ବରିଷ୍ଠ କଥାକାର ସଦାନନ୍ଦ ତ୍ରିପାଠୀଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

କବିମାନେ ଜନ୍ମ ହୁଅନ୍ତି ; କିନ୍ତୁ ଗାଳ୍ପିକଟିଏ ସୃଷ୍ଟି ହୋଇଥାଏ। ତେଣୁ ଭଲ କବିତାଟିଏ ଲେଖିବା ସହଜ ନୁହେଁ; ଅବଶ୍ୟ କବିତାଟିଏ ତିଆରି କରିଦେବା ସହଜ।

ସଦାନନ୍ଦ ତ୍ରିପାଠୀ ଓଡ଼ିଆ କଥାସାହିତ୍ୟ ଜଗତର ଜଣେ ଅଗ୍ରଣୀ ସ୍ରଷ୍ଟା। ୧୯୫୬ ମସିହାରେ ଜନ୍ମିତ ଏହି ପ୍ରତିଭାଧର ୧୯୭୫ ମସିହାରୁ ସାହିତ୍ୟ ସର୍ଜନାରେ ମଗ୍ନ ଅଛନ୍ତି। ଏ ଯାବତ୍ ତା’ଙ୍କର ୧୬ଟି ପୁସ୍ତକ ପ୍ରକାଶିତ ଏବଂ ତନ୍ମଧ୍ୟରୁ ‘ସତୀ’ ଗଳ୍ପଗ୍ରନ୍ଥ ପାଇଁ ସେ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଦୀର୍ଘ ୩୪ ବର୍ଷ କାଳ ସେବା ପ୍ରଦାନ କରି ଅବସର ଗ୍ରହଣ କରିବା ଉପରାନ୍ତେ ଏବେ ବି ସେ ନିଜର ଲେଖନୀ ଚାଳନା ଜାରି ରଖିଛନ୍ତି। ତା’ଙ୍କ ସହିତ ତା’ଙ୍କର ବାସଭବନରେ ସାକ୍ଷାତ କରି ବିବିଧ ସାରସ୍ୱତ ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରଥମ ଗଳ୍ପ ସଂକଳନ ‘ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ’କୁ ନେଇ ରୋଚକ କଥାଟିଏ ଶୁଣାଯାଏ। ଆପଣ କଲେଜ ଛାତ୍ର ଥିବାବେଳେ ଥରେ କୁଆଡ଼େ ଗୁଜବ ଉଠିଥିଲା ଯେ ଆପଣଙ୍କର ମୃତ୍ୟୁ ହୋଇଯାଇଛି। ଏହା କ’ଣ ସତ?
ସଦାନନ୍ଦ ତ୍ରିପାଠୀ: ହଁ, ସେମିତି ହୋଇଥିଲା। ଗୋଟିଏ ରେଳ ଦୁର୍ଘଟଣା ସେତେବେଳେ ଘଟିଥିଲା, ଯେଉଁଥିରେ ମୋ’ର ଆଉ ଜଣେ ସହପାଠୀ ମୃତ୍ୟୁବରଣ କରିଥିଲେ। କିନ୍ତୁ ଭୁଲବଶତଃ ପ୍ରଚାରିତ ହୋଇଗଲା ଯେ ଦୁଇଜଣ ସାଙ୍ଗ ସେହି ଟ୍ରେନ୍ ରେ ଯାଉଥିଲେ ଏବଂ ସେମାନଙ୍କ ମଧ୍ୟରୁ ସଦାନନ୍ଦ ତ୍ରିପାଠୀଙ୍କ ଦେହାନ୍ତ ଘଟିଛି।
ସାହିତ୍ୟ ଚର୍ଚ୍ଚା: ଏହା ଶୁଣି ଆପଣଙ୍କ ମନରେ କ’ଣ ପ୍ରତିକ୍ରିୟା ଆସିଥିଲା?
ସଦାନନ୍ଦ ତ୍ରିପାଠୀ: ସେକଥା ମୁଁ ଶୁଣିବାବେଳକୁ ତ କିଛି ଦିନ ବିତିଗଲାଣି। ଅବଶ୍ୟ ମୁଁ ସେହି ଦୁର୍ଘଟଣାରେ କ୍ଷତବିକ୍ଷତ ହୋଇଥିଲି। ହସପିଟାଲରୁ ଫେରିବା ପରେ ଏକଥା ମୋ କାନରେ ବାଜିଲା। ଏହା ମନରେ ଯେ କି ଭାବ ସୃଷ୍ଟିକରିଥିଲା, ସେକଥା ଏବେ ଆଉ କ’ଣ କହିବି!
ସାହିତ୍ୟ ଚର୍ଚ୍ଚା: ତେବେ ଏହାରି ପ୍ରତିକ୍ରିୟାରେ କ’ଣ ଆପଣ ଲେଖିଲେ ସେହି ଅନନ୍ୟ ଗଳ୍ପଟି, ‘ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ?’
ସଦାନନ୍ଦ ତ୍ରିପାଠୀ: ସେକଥା ଅନ୍ୟମାନେ କହୁଛନ୍ତି; ଯେହେତୁ ଘଟଣାଟା ସମସ୍ତେ ଜାଣିଛନ୍ତି। ତେଣୁ ଗଳ୍ପଟିକୁ ତା’ ସହିତ ଯୋଡ଼ି ଦେଖୁଛନ୍ତି। କିନ୍ତୁ ପ୍ରକୃତରେ ଘଟଣାଟି ସେଇଆ ନୁହେଁ। ମୋ’ର ଜଣେ ସହକର୍ମୀ ତାହାର କିଛି ବର୍ଷପରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ, ଯାହାକି ପ୍ରକୃତରେ ଗୋଟିଏ ଆତ୍ମହତ୍ୟା ଥିଲା। ତା’ଙ୍କର ମୃତ୍ୟୁ ମୋତେ ଅତ୍ୟନ୍ତ ଆଘାତ ଦେଇଥିଲା। ତେଣୁ ସେହି କଥା ମନରେ ରଖି ଲେଖିଥିଲି ଗଳ୍ପଟି।
ସାହିତ୍ୟ ଚର୍ଚ୍ଚା: ତେବେ ସେ ହେଉଛନ୍ତି ସେହି ‘ଅନ୍ୟ ଜଣେ ସଦାନନ୍ଦ’!
ସଦାନନ୍ଦ ତ୍ରିପାଠୀ: ଆଜ୍ଞା।

