ଶବ ପଡ଼ିଛି

ଏଠି ସମସ୍ତେ ତ ଅନାତ୍ମୀୟ ,ପଳାୟନପନ୍ଥୀ ; ଅନ୍ୟ ପାଇଁ ସମୟ ଅଭାବ। ନିଜର ପିଲାମାନଙ୍କ ପାଖରେ ବି ସମୟ ନ ଥାଏ।

ପ୍ରଦୋଷ ମିଶ୍ର

ଶବ ପଡ଼ିରହିଛି, କେଜାଣି କେତେଦିନରୁ। ମୁହଁଟା ଖୁବ୍ ବିକୃତ ଦେଖାଯାଉଛି। ଆଖି ଦୁଇଟା ପୂରାପୂରି ଖୋଲା। ମନେ ହେଉଛି, ଯେପରି ଗୋଟେ ଦୃଷ୍ଟିରେ ସେ ଚାହିଁରହିଛନ୍ତି, ଦେଖୁଥିବା ଲୋକଟିକୁ। ମୁହଁର ଭଙ୍ଗୀରୁ ଜଣାଯାଉଛି, ଯେପରି ତାଙ୍କର କିଛି କହିବାକୁ ନାହିଁ। କିଛି ଅଭିଯୋଗ, ବକ୍ତବ୍ୟ ନାହିଁ। ଜିଇଥିବା ଲମ୍ବା ରାସ୍ତାର ସମସ୍ତ ଅଭିଜ୍ଞତାକୁ ସେ ଶୂନ୍ୟରେ ମିଶାଇ ଦେଇଛନ୍ତି। ଦୁଇହାତ ଖୋଲିଯାଇଛି, ଦୁଇପଟକୁ। ଠିକ୍ ଇତିହାସର ସିକନ୍ଦରଙ୍କର ମୃତ୍ୟୁ ବେଳର ଛବିପରି। ମୁଣ୍ଡର ବାଳମାନେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦେହକୁ, ଗାରପକା ଲୁଙ୍ଗିଖଣ୍ଡେ ଆଉ ଅଧା ମଇଳା ଗଞ୍ଜିଖଣ୍ଡେ ଅବିନ୍ୟସ୍ତ ଭାବରେ ଘୋଡ଼ାଇ ରଖିଛି। ଟେବୁଲ ଉପରେ କିଛି ଔଷଧ ଇତଃସ୍ତତ ହୋଇ ପଡ଼ିରହିଛି। ଢାଳିଯାଇଛି ଅଧାଖୋଲା ବୋତଲରୁ, ପାଣିସବୁ। ଧାରଟିଏ ହୋଇ ଶବ ବାଟଦେଇ ବୋହିଯାଇଛି, ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ। ପାଣିର କିଛି ଅଂଶ ଲିଭିଯାଇ, ଦାଗଟିଏ ଛାଡ଼ିଯାଇଛି। ଆଉ ଠାଏ ଠାଏ ଅଳ୍ପ କିଛି ଅଟକିଯାଇଛି। ଭଦ୍ରବ୍ୟକ୍ତି ବୋଧହୁଏ ମୃତ୍ୟୁବେଳକୁ ବୋତଲରୁ ପାଣି ଆଣିବାକୁ ଚାହିଁଥିଲେ। ଜୀବନର ଅନ୍ତିମ କ୍ଷଣରେ ତାଙ୍କର ପାଣି ଟୋପାଏ ହିଁ ଆବଶ୍ୟକ ଥିଲା।
ଶବ ପଡ଼ିରହିଛି।
କିଛିଲୋକ ପରସ୍ପର ମୁହଁକୁ ଚାହିଁ ରହିଛନ୍ତି। କିଛି ପ୍ରଶ୍ନ, କିଛି ଉପଲବ୍ଧି ଅକୁହା ରହିଯାଉଛି। ଚିହ୍ନା, ଅଚିହ୍ନା ଭାବନା ଭିତରେ ସେ ଦ୍ୱନ୍ଦ୍ୱଟିଏ ବନିଯାଉଛନ୍ତି। କେହି କେହି ଅବଶ୍ୟ ତାଙ୍କୁ ଦେଖିଛନ୍ତି, ରାସ୍ତାରେ, ଘର ସାମ୍ନାରେ। କେହି କେହି କହୁଛନ୍ତି, ସେ ବାରଣ୍ଡାରେ ଆରାମ ଚଉକି ଉପରେ ବସି ଉପରକୁ ଚାହିଁ ରୁହନ୍ତି ଅନେକ ସମୟ। ତାଙ୍କ ପାଖରେ କିଛି ଶବ୍ଦ ନ ଥାଏ, ବିସ୍ମୟ ନ ଥାଏ।
