କୁମ୍ଭୀରିଣୀ ଖୁବ୍ ଭାଙ୍ଗିପଡ଼ି କହିଲା, ‘ତମ ସ୍ଥଳ ଜୀବ ଗୁଡ଼ା କଣ ହୃଦୟକୁ କାଢ଼ି ରଖିପାରନ୍ତି ଏଠି ସେଠି?‘
ସେଦିନ କୁମ୍ଭୀର ମାଙ୍କଡକୁ କହିଲା- ‘ମିତ, କୁମ୍ଭୀରିଣୀ ତମ ଉପରେ ପ୍ରୀତ। ତମକୁ ତାଙ୍କର ସାଦର ନିମନ୍ତ୍ରଣ। ମୋ ସହିତ ଆସ।’
ମାଙ୍କଡ଼ ଖୁବ୍ ଉତ୍ସାହିତ ହେଇ କହିଲା- ‘ଅବଶ୍ୟ ଅବଶ୍ୟ, ବନ୍ଧୁପତ୍ନୀଙ୍କ ନିମନ୍ତ୍ରଣ ରକ୍ଷା କରିବା ଅବଶ୍ୟ ଯଥାର୍ଥ। ତେବେ … ଯିବା କେମିତି?’
‘ସେ ବ୍ୟବସ୍ଥା ମୁଁ କରିସାରିଛି। ଆସ।’ କୁମ୍ଭୀର କହିଲା।
କୁମ୍ଭୀର ପିଠିରେ ମାଙ୍କଡ଼ ଯାତ୍ରା କରୁ କରୁ ଏକ ଅନନୁଭୂତ ଆନନ୍ଦରେ ବିଭୋର ହେଇପଡ଼ୁଥିଲା।
ନଈର ମଝାମଝି କୁମ୍ଭୀର ଖେଁ ଖେଁ ହସି କହିଲା- ‘ବର୍ଷ ତମାମ ଜଙ୍ଗଲଜାତ ସୁମିଷ୍ଟ ଫଳ ଭକ୍ଷଣ କରି ତମେ ନିଶ୍ଚେ ହୋଇଥିବ ରସାଳ। ତମର ରସାଳ ମାଂସ ଲୋଭ ବାସ୍ତବରେ ଆମକୁ ଏ କପଟ ଆଚରଣ କରିବାକୁ ପ୍ରବର୍ତ୍ତାଇଚି। କ୍ଷମା କରିବ ବନ୍ଧୁ। ସତକଥାଟି କହି ନଦେଲେ ଖୁବ୍ ଗ୍ଲାନିବୋଧ କରିବି ବୋଲି କହିଦେଉଚି।’
ମାଙ୍କଡ଼ ଚଟାପଟ୍ କହିଲା, ‘ଏଇ ସାମାନ୍ୟ କଥା ପାଇଁ ତମ ମନରେ ଗ୍ଲାନି ଆସୁଛି ଶୁଣି ଖୁବ୍ ଦୁଃଖ ଲାଗୁଚି। ଏକଥା ପୂର୍ବରୁ କହିଥିଲେ ବି ମୁଁ ଆସିବାରେ ମୋଟେ ସଂକୋଚ କରି ନଥାନ୍ତି। ବନ୍ଧୁ ପାଇଁ ଜୀବନ ତ୍ୟାଗ କରିବାର ଆଦର୍ଶ ଆମ ସ୍ଥଳଚର ଜୀବଙ୍କର ଖୁବ୍ ପ୍ରାଚୀନ ପରମ୍ପରା।’
କୁମ୍ଭୀର ଆଉ କିଛି କହିଲା ନାହିଁ।
ସେମାନେ ଘରେ ପହଞ୍ଚିଲେ। କୁମ୍ଭୀରିଣୀ ମାଙ୍କଡକୁ ଦେଖୁ ଦେଖୁ ହିଁ ଖୁବ୍ ଉଲ୍ଲସିତ ହୋଇପଡିଲା। ଏଡ଼େ ସୁନ୍ଦର ସୁଠାମ ଦେହଧାରୀ ଜୀବଟି ଯେ ଏ କୁତ୍ସିତ ସ୍ବାମୀଟିର ଘନିଷ୍ଠ ମିତ୍ର ଏହା ତାକୁ ଅବିଶ୍ବାସ ମନେହେଉଥିଲା। କୁମ୍ଭୀରର ଅଗୋଚରରେ ସେ ମାଙ୍କଡକୁ ପୁଳେ ଚିମୁଟି ଦେଇ କହିଲା, ‘ଆହା ମିତ, ତମେ ସତରେ କେଡେ ସୁନ୍ଦର। ତୁମକୁ ଦେଖିଲା ପରଠାରୁ ମୋ ଇରାଦା ବଦଳେଇ ସାରିଚି। ସତରେ ସେ ଅସନା କୁମ୍ଭୀରଟାକୁ ଦେଖିଲେଇ ମୋତେ ଖୁବ୍ ବାନ୍ତି ବାନ୍ତି ଲାଗୁଚି… ଆହା… ତମ ପାଇଁ ମୋ ହୃଦୟର ଆବେଗ…।’
କିନ୍ତୁ ମାଙ୍କଡ଼ର ପ୍ରତିକ୍ରିୟାହୀନତା ଦେଖି କୁମ୍ଭୀରିଣୀ ଆଚମ୍ବିତ ହେଲା। ‘ୟେ କଣ? ଅନୁଭବ ଶକ୍ତି ନାଇଁ କି ତମର?’