ସାହିତ୍ୟ ଚର୍ଚ୍ଚା: କିନ୍ତୁ ୧୯୯୨ରେ ପ୍ରକାଶ ପାଇଥିବା ଆପଣଙ୍କ ସେହି ଗଳ୍ପ ସଂକଳନ, ‘ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ’ର ପୃଷ୍ଠା ଓଲଟାଇ ଆମେ ଯେତେବେଳେ ସେହି ଶୀର୍ଷକରେ ଥିବା ଗଳ୍ପଟି ପାଖକୁ ଆସୁ, ସେତେବେଳେ ପାଉ ଯେ ସେଠାରେ ଗଳ୍ପ ବୋଲି କିଛି ହିଁ ନାହିଁ; ବରଂ ପୃଷ୍ଠାଟି ପ୍ରାୟ ଶୂନ୍ୟ। ତା ବଦଳରେ ଅଛି କେବଳ ଗଳ୍ପର ଶିରୋନାମା, ଏବଂ ତା’ତଳକୁ ଗଳ୍ପ ନାମରେ ମାତ୍ର ତିନୋଟି ଶବ୍ଦ।
ସଦାନନ୍ଦ ତ୍ରିପାଠୀ: ସେଇଟା ହିଁ ଗଳ୍ପ।
ସାହିତ୍ୟ ଚର୍ଚ୍ଚା: ଆପଣ କହିବା କଥା, ସେହି ତିନୋଟି ଶବ୍ଦ, “…. ଆଉ କ’ଣ ଅଛି?’ – ଏତକ ହେଉଛି ଗୋଟିଏ ସଂପୂର୍ଣ୍ଣ ଗଳ୍ପ? ତେବେ ତ ଆମ ମତରେ ଏହାକୁ ପୃଥିବୀର କ୍ଷୁଦ୍ରତମ ଗଳ୍ପ ବୋଲି କୁହାଯିବ। କାରଣ ଅର୍ଣେଷ୍ଟ ହେମିଙ୍ଗ୍‌ୱେଙ୍କର ଯେଉଁ ଗଳ୍ପଟିକୁ ସବୁଠାରୁ କ୍ଷୁଦ୍ର ବୋଲି ଆମେ ଜାଣୁ, ସେଥିରେ ତ ଅଛି ଛଅଗୋଟି ଶବ୍ଦ। କିନ୍ତୁ ଆପଣ ତ ଏହାକୁ ବି ଟପିଗଲେ।
ସଦାନନ୍ଦ ତ୍ରିପାଠୀ: କିନ୍ତୁ ମୁଁ ଗୋଟିଏ ଛୋଟିଆ ଗଳ୍ପ ଲେଖିବି ବୋଲି ଭାବି ଏହା ଲେଖିନାହିଁ। ମୋତେ ଲାଗିଲା ଯେ ଜଣେ ଲୋକ ଯଦି ମରିଯାଏ, ତେବେ ତା ପାଇଁ ଆଉ କ’ଣ ବାକି ରହିଲା ଯେ? ତା’ର ତ ସବୁ କିଛି ସରିଗଲା।
ସାହିତ୍ୟ ଚର୍ଚ୍ଚା: ତଥାପି, ମନେହୁଏ ଏହି ମାତ୍ର ତିନୋଟି ଶବ୍ଦ, ଅର୍ଥାତ୍ ଛଅଟି ଅକ୍ଷରକୁ ନେଇ ଲେଖାହୋଇଥିବା ଗଳ୍ପକୁ ଆମେ ଓଡ଼ିଆ ଭାଷାର ଗୋଟିଏ କ୍ଲାସିକ୍ ଗପ ବୋଲି କହିପାରିବା।
ସଦାନନ୍ଦ ତ୍ରିପାଠୀ: ଗଳ୍ପଟିରେ ସିନା ଅଛି ଛଅଟି ଅକ୍ଷର, ଏହାର ଶିରୋନାମା କିନ୍ତୁ ୧୬ଟି ଅକ୍ଷରବିଶିଷ୍ଟ। ଏଣୁ ଶିରୋନାମାଟି ଗଳ୍ପ ଅପେକ୍ଷା ଦୀର୍ଘତର। ବାସ୍ତବରେ ଦେଖିବାକୁ ଗଲେ, ଶିରୋନାମାଟି ହେଉଛି ଗଳ୍ପ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଏହା ବିନା ଗଳ୍ପଟିର ମର୍ମ ବୁଝିହେବନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ କହିବା କଥା ଯେ ଟାଇଟଲ୍ ହିଁ ହେଉଛି ଗଳ୍ପଟିର ମୁଖ୍ୟ ନ୍ୟାରେଟିଭ୍‌?
