ମନେପଡ଼େ ରାନୁ

ଆମ କଳୁଷିତ ସମାଜ-ବ୍ୟବସ୍ଥାର ଶିକାର ହୋଇଥିବା ଜଣେ ହତଭାଗା ଓଡ଼ିଆ ଝିଅର ବାସ୍ତବ ଅନୁଭୂତି ବଖାଣିଛନ୍ତି ଲେଖିକା।

ଲୋପାମୁଦ୍ରା ମହାନ୍ତି

୧୯୯୭ ମସିହା ଶ୍ରାବଣ ମାସର କଥା। ମୋର ରାଜ୍ୟ ମହିଳା କମିଶନର ଚେୟାରମ୍ୟାନ ନିଯୁକ୍ତ ହେବାର ସେତେବେଳକୁ ଗୋଟିଏ ବର୍ଷ ବିତିଗଲାଣି। ମହିଳା କମିଶନରେ ଯୋଗଦେବା ପୂର୍ବରୁ ମୁଁ ନାରୀମାନଙ୍କ ସମସ୍ୟା କଥା ଜାଣିଥିଲି, ମାତ୍ର ତାହା ଯେ ଏତେ ଜଟିଳ ଏହା ମୋ’ ଧାରଣା ବାହାରେ ଥିଲା। ପ୍ରତ୍ୟେକ ନାରୀର ଯନ୍ତ୍ରଣା ଭିନ୍ନ, ସମସ୍ୟା ମଧ୍ୟ ଭିନ୍ନ। ମୁଁ କେବଳ ନୀରବରେ ସେମାନଙ୍କ କଥା ଶୁଣେ।
ପିପିଲି ଥାନା ଅଧିକାରୀ ମହିଳା ଟ୍ରାଫିକିଂର ଶିକାର ରାନୁ ଇତି ମଧ୍ୟରେ ଫେରି ଆସିଛି ବୋଲି ଖବର ଦେଇଥିଲେ। ତେଣୁ ରାନୁଠାରୁ ପ୍ରତ୍ୟକ୍ଷ ଜମାନବନ୍ଦୀ ପାଇଁ ମୁଁ ତା’ ପାଖକୁ ଯାଇଥିଲି। ସାଙ୍ଗରେ ଥିଲେ କମିଶନ ସଦସ୍ୟା ଅସୀମା ମହାନନ୍ଦ, ଇନ୍ସପେକ୍ଟର ଶ୍ରୀମତୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଓ ସହକାରୀ ଶ୍ରୀ ଅରବିନ୍ଦ। ପିପିଲିରୁ ନିମାପଡ଼ା ଯିବା ବାଟରେ ବସ୍ତି ପାଖେ ଗାଡ଼ି ଅଟକିଲା। ଆମ ଆଗରୁ ପିପିଲି ଥାନା ଇନ୍ସପେକ୍ଟର ଓ ଜଣେ ସାଥୀ ଆମକୁ ସେଠାରେ ଅପେକ୍ଷା କରିଥିଲେ। ସେମାନେ ବସ୍ତି ଭିତରୁ ରାନୁୁକୁ ଡାକିବାକୁ ଯାଇଥିଲେ। ଜହ୍ନ ବିହୁନେ ତାରା ଭର୍ତ୍ତି ଆକାଶ, ଶୀତୁଳିଆ ବାଆରେ କେଉଁ ପୁଷ୍ପର ସୁଗନ୍ଧ ବାରି ହେଉଛି। ଦୂରରୁ ବୁଲା କୁକୁରଙ୍କ ସ୍ୱର ଓ ତା’ ସହ ପାଖ ମଦ ଭାଟିରୁ ମଦୁଆଙ୍କ ଚିତ୍କାର ପରିବେଶଟାକୁ ଆକ୍ତାମାକ୍ତା କରୁଛି। ମନଟା ଅଯଥାରେ ଉଦାସ ଲାଗୁଥାଏ। ହଠାତ୍ ଅସୀମା କହିଲା- “ଅପା, ସେ ଆସିଲାଣି ଥାନା ବାବୁଙ୍କ ସହ।” ମୋ ଦୃଷ୍ଟିକୁ ଆସିଲା ଠା’ ଠା’ ଚିରା ଶାଢ଼ି ପରିହିତ ଶାବନା ବର୍ଣ୍ଣ ୨୦ ବର୍ଷିଆ ଝିଅଟିଏ। ନୁଖୁରା ବାଳରେ ଉଜ୍ଜ୍ୱଳ ଆଖି ସତେ ଯେମିତି ବହୁ ବେଦନା ଧାରଣ କରି କିଛି କହିବାର ପ୍ରୟାସ କରୁଛି।
ତା’ ପଛରେ ପରିବାର ଲୋକଙ୍କ ସହ ବସ୍ତିବାସିନ୍ଦା। ସମସ୍ତଙ୍କ ଆଖିରେ ଉତ୍କଣ୍ଠା କ’ଣ ଘଟିଥିଲା ଆଗକୁ କ’ଣ ହେବ? ପାଞ୍ଚ ଦିନ ହେଲା ରାନୁ ନିଖୋଜ ହେବା, ତା’ ବାପା ମା’ ଥାନା ଓ ମହିଳା କମିଶନରେ ଫେରାଦ ହେବା ଓ ଥାନା ବାବୁ ରାନୁକୁ ମେଦିନୀପୁରରୁ ଉଦ୍ଧାର କରିବା କଥା ସମସ୍ତଙ୍କୁ ଜଣାଥାଏ।

