ଲେଖନୀ ମୁନରେ ଅସୁର ସଂହାର

ଶାରଦୀୟ ପାର୍ବଣ ଅବସରରେ ଯେତେବେଳେ ଶକ୍ତିସ୍ୱରୂପା ମହାମାୟା ମହିଷମର୍ଦ୍ଦିନୀ ରୂପରେ ଆବିର୍ଭୂତା ହୁଅନ୍ତି, ସେତେବେଳେ ‘ଶ୍ରୀଦୁର୍ଗା ସପ୍ତଶତୀ’ ପାଠ କରିବା ଅବକାଶରେ ଏହି ପଙ୍‌କ୍ତିଟି ମଧ୍ୟ ଭକ୍ତ-କଣ୍ଠରେ ଉଚ୍ଚାରିତ ହୁଏ,
ଯା ଦେବୀ ସର୍ବଭୂତେଷୁ ଚେତନେତ୍ୟଭିଧୀୟତେ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।

ଏଠାରେ ଦେବୀଙ୍କୁ ଚେତନା ପ୍ରଦାୟିନୀ ଭାବରେ ଆବାହନ କରାଯାଇଛି। ଏ ଦୃଷ୍ଟିରୁ ଜନ-ମାନସରେ ଚେତନାର ସ୍ଫୁଲିଙ୍ଗ ଜଗାଇବା ଦେବୀ ଦୁର୍ଗାଙ୍କ ଧରାବତରଣର ଅନ୍ୟତମ ଉଦ୍ଦେଶ୍ୟ ବୋଲି କୁହାଯାଇପାରେ।
ସାହିତ୍ୟ-ସାଧକମାନଙ୍କ ପାଇଁ ଦେବୀ-ତତ୍ତ୍ୱର ଏହି ସାରସ୍ୱତ ଦିଗଟି ହେଉଛି ଅଧକ ଗୁରୁତ୍ୱପୂର୍ଣ୍ଣ। ସଂସାରର ଅନ୍ୟ ସମସ୍ତ କ୍ରିୟାକଳାପ ଭଳି, ସାହିତ୍ୟ ଜଗତରେ ମଧ୍ୟ ଏହି ଆସୁରିକ ପ୍ରବୃତ୍ତିର ପରାଭବ କିଛି କମ୍ ନୁହେଁ। ଛଳନା, ପରଶ୍ରୀକାତରତା, ମିଥ୍ୟା ଓ ଦୁରାଚାର ଭଳି ନକାରାତ୍ମକ ଗୁଣମାନ ଅନ୍ୟମାନଙ୍କ ଭଳି ସାରସ୍ୱତ ସ୍ରଷ୍ଟାମାନଙ୍କୁ ମଧ୍ୟ କବଳିତ କରିବା ପାଇଁ ଟାକି ବସିଥାଆନ୍ତି। କେବଳ ଦୃଢ଼ମନା ଓ ଆତ୍ମସଂଯମୀ ସ୍ରଷ୍ଟାଟିଏ ହିଁ ଏମାନଙ୍କ କବଳରୁ ନିଜକୁ ମୁକୁଳାଇବାକୁ ସକ୍ଷମ ହୋଇଥାଏ।
ତେବେ ମାଆ ଦୁର୍ଗା ସାରସ୍ୱତ ସଂସାରର ନକାରାତ୍ମକତାକୁ ବିନାଶ କରିବା ପାଇଁ କେଉଁ ଭାବରେ ଅବତୀର୍ଣ୍ଣା ହୁଅନ୍ତି, ଏହି ବିଷୟରେ ଚିନ୍ତା କରିବାକୁ ଗଲେ ଆମର ସ୍ମରଣକୁ ଆସେ ‘ଅଚ୍ୟୁତାନନ୍ଦ ପତି କଥା ସମଗ୍ର’ରେ ଆମେ କିଛିଦିନ ତଳେ ପଢ଼ିଥିବା ‘ରାକ୍ଷସ ଗପ’ ଶୀର୍ଷକ କାହାଣୀଟିଏ। ବର୍ଷୀୟାନ୍ କଥାକାର ଅଚ୍ୟୁତାନନ୍ଦ ପତି ଏଥିରେ ଜଣେ ରାକ୍ଷସରାଜର ହାବୁଡ଼ରେ ପଡ଼ିଥିବା ପାଞ୍ଚଜଣ ଦେବୀଙ୍କର ପରିକଳ୍ପନା କରିଛନ୍ତି। ସେମାନଙ୍କର ନାମ ହେଲା ରାଜଶ୍ରୀ, ନୀତିରତା, ପ୍ରଜ୍ଞାଦେବୀ, ସାଧାରଣୀ ଓ ଶ୍ରୀଲେଖା। ଏମାନେ ମାଆ ଶକ୍ତିସ୍ୱରୂପିଣୀଙ୍କର ବିବିଧ ଅବତାର ମାତ୍ର। ଆଲୋଚିତ ଗଳ୍ପରେ ଖଳଚରିତ୍ର ‘ରାକ୍ଷସରାଜ’ ପ୍ରଥମୋକ୍ତ ଚାରିଜଣ ଦେବୀଙ୍କୁ କବଳିତ କରି ସେମାନଙ୍କ ଉପରେ ପାଶବିକ ଅତ୍ୟାଚାର କରିବାକୁ ସକ୍ଷମ ହୋଇଛି। କିନ୍ତୁ କାବୁ କରିପାରିନାହିଁ କେବଳ ଜଣଙ୍କୁ; ସେ ହେଲେ ଶ୍ରୀଲେଖା। ଅନ୍ୟ ଦେବୀମାନେ ସ୍ୱହସ୍ତରେ ସେମାନଙ୍କର ଚିରାଚରିତ ଆୟୁଧ ଧାରଣ କରିଥିବା ବେଳେ ଶ୍ରୀଲେଖାଙ୍କ ହସ୍ତରେ କିନ୍ତୁ ଅଛି କେବଳ କଲମଟିଏ। ତାଙ୍କର ଏହି କଲମ ରୂପୀ ଅସ୍ତ୍ରଟିର ସାମନା କରିବାକୁ ରାକ୍ଷସରାଜ ଅସମର୍ଥ ହୋଇଛି ଏବଂ ଶେଷକୁ ଶ୍ରୀଲେଖା ନିଜର କଲମ ମୁନରେ ଦଳି ତାହାକୁ ନିହତ କରିଛନ୍ତି।
ଏକ ରୂପକ-କଥା ଭାବରେ ଏହି କାହାଣୀର ବକ୍ତବ୍ୟ ପ୍ରଣିଧାନ ଯୋଗ୍ୟ। ଏହି ଗଳ୍ପରେ ଶ୍ରୀଲେଖା ସରସ୍ୱତୀଙ୍କ ଭିନ୍ନ ଆଉ କେହି ନୁହନ୍ତି; ଏବଂ ତାଙ୍କ ହସ୍ତରେ ଆୟୁଧ ଭାବରେ ଶୋଭା ପାଉଥିବା ଲେଖନୀ ହିଁ ସାରସ୍ୱତ ପ୍ରଜ୍ଞାର ଅକଳନ ଶକ୍ତିର ପରିଚାୟକ। ଏହା ଆଗରେ ଆଉ ସବୁ ଅସ୍ତ୍ର ତୁଚ୍ଛ। ଗାଳ୍ପିକଙ୍କ ଭାଷାରେ, “ଧନରାକ୍ଷସର ଗର୍ବୋନ୍ନତ ଛାତିରେ ମହାମାୟା ମହାସରସ୍ୱତୀ ଲେଖନୀରେ ବର୍ଚ୍ଛାବିଦ୍ଧ କଲେ। ଭୀତି ଓ ଭକ୍ତିର ଅଶ୍ରୁପାତ କରି ଅସହାୟ ଶିଶୁସମ ଅଶକ୍ତ ଧନରାକ୍ଷସ ଯୋଡ଼ ହସ୍ତରେ ମହାପ୍ରତିଭାଙ୍କ ପୁଣ୍ୟ ପୟରତଳେ ପ୍ରାଣ ଅର୍ପଣ କଲା।”
ତେବେ ଆମ ଲେଖକ-କୁଳ ସେମାନଙ୍କୁ ବିଧି ଦ୍ବାରା ପ୍ରଦତ୍ତ ଲେଖନୀ ନାମକ ଏହି ଆୟୁଧର ଅମାପ ଶକ୍ତି ବିଷୟରେ ସ୍ବୟଂ ଅବହିତ କି? ଆସନ୍ତୁ, ଆଜି ପବିତ୍ର ପାର୍ବଣ ଅବସରରେ ଏତିକି କାମନା କରିବା ଯେ ଆମର ସମସ୍ତ ସାରସ୍ୱତ ସ୍ରଷ୍ଟା ନିଜର କଲମ ବଳରେ ସଂସାରରୁ ଆସୁରିକ ଶକ୍ତିର ବିନାଶ କରିବା ସହ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ଆଗଭର ହେବେ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅକ୍ଟୋବର , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

3 thoughts on “ଲେଖନୀ ମୁନରେ ଅସୁର ସଂହାର

  1. ନିହାର ଶତପଥୀ ପ୍ରକୃତରେ ଜଣେ ନିଆରା ସମ୍ପାଦକ। ସେ ଯାହା କହିବାକୁ ଚାହାନ୍ତି, ତାହା ସିଧାସଳଖ ନକହି ଅନ୍ୟବାଟରେ କହିଛନ୍ତି। ତାହା ପୁଣି ବର୍ଷିୟାନ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ଲେଖାର ଉଦାହରଣ। ବାସ୍ତବିକ ନିହାର ବାବୁଙ୍କ ଉପସ୍ଥାପନା ଏବଂ ଏଥିରେ ଥିବା ବାର୍ତ୍ତା ଚମତ୍କାର।

  2. ପ୍ରଥିତଯଶା କଥାକାର ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କୁ ଆଗରେ ରଖି ସମ୍ପାଦକ ମହାଶୟ ଯେଉଁ ଗମ୍ଭୀର, ଗଭୀର ବାର୍ତ୍ତୟନ ଖୋଲି ଦେଇଛନ୍ତି,ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ। ସଂପାଦକୀୟର ଦମ ସେଇଠି ଥାଏ, ଯେଉଁଠି ଅଳପକେ ଛୁଞ୍ଚିମୂନ ପରି କଥା ସବୁ ହୃଦୟକୁ ବିଦ୍ଧ କରିପାରେ।
    ଏ ଦୃଷ୍ଟିରୁ ସଂପାଦକୀୟଟିର ପ୍ରଶସ୍ତି ବିନା ଗତ୍ୟନ୍ତର ନାହିଁ।

  3. The puja issue is well thought out. Best wishes for the editorial team of Sahitya charcha.

Leave a Reply

Your email address will not be published. Required fields are marked *