ଓଡ଼ିଆ ପତ୍ରପତ୍ରିକା: କୁଟୁମ୍ବଙ୍କୁ ଲାଜ

ମହାପୁରୁଷମାନେ ଅପ୍ରିୟ ସତ୍ୟ କହିବାକୁ ବାରଣ କରିଛନ୍ତି। ତା’ ଛଡ଼ା ସତ କହିଲେ- ପଛରେ କୁକୁର ଲଗାଇ ଦେବାର ଭୟ ରହିଛି।

କାଳୀଚରଣ ଦାସ

ସବୁ କଥା କଅଣ କହି ହୁଏ! ଏମିତି କେତେ କଥା ରହିଛି- ଯାହା କହି ହୁଏ ନାହିଁ କି ସହି ହୁଏ ନାହିଁ। ପୁଣି ‘ନ କହିଲେ କୁଳ ଭାସି ଯାଉଛି’ ଚିନ୍ତିଲା ବେଳକୁ ତୁଣ୍ଡ ଖୋଲିଲେ ମୁଣ୍ଡ କାଟର ରହିଛି ଭୟଙ୍କର ପ୍ରମାଦ। ହେଲେ ‘ସତ କହି ପଛେ ମଲେ ମରିବି,’ ଗୁରୁଜନଙ୍କୁ ଅମାନ୍ୟ କରିବି- ପୁଣି ଏ ବୟସରେ; କାହା ଭୟରେ! କୋଉ ସ୍ୱାର୍ଥରେ!
ମୁଁ କୁହେ ନାହିଁ, ଲେଖେ। କହିବା, ଲେଖିବା- ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ମୁଁ କିନ୍ତୁ ଏମିତିରେ ଲେଖେନାହିଁ। ଯେମିତି ବଡ଼ ଅବଧାନମାନେ କହନ୍ତି- ସେମାନଙ୍କୁ କୁଆଡ଼େ ଲେଖା ମାଡ଼େ; ମୋତେ କିନ୍ତୁ ଲେଖା ଆଦୌ ମାଡ଼େ ନାହିଁ। ବନ୍ଧୁ ପ୍ରତିମ କିଏ ଜଣେ ଯଦି ବାରମ୍ବାର ‘ଲେଖ, ଲେଖ’ କହିଲା- ତା’ ହେଲେ ମୁଁ ଦୁଇ ଚାରି ପୃଷ୍ଠା ଲେଖି ପକାଏ। କଅଣ ଲେଖିଲି – ସେ ବିଚାର ପାଠକଙ୍କର – ଦିଅଁଁ ନା ମାଙ୍କଡ଼। ଅତିଥି କଳାକାର ଭଳି କେବେ କବିତା ଲେଖୁଥିବାର ମୁଁ ମଞ୍ଚ ମଣ୍ଡପରେ ନାହିଁ, କି ଚର୍ଚ୍ଚାରେ।
ପ୍ରାୟ ସବୁ ଲେଖକଙ୍କର ଗୋଟିଏ ଭାଷା- ଲେଖା ମୋର ପେସା ନୁହେଁ ନିଶା। ପେସା କଲେ କଅଣ ପେଟ ପୋଷି ହେବ ଏ ନଅଙ୍କିଆ ରାଜ୍ୟରେ! ଏ ନିକୁଚ୍ଛିଆ ବେଉସାରେ ମାତି କିଏ କାହିଁକି ବଅଁସ ବୁଡ଼ାଇବ। ଲେଖିବା ମୋର ବୃତ୍ତି ନୁହେଁ କି ପ୍ରବୃତ୍ତି। ମୁଁ ଜଣେ ସଉକିଆ ଲେଖକ। ଏ ବଦଭ୍ୟାସ ମୋର ଯୁବାବୟସରୁ। ସବୁ ସଚେତନ ଯୁବକର ସମାଜରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିବା ପାଇଁ ନାନା ପଥ ଓ ପନ୍ଥା ଆଡ଼କୁ ମନ ଡଙ୍କାଏ। ଦେଉଳ ତୋଳିବା ଠାରୁ ବାଟରେ ଛେରିବା ଭଳି ନାନା କର୍ମରୁ- ଯାହାକୁ ଯାହା ଘେନା ହେଲା, ସେଇ ଭେକରେ ସଜେଇ ହେଲା। ମାନ୍ୟବର ଲେଖକଟିଏ ହେବା ମଧ୍ୟ ଜନ୍ମ ନିଏ ସେଇ ସୃଜନ ସ୍ୱପ୍ନରୁ।
ପେଟ ଶୀତଳିଆଙ୍କ ସାହିିତ୍ୟ
ଲେଖକଟିଏ ହେବା ପେଟ ଶୀତଳିଆଙ୍କ କାମ, ଭୋକ ଉପାସିଆଙ୍କର ନୁହେଁ। ତେଣୁ ଆମ ରାଜ୍ୟରେ ଲେଖି ଲେଖି କରଣ ହେବା କାହାର ଅବଲମ୍ବନ ନୁହେଁ। କିଞ୍ଚିତ୍ ସାମାଜିକ ପ୍ରତିଷ୍ଠା, ଉତ୍ତମ ରୋଜଗାର ସ୍ରୋତ ପକ୍କା ହୋଇଯିବା ପରେ ତାଙ୍କୁ ଅହୋରାତ୍ର ସାହିତ୍ୟ ସ୍ୱପ୍ନେଇବ- ଫୁଲ ଫଳ କଷି ଧରିବ। ସମ୍ମାନାସ୍ପଦ ହେବା ଲକ୍ଷ୍ୟ ସମ୍ଭାବନାମୟ ହୋଇଯିବ ଲେଖକଟିର – ସେ ବାଟ ଅବାଟ ମାଡ଼ି ଚାଲିବ। ସାମାଜିକ ପ୍ରତିଷ୍ଠା କାରଣରୁ ପ୍ରତିଷ୍ଠିତ ସାହିତ୍ୟିକଟିଏ ହେବା ପଥ ସୁଗମ ହୋଇଯିବ। ଯିଏ ଯେତେ ଭଲ କର୍ମ କଲା, ତା’ ଚାଷବାସ ସେତେ ଉଠିଆ। ଆମଦାନୀ କରା ସାର, ବିହନ ପ୍ରୟୋଗ କରିପାରିଲେ କ୍ଷେତରେ ଲହରେଇବ ସୁନାର ଫସଲ। ବାନା ବିଖ୍ୟାତ ହୋଇଯିବ। ଏମିତି ଭାଗ୍ୟବାନଙ୍କ ସଂଖ୍ୟା କମ୍।
ସଂଖ୍ୟାଗରିଷ୍ଠ ସ୍ୱପ୍ନଜୀବୀ ଲେଖକ ଏମିତି କଅଣ ‘ନେଇ ଆଣି ଥୋଇ ପାରନ୍ତି।’ ଗିରିଶୃଙ୍ଗେ ଲୟ ରଖି ଚାଲୁ ଚାଲୁ ଅଧବାଟରେ ରହିଯାଆନ୍ତି ନିଅଣ୍ଟ ବୁଦ୍ଧିଆମାନେ। ଘାସକୁ ଲମ୍ବ ପାଳକୁ ଛୋଟ ହୋଇ ଲେଖକ ଗହଳରେ ମୁହଁ ଦେଖାଇବା ଅପଚେଷ୍ଟାରେ ଯାଏ ବର୍ଷ ପରେ ବର୍ଷ। ଈଶ୍ୱର ଏମିତି ବିଚିତ୍ର କଳାକାର, ଯାହା ଘରେ ସଂପତ୍ତି, ସମ୍ବଳ ଫାଟି ପଡୁଛି, ତା’ ଘରେ ଖାଇବାକୁ ପାଟି ନାହିଁ, ଅଥଚ ଯାହା ଘରେ ଖାଇବାକୁ ଦଶଟା ପାଟି ସେଠି ଠନ୍ ଠନ୍ ମଦନଗୋପାଳ। କପାଳ ଫାଟି ଦି’ ଫାଳ। ଏମିତି ଭାଗ୍ୟ, ଭବିଷ୍ୟତରେ ଛନ୍ଦି ହୋଇ ଆଶା ବୈତରଣୀ ପାରିହେବା ସ୍ୱପ୍ନକୁ ଉଜ୍ଜୀବିତ ରଖିବା ସାର ହୁଏ।
ଆମ ରାଜ୍ୟରେ ଲେଖକୀୟ ସମ୍ମାନ ରକ୍ଷା କରିବାରେ ରହିଛି ନାନା ପ୍ରତିବନ୍ଧକ। ଆମ ରାଜ୍ୟ ଆଉ ଗଙ୍ଗାଠାରୁ ଗୋଦାବରୀ ନୁହେଁ, ସୁବର୍ଣ୍ଣରେଖାରୁ ଋଷିକୂଲ୍ୟା ଭିତରେ ସୀମାବଦ୍ଧ। ଚାରିଶହ ପଚାଶ ଲକ୍ଷ ଜନସଂଖ୍ୟା। ଖବରକାଗଜ, ପତ୍ରପତ୍ରିକା ପଢ଼ନ୍ତି କେତେଜଣ? ପଠନ ଅଭ୍ୟାସ ନ ଥିବା ଏ ରାଜ୍ୟରେ ତିନି ଲକ୍ଷ ସମ୍ବାଦପତ୍ର କାଟତି ଅଛି କି ନା ସନ୍ଦେହ। ମାଗାଜିନ ସଂଖ୍ୟା ଖଣ୍ଡେ ଦି’ଖଣ୍ଡକୁ ବାଦ୍ ଦେଲେ ପାଞ୍ଚ ଶହ ଅତି ବେଶିରେ। ଆଉ ପୁସ୍ତକ? ତା’ ଅବସ୍ଥା ବି ବେହାଲ। ପ୍ରତିଷ୍ଠିତ ପ୍ରକାଶକଙ୍କ ଆଖି ରାଜା ରାମମୋହନ ଫଣ୍ଡରେ। ଦାମୀ ନାମୀ ଲେଖକ କେତେଜଣଙ୍କୁ ଛାଡ଼ି ସେ ସାଧାରଣ ଲେଖକଙ୍କୁ ପାଖରେ ପୂରାଇ ଦେଇ ନାହାନ୍ତି। ଆଉ ଯେଉଁମାନଙ୍କ ବହି ଛପାଯାଉଛି ସେମାନଙ୍କୁ ଆଦାନପ୍ରଦାନ ଉପରେ ନିର୍ଭର କରିବାକୁ ପଡୁଛି। ହାତରୁ ଖାଇ ଘୋଡ଼ା ଆଗରେ ନାଚିବା ଯଶପ୍ରାର୍ଥୀଙ୍କ ପାଇଁ ରାଜ୍ୟରେ ମାଳମାଳ ଚୁଲି ଚାଳ ନ ଥିବା ପ୍ରକାଶକ। କେତେକ ଲେଖକ ମଧ୍ୟ ବେନାମୀ ପ୍ରକାଶନ ସଂସ୍ଥା ଖୋଲିଛନ୍ତି। ଲେଖକଠାରୁ ସମ୍ପୂର୍ଣ୍ଣ ଛପା ଖର୍ଚ୍ଚ ନେଇ କୋଡ଼ିଏ ପଚାଶ ଖଣ୍ଡ ବହି ଧରାଇ ଦିଅନ୍ତି। ଏମାନେ ମଧ୍ୟ ଟାକି ବସିଥାନ୍ତି ଲାଇବ୍ରେରୀ ସପ୍ଲାଇକୁ। ଏସବୁ ବହି ପ୍ରାୟତଃ ବଜାରରେ ଉପଲବ୍ଧ ନ ଥାଏ। ଲେଖକ ନିଜ କାରିଗରିର ଲମ୍ବା ତାଲିକା ଦେଖି ଆତ୍ମସନ୍ତୋଷ ଲାଭ କରନ୍ତି, ଆଉ ଯାହାର ବଡ଼ ଚାକିରି କି ଉପୁରି ନ ଥାଏ- ସେ ଦରିଦ୍ର ପଞ୍ଚାକ୍ଷର ଭଜିବା ସାର ହୁଏ।

ରୀତିମତ ଅନିୟମିତତା
ଲେଖକଟିଏର ଆତ୍ମପ୍ରକାଶ ଘଟିଥାଏ ପତ୍ରପତ୍ରିକାରୁ। କେତେକ ଧନବାନ ପତ୍ରିକା ସଂସ୍ଥାକୁ ଛାଡ଼ିଦେଲେ ବାକି ସମସ୍ତେ ପକ୍ଷାଘାତ ପୀଡ଼ିତ। ରୀତିମତ ଅନିୟମିତ। ଅର୍ଥ ଅନର୍ଥ ହେଉଛି କାଳ। ଛପାଖର୍ଚ୍ଚ ଉଠେନି ବିକ୍ରି ଲବ୍ଧ ଅର୍ଥରୁ। ‘ଆକାଶ କଇଁଆ ବିଜ୍ଞାପନ’ ହେଲା ଏକମାତ୍ର ଭରସା। ସମସ୍ତେ କେଉଁଠି ଯୋଗାଡ଼ି ପାରୁଛନ୍ତି? ଏଭଳି ସ୍ଥିତିରେ ଲେଖକଙ୍କୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରୁ ଅପସରି ଯାଉଛନ୍ତି ପ୍ରକାଶକ ଓ ପାଠକ। ଅଧିକ ପାଠକ ସୃଷ୍ଟି କରିବା ସମ୍ଭବ ହେଉ ନ ଥିବାରୁ ଦୁର୍ଦ୍ଦଶାଗ୍ରସ୍ତ ଓ କ୍ଷଣଜନ୍ମା ହେବା ସ୍ୱାଭାବିକ।
ପତ୍ରିକାମାନେ ପାଠକ ସୃଷ୍ଟି କରନ୍ତି, ଲେଖକ ବି। ଇଏ ହେଉଛି ପତ୍ରିକାର ଧର୍ମ। ସମ୍ପ୍ରତି ସ୍ୱଳ୍ପସଂଖ୍ୟକ ଲେଖକ ପତ୍ରିକାରେ ସ୍ଥାନିତ ହେଉଥିବାବେଳେ, ସଠିକ୍ ପରିସଂଖ୍ୟାନ ନ ଥିଲେ ବି କଲମ ଧରିଥିବା ମାନ୍ୟତା ଆଶାୟୀଙ୍କ ସଂଖ୍ୟା ହଜାର ହଜାର କହିଲେ ଅତ୍ୟୁକ୍ତି ହେବନି। ଏ ଲେଖକମାନଙ୍କୁ ଏ ସାହିତ୍ୟ ଭବସାଗରରୁ ଉଦ୍ଧାର କରିବ କୋଉ ଭଗୀରଥ!
ସାହିତ୍ୟ ପାଇଁ ଓଡ଼ିଶାର ମାଟି ଅନୁକୂଳ ନୁହେଁ। ଅନୁର୍ବର ଚାଷଜମିକୁ ସର୍ବସ୍ତରରେ ସଚେତନତାର ଅଭାବ। ପ୍ରକାଶକ ହୁଅନ୍ତୁ କି ସମ୍ପାଦକ, ଲେଖକ ହୁଅନ୍ତୁ ଅଥବା ବିତରକ- ସମସ୍ତଙ୍କର ସାହିତ୍ୟପ୍ରୀତି ରହିବା, ସାହିତ୍ୟକୁ ଯଥୋଚିତ ସମ୍ମାନ ଦେବା ଉଚିତ। ଅର୍ଥ ଓ ସମ୍ମାନ ପଛରେ ଧାଇଁଲେ ସାହିତ୍ୟ ଉତ୍କର୍ଷ ଲାଭ କରିପାରିବ ନାହିଁ।
ଲେଖା ଓ ଲେଖକକୁ ଲୋକଲୋଚନକୁ ଆଣିବାରେ ରହିଛି ପତ୍ରପତ୍ରିକାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା। ସାହିତ୍ୟ ଓ ସାହିତ୍ୟ ସ୍ରଷ୍ଟାମାନଙ୍କର ଭିତ୍ତିସ୍ଥାପନ ହୋଇଥାଏ ପତ୍ରପତ୍ରିକାରୁ। ଯଦି ପତ୍ରିକାମାନଙ୍କର ଭିତ୍ତିଭୂମି ଅସଜଡ଼ା, ଅବ୍ୟବସ୍ଥିତ ହେଲା, ଆଗକୁ ବଢ଼ିବାରେ ରାସ୍ତା ସଂକୁଚିତ ହେବ। ଆମ ଭାଗ୍ୟ, ଆମ ସାହିତ୍ୟର ପ୍ରଶଂସା ବଖାଣି ଆମେ ଯେତେ ଚିତ୍କାର କଲେ ବି ଯେଉଁ ତିମିରକୁ ସେଇ ତିମିରରେ।
ସାହିତ୍ୟ ପତ୍ରିକାମାନେ ଯେହେତୁ ସ୍ରଷ୍ଟା ଓ ସୃଷ୍ଟିର ଅଗ୍ରଦୂତ, ସେମାନଙ୍କ ଉପରେ ଟିକିଏ ଦୃଷ୍ଟିପାତ କରିବା। ପତ୍ରପତ୍ରିକା ସମ୍ପର୍କରେ ବଖାଣିବା ଗୋଟାଏ ଗହନ ପାଠ। କେତେ ମୁଣ୍ଡି ମହାଜନ, ଆଜ୍ଞା, ଅବଧାନଙ୍କ ରାଜୁତି ରାଜପଣକୁ ବର୍ଣ୍ଣନା ଗୋଟାଏ ଅଗ୍ନି ପରୀକ୍ଷା। ଧୃଷ୍ଟତା ମଧ୍ୟ।

କିଏ ଦାୟୀ?
ଆମ ରାଜ୍ୟରେ ପାଠକ ଦୃଷ୍ଟିରୁ ପତ୍ରପତ୍ରିକା ସଂଖ୍ୟା ଆଦୌ କମ୍ ନୁହେଁ। କିନ୍ତୁ ଅଧିକାଂଶ ପତ୍ରିକାର ଦୟନୀୟ ଅବସ୍ଥା ଜଣେ ସଚେତନ ଲେଖକଙ୍କୁ ନିଶ୍ଚିତ ବିବ୍ରତ କରିବ। କାରଣ, ଅକାରଣ ଖୋଜିବ କିଏ? କିଏ ଦାୟୀ, ପାଠକ ନା ସମ୍ପାଦକ/ପ୍ରକାଶକ? ଗାଈର ଦୋଷ ନା ଖୁଣ୍ଟର? ନା ଗାଈଆଳର!
ଆମ ସମ୍ଭ୍ରାନ୍ତ ଘରାନାରୁ ନିୟମିତ ପ୍ରକାଶ ପାଉଥିବା ଚାରି ପାଞ୍ଚଟି ମାସିକ ପତ୍ରିକାରେ ସାହିତ୍ୟିକ ଆଭିମୁଖ୍ୟ ସ୍ପଷ୍ଟ ବାରିହେଉଛି। ପାଠକ ଓ ଲେଖକ ସୃଷ୍ଟି କରିବାରେ ସେମାନଙ୍କ ସାହିତ୍ୟିକ ଅବଦାନ ଅସ୍ୱୀକାର କରିବାର ନାହିଁ। କିନ୍ତୁ ସ୍ୱଳ୍ପ ସଂଖ୍ୟକ ପତ୍ରିକା ମଧ୍ୟରୁ କେତେକ ସୁସଂପାଦିତ ହେଉ ନ ଥିବାର ବ୍ୟତିକ୍ରମ ବାରି ହେଉଛି, ଯାହା ଆଦୌ ପ୍ରତ୍ୟାଶିତ ନୁହେଁ।
ସାହିତ୍ୟ ପତ୍ରିକାର ସଂପାଦକ ଏମିତି ଜଣେ ସୁସାହିତ୍ୟିକ ହେବା ବାଞ୍ଛନୀୟ, ଯାହାର ଭାଷା-ସାହିତ୍ୟରେ ଗଭୀର ଜ୍ଞାନ ଥିବ ଓ ଅଭିଜ୍ଞ ବୈଦ୍ୟ ନାଡ଼ି ଦେଖି ରୋଗ ନିଦାନ କଲା ଭଳି ଲେଖାର ଗୁଣାତ୍ମକମାନ ନିର୍ଦ୍ଧାରଣ କରିପାରୁଥିବ। ସବୁଶ୍ରେଣୀର ପାଠକମାନଙ୍କ ଅଭିରୁଚି ପ୍ରତି ଧ୍ୟାନ ଦେଇ ଲେଖା ନିର୍ବାଚନ କରୁଥିବା ଦକ୍ଷତା ଥିବ। ନଖରୁ ନାସିକା ପର୍ଯ୍ୟନ୍ତ ସବୁ ସମ୍ପନ୍ନ ହେଉଥିବ ତା ତତ୍ତ୍ୱାବଧାନରେ। ବଡ଼ ଲୋକଙ୍କୁ କଅଣ ଉତ୍ତର ଥାଏ ଯେ ଆମେ ଆଜ୍ଞାମାନଙ୍କ ଦୋଷତ୍ରୁଟି ବାଛିବା ନା ଆତ୍ମ ନିରୀକ୍ଷଣ କରିବାକୁ ଉପଦେଶ ଦେଇପାରିବା?
ଆମ ରାଜ୍ୟର କିଛି ପରିଚିତ ଲେଖକ (ଏପରିକି ବିଶିଷ୍ଟ ତାଲିକାଭୁକ୍ତ) ଏକକ ପ୍ରଚେଷ୍ଟାରେ ପତ୍ରିକାମାନ ସମ୍ପାଦୁଛନ୍ତି। କିନ୍ତୁ ତାଙ୍କ ଦପ୍ତରକୁ ଆସୁଥିବା ଲେଖାସବୁକୁ ସେମାନେ ପଢ଼ନ୍ତି ନାହିଁ – ଏ ଅଭିଯୋଗ ଅନେକ ପ୍ରବୀଣ ଓ ନବୀନ ଲେଖକଙ୍କର। ପତ୍ରିକା ଅନିୟମିତ, ଧାରାବାହିକତା ନାହିଁ। ଲେଖକ, ପାଠକ ସୃଷ୍ଟି କରିବାର ବଚନବଦ୍ଧତା ପ୍ରତି ଗୁରୁତ୍ୱାରୋପ କରିବାକୁ କୁଣ୍ଠିତ। ତାଙ୍କ ପାଇଁ ପୃଷ୍ଠପୋଷକ ଅଛନ୍ତି। ଲେଖକୀୟ ବାତାବରଣ ସୃଷ୍ଟି କରିବା ଅଭିପ୍ରାୟ ନାହିଁ କହିଲେ ଚଳେ।
ପତ୍ରିକାଙ୍କ ବୀରଗତି
ସ୍ୱଳ୍ପସଂଖ୍ୟକ ହେଲେ ହେଁ କିଛି ସାହିତ୍ୟପ୍ରେମୀ ଅଛନ୍ତି – ସେମାନଙ୍କର ଭାଷା ସାହିତ୍ୟ ପ୍ରତି ଅନୁରକ୍ତି ରହିଛି – ସେମାନେ ପରମୁଖାପେକ୍ଷୀ ନ ହୋଇ, ପତ୍ରିକା ଲାଭଜନକ ବେପାର ନୁହେଁ ଜାଣି ମଧ୍ୟ ମୂଳଧନ ଖଟାନ୍ତି ଏକ ଅନିଶ୍ଚିତ ଭବିଷ୍ୟତ ଆଶାରେ। ସାହିତ୍ୟ ସେବାକୁ ପ୍ରାଧାନ୍ୟ ଦେଇ ଅଗ୍ରସର ହୁଅନ୍ତି। ନିଜର ନିଆରା ଦୃଷ୍ଟିଭଙ୍ଗୀ ନେଇ ପତ୍ରିକା ସର୍ବଜନାଦୃତ କରିବାକୁ ଅଥକ୍ ଉଦ୍ୟମ କରନ୍ତି। ବ୍ୟୟବହୁଳ ଓ ଆକର୍ଷଣୀୟ ପତ୍ରିକା ସତ୍ତ୍ୱେ ପାଠକମାନଙ୍କ ଉଦାସୀନତା ଯୋଗୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ହୁଏ ସୁଦୂର ପରାହତ। ସେମାନଙ୍କର ବୀରଗତି ଯେପରି ବିଧି ନିର୍ଦ୍ଦିଷ୍ଟ।
ଆଉ ଯେଉଁ ସବୁ ପତ୍ରିକା ପ୍ରକାଶ ପାଉଛି ସେମାନଙ୍କ ଆବିର୍ଭାବ ନିହିତ ସ୍ୱାର୍ଥରୁ। ସାହିତ୍ୟକୁ ଗତି ମୁକ୍ତିର ମହତ୍‌ପନ୍ଥା ତଥା ସମାଜରେ ପରିଚିତି ଓ ପ୍ରତିଷ୍ଠା ଅର୍ଜିବାକୁ କେହି କେହି ସାହିତ୍ୟ କର୍ମକୁ ବାଛି ନେଇଥାନ୍ତି। ସାହିତ୍ୟ କର୍ମ ଧର୍ମ ଯଦି ସହସା ନ ଫଳିଲା କପାଳକୁ – ସେମାନେ ନିରବି ଯାଆନ୍ତି ନାହିଁ। ଛପା ଅକ୍ଷରରେ ନିଜକୁ ଦେଖିବା ଚେଷ୍ଟା / ଅପଚେଷ୍ଟାରୁ ବିରତ ହୁଅନ୍ତି ନାହିଁ। ଲକ୍ଷ୍ୟ ସାଧନର ଅଭିଳାଷ ପୂରଣ କରିବାକୁ ସେମାନଙ୍କୁ ସ୍ୱପ୍ନ ଦେଖାଏ ପତ୍ରିକା।
ଏମିତିରେ ଦୁଇ ତିନି ଶହ ପତ୍ରିକା ଛାପିବା ପାଇଁ ବଡ଼ ପୁଞ୍ଜିର ଆବଶ୍ୟକତା ନ ଥାଏ। ମାଗି ଯାଚି ବି ଯୋଗାଡ଼ କରିହେବ। ଏମିତିରେ ତ ଅପ୍ରକାଶିତ, ଅପ୍ରସାରିତ ଲେଖକମାନେ ଗୋଡ଼ ଟେକି ବସିଛନ୍ତି। ସେମାନେ ଆସି ଭିଡ଼ ଜମାନ୍ତି ଏଇ ସୁଯୋଗରେ- ଉଦ୍ୟୋକ୍ତାମାନଙ୍କ ପାଖେ। ଛ’ ମାସ ବର୍ଷରେ ପତ୍ରିକା ଖଣ୍ଡେ କାଢ଼ି ପାରିଲେ ହେଲା। ମାସିକିଆ ପତ୍ରିକା ଦି’ତିନି ମାସରେ, ତ୍ରୈମାସିକ ପତ୍ରିକା ଛ’ମାସ, ନଅ ମାସକରେ କିମ୍ବା ବର୍ଷକେ ଥରେ ମୁହଁ କାଢ଼ନ୍ତି। କାହା ସହିତ ବଚନବଦ୍ଧତା ନାହିଁ, କି ନାହିଁ ଉତ୍ତରଦାୟିତ୍ୱ। କିନ୍ତୁ ଏମାନେ ବେଶିଦିନ ନିପାଣିଆ ହୋଇ ରହନ୍ତି ନାହିଁ। ସେଇ ପତ୍ରିକା ଖଣ୍ଡକକୁ ଅସ୍ତ୍ର କରି ତମାମ ଖେଦି ଯାଆନ୍ତି। ଚତୁରତା ସାଙ୍ଗକୁ ବୁଦ୍ଧିପାକଳ ହୁଏ। ଡାଳପତ୍ର ମେଲାଏ। ପାର୍ଟ ଟାଇମ୍‌ରୁ ଫୁଲ୍‌-ଟାଇମର୍ ହୋଇଯାଆନ୍ତି। ‘ବାନ୍ଧିବା ଘୋଡ଼ା ଘାସ ଖାଏ’ ପ୍ରବାଦ ବାସ୍ତବ ରୂପ ନିଏ। ରୂପ ଭେକ, ରଙ୍ଗଢଙ୍ଗ ବଦଳିଯାଏ। ନିଜକୁ ସହଜରେ ସାବ୍ୟସ୍ତ କରିପାରନ୍ତି।
ଗହ୍ମାପୁନିଅଁ ମାଈଁ ଭଳି ବର୍ଷ ସାରା ମୁହଁ ଦେଖାଇ ନ ଥିବା ପତ୍ରିକାମାନଙ୍କର ସଂଖ୍ୟା ସର୍ବାଧିକ। ଏ ପତ୍ରିକାମାନଙ୍କ ଭିଡ଼ ଦେଖିବାର ଅଛି ଦଶହରା ବେଳେ। ବ୍ୟକ୍ତିରୁ ସଙ୍ଗଠନ / ସଂସ୍ଥା ହୋଇଯିବା ଯୋଗାଡ଼ରେ ସବୁ ସହଜଲବ୍ଧ ହୋଇଯାଏ। ତେଣୁ ବର୍ଷସାରା ସାନବଡ଼ ବ୍ୟବସାୟ ପ୍ରତିଷ୍ଠାନ, ଏବଂ ସରକାରୀ ଅର୍ଦ୍ଧ ସରକାରୀ, କର୍ପୋରେଟ ଜଗତର ବିଜ୍ଞାପନ ସଂଗ୍ରହରେ ଲାଗି ପଡ଼ିଥାନ୍ତି। ସାନ ବଡ଼, ମଝାରି ସବୁ ଶ୍ରେଣୀର ଲେଖକଙ୍କଠାରୁ ଲେଖା; ଉପାଦେୟ ହେଉ ବା ନ ହେଉ, ପତ୍ରସ୍ଥ କରି ବିପୁଳ କଳେବରର ପତ୍ରିକା ପ୍ରକାଶ କରନ୍ତି ଦୁର୍ଗାପୂଜା ଅବସରରେ। ବିଶେଷ ସଂଖ୍ୟାର ପରିଚୟ ବହନ କରୁଥିବା ଏ ପତ୍ରିକାମାନେ ମାଗାଜିନ ଷ୍ଟଲରେ ଆସ୍ଥାନ ଜମାନ୍ତି ସଦର୍ପରେ। ଆମ ଜ୍ଞାନପିପାସୁମାନଙ୍କୁ ଦଶହରା ଭେଟି ଦେଇଥାନ୍ତି ସୁଲଭ ମୂଲ୍ୟରେ।

ବଙ୍ଗଳାରୁ ଆମଦାନୀ
ଆମ ପତ୍ରିକା ଜଗତକୁ ଶାରଦୀୟ ବିଶେଷାଙ୍କର ପରମ୍ପରା ବଙ୍ଗଳାରୁ ଆମଦାନୀ ହୋଇଛି। ୧୯୫୧ ମସିହାରେ କଲିକତାରୁ ପ୍ରକାଶିତ ‘ଆସନ୍ତାକାଲି’ ଦୁର୍ଗାପୂଜା ବିଶେଷାଙ୍କର ଶ୍ରୀ ଗଣେଶ କରିଥିଲା। ସେତେବେଳେ ଓଡ଼ିଶାରୁ ଆଙ୍ଗୁଠି ଗଣତି ପତ୍ରିକା ପ୍ରକାଶ ପାଉଥିଲା। ଆସନ୍ତାକାଲିକୁ ‘ଦେଖାଦେଖି ପଡ଼ିଶା’ ନ୍ୟାୟରେ ଅନ୍ୟ ପତ୍ରିକା ପୂଜା ବିଶେଷାଙ୍କ ପ୍ରକାଶ କଲେ। ଆଜି ଆସନ୍ତାକାଲି ନାହିଁ, କିନ୍ତୁ ଶାରଦୀୟ ସଂଖ୍ୟାର ରବ ରବ ସାରା ଓଡ଼ିଶାରେ ବହୁଗୁଣିତ ହୋଇସାରିଲାଣି। ମାଆ ଦୁର୍ଗାଙ୍କ ଆଗମନରେ ହସି ଉଠୁଛି ଯେପରି ସାହିତ୍ୟର ଶସ୍ୟ କେଦାର। ଅମାର ଖମାର ଭରିଯାଉଛି ସାରସ୍ୱତ ମଣିମାଣିକ୍ୟରେ!
ଆଜ୍ଞାଙ୍କୁ ସତ, ଆମକୁ ମିଛ ହେଉ, କି ଆଜ୍ଞାଙ୍କୁ ମିଛ ଆମକୁ ସତ ହେଉ; ଆମ କୋଦଣ୍ଡଧାରୀମାନେ କହୁଛନ୍ତି – ପୂଜା ସାହିତ୍ୟ ବହୁ ଆଡ଼ମ୍ବରେ ଲଘୁକ୍ରିୟା ମାତ୍ର। ତାଙ୍କ ଆକଳନ ହେଲା- ଶହକରୁ ଅଶି ଅପଠ୍ୟ, ଅଗ୍ରହଣୀୟ। ଗୁଡ଼ାଏ ନିଷ୍ଫଳ କସରତ। ପତ୍ରିକାମାନଙ୍କର ତ କାଟତି ସଂଖ୍ୟା ଆଶାନୁରୂପ ନୁହେଁ। କିମିତି ବୁଝିବା ଏମାନଙ୍କ ମନ୍ତବ୍ୟ ଈର୍ଷଣୀୟ କି ଅସ୍ପୃହଣୀୟ! ସେମିତି କଷଟି ତ ଆମ ହାତରେ ନାହିଁ।
ତେବେ ଆମ ବିଚାରରେ ଶତାଧିକ ମାଗାଜିନ, ହଜାର ହଜାର ପୃଷ୍ଠାର ତରୁତମାଳରେ ଚିତ୍ରବିଚିତ୍ର ଶୋଭନ ସଂଖ୍ୟା ନିଷ୍ଫଳା କହିବା କେଉଁ ମାନଦଣ୍ଡରେ। ଧୁଆମୂଳା ଅଧୁଆମୂଳା ବୋଲି କିଛି ଗୋଟାଏ ଅଛି ନା! ଇଏ ତ ଅଲୋଡ଼ା ଅପୁଚ୍ଛା ଲେଖକମାନଙ୍କର ଛପା ଅକ୍ଷରରେ ମୁହଁ ଦେଖିବାର ଗୋଟାଏ ଅବସର। ସମସ୍ତଙ୍କୁ ନେଇ ତ ସାହିତ୍ୟ ସଂସାର। ସମ୍ଭାବନାମୟ ନବପ୍ରତିଭା ହୁଅନ୍ତୁ କିମ୍ବା ଆସରରେ ଥିବା ଆଶାୟୀମାନଙ୍କୁ ତ ଜାଗା ଦେବାକୁ ପଡ଼ିବ! ସମସ୍ତଙ୍କୁ ନାକଚ କରିବା ତ ଅନ୍ୟାୟ ନିଶ୍ଚୟ। ଆମ ପ୍ରବୀଣ ପ୍ରତିଷ୍ଠିତମାନେ କଅଣ ପଛରେ ଥାଆନ୍ତି କି! ବ୍ରହ୍ମା ବିଳିବିଳେଇଲେ ବେଦ ଭଳି ଜଣକେ କୋଡ଼ିଏ ପଚିଶଟା ଗପ କବିତା ଲେଖିଛନ୍ତି ବୋଲି କେହି କେହି ବାହାସ୍ଫୋଟ ମାରନ୍ତି। ମାଲ୍ ମସଲା କିନ୍ତୁ ସବୁ ଲେଖାରେ ନ ଥାଏ। ଡିସ୍କାଉଣ୍ଟ ସେଲ୍‌ରେ ବଢ଼ିଆ ଧଡ଼ିଆ ସମସ୍ତେ ଥାଆନ୍ତି। ଆକାର ପ୍ରକାର ସଂଖ୍ୟା ଯେତେ, ସୁଆଦ ଶବଦ ସେତେ ନୁହେଁ। ଅସଲ କଥା ହେଲା- ଯୋଗାଡ଼ିଆ ରାନ୍ଧୁଣିଆଙ୍କ ହାତ ଭଲ ନ ହେଲେ – ଗ୍ରାହକ ସନ୍ତୁଷ୍ଟ ହେବେ କିପରି? ଇଆଡ଼ୁ ସିଆଡ଼ୁ ପୁଳାଏ ଆବୋରି ପୃଷ୍ଠା ଭର୍ତ୍ତି କରିଦେଲେ କିମିତି ହେବ! ଗୀତଟିଏ ହେଉ କି କଥାଟିଏ – ସେଥିରେ ମାଧୁର୍ଯ୍ୟ ଥିବ, ରୁଚି ସମ୍ପନ୍ନ ହୋଇଥିବ। କନିଷ୍ଠ ବରିଷ୍ଠ ଲେଖାର ମାନଦଣ୍ଡ ନୁହେଁ- ଲେଖାଟି ରସୋତ୍ତୀର୍ଣ୍ଣ ହୋଇ ପାଠକର ମନ ଜିଣିପାରିବା ହେଲା ଲେଖାର ବୈଶିଷ୍ଟ୍ୟ। ତେଣୁ ପୂଜା ପତ୍ରିକାର ସମ୍ପାଦନା ବେଳେ କର୍ତ୍ତାମାନେ ଦୃଷ୍ଟି ଦେଉ ନ ଥିବା ସେମାନଙ୍କ ଅଜ୍ଞାନ କି ଅହମିକା ବୁଝା ପଡୁନାହିଁ।
ମହାପୁରୁଷମାନେ ଅପ୍ରିୟ ସତ୍ୟ କହିବାକୁ ବାରଣ କରିଛନ୍ତି। ତା’ ଛଡ଼ା ସତ କହିଲେ- ପଛରେ କୁକୁର ଲଗାଇ ଦେବାର ଭୟ ରହିଛି। ତେବେ ମାନ୍ୟବର ସଂପାଦକମାନେ ନିଜ ଆଡୁ ହଲପ କରି / ବିଦ୍ୟାରାଣ ପକାଇ କହିବା ହେବେ କି- ସେମାନଙ୍କ ମାଗାଜିନ ସଂପାଦିତ ନା ସଂକଳିତ? ଜଣେ ଅଧେ ଚିପା ସମ୍ପାଦକଙ୍କୁ ବାଦ୍ ଦେଲେ, ଅଧିକାଂଶ ପର୍ଯ୍ୟନ୍ତ ଲେଖା ବିଡ଼ା ବାନ୍ଧି ପ୍ର୍ରେସ୍‌କୁ ଦେବା ମହତ କାର୍ଯ୍ୟଟି କରୁଥିବା ଅନୁମେୟ। ଲେଖାରେ କଲମ ଦାଗ ପର୍ଯ୍ୟନ୍ତ ମାରୁ ନାହାନ୍ତି। ପତ୍ରିକାମାନଙ୍କର ମୁଖ୍ୟ ପୃଷ୍ଠାରେ ଏ ଯେଉଁ ଆଠଦଶ ଜଣ ବିଭିନ୍ନ ପଦବୀର ସଂପାଦକ ଶୋଭାବର୍ଦ୍ଧନ କରୁଛନ୍ତି- ସେମାନେ ମାଗାଜିନ ପାଇଁ କରନ୍ତି କଅଣ? ଦକ୍ଷତା ନ ଥିବାରୁ ଖାମଖିଆଲି ନୀତି ଆଦୌ ସ୍ପୃହଣୀୟ ନୁହେଁ। ସୁତରାଂ ଏ ବିଶାଳ ଆୟୋଜନରୁ କିଏ କୃତାର୍ଥ ହୁଏ – ସାହିତ୍ୟ, ସାହିତ୍ୟିକ ନା ସଂପାଦକ?
ବିଶେଷ ସଂଖ୍ୟାମାନେ ବିଶେଷତ୍ୱ ବହନ କରିବା କଥା। ଉନ୍ନତମାନର ବିବିଧ ରୁଚି ସମ୍ପନ୍ନ ଲେଖା ପ୍ରଚ୍ଛଦ, ଅଙ୍ଗସଜ୍ଜା, ଅଳଙ୍କରଣ ସବୁ ଦୃଷ୍ଟିରୁ ଆକର୍ଷଣୀୟ ନ କଲେ ସବୁ ପ୍ରୟାସ ବିଫଳ ହୋଇଥାଏ। ଲମ୍ବା ଚଉଡ଼ା ସୂଚୀପତ୍ରରେ ଦେଢ଼ଶ ଦୁଇଶ ଲେଖକଙ୍କ ନାଆଁ ଛାପି, ପାଞ୍ଚଶ ସାତଶ ହଜାର ପୃଷ୍ଠାର ପତ୍ରିକା ପ୍ରକାଶ କରିଥିବା ରାୟ ବାହାଦୁରମାନଙ୍କୁ କେହି ପ୍ରଶଂସିବେ ନାହିଁ। ଆମ ରାଜ୍ୟର ସାହିତ୍ୟ ପ୍ରୀତିଥିବା ପାଠକମାନେ ଅଧାପାଠୁଆ ହେଲେ ବି ରସଗ୍ରାହୀ। ସେମାନେ ବିମୁଖ ହେଲେ, ଶହ ଶହ ମାଗାଜିନ୍ ଷ୍ଟଲ୍‌ରେ ପଡ଼ି ପଡ଼ି ଶେଷକୁ ରଦିରେ ବିକ୍ରି ହେବେ। ହେଉଛନ୍ତି ମଧ୍ୟ।
ଭିତିରି କଥା
ଇଏ ଆମ ମନଗଢ଼ା ଗାଲୁଗଳ୍ପ ନୁହେଁ। ପୂଜା ସଂଖ୍ୟା ପାଇଁ ଏ ଯେଉଁ କୋଳାହଳ, ଗହଳି ଚହଳି, ମେଳା ମଉଛବ ତହିଁର ଅମୃତ ଅନୁଭବ ଏବଂ ତତ୍‌ସହିତ କିଛି ତିକ୍ତ କଷାୟ ବ୍ୟଥାତୁର ଭିତିରି କଥା – କ୍ଷମା କରିବେ ଆଜ୍ଞାମାନେ, ତାହା ହିଁ ସ୍ଥାନିତ ହୋଇଛି ଏ ଅସଜଡ଼ା ପୃଷ୍ଠାରେ।
ଆମେ ଆଉ ବେଶି ଗଭୀରକୁ ଯିବୁ ନାହିଁ। କାରଣ ଏଠି ‘ତୁ ସୁନ୍ଦରକୁ ମୁଁ ସୁନ୍ଦର’ ପ୍ରଶସ୍ତି ଗାଇବାକୁ ଅନେକ ବାହାରିବେ। ପୂରି ଅଛନ୍ତି ଚର୍ଚ୍ଚିତ ସମୀକ୍ଷକ, ଆଲୋଚକ, ପର୍ଯ୍ୟାଲୋଚକ- ଯେଉଁମାନଙ୍କୁ କଲମର ଅନବରତ ପ୍ରଶଂସାର ସୁଅ ଛୁଟୁଥାଏ- ସେମାନେ କହିବେ ଅପୂର୍ବ, ଅନବଦ୍ୟ। କହିଲେ ନାହିଁ, କହି ଆସୁଛନ୍ତି। ସେମାନଙ୍କ ବସା ତ ବାଆରେ ଦୋହଲୁଛି- ସେମାନେ ଅଡୁଆ ପାଠକୁ ଯିବେ କାହିଁକି!
ସତ କହିବା ମହାପରାଧ – ଯେହେତୁ ଏ ଯୁଗଧର୍ମ, ସେମାନେ ଆମକୁ ତ ଘେନା କରିବେ ନାହିଁ – ଅପରନ୍ତୁ ଛିଦ୍ରାନ୍ୱେଷୀ, ଦୋଷଦ୍ରଷ୍ଟା, ଅସହିଷ୍ଣୁ ଭଳି ନାନା ଅପଶବ୍ଦରେ ଅର୍ଚ୍ଚନା କରିବେ। କରନ୍ତି ମଧ୍ୟ।
ଉପସଂହାରରେ ଆମେ ଫେରି ଆସିବା ସେଇ କଥାର କଥାକୁ। କଥାରେ କଥାରେ ଅନେକ କିଛି କହିସାରିଛୁ। ଅଳ୍ପେ ସନ୍ତୁଷ୍ଟ ଆମ ଜାତିର ଇଏ ହେଲା ଆମ ପୁସ୍ତକ, ପତ୍ରପତ୍ରିକା ଜଗତର ଚିତ୍ର ଚରିତ୍ର। ଏସବୁ ବ୍ୟତିକ୍ରମ ଓ ଅର୍ଗଳି ସତ୍ତ୍ୱେ କିଛି ସଂଗ୍ରହଣୀୟ, ଉପାଦେୟ ପୁସ୍ତକ ଓ ପତ୍ରିକା ପ୍ରକାଶ ପାଉଛି। ନିଷ୍ଠାବାନ ଓ ସମର୍ପିତ ସାହିତ୍ୟ ସାଧକ ରହିଛନ୍ତି। ସାରସ୍ୱତ ଭଣ୍ଡାରର ଅଭିବୃଦ୍ଧି ହେଉଛି – ଯାହା ସାହିତ୍ୟପ୍ରେମୀଙ୍କ ପାଇଁ ଆଶ୍ୱାସନାର ବିଷୟ।

( ଏହି ପ୍ରବନ୍ଧଟି ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୩ ସଂଖ୍ୟାରେ ପ୍ରକାଶିତ। ଲେଖକ ହେଉଛନ୍ତି ପୂର୍ବେ କଲିକତାରୁ ପ୍ରକାଶ ପାଉଥିବା ସୁପ୍ରସିଦ୍ଧ ସାହିତ୍ୟ ପତ୍ରିକା ‘ଆସନ୍ତାକାଲି ‘ର ସଂପାଦକ।)

7 thoughts on “ଓଡ଼ିଆ ପତ୍ରପତ୍ରିକା: କୁଟୁମ୍ବଙ୍କୁ ଲାଜ

  1. ମୂଳକଥା, ଓଡ଼ିଶାର ବାତାବରଣ ସାହିତ୍ୟ ପାଇଁ ଅନୁକୂଳ ଆଦୌ ନୁହେଁ। ଭଲ ଲେଖାକୁ ଆଦର ମିଳି ନଥାଏ। ବରଂ ଚିରାଚରିତ ଚାଲି ଆସୁଥିବା ଶାଶୁବୋହୂ ଗପକୁ ଅଧିକ ଆଦର ମିଳେ।

  2. ବାଃ ଚମତ୍କାର ଆଲେଖିକ ଉପସ୍ଥାପନା ସ୍ରଷ୍ଟା। ମାଲକାନଗିରି ମାଟି ରୁ ଆକାଶ ଭର୍ତ୍ତି ଶୁଭେଚ୍ଛା ଓ ସମ୍ମାନ। ଜୟ ଜଗନ୍ନାଥ 🙏💐 । ବଳରାମ ପୂଜାରୀ କୁଡୁମୁଲୁଗୁମ୍ମା ମାଲକାନଗିରି 🙏