ଏପରି ଏକ ଅନାତ୍ମୀୟ ସହରରେ, କିଏ ବା କାହା କଥା ଜାଣିବାରେ ଆଗ୍ରହ ରଖିଥାଏ? ମଣିଷମାନେ ଜଣେ ଅନ୍ୟ ଜଣକ ପାଇଁ ଅଦରକାରୀ ବନିଯାଆନ୍ତି। ବିଶେଷ ଦରକାର ନ ଥିଲେ ସମସ୍ତେ ଅଜଣା। ତେବେ କେହି ତ ଜଣେ ତାଙ୍କୁ ଚିହ୍ନିଥିବ? ବୋଧହୁଏ ଅଯଥା ପ୍ରଶ୍ନର ଶିକାର ହେବା ଭୟରେ ସେ ଆତ୍ମଗୋପନ କରି ରହିଥାଇ ପାରନ୍ତି। ତେବେ ଏ କଥା ସତ୍ୟ ଯେ, ଭଦ୍ରଲୋକଙ୍କର ସମ୍ପର୍କର ଡୋରଟା ଆଦୌ ଲମ୍ବିଯାଇ ନ ଥିଲା, ସାମ୍ନା ଫାଟକର ଆରପଟକୁ।
ତେବେ ବି, କେହି ଜଣେ କହିଲେ, ଏଇ କିଛିବର୍ଷ ହେବ, ସେ ଏ ଘରଟାରେ ରହିଆସୁଛନ୍ତି। ତାଙ୍କର ନିଜ ଘର ନା ଭଡ଼ାଘର ସେ କଥା ଜଣାନାହିଁ। ଏତେଦିନ ଭିତରେ ତାଙ୍କ ଘରକୁ ଆଉ କିଏ ଆସିବାର କେହି ଦେଖିନାହାନ୍ତି। ଭଦ୍ରବ୍ୟକ୍ତି ବୋଧହୁଏ ଅବିବାହିତ କିମ୍ବା ନିଃସନ୍ତାନ ହୋଇଥିବେ। ହୁଏତ ଜୀବନର ମଝି ରାସ୍ତାରୁ ପରିବାରର ସମସ୍ତେ ବାଟ ଭାଙ୍ଗି ଚାଲିଯାଇଥିବେ!
ସେ ଯିଏ ହୁଅନ୍ତୁ ନା କାହିଁକି, ମଣିଷ ତ ଥିଲେ!
ଘରର ଭିତରପଟୁ ବନ୍ଦ ଥିଲା, କେଜାଣି କେତେ ଦିନରୁ, ସେ କଥା ଜଣାନାହିଁ। କିଏ କାହିଁକି ବା ଧ୍ୟାନ ଦେବ। ସେଇବାଟ ଦେଇ ଠେଲା ଗାଡ଼ି ନେଇ ଯାଉଥିବା ପରିବାବାଲା ଭାବିଥିଲା, ବୋଧହୁଏ କୁଆଡ଼େ ଯାଇଥିବେ। ବାହାର ପଟ ବାରଣ୍ଡାରେ ସେମିତି ଗୁଡ଼ାହୋଇ କିଛି ଖବରକାଗଜ ପଡ଼ିରହିଥିଲା। ସେ ବା କେମିତି ଜାଣିବ ତାଙ୍କର ଉପସ୍ଥିତି! ମାସର ଗୋଟାଏ ଦିନ ତ ତା’ର କାମ, ତାଙ୍କ ପାଖରେ।

-‘ତେବେ କେତେଦିନ ହେବ ସେ ନିରୁଦ୍ଦିଷ୍ଟ ଥିଲେ?’
ଜଣେ ଖୁବ୍ ଚାଲାକ୍ ଲୋକ କହିଲେ, ‘ଖବରକାଗଜତକ ଗଣିଦେଲେ ଜଣାପଡ଼ିଯିବ, କେତେଦିନ ହେବ ସେ ପଦାକୁ ବାହାରି ନାହାନ୍ତି। ସେଥିରୁ ହୁଏତ ତାଙ୍କର ମୃତ୍ୟୁ ଦିନକୁ ଗଣନା କରିହେବ।’ ଆଉ ଜଣେ ଖୁବ୍ ସଚେତନ ବ୍ୟକ୍ତି ତାଙ୍କୁ ଅଟକାଇଦେଲେ। କହିଲେ, ‘ସେ କାମ ପୋଲିସର। ବିପଦକୁ ଡାକି ଲାଭ କ’ଣ ମିଳିବ? ବରଂ ଥାନାକୁ ଫୋନ୍ କରାଯାଉ। ଆମର କାଦୁଅକୁ ଯିବା ଆବଶ୍ୟକ ନାହିଁ।’
ସମସ୍ତେ ପରସ୍ପର ମୁହଁକୁ ଚାହିଁଲେ। ନିଜର ମଣିଷପଣିଆକୁ ପ୍ରଶ୍ନ କଲେ। ଶବର ଫଟ ଉଠାଇଲେ।
କେହି ପୋଲିସକୁ ଜଣାଇଲେ କି?