ରାନୁର ବ୍ୟଥା
ସଞ୍ଜଆଉଟା ଜହ୍ନାଲୋକ କୋଳାହଳହୀନ ରାସ୍ତାରେ ରାନୁ ମୋ’ ହାତକୁ ଜାବୁଡ଼ି ଧରିଥାଏ। ପାଖରେ ଥିବା ପିଣ୍ଡାରେ ବସି ରାନୁର ପ୍ରତ୍ୟକ୍ଷ ଅନୁଭୂତି ଶୁଣିବା ସହ ତାଙ୍କ ତଦନ୍ତ ଫାଇଲ ଦେଖିବାକୁ ଥାନା ବାବୁ ଅନୁରୋଧ କଲେ। କାହିଁକି କେଜାଣି ରାନୁ ପାଣି ପିଇବାକୁ ଚାହୁଛି ବୋଲି ମୋର ହୃଦ୍‌ବୋଧ ହେଲା। ଜଣଙ୍କ ହାତରୁ ପାଣି ଆଣି ତା’ ହାତକୁ ବଢ଼ାଇ ଦେଲି। ସେ ଢକ ଢକ କରି ପାଣି ପିଇଗଲା। ସତେ ଯେମିତି କୋଟି ତୃଷ୍ଣା ମେଣ୍ଟାଇ ନିଜର ଅଗଭୀର ଗହନ କଥା ବାହାରକୁ ଆଣିବାକୁ ଚାହୁଥିଲା। ରାନୁ କହିବାକୁ ଲାଗିଲା- ମୁଁ ଓ ମୋର ପରିବାର ଏହି ବସ୍ତିରେ ରହୁ। ପୁଅ ଆଶାରେ ଆମେ ତିନି ଝିଅରେ ଭାରାକ୍ରାନ୍ତ ଆମ ପରିବାର। ଭାଇ ଭଉଣୀ ମିଶି ଚାରି, ବାପା, ମା’ ଓ ଜେଜେ ମା’ ସଂଖ୍ୟାକୁ ସାତ କରିଛନ୍ତି। ବାପା ପାଖ ହୋଟେଲରେ କାମ କରେ ଓ ମା’ ମଧ୍ୟ ସେଠାରେ ବାସନ ମାଜେ। ସେତିକି ଉପାର୍ଜନରେ ଆମର ସାତ ପେଟ ପୂରେ ନାହିଁ। ଦାଦା ଅନ୍ୟ ଜାତିରେ ବାହା ହେବା ପରେ ଯୌଥ ପରିବାରରୁ ଅଲଗା ହୋଇ ପୁରୀ ସମୁଦ୍ରକୂଳରେ ଚାନ୍ଦି ବେଉସା ଚଳାଉଛି। ଘରର ବଡ଼ ହୋଇଥିବାରୁ ବାପା ମୋର ମୋତେ ବଡ଼ ପୁଅର ବଳା ପିନ୍ଧାଇ କେତେବେଳେ ଭାଗବତ ଶୁଣାଇ ସଂସ୍କାର ଦେଇଛି ତ କେତେବେଳେ ନିଜ ଅପୂରଣୀୟ ଆଶାକୁ ମୋ’ ଆଖିରେ ସାକାର କରିବାର ସ୍ୱପ୍ନ ଦେଖିଛି। ଅଭାବ ଅନଟନ ମଧ୍ୟରେ ମୁଁ ପାଠ ପଢ଼ି ପ୍ରଥମ ଶ୍ରେଣୀରେ ମେଟ୍ରିକ ପାସ କଲି। ମୋର ପଢ଼ିବା ନିଶା ଦେଖି ସାନ ଦୁଇ ଭଉଣୀଙ୍କୁ ପଢ଼ାଇବାକୁ ବାପା ତା’ ରକ୍ତକୁ ପାଣି କରିଛି। କିନ୍ତୁ ମେଟ୍ରିକ ପର ପାଠପଢ଼ା ପାଇଁ ବାପାର କାତ ପାଇଲା ନାହିଁ। ଏଣୁ ନିଜ ଶିଙ୍ଗରେ ମାଟି ତାଡ଼ିବା ପାଇଁ ପିପିଲିରେ ଚାନ୍ଦୁଆ କାମରେ ବାପାର ସହମତିରେ ଯୋଗଦେଲି। ବାହା ବୟସରେ ବର ନ ଖୋଜି ବାପା ମୋ ପାଇଁ ଚାକିରି ଖୋଜିବା କଥା ଶୁଣି ମା’ ଲୁହ ଗଡ଼ାଇଲା ବେଳେ ଜେଜେ ମା’ ମୋତେ ମାଟି ହାଣ୍ଡି କହି ପିପିଲି ବଜାରରେ ସତର୍କରେ ଚଳିବାକୁ ତାଗିଦ କରିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ମୁଁ ଘରୁ ଗୋଡ଼ କାଢ଼ିଲି। ହେଉ ହେଉ ଏ କାମରେ ଏକବର୍ଷ ପୂରିଲା ଏବଂ କାନ୍ଧ ସହ କାନ୍ଧ ମିଶାଉ ମିଶାଉ ସାତ ପେଟ ପୂରିଲା ଭଳି ଲାଗିଲା, ଚିରା ଫଟା ପୋଷାକରେ ଦେଖାଯାଉଥିବା ଦେହ ଅଦୃଶ୍ୟ ହେଲା ଓ ସ୍ୱପ୍ନ ଦେଖିବାର ଆଖିରେ ଚମକ ବଢ଼ିଲା। ମୋତେ ଦେଖି ବସ୍ତିରେ ବହୁ ଲୋକ ‘ଝିଅ ହେବ ତ ଏପରି’ କହୁଥିବା ବେଳେ କିଛି ଲୋକ କହୁଥିଲେ- ଦେଖ କ’ଣ ହେବ… ଝିଅ ପିପିଲି ବଜାରରେ ମୁହଁ କଳା କଲା ପରେ ଏ ନିଶାକର ଲୁଚି କରି କାନ୍ଦିବାକୁ ବି ଜାଗା ପାଇବ ନାହିଁ।
