ଆଧୁନିକ କବିତାର ବୋଧଗମ୍ୟତା

ପାଠକମାନେ ବୁଝିବା କଷ୍ଟକର ହେଉଥିବା କବିତାକୁ ‘ଦୁର୍ବୋଧ୍ୟ’ ଏବଂ ବିଲ୍‌କୁଲ୍ ବୁଝିହେଉ ନ ଥିବା କବିତାକୁ ‘ଅବୋଧ୍ୟ’ ଆଖ୍ୟା ଦେଇ ତହିଁରୁ ମୁହଁ ଫେରାଇ ନେଉଛନ୍ତି।

ବ୍ରହ୍ମାନନ୍ଦ ବିଶ୍ୱାଳ

ଆଧୁନିକ କବିତାର ବୋଧଗମ୍ୟତା ପ୍ରସଙ୍ଗକୁ ତିନୋଟି ଦିଗ ପ୍ରତି ଧ୍ୟାନଦେଇ ବିଚାର କରିବାକୁ ହେବ। ସେହି ଦିଗଗୁଡ଼ିକ ହେଉଛି – ସୁବୋଧ୍ୟତା, ଅବୋଧ୍ୟତା ଓ ଦୁର୍ବୋଧ୍ୟତା। ସୁବୋଧ୍ୟତା ତୁଳନାରେ ଅବୋଧ୍ୟତା ଓ ଦୁର୍ବୋଧ୍ୟତାର ଆକଳନ ଏ ପ୍ରବନ୍ଧର ଲକ୍ଷ୍ୟ। ତେବେ ଏଥିପୂର୍ବରୁ ଆଗେ ଆସନ୍ତୁ, କାବ୍ୟ-କବିତାର ପ୍ରାରମ୍ଭିକ ପର୍ଯ୍ୟାୟଠୁ ଆଧୁନିକ ପର୍ଯ୍ୟାୟ ପର୍ଯ୍ୟନ୍ତ ଗୋଟେ ମୋଟାମୋଟି ଦୃଷ୍ଟିନିକ୍ଷେପ କରିନେବା।
କାବ୍ୟ-କବିତାର ମୂଳସ୍ଥିତି
ବହୁ ପ୍ରାଚୀନ କାଳରୁ କାବ୍ୟ-କବିତା ପାଠକ ଓ ଶ୍ରୋତା ମହଲରେ ଆଦୃତ ହୋଇଆସିଛି। ସମ୍ପ୍ରତି ସାହିତ୍ୟ – ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ ଆଦି ବହୁ ଭାବରେ ରୂପ ପରିଗ୍ରହ କରିଛି। ପୂର୍ବରୁ କିନ୍ତୁ ସାହିତ୍ୟ କହିଲେ କେବଳ କାବ୍ୟ-କବିତାକୁ ହିଁ ବୁଝାଉଥିଲା। କାରଣ, ସେତେବେଳେ କେବଳ କାବ୍ୟ-କବିତା ହିଁ ରଚିତ ହେଉଥିଲା। ଲୋକଶିକ୍ଷା ତଥା ମନୋରଞ୍ଜନର ଏକମାତ୍ର ବଳିଷ୍ଠ ମାଧ୍ୟମ ଥିଲା ବିଭିନ୍ନ ପୁରାଣଶାସ୍ତ୍ର, ଶ୍ଳୋକ ତଥା କାବ୍ୟଶାସ୍ତ୍ର ପ୍ରଭୃତି।
କାବ୍ୟ-କବିତା ପାଠକ ବା ଶ୍ରୋତାକୁ ଆମୋଦିତ ତଥା ଆହ୍ଲାଦିତ କରେ। ଏହାର ପଠନ ବା ଶ୍ରବଣ ଦ୍ୱାରା ପ୍ରାପ୍ତ ହୁଏ ଅପୂର୍ବ ଓ ଅନିର୍ବଚନୀୟ ଆନନ୍ଦ। ଏହା କେବଳ ଆନନ୍ଦ ଦିଏନା, ଚିନ୍ତା-ଚେତନାକୁ ପ୍ରଶସ୍ତ କରେ। ବିବେକବୋଧକୁ ଜାଗ୍ରତ କରେ। ରୁଚିବନ୍ତ, ପରିମାର୍ଜିତ ଓ ପରିପୁଷ୍ଟ ଜୀବନ ବଞ୍ଚିବାର କଳା ଶିଖାଏ। ନୀତି, ଆଦର୍ଶ ଆଦି ସକଳ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା ନିମନ୍ତେ ଏଥିରୁ ମିଳେ ପ୍ରଚୁର ଖୋରାକ୍। ସରସ, ସୁନ୍ଦର ଓ ସମୃଦ୍ଧ ସମାଜ ଗଢ଼ିତୋଳିବା ଦିଗରେ ଏହା ଦିଏ ପ୍ରେରଣା, ପ୍ରୋତ୍ସାହନ ଓ ମାର୍ଗଦର୍ଶନ।
କିନ୍ତୁ କ୍ଷୋଭର ବିଷୟ ଏହି ଯେ, କାବ୍ୟ-କବିତା ପଠନ-ଶ୍ରବଣ ପ୍ରତି ଜନଗଣଙ୍କ ମନରେ ପୂର୍ବରୁ ଯେପରି ଆଗ୍ରହ ଥିଲା, ସମ୍ପ୍ରତି ତାହା ବହୁମାତ୍ରାରେ ହ୍ରାସ ପାଇଛି। ବିଶେଷକରି ଆଧୁନିକ କବିତା ପଠନ-ଶ୍ରବଣ ପ୍ରତି ଅନାଦର ଭାବ ଅଧିକ ଘନୀଭୂତ ହୋଇଛି। ଏହାର ବହୁବିଧ କାରଣ ରହିଛି। ତେବେ, ଏ ପ୍ରବନ୍ଧରେ ଆସନ୍ତୁ ଆଲୋଚନା କରିବା ସେହି କାରଣଗୁଡ଼ିକ ମଧ୍ୟରୁ କେତେକ ପ୍ରମୁଖ କାରଣ ଓ ତା’ର ସମାଧାନର ମାର୍ଗ ସମ୍ପର୍କରେ।
କବି ଓ ପାଠକ
ତଥାକଥିତ ଆଧୁନିକ କବିତା ପ୍ରତି ପାଠକମାନେ ବିଶେଷଭାବେ ବୀତସ୍ପୃହ ହୋଇପଡ଼ିଥିବା ଯାହା ପରିଲକ୍ଷିତ ହେଉଛି, ଏଥିପାଇଁ କେବଳ ଏପ୍ରକାର ଲେଖାର ରଚନାକାରୀମାନେ ହିଁ ଦାୟୀ। କ’ଣ, କିପରି ଓ କାହିଁକି ଲେଖିବା କଥା – ଏ ଦିଗ ପ୍ରତି ସେମାନଙ୍କର ତିଳେମାତ୍ର ଦାୟବଦ୍ଧତା ନ ଥାଏ। ମତଲବ ଥାଏ କେବଳ କବି ବୋଲାଇବାକୁ। ସେମାନେ ଭାବନ୍ତି ଆଧୁନିକ କବିତା ଲେଖିବା ସବୁଠାରୁ ଏକ ସହଜ ବ୍ୟାପାର। ପଦକୁ ପଦ ପକାଇ କବିତା ଲେଖିବାରେ ଯେଉଁ ବୌଦ୍ଧିକ କସରତର ଆବଶ୍ୟକତା ଥାଏ, ଆଧୁନିକ କବିତା ଲେଖିବାରେ ସେହି ଯନ୍ତ୍ରଣା ନାହିଁ। ଅଳଙ୍କାର, ଅନୁପ୍ରାସ, ଛନ୍ଦ, ଯମକ, ଯତିପାତ, ଉପଧା ମିଳନ ଇତ୍ୟାଦି କୌଣସିଟିର ଆବଶ୍ୟକତା ପଡ଼େନି ଏଥିରେ। ନିତାନ୍ତ ବ୍ୟକ୍ତିଗତ କଥାଠୁ ଆରମ୍ଭକରି ଯେକୌଣସି କଥାକୁ କେବଳ ଗଦ୍ୟଢାଞ୍ଚାରେ ତଳକୁତଳ କେତେଗୁଡ଼ିଏ ଧାଡ଼ିରେ ସଜାଇ ଲେଖିଦେଲେ ହେଲା। ଆଉ ସେହି ଲେଖା ବୁଝିବା କଷ୍ଟକର ହେଉଥିବ କିମ୍ବା ଆଦୌ ବୁଝିହେଉ ନ ଥିବ। ଏଇ ଆଧାରରେ ହିଁ ଯାହା ମନେ ତାହା ଯେମିତି ମନେ ସେମିତି ଲେଖିଦେଲେ ତାହା ଆଧୁନିକ କବିତା ହୋଇଯାଏ ବୋଲି ସେମାନଙ୍କର ଧାରଣା। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ।