ହଠାତ୍ ସଚେତନ ହୋଇଗଲେ ସମସ୍ତେ। ଧୀରେ ଧୀରେ ଘରଭିତରୁ ପଦାକୁ ବାହାରି ଆସିଲେ।
ଶବ ତେବେ ବି ପଡ଼ିରହିଥିଲା।
ପୋଲିସକୁ ଜଣାଇବା ଉଚିତ୍। ଏହା ତ ଏକ ସଚେତନ ନାଗରିକର କର୍ତ୍ତବ୍ୟ। ମଣିଷପଣିଆ। ହେଲେ ସେ ମଣିଷ ଜଣକ କିଏ? କିଏ ଫୋନ୍ କରିବ, କାହିଁକି? ପଡ଼ିଥାଉ ଶବ। କାହାର କ’ଣ ଯାଉଛି? ଅଯଥାରେ ଥାନାକୁ ଧାଁ ଧପଡ଼ କରି, ଗୁଡ଼ାଏ ଜଟିଳ ପ୍ରଶ୍ନର ଉତ୍ତର ଦେବାକୁ କିଏ କାହିଁକି ବା ଚାହିଁବ?
ଧୀରେ ଧୀରେ କିଛିଲୋକ ସେଠୁ ଖସି ଚାଲିଗଲେ। ଜମା ହୋଇଥିବା ଲୋକମାନେ ଆଖିଦୃଶିଆ ହୋଇଗଲେ। କେହି କେହି ପଥଚାରୀ ସେଇବାଟେ ଯାଉଥିବା ବେଳେ ଟିକେ ନଜର ପକାଇଦେଇ, ତରତର ହୋଇ ଚାଲିଗଲେ, କିଛି ଜରୁରୀ କାମର ବାହାନାରେ। କେବଳ ଦୁଇ ତିନିଜଣ ବୃଦ୍ଧ ଅଟକି ଯାଇଥିଲେ ସାମ୍ନାପଟେ। କିଏ ବାଡ଼ିଟାଏ ଧରିଥିଲା ତ, କିଏ ଖୁଁ ଖୁଁ ହୋଇ କାଶୁଥିଲା। ସେମାନଙ୍କ ବିଚାର ଯାହା ଥାଉନା କାହିଁକି, କଥାର ଧାରାଟା ଅଲଗା ପ୍ରକାରର ଥିଲା। ସେମାନେ ପରସ୍ପର ଭିତରେ ଏପରି କଥା ହେଉଥିଲେ ଏବଂ ମଜ୍ଜିଯାଇଥିଲେ ଯେ, ଘଟିଯାଇଥିବା ଅସଲ ଦୃଶ୍ୟଟା ଗୌଣ ହୋଇଯାଇଥିଲା। ସେମାନେ ସବୁ ନିଜ ଭିତରେ ଶବ ବନିଯାଉଥିଲେ। କେହି ଜଣେ କହୁଥିଲେ, ‘ଏମିତି ଦିନଟେ ଆମ ପାଇଁ କେବେ ବି ଆସିପାରେ। କେ ଜାଣେ, ହୁଏତ ଆଜି କି କାଲି ବି ଘଟିପାରେ। ପିଲାମାନେ ତ ବାହାରେ ରହିଲେ, କିଏ ଦେଖିବ ଆମର ଅବସ୍ଥାକୁ? ସେମାନେ ସମସ୍ତେ ନିଜପାଇଁ ଦୁଃଖୀ ଥିଲେ। ଶବ ବନିଯାଉଥିଲେ, ଅନିଶ୍ଚିତ ସମୟର ବ୍ୟବଧାନରେ।’
-‘ଭଗବାନ କରନ୍ତୁ, କିଛି କଷ୍ଟ ନ ଆସୁ। କିଏ ବୁଢ଼ାମାନଙ୍କୁ ପଚାରୁଛି ଭାଇ। ସେମାନେ ଥିଲେ କେତେ, ଗଲେ କେତେ। ତାଙ୍କ ପାଇଁ ଖାଲି ଗୁଡ଼େ ପଇସା ବରବାଦ ହେଉଛି ବୋଲି, ପିଲାମାନଙ୍କର ଧାରଣା।’