ସଦାନନ୍ଦ ତ୍ରିପାଠୀ: ହଁ, ଆଉ ମଧ୍ୟ ଲକ୍ଷ୍ୟ କରିବେ ଯେ ସେହି ଟାଇଟଲ୍ ତଳେ ଏକ ବଡ଼ ଶୂନ୍ୟ ସ୍ଥାନ ଛଡ଼ାଯାଇଛି, ଗଳ୍ପଟିର ପୂର୍ବରୁ। ଏହି ଶୂନ୍ୟ ସ୍ଥାନ ମଧ୍ୟ ଥିମ୍ ର ଗୋଟିଏ ବଡ଼ ଅଂଶ। ଲୋକଟିଏ ଚାଲିଯିବା ପରେ ତ କେବଳ ଶୂନ୍ୟ ହିଁ ଥାଏ; ତା’ପରେ ଅବା ଆଉ କ’ଣ ଅଛି ଯେ !
ସାହିତ୍ୟ ଚର୍ଚ୍ଚା: ଆପଣ ୧୯ ବର୍ଷ ବୟସରୁ ହିଁ କଥାସାହିତ୍ୟରେ ଲେଖନୀ ଚାଳନା ଆରମ୍ଭ କଲେ, ଏବଂ ଏ ଯାବତ୍ ଆପଣଙ୍କର ଅନେକ ଗଳ୍ପ ସଂକଳନ ଓ ଦୁଇଟି ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି। ତେବେ କୌଣସି କବିତା କାହିଁକି ନୁହଁ?
ସଦାନନ୍ଦ ତ୍ରିପାଠୀ: ପ୍ରକୃତରେ ମୁଁ ଗପରୁ ହିଁ ଲେଖା ଆରମ୍ଭ କରିଥିଲି। କବିତା ପ୍ରତି ମୋର କୌଣସି ବିତୃଷ୍ଣା ନାହିଁ; କିନ୍ତୁ କବିତା ଲେଖିବାପାଇଁ ମୋ ମନ କେବେ ଡାକିନଥିଲା। ଅବଶ୍ୟ କାଁ ଭାଁ କେତେବେଳେ କିଛି ଲେଖିଛି।
ସାହିତ୍ୟ ଚର୍ଚ୍ଚା: କବିତାରେ ଆପଣ ନିଜକୁ ଅସହଜ ମନେକରନ୍ତି!
ସଦାନନ୍ଦ ତ୍ରିପାଠୀ: ହଁ, କବିତା କେବେବି ମୋତେ କମ୍ଫର୍ଟେବଲ୍ ଲାଗେନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ସାହିତ୍ୟିକମାନେ ତ କେବେ ହେଲେ କବି-ଭାବରୁ ଦୂରେଇ ରହିପାରନ୍ତିନାହିଁ। ବୋଧହୁଏ ଆପଣଙ୍କ ମନରେ ଯେଉଁ କବି-ଭାବ ଆସୁଥିବ ତାହାକୁ ଆପଣ ଗଳ୍ପ ଜରିଆରେ ହିଁ ପ୍ରକାଶ କରିଦେଇଥିବେ।