ବାସ୍ତବରେ ଆଧୁନିକ କବିତା ଲେଖିବା ସବୁଠାରୁ ଏକ ଆୟାସସାଧ୍ୟ କଳାକର୍ମ। ମନେକରନ୍ତୁ ପ୍ରାଚୀନ କବିତା ହେଉଛି ପ୍ରାଚୀନ ନାରୀ ଏବଂ ଆଧୁନିକ କବିତା ହେଉଛି ଆଧୁନିକ ନାରୀ। ପ୍ରାଚୀନ ନାରୀ ଅତ୍ୟଧିକ ଭାବରେ ନାନା ଅଳଙ୍କାର-ବିମଣ୍ଡିତା ହୋଇ ଅତିରଞ୍ଜିତା ହୋଇପଡୁଥିଲା। ଏଣୁ ସେ ନିଜର ସ୍ୱାଭାବିକ ସୌନ୍ଦର୍ଯ୍ୟଟିକକ ତହିଁରେ ହଜାଇ ଦେଉଥିଲା। ଆଧୁନିକ ନାରୀ କିନ୍ତୁ ତଦପେକ୍ଷା ଯଥେଷ୍ଟ କମ୍ ଅଳଙ୍କାରରେ ବିଭୂଷିତା ହେଉଛି। ତଥାପି ସେ ସ୍ୱକୀୟ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରୁଛି। ଆଧୁନିକ କବିତା ଛନ୍ଦବିହୀନ ବୋଲି ଯେଉଁମାନେ କହନ୍ତି, ତାହା ଠିକ୍ ନୁହେଁ। କାରଣ, ଏହାର ରଚନାରୀତି ସ୍ୱଚ୍ଛନ୍ଦ ହେଲେ ହେଁ ବିଛିନ୍ନ ନୁହେଁ। ବାସ୍ତବରେ ଆଧୁନିକ କବିତାରେ ରହିଛି ଅନ୍ତରୀଣ ଛନ୍ଦ। ଆଧୁନିକ କବିତାରେ ରହିଛି ପ୍ରତୀକ, ଚିତ୍ରକଳ୍ପ, ମିଥ୍ ବା ପୁରାଣକଳ୍ପ ଆଦିର ପ୍ରୟୋଗ। ଆଧୁନିକ କବିତାରେ ରହିଛି ଭାବ, ଭାଷା, ଶୈଳୀ ଆଦିର ଅଭିନବ ଅବତାରଣା। ଏହିପରି ବହୁବିଧ ଉପାଦାନକୁ ଆଧାର କରି ସୃଷ୍ଟି ହୁଏ ଆଧୁନିକ କବିତା।
କବି ରାଧାମୋହନ ଗଡ଼ନାୟକ ଯଦିଓ ଜଣେ ଛନ୍ଦକବି ଭାବରେ ସୁପ୍ରସିଦ୍ଧ, ତଥାପି ସେ ଆଧୁନିକ କବିତାକୁ ଅବଜ୍ଞା କରି ନ ଥିଲେ। ପ୍ରାଚୀନ କବିତା ଓ ଆଧୁନିକ କବିତା ମଧ୍ୟରେ ଥିବା ତାତ୍ତ୍ୱିକ ପାର୍ଥକ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ ସେ ଲେଖିଛନ୍ତି –
କାଲିର ଚକ୍ଷୁରେ
ଚନ୍ଦ୍ର ଥିଲା ଏକ ଦେବତା
ଢ ଢ ଢ
ତେଣୁ ତାକୁ ଘେରି ଫୁଟିଉଠିଥିଲା
ରୂପକଥାର ଏକ ରୂପଲେଖା –
ରୋମାଣ୍ଟିକ୍‌
ମୋଟାମୋଟି କାଲିର ସେ ଚନ୍ଦ୍ର ତେବେ କ’ଣ?
କାଲିର କବିତା।
(“ଝଙ୍କାର’, ବିଷୁବ ସଂଖ୍ୟା-ଏପ୍ରିଲ୍‌-୧୯୮୭, ପୃ-୮୩)

