ମାଆଆ

ଆମର ମେଢ଼ ଏଥର ପ୍ରଥମ ହେବ ସବୁ ମେଢ଼ଙ୍କ ଭିତରେ।

ଆରାଧନା ମିଶ୍ର

(ଶରତ ମାସର ଦୁର୍ଗାପୂଜା ସମୟ। ଆଜି ସପ୍ତମୀ ପୂଜା ସରିଛି। ଦେବୀପୂଜା କରୁଥିବା ପଣ୍ଡିତେ ପୂଜା ସାରି କେବେଠୁ ଚାଲି ଗଲେଣି। ସନ୍ଧ୍ୟାରୁ ରାତି ଅଧ ଯାଏଁ ମେଢ଼ ଦେଖିବାକୁ ନାହିଁ ନଥିବା ଭିଡ଼। ସମସ୍ତେ ସାଜସଜ୍ଜା ଦେଖି ପ୍ରଶଂସାରେ ଫାଟି ପଡ଼ୁଛନ୍ତି। ଫୋଟୋ, ସେଲ୍ଫି ନେଇ ନେଇ ଲୋକ ଥକି ଗଲେଣି। ରାତି ପ୍ରାୟ ତିନିଟା ହେବ। ଦେଖଣାହାରୀ ଧୀରେ ଧୀରେ ଘରକୁ ଫେରିଗଲେଣି; ଆସନ୍ତାକାଲି ଦ୍ବିଗୁଣିତ ଉତ୍ସାହରେ ଫେରିବାର ପରିକଳ୍ପନା କରି। ପୂରା ପୂଜାର ଆୟୋଜନ କରିଥିବା ଟୋକା କେତେଟା ମୂର୍ତ୍ତି ଆଗରେ ଶୋଇବାର ବନ୍ଦୋବସ୍ତ କରୁଛନ୍ତି। ମନରେ ଅପୂର୍ବ ଆନନ୍ଦ।
ହଠାତ୍‌ ଦେବୀ ଆବିର୍ଭୂତା ହେଲେ। ସମସ୍ତେ ଚମକି ପଡ଼ିଲେ; କିନ୍ତୁ ଅବିଳମ୍ବେ ”ମାଆ -ମାଆ” କହି ଦେବୀଙ୍କୁ ଓଳଗି ହେଲେ।)

ଦେବୀ – ଏଥର ତ ତୁମେମାନେ ବହୁତ୍‌ ପଇସା ଖର୍ଚ୍ଚ କରିଛ ଏ ପୂଜାପାଇଁ !
ଆୟୋଜକ – ସବୁ ତୋରି ଇଚ୍ଛା ମା। ଛଅ ମାସ ହେଲା ଲାଗିଛୁ। ଏଥର କିନ୍ତୁ ତୋ କୃପା ମା ! ସତୁରି ଲକ୍ଷ ମିଳିବାରୁ ତୋ ପୂଜା ଏତେ ଧୁମ୍‌ଧାମ୍‌ରେ ଆମେ କରିପାରିଛୁ।
ଆଉଜଣେ – ନ ମିଳିଥିଲେ ଆମ ନାକ କଟି ଯାଇଥାନ୍ତା ମା। ଆମର ଏଥର ପ୍ରଥମ ହେବ ସବୁ ମେଢ଼ଙ୍କ ଭିତରେ। ଦେଖିଲନି ମା, ଲୋକ ଆମ ମେଢ଼ ଦେଖି କଣ କହୁଛନ୍ତି ! ଏଠୁ ଘୁଞ୍ଚୁ ନାହାନ୍ତି ପରା। ଠେଲାପେଲା ହେଇ ସେଇଠି ଠିଆ ହେଇଛନ୍ତି। ସାଜସଜ୍ଜା, ଲାଇଟିରୁ ତା’ଙ୍କ ମନ ଛାଡ଼ୁନି ପରା। କିଣାବିକା ବି କମ୍‌ ହେଇଛି କି!
ଦେବୀ – ମୋ ନାଁ ନେଇ ତାହେଲେ ତମେ ଭଲ ବ୍ୟବସାୟ ଚଲେଇଛ।
ଆୟୋଜକ – (ଦେବୀଙ୍କ ଗୋଡ଼ତଳେ ଲମ୍ବ ହେଇ ପଡ଼ିଯାଇ) କଣ କହୁଛନ୍ତି ଆପଣ ! ଆପଣଙ୍କ ପୂଜା – ଆପଣଙ୍କ ପାଇଁ ହିଁ ସବୁକିଛି। ଆମେ ତ ଛାରମାତ୍ର। ମା ଆ!

