ମୋ ସ୍ମୃତିରେ ଶଗଡ଼

ଆମ ପିଲାଏ କହୁଚନ୍ତି, ବିନା ବିଜୁଳି ଆଲୁଅରେ, ବିନା ବସ୍‌ରେ ତମେ ସବୁ କେମିତି ଚଳୁଥିଲ? ଖରାଦିନେ କେମିତି କାଟୁଥିଲ ବିନା ଏ.ସି.ରେ? କେମିତି ଶଗଡ଼ରେ ବସି ଏତେ ଏତେ ବାଟ ଯାଉଥିଲ?

ବନଜ ଦେବୀ

ଆମ ଗାଁ ଗୋଟିଏ ଛୋଟ ଗାଁ। କିନ୍ତୁ ଭାରି ସୁନ୍ଦର। ପୁରୀ ରେଳ ଲାଇନ୍ କଡ଼ରେ ହିଁ ଆମ ଗାଁ। ରେଳ ଧାରଣା ସଂଲଗ୍ନ ନୟନଯୋରିରେ, ଅଶିଣ ମାସରେ ଯେଉଁ ନାଲି ଓ ଧଳା କଇଁ ଫୁଲ ଫୁଟେ ତା’ର ଶୋଭା ଅତୁଳନୀୟ। ଶରତ ଋତୁରେ ଆମ ଗାଁର ରୂପ ଚହଟି ଉଠେ। ଶରତର ଜହ୍ନ ସେଇ ଚହଟା ରୂପକୁ ଆହୁରି ଝଲସାଇଦିଏ। ଶାଗୁଆ ଧାନକ୍ଷେତ, ନୟନଯୋରିର କଇଁଫୁଲ, ଆକାଶରେ ଉଡୁଥିବା, ଶଙ୍ଖଚିଲ, ଭଦଭଦଳିଆ ଓ କଜଳପାତିର ଉଡ଼ାଣ ଏସବୁକୁ ନେଇ ମୋ ଗାଁ ଭାରି ଛବିଛବିକା। ଆଉ ତା’ର ବାସ୍ନା କେବଳ ଅନୁଭବ କରିହେବ।
ପୁରୀ ରେଳପଥ କଡ଼ରେ ଆଜିକାଲି ଯେଉଁ “ଜେନାପୁର ରୋଡ୍‌” ଷ୍ଟେସନଟି ହେଇଚି ତାହା ହିଁ ଆମ ଗାଁ ପୋଷଲ। କିନ୍ତୁ ଆମ ଗାଁ ମୁଣ୍ଡ ଷ୍ଟେସନର ନାଁ କାହିଁକି ଜେନାପୁର ରୋଡ୍ ହେଲା, ମୁଁ ବୁଝିପାରେନି। ଏ ଗାଁରେ ମୁଁ ଜନ୍ମି ନାହିଁ, କି ବଢ଼ି ବି ନାହିଁ। କେବଳ ଛୁଟି ଦିନମାନଙ୍କରେ ଗାଁକୁ ଆସି ସାମୟିକ ରହିଯାଇଚି। ହେଲେ ସେ ସ୍ମୃତି ଏତେ ବିପୁଳ ଯେ ଅବିସ୍ମରଣୀୟ ହୋଇ ରହିଛି। ଗାଁ ସ୍ମୃତି ସହ ଯୋଡ଼ି ହେଇ ରହିଛି ଶଗଡ଼। ସେତେବେଳେ ଆମ ଗାଁରୁ ଲୋକମାନେ ଚାଲି ଚାଲି ଯାଉଥିଲେ ପୁରୀ। ପଚାଶ ଦଶକର ଶେଷାର୍ଦ୍ଧରେ ପୁରୀରୁ କଣାସ ବସ୍ ଚାଲିଲା। ସାଆନ୍ତମାନେ ସବାରିରେ ଯାଉଥିଲେ। ଆମ କୋଠିଘର ବାରଣ୍ଡାରେ ଏବେ ବି ଗୋଟେ ସବାରି ଅଛି। ସେଥିରେ କେହି ବସିବା ମୁଁ ଦେଖିନି କି ଜାଣିନି। ପଚାଶ ଦଶକର ଶେଷରେ ସେଇ ସବାରିରେ ବସି ମୁଁ ବିଦା ହେଇଥିଲି। ଯଦିଓ କାର ଚଳାଚଳ ଥିଲା, କିନ୍ତୁ ମୋ ଶ୍ୱଶୁର ନିଜ ଖାନଦାନି ରଖିବା ପାଇଁ ସବାରି ପାଲିଙ୍କି ବ୍ୟବସ୍ଥା କରିଥିଲେ, ଏ ସବୁ କରଣିଆ ଚାଲ୍।
ଶଗଡ଼ ଯାତ୍ରା
ଶଗଡ଼ରେ ବସି ମୁଁ ପିଲାଦିନେ କାହିଁ କାହିଁ ଜାଗା ବୁଲିଛି। ବାପା ଭାରି ସଙ୍ଗୀତପ୍ରିୟ ଓ ଯାତ୍ରା ପ୍ରିୟ ଥିଲେ। ତାଙ୍କ ସହ ଶଗଡ଼ରେ ଯାଇ ମୁଁ ବଳଙ୍ଗା ମେଳଣ, ବେନୁପଡ଼ା ମଠ, ଆଦି ସବୁ ବୁଲିଚି। ସାଗର ସାନ ମେଳଣକୁ ମୁଁ ବହୁବାର ଯାଇଛି। ତା’ ଛଡ଼ା ଶଗଡ଼ରେ ବସି ମୁଁ ମୋ ମାମୁ ଘର ନିମାପଡ଼ା ପାଖ ନିନିଗାଁକୁ ଦି’ ଥର ଯାଇଛି। ଭୋରରୁ ଆମେ ଶଗଡ଼ରେ ବାହାରିପଡୁ। ବୋଉ ରାତିର ସରୁଚକୁଳି, ସୁଜିଖିରି ଓ ଆଳୁଭଜା, ଟିଫିନ ବାଟିରେ ନେଇଥାଏ। ବାଟରେ ତାକୁ ଖାଉ, ଦିନ ଏଗାରଟା ବେଳକୁ ତାଙ୍କ ଗାଁ ମୁଣ୍ଡେ ପହଞ୍ଚିଯାଉ। ଗାଁ ମୁଣ୍ଡେ ପହଞ୍ଚିଲା ବେଳଠୁ ବୋଉର ବାହୁନା ଆରମ୍ଭ ହେଇଯାଏ। ପିଲାଦିନେ ମୁଁ ଦେଖିଚି ମୋ ପିଇସୀ ଆମ ଘରକୁ ଆସିଲେ ଗାଁ ମୁଣ୍ଡରୁ ହିଁ ବାହୁନା ଆରମ୍ଭ କରିଦେଇଥାନ୍ତି। ୟେ ଥିଲା ସେତେବେଳେ ଗୋଟେ ଧରାବନ୍ଧା କଥା।