ମାଙ୍କଡ ଖୁବ୍ ବିମର୍ଷ ହେଇ କହିଲା, ‘ଥିଲା, ଖୁବ୍ ଥିଲା। ଏବେ ନାଇଁ।’
କୁମ୍ଭୀରିଣୀ ଆଶ୍ଚର୍ଯ୍ୟ, ‘ମାନେ?’
‘ତମ ହୃଦୟର ଭାବ ବୁଝିବାକୁ ମୋର ତ ପୁଣି ଗୋଟାଏ ହୃଦୟ ଥିବା ଦରକାର।’
‘ତମ ହୃଦୟ କଣ ତମ ଭିତରେ ନାହିଁ?’
‘ନାଁ’, ଖୁବ୍ ଦୁଃଖରେ ମାଙ୍କଡ ଭାଙ୍ଗିପଡି କହିଲା, ‘ମୁଁ ଖୁବ୍ ଦୁଃଖୀ। ମର୍କଟୀଟି ମୋର ବହୁ ଦିନରୁ ସ୍ବର୍ଗବାସିନୀ। ସେ ଗଲାପରେ କାଳେ ଆଉକିଏ ମୋ ହୃଦୟ ଚୋରିକରି ନେଇ ମୋର ଏକପତ୍ନୀ ବ୍ରତକୁ ଭାଙ୍ଗିଦେବ ଏଇ ଆଶଙ୍କାରେ ମୁଁ ତାକୁ ରଖିଦେଇଛି ଗଛ କୋରଡରେ ଲୁଚେଇ। ଆଃ.. ହୃଦୟଟା ଯଦି ଏବେ ପାଖରେ ଥାଆନ୍ତା ନା, ତମ ହୃଦୟ ମୋ ହୃଦୟ ମିଶି ଯାଇଥିଲେ ଗୋଟେ ନୂଆ ଜୀବନ ଆରମ୍ଭ କରିଥାନ୍ତେ ଏବେଠୁ। ବେଳ କାଳ ଦେଖି କୁମ୍ଭୀରଟାକୁ ବାଟରୁ ସଫା କରିଦେଇଥାନ୍ତେ। ତା ପରେ ଆମେ ଖାଲି ଆମେ…..।’
କୁମ୍ଭୀରିଣୀ ଖୁବ୍ ଭାଙ୍ଗିପଡ଼ି କହିଲା, ‘ତମ ସ୍ଥଳ ଜୀବ ଗୁଡ଼ା କଣ ହୃଦୟକୁ କାଢ଼ି ରଖିପାରନ୍ତି ଏଠି ସେଠି?’
ମାଙ୍କଡ କହିଲା, ‘ଆମ ସ୍ଥଳଚର ଜୀବମାନେ ଆହୁରି ବହୁ ଆଚମ୍ବିତ କଥାମାନ ସବୁ କରିପାରନ୍ତି। ବେଳ ଆସୁ କହିବି। ଏବେ କଣ କରିବା? ତମ ପାଇଁ ତ ମୋ ହୃଦୟ ନିହାତି ଜରୁରୀ।’
କୁମ୍ଭୀରିଣୀ ଚିଁ ଚିଁ ହସି ମାଙ୍କଡ ଗାଲରେ ଚୁମାଟିଏ ଦେଇ କହିଲା, ‘ଠିକ୍ କଥା, ହୃଦୟ ସିନା ହୃଦୟ କଥା ବୁଝେ। ତମେ ଯାଅ ନେଇ ଆସିବ। ମୁଁ ତାଙ୍କୁ କହୁଚି।’
ତା ପରେ କୁମ୍ଭୀରିଣୀ କୁମ୍ଭୀର ପାଖରେ ଆସି ଗେହ୍ଲେଇ ହେଇ କହିଲା, ‘ସ୍ବାମୀ, ବନ୍ଧୁଟି ତୁମର ବିପତ୍ନୀକ। ଆହା ବିଚରା। ତାକୁ ଖାଇବାକୁ ଆଉ ଇଚ୍ଛା ନହେଇ ପାଳିବାକୁ ଇଚ୍ଛା ହେଉଛି। ତମେ ତାଙ୍କୁ ନେଇଯାଅ, ସେ ଗଛ କୋରଡରୁ ହୃଦୟଟା ଆଣିବେ।’
ବଶମ୍ବଦ କୁମ୍ଭୀର କିଛି କିଛି ବୁଝୁଥିଲା। ପୁଣି କିଛି କିଛି ବୁଝିପାରୁନଥିଲା।
ପୁଣି ଫେରନ୍ତା ବାଟରେ କୁମ୍ଭୀର ପିଠିରେ ମାଙ୍କଡ।
