟା ନୀଳ ଓ ପୃଥିବୀଟା ସବୁଜ ରଙ୍ଗର ହୋଇ ନ ଥାନ୍ତା ତେବେ କେତେ ଭୟଙ୍କର ହୋଇଥାନ୍ତା। ମୋ ମତରେ ଏହି ରଙ୍ଗ ଭିନ୍ନ ଆକାଶ ଓ ପୃଥିବୀ ଯଦି ଅନ୍ୟ କିଛି ରଙ୍ଗର ହୋଇଥାନ୍ତା ତେବେ ଆମ ଜୀବନ ଦୁର୍ବିସହ ହୋଇଉଠନ୍ତା। ନା’ କ’ଣ କହୁଛନ୍ତି?
ଏହା ପରେ ଆରମ୍ଭ ହେଲା ଆଲୋଚନା। ହାତଗଣତି କେତେ ଜଣଙ୍କୁ ଛାଡ଼ି ପ୍ରାୟ ସମସ୍ତେ ଏହି କଥାରେ ଏକମତ ହେଲେ। ସଭିଙ୍କ ମତରେ ଏହି ଦୁଇଟି ରଙ୍ଗ ଉପଯୁକ୍ତ ବୋଲି ଆଲୋଚନା ହେଲା। ତେବେ ଧୀରେ ଧୀରେ ସେମାନଙ୍କ କଥାବାର୍ତ୍ତାରେ ବିରୋଧାଭାସର ଆଭାସ ମିଳିଲା। ଜଣେ କହିଲେ – ଠିକ୍ ଅଛି ଯେ କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ। ଏଥିରେ ଅନେକ ଅଭାବ ମଧ୍ୟ ରହିଛି। ଏଭଳି ନୈରାଶ୍ୟବାଦୀଙ୍କ କଥା ସହିତ ମଧ୍ୟମମାର୍ଗର କିଛି ଲୋକଙ୍କର ଚାପା ସମର୍ଥନ ପରିବେଶକୁ କେମିତି ଗମ୍ଭୀର ଗମ୍ଭୀର କରିଦେଲା। ଅତ୍ୟଧିକ ଆଶାରେ କେତେ ଜଣ କହି ଉଠିଲେ – ଏହା ଆହୁରି ସୁନ୍ଦର ହୋଇପାରିଥାନ୍ତା। ଏଥିରେ କେଉଁ କେଉଁ ଉପାଦାନ ରହିଥିଲେ ଏହା ଅଧିକ ସୁନ୍ଦର ଓ ରୋଚକ ହୋଇପାରିଥାନ୍ତା, ସେ ସମ୍ପର୍କରେ ମଧ୍ୟ ବିଶଦ ଭାବରେ ଚର୍ଚ୍ଚା ଆଗକୁ ବଢ଼ିବାକୁ ଲାଗିଲା। ଆଲୋଚନା ଯାଇ ପହଞ୍ଚିଲା ଜଣେ ଯୁବକଙ୍କ ପାଖରେ। ସେ ଏଯାଏଁ ଗାଡ଼ିରେ ବସିରହି ବାହାର ଆଡ଼କୁ ଚାହିଁରହିଥିଲେ। ଆରମ୍ଭରୁ ସେ ଇଚ୍ଛାକୃତ ଭାବରେ ବେଶ ଉଦାରତାର ସହ ଆଲୋଚନା ଓ ଚର୍ଚ୍ଚାରୁ ଦୂରେଇ ରହିଥିଲେ। ହଠାତ୍ ଲୋକଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ ହେବାରୁ ସମସ୍ତେ ତାଙ୍କ ମତ କ’ଣ ବୋଲି ଜାଣିବାକୁ ଇଚ୍ଛା କଲେ।
ଲୋକଙ୍କ ପ୍ରଶ୍ନରେ ଯୁବକ ଜଣଙ୍କ ସାମାନ୍ୟ ଅସହଜ ମନେହେଲେ। କେମିତି ଟିକେ ପରାଜିତ ପରାଜିତ ମନେହେଲା ତାଙ୍କର ଅବସ୍ଥା। ତେବେ ସେ ହଠାତ ନିଜକୁ ସମ୍ଭାଳି ନେଇ ଟିକେ ସଳଖି ବସିଗଲେ। ପରିଷ୍କାର କରି କହିଲେ – ଦେଖନ୍ତୁ ଆଜ୍ଞା। ମୁଁ ଜଣେ କଲର ବ୍ଲାଇଣ୍ଡ୍ ବ୍ୟକ୍ତି। ନୀଳ ରଙ୍ଗ କ’ଣ ଏବଂ ସବୁଜ ରଙ୍ଗ କ’ଣ ମୁଁ ଜାଣେନାହିଁ। ଏହି ଦୁଇଟି ରଙ୍ଗ ସମ୍ପର୍କରେ ମୋର ଧାରଣା ନାହିଁ। ମୋତେ ଆକାଶ କଳା ଦେଖାଯାଏ। ଆଉ ଏ ପୃଥିବୀର ସବୁଜିମା ମୋତେ ଧଳା ଦୃଶ୍ୟମାନ ହୁଏ। ହଁ, ଜାଣିଛନ୍ତି ରାତିରେ ମୋତେ ଉଭୟ ଆକାଶ ଓ ପୃଥିବୀ କେବଳ ଓ କେବଳ କଳା ରଙ୍ଗର ବୋଲି ଲାଗେ। ଆପଣମାନଙ୍କ ଠାରୁ ଏହାର ପ୍ରକୃତ ରଙ୍ଗ ସଂପର୍କରେ ଶୁଣି ମୁଁ କଳ୍ପନା କରୁଥିଲି ସତରେ ଏ ଆକାଶ ଓ ଏ ପୃଥିବୀ କିଭଳି ? ଏପରିକି ମୋ କଳ୍ପନାର ଶେଷ ସୀମାରେ ପହଞ୍ଚି ମଧ୍ୟ ମୁଁ ଆପଣମାନଙ୍କ କହିବା ମୁତାବକ ଏହାର ରଙ୍ଗକୁ କଳ୍ପନା କରିପାରିଲି ନାହିଁ। ତେଣୁ ବାହାର ଆଡ଼କୁ ଚାହିଁରହି ଆଲୋଚନାରୁ ଖସିଯିବାକୁ ଚାହୁଁଥିଲି।
ଯୁବକଙ୍କ କଥା ଶୁଣି ଗାଡ଼ି ଭିତରେ କିଛି ସମୟ ପାଇଁ ନୀରବତାର ଆସ୍ତରଣ ଖେଳିଗଲା। କିଛି ସମୟ ପରେ ଲୋକେ ଯୁବକଙ୍କ ଉପସ୍ଥିତି କଥା ଭୁଲିଗଲେ ବୋଧହୁଏ। କାରଣ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଥିଲା। ଅବଶ୍ୟ ସମବେଦନାରୁ କଥା ଆରମ୍ଭ ହୋଇ କୋଳାହଳରେ ରୂପାନ୍ତରିତ ହୋଇଥିଲା।
ଗାଡ଼ିରେ ଯୁବକଙ୍କ ଅନୁରୂପ ଆଉ ଜଣେ ଥିଲା। ସେ ଥିଲା ଜଣେ ସୁନ୍ଦରୀ ତରୁଣୀ। ସେ ମଧ୍ୟ ଆଲୋଚନାଠାରୁ ଏଯାଏଁ ଦୂରେଇ ରହିଥିଲା। ଲୋକଙ୍କ ସମୂହ ପ୍ରଶ୍ନରେ ଝିଅଟି ଆଦୌ ବିଚଳିତ ବା ହତପ୍ରଭ ହେଲା ନାହିଁ। ବରଂ ସ୍ମିତ ହସି ଲୋକଙ୍କ ଆଡ଼କୁ ସିଧା ସିଧା ଚାହିଁଲା। ସତେ ଯେମିତି ଦୂରରୁ ଥାଇ ସେ କେଉଁ ଅନ୍ଧାରୀ ଗହ୍ୱର ଭିତରେ କିଛି ଖୋଜି