ସେମାନେ କିଛି ଦେଶ ବିଦେଶରେ ଥିବା ବୃଦ୍ଧମାନଙ୍କୁ ହେଉଥିବା ଅବହେଳା ବିଷୟରେ ବି କଥାହେଲେ। ସେମାନଙ୍କୁ ଜାଣି ଜାଣି କିଛି ଚିକିତ୍ସା କରାଯାଏନି। କାରଣ, ସେମାନେ ଦେଶ ପାଇଁ, ପରିବାର ପାଇଁ ବୋଝ। ଅଯଥା ଖାଦ୍ୟ ଔଷଧର ଅପଚୟ କରନ୍ତି, ସତେ ଯେପରି ରାସ୍ତା କଡ଼ରେ ବୁଲୁଥିବା କୁକୁର କିମ୍ବା ବୟସ ଅତିକ୍ରମ କରିଥିବା ଗୋରୁଗାଈ। ଯଦିଓ ସେମାନଙ୍କ ପାଖରେ କୌଣସି ନିର୍ଦିଷ୍ଟ ଖବର ନ ଥିଲା, ସେମାନେ ନିଜକୁ ସେଇ ପରିସ୍ଥିତିରେ ରଖି ଆତଙ୍କିତ ହେଉଥିଲେ।
-‘ଠିକ୍ କଥା। ଆମ ଠାରେ ଆଉ କ’ଣ କାମ କି? ଆମଠୁ ସବୁ ନେଇଗଲା ପରେ, ଅଳିଆ ବୋଝଟାଏ ତ ବନିଯାଇଛୁ ସମସ୍ତଙ୍କ ପାଇଁ। ପିଲାମାନଙ୍କର ଆମର ସେବା କରିବା ପାଇଁ ବେଳ କାଇଁ?’
-‘ତେବେ ବୁଢ଼ାବୁଢ଼ୀମାନେ କରିବେ କ’ଣ? କୁଆଡ଼େ ତ ଉଭେଇ ଯିବେନି।’
ହେ ପ୍ରଭୁ, ଆଉ ଦୁଃଖ ଦିଅନା।
-‘ପିଲାମାନେ ଖବରପାଇ ଆସିଲେ ବି ଲାଭ କ’ଣ? ଆଜିକାଲିର ପିଲା କ’ଣ ଆମର କ୍ରିୟାକର୍ମ କରିବେ? ମଲା ପରେ ବି ଆତ୍ମାକୁ ଶାନ୍ତି ମିଳିିବନି। ପ୍ରେତ ହୋଇ ବୁଲିବାକୁ ପଡ଼଼ିବ। ଜୀବନ ପରେ ବି ମୁକ୍ତି ମିଳିବନି।’
ନିଜର ଭବିଷ୍ୟତର ଶବ ପାଖରୁ ସେମାନେ ପୁଣି ଫେରିଆସିଲେ, ଦୃଶ୍ୟମାନ ଶବ ପାଖକୁ। ଲୋକଟା ଯିଏ ବି ହେଉ, ମଲା କିପରି?
-‘ଖଟରୁ ଗଡ଼ି ପଡ଼ିଥିବ। ପାଣି ପାଇଁ ଉଠିଥିବ ରାତି ଅଧରେ। ଝୁଣ୍ଟି ପଡ଼ିଥିବ। ବ୍ଲଡ୍ ପ୍ରେସର କି ଡାଇବେଟିକ୍ ଥିବ। ହାର୍ଟ ପ୍ରୋବ୍ଲେମ୍ ଥାଇପାରେ କିମ୍ବା ଆଜ୍‌ମା। କିଛି ତ ନିଶ୍ଚୟ ରହିଥିବ। ଏ ଅସହାୟ ବୃଦ୍ଧମାନଙ୍କ ଉପରେ ଏଥିରୁ କିଛି ରୋଗକୁ ଭଗବାନ ଲଦି ଦିଅନ୍ତି।’
-‘ହେଲେ ଏ ଭଦ୍ରଲୋକ ନିଶ୍ଚୟ ଅସାମାଜିକ ଥିଲେ। କାହା ସଙ୍ଗେ ସମ୍ପର୍କ ରଖିନାହାନ୍ତି।’
-‘ଉ ହୁଁ, କାହାକୁ କାହାକୁ ଏକୁଟିଆ ରହିବାକୁ ଭଲଲାଗେ। ଦେଖୁନ ଖଟ ପାଖରେ କେତେ ଖାତା କଲମ ବହି ପଡ଼ିରହିଛି।’
-‘ଗଦ୍ୟ ଲେଖକ, କି କବି ହୋଇଥିବ ପରା। ମୁଁ ଶୁଣିଛି ସେମାନେ ଏକୁଟିଆ ଅନ୍ୟ ଏକ ଦୁନିଆରେ ରହିବାକୁ ଭଲ ପାଆନ୍ତି।’
-‘ହୁଏତ ସେ ଡାଇରୀ ବି ଲେଖୁଥିବେ। ତାଙ୍କ ଜୀବନରେ କିଛି ଦୁଃଖ କି ଅବସୋସ ଥାଇପାରେ।’
-‘ସେ କ’ଣ ଚାକିରି କରୁଥିଲେ ନା ବ୍ୟବସାୟ? କେଉଁଠୁ ଆସିଥିଲେ?’