ସାଗର ସାନ ମେଳଣକୁ ଶଗଡ଼ରେ ଯିବା ମଜା ସତରେ ଭୁଲି ହୁଏନା। ସକାଳୁ ଗାଧେଇସାରି ଆମେ ଶଗଡ଼ରେ ବସୁ। ଆମର ଦି’ଖଣ୍ଡ ଶଗଡ଼ ଯାଏ। ଗୋଟାକରେ ଜିନିଷପତ୍ର ଓ ଅନ୍ୟଟାରେ ଆମେ। ଆମ ଗାଁର ଛ’ ସାତ ଖଣ୍ଡ ଶଗଡ଼ ଯାଏ। ଆମ ଶଗଡ଼ଟି ଥାଏ ଅଧିକ ମର୍ଯ୍ୟାଦାବନ୍ତ ଓ ସୁନ୍ଦର। ସମସ୍ତଙ୍କ ତୁଣ୍ଡରେ ବାବୁଘର ଶଗଡ଼। ଆମ ବଳଦ ଦୁଇ ହଳଙ୍କ ପିଠିରେ ପଡ଼ିଥାଏ ନାଲି ନେଳି ସୂତାରେ କୁଶରେ ବୁଣାଯାଇଥିବା ଝାଲର। ଏ ସବୁ ବୋଉ ବୁଣିଥାଏ। ବୁଣାବୁଣି, ଚିତା ଠାଆ, ରନ୍ଧାବଢ଼ା, ସବୁଥିରେ ମୋ ବୋଉର ହାତ ବେଶ ପାକଳ। ବଳଦ ବେକରେ ଥାଏ ଘଣ୍ଟି। ଡାକେ ବାଟରୁ ସେ ଘଣ୍ଟିନାଦ ଶୁଣାଯାଏ। ଶଗଡ଼ ଭିତରେ ନଡ଼ା ଉପରେ ପଡ଼ିଥାଏ ଚାରି ଚଉତା ଗୋଟେ ସତରଞ୍ଜି, ତା’ ପାଖରେ ଗୋଟେ ତକିଆ। ଆଉଜେଇ ଆସନରେ ବସି ଶୋଇ, ଆମର ଯାତ୍ରା ଚାଲେ। ଶଗଡ଼ିଆ ଅଧିକାରୀ ଭଲ ଗୀତ ବୋଲେ। ସେ ଗୀତ ବୋଲି ବଳଦ ପିଠିରେ ଦିଥର ଥାପୁଡ଼େଇ ଦେଲେ, ବଳଦ ଏମିତି ଧାଅଁନ୍ତି ଯେ ଡର ମାଡ଼େ। ସାଗର ସାନରେ ପହଞ୍ôଚଲା ବେଳକୁ ଏଗାରଟା। ସେଇଠି ଶଗଡ଼ରେ ଚାଦର ବାନ୍ଧି ଦେଇ, ଜାଗାଟାକୁ ସଫା କରାଯାଏ। ତିନିଟା ପଥରରେ ଅସ୍ଥାୟୀ ଚୁଲି ହୁଏ। ଆମ ହଳିଆମନେ ରାନ୍ଧିଲେ ତ ବୋଉ ଖାଇବ ନାହିଁ। ତେଣୁ ସେ ନିଜେ ରାନ୍ଧେ। ବେଶି କିଛି ନୁହେଁ, ଭାତ, ଡାଲମା। ଡାଲମାରେ ହେଙ୍ଗୁ, ନାଡ଼ି ଓ କୋରା ନଡ଼ିଆ ପଡ଼ିଥାଏ। ସତରେ ସେଇ ଗଛମୂଳର ଭାତ ଡାଲମା ଏତେ ସୁଆଦ ଲାଗେ କହି ହେବନି। ଖିଆପିଆ ପରେ ଯାତ୍ରା ବୁଲା ହୁଏ। ସଞ୍ଜ ସରିକି ଆମେ ମେଳା ବୁଲିସାରି ଘରକୁ ଫେରୁ। ମେଳାରୁ ବୋଉ, ବରା, ପିଆଜି ଓ ଜଲବି କିଣିଥାଏ। ବାଟରେ ଖାଉ।