ସେ ଦିନ ଥିଲା ମାସ ଶେଷ ରବିବାର। ଆଇଁଷ ପାଣିର ମହକ ମଧ୍ୟରେ ଜେଜେ ମା’ ଓ ନାତି ନାତୁଣୀମାନଙ୍କର ସାପ ଶିଡ଼ି ଖେଳ ଜମିଥାଏ। ହଠାତ୍ ଘର ମଧ୍ୟକୁ ପଶି ଆସିଲେ ଭିନ୍ନ ପରିଚ୍ଛଦର ଦୁଇ ଯୁବତୀ। ସିନ୍ଥିରେ ସିନ୍ଦୂର, ସ୍ୱର୍ଣ୍ଣାଭୂଷଣର ଚାକଚକ୍ୟ ଓ ନାଲି ଶାଢ଼ି ପରିହିତ ପାନଖିଆ ପାଟିରେ ମଧୁର ସମ୍ଭାଷଣ ସହ ବାପା, ମା’ ଓ ଜେଜେ ମା’ଙ୍କୁ ପ୍ରଣାମ କରି ରାନୁକୁ ଆଉଁଶି ଦେଲେ। ହଠାତ୍ କହିଲେ – ଦାଦା କ’ଣ ତୁମେ ଆମକୁ ଚିହ୍ନି ପାରୁନ? ଆମେ ଆର ସାହି ରଘୁଆ ଓ ବାସୁ ଝିଅ। ବାହାଘର ପରେ ଶାଶୂଙ୍କ ସହ କୋଣାର୍କ ବୁଲି ଆସିଥିଲୁ। ଏଠି ରାନୁ କଥା ଶୁଣିଲୁ। ଶାଶୂ ଆମ ଦିଅର ସହ ରାନୁର ବାହାଘର କରିବାକୁ ଭାରି ଇଚ୍ଛୁକ। ତୁମେ ତ ଜାଣ ଆମେ ବି ସେ ଘର ବୋହୂ ହୋଇ କେତେ ଖୁସିରେ ଅଛୁ। ଆମ ଚାଲିଚଳଣ, ଭାଷା ଓ ସ୍ଥାନ ଅଲଗା ହେଲେ ହେଁ ସେମାନେ ବହୁତ ଭଲ। ପ୍ରତିବର୍ଷ ପରିବାର ସହ ଆମେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁ। ଆମ ଶାଶୂ ଘରେ ସେମାନେ ବିନା ଯାନିଯୌତୁକରେ କେବଳ ସଂସ୍କାରୀ ବୋହୂ ଚାହାନ୍ତି। ରାନୁକୁ ଧରି ତୁମେ ପୁରୀ ଆସ… ସେହିଠାରେ ବାହାଘର କରିଦେବା… ପଇସା କଥା ଚିନ୍ତା କର ନାହିଁ। ସେମାନେ ସବୁ ଖର୍ଚ୍ଚ କରିବେ।
ଅସମଞ୍ଜସରେ ରାନୁ
ସାପ ଲୁଡ଼ୁ ଖେଳରେ ସାପ ଗିଳା କିମ୍ବା ଶିଡ଼ି ଚଢ଼ାଇ ଅସମଞ୍ଜସରେ ଥିବା ରାନୁ ଏ ସବୁ କଥା ଶୁଣୁଥାଏ। ହଠାତ୍ ତା’ ଜେଜେ ମା’ କହିଲେ- ଆରେ ନା ବର ଦେଖା ନା ଘରଦେଖା….. ଏମିତି କ’ଣ ବାହାଘର ହୁଏ? ମହିଳା ଦୁହେଁ କହିଲେ ଆମ ଘର ଆମ ବାପା ଦେଖିଛି ତାକୁ ପଚାର… ଆଉ ବରକୁ ଦେଖି ଝିଅ ବାହା କର। ଆମ ଶାଶୁ ରାନୁ ବିଷୟରେ ସବୁ ଜାଣନ୍ତି ଯେ ସେ କିପରି ଘରର ପୁଅ ପରି ଦାୟିତ୍ୱ ନେଇଛି। ଏଣୁ ଏ ତିରିଶ ହଜାର ଘର ଚଳାଇବା ପାଇଁ ପଠାଇଛନ୍ତି; ଆଉ ତୁମ ଜ୍ୱାଇଁ ବାହାଘର ପରେ ତୁମ ଘର କଥା ବୁଝିବେ। ଏତିକି କହି ସେମାନେ ରାନୁ ବାପା ହାତରେ ତିରିଶ ହଜାର ଟଙ୍କା ଗୁଞ୍ଜି ଦେଲେ। ପରଦିନ କୁକୁଡ଼ା ଡାକିବା ଆଗରୁ ପୁରୀ ବାହାରିବା ଥୟ ହେଲା। ପରିବାର ରାନୁ ସହ ଶେଷ ପର୍ବରେ ପେଜ ପାଣି ମିଶା ପଖାଳ ସହ ଲଙ୍କା, ରସୁଣ ଓ ଆମ୍ବୁଲ ଚକଟାର ସ୍ମୃତି ପଖାଳିଲେ।