ସୁବୋଧ୍ୟତା ବନାମ ଅବୋଧ୍ୟତା
ଅଧିକାଂଶ ପାଠକ ସାହିତ୍ୟର ଅନ୍ୟ କୌଣସି ବିଭାଗକୁ ପଢୁଛନ୍ତି ସିନା, କିନ୍ତୁ ଆଧୁନିକ କବିତାକୁ ଏଡ଼ାଇଯାଉଛନ୍ତି। କାରଣ ସେମାନେ ମନେକରୁଛନ୍ତି, ଏହା ନିଶ୍ଚୟ ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ହୋଇଥିବ। ଏଥିଯୋଗୁ ସେମାନେ ଏକ ସୁବୋଧ୍ୟ ଓ ସରସ ଆଧୁନିକ କବିତା ପଢ଼ିଲେ ବି ତହିଁରୁ ଆଶାନୁରୂପ ରସଗ୍ରହଣ ଓ ଆନନ୍ଦ ଉପଲବ୍‌ଧି କରିପାରୁ ନାହାନ୍ତି। ଏହିପରି ଅନେକ କାରଣ ହେତୁ ସବୁବେଳେ ଆଧୁନିକ କବିତାର ପାଠକ ସଂଖ୍ୟା ସବୁଠାରୁ କମ୍ ରହିଆସିଛି। ତେବେ ମୁଖ୍ୟ କାରଣଟି ହେଉଛି, ଆଧୁନିକ କବିତା ମଧ୍ୟରୁ କେତେକ ବୁଝିବା କଷ୍ଟକର ଓ ଆଉ କେତେକ ଆଦୌ ବୁଝିହୁଏନି। ଏଣୁ ପାଠକମାନେ ବୁଝିବା କଷ୍ଟକର ହେଉଥିବା କବିତାକୁ ‘ଦୁର୍ବୋଧ୍ୟ’ ଏବଂ ବିଲ୍‌କୁଲ୍ ବୁଝିହେଉ ନ ଥିବା କବିତାକୁ ‘ଅବୋଧ୍ୟ’ ଆଖ୍ୟା ଦେଇ ତହିଁରୁ ମୁହଁ ଫେରାଇ ନେଉଛନ୍ତି। କେବଳ ସେଇ ଆଧୁନିକ କବିତାକୁ ପଢୁଛନ୍ତି, ଯାହାକୁ ବୁଝିପାରୁଛନ୍ତି ବା ‘ସୁବୋଧ୍ୟ’ ମନେକରୁଛନ୍ତି। ସହଜେ ତ ଆଜିର ମଣିଷ ବସ୍ତୁବାଦୀ ବା ଭୋଗବାଦୀ ମାନସିକତାରେ ଜଡ଼ସଡ଼ ହୋଇପଡ଼ିଛି। ଯନ୍ତ୍ରମାନବ ପାଲଟିଯାଇଛି। ବ୍ୟସ୍ତତାପୂର୍ଣ୍ଣ ଜୀବନରେ ଅବୋଧ୍ୟତା ଓ ଦୁର୍ବୋଧ୍ୟତାର ଝିଞ୍ଜଟ ଭିତରକୁ ପଶିବାକୁ ତା’ ପାଖରେ ସମୟ କାହିଁ? ଅବୋଧ୍ୟ କବିତାର ସ୍ରଷ୍ଟାମାନଙ୍କୁ ବ୍ୟଙ୍ଗ କରି ଆମ ସମୟର କବି ଉମାକାନ୍ତ ରାଉତ (ଅରୂପ) ଲେଖିଛନ୍ତି –
“କବିତା ଲେଖିବୁ ଏମିତି
କେହି ବୁଝିପାରିବେନି ଯେମିତି,
ତୋ କବିତା ଯଦି ବୁଝିହେଇଯିବ
ବଡ଼ କବି ହେବୁ କେମିତି?”

ବାସ୍ତବରେ ଆଧୁନିକ କବିତା ମାତ୍ରେ ଅବୋଧ୍ୟ ଅଥବା ଦୁର୍ବୋଧ୍ୟ କବିତା ନୁହେଁ। ଏ ଲେଖକର ମନେହୁଏ, କେତେକ କବି ଇଚ୍ଛାକୃତ ଭାବରେ ଆଧୁନିକ କବିତା ନାଆଁରେ ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ କବିତା ଲେଖୁଛନ୍ତି। ଫଳରେ ସେମାନଙ୍କ କବିତା ମାଟି ଓ ମଣିଷଠାରୁ ଦୂରେଇଯାଉଛି। ପାଠକଙ୍କ ମନକୁ ଛୁଇଁପାରୁନି। ଏଥିପାଇଁ କେବଳ ସେପ୍ରକାର କବିମାନେ ହିଁ ଦାୟୀ। କାରଣ, ତଥାକଥିତ ଆଧୁନିକତାର ଭୂତ ସେମାନଙ୍କୁ ଗ୍ରାସିଛି।

ମନ୍ଦକବି ଯଶପ୍ରାର୍ଥୀ
କବିତାରେ ପ୍ରତୀକ, ଚିତ୍ରକଳ୍ପ, ମିଥ୍ ଆଦିର ପ୍ରୟୋଗ; ନୂତନ ଟେକ୍‌ନିକ୍ ବା ଶୈଳୀ; ଅଭିନବ ପରୀକ୍ଷା-ନିରୀକ୍ଷା; ସର୍ବୋପରି ଆଧୁନିକତାର ଅବବୋଧ ଆଦି ହିଁ କବିତ୍ୱ ପରିସ୍ଫୁଟନର ମୂଳଭିତ୍ତି। କିନ୍ତୁ ଉପରୋକ୍ତ କୌଣସି ବିଷୟରେ ଯଥେଷ୍ଟ ଧ୍ୟାନଧାରଣା ନ ଥାଇ ତଥାକଥିତ କବିମାନେ “ମନ୍ଦକବି ଯଶପ୍ରାର୍ଥୀ” ନ୍ୟାୟରେ ଏ ପ୍ରକାର ଲେଖାର ଘୋଡ଼ାଦୌଡ଼ରେ ସାମିଲ୍ ହେଉଛନ୍ତି। ଗୁଡ଼ାଏ ଅନାବଶ୍ୟକ ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ଶବ୍ଦର ସଂଯୋଗରେ କବିପଣ ହାସଲ କରିବାକୁ ବ୍ୟାକୁଳ ହୋଇଉଠୁଛନ୍ତି। ଆଧୁନିକ କବିତା ଦ୍ୱାହିରେ ଜାଣିଶୁଣି ଅବାନ୍ତର ଓ ଉଦ୍ଭଟ ଧାଡ଼ିମାନ ଲେଖି; କେତେକ ଅପ୍ରାସଙ୍ଗିକ ପ୍ରତୀକ, ଚିତ୍ରକଳ୍ପ, ପୁରାଣକଳ୍ପ ଆଦି ପୂର୍ବାପର ସଂପର୍କ ନ ଥାଇ ପ୍ରୟୋଗ କରି ଆଧୁନିକ କବିତା ଲେଖିବାର ଅପପ୍ରୟାସ କରୁଛନ୍ତି। ଫଳରେ ସେସବୁ ତଥାକଥିତ ଆଧୁନିକ କବିତା ରସହୀନ ଓ ଅର୍ଥହୀନ ହୋଇଯିବା ସଙ୍ଗେସଙ୍ଗେ ସେମାନେ ମଧ୍ୟ ଆଜି ପାଠକମାନଙ୍କ ନିକଟରେ ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ହୋଇପଡ଼ିଛନ୍ତି।
କବି ଯଦି ସାଧାରଣ ଜନମାନସକୁ ଠିକ୍ ଭାବରେ ନ ବୁଝି କଲମ ଚଳାଇବେ, ତା’ହେଲେ ସାଧାରଣ ଲୋକମାନେ ତଥା ପାଠକମାନେ ଏପରି କବିଙ୍କୁ ବୁଝିପାରିବେ କେମିତି? ଫଳସ୍ୱରୂପ ପାଠକମାନେ ଏ ପ୍ରକାର କବିଙ୍କୁ କୈଫିୟତର କାଠଗଡ଼ାରେ ଛିଡ଼ା କରାନ୍ତି। ବୋଧଗମ୍ୟତା ସମ୍ପର୍କରେ ପ୍ରଶ୍ନବାଣ ମାରନ୍ତି। ତେବେ ଏପରି କବି ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ହୋଇପାରନ୍ତି ସତ; ମାତ୍ର ଆଧୁନିକ କବିତା, ଯାହା ଭଲ କବିତା – ତା’ର ବୋଧଗମ୍ୟତା ଉପରେ କଦାପି ପ୍ରଶ୍ନ ଉଠେନା।
ପ୍ରକୃତ କବି କେବେ ତା’ର କବିତାରେ ମସ୍ତିଷ୍କ ଚାଳନାର ଚମତ୍କାରିତା ଦେଖାଇବା ପାଇଁ କଲମ ଧରି ନ ଥାଏ। ପ୍ରକୃତ କବି କେବେ ଭୂଇଁଛଡ଼ା ହୋଇ, ଛଳନା-କପଟତାର ଆଶ୍ରୟ ନେଇ, ଶବ୍ଦଖେଳ ଦେଖାଇ ବାହାବା ନେବାକୁ ଚାହିଁ ନ ଥାଏ। କବିତା ରଚନା କବି ପକ୍ଷରେ ହେଉଛି ତା’ ହୃଦୟର ସ୍ୱତଃସ୍ଫୂର୍ତ୍ତ ଆବେଗ ଓ ସ୍ପନ୍ଦନର କାବ୍ୟିକ ପରିପ୍ରକାଶ। କବି ସଚ୍ଚି ରାଉତରାୟଙ୍କ ଭାଷାରେ –
“ଦୁନିଆର ରାଜପଥେ
ଚାଲୁଚାଲୁ ପଥଚାରୀ ମୁହିଁ
ଯେ’ ବ୍ୟଥା ବାଜିଛି ବୁକେ
ମଣିଷର ଅପମାନ ଛୁଇଁ,
ତାହାକୁ ଦେଇଛି ବାଣୀ
କହିଛି ସେ ସାଧାରଣ କଥା
ଭାଷାର ଲଳିତ ଜାଲେ
ରଚିନାହିଁ ମିଥ୍ୟା କପଟତା।”