ଭୂତ ପ୍ରସଙ୍ଗ
ସେତେବଳେ ପଟ୍ଟନାହାକିଆ ଥିଲା ଘଞ୍ଚ ଜଙ୍ଗଲ, ଭାଲୁ, ହେଟାବାଘ ଥା’ନ୍ତି ବୋଲି ଲୋକେ କହନ୍ତି। ତା’ ଛଡ଼ା ଭୂତ ପ୍ରେତ ବି। ମତେ ଭୂତ କଥା ଶୁଣିବାକୁ ଭଲ ଲାଗେ, ଡର ବି ଲାଗେ ତହୁଁ। ମୁଁ ଆମ ଶଗଡ଼ିଆ ଅଧିକାରୀଙ୍କୁ କହେ ତୁ ପରା ଭୂତ ଦେଖୁଚୁ, କହୁନୁ। ଅଧିକାରୀ କହିଲା ସେ ପୁରୀରୁ ଅବଢ଼଼ା ନେଇ ଫେରୁଥିଲା ଗାଁ’କୁ ଶଗଡ଼ରେ। ପଟ୍ଟନାହାକିଆ ଜଙ୍ଗଲ ଭିତରେ ତା’ ଶଗଡ଼ ପଛେ ପଛେ ଆସିଲା ଗୋଟେ ବ୍ରହ୍ମ ରାକ୍ଷସ। ତା’ ଦେହ ଯାକ ରୁମ ଏତେ ଏତେ ଭାଲୁ ପରି। ହାତ ପତେଇ ଥାଏ। ବୋଉ କହିଲା, ହଁ, ଭୂତ ପ୍ରେତଙ୍କର ମହାର୍ଦ୍ଦ ପ୍ରତି ଲୋଲୁପତା ଥାଏ। ତାକୁ ପାଇଲେ ସେମାନେ ମୁକ୍ତି ପାଇଯିବେ। ପଟ୍ଟନାହାକିଆ ଜଙ୍ଗଲ ଭିତରେ ରାତିଥାଏ ଫେରିଲା ବେଳେ, ମୁଁ ଆଖିବୁଜି ବୋଉ ଦେହକୁ ଜାବୁଡ଼ି ଧରି ବସେ। ପିଲା ଦିନର ସ୍ମୃତି ଛାଇ ଛାଇ ମନେ ପଡୁଛି। ଶଗଡ଼ରେ କୋଣାର୍କ ଯିବା କଥା। ଶ୍ରୀ ପଞ୍ଚମୀ ଦିନ ରାତି ଦଶଟା ବେଳକୁ ପାଞ୍ଚ ଛଅ ଖଣ୍ଡ ଶଗଡ଼ ଆମ ଗାଁରୁ ବାହାରେ, ସକାଳରୁ ରାତି ହୁଏ। ଏବେ ତ ନାଁ ମନେ ପଡୁନି। ଗଛ ମୂଳେ ଶଗଡ଼ ଫିଟେ। ପୋଖରୀରେ ଦାନ୍ତ ଘଷି ସାରି ବୋଉ ଆଣିଥାଏ ରାତିର ନକ୍ଷତ୍ର ଏଣ୍ଡୁରି, ଖିରିସା ପାଣି ଓ କୋରା। ଆମେ ତାକୁ ଖାଉ। ଅନ୍ୟ ସମସ୍ତଙ୍କ ପାଇଁ ଆମ ଖମାରୋଇ (ହଳିଆମାନଙ୍କ ମୁଖ୍ୟ) ବଡ଼ ଡାଲାରେ ଗୁଣ୍ଡ ଚୁଡ଼ାରେ କୋରା ନଡ଼ିଆ, ଗୁଡ଼, ଘିଅ ଓ କମଳା ରସ ଦେଇ ଚୁଡ଼ାଘଷା କରେ। ଆମ ଅଞ୍ଚଳରେ ଚୁଡ଼ାଘଷାଟା ପ୍ରସିଦ୍ଧ। ଚୁଡ଼ାଘଷାକୁ କାନ୍ଥକୁ ଛାଟି ଦେଲେ ତାହା ଯଦି କାନ୍ଥରେ ଲାଗିଗଲା, ତାହା ହିଁ ବଢ଼ିଆ ଚୁଡ଼ାଘଷା। ଆମ ପୁରୀରେ ଯଦିଓ ଚୁଡ଼ାଘଷା ସାଙ୍ଗରେ ଡାଲମାର ଗୋଟେ ସଂଯୋଗ ଥାଏ। ଖିଆପିଆ ପରେ ପୁଣି ଶଗଡ଼ ଚାଲେ ବାର ବେଳର ଭାତ ଡାଲମା ସେଇ ଗଛ ମୂଳେ ହୁଏ। ସଞ୍ଜ ପରେ ଶଗଡ଼ ଚନ୍ଦ୍ରଭାଗାରେ ପହଞ୍ôଚଯାଏ। ଆଜି ଏକଥା ଭାବିଲେ ଭାରି ଭଲ ଲାଗେ। ମନ ଆଉଟି ହୁଏ ପଛ କଥା ପାଇଁ।
ଖାଲି ପିଲାଦିନ ନୁହେଁ, ଶଗଡ଼ରେ ବସିବା ଅଭ୍ୟାସ ବହୁତ ଦିନ ଯାଏଁ ଥିଲା। ସତୁରି ଦଶକରେ ମୋ ଶାଶୁ ଘର ଗାଁକୁ ବସ୍ ଚଳାଚଳ ନ ଥିଲା। ଆମେ ଖୋର୍ଦ୍ଧାରେ ବସ୍‌ରୁ ଓହ୍ଲାଉ। ଶଗଡ଼ ଆସିଥାଏ ଗାଁରୁ ଆଠ କିଲୋ ମିଟର ବାଟ। ଆମେ ଶଗଡ଼ରେ ଯାଉ। ଯଦି ଟ୍ରେନ୍‌ରେ ଆସୁ ତେବେ କାଇପଦର ରୋଡ୍‌ରେ ଓହ୍ଲାଇ ଶଗଡ଼ରେ ହିଁ ଯାଉ। ସେତେବେଳେ ଅଟୋ କି ରିକ୍ସା ଜମା ନ ଥିଲା।
ଅଭୁଲା ଅଧ୍ୟାୟ
ଶେଷରେ ଏଇ ଶଗଡ଼କୁ ନେଇ ଗୋଟିଏ କଥା କହିବି। ଶୁଣିବା କଥା। କାରଣ ସେତେବେଳେ ମୁଁ ଜନ୍ମ ହେଇ ନ ଥିଲି। ଇତିହାସର ଏକ ଅଭୁଲା ଅଧ୍ୟାୟ। ମହାତ୍ମାଗାନ୍ଧୀ, କସ୍ତୁରବା, ମହାଦେବ ଦେଶାଇଙ୍କ ସହ ସାତଦିନ ବେରବୋଇରେ ଥିଲେ। ସେତେବେଳେ ପୁରୀ କଣାସ ରାସ୍ତାରେ ଧାଡ଼ି ଧାଡ଼ି ଶଗଡ଼ ସକାଳୁ ରାତି ଅଧଯାଏଁ ଯାଉଥାଏ ଆସୁଥାଏ, ଆମ ଘରେ ଏତେ କୁଣିଆ ହେଲେ ଯେ ରୋଷେଇ ପାଇଁ ଖନ୍ଦାଶାଳ ହେଲା। ବୋଉ କହେ ସବୁଦିନ ଆମ ଘରୁ ସାତଖଣ୍ଡ ଶଗଡ଼ ଯାଏ ଗାନ୍ଧୀଙ୍କୁ ଦେଖିବାକୁ। ଖରାବେଳେ ଫେରି ଖାଇକରି ପୁଣି ଯା’ନ୍ତି ଯେ ଆସନ୍ତି ରାତିକୁ। ଆମ ଗାଁରୁ ବେରବୋଇ ଦେଢ଼ କୋଶ ବାଟ ମାତ୍ର। ଖାଲି ଆମ ଗାଁରୁ ନୁହେଁ, ଆମ ଆଖପାଖ ସବୁ ଗାଁରୁ ଲୋକମାନେ ଶଗଡ଼ରେ ଓ ଚାଲି ଚାଲି ଗାନ୍ଧୀଙ୍କୁ ଦେଖିବାକୁ ଯା’ନ୍ତି, ଆମ ଘର ସାମ୍ନାରେ ଯାଇଥିବା ନାଲି କଚା ରାସ୍ତାଟା ସେତେବେଳେ କୋଳାହଳ ମୁଖର ହେଇଥାଏ।
ଏବେ ଆଉ ସେଦିନ ନାହିଁ। ସମୟ ଆଗକୁ ଧାଉଁଚି। ତା’ ସାଥିରେ ତାଳ ଦେଇ ମଣିଷ ମଧ୍ୟ। ହେଲେ ପଛକୁ ଚାହିଁଲେ ଏସବୁ ଦୃଶ୍ୟ ଆଖି ଆଗରେ ନାଚୁଛି। ଆମ ପିଲାଏ କହୁଚନ୍ତି, ବିନା ବିଜୁଳି ଆଲୁଅରେ, ବିନା ବସ୍‌ରେ ତମେ ସବୁ କେମିତି ଚଳୁଥିଲ? ଖରାଦିନେ କେମିତି କାଟୁଥିଲ ବିନା ଏ.ସି.ରେ? କେମିତି ଶଗଡ଼ରେ ବସି ଏତେ ଏତେ ବାଟ ଯାଉଥିଲ?
ସେତେବେଳେ ଏତେ ସବୁ ଅଭାବ ଭିତରେ ଆମେ ଯେ ଭରପୂର ଆନନ୍ଦ ପାଉଥିଲୁ, ସେ ନିର୍ମଳ ଆନନ୍ଦ ଆମ ପିଲାଏ ପାଇ ପାରୁଚନ୍ତି କି? ସମୁଦ୍ର କୂଳରେ ସୂର୍ଯ୍ୟୋଦୟ ଦେଖିବାର ଲୋଭ, ଆତୁରତା ଆମର ଥିଲା। ଆମ ପିଲା କହୁଚନ୍ତି, ମୋବାଇଲ୍‌ରେ, ଟି.ଭି.ରେ ଅମେ ତ ସେଗୁଡ଼ା ନିତି ଦେଖୁଚୁ; ସେ କ’ଣ ଦେଖିବା ଜିନିଷ?
ସେମାନେ ମୋବାଇଲ, କମ୍ପ୍ୟୁଟର ସ୍କ୍ରିନ୍‌ରୁ ଆନନ୍ଦ ସାଉଁଟୁଛନ୍ତି। ଯନ୍ତ୍ରରୁ ଆନନ୍ଦ। ଯନ୍ତ୍ର ସ୍ୱାଚ୍ଛନ୍ଦ୍ୟ ଦିଏ। ଆନନ୍ଦ ନୁହେଁ।
ଆନନ୍ଦ ଥାଏ ପ୍ରକୃତିରେ, ଯିଏ ପ୍ରକୃତିକୁ ଅନୁଭବ କରିନାହିଁ, ସେ କେବେ ବି ସ୍ୱପ୍ନ କ’ଣ ଏ କଥା ବୁଝିନାହିଁ କି ଜାଣି ନାହିଁ, ସ୍ୱପ୍ନ ଦେଖିନାହିଁ ବି। କାରଣ ପ୍ରକୃତି ହିଁ ସ୍ୱପ୍ନର ଗନ୍ତାଘର।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଡିସେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ। )