ମାଙ୍କଡ ଛାତି ଧଡ଼ପଡ଼ କେମିତି କୂଳ ଛୁଇଁବ।
କୁମ୍ଭୀର ଖୁବ୍ ଅନ୍ୟମନସ୍କ। କେଡେ ବିଚିତ୍ର ସତେ ଏ ମହିଳା ଜାତିର ହାବଭାବ। ମାଙ୍କଡ ସାହସ ସଞ୍ଚୟ କରି କହିଲା, ‘କଣ ବନ୍ଧୁ ଖୁଉବ ନିରବ।’
କୁମ୍ଭୀର ଅନ୍ୟମନସ୍କ ହୋଇ କହିଲା, ‘ଏ ମାୟାର କିଛି ଆଦି ଅନ୍ତ ପାଉନାହିଁରେ ମିତ। ମତେ ତ ଅନ୍ୟ ପ୍ରକାରେ କହିଥିଲା ଅଥଚ….।’
କୂଳ ଛୁଉଁ ଛୁଉଁ ମାଙ୍କଡ ହୁଂପାଟେ ମାରି ଡାଳରେ ଲଟକି କହିଲା, ‘ସବୁ ମାୟାନ୍ଧମାନେ ହିଁ ମୂଢ଼।’
କୁମ୍ଭୀର କିଛି ବୁଝିପାରିଲା ନାହିଁ, ତଥାପି ମାଙ୍କଡ କଥାଟି ଭାବି ଭାବି କୁମ୍ଭୀର ଘରେ ପହଞ୍ଚିଲାରୁ କୁମ୍ଭୀରିଣୀ ଖୁବ୍ ଉଦଗ୍ରୀବ ହୋଇ ପଚାରିଲା, ‘କଣ ଏକା, ତମ ମିତ୍ର ?’
‘ସେ ଆଉ ଆସିବ ନାଇଁ’, କୁମ୍ଭୀର ଖୁବ୍ ଗମ୍ଭୀର ହୋଇ କହିଲା।
‘ଆସିବେ ନାଇଁ?’ ବିମର୍ଷା କୁମ୍ଭୀରିଣୀ କୁହୁକ କରି କହିଲା, ‘ମୁଁ ଏବେ କଣ କରିବି ଯେ? କେଡେ କପଟିଆ ବନ୍ଧୁ ତମର ସେ ସତରେ, ଗଲାବେଳେ ମୋ ହୃହୟଟାକୁ ବି ନେଇଯାଇଛନ୍ତି ସାଙ୍ଗରେ।’
ମୋହାନ୍ଧ କୁମ୍ଭୀର ଏକଥା ଶୁଣୁ ଶୁଣୁ ଖୁବ୍ କ୍ରୋଧାନ୍ଧ ହୋଇ ଗର୍ଜନଟିଏ କଲା- ‘ବେଇମାନ, ଶଇତାନ, ମୋ ସ୍ତ୍ରୀର ହୃଦୟଟା ନେଇଯାଇଛି ପାପିଷ୍ଠ? ମୁଁ ଯାଏ….।’
କୁମ୍ଭୀର ସେଇଦିନୁ ଯାଇଚି ଯେ ଯାଇଚି।
କୂଳଟାରେ କାଠ ଗଡ଼ ପରି ଉପରକୁ ଆଁକରି ପଡ଼ିଚି।
ମାଙ୍କଡ ଗଛ ଡାଳରେ ବସି ହୃଦୟ ଧରି ଖେଳୁଛି।
ମାଙ୍କଡ଼ କୁମ୍ଭୀର ଗପକୁ ନୂଆ ରୂପରେ ପାଠକଙ୍କ ପାଖରେ ଉପସ୍ଥାପନ କରିଛନ୍ତି ଗାଳ୍ପିକ। ଖୁବ୍ ସୁନ୍ଦର ହୋଇଛି।
ବାଃ ଖୁବ୍ ସୁନ୍ଦର ଗଳ୍ପ ଟିଏ । 🙏😊✍️
ଆମ କାଳ ର ଏକ ସୁନ୍ଦର ଗପଟି କୁ ନୁଆ ରୂପେ ଉପସ୍ଥାପନା କରି ଆପ୍ୟାୟିତ କରିଥିବାରୁ ଧନ୍ୟବାଦ। ଲେଖକ ର କଳ୍ପନା ଅନନ୍ତ।
ସୁନ୍ଦର ମୋଡ଼ ଦେଇଛନ୍ତି ଗାଳ୍ପିକ
ପୁରୁଣା ଗପଟିକୁ ଆହୁରି ଆକର୍ଷଣୀୟ କରି ଲେଖିଛନ୍ତି। ବହୁତ ହାସ୍ୟରସାତ୍ମକ।