ଦୁର୍ବୋଧ୍ୟତା ଓ ଅବୋଧ୍ୟତାକୁ ଜାବୁଡ଼ି ଧରିଥିବା ଆଧୁନିକ କବି ଓ ତାଙ୍କ କବିତା ସମ୍ପର୍କରେ କବି ନୀଳଲୋହିତଙ୍କ ନିର୍ଭୀକ ମତ –
“ଦୁର୍ବୋଧ୍ୟ ଅଟଇ ତୁମ୍ଭ ପ୍ରକାଶିତ ପଦ
ନାହିଁ ତହିଁ ମନ-ପ୍ରାଣ-ଉଲ୍ଲାସକ ଛନ୍ଦ,
ଆଧୁନିକତାର ନାମେ କରି ସ୍ୱେଚ୍ଛାଚାର
ନକଲ ତ ତିଳେ ଭଲ-ମନ୍ଦର ବିଚାର !”
(“ସହକାର’–ଶାରଦୀୟ ବିଶେଷାଙ୍କ-୨୦୦୦)

ସତରେ, କବିତାର ସ୍ରଷ୍ଟାଟିଏ ଯେଉଁମାନଙ୍କ ପାଇଁ ଲେଖୁଥାଏ, ସେହି ଲେଖା ଯଦି ସେମାନଙ୍କ ନିକଟରେ ପହଞ୍ଚିପାରିଲା ନାହିଁ, ଅଥବା ସେମାନଙ୍କ ପାଇଁ ଲେଖାଟି ଯଦି ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ହୋଇପଡ଼ିଲା, ବା ହୃଦୟକୁ ସ୍ପର୍ଶ କରିବା ଭଳି ପ୍ରେରଣା ଯଦି ସେମାନଙ୍କୁ ନ ମିଳିଲା – ତା’ହେଲେ ସମ୍ପୃକ୍ତ ସ୍ରଷ୍ଟାର ଲେଖନୀ ଚାଳନା ନିରର୍ଥକ। ଅବଶ୍ୟ ଗୋଟିଏ ଗୋଟିଏ କବିତାକୁ ଅଥବା ତା’ର କେତେକ ଧାଡ଼ି କିମ୍ବା ଅନୁଚ୍ଛେଦକୁ ବୁଝିହୁଏ ନାହିଁ। ହେଲେ ତାହା ପାଠକକୁ ଅନ୍ତତଃ ସାମଗ୍ରିକ ଭାବେ ଏକ ଅବବୋଧ ଆଣିଦେବା ତ ଜରୁରୀ। ଲେଖିବାକୁ ଗଲାବେଳେ କବି ଯଦି ଉପରିଲିଖିତ ବିଷୟଗୁଡ଼ିକ ପ୍ରତି ସଚେତନ ରହିପାରନ୍ତା, ତା’ହେଲେ ତା’ର ଲେଖାର ଉପାଦେୟତା ସ୍ୱୀକୃତ ହୋଇପାରନ୍ତା।
ଅନ୍ୟପକ୍ଷରେ ଏକଥା ମଧ୍ୟ ବିଚାର୍ଯ୍ୟ ଯେ – କବିତା ବୁଝିବାର ଯୋଗ୍ୟତା ସମସ୍ତଙ୍କର ନ ଥାଏ। ସୁଯୋଗ୍ୟ ପାଠକ ବା ସମାଲୋଚକ ହିଁ ବିଚାର କରିପାରେ ଯେ, କେଉଁ କବିତା କେତେଦୂର ସୁବୋଧ୍ୟ ଅଥବା ଅବୋଧ୍ୟ କି ଦୁର୍ବୋଧ୍ୟ। ଶ୍ରୀଅରବିନ୍ଦଙ୍କ କାବ୍ୟ “ସାବିତ୍ରୀ’ ସାଧାରଣ ପାଠକମାନଙ୍କୁ ବସ୍ତୁତଃ ଦୁର୍ବୋଧ୍ୟ ମନେହେଉଥିଲେ ହେଁ ତାହାକୁ ଆମେ ଏହି ପର୍ଯ୍ୟାୟଭୁକ୍ତ କରିବା ନିହାତି ମୂର୍ଖତା ହେବ। କାରଣ, ତାହା ଏକ ଊର୍ଦ୍ଧ୍ୱଚେତନା ସ୍ତରର ଲେଖା ହୋଇଥିବାରୁ ସେହି ଚେତନାକୁ ଉନ୍ନୀତ ନ ହେଲେ କେହି କେବେ ତାହାକୁ ବୁଝିବା ସମ୍ଭବ ନୁହେଁ।
ପାଠକ ସଂଖ୍ୟା
ସାଧାରଣତଃ ଦେଖାଯାଏ ଯେ – ପ୍ରତ୍ୟେକ ପାଠକ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ କୌଣସି ଗୋଟିଏ ବିଭାଗରେ ସବୁଠୁ ଅଧିକ ମନୋନିବେଶ କରିଥା’ନ୍ତି। କେତେକ ବିଭାଗ ପ୍ରତି ତାଙ୍କର ଆଦୌ ଆଗ୍ରହ ନ ଥାଏ। ପାଠକ ସଂଖ୍ୟା କେଉଁ ବିଭାଗରେ କମ୍ ତ କେଉଁ ବିଭାଗରେ ବେଶି ଥାଆନ୍ତି। ଆଧୁନିକ କବିତାର ପାଠକ ସଂଖ୍ୟା କେବଳ ଆମ ଓଡ଼ିଆ ଭାଷାରେ ନୁହେଁ, ସବୁ ଭାରତୀୟ ଭାଷାରେ ଓ ବିଦେଶୀ ଭାଷାରେ ମଧ୍ୟ ସବୁବେଳେ କମ୍ ଥିବା ଲକ୍ଷ୍ୟ କରାଯାଏ। ଏହାର ମାନେ ନୁହେଁ ଯେ, ଆଧୁନିକ କବିତା ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ହେତୁ ପାଠକ ସଂଖ୍ୟା ଅଳ୍ପ ରହୁଛି। କେବଳ ଆଧୁନିକ ଯୁଗ ନୁହେଁ, ପ୍ରାଚୀନ କାଳର ଅନେକ କାବ୍ୟ-କବିତାକୁ ମଧ୍ୟ ବହୁ ପାଠକ ଅବୋଧ୍ୟ ଅଥବା ଦୁର୍ବୋଧ୍ୟ ମନେକରିଛନ୍ତି। ସନ୍ଥକବି ଭୀମ ଭୋଇଙ୍କର ଅନେକ କୃତି ସରଳ ଭାଷାରେ ରଚିତ ହୋଇଥିଲେ ହେଁ ଭାବ ଦୃଷ୍ଟିରୁ କେତେକଙ୍କ ପକ୍ଷରେ ଅବୁଝା ହୋଇଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଶବ୍ଦଚାତୁର୍ଯ୍ୟପୂର୍ଣ୍ଣ କାବ୍ୟ ମଧ୍ୟ ଅଧିକାଂଶ ସ୍ଥଳରେ ବୁଝିବା ସହଜ ନୁହେଁ।
ଆଉ ଏକ ବିଶେଷ କଥା ହେଉଛି – କବି ମନରେ ବେଳେବେଳେ ଏପରି ଗୋଟେଗୋଟେ ଭାବ ବା ଆବେଗ ଉଙ୍କିମାରେ, ଯାହାକୁ ସେ ଚିରାଚରିତ ଭାଷାରେ ବ୍ୟକ୍ତ କରିବା ସମ୍ଭବ ହୁଏନାହିଁ। ଅଗତ୍ୟା ଭାଷାର ଏକ ନୂତନ ପ୍ରୟୋଗ ଦ୍ୱାରା କବି ସେହି ଅବର୍ଣ୍ଣନୀୟ ଉପଲବ୍‌ଧିକୁ ଚାତୁର୍ଯ୍ୟପୂର୍ଣ୍ଣ ଭାବରେ ବର୍ଣ୍ଣନା କରେ। ଏ କ୍ଷେତ୍ରରେ କବିର ଅନୁଭୂତି ସହିତ ପାଠକର ଅନୁଭୂତି ଏକାକାର ହୋଇ ନ ପାରିବାରୁ ସଂପୃକ୍ତ କବିତା ଓ ତା’ର ପାଠକ ମଧ୍ୟରେ ଏକ ଅସମାହିତ ଦୂରତ୍ୱ ଦେଖାଦିଏ।
ଆଉ ମଧ୍ୟ କବିତା ଯେତେ ସରଳ ହୋଇଥିଲେ ବି, କବି ଯେତେବେଳେ ଏକ ନୂତନ କାବ୍ୟଶୈଳୀ ଉପସ୍ଥାପନ କରେ, ଅଭ୍ୟସ୍ତ ନ ଥିବା ପାଠକ ତାକୁ ବୁଝିବାକୁ ସମର୍ଥ ହୋଇପାରେ ନାହିଁ। ପାଶ୍ଚାତ୍ୟରେ ଯେତେବେଳେ ନୂଆକରି ଆଧୁନିକ କବିତାର ସୂତ୍ରପାତ ହେଲା, ସେଠାରେ ମଧ୍ୟ ପାଠକମାନେ ତାହାକୁ ସହଜରେ ଗ୍ରହଣ କରି ନ ଥିଲେ। ଆଉ ଯେତେବେଳେ ଆମ ଭାରତର ବିଭିନ୍ନ ଭାଷାର କବିମାନେ ପାଶ୍ଚାତ୍ୟର ସେହି ଧାରାକୁ ଆପଣେଇଲେ, ପ୍ରଥମେ ପ୍ରଥମେ ପାଠକମାନେ ସେଥିପ୍ରତି ମନଧ୍ୟାନ ଦେଉ ନ ଥିଲେ। କାରଣ, ସେପରି କବିଙ୍କ ଦାନଶକ୍ତି ତୁଳନାରେ ପାଠକଙ୍କ ଗ୍ରହଣଶକ୍ତି କମ୍ ରହୁଥିଲା। ହେଲେ ସମୟକ୍ରମେ ପାଠକମାନେ ତାହାକୁ ପଢ଼ି କିଛିକିଛି ବୁଝିଲେ ସତ; ମାତ୍ର ଅବୋଧ୍ୟତା ଓ ଦୁର୍ବୋଧ୍ୟତାର ଆରୋପ ଲଗାଇଲେ। ଇଂରାଜୀ ସାହିତ୍ୟର ଏଜରା ପାଉଣ୍ଡ, ଇଲିଅଟ୍ ପ୍ରଭୃତିଙ୍କଠାରୁ ଆରମ୍ଭକରି ଓଡ଼ିଆ ସାହିତ୍ୟର ସଚ୍ଚିଦାନନ୍ଦ ରାଉତରାୟ, ରମାକାନ୍ତ ରଥ, ସୌଭାଗ୍ୟ ମିଶ୍ର ପ୍ରଭୃତିଙ୍କ ଅନେକ କବିତା ପାଠକମାନଙ୍କ ପାଇଁ ଦୁର୍ବୋଧ୍ୟ, ଏପରିକି ଅବୋଧ୍ୟ ମଧ୍ୟ ମନେହେଲା। ଅବୋଧ୍ୟ କବିତାର ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ଏକ ପଙ୍‌କ୍ତିକୁ ଲକ୍ଷ୍ୟ କରାଯାଉ –
“ମୁଁ ମୋଟର ନେଲି ସମୁଦ୍ର ଉପରେ
ହଠାତ୍ ଚକ ଫାଟିଗଲା…”
(ଯୀଶୁଖ୍ରୀଷ୍ଟ – ରମାକାନ୍ତ ରଥ)