5 thoughts on “ମୋ ସ୍ମୃତିରେ ଶଗଡ଼

  1. I hope someone will do a Sagada anthology with stories, poems, and excerpts from autobiographies. Ajay Mishra might be the right candidate. His piece on the humble bullock cart could serve as introduction. This piece of Banaj Devi’s should not be lost sight of by the anthologist. Just as he cannot miss out on Magunira Sagada.

  2. ଖୁବ୍ ସୁନ୍ଦର, ଅଭୁଲା ସ୍ମୃତି 👌🙏ସତରେ ପ୍ରକୃତି ହିଁ ସ୍ବପ୍ନର ଗନ୍ତାଘର 🙏

    1. ପିଲା ଦିନର ସ୍ମୃତି ସତରେ ଅଭୁଲା। ଆଜିକାଲି ର ପିଲା ଶଗଡ଼ ବିଷୟରେ କିଛି ବି ଜାଣି ନଥିବେ। ଏ ଲେଖା ପଢ଼ି ନିଜକୁ ସେହି ସମୟ ଭିତରେ କିଛି ସମୟ ପାଇଁ ହଜାଇ ଦେବେ ନିଶ୍ଚୟ।ଲେଖା ଟି ବହୁତ ସୁନ୍ଦର ହୋଇଛି। ସାହିତ୍ୟ ଚର୍ଚ୍ଚା କୁ ଧନ୍ୟବାଦ ଏ ପରି ଲେଖା ପ୍ରକାଶ କରିଥିବାରୁ।ଲେଖିକା ଙ୍କୁ ପ୍ରଣାମ।

  3. ଅତୀତର ଜୀବନ୍ତ ଅନୁଭୂତି ଦେଇଥିବାରୁ ଆପଣଙ୍କୁ ପ୍ରଣାମ l ପଢିଲାରୁ ଏମିତି ଲାଗିଲା ଯେମିତି ମୁଁ ସେହି ସ୍ଥାନରେ ଅଦୃଶ୍ୟରେ ଉପସ୍ଥିତ ରହି ତାହା ଦେଖୁଚି l

    ଆଉ ସାହିତ୍ୟ ଚର୍ଚ୍ଚାକୁ ଅଶେଷ ଅଶେଷ ଧନ୍ୟବାଦ l ଏମିତି ସବୁ ଅନୁଭୂତି ଆମ ଆଗରେ ଉପସ୍ଥାପନା କରୁଥିବାରୁ 🙏l

  4. Very, very interesting. It takes us back to those days when this used to be the only means of transport in the rural areas. We know what the children are missing. I wish Kamalakanta’s suggestion to compile an anthology is taken up seriously.

Leave a Reply

Your email address will not be published. Required fields are marked *