ଦେବୀ – ‘ମୁଁ କିଏ’ କେବେ ନିମିଷକ ପାଇଁ ଭାବିଛ?
ଆୟୋଜକ – ଆପଣ ପରା ଦେବୀ – ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା …
ଦେବୀ – ଓଓ! ତୁମେ ତେବେ ଜାଣ କି ମୁଁ ସମସ୍ତଙ୍କ ଭିତରେ – ପ୍ରକୃତି , ଜୀବଜନ୍ତୁ ସମସ୍ତଙ୍କ ଭିତରେ ଅଛି। ତେବେ ଏତେ ବଡ଼ ଆୟୋଜନ କାହିଁକି?
ଆୟୋଜକ – ଆମେ ସିନା ଏ ଗୂଢ଼ ତତ୍ତ୍ବ ଜାଣୁ ମା, ସର୍ବସାଧାରଣ ତ ଜାଣନ୍ତିନି। କିଏ କିଏ ଜାଣିଲେ ବି ଭୁଲିଯାଆନ୍ତି। ବର୍ଷକେ ଥରେ ମନେ ନପକେଇଲେ କେମିତି ହେବ? ଯେତେ ବଡ଼ ମେଢ଼ ସେତେ ଭକ୍ତିଭାବ।
ଦେବୀ – ଆଚ୍ଛା , ତୁମେ ଯେବେ ଏତେ କଥା ଜାଣିଛ,ଏକଥା ବି ଜାଣିଥିବ ଯେ ଏଇ ମଣ୍ଡପର ପାଖ ଦେଇ ‘ଗନ୍ଧବତୀ’ ନାମରେ ଛୋଟ ନଈଟିଏ ବହି ଯାଇଛି। ସେ ନଈକୁ ନାଳ କହି ସବୁ ଆବର୍ଜନା ସେଥିରେ ପକଉଛ। ଥରେ ବି ତମ ମନ କୁହେନି କି ନଦୀ ଗୋଟେ ମାଆ, ଜଣେ ଦେବୀ; ତାର ସମ୍ମାନ କରିବା। ତାକୁ ସଫା ରଖିବା।
ଆୟୋଜକ – ଓ ! ସେଇ ନାଳ ! (ନାକକୁ କିଛି ସମୟ ଦୁଇ ଆଙ୍ଗୁଠିରେ ଚିପି ଧରି) କଣ କରିବା? ଲୋକେ ଯାହା କରୁଛନ୍ତି ସେଇୟା ହେଉଛି। ଆମେ ବା କଣ କରିବୁ?
ଦେବୀ – ଏତେ ପଇସା ଏକାଠି କରିଛ। ଏଠି ଟିକେ କମ୍‌ ଖର୍ଚ୍ଚ କରି ତାକୁ ସଫା କଲେ ହୁଅନ୍ତାନି ! ତାକୁ ସଫା କରି ଯଦି ଚାରିଆଡ଼େ ‘ମା ଗନ୍ଧବତୀ,’ ‘ଦେବୀ ଗନ୍ଧବତୀ’ ଲେଖନ୍ତ, ସର୍ବସାଧାରଣଙ୍କ ମନରେ ପଶନ୍ତା କି ତାକୁ ଅଳିଆ କଲେ ପାପ ହେବ। ମୁଁ ଯଦି ସବୁଠି ଅଛି, ସେ ନଦୀରେ ବି ତ ଅଛି!
ଆୟୋଜକ – (ଏଥର ଟିକେ ଧୈର୍ଯ୍ୟହୀନ ହେଇ) ମା ! ଆପଣ ଏମିତି ସବୁକଥାରେ ସମ୍ପୃକ୍ତ ହେଲେ ହେବନି। ନଦୀ, ନାଳ ଆମ କାମ ନୁହେଁ। କେତେ କଷ୍ଟରେ ଏ ସମିତିର ଦାୟିତ୍ବ ମିଳିଛି। ଟିକେ ହଲ୍‌ଚଲ୍‌ ହେଲେ ସେ ବିଶୁ ମାଡ଼ି ବସିବ। ସେ ଦଳ ଚାହିଁ ବସିଛନ୍ତି କେମିତି ଏ ସମିତିର ଦାୟିତ୍ବ ଛଡ଼େଇନେବେ ବୋଲି। ଆପଣଙ୍କୁ ଆମ କୋଟି ପ୍ରଣାମ ।
(ଦେବୀ ଦେଖିଲେ, ଆଉ କେହି ବି ଖୁସି ନୁହନ୍ତି ତା’ଙ୍କ ଉପସ୍ଥିତିରେ। ଅଦୃଶ୍ୟ ହେଇଗଲେ ସେ। ସମସ୍ତେ ଶାନ୍ତିରେ ନିଃଶ୍ବାସ ମାରିଲେ।)
ଆୟୋଜକ – ଓଃ! ଏ ଦେବୀ ବି ନା ! ବଡ଼ ପୁରୁଣାକାଳିଆ ଢ଼ଙ୍ଗ ସତରେ !
ଆଉଜଣେ – ମତେ ଲାଗୁଛି ବିଶୁର ଗୁହାରି ଶୁଣି ଆସିଥିଲେ।
(ସମସ୍ତେ ମୁଣ୍ଡ ଟୁଙ୍ଗାରିଲେ। ପରଦା ନଇଁ ଆସିଲା।)

3 thoughts on “ମାଆଆ

  1. ଆଃ! ସ୍ବାର୍ଥୀମଣିଷର ସ୍ବରୂପ ଓ ନିଜକୁ ଦେଖେଇ ହୋଇ ବାହାବା ନେବାର ଖୋଇକୁ ଲେଖିକା ଚମତ୍କାର ଢଙ୍ଗରେ ବାଢ଼ିଛନ୍ତି। ଚମତ୍କାର!