ତେବେ ଆଶ୍ୱାସନାର କଥା ଯେ – ସମୟକ୍ରମେ ଆଧୁନିକ କବିତା ଅବୋଧ୍ୟତା ଓ ଦୁର୍ବୋଧ୍ୟତାରୁ ମୁକୁଳିମୁକୁଳି ଆସିଲାଣି। ଏଥିପୂର୍ବ ଅନୁଚ୍ଛେଦରେ ଉଲ୍ଲିଖିତ କବିମାନେ ମଧ୍ୟ ଏ ଦୋଷରୁ ମୁକ୍ତ ହୋଇଯାଇଛନ୍ତି। ତତ୍କାଳୀନ ପ୍ରଖ୍ୟାତ ଇଂରାଜୀ କବି ତଥା ସମାଲୋଚକ ଟି.ଏସ୍‌. ଏଲିଅଟ୍ ମତ ଦେଇଛନ୍ତି, “ସେନ୍‌ସିବିଲିଟି ଅଲ୍‌ଟର୍ସ ଫ୍ରମ୍ ଜେନେରେସନ୍ ଟୁ ଜେନେରେସନ୍ ଇନ୍ ଏଭ୍ରିବଡି। ହ୍ୱେଦର୍ ୱି ୱିଲ୍ ଅର୍ ନଟ୍ ବଟ୍ ଏକ୍ସପ୍ରେସନ୍ ଇଜ୍ ଓନ୍‌ଲି ଅଲ୍‌ଟର୍ଡ, ବାଏ ଏ ମ୍ୟାନ୍ ଅଫ୍ ଜିନିଅସ୍। ଏ ଗ୍ରେଟ୍ ମେନି ସେକେଣ୍ଡ-ରେଟ୍ ପୋଏଟ୍‌ସ, ଇନ୍ ଫ୍ୟାକ୍ଟ, ଆର୍ ସେକେଣ୍ଡ-ରେଟ୍ ଜଷ୍ଟ ଫର୍ ଦିସ୍ ରିଜନ୍‌, ଦ୍ୟାଟ୍ ଦେ ହାଭ୍ ନଟ୍ ଦି ସେନ୍‌ସିଟିଭ୍‌ନେସ୍ ଆଣ୍ଡ କନ୍‌ସିଅସ୍‌ନେସ୍ ଟୁ ପର୍‌ସିଭ୍ ଦ୍ୟାଟ୍ ଦେ ଫିଲ୍ ଡିଫରେଣ୍ଟଲି ଫ୍ରମ୍ ଦି ପ୍ରିସିଡିଙ୍ଗ୍ ଜେନେରେସନ୍ ଆଣ୍ଡ ଦେୟାର୍‌ଫୋର୍ ମଷ୍ଟ ୟୁଜ୍ ୱାର୍ଡସ ଡିଫରେଣ୍ଟଲି।”
ପୂର୍ବ ଆଲୋଚନାରୁ ବୁଝାପଡ଼େ ଯେ – ଆଧୁନିକ କବିତା ତା’ର ଗୁଣଧର୍ମକୁ ନେଇ ଯେତେ ଊର୍ଜ୍ଜସ୍ୱଳ, ଏହାର ରସାସ୍ୱାଦନ ଦକ୍ଷତା ଥିବା ପାଠକ ମଧ୍ୟ ସ୍ୱାଭାବିକ ଭାବେ ସେତେ କମ୍। ଏ ଦୃଷ୍ଟିରୁ ଆଧୁନିକ କବିତାମାନେ ଅବୋଧ୍ୟ ଅଥବା ଦୁର୍ବୋଧ୍ୟ କବିତା ବୋଲି ଆକ୍ଷେପ କରିବା ଠିକ୍ ନୁହେଁ। ଆଧୁନିକ କବିତାର ସଂଜ୍ଞା, ସ୍ୱରୂପ, ରଚନାବିଧି, ଭାଷା, ଶୈଳୀ ଆଦିର ବିବିଧ ଦିଗ ସମ୍ପର୍କରେ ପାଠକର ଧାରଣା ନ ଥିଲେ, ସେ ତାକୁ ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ବୋଲି ବିଦ୍ରୂପ କରେ। କାରଣ କୌଣସି କବିତା ଯେତେ ସୁବୋଧ୍ୟ ବା ସହଜବୋଧ୍ୟ ହୋଇଥିଲେ ହେଁ, ଜଣେ ପାଠକ ତା’ର ଜ୍ଞାନ, ଚିନ୍ତାଧାରା, ମନୋସ୍ଥିତି ଓ ବୋଧଶକ୍ତିକୁ ନେଇ ଯେତିକି ପାରେ ବୁଝିଥାଏ କିମ୍ବା ଆଦୌ ବି ବୁଝିପାରି ନ ଥାଏ। ଏପରି ବି କେତେକ କାବ୍ୟ କିମ୍ବା କବିତା ଥାଏ, ଯାହାକି କିଛିଦିନ ପାଇଁ ବା କିଛି ପାଠକଙ୍କ ପାଇଁ ଅବୋଧ୍ୟ କିମ୍ବା ଦୁର୍ବୋଧ୍ୟ ମନେହୁଏ। ହେଲେ ସମୟକ୍ରମେ ସେଭଳି କୃତିକୁ ମଧ୍ୟ ପାଠକମାନେ ଧୈର୍ଯ୍ୟ ଓ ନିଷ୍ଠା ବଳରେ ବୁଝିପାରନ୍ତି। ଏହି ମର୍ମରେ ଆନ୍ତର୍ଜାତିକ ପ୍ରସିଦ୍ଧି ଅର୍ଜନ କରିଥିବା ଆଙ୍ଗ୍‌ଲୋ-ଆଇରିସ୍ କବି ସି.ଡି. ଲେୱିସ୍ କହିଛନ୍ତି, “ଦି ଲର୍ଣ୍ଣିଂ ଟୁ ରିଡ୍ ପୋଏଟ୍ରି ଟେକ୍‌ସ ଆଜ୍ ମଚ୍ ପେସେନ୍‌ସ ଆଣ୍ଡ କନ୍‌ସେନ୍‌ଟ୍ରେସନ୍ ଆଜ୍ ଦି ଲର୍ଣ୍ଣିଂ ଟୁ ରାଇଟ୍ ଇଟ୍।”

ବୋଧଗମ୍ୟତାର ସମସ୍ୟା
ପ୍ରାୟତଃ ପ୍ରତ୍ୟେକ ପାଠକ ଚାହାନ୍ତି ସେ ଯାହା ପଢ଼ିବେ ସହଜରେ ବୁଝିହେଉଥିବ। କିନ୍ତୁ ବୁଝିବା-ନ ବୁଝିବାର ମାତ୍ରା କେବଳ ଲେଖା ଉପରେ ନିର୍ଭରଶୀଳ ନୁହେଁ। ଏହା ନିଜର ସାମର୍ଥ୍ୟ, ଆଗ୍ରହ, ନିଷ୍ଠା ଓ ଧୈର୍ଯ୍ୟଶକ୍ତି ଉପରେ ମଧ୍ୟ ନିର୍ଭର କରେ ବୋଲି କେତେଜଣ ପାଠକ ଭାବନ୍ତି? ଯେମିତି ଲେଖକ ହେବା ପାଇଁ ଅନ୍ତତଃ କିଛି ଯୋଗ୍ୟତା ଦରକାର, ସେମିତି ପାଠକ ହେବା ନିମିତ୍ତ ବି ଯୋଗ୍ୟତା ଆବଶ୍ୟକ। ପକ୍ଷାନ୍ତରେ ବିଚାର କଲେ ସୁବୋଧ୍ୟତା, ଦୁର୍ବୋଧ୍ୟତା ଓ ଅବୋଧ୍ୟତା ବିଚାରବୋଧ ସାହିତ୍ୟର ଅନ୍ୟ କୌଣସି ବିଭାଗ ପ୍ରତି ଯେତେ ପ୍ରଯୁଜ୍ୟ, କାବ୍ୟ ଅଥବା କବିତା ପ୍ରତି ସେତେ ପ୍ରଯୁଜ୍ୟ ନୁହେଁ। କାରଣ ଏହାଦ୍ୱାରା ତା’ର କାବ୍ୟିକ ମୂଲ୍ୟବୋଧ ଉପଲବ୍‌ଧି କରିହୁଏନା। ଏ ସମ୍ପର୍କରେ ବିଶ୍ୱବିଖ୍ୟାତ କବି, ସମାଲୋଚକ ଓ ଦାର୍ଶନିକ କଲେରିଜ୍‌ଙ୍କ ମତ ହେଉଛି, “ପୋଏଟ୍ରି ଗିଭ୍‌ସ ମୋଷ୍ଟ ପ୍ଲେଜର୍ ହ୍ୱେନ୍ ଓନ୍‌ଲି ଜେନେରାଲି ଆଣ୍ଡ ନଟ୍ ପର୍‌ଫେକ୍ଟଲି ଅଣ୍ଡର୍‌ଷ୍ଟୁଡ୍।”
ସୁବୋଧ୍ୟ-ଦୁର୍ବୋଧ୍ୟ-ଅବୋଧ୍ୟ ଭେଦରେ କବିତାର ପ୍ରକାରଭେଦ ଓ ତନ୍ମଧ୍ୟରୁ କେଉଁଟି କେତେଦୂର ଗ୍ରହଣୀୟ ବା ସ୍ପୃହଣୀୟ, ସେ ସମ୍ପର୍କରେ ଏକ ହାସ୍ୟୋଦ୍ଦୀପକ ଶ୍ଳୋକ “ଶବ୍ଦକଳ୍ପଦ୍ରୁମ’ରେ ପରିଦୃଷ୍ଟ ହୁଏ –
“ନାନ୍ଧ୍ରୀ ପୟୋଧର ଇବା ତିତରା ପ୍ରକାଶୋ
ନୋଗୁର୍ଜ୍ଜରୀ ସ୍ତନ ଇବା ତିତରାଂ ନିଗୂଢ଼ଃ।
ଅର୍ଥେ ବିରାମ ପିହିତ ପିହିନଶ୍ଚ କାଶ୍ଚିତ୍‌
ସୌଭାଗ୍ୟମେତି ମରହଟ୍ଟ ବଧୂ କୁଚାଭଃ।ା”

ଅର୍ଥାତ୍ – କାବ୍ୟ ବା କବିତାର ଅର୍ଥ ଆନ୍ଧ୍ରପ୍ରଦେଶୀୟ ନାୟିକାର ବିଶାଳ ସ୍ତନ ସଦୃଶ ଅତି ସ୍ପଷ୍ଟ ଭାବରେ ପ୍ରକାଶିତ ହେବା ଶୋଭନୀୟ ନୁହେଁ, କିମ୍ବା ଗୁଜରାଟୀ ନାୟିକାର ସ୍ୱଳ୍ପୋଚ୍ଚ ସ୍ତନ ସଦୃଶ ଅତ୍ୟନ୍ତ ଗୂଢ଼ (ଗୁପ୍ତ) ଅର୍ଥ ହେବା ମଧ୍ୟ ଶୋଭନୀୟ ନୁହେଁ। କାବ୍ୟ ବା କବିତାର ଅର୍ଥ ଯଦି କିଛି ସ୍ପଷ୍ଟ ଏବଂ କିଛି ଗୂଢ଼ ହୋଇଥାଏ, ତାହାହିଁ ମହାରାଷ୍ଟ୍ରୀ ନାୟିକାର ମଧ୍ୟମାକୃତି-ବିଶିଷ୍ଟ ସୁଢ଼ଳ ସ୍ତନ ସଦୃଶ ଅଧିକ ସୁନ୍ଦର ଲାଗିଥାଏ।
ଅନାଦରର ହେତୁ
ବହୁ ଆଧୁନିକ କବିତା ଅବୋଧ୍ୟ ଓ ଦୁର୍ବୋଧ୍ୟ ହେବା ସଙ୍ଗେସଙ୍ଗେ ଛନ୍ଦହୀନ ବା ଯତିପାତ-ବିହୀନ ହୋଇଥିବାରୁ ପାଠକମାନେ ଏଗୁଡ଼ିକୁ ଆଦର କରୁନାହାନ୍ତି ବୋଲି ଅଭିଯୋଗ ହୁଏ। ଅନେକ ଆଧୁନିକ କବିତାରେ ଅବୋଧ୍ୟତା କି ଦୁର୍ବୋଧ୍ୟତା ନ ଥିଲେ ବି, ଛନ୍ଦ-ଯମକ-ଯତିପାତ ଇତ୍ୟାଦିର ଅଭାବରେ ତାହା ପାଠକମାନଙ୍କ ନିକଟରେ ଶୁଷ୍କ-ନୀରସ ବୋଧ ହେଉଛି ତଥା ଚିତ୍ତାକର୍ଷଣ କରିପାରୁ ନାହିଁ ବୋଲି ମଧ୍ୟ ଆପତ୍ତି ଉଠେ। ଏ ସମ୍ପର୍କରେ ମହାନ୍ ବିପ୍ଳବୀ କବି ରବି ସିଂ କିନ୍ତୁ ଏକ ଭିନ୍ନମତ ପୋଷଣ କରିଛନ୍ତି। ଜଣେ ଆଧୁନିକ କବି ହୋଇ ନ ଥିଲେ ସୁଦ୍ଧା ସେ ଯୁକ୍ତି ବାଢ଼ିଛନ୍ତି ଯେ – ଆଜିର ମଣିଷ ତା’ର ସମସ୍ତ ସୁକୁମାର ପ୍ରବୃତ୍ତି, ଆଶା ଓ ଅନ୍ୱେଷାକୁ ହରାଇବସିଛି। ଆଜି ଖାଦ୍ୟ ଅପମିଶ୍ରିତ, ପ୍ରେମ ମଧ୍ୟ ପଣ୍ୟ, ବ୍ୟାଧିଗ୍ରସ୍ତ ଓ ତ୍ୟାଗହୀନ। ମଣିଷକୁ ମଣିଷ ଅନାୟାସରେ ହତ୍ୟା କରିପାରେ। ଜୀବନର ଶାଶ୍ୱତ ମୂଲ୍ୟ ତା’ ପାଖରେ କିଛିମାତ୍ର ନାହିଁ। ଏସବୁ ପାଇଁ ସାରା ସମାଜଟା ଆଜି ହୋଇଯାଇଛି ଭୀଷଣ ସଙ୍କଟାପନ୍ନ। ସୁର ହୋଇଯାଇଛି ବେସୁରା, ତାଳ ହୋଇଯାଇଛି ବେତାଳିଆ। ଏପରି ଏକ ଉତ୍କଟ ସ୍ୱାର୍ଥାନ୍ୱେଷୀ ବସ୍ତୁବାଦୀ ଯୁଗରେ; ଏପରି ଏକ ଛନ୍ଦହୀନ ଯୁଗରେ; କବିତାରେ ଆଉ ଛନ୍ଦ, ଯତିପାତ ବା ରାଗ-ରାଗିଣୀ ରହିପାରିବ କିପରି? ତାଙ୍କ ଭାଷାରେ –
“ଯେ ମହାଭାରତେ ଅଭିମନ୍ୟୁକୁ
ଘେରି ମାରେ ସପ୍ତରଥୀ,
ସେଠାରେ କବିଟି ରଖିପାରିବ କି
ଛନ୍ଦ, ଯମକ, ଯତି?”