ସେମାନଙ୍କର ଏମିତି କେତେ ସବୁ ଆଲୋଚନା ଚାଲିଥିଲା। ଘରେ କାମଧନ୍ଦା ହୁଏତ ନ ଥିଲା, ନ ଥିଲା କିଛି ଦାୟିତ୍ୱବୋଧ।
ଶବ ପଡ଼ିରହିଥିଲା ଘର ଭିତରେ।
ହଠାତ୍ ଲସର ପସର ହୋଇ ଧାଇଁ ଆସିଲା ମଧ୍ୟବୟସ୍କା ମହିଳା ଜଣେ। ଥରେ ଏପଟ ସେପଟ ଚାହିଁଲା। ତା’ପରେ, ଘର ଭିତରକୁ ପଶିଗଲା। କିଛି ସମୟ ପରେ ଖୁବ୍ ଜୋରରେ କ୍ରନ୍ଦନ ଶବ୍ଦ ଶୁଣାଗଲା। ବାହାରେ ଥିବା ଲୋକମାନେ ଭିତରକୁ ଗଲେ। ତାକୁ କିଛି ସମୟ ଚାହିଁଲେ। ଦୂରରେ ଥାଇ ସାନ୍ତ୍ୱ୍ୱନା ଦେଲେ।
ଝିଅଟିର କାନ୍ଦ ଥମିଗଲା।

-‘ତମେ କିଏ?’
-‘ତାଙ୍କ ଘରର ଚାକରାଣୀ। ଝିଅ। ମତେ ସେ ଝିଅ ବୋଲି ଡାକନ୍ତି।’
-‘କେମିତି ସେ ଚାଲିଗଲେ?’
ଝିଅ ଏତେ ବଡ଼ ଆଖିରେ ଚାହିଁଲା। କହିଲା, ‘ମତେ କି ଜଣା। ମୁଁ ତ ଗାଁକୁ ଯାଇଥିଲି। ଗଲାବେଳେ କିଛିଦିନ ପାଇଁ ରାନ୍ଧିଦେଇ, ଫ୍ରିଜ୍‌ରେ ରଖିଦେଇଥିଲି। ସବୁ ସେମିତି ଥୁଆହୋଇ ରହିଛି। କିଛି ଖାଇନାହାନ୍ତି।’
-‘ତାଙ୍କର କ’ଣ କିଛି ରୋଗ ଥିଲା?’
-‘କେଜାଣି ମତେ କି ଜଣା? ସେ ନିଜେ ଔଷଧ ଆଣୁଥିଲେ। ମୁଁ ହାତ ପାଖରେ ଟେବୁଲ ଉପରେ ରଖିଦେଉଥିଲି।’
-‘ବାବୁଙ୍କର କିଛି ଖରାପ ଅଭ୍ୟାସ ଥିଲା? ଯେମିତି ପାନ, ସିଗାରେଟ, ମଦ୍ୟ?’
-‘ଧେତ୍‌, ବାପା ତ ସୁନା ମୁଣ୍ଡାଟେ। କିଛିନାହିଁ ସେ ସବୁ। ହେଲେ ପଢ଼ା ଆଉ ଲେଖାଟା ତାଙ୍କର ନିଶା। ରାତିରେ ନିଦ ହୁଏନି।’
-‘ତେବେ ମଲେ କେମିତି? ମର୍ଡର ହୋଇପାରେ। ଆତ୍ମହତ୍ୟା ବି କରିଥାଇ ପାରନ୍ତି। ତୁ କେଉଁଠି ରହୁ?’
-‘ଏଇ ସହରରେ। ଆଉ କୁଆଡ଼େ ଯିବି? କିଏ ଅଛି କି ମୋର। ଆଗରୁ ୟା ତା’ ଘରେ କାମ କରୁଥିଲି।’
ସେମାନେ ବେକାରରେ ଗୁଡ଼ାଏ ପ୍ରଶ୍ନ କରୁଥିଲେ, ଯାହାର କିଛି ମୂଲ୍ୟ ନ ଥିଲା ବୋଲି ତାଙ୍କୁ ଜଣାଥିଲା।
-‘ବାବୁ ଚାକିରି କରୁଥିଲେ?’