  2. ସତରେ ହେଲେ ମାଆ ଥରେ ଆସନ୍ତେ କି?
    ରକ୍ତ ବାନ୍ତିକରି ସେଇ ଦାଦା ପାର୍ଟି ବଟକରା ଗୁଡାକ ଏକାଥରେ ମୋକ୍ଷ ପାଇଯାନ୍ତେ! ଧରିତ୍ରୀ ମା ଉଶ୍ୱାସ ହୋଇଯାଆନ୍ତେ ।
    ପ୍ରକୃତରେ ଆମକୁ ଏଇ ଗନ୍ଧିଆ ଗନ୍ଧବତୀ ଯୋଗ ତ ଶାସ୍ତି ! ହାତୀ ଠୁ ମାହୁନ୍ତ ବଡ଼ ହେଲାପରି ମେଢ଼ ଠୁ ତୋରଣ ସବୁ ବଡ଼ କେମିତି ହେଇଛି ଦେଖୁନ ? ମେଳା ମଉଚ୍ଛବ ରାଜନୀତି ଗହଳିରେ ଆମେ ଦେବୀ ବନ୍ଦାପନା ପାଇଁ ଯାଉଚେ କାହିଁକି କେଜାଣି ? ଭୁବନେଶ୍ବରରେ ୧୮୮ ଟି ମେଢ଼ କଥା ଭାବନ୍ତୁ । କେତେ ପ୍ରଦୂଷଣର ଉତ୍ସ ଆମର ଦଶହରା !!! ମାଆ କ୍ଷମା କରନ୍ତୁ ମୋର ଏଇ କୁହାଳିଆ ଗୁଣ! ସପ୍ତାହଟେ ଆଖି କାନ ପାଟି ଚିପି କରି ରହିଗଲେ ହୁଅନ୍ତାନି ? ଖାଲି ବାକ୍ୟବୀର!!

  3. ଲେଖିକା ଆରାଧନା ମିଶ୍ର ଜଣେ ମହିଳା ଓ ସେ ଲେଖିଥିବା ନାଟକଟି ଦେବୀ ଦୂର୍ଗାଙ୍କ ଉପରେ ପର୍ଯ୍ୟବଶିତ। ସାମାଜିକ ସ୍ଖଳନ ଓ ପୂଜାଉତ୍ସବ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସହିତ ପରିବେଷ ପ୍ରଦୂଷଣ ଜନିତ ସମସ୍ୟାକୁ ଲେଖିକା ବେଶ୍‌ ଚମତ୍କାର ଭାବରେ ଅଳ୍ପ ଶବ୍ଦରେ ବର୍ଣ୍ଣନା କରିବା ଚମତ୍କାର ସହିତ ଭାବୋଦ୍ଦୀପକ ହୋଇପାରିଛି। ଏଥିପାଇଁ ଲେଖିକାଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନ ସହିତ ସାଦର ନମସ୍କାର। ଏହା ସହିତ ଲେଖାକୁ ଉପଯୁକ୍ତ ଭାବେ ଦର୍ଶାଇବା ନିମନ୍ତେ ଦେବୀ ଅଷ୍ଟଭୁଜାଙ୍କ ରେଖା ଚିତ୍ରତି ମଧ୍ୟ ଆହୁରି ଚମତ୍କାର ହୋଇପାରିଛି। ଏଥିପାଇଁ ଚିତ୍ରକରଙ୍କ ସହିତ ସମ୍ପାଦକଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସତରେ ଯଦି କୌଣସି ପୂଜା ମଣ୍ଡପରେ ଏହିଭଳିଭାବେ ଦେବୀଙ୍କ ଆବିର୍ଭାବ ବା ସମାନ୍ତରାଳ ଢଙ୍ଗରେ କିଛି କାର୍ଯ୍ୟ ହୁଅନ୍ତା ତାହା ଆହୁରି ଚମତ୍କାର ହୁଅନ୍ତା ବୋଲି ମୋର ମତ। ସାମ୍ପ୍ରତିକ ସମୟରେ ଏହିବହ୍ଳି ଘଟଣା ଘଟିବା ଅସମ୍ଭବ ମଧ୍ୟ ନୁହେଁ। ସେ ଯାହାହେଉ ଶାରଦୀୟ ଦୁର୍ଗାପୂଜା ଉପଲଷେ ଏକ କ୍ଷୁଦ୍ର ନାଟକ ମାଧ୍ୟମରେ ଲେଖିକାଙ୍କ ଉପସ୍ଥାପନା , ତାହା ପୁଣି ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ନେଇ , ବେଶ୍‌ ଯୁକ୍ତିଯୁକ୍ତଭାବେ ଉପସ୍ଥାପିତ ହୋଇପାରିଛି। ଏଥିପାଇଁ ଜଣେ ପାଠକଭାବେ ମୁଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି।

Leave a Reply

Your email address will not be published. Required fields are marked *