ବାପା: ସନେଟ୍‌ରୁ ଚଉପଦୀ

ସନେଟ୍ ହେଉଛି ବିଦେଶରୁ ଆହରିତ ଏକ କାବ୍ୟ ଶୈଳୀ। ଏଥିରେ ପ୍ରକାଶିତ ଭାବକୁ ଆମ ପାରମ୍ପରିକ ଓଡ଼ିଆ ଶୈଳୀରେ ଚଉପଦୀର ଛାଞ୍ଚରେ ଢ଼ାଳି ହେବ କି? ଏହାକୁ ନେଇ ପ୍ରୟୋଗଟିଏ କରିଛନ୍ତି କବି ଆଲୋକ କୁମାର ପ୍ରଧାନ।

ଆଲୋକ କୁମାର ପ୍ରଧାନ

ସନେଟ୍‌ :

ବାପା

ବହିଲାପଣକୁ ବନ୍ଧଟିଏ ବାପା ଉଠିଲା ପଣକୁ ରଞ୍ଜା
ମୁକ୍ତ ଆକାଶରେ ଡେଣାଟିଏ ସିଏ ଖୁସି ରାଇଜର ରଜା
ସଂସାର ଭାରକୁ କନ୍ଧୁଅ କରି ସେ ସୁଖେ ଭୋଗୁଥାନ୍ତି ଦୁଃଖ
ବାପାଙ୍କ ଠୁଁ କେବେ ଫେରେକି ଉତ୍ତର କେଉଁଥିରେ ତାଙ୍କ ସୁଖ!

ଆମରି ସ୍ୱପ୍ନକୁ କଜ୍ଜଳ କରି ସେ ବରଜି ଦିଅନ୍ତି ମନ
ବାପା ଆଉ ବାପାପଣିଆକୁ ଧରି ନୀରବେ କାଟନ୍ତି ଦିନ
କୋଶେ ଦୂରତାକୁ ପାହୁଣ୍ଡେ କରନ୍ତି ଲୁହକୁ ନ ଦେଇ ଧରା
ଅଖିଆ ପେଟରେ ସାତସିଆଁ ପିନ୍ଧି ବାଣ୍ଟନ୍ତି ଖୁସି ପସରା।

ସବୁ ବାପାମାନେ କାନ୍ଦନ୍ତିନି ବୋଲି ବାଆ ପାଇଁ ବତା ସିଏ
ସବୁ ବାପାଙ୍କର ସୁଖ ଲୁଚିଥାଏ ଆମ ଖୁସି ଥିବା ଯାଏଁ
ପତର ପଡ଼ିଲେ ପଥର ପଡ଼ିବା ପରି ତାଙ୍କୁ ଲାଗୁଥାଏ
ଆକାଶେ ଖୁସିର ଉଡ଼ାଣରେ ମନ ଆମରି ପାଖରେ ଥାଏ।

ବାପାଙ୍କ ହୃଦୟ ତୂଳାଠୁଁ ନରମ ବାହାରଟା ବଡ଼ ଟାଣ
ବାପା ହେବା ବଡ଼ କଠୋର ତପସ୍ୟା ଅସହଜ ବାପାପଣ।

ଚଉପଦୀ :

ବାପା

ବହିଲାପଣକୁ ବନ୍ଧଟିଏ ହେଉଥିବେ
ଉଠିଲାପଣକୁ ରଞ୍ଜାଟିଏ ହୋଇ ହାତ ଧରି ଚାଲୁଥିବେ
ବାପାଙ୍କ ପରି କେ ହେବେ
ବହିଲାପାଣିକି ବନ୍ଧ ହେଇ ରୋଧୁଥିବେ।୦।

ସଂସାର ଭାରକୁ କାନ୍ଧେ ବୋହି ବୋହି ଦୁଃଖ ଭୋଗୁଥିବେ ବାପା
ତାଙ୍କ ସୁଖ କିଛି ପଚାରିଲେ ଥରେ ଉତ୍ତର ନଥାଏ ଦେଖା
ଆମ ଦୁଃଖ -ସୁଖ ନିକିତିରେ ଯିଏ
ନିଜକୁ ତଉଲୁ ଥିବେ
ବହିଲା ପାଣିକି ବନ୍ଧହେଇ ରୋଧୁଥିବେ।୧।

ଆମରି ସ୍ୱପ୍ନକୁ ଆଖିର କଜ୍ଜଳ କରି ଗଣୁଥିବେ ଦିନ
ବାପାପଣିଆର ଧାରେ ଧାରେ ଚାଲି ନିଜଠି ନ ରଖି ମନ
ନ ଖାଇ ନ ପିନ୍ଧି କୋଶେକୁ ପାହୁଣ୍ଡ
କରି କିଏ ଜିଉଁଥିବେ
ବହିଲା ପାଣିକି ବନ୍ଧ ହେଇ ରୋଧୁଥିବେ।୨।

ବାପାମାନେ କାଳେ କାନ୍ଦନ୍ତିନି ବୋଲି ବାଆ ପାଇଁ ବତା ସିଏ
ପତର ପଡ଼ିଲେ ଆମରି ଉପରେ ଲାଗେ ପଥର ପରାୟେ।
ଆକାଶେ ଖୁସିର ଉଡ଼ାଣରେ ସିଏ
ଆମ ପାଖେ ପାଖେ ଥିବେ
ବହିଲା ପାଣିକି ବନ୍ଧ ହେଇ ରୋଧୁଥିବେ।୩।

ତୁଳାଠୁଁ ନରମ ବାପାଙ୍କ ହୃଦୟ ବାହାରକୁ ଭାରି ଟାଣ
ବାପା ହେବା ସିନା କଠୋର ତପସ୍ୟା ଅସହଜ ବାପାପଣ
ବାପା ଭାବ ଭାବି ବାପାଟେ
ହେବାକୁ ଭଣେ ଆଲୋକ ପ୍ରଧାନ
ବହିଲା ପାଣିକି ବନ୍ଧ ହେଇ ରୋଧିବାରେ ରଖି ମନ।।୪।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅକ୍ଟୋବର , ୨୦୨୩ ସଂଖ୍ୟାରେ ପ୍ରକାଶିତ।)

5 thoughts on “ବାପା: ସନେଟ୍‌ରୁ ଚଉପଦୀ

  1. ବହୁତ ସୁନ୍ଦର ପ୍ରୟାସ।କନ୍ଧୁଅ କରି ସେ ନଲେଖି,କାନ୍ଧ କରି ସିଏ ଲେଖିଥିଲେ ଆଉଟିକେ ଶ୍ରୁତି ମଧୁର ହୋଇ ପାରିଥାଆନ୍ତା। ଦ୍ବିତୀୟ ପଦରେ ଆମରି ସ୍ବପ୍ନକୁ କଜ୍ଜଳ କରି ସେ ନଲେଖି ଆମ ସପନକୁ କଜଳ ଘେନି ସେ କରିଥିଲେ ଧାଡ଼ିର ଗୁରୁଲଘୁ ସମତା ରହି ପାରିଥାନ୍ତା ବୋଲି ମୋର ବିନୀତ ମତ। ତଥାପି କବିଙ୍କ କଳାଗାଠନିକତା ବା କ୍ରାଫ୍ଟମାନସିପ୍ ସମ୍ପୂର୍ଣ୍ଣ ନିଆରା।ବଧାଇ।

  2. ସୁନ୍ଦର ମତାମତ ପାଇଁ କୃତଜ୍ଞତା ଜଣାଉଛି ଆପଣଙ୍କୁ। ନିଶ୍ଚୟ ସୁଧାରିନେବି।

  3. ସାହିତ୍ୟ ଚର୍ଚ୍ଚା ପୋର୍ଟାଲରେ ପ୍ରକୃତରେ ସାହିତ୍ୟ ଚର୍ଚ୍ଚା ହିଁ ହେଉଛି। ବିଶିଷ୍ଟ ଇଂରାଜୀ ଲେଖକ William Shakespeare , Robert Frost, John Milton ଙ୍କ ସନେଟ ଏବଂ ଓଡ଼ିଆ ଲେଖକମାନଙ୍କ ବିଶେଷ ପ୍ରାଚୀନ ଓଡ଼ିଆ ଲେଖାରେ ଚଉପଦୀ ବା ଚାରିଟି ପଦ ବିଶିଷ୍ଟ ଲେଖାର ଉଦାହରଣ ସହିତ ‘ବାପା’ ବିଷୟକୁ ନେଇ ଲେଖା ଯାଇଥିବା ଆଲୋକ ପ୍ରଧାନଙ୍କ ଏହି କବିତାଟି ହୃଦୟସ୍ପର୍ଶୀ। କାରଣ ପ୍ରାୟ ପ୍ରତି ବିବାହିତ ପୁରୁଷ ନିଜ ଜୀବନକାଳ ମଧ୍ୟରେ ବାପା ହୋଇଥାଏ । ଯେତେବେଳେ ଜଣେ ପୁରୁଷ ବା ବ୍ୟକ୍ତି ବାପା ହୋଇଥାଏ ସେତେବେଳେ ଯାଇ ସିଏ ବାପା ହେବାର ମହତ୍ୱ ଓ ଗୁରୁତ୍ୱ ବୁଝିପାରିଥାଏ। ସେହି ଗୁଢ଼ ତଥା ଚିରନ୍ତନ ସତ୍ୟକୁ ଅତ୍ୟନ୍ତ ଚମତ୍କାର ଓ ନିଆରା ଢଙ୍ଗରେ ପରିବେଷଣ କରିଥିବାରୁ ଆଲୋକ ପ୍ରଧାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସାଧାରଣତଃ ମୁଦ୍ରିତ ସାହିତ୍ୟ ବା ସାହିତ୍ୟ ସମ୍ପର୍କୀୟ ପତ୍ରପତ୍ରିକାରେ ଏଭଳି ଲେଖା ଦେଖିବାକୁ ମିଳୁନାହିଁ।

  4. ପ୍ରଣା଼ମ। ବେଦରେ କବି ଶବ୍ଦର ଅର୍ଥ ସୂର୍ଯ୍ୟ। ଏଣୁ ନମୋ ସବିତ୍ରେ!!

  5. ସାହିତ୍ୟ ଚର୍ଚ୍ଚାର ଏ ନିଆରା ପ୍ରୟାସକୁ ସାଧୁବାଦ । କବି ଆଲୋକ ପ୍ରଧାନଙ୍କର ସନେଟର ଅଭିନବ ଶବ୍ଦଖଞ୍ଜା ଖୁବ ମନଲୋଭା । ଓଡ଼ିଆ କବିତାର କିଛି ମାଟିମିଶା ବାସ୍ନା ଫେରୁଛି ବୋଲି ମନ ପୂରି ଯାଉଛି । ଏଇ କବିତା ଉପରେ ମତାମତ ରଖିଥିବା ଗୋପାଲକୃଷ୍ଣ ଆଚାର୍ଯ୍ୟଙ୍କର ଏମିତି ବାସ୍ନାର କିଛି କବିତା ପଢ଼ିବାକୁ ବି ମିଳେ ତାଙ୍କ ଫେସବୁକ ପୃଷ୍ଠାରୁ । ତାଙ୍କୁ ବି ବଧେଇ । ଓଡ଼ିଆ ସାହିତ୍ୟର ୟେ ନୂଆ ଧାରାଟି ଅଣ୍ଟା ସଳଖି ଛିଡ଼ା ହେଉ । ଆଧୁନିକ କବିତା ଲେଖାଯାଉ , କିନ୍ତୁ, ଆଧୁନିକ କବିତା ନାମରେ ଅନେକ ଆତ୍ମରତି ମିଶା ଉଧାରକରା ଶସ୍ତା ଆବର୍ଜନା କବିତା ଭଳି ମହାନ ସୃଜନଶୀଳ କଳା ପ୍ରତି ସ୍ଵତଃ ଏକ ବିମୁଖ ଭାବ ସୃଷ୍ଟି କଲାଣି ଏବଂ ଆଧୁନିକ କବି ଏକ ଉପହାସ୍ୟ ଜୀବରେ ପରିଣତ ହେଲାଣି ।

Leave a Reply

Your email address will not be published. Required fields are marked *