କେଜାଣି।
ଝିଅଟା ପୁଣି ବଡ଼ ପାଟିରେ କାନ୍ଦିଲା।
-‘କେତେଦିନ ହେବ ଗଲେଣି?’
-‘ମତେ କି ଜଣା। ଏବେ ତ ଦେଖିଲି।’
-‘ତାଙ୍କର କିଏ ସବୁ ଅଛନ୍ତି?’
-‘ଜାଣେନି, ଥିବ କିଏ।’
-‘ପୁଅ, ଝିଅ, ଭାଇ, ଭଉଣୀ? କେହି ତ ନିଶ୍ଚୟ ଥିବେ?’
-‘ସେ ମୁଣ୍ଡ ହଲାଇଲା। କିଛି କହିନାହାନ୍ତି ବାପା।’
-‘ତୁ ପଚାରିନୁ?’
-‘ମତେ ମନା କରିଥିଲେ କାହା କଥା ପଚାରିବାକୁ।’
ଝିଅଟା କାନ୍ଦୁଥିଲା, କିଛି ଶବ୍ଦକରି।
ଶବ ପଡ଼ିରହିଥିଲା।
-‘ତୋ ନାଁ?’
-‘ଶାନ୍ତି। ଏବେ ମୁଁ କରିବି କ’ଣ?’
-‘ପୋଲିସକୁ ଫୋନ୍‌କର।’
-‘ମତେ କି ଜଣା, ତମେ ଫୋନ୍ କରୁନ।’
-‘ଆମେ ଚାଲିଲୁ। ବହୁତ ବେଳୁ ଆସିଲୁଣି। ଲୋକଟା ଯିଏ ହେଉ ପଛେ, ଖୁବ୍ ସୁଖ ମୃତ୍ୟୁଟିଏ ପାଇଲା। କେ ଜାଣେ, କାହା ଭାଗ୍ୟରେ କ’ଣ ଅଛି।’
ହଠାତ୍ ଦୁଇଜଣ ଯୁବକ ପଶିଆସିଲେ। କିଛି ସମୟ ଶବ ଆଡ଼କୁ ଚାହିଁ ପଚାରିଲେ, ଏ ଲୋକ ମଲେ କିପରି? ହାର୍ଟ ଆଟାକ୍ ବୋଧହୁଏ। ଉ,ହୁଁ ମର୍ଡର ବି ହୋଇପାରେ। ଲୋକଟାର କିଛି ଧନ ଥିବ। ଏ ଝିଅଟାକୁ ବି ସନ୍ଦେହ କରାଯାଇପାରେ। ପୋଲିସକୁ ଫୋନ୍ କର।’
ଏଥର ଫୋନ କରାଗଲା।
-‘ତାଙ୍କର କିଏ ଅଛି ଡକାଯାଉ। ଶବ ସତ୍କାର ହେବ କିପରି?’
ଶାନ୍ତି ମୁଣ୍ଡ ହଲାଇଲା।
-‘ଓଃ, କେହି ନାହିଁ ବୋଧହୁଏ। ପୋଲିସ ଆସୁ। ପୋଷ୍ଟ ମର୍ଟମ୍ ହେବ। ସବୁକିଛି ସ୍ପଷ୍ଟ ହୋଇଯିବ।’
ସେମାନେ ଚାଲିଗଲେ।
ଶାନ୍ତି କ’ଣ କରିବ, କିଛି ବୁଝିପାରୁ ନ ଥିଲା।
କିଛି ସ୍ଥାନୀୟ ମହିଳା, ଅଚାନକ ପଶିଆସିଲେ।
-‘ତୁ କାହିଁକି ମିଛଟାରେ କାନ୍ଦୁଛୁ? ତୁ କ’ଣ ତାଙ୍କର ଝିଅ କି?’
ଶାନ୍ତି ଚୁପ୍ ହୋଇଗଲା। ଏତେ ବଡ଼ ଆଖିରେ ଚାହିଁଲା। ବୁଝିପାରୁ ନ ଥିଲା। ତାଙ୍କ ପାଇଁ କାନ୍ଦିବାର ଅଧିକାର କ’ଣ କେବଳ ତାଙ୍କ ଝିଅର ଥାଏ କି?