ସଦାନନ୍ଦ ତ୍ରିପାଠୀ: ଠିକ୍ କଥା। ମୋ ଗଳ୍ପରେ କବିତାର ଝଲକ ଆପଣ ପାଇବେ। ଦେଖନ୍ତୁ, ମୁଁ କବିତାର ବିରୋଧୀ ନୁହେଁ; କବିତା ମୋର ଅତି ପ୍ରିୟ, ଏବଂ ମୁଁ ଅନେକ କବିତା ପଢ଼େ। କିନ୍ତୁ ମୁଁ ପରବର୍ତ୍ତୀ କାଳରେ ଅନୁଭବ କରିଛି ଯେ କବିତା ଲେଖିବାଟା ଏତେ ସହଜ ବ୍ୟାପାର ନୁହେଁ। ଆପଣ ଗଳ୍ପଟିଏ ଫାବ୍ରିକେଟ୍ କରିଦେଇ ପାରନ୍ତି। କିନ୍ତୁ କବିତାଟିଏ ହୃଦୟର ଭାବରୁ ସୃଷ୍ଟ ହୁଏ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କହିବା କଥା ଯେ କବିଟିଏ ହେବା ଦୁଃସାଧ୍ୟ ବ୍ୟାପାର!
ସଦାନନ୍ଦ ତ୍ରିପାଠୀ: କବିମାନେ ଜନ୍ମ ହୁଅନ୍ତି; କିନ୍ତୁ ଗାଳ୍ପିକଟିଏ ସୃଷ୍ଟି ହୋଇଥାଏ। ତେଣୁ ଭଲ କବିତାଟିଏ ଲେଖିବା ସହଜ ନୁହେଁ; ଅବଶ୍ୟ କବିତାଟିଏ ତିଆରି କରିବା ସହଜ। ଏପରିକି ଜଣେ ଜଣେ ଦିନକୁ ଚାରୋଟି କି ପାଞ୍ଚୋଟି କବିତା ଗଢ଼ିଦିଅନ୍ତି। ସେଥିପାଇଁ ଆଜିକାଲି ଅନେକ କବିତା ବିରକ୍ତିକର ଲାଗେ।
ସାହିତ୍ୟ ଚର୍ଚ୍ଚା: ୧୯୭୧ରୁ ନେଇ ୨୦୧୦ ମସିହା ପର୍ଯ୍ୟନ୍ତ ଓଡ଼ିଶାର ପଶ୍ଚିମାଞ୍ଚଳ ହିଁ ଥିଲା ଆପଣଙ୍କର ବିଚରଣ କ୍ଷେତ୍ର। ଆପଣଙ୍କର ରଚନାରେ ପଶ୍ଚିମାଞ୍ଚଳର ଭାଷା ଓ ସଂସ୍କୃତି ପ୍ରତିଫଳିତ ହେବାର ଏହା ଏକ କାରଣ କି?
ସଦାନନ୍ଦ ତ୍ରିପାଠୀ: ସେଇଟା ଗୋଟିଏ କାରଣ ନିଶ୍ଚୟ। ମୋ’ର କଲେଜ ଦିନରୁ ଚାକିରି ଜୀବନର ୨୦୧୦ ମସିହା ପର୍ଯ୍ୟନ୍ତ ମୁଁ ରାଉରକେଲା ସମେତ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ ବୁଲିଛି।
ସାହିତ୍ୟ ଚର୍ଚ୍ଚା: ସେଥିପାଇଁ ଆପଣଙ୍କ ଅନେକ ଗଳ୍ପର ସଂଳାପରେ ସମ୍ବଲପୁରୀ ଭାଷାର ପ୍ରୟୋଗ ଦେଖିବାକୁ ମିଳେ କି?
ସଦାନନ୍ଦ ତ୍ରିପାଠୀ: କେବଳ ସମ୍ବଲପୁରୀ ନୁହେଁ, ସାଦ୍ରୀ ଭାଷାରେ ମଧ୍ୟ ଅଛି; ସାଦ୍ରୀ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଭାଷା। ଆଉ ଯେହେତୁ ମୋର ଜନ୍ମସ୍ଥାନ ଗଞ୍ଜାମ, ତେଣୁ ଗଞ୍ଜାମୀ ଭାଷାର ପ୍ରୟୋଗ ମଧ୍ୟ କରିଛି।

ସାହିତ୍ୟ ଚର୍ଚ୍ଚା: ‘ସତୀ’ ଗଳ୍ପ ସଂକଳନ ପାଇଁ ଆପଣ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ। ଏଥିରେ ଥିବା ସତୀ ନାମକ ଗଳ୍ପଟିର ପଛରେ ମୂଳ ପ୍ରେରଣା କ’ଣ ଥିଲା?
ସଦାନନ୍ଦ ତ୍ରିପାଠୀ: ୧୯୮୬ ମସିହାରେ ଘଟିଥିବା ରୂପ କନୱାରଙ୍କ ସତୀଦାହ ଘଟଣାଟି ବହୁତ ଚର୍ଚ୍ଚିତ ହୋଇଥିଲା, ଯାହା ମୋ’ ମନକୁ ଅତି ମାତ୍ରାରେ ଆନ୍ଦୋଳିତ କରିଥିଲା। ଏହା ହିଁ ଥିଲା ଗଳ୍ପ ପଛର ପ୍ରେରଣା।
ସାହିତ୍ୟ ଚର୍ଚ୍ଚା: ଆମେ ଯାହା ଦେଖୁ, ଏହି ଗଳ୍ପରେ ଆପଣ ‘ଫାଣ୍ଟାସି’ର ଆଶ୍ରୟ ନେଇଛନ୍ତି, ଯେମିତି ଅସୁର ଓ ଗୁମ୍ଫା ପ୍ରଭୃତି। କିନ୍ତୁ ସତୀର ପ୍ରେମିକ ହେଉଛନ୍ତି ଆଧୁନିକ ଯୁଗର ଜଣେ ମିଲିଟାରୀ ଅଫିସର। ତେଣୁ ଆମେ ଏହାକୁ ମିଥ୍ ଓ ଆଧୁନିକତାର ଏକ ସଂଗମ ବୋଲି କହିପାରିବା କି?
ସଦାନନ୍ଦ ତ୍ରିପାଠୀ: ହଁ, କୁହାଯାଇପାରେ। ତେବେ ସେ ଗଳ୍ପରେ ସମସାମୟିକ ଘଟଣାର ହିଁ ଉପସ୍ଥାପନ ହୋଇଛି। ଅବଶ୍ୟ ସେଥିରେ ଅସୁର ଚରିତ୍ର ମଧ୍ୟ ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସଦ୍ୟତମ ଗଳ୍ପ ସଂକଳନ ‘କଥା ଶୁଭେ, ଲଥା ଲୁଚିଯାଏ’ ଗତବର୍ଷ ପ୍ରକାଶିତ ହୋଇଛି। ଏହାପରେ ପାଠକଙ୍କୁ ଆଉ କିଛି ନୂଆ କଥାସାହିତ୍ୟ ମଧ୍ୟ ଉପହାର ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି କି?
ସଦାନନ୍ଦ ତ୍ରିପାଠୀ: ହଁ, ନୂଆ କିଛି ମଧ୍ୟ ପ୍ରକାଶିତ ହେବାର ଅଛି। ଆହୁରି ଚାରୋଟି ଗଳ୍ପ ସଙ୍କଳନ ହୋଇପାରିଲା ଭଳି ଲେଖା ମୋ ପାଖରେ ମହଜୁଦ ଅଛି। କିନ୍ତୁ ପ୍ରକାଶକମାନେ ଚାହୁଁଥିବା ସତ୍ତ୍ୱେ, ସେଗୁଡ଼ିକୁ ଏକତ୍ରିତ କରି ସୁସଞ୍ଜତ ଭାବରେ ସେମାନଙ୍କୁ ଦେଇନପାରିବାଟା ହେଉଛି ମୋର ଦୁର୍ବଳତା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଗଳ୍ପ ସାହିତ୍ୟର ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଆପଣଙ୍କର ମନେହୁଏ କି, ଯେ ଏହା ଗୋଟିଏ ନୂଆ ମୋଡ଼ ନେବାକୁ ବସିଛି?
ସଦାନନ୍ଦ ତ୍ରିପାଠୀ: ଅବଶ୍ୟ ଶୈଳୀରେ କିଛି ନୂଆ ମୋଡ଼ ଦେବାକୁ କେତେଜଣ ଗାଳ୍ପିକ ଚେଷ୍ଟା କରୁଛନ୍ତି। ବିଶେଷତଃ ଯେଉଁ ନୂଆ ନୂଆ ପିଲା ଗଳ୍ପ ସାହିତ୍ୟକୁ ଆସୁଛନ୍ତି ସେମାନଙ୍କ ଲେଖାରେ ଗୋଟିଏ ତ୍ୱରିତ ଗତିଶୀଳତା ଆମେ ଲକ୍ଷ୍ୟ କରୁଛୁ। ତେବେ ଭାବ ବା କଥାବସ୍ତୁରେ ବେଶି କିଛି ପରୀକ୍ଷା ନିରୀକ୍ଷା ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।

( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

5 thoughts on “ବରିଷ୍ଠ କଥାକାର ସଦାନନ୍ଦ ତ୍ରିପାଠୀଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

  1. ସଦାନଂଦ ତ୍ରିପାଠୀଙ୍କ ଗଳ୍ପ କେତେ ସହଜରେ ଜଣକୁ ଆନ୍ଦୋଳିତ କରେ ! ଏବଂ ଆଚ୍ଛନ୍ନ ବି କରେ !

    ତାଂକ ସହ ଆପଣଂକର ଏତିକି କଥାବାର୍ତ୍ତା ଯଦିଓ, ନିହାତି ଅଳ୍ପ ମନେହେଉଛି, ତଥାପି କେତେ ଗଭୀର ଓ ଗମ୍ଭୀର ଶୁଭୁଛି !

    ମୋର ଅତି ପ୍ରିୟ ଗାଳ୍ପିକଙ୍କ ମଧ୍ୟରୁ ସେ ଜଣେ ।

    ଆପଣଂକୁ ବି, ଏଇ କିଛିଦିନ ହେବ, ନିହାର ନୁହେଁ, “ନିଆରା” ଶତପଥୀ ବୋଲି ମୁଁ ମୋ ନିଜକୁ ଚିହ୍ନେଇ ଚାଲିଛି ।

    ତାଂକୁ ଓ ଆପଣଂକୁ ନମସ୍କାର ।

  2. ବାଃ ଖୁବ୍ ସୁନ୍ଦର ରଚନା 🙏💐

Leave a Reply

Your email address will not be published. Required fields are marked *