ହେଉଛି। ସେଇଭଳି ଜଣାଗଲା ତା’ର ଭାବ। ତା’ପରେ ସେ ପୂର୍ବ ଭଳି ହସ ହସ ମୁହଁରେ କହିଲା – ଦେଖନ୍ତୁ ଆଜ୍ଞା। ମୁଁ ଜମାରୁ ଦେଖିପାରେ ନାହିଁ। ଜନ୍ମରୁ ଆଖି ନାହିଁ ମୋର। ମୋତେ ଆପଣ ଜଣେ ଅନ୍ଧ ବୋଲି କହିପାରନ୍ତି। କୌଣସି ରଙ୍ଗକୁ ମୁଁ ସ୍ୱଚକ୍ଷୁରେ କେବେ ବି ଦେଖିନାହିଁ। ଗୋଟିଏ ରଙ୍ଗରୁ ଅନ୍ୟ ରଙ୍ଗଟିର ଭିନ୍ନତା କ’ଣ ତାହା ମୋତେ ଜଣା ନାହିଁ। କିନ୍ତୁ ଗୋଟିଏ କଥା କହିବି। ଏ ସବୁ ରଙ୍ଗର ମାୟାଜାଲ କେବଳ ଆଉ କେବଳ ବାହ୍ୟ ଆବରଣ ବୋଲି ମୁଁ ମନେକରେ। କିନ୍ତୁ ଗୋଟିଏ କଥା ଜାଣିଛନ୍ତି, ଆପଣମାନେ ଯେତେ ସବୁ ରଙ୍ଗ ବିଷୟରେ ଚର୍ଚ୍ଚା କଲେ ବା କରିଥାନ୍ତି, ଖରାପ ଭାବିବେ ନାହିଁ, ମୁଁ ଏହାଠାରୁ ଆହୁରି ହଜାର ହଜାର ଭିନ୍ନ ଭିନ୍ନ ରଙ୍ଗ ସମ୍ପର୍କରେ ଜାଣିଛି। ସେସବୁକୁ ମୁଁ ଅନୁଭବ କରିଛି ଓ କରୁଛି ମଧ୍ୟ। ଜାଣିଛନ୍ତି ମୋ କଳ୍ପନାରେ ଭରି ରହିଛି ଅନେକ ରଙ୍ଗ। ଯାହା ଆପଣଙ୍କ ଦୃଶ୍ୟ ଜଗତରେ ନାହିଁ। ରଙ୍ଗର ଉପସ୍ଥିତି ବା ଅନୁପସ୍ଥିତି ତେଣୁ ମୋତେ କେବେ ବି ପ୍ରଭାବିତ କରିପାରି ନ ଥାଏ। ଏହା ଦ୍ୱାରା ମୋର କିଛି ଫରକ ପଡ଼େନାହିଁ। ମୁଁ ଯେତିକି ଅନୁଭବ କରିଛି ଏ ଆକାଶ, ଏ ପୃଥିବୀ ଖୁବ୍ ଖୁବ୍ ଖୁବ୍ ସୁନ୍ଦର। ଏତେ ସୁନ୍ଦରତାରେ ଭରପୂର ଯେ ଏହା ଆଗକୁ ସୁନ୍ଦରତା ସମ୍ପର୍କରେ ଆଉ ଚର୍ଚ୍ଚା ଛାଡ଼ନ୍ତୁ, କଳ୍ପନା ମଧ୍ୟ କରାଯାଇ ପାରେନା। ଏତିକି କହି ସେ ପୂର୍ବ ଭଳି ସେଇମିତି ସ୍ମିତ ହାସ୍ୟ ସହକାରେ ରୁମାଲରେ ଆଖି ପୋଛିଲା।
ଗାଡ଼ିରେ ପୁଣି ଖେଳିଗଲା ଏକ ଶୀତଳ ନୀରବତା। ଏଭଳି ଶୀତଳତାର ପ୍ରଭାବରେ ଶବ୍ଦସବୁ ବରଫ ପାଲଟି ଯାଉଥିଲା।
ସମୟ ଏକ୍ସପ୍ରେସ ତୀବ୍ର ଗତିରେ ମାଡ଼ିଯାଉଥିଲା ଆଗକୁ ଆଗକୁ। ଅନନ୍ତରୁ ଅନନ୍ତକୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର,୨୦୨୩ ସଂଖ୍ୟାରେ ପ୍ରକାଶିତ। )

3 thoughts on “ବ୍ଲାଇଣ୍ଡନେସ୍‌

  1. ଜାକିର ହାତଗଣତି କଳ୍ପନବାଦୀ ଓଡ଼ିଆ ଲେଖକ ମଧ୍ୟରେ ଜଣେ।

  2. ଜାକିରଙ୍କ ଲେଖା କେଉଁ ଶ୍ରେଣୀର ଯିବ ମୁଁ ପଡ଼ି ସାରିବା ପରେ ମଧ୍ୟ ଭାବି ପାରୁନାହିଁ। କାରଣ ସମ୍ପାଦକ ମହାଶୟ ଯଦିଓ ଏହାକୁ କ୍ଷୁଦ୍ରଗଳ୍ପ ଶ୍ରେଣୀଭୁକ୍ତ କରିଛନ୍ତି , ମୁଁ ଭାବୁଛି ଏହା କେବଳ ଏକ କ୍ଷୁଦ୍ର ଗଳ୍ପ ନୁହେଁ, ଏହା ଏକ ଚମତ୍କାର ନିବନ୍ଧ ମଧ୍ୟ ହୋଇପାରେ। ସେ ଯାହାହେଉ ଆଜିର ବ୍ୟସ୍ତ ସମୟ ମଧ୍ୟରେ ସମସ୍ତେ ନିଜ ନିଜ କଥା ଓ ପ୍ରାୟ ସମସ୍ତେ ମୋବାଇଲ ଓ ସାମାଜିକ ଗଣମାଧ୍ୟମ ସହିତ ଯୋଡ଼ି ହେବାର ଦୁର୍ବାର ନିଶା ସମୟରେ ଜାକିର ଖାନ ଙ୍କ ଲେଖାଟି ନିଶ୍ଚିତ ଭାବେ ଏକ ଅଲଗା ବା ନିଆରା। ସାମ୍ପ୍ରତିକ ସମୟରେ ଆମେ ସମସ୍ତେ ଅଧିକରୁ ଅଧିକ ବସ୍ତୁବାଦୀ ହୋଇଯାଉଥିଲାବେଳେ ମାନବବାଦୀ ଚିନ୍ତା ଓ ଚେତନାରୁ ଦୁରେଇ ଯାଉଥିବା ସମୟରେ ଏହି ଲେଖା ମାଧ୍ୟମରେ ଲେଖକଙ୍କ ମାନବବାଦୀ ଚିନ୍ତା ଓ ଚେତନା ବେଶ୍‌ ମାର୍ମିକ ହୋଇଛି। ସେଥିପାଇଁ ଲେଖକ ଓ ସମ୍ପାଦକକଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ସର୍ବଦା କିଛି କିଛି ନୂଆ ଧରଣର ଲେଖା ମାଧ୍ୟମରେ ପାଠକ ପାଖରେ ପହଞ୍ଚୁଥିବା ସାହିତ୍ୟ ଚର୍ଚ୍ଚା ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଏହି ଲେଖା ମାଧ୍ୟମରେ ପ୍ରତିଟି ବ୍ୟକ୍ତି ନିଜର ଅନ୍ତରାତ୍ମା କଥା ଚିନ୍ତା କରିବା ପାଇଁ କିଛି ସମୟ ଦେବା ଉଚିତ ବୋଲି ଲେଖକ ବାର୍ତ୍ତା ଦେଇଛନ୍ତି ବୋଲି ମୋର ମତ।

Leave a Reply

Your email address will not be published. Required fields are marked *