‘ହୁଁ, ସେ କେମିତି ଚାଲିଗଲେ ତୁ ଠିକ୍ ଜାଣିଛୁ। ତାଙ୍କୁୁ ମାରି ଦିଆଯାଇନି ତ? ତାଙ୍କର ବ୍ୟାଙ୍କରେ କେତେ ଟଙ୍କା ଅଛି? ସବୁ ସୁରକ୍ଷିତ ଅଛି ତ? କେଉଁଦିନ ସେ ଟଙ୍କା ଉଠାଇଥିଲେ?’ ସେମାନଙ୍କ ପ୍ରଶ୍ନ ସବୁ ଠିକ୍ ପୋଲିସର ଇନ୍‌ଭେଷ୍ଟିଗେସନ୍ ପରି ଥିଲା।
-‘ଚାଲ, ସବୁ ନାଟର ଗୋବର୍ଦ୍ଧନ ଇଏ। ଏଠି ରହିବା ଠିକ୍ ନୁହେଁ। ଝିଅଟା ପ୍ରହସନ କରୁଛି। ପୋଲିସ ଆସିଲେ ସବୁ ରଙ୍ଗ ବାହାରିଯିବ।’
ଶବ ପଡ଼ିରହିଥିଲା। ଆଉ କେହି ପାଖରେ ନ ଥିଲେ। ଝିଅଟି ଚୁପ୍ ଚାପ୍ ବସିରହିଥିଲା। ତା’ ଆଗରେ ଥିଲା ଏଠୁ ଖସି ଚାଲିଯାଉଥିବା ଅନେକ ଲୋକଙ୍କର ପ୍ରଶ୍ନ। ସେ ବୁଝିପାରୁ ନ ଥିଲା ଏବେ କରାଯିବ କ’ଣ। ବାପାଙ୍କ କେଉଁ ଚିହ୍ନା ଲୋକ ଆସିବେ କି ନାହିଁ କେଜାଣି। ସେ ବି ହୁଏତ ଭୟ କରୁଥିବେ ସେମିତି କିଛି ପ୍ରଶ୍ନମାନଙ୍କୁ?
କେତେବେଳକୁ ଆଉ କିଛିଲୋକ ଆସିଗଲେ। ଚାରିଆଡ଼କୁ ଚାହିଁଲେ, ଯେପରି କେଉଁଠି ଚୋରଟିଏ ଲୁଚିରହିଛି। କେଉଁଠି ହୁଏତ ହତିଆର ପଡ଼ିରହିଛି। ସେମାନେ ଘରସାରା କ’ଣ ଖୋଜିଲେ। କିଛି ମିଳି ନ ଥିଲା। କେବଳ କିଛି ବହି, ପୁରୁଣା ଖବରକାଗଜ। ଡେକ୍‌ଚି, କଡ଼େଇ, କିଛି ପ୍ଲାଷ୍ଟିିକ୍ ବୋତଲ, ଗୋଟେ ଆରାମ ଚେୟାର, ଟେବୁଲ୍ ଲ୍ୟାମ୍ପ। ଖଟ ଉପରେ ଅବିନ୍ୟସ୍ତ କିଛି କାଗଜ, କଲମ, କିଛି ଏଣୁ ତେଣୁ ଲେଖାଯାଇଥିବା ନୋଟ୍ ବୁକ୍। ହୁଏତ ଡାଇରୀ ହୋଇଥିବ। ସେଇଟାକୁ ସେମାନେ କିଛି ପାଇଲା ଭଙ୍ଗୀରେ ଉଠାଇନେଲେ। ପୃଷ୍ଠା ପରେ ପୃଷ୍ଠା ଓଲଟାଇଲେ। ସଭା ଶେଷ ପୃଷ୍ଠାରେ ଲେଖାଥିଲା, ‘ମୁଁ ନିଜଠୁ ନିରୁଦ୍ଦିଷ୍ଟ।’
ଅଦ୍ଭୁତ! ଲୋକଟା କ’ଣ ପାଗଳ? ତକିଆ ତଳୁ, କଳା ଧଳା ରଙ୍ଗର ଅନେକେ ଦିନ ତଳର ଫଟଟାଏ ମିଳିଲା। ଭଦ୍ରଲୋକଙ୍କର ଯୁବକ ବେଳର। ପାଖରେ ଜଣେ ସ୍ତ୍ରୀଲୋକ ଆଉ ଛୋଟ ପିଲାଟାଏ। ତାଙ୍କର ପତ୍ନୀ ଆଉ ସନ୍ତାନ ହେବେ ବୋଧହୁଏ।
-‘ସେମାନେ ଏବେ କେଉଁଠି?’
କିଛି ଉତ୍ତର ନଥିଲା ଶବପାଖରେ।
-‘ଏ ଘର କିଏ ଖୋଲିଲା?’