  3. କାଳୀ ବାବୁ ନିଦା ମଣିଷ। ଖୋଲା ମେଲା‌ କଥା,ଠୋ ଠା ଅନ୍ଦାଜ।କିଏ କ’ଣ ଭାବୁ କି ନଭାବୁ ସେ କହିବେ ହିଁ କହିବେ। ଯାହା ହେଉ ଗୁଡ଼ାଏ ଅପ୍ରିୟ ସତ କହିଛନ୍ତି। ଇତିହାସ ପାଇଁ ଏସବୁ ତଥ୍ୟ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଲେଖାଟି ହେଉଛି ଏହି ମାସର ଆକର୍ଷଣ।

  4. କାଳୀବାବୁ ଜଣେ ଖ୍ୟାତନାମା ସଂପାଦକ ଓ ସାହିତ୍ୟିକ। ତାଙ୍କୁ ସହଯୋଗ ସମ୍ବର୍ଦ୍ଧନା ମିଳିଛି। ନିରନ୍ତର ସାହିତ୍ୟ ସାଧନାର ଲବ୍ଧଜ୍ଞାନ ହେଉଛି ଏ ଲେଖାଟି।ନିର୍ଭୀକ ଓ ଉପାଦେୟ ଆଲୋଚନାଟିଏ।

  5. ଲେଖାଟିର ଲେଖକ ନିଚ୍ଛକ ସତ କଥା ଲେଖିବାର ସାମର୍ଥ୍ୟ ରଖିଛନ୍ତି, ତାହା ହେଉଛି ବଡ଼କଥା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ କାହାକୁ କହିବା, କିପରି କହିବା ସ୍ଥିତି ହୋଇସାରିଛି। କାରଣ ପୂଜାସଂଖ୍ୟା ନାମରେ କିଛି ପତ୍ରିକା କେବଳ ସରକାରୀ ବା ବେସରକାରୀ ବିଜ୍ଞାପନ ପାଇବା ନିମନ୍ତେ ପତ୍ରିକା ପ୍ରକାଶ କରନ୍ତି। ଆଉ କିଛି ପତ୍ରିକା ଲେଖକମାନଙ୍କୁ କୌଣସି ପ୍ରାପ୍ୟ ଦେବା ବଦଳରେ କିଛି ଲେଖକମାନଙ୍କଠାରୁ ପ୍ରାପ୍ୟ ନେଇ ପତ୍ରିକା ପ୍ରକାଶ କରୁଥିବା ଆମ ପାଖରେ ସୂଚନା ରହିଛି, ତାହା କେତେ ସତ କେତେ ମିଛ ଆମେ ଜାଣିନାହୁଁ। ଅନ୍ୟପକ୍ଷରେ ପୂଜା ସଂଖ୍ୟାରେ ହାତଗଣତି କିଛି ପ୍ରତିଷ୍ଠିତ ସାହିତ୍ୟିକଙ୍କ ଲେଖା ପ୍ରକାଶ କରି ତା ସହିତ ଅନ୍ୟ କିଛି ଯାଇଚ୍ଛାତା ଲେଖକଙ୍କ ମନଇଚ୍ଛା ଲେଖା ପ୍ରକାଶ କରିଦେଇ ପତ୍ରିକା ବାହାର କରୁଥିବା କିଛି ପ୍ରକାଶକ ମଧ୍ୟ ରହିଥିବା ମୁଁ ଭାବୁଛି। ଅନ୍ୟପକ୍ଷରେ ବର୍ତ୍ତିକା ଭଳି ଏକ ପୃଥୁଳକାୟ ଏବଂ ସାହିତ୍ୟର ପ୍ରାୟ ସମସ୍ତ ବିଭାଗରୁ ଲେଖା ପ୍ରକାଶ କରି ସ୍ୱଳ୍ପ ମୂଲ୍ୟରେ ବିକ୍ରୟ କରୁଥିବା କିଛି ପ୍ରକାଶକ ମଧ୍ୟ ରହିଛନ୍ତି। ସେହିଭଳି ସାମ୍ନା ବା ପଶ୍ଚିମା ଭଳି ସୁଶୋଭିତ ଓ ସୁନ୍ଦର ପରିପାଟିପୂର୍ଣ୍ଣ ଏବଂ ଅପେକ୍ଷାକୃତ ଅଧିକ ମୂଲ୍ୟ ରହିଥିବା ପତ୍ରିକା ପ୍ରକାଶନ ମଧ୍ୟ ଓଡ଼ିଶାରେ ହେଉଛି। କିନ୍ତୁ ଏହି ଅଧିକ ମୂଲ୍ୟର ପତ୍ରିକାର ବିକ୍ରୟ ସଂଖ୍ୟା ଆଖି ଦୃଶିଆ ହେଉଥିବା ଭଳି ମୁଁ ଭାବୁନାହିଁ। ସେ ଯାହାହେଉ ପୂଜାସଂଖ୍ୟା ନାମରେ ଓଡ଼ିଆ ଭାଷାରେ ଅତି କମ୍‌ରେ ୭୦ ରୁ ୮୦ଟି ପତ୍ରିକା ପ୍ରକାଶିତ ହୋଇ ବଜାରରେ ଉପଲବ୍ଧ ହେବା କିଛି ଖରାପ କଥା ନୁହେଁ ବୋଲି ମୋର ମତ। ବାକି ରହିଲା ପାଠକଙ୍କ ପ୍ରତିକ୍ରିୟା ଓ ଉନ୍ନତମାନର ଲେଖା କଥା। ପତ୍ରିକାଟିଏ ପ୍ରକାଶିତ ହେବା ପରେ ଏହା ପାଠକପାଖରେ ପହଞ୍ଚିବା ପରେ ଏହାକୁ ପାଠକ ପଢ଼ିବ କି ନାହିଁ ତାହା ପାଠକ ଉପରେ ଛାଡ଼ିଦେବା ଉଚିତ ହେବ ବୋଲି ମୋର ମତ।

  6. ଭଲ ଲାଗିଲା ସାର୍ ଲେଖାଟି। ପ୍ରଣାମ🙏

  7. କାଳୀ ସାର୍ ଅପ୍ରିୟ ସତ୍ୟ କହିବା ମନା ଲେଖି ଲେଖାଟି ଆରମ୍ଭ କରିଥିବା ସତ୍ତ୍ୱେ ସବୁ ସତକଥା ହିଁ ନିର୍ଭୀକ ଭାବେ ଲେଖିଛନ୍ତି।
    ମୁଁ ଅଧିକାଂଶ ପୂଜା ସଂଖ୍ୟା ହିଁ ପଢେ ଓ ସାଙ୍ଗ ମାନଙ୍କ ପୂଜା ଭେଟି ଦିଏ।ସେଇଟା ଗୋଟେ ବାହାନା ପଢ଼ିବା ଓ ପଢ଼ାଇବା ପାଇଁ।
    ଲେଖାଟି ବହୁତ ଭଲ ଲାଗିଲା।ନମସ୍କାର।

Leave a Reply

Your email address will not be published. Required fields are marked *