କେତେ କାମ! ସମସ୍ତେ ଶୋଇଲେଣି। ରାନୁ ଆସି ଜହ୍ନହସା ଆକାଶ ତଳେ ବସିଲା। ମନରେ ଦ୍ୱନ୍ଦ୍ୱ, କେତେବେଳେ ସ୍ୱାମୀ ସହ ଘର କରିବ। ଭିନ୍ନ ଦେଶ, ଚାଳିଚଳଣି, ଭିନ୍ନ ଭାଷା, ରୀତିନୀତି ଓ ଖାଦ୍ୟ। ଏସବୁକୁ ଆବୋରି ପାରିବ ତ? ହଁ ରାନୁର ଦୁଇ ଓଳି ପଖାଳ ଦରକାର। ହଠାତ୍ ପାଖରେ ବୋଉ କାନ୍ଧ ପାଇ ବାରଣ୍ଡାରେ ଶୋଇପଡ଼ିଲା।
ସିନ୍ଦୂରା ଫାଟିବା ପୂର୍ବରେ ସମସ୍ତେ ପୁରୀ ମୁହାଁ ହେଲେ ଏବଂ ଠିକଣା ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ପାଖ ଧର୍ମଶାଳାରେ ପହଞ୍ôଚଲେ। ନୂତନ ଜୀବନ ଆରମ୍ଭ ପୂର୍ବରୁ ମଣିମାଙ୍କୁ ପ୍ରାର୍ଥନା କଲା ରାନୁ। ବିବାହ କାର୍ଯ୍ୟ ସରିଲା। ପରିବର୍ତ୍ତନ ଧାରାରେ ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା, ବେକରେ ଶୁଖିଲା ଫୁଲମାଳ ଓ ମୁଣ୍ଡରେ ଓଢ଼ଣା ଥିବା ରାନୁ କାହାକୁ ଦେଖିପାରୁ ନ ଥାଏ। ବାପା ବୋଉ ଜେଜେମା’ଙ୍କୁ ଧରି ମନଭରି କାନ୍ଦିବାକୁ ଇଚ୍ଛା ହେଉଥିଲେ ହେଁ ଜଣେ ହାତ ଧରି ଟାଣିନେଲା, ଯେପରି ମାନସିକ ବୋଦାର ଟଣା ହେବାର ଦୃଶ୍ୟ। ପତିତପାବନଙ୍କୁ ମୁଣ୍ଡିଆଟେ ମାରିପାରିଲା ନାହିଁ। କୋଳାହଳ ମଧ୍ୟରେ ସେ ଲୋକଟା ରାନୁକୁ ଗୋଟିଏ ସିଟ୍‌ରେ ବସାଇଦେଲା। ଚତୁର୍ଥୀ ପୂର୍ବରୁ ଓଢ଼ଣା ନ ଖୋଲିବା ନିୟମ ତାକୁ ବସ୍ତି ଝିଅ ଓ ବର୍ତ୍ତମାନର ଯା’ ରାନୁର କାନେ କାନେ କହିଛି। ଅଗତ୍ୟା ଆଖିରେ ଲୁହ ଥାଇ ମଧ୍ୟ କୁଟାଖିଅ ପରି ବିନା କାନ୍ଦରେ ବସ୍‌ରେ ଆଗକୁ ବଢ଼ିଲା ରାନୁ। ଭରସା, ବିଶ୍ୱାସ ଓ ଭକ୍ତି ଥାଏ ମଣିମା ଓ ମା’ ଲକ୍ଷ୍ମୀଙ୍କ ଉପରେ। ପୁରୀ ବଡ଼ଦାଣ୍ଡରୁ ଶୁଖିଲା ପ୍ରସାଦ କିଣିବା ବେଳେ ପାଖ ଦୋକାନରୁ ସିନ୍ଦୂର ଓ ନାଲି ଚୁଡ଼ି ସହ ଶ୍ରୀଜଗନ୍ନାଥଙ୍କ ଲକେଟଟା ନାଲି ସୂତାରେ ବାନ୍ଧି ରାନୁ ବେକରେ ଗଳେଇ ଦେଇଥିଲା ତା’ ବୋଉ।
ଆଖିରେ ବାଘୁଣୀ
ଗାଡ଼ି ପୁରୀ ଛାଡ଼ିଲା। ରାନୁର ଭାବନା ସହ ଭୋକ ଓ ଶୋଷ ଗ୍ରାସ କରିଥାଏ। କିନ୍ତୁ ଚିରାଚରିତ ଭାବେ କେବଳ ପାଣି ପିଇ ତୃପ୍ତ ହେଲା। ପଛ ସିଟ୍‌ରୁ କିଏ ଜଣେ ତା’ ଲୁଗା ଟାଣିଲା, ଓଢ଼ଣାଟା ଖସି ପଡୁଥିଲା, ଡରରେ ଟାଣି ଧରିଲା। ପଛରେ ବସିଥିବା ଆମ ଗାଁ ପରୀ କହିଲା – ଓଢ଼ଣା କାଢ଼ି ଦେ… ଆମେ ପୁରୀ ଛାଡ଼ିଲୁଣି… ଆଉ ଡର ନାହିଁ। ରାନୁ କିଛି ବୁଝିପାରିଲା ନାହିଁ। ବସ ମଝି ସିଟ୍ ପାଖରେ ତା’ର ଶାଶୁ ବୋଲି ପରିଚୟ ଦେଉଥିବା ସ୍ତ୍ରୀ ଲୋକଟିର ମୁହଁରେ ସକାଳର ସେ ସରଳପଣ କିନ୍ତୁ ଦୃଶ୍ୟମାନ ହେଉ ନ ଥାଏ। ପାଟିରେ ପାନ ଓ ବାଘୁଣୀ ଆଖିରେ କର୍କଶ ସ୍ୱରରେ କଥା ହେଉଥାଏ। ରାନୁର ଗୋଟିଏ ପାର୍ଶ୍ବରେ ଜଣେ ସ୍ତ୍ରୀ ଓ ଅନ୍ୟ ପାର୍ଶ୍ବରେ ଜଣେ ପୁରୁଷ ଲୋକ ବସିଥାନ୍ତି। ତାର ବାପା ଦାଦାଙ୍କ ପରି ନୁହେଁ ବରଂ ବଳିଷ୍ଠ, ଡେଙ୍ଗା, ମୁଣ୍ଡରେ କେଶ ଓ ମୁହଁରେ ନିଶର ନକ୍ସା। ଏହା ଭିତରୁ ତା’ର ସ୍ୱାମୀ କିଏ? ସଂଶୟରେ ତଣ୍ଟି ଶୁଖି ଯାଉଥାଏ। ପାଣି ମାଗିବାରୁ ଶାଶୁ ଚିତ୍କାର କଲେ; ସେ ଡରିଗଲା, ସତରେ କ’ଣ ଭୁଲ କରିଦେଲା କି? ଝରକା ବନ୍ଦ। ଅନ୍ଧାର ବସ୍‌ରେ ଜଣେ କେହି ପାଣି ବୋତଲଟା ବଢ଼ାଇଦେଲା। ରାନୁ ଢକ ଢକ କରି ପାଣି ପିଇଗଲା।


ବସରେ ଚଢ଼ିଲା ବେଳକୁ ତା’ର ଶାଶୁ ଗାଆଁର ହୋଟେଲ ମାଲିକର ଫୋନ ନମ୍ବର ତା’ ବାପାଠାରୁ ନେଇଥିଲା। ଦୁଇଦିନ ମଧ୍ୟରେ ଘରେ ପହଞ୍ଚି ଝିଅ ସହ କଥା କରାଇବ। ରାନୁ ମଧ୍ୟ ହୋଟେଲ ମାଲିକ ନମ୍ବରଟା ରଖିଥିଲା। ପାଣି ପିଇଲା ପରେ ଭୋକ ନାହିଁ; କେତେବେଳେ ଆଖି ଲାଗିଯାଇଛି। ହଠାତ କିଏ ତା’ର ଶାଢ଼ି ଟାଣିଲା। ନୀଳ ଆଲୁଅ, ବସରେ ଗୀତ ଓ ଅଶ୍ଳୀଳ ହସ ଓ ମଦର ଗନ୍ଧ। ପାଖରେ ବସିଛି ବଳିଷ୍ଠ ଯୁବକଟିଏ; ଯୁବକ ନୁହେଁ ତ ମଣିଷଖିଆ ବାଘ। ରାନୁ ଅଳ୍ପ ହିନ୍ଦୀ ବୁଝିପାରେ, ସେ ଯୁବକଠୁ ଯାହା ବୁଝିଲା; ସେ ବାହା ହୋଇ ଯାଉନାହିଁ ବରଂ ଶାଶୁ କହୁଥିବା ସ୍ତ୍ରୀ ଦ୍ୱାରା ତିରିଶ ହଜାର ଟଙ୍କାରେ କିଣା ହୋଇଛି। ଅନ୍ୟ ୧୦/୧୫ ଜଣ ତା’ ପରି ଝିଅ ବି ତା’ ପରି କିଣା ହୋଇଛନ୍ତି। ବସ୍ତିର ପରୀ ପରି ୫/୬ ଜଣ ଝିଅ ମଧ୍ୟ ବିଭିନ୍ନ ପ୍ରଲୋଭନ ସହ ବିବାହର ପ୍ରହେଳିକା କରି ଝିଅମାନଙ୍କୁ କିଣନ୍ତି। ୨୫ ଜଣ ପୁରୁଷ ମଧ୍ୟରୁ ୧୫ ଜଣ ଗ୍ରାହକ। ସେମାନେ ଝିଅମାନଙ୍କୁ ଖିନଭିନ କରି ଖାଇବେ। ପାଟି କଲେ କିମ୍ବା ପଳାଇବାକୁ ଉଦ୍ୟମ କଲେ ଜୀବନ ଗଲା ଜାଣ।
ଶ୍ରୀଜଗନ୍ନାଥ ଭରସା
ସେ ନିଃଶ୍ୱାସ ମାରିଲା, ସଂବାଳୁଆ କୋଳରୁ ବାହାରି ପ୍ରଜାପତି ପରି ଉଡ଼ିବାକୁ ସ୍ୱପ୍ନ ଦେଖୁଥିଲା। ମାତ୍ର ଖୋଳପାରୁ ବାହାରିବ କିପରି? ଜାବୁଡ଼ି ଧରିଲା ଶ୍ରୀଜଗନ୍ନାଥଙ୍କ ଲକେଟଟାକୁ, କ’ଣ ଯେ କରିବ? ମନେ ମନେ ନିଶ୍ଚୟ କଲା ଯେପରି ଚାଲାକି କରି ତା’କୁ ଆଣିଲେ ସେହିପରି ଏମାନଙ୍କ କବଳରୁ ମୁକୁଳିବାକୁ ପଡ଼ିବ। କ’ଣ କରିବ ! ପଛ ସିଟ୍‌ରେ ଗୋଟିଏ ଝିଅକୁ ଧରି ତା’ର ଇଜ୍ଜତ ନେଉଥାନ୍ତି ଦୁଇ ପୁରୁଷ। ସମସ୍ତେ ଦେଖି ହସୁଥାନ୍ତି, କେହି ଆସୁ ନାହାନ୍ତି। ବସ୍ ସାରା ସେହି ଏକା ଦୃଶ୍ୟ… ଜଣେ ଜଣେ ମହିଳା ପାଖରେ ଜଣେ ବା ଦୁଇ ଜଣ ପୁରୁଷ। ଗରିବକୁ ଭଗବାନ ସାହା। ହଠାତ୍ ବସ୍‌ର ସାମ୍ନା ସିଟ୍‌ରେ ପହଲମାନ ଜଗୁଆଳିଙ୍କ ଘେରରେ ଥିବା ଶାଶୂ କହିଲେ- “ଆଉ ଡର ନାହିଁ। ଆମେ ଓଡ଼ିଶା ପାର ହୋଇ ଛତିଶଗଡ଼ରେ ପହଞ୍ଚିଗଲୁଣି। ସମସ୍ତଙ୍କୁ ଭୋକ ଲାଗୁଥିବ। ଆଗରେ ଗୋଟିଏ ଧର୍ମଶାଳା ଅଛି। ଆମର ଖାଇବା ରଖିଥିବ। ସମସ୍ତେ ନିଜ ହେପାଜତରେ ନିଜ ନିଜ ସ୍ତ୍ରୀକୁ ନେଇ ୧୦ ମିନିଟରେ ଖାଇ କରି ଆସିବ।” ପିଣ୍ଡରେ ପ୍ରାଣ ପଶିଲା। ବସରୁ ଓହ୍ଲାଏ, ତା’ ପରେ କ’ଣ ହେବ ଦେଖାଯିବ।
ଛଳନା କରି ପାଖରେ ବସିଥିବା ଯୁବକ ସହ ମିଠା ମିଠା କଥା ଆରମ୍ଭ କରି ଦେଇଥାଏ ରାନୁ। ଖୁସି ହୋଇ ସେ ରାନୁର ହାତ ଆଉଁଶୁଥାଏ; ବସ୍‌ର ହଲଚଲରେ ଦେହକୁ ଦେହ ବାଜିଗଲେ ହସୁଥାଏ।
ବସ୍‌ଟି ତା’ର ଗନ୍ତବ୍ୟ ସ୍ଥଳରେ ରହିଲା। ରାନୁ କହି ଚାଲିଥାଏ….. ବସ୍ ପାଖରେ କଥିତ ଶାଶୁ ଠିଆ ହୋଇ ତାଗିଦା କଲେ- ହୋଟେଲରେ ଆଗରୁ କୁହାଯାଇଛି। କିଏ ପଚାରିଲେ କହିବ, “ଆମେ ଗାଁରୁ ପୁରୀ ଦର୍ଶନ ପାଇଁ ଆସିଥିଲୁ… ଆଉ ଏମାନେ ଆମ ସ୍ତ୍ରୀ।”
ସ୍ୱାମୀର ଧମକ
ବସରୁ ଓହ୍ଲାଇ ତାରା ଛନଛନ ଆକାଶକୁ ଚାହିଁ ଶ୍ରୀଜଗନ୍ନାଥଙ୍କ ଲକେଟ ଉପରେ ନଜର ପକାଇଲା ରାନୁ। କଥିତ ସ୍ୱାମୀ ହାତ ଟାଣି ନେଲା, ରାନୁର। ବହୁତ ଭିଡ଼ ଓ ଭୟାନକ ପରିବେଶରେ ରୁଟି, ଡାଲି ଓ ପିଆଜ ଖଣ୍ଡେ ଥୋଇଲା ଦୁର୍ବଳ ହ୍ୟାପ୍ ପ୍ୟାଣ୍ଟ ଗଞ୍ଜି ପିନ୍ଧା ଛୋଟ ପିଲାଟିଏ। ପାଖ ଟେବୁଲରେ ମଦୁଆ ଲୋକ ଠରାଠରି ହେଉଥାନ୍ତି। ଖାଇବା ଆରମ୍ଭରେ କଥିତ ସ୍ୱାମୀ ଟେବୁଲ ଛାଡ଼ି ତାଗିଦା କରି ଗଲେ- ଏପଟ ସେପଟ ହେବୁ ନାହିଁ, ନ ହେଲେ ମାରିଦେବି।
ସେଇ ରୁଟି ଦେଉଥିବା ପିଲାର ହାତ ଧରି ତାକୁ କେଉଁ ଯେ ଭରସାରେ ପଚାରିଦେଲା ରାନୁ- “ମୋତେ ସାହାଯ୍ୟ କରିବୁ?” ପାଟିରୁ ଓଡ଼ିଆ କଥା ଶୁଣି ସେ ହତବାକ ହୋଇଗଲା। କିଛି କହିବା ପୂର୍ବରୁ ସେ ପିଲାଟି ରାନୁର ହାତ ଧରି ଦୌଡ଼ି ପାଖ ଟ୍ରକ୍ ଡ୍ରାଇଭରକୁ କହିଲା- “ସେମାନେ ଖୋଜିବା ଆଗରୁ ଆକୁ ନେଇ ପୋଲିସ ପାଖରେ ପହଞ୍ଚାଇ ଦେ…. ଶୀଘ୍ର ପଳାଅ।”
ରାନୁ କହୁଥାଏ, ମତେ ଛାଡ଼ି ସେ ପିଲାଟି ହୋଟେଲ ଆଡକୁ ଦୌଡ଼ି ଅଦୃଶ୍ୟ ହୋଇଗଲା। ଟ୍ରକ ଡ୍ରାଇଭର କହିଲା, “ଆସନ୍ତୁ, ଟ୍ରକର ବୋଝେଇ ଜିନିଷ ମଧ୍ୟରେ ଲୁଚି ବସନ୍ତୁ, ଶୀଘ୍ର ଜାଗା ଛାଡ଼ିବା, ନଚେତ ଦୁହେଁ ମରିବା।” ଯନ୍ତ୍ରଚାଳିତ କଣ୍ଢେଇ ପରି ଟ୍ରକ୍ ପଛରେ ଲୁଚି ବସିଲା ରାନୁ। ପାଟି ଚିତ୍କାର ଭିତରେ ଅନ୍ଧାର ରାତି ଚିରି ଟ୍ରକ୍‌ଟି ସର୍ପିଳ ରାସ୍ତାରେ ଗଡ଼ି ଚାଲିଲା। ହଠାତ୍ ଟ୍ରକ୍‌ଟା ରହିଲା ଗୋଟିଏ ଟୋଲ୍ ଗେଟ ପାଖରେ। ଡ୍ରାଇଭର କହିଲା- “ବାହାରି ଆସନ୍ତୁ, ପୋଲିସକୁ ସବୁ କୁହନ୍ତୁ। ମୁଁ ଏଥର ଅନ୍ୟ ରାସ୍ତାରେ ଯିବି।” ସେ ପୋଲିସକୁ କ’ଣ ସବୁ କହିଲା। ରାନୁ ମଧ୍ୟ ପୋଲିସ ପଚାରିବାରୁ ହଁ କଲା।
ଟୋଲ୍ ଗେଟ ପାଖରୁ ଥାନାକୁ ଆଣି ରାନୁକୁ ପଚାରିବାରୁ ସେ ସବୁ କଥା ବର୍ଣ୍ଣନା କଲା। ଥାନା ବାବୁ ରାନୁଠାରୁ ସବୁ ବୁଝି ପିପିଲି ଥାନାକୁ ଫୋନ କଲେ ଓ ଖାଇବାକୁ ଦେଇ କହିଲେ, “ଡର ନାହିଁ। ରାତି ପାହିଲେ ତୁମ ଘରକୁ ଯିବାର ସମସ୍ତ ବ୍ୟବସ୍ଥା କରିଦେବି।” ଶାନ୍ତିରେ ନିଃଶ୍ୱାସ ମାରିଲା ରାନୁ। ସକାଳୁ ପିପିଲି ଥାନା ବାବୁଙ୍କ ସହ ସେ କଥା ହେଲେ। ରାନୁ ମଧ୍ୟ ହୋଟେଲ ମାଲିକଙ୍କ ଫୋନରେ ବାପା ସହ କଥା ହେଲା। ସବୁ ସମସ୍ୟାର ସମାଧାନ ହେଲା। ରାନୁ ଘରକୁ ଫେରିଲା। ସାପ ଶିଡ଼ି ଖେଳରେ ସାପ ଗିଳାର ଶିକାର ହୋଇ ପୁଣି ଶିଡ଼ି ଚଢ଼ିଲା ରାନୁ; କିନ୍ତୁ କେଉଁଠି କେମିତି ମନର କୌଣସି ଅଜଣା ଆଶଙ୍କା ଆଉ ତାକୁ ପ୍ରଜାପତି ପରି ଉଡ଼ିବାକୁ ସାହସ ଜୁଟାଇପାରୁ ନ ଥିଲା। ହେଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ବଂଚି ଯାଇଥିବାରୁ ଶ୍ରଦ୍ଧା ଓ ଭକ୍ତିରେ ଆଜି ବି କୋଟି ପ୍ରଣାମ କରୁଛି ରାନୁ।
ଓଡ଼ିଶା ରାଜ୍ୟ ମହିଳା କମିଶନରେ ମୋର ସାତ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏଭଳି ବହୁ ମରମ-ଛୁଆଁ ଅନୁଭୂତି ମୋତେ ଗଭୀର ଭାବରେ ବିବ୍ରତ କରିଥିଲା।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅକ୍ଟୋବର , ୨୦୨୩ ସଂଖ୍ୟାରେ ପ୍ରକାଶିତ।)

4 thoughts on “ମନେପଡ଼େ ରାନୁ

  1. ଓଃ! କରୁଣ କାହାଣୀ। କାହାଣୀ କ’ଣ ସତଘଟଣା! ମାଡ଼ମ ବି କି ସୁନ୍ଦର ଶୈଳୀରେ ଏହାକୁ ବର୍ଣ୍ଣନା କରିଛନ୍ତି! ଚମତ୍କାର।

  2. ଭାଷା ଓ ଭାବରେ ଅନୁଭୂତିଟି ଅଳଙ୍କୃତ l ଲେଖିକା ନମସ୍ୟ l
    ମନକୁ ଆସୁଛି..।.
    ସୁଦର୍ଶନ ଚକ୍ର କୁମ୍ଭୀରର ବେକ କାଟି ହାତୀକୁ ରକ୍ଷା କଲା l
    କୁମ୍ଭୀରର ବେକ ନ କଟି ରାନୁ ରକ୍ଷା ପାଇଗଲା l
    ଶିକାର କରି ବଂଚିବା କୁମ୍ଭୀରର ଧର୍ମ l
    ରାନୁ ଭଳି କେତେ ନିରୀହ, କୁମ୍ଭୀରମାନଙ୍କଠାରୁ ବଞ୍ଚି ପାରୁନାହାନ୍ତି l
    ମଣିଷ କେବେ ପଶୁ ପ୍ରବୃତ୍ତି ଛାଡିବ, ତାହା ଚକ୍ରଧରଙ୍କୁ ଜଣା l
    🙏🙏🙏

  3. ଲେଖାଟି ପଡ଼ିବା ପରେ ମୁଁ ଖୁସି ଯେ, ଲୋପାମୁଦ୍ରା ମହାନ୍ତି ରହୁଥିବା ରାଉରକେଲା ସହରର ମୁଁ ମଧ୍ୟ ଜଣେ ବାସିନ୍ଦା। ଏହା ସହିତ ଲୋପାମୁଦ୍ରା ମାଡାମଙ୍କୁ ମୁଁ ଭଲଭାବେ ଜାଣେ। ଜଣେ ଅଧ୍ୟାପିକାଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ମାଡାମ ହେଉଛନ୍ତି ପ୍ରଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା। ଏହି ଲେଖାଟି ଗୋଟିଏ ଅନୁଭୂତି ଓ ସତ ଘଟଣା। ଆମ ରାଜ୍ୟରେ ଏହିଭଳି ରାନୁମାନଙ୍କ ଉଦାହରଣ ଅସଂଖ୍ୟ। ଆଜି ମଧ୍ୟ ଏହିଭଳି କେତେ ରାନୁ ଯନ୍ତ୍ରଣା ଓ ସମସ୍ୟା ମଧ୍ୟରେ ରହିଛନ୍ତି ତା’ର ହିସାବ କାହା ପାଖରେ ବୋଧ ହୁଏ ନଥିବ। ସବୁଠାରୁ ବଡ଼ କଥା ହେଉଛି, ଲୋପାମୁଦ୍ରା ମାଡାମଙ୍କ ଭଳି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ବୋଧହୁଏ ଗତ ଅନେକ ବର୍ଷ ହେଲା ଓଡ଼ିଶାରେ ନାହାଁନ୍ତି। ଯଦିଓ ସରକାରୀଭାବେ ଜଣେ ମହିଳାଙ୍କୁ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିୟମିତ ବ୍ୟବଧାନରେ ଦାୟିତ୍ୱ ମିଳୁଛି ଏବଂ ସେମାନେ ନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟ ମଧ୍ୟ କରୁଛନ୍ତି, କିନ୍ତୁ ମୁଁ ଜାଣିବାରେ ଏହି ଅଧ୍ୟକ୍ଷାମାନେ ରାନୁ ଭଳି ସମସ୍ୟାରେ ପଡ଼ିଥିବା କେତେ ଯୁବତୀ ଓ ମହିଳାମାନଙ୍କୁ ଭେଟୁଛନ୍ତି ଓ ସେମାନଙ୍କ କଥା ଶୁଣୁଛନ୍ତି ତାହା ଆଲୋଚନା ସାପେକ୍ଷ । ଅନ୍ୟପଷରେ ଗତ ୨୩ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ସରକାର ଓ ସରକାରୀ ବାବୁମାନେ ରାନୁ ଭଳି ଯୂବତୀମାନଙ୍କ ସମ୍ପର୍କରେ ଅବଗତ ହୋଇ କିଭଳି ପଦକ୍ଷେପ ନେଉଛନ୍ତି ତାହା ପ୍ରାୟ ଅଳ୍ପବହୁତ ସମସ୍ତେ ଜାଣିଥିବେ। ସେ ଯାହାହେଉ , ଲୋପାମୁଦ୍ରା ମାଡାମ୍‌ ନିଜ ଅନୁଭୂତିକୁ ଯେଉଁଭଳିଭାବେ ବର୍ଣ୍ଣନା କରିଛନ୍ତି, ତାହା ହୃଦୟସ୍ପର୍ଶୀ ଏବଂ ମାର୍ମିକ। ସେଥିପାଇଁ ଉଭୟେ ଲେଖିକା ଓ ସମ୍ପାଦକଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛି। ଏହିଭଳି ଲେଖା ପ୍ରକାଶନ ପରେ କିଛି ବ୍ୟକ୍ତି କିଛି ଶିଖିବେ ବୋଲି ଆଶା କରୁଛି।

  4. So heartbreaking! I had met Lopamudra madam at the Mahila commission office in the late 1990s. What really bothers me is any followup on these cases. What kind of rehabilitation has been possible? Have these women been accepted by the society? It is time to think the next step.

Leave a Reply

Your email address will not be published. Required fields are marked *