-‘ଘର ତ କେବେ ବନ୍ଦ ହୁଏନି।’
-‘ଲାଗୁଛି, ହାର୍ଟ ଫେଲୁଅର କିମ୍ବା ଅନାହାରଜନିତ ମୃତ୍ୟୁ ହୋଇପାରେ। ଖାଦ୍ୟ ସବୁ କିଛିଦିନ ହେବ ଅବ୍ୟବହୃତ ହୋଇ ପଡ଼ିରହିଛି। ନିଜେ ନିଜର ହତ୍ୟାପାଇଁ ଦାୟୀ। ଆତ୍ମହତ୍ୟା।’
-‘ହୁଁ, ହତ୍ୟା କରାଯାଇଥିବାର କିଛି ଚିହ୍ନ ନାହିଁ। ଚାଲ, ଏଠି ବେଶି ସମୟ ରହିବା ଠିକ୍ ନୁହେଁ।’
ଶବ ପଡ଼ିରହିଥିଲା।
ସେମାନେ ଚାଲିଗଲା ପରେ, ଝିଅଟି ନିରୀହ ଭାବରେ ଚାରିଆଡ଼କୁ ଚାହିଁଲା। ଆଉ କାହାର କେତେ ଅଜଣା ପ୍ରଶ୍ନର ଉତ୍ତର ତ, ତା’ ପାଖରେ ନ ଥିଲା। କେଜାଣି କାହିଁକି ଏତେଦିନ ସେବା କରିଆସୁଥିବା ଲୋକର ନିଶ୍ଚଳ ଦେହକୁ ଦେଖି ତାକୁ ଡର ଲାଗିଲା। ମନେମନେ ସେ ଭାବୁଥିଲା, ଏଠି ସମସ୍ତେ ତ ଅନାତ୍ମୀୟ। ପଳାୟନପନ୍ଥୀ। ଅନ୍ୟ ପାଇଁ ସମୟ ଅଭାବ। ନିଜର ପିଲାମାନଙ୍କ ପାଖରେ ବି ସମୟ ନ ଥାଏ?
ତା’ ପାଖରେ କିଛି ଉତ୍ତର ନ ଥିଲା, ଏହା ଅବହେଳା ନା, ସମସ୍ୟା।
ସେ ଚାରିଆଡ଼କୁ ଚାହିଁ ଦେଇ ଚୁପ୍ ଚାପ୍ ଚାଲିଗଲା।
ଶବ ପଡ଼ିଥାଉ।
ଆଉ କେହି ବି ସେଠି ନ ଥିଲେ।
ତେବେ ବି ଶବ ପଡ଼ିରହିଥିଲା। ପଡ଼ିରହିଥିଲା ଆଜିର ସମସ୍ୟା।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ।)

3 thoughts on “ଶବ ପଡ଼ିଛି

  1. ଶବଟିଏ ପଡିଥିବାର ଦେଖି କାହା ମନରେ କଣ ସବୁ ଭାବନା ଆସୁଛି, ତାର ଏକ ସୁନ୍ଦର ଆଲେଖ୍ୟ ହେଉଛି ଏହି ଗଳ୍ପ – ଶବ ପଡ଼ିଛି। ଏହା ବର୍ତ୍ତମାନର ସମାଜରେ ଏକ କଦର୍ମ ଚିନ୍ତାଧାରା। ସମସ୍ତଙ୍କର ଏହି ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ଗଳ୍ପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ।

  2. ଗଳ୍ପଟି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଅର୍ଥାତ୍‌ ଶବ କୁ ଲେଖାଯାଇଥିବାରୁ ଆଗ୍ରହର ସହକାରେ ପଢ଼ିଲି। ପୂର୍ବରୁ ଶବ କୁ ନେଇ କୌଣସି ଗଳ୍ପ ପଢ଼ି ନଥିଲି। ତେଣୁ ଗଳ୍ପଟି ବେଶ୍‌ ଚମତ୍କାର ଲାଗିଲା। ଜଣେ ମଣିଷ ଭଳି ଶବକୁ ନେଇ ମଧ୍ୟ ଏକାଧିକ ପ୍ରସଙ୍ଗକୁ ଜଣେ ଦରଦୀ ଓ ମାନବବାଦୀ ଲେଖକ ଏହିଭଳି ଲେଖିପାରେ। ମାନବବାଦ ବା ମଣିଷକୁ ଭଲ ପାଉଥିବା ଜଣେ ଲେଖକଭାବେ ପ୍ରଦୋଷ ମିଶ୍ରଙ୍କ ପରିଚୟ ସ୍ୱତନ୍ତ୍ର। ତେଣୁ ତାଙ୍କ ରଚିତ ଶବ ଗଳ୍ପ ଏକ ସ୍ୱତନ୍ତ୍ର ଢାଞ୍ଚାର ଲେଖା। ଏହି ଲେଖା ମାଧ୍ୟମରେ ଲେଖକ ମଣିଷର ବିଭିନ୍ନ ଗୁଣକୁ ଚମତ୍କାରଭାବେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *