ଛାଡ଼ଖାଇ

ଭାଇ ଯାଇଛି ମାଂସ ଆଣି। ଖାସି କଟା ହେଉଛି ଠାଆକୁ ଠାଆ।

ଆରତୀ ସାହୁ

ଘରେ ତୁମୂଳ ପାଟିତୁଣ୍ଡ। ଭାଇ ନେଇଆସିଛି ଜଭେ କରା (ହଲାଲ୍ ) ମାଂସ। ବାପାଙ୍କୁ କେମିତି ଜଣା ପଡ଼ିଲା କେଜାଣି?

ବାପାଙ୍କର ଛାଡ଼ ନାହିଁ କି ଖାଇ ନାହିଁ; କିନ୍ତୁ ମାଂସ ଖାଇ ନଥାନ୍ତି ପଞ୍ଚୁକ ପାଞ୍ଚଦିନ। ବଗ ମାଛ ଛାଡ଼ିଛି, ବାପା ମାଂସ। ମାଛ ଫାଛ କିନ୍ତୁ ଚଳେ। ବଗ ଛକିଛି ପୋଖରୀ କୂଳେ। ବାପା ବସିଛନ୍ତି ଦାଣ୍ଡ ପିଣ୍ଡାରେ ଭାଇକୁ ଜଗି। ଭାଇ ଯାଇଛି ମାଂସ ଆଣି। ଖାସି କଟା ହେଉଛି ଠାଆକୁ ଠାଆ। ଛେଳିଟା ମେଁ କଲା କି ନାଇଁ, ଅଗ୍ରିମ ବିକ୍ରି ହେଇଗଲା।

-ବଢ଼ିଆ ମାଁସାଳିଆ ହେଇଛି ବେ ଛେଳିଟା। ହେ ଜଟିଆ , ମୋର ଦି’କିଲୋ,

-ମୋର ଦେଢ଼।

-ଦେଲୁ ଦେଲୁ , ମୋତେ କିଲେଟେ। ହେ, ସେ ଫଡି଼ଆ ପାଖରୁ ଦେବୁ।

-ଚର୍ବି ଟିକେ ଦେଉନୁ।

-ଆବେ ହେ , ଏଇଟା ସୁନା ତଉଲୁଛୁ କିବେ। ଦେ ସେ ଫପ୍ସା, କଲିଜା ଦି’ଖଣ୍ଡ।

-କେତେ ପାଣି ଢାଳି ଧୋଉଛୁ କି, ଓଓଓ ଓଜନ ବଢ଼ିବ, ନାଇଁ! ଦାଣ୍ଡି ତ ମାରୁଛୁ , ପୁଉଉଉଣି …

-ସେ କତାଳିଆ ତକ ମୋତେ ଦଉଚୁ? ମୋଠାରୁ କଣ ପାଆଁଶ ଟଙ୍କା ନବୁ କି? ଶ୍ୟଃ। ଆଉ ତୋଠଉଁ ନେବିନି କହିଦେଉଛି।

ଭାଇ ସେ ଭିତରେ ଗଳି ପାରିଲାନାହିଁ।

ଆଉ ଠାଆକେ ବି ସେଇ ଅବସ୍ଥା। ସବୁ ଜାଗାରେ ସମଦଶା। ଗୁଡ଼ ଚିନିକୁ ପିମ୍ପୁଡି଼ ବେଢି଼ଥିଲା ପରି ଖାସି କଟାଳିକୁ ବେଢ଼ିଛନ୍ତି ମାଂସାଶୀ। ଏଇ ମାଂସାଶୀ ପ୍ରାଣୀମାନଙ୍କ ପାଇଁ ତ କୁକୁର, ମାଙ୍କଡ଼, କାଉ କାଟି ବିକୁଛନ୍ତି ଠକ ଦଳ।

ଯିବ କି ପଠାଣ ସାହିକୁ? ସେଠାରେ କିନ୍ତୁ ଜଭେ କରା , ହଲାଲ୍ ମାଂସ ଯେ?

ବାପା ହଲାଲିଆ ମାଂସ ଖାଇବେ ନାହିଁ । ଝଟକା ମାଂସ ଦରକାର। ନ ଜଣେଇଲେ ହେଲା, ବାପା କଣ ଦେଖୁଛନ୍ତି ନା ମାଂସରେ ଲେଖା ହେଇଥିବ ଜଭେ କରା ବୋଲି। ତାପରେ ମାଂସ ତ ମାଂସ ନା।

ପଠାଣେ ଛେଳି ହାଣିବେ ଗଳା ଆଡୁଆ। ଶଙ୍ଖନଳା କାଟି ଛେଳିକୁ ସେମିତି ଅବସ୍ଥାରେ ପକେଇଦେବେ। ଛଟକୁ ଥିବ ଛେଳି, ମରଣାନ୍ତକ ଯନ୍ତ୍ରଣାରେ। ପାଟି ପାକୁ ପାକୁ କରୁଥିବ ମେଁ ମେଁ କରିବା ପାଇଁ , ଅଥଚ ଆଓ୍ଵାଜ ବାହାରୁ ନଥିବ। ଶଙ୍ଖନଳା ଦିଖଣ୍ଡ ଯେ।

ଆମର ଝଟକା କଟା ଆଗ ସ୍ପାଇନାଲ କର୍ଡ କଟିବ ଠକ୍ କିନା। ଏକା ଚୋଟକେ ମସ୍ତିଷ୍କ ଶରୀର ଠାରୁ ଅଲଗା। ଯନ୍ତ୍ରଣା ବିହୀନ ମୃତ୍ୟୁ। ଜାଣି ପାରିବ ନାହିଁ ଛେଳି ତାର ମରଣ। କିନ୍ତୁ କଟା ଗଣ୍ଡିଟା ଛଟ ଛଟ ହେଉଥିବ, ମାଟି ଦରାଣ୍ଡୁ ଥିବ। ଦରାଣ୍ଡୁଥିବ ନିଜ ଦେହରୁ ବୋହୁଥିବା ରକ୍ତକୁ । ଲାଲ୍ ରକ୍ତରେ ଭିଜି ତାର ଲୋମଗୁଡା ଲୋଚାକୋଚା ହେଇ ଯାଉଥିବ। ଛେଳିର ଆଖି ଓଲଟି ପଡ଼ି ଥିବ, ତାର ଲମ୍ବାଳିଆ ନିରୀହ ପୁତ୍ତଳିକା ଅନେଇଥିବ ତାର ଦୟାବାନ୍ ହତ୍ୟାକାରୀମାନଙ୍କୁ। ଲମ୍ବା ପୁତ୍ତଳିକାକୁ ଘେରେଇଥିବା ପାଣିରେ ଅସରନ୍ତି ଭାଵନା ପହଁରି ଯାଉଥିବା ଅବଶ୍ୟ ଦେଖି ପାରିବେ ଭାବପ୍ରବଣ କବି ଭାବର ମଣିଷ ମାନେ।

ମୁଁ ସାନଟେ, ବଡ଼ମାନଙ୍କ ମଝିରେ ମୁଣ୍ଡ ପୂରାଇବା ଉଚିତ ନୁହେଁ ବୋଲି ମାଆ ଶିକ୍ଷା ଦେଇଛି।

ପଚାରିବି କାହାକୁ? ହଲାଲ୍ ଆଉ ଝଟକାର ପାର୍ଥକ୍ୟ। ମରିବ ତ ସେହି ନିରୀହ ନିଷ୍ପାପ ଛେଳିଟି ନା। ସେ ଝଟକା ହେଉ କି ହଲାଲ୍ ହେଉ।

ମାଂସ ନଖାଇଲେ ହୁଅନ୍ତା ନାହିଁ?

ସକଳ ଘଟେ ନାରାୟଣ।

ଈଶ୍ଵର ଅଲ୍ଲା ତେରେ ନାମ
ସବକୋ ସନ୍ମତି ଦେ ଭଗବାନ।

7 thoughts on “ଛାଡ଼ଖାଇ

  1. ମୋ ମତରେ ଛାଡଖାଇ ବୋଧହୁଏ ଆମିଷ ଖାଇବା ପାଇଁ ହୋଇନଥାଏ।
    ତେବେ ଏହି ରମ୍ୟ ରଚନାଟି ଆଜି କାଲିର ହୃଦୟ ବିହୀନ ମଣିଷ ମାନଙ୍କ କଥା ସୂଚାଇ ହେଉଛି। ଜୀବେଦୟା ଶବ୍ଦଟି ଅପସରି ଗଲାଣି ଆମ ମାନଙ୍କ ପାଖରୁ। ନିର୍ମମ ଭାବେ ହତ୍ୟା କରୁଛନ୍ତି ପ୍ରାଣୀଙ୍କୁ। ମଣିଷ ଶାକାହାରୀ ପ୍ରାଣୀ। ଆମିଷ କାଳେ ରାକ୍ଷସ ମାନଙ୍କ ପାଇଁ। ତେବେ ବର୍ତ୍ତମାନ ମଣିଷଙ୍କ ମଧ୍ୟରେ ଆସୁରିକ ପ୍ରବୃତ୍ତି ଏତେ ବଢିଗଲାଣି ଯେ, ତାହା ଜଳଜଳ ହୋଇ ଦେଖାଯାଉଛି ଆଜିର ଏହି ଦୁସ୍ଥ ସମାଜରେ।

  2. ଖୁବ ସୁନ୍ଦର ଉପସ୍ଥାପନା କରିଛନ୍ତି

  3. ସୁନ୍ଦର ଗଳ୍ପ । ସମୟ ଉପଯୋଗୀ ଲେଖାଟିଏ । ଧନ୍ୟବାଦ।

Leave a Reply

Your email address will not be published. Required fields are marked *