ସର୍ବଶେଷରେ ଏକଥା ମଧ୍ୟ ବିଚାରଯୋଗ୍ୟ ଯେ – ଆଧୁନିକ କବିତାରେ ଅବୋଧ୍ୟତା ଓ ଦୁର୍ବୋଧ୍ୟତା ପାଇଁ କେବଳ କବିମାନଙ୍କୁ କାହିଁକି, ସମାଲୋଚକ ବୋଲାଉଥିବା ବ୍ୟକ୍ତିବିଶେଷଙ୍କୁ ବି ଦାୟୀ କରାଯାଇପାରେ। କାରଣ, ସେମାନେ ଆଧୁନିକ କବିତାରେ ବୋଧଗମ୍ୟତାର ଅଭାବ ପ୍ରତି ଆଖି ବୁଜିଦେଇ ଏକପାଖିଆ ଭାବେ କେବଳ ପ୍ରଶଂସା କରିଚାଲିଲେ। ଆଉ ମଧ୍ୟ ଅବୋଧ୍ୟତା ଓ ଦୁର୍ବୋଧ୍ୟତା ବିରୋଧରେ ସ୍ୱର ଉତ୍ତୋଳନ ସାହସ ଥିବା କୌଣସି ଅଭିଜ୍ଞ, ନିର୍ଭୀକ ଓ ନିରପେକ୍ଷ ତଥା ନିରୁତା ସମାଲୋଚକ ଆରମ୍ଭକାଳରୁ ବହୁବର୍ଷ ଧରି ପ୍ରାୟ ଆବିର୍ଭୂତ ହେଲେ ନାହିଁ। ଯଦିବା ବେଳେବେଳେ କେହି ସମାଲୋଚକ କୌଣସି କବିଙ୍କ ଅବୋଧ୍ୟତା କିମ୍ବା ଦୁର୍ବୋଧ୍ୟତା ପ୍ରତି କଟାକ୍ଷପାତ କଲେ, ସଂପୃକ୍ତ କବି ତାକୁ ହଜମ କରିପାରିଲେ ନାହିଁ। ପ୍ରତିକ୍ରିୟା ସ୍ୱରୂପ କେତେକ ତଥାକଥିତ ସମାଲୋଚକଙ୍କୁ କୌଣସିମତେ ପ୍ରବର୍ତ୍ତାଇ ସେହି ସମାଲୋଚକଙ୍କ ମତଖଣ୍ଡନ ଦିଗରେ ଲାଗିପଡ଼ିଲେ। ଏହିପରି ଅନେକ କାରଣରୁ ବଢ଼ିଚାଲିଲା ଅବୋଧ୍ୟ-ଦୁର୍ବୋଧ୍ୟ କବିତାର ବନ୍ୟା ଓ ସୁବୋଧ୍ୟ ତଥା ସହଜବୋଧ୍ୟ କବିତାର ମରୁଡ଼ି। ଏସବୁ ସତ୍ତ୍ୱେ ପାଠକ ସବୁବେଳେ ନିଜ ଅନ୍ତରାତ୍ମାର ବିଚାରକୁ ହିଁ ଚୂଡ଼ାନ୍ତ ବୋଲି ମାନିଆସିଛି। ଯେଉଁ କବିତାକୁ ସେ ଅବୋଧ୍ୟ କି ଦୁର୍ବୋଧ୍ୟ ମନେକରିଛି, ତାକୁ ଫିଙ୍ଗିଦେଇଛି ବିସ୍ମୃତିର ଅତଳ ଗର୍ଭକୁ। ଫଳତଃ ଆଜି ଅଧିକାଂଶ ଆଧୁନିକ କବି ବାଧ୍ୟ ହୋଇଛନ୍ତି ଅବୋଧ୍ୟତା-ଦୁର୍ବୋଧ୍ୟତା ପରିହାର କରିବାକୁ।
ତେବେ ସେ ଯାହା ହେଉନା କାହିଁକି, ଏ ଲେଖକ ମନେକରେ ଯେ – ପ୍ରକୃତରେ କବି ଯିଏ, ତା’ କବିତାର ଛନ୍ଦହୀନତା ବି ଏକ ନିଆରା ଛନ୍ଦ, ଯମକହୀନତା ବି ଏକ ନିଆରା ଯମକ, ଆଉ ଯତିପାତ-ହୀନତା ବି ଏକ ନିଆରା ଯତିପାତ। ସିଏ ହୁଏତ ପାରମ୍ପରିକ ଭାବେ ଛନ୍ଦ-ଯମକ-ଯତିପାତ ବ୍ୟତିରିକ୍ତ କବିତା ରଚିପାରେ; ମାତ୍ର ତା’ର ସେହି କବିତା ଭିତରୁ ଅହରହ ନିଃଶବ୍ଦରେ ଶୁଭୁଥାଏ ନିତ୍ୟନୂତନ ଛନ୍ଦ, ଯମକ ଓ ଯତିପାତର ଓଁକାରଧ୍ୱନି। ଆଉ ଏପରି କବିତା ଆଧୁନିକ ହୋଇଥିଲେ ହେଁ ଏହାର ବୋଧଗମ୍ୟତା ସମ୍ପର୍କରେ କୌଣସି ସଂଶୟ ନ ଥାଏ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ।)

One thought on “ଆଧୁନିକ କବିତାର ବୋଧଗମ୍ୟତା

  1. କବିତାକୁ ଆମେ କଣ ପାଇଁ ଦୁର୍ବୋଧ୍ୟ ମାନୁଛେ, ତାହାର କାରଣ ଗୁଡ଼ିକୁ ବିସ୍ତୃତ ଆଲୋଚନା କରିଛନ୍ତି ଲେଖକ। ତାହାର ସମାଧାନ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *