ଠେକୁଆ ଛୁଆର ନେଫଡ଼ା ମୁହଁ

ଏମିତି ଚିଡ଼ାଇ ଖତେଇ ହୋଇ ହୋଇ ତା’ ମୁହଁ ନେଫେଡ଼ିଗଲା ସିନା ମାଙ୍କଡ଼ ଛୁଆ ଦୁଇଟି ମୋଟେ ତା’ ଆଡ଼କୁ ଚାହିଁଲେ ନାଇଁ।

ଡ. ସଂକର୍ଷଣ ସାମଲ

ବଣଟିଏ। ତା’ ଭିତରେ ପାହାଡ଼ଟିଏ। ସେଇ ପାହାଡ଼ ଉପରେ ବରଗଛଟିଏ। ସେ ଗଛତଳକୁ ଗୁମ୍ଫାଟିଏ। ସେଠି ମାଆ ମାଙ୍କଡ଼ଟିଏ ରହୁଥିଲା। ତା’ର ଦୁଇଟି ଛୁଆ। ସେ ମାଆ ଛୁଆ ସେ ବରଗଛରେ ଡିଆଁଡେଇଁ କରନ୍ତି। ସେ ଗୁମ୍ଫାରେ ଶୁଅନ୍ତି। ମାଆ ଯେତେବେଳେ ଖାଇବା ଆଣିବାକୁ ଯାଏ, ଛୁଆ ଦିଓଟି ଗୁମ୍ଫା ଭିତରେ ରହନ୍ତି। କହନ୍ତି- ଏଇଟା ଆମର ବଢ଼ିଆ ଘର।
ସେତେବେଳେ ଠେକୁଆ ଛୁଆଟିଏ କେଉଁଠୁଆସି ଜୁଟିଯାଏ। ସିଏ ଭାରି ଖତେଇ ହେଲାବାଲା। ସେମାନଙ୍କୁ ଖତେଇ ହୁଏ ଆଉ କହେ – ଇଃ, ତମ ମୁହଁକି କଳା।
ମାଙ୍କଋ ଛୁଆ ଦୁହେଁ ତାକୁ ଗୋଡ଼େଇ ଗଲେ ସିଏ ସେଇଠି କୋଉଠି ପଥର ଖୋଲରେ ଲୁଚିଯାଏ। ଗୋଟାଏ ମାଙ୍କଡ଼ ଛୁଆ ଆର ମାଙ୍କଡ଼ ଛୁଆକୁ ଅନେଇ କହେ- ତୁ ତାକୁ ଧରିପାରିଲୁ ନାଇଁ।
ଆରଟା କହେ- ତୁ କୋଉଠି ପାରିଲୁ କି?
ଦି’ଜଣ ଯାକ ତା’ପରେ ବିଚାର କରି କୁହାକୁହି ହୁଅନ୍ତି – ଆମେ ପାରିଲେ ନାହିଁ।
ତା’ପରେ ଜଣେ ଆରକୁ କହେ – ତୋ ହାବୁଡ଼ରେ ଯଦି ସିଏ ପଡ଼ିବ, ତୁ ତା’ର କ’ଣ କରିପାରିବୁ?
ଆରଟି କହେ- ମୁଁ ପଥର ମାରି ତା’ ମୁଣ୍ଡ ଛତୁ କରିଦେବି।
ଏହା କହି ସିଏ ପଚାରେ – ତୁ ତା’ର କଣ କରିପାରିବୁ?
ମୁଁ ଗୋଟାଏ ବାଡ଼ିରେ ପିଟି ତା’ ଗୋଡ଼କୁ ଛୋଟା କରିଦେବି – ଆର ଜଣକ କହେ।
ତା’ ହେଲେ ଆମେ କ’ଣ କରିପାରିବା? ଭାବି ଭାବି ଦି’ଜଣଯାକ ଏକାବେଳକେ ପାଟି କରି ଉଠନ୍ତି- ଆମେ ତାକୁ ଏକଦମ୍ ମାରିଦେଇ ପାରିବା।
ଜଣେ ଗୋଟାଏ ମୁନିଆ ପଥର ଠିକ୍ କଲା।
ଆଉ ଜଣେ ଗୋଟାଏ ବାଡ଼ି ଠିକ୍ କଲା।
ଦିହେଁ ପ୍ରସ୍ତୁତ ହୋଇ ରହିଲେ।
ଦିନେ ମାଙ୍କଡ଼ ମାଆ ଯାଇଚି ସେମାନଙ୍କ ପାଇଁ ଖାଇବା ଆଣିବାକୁ। ଘରେ ଅଛନ୍ତି ଛୁଆ ଦି’ଟା। ଆସି ଜୁଟିଗଲା ସବୁଦିନ ପରି ଠେକୁଆ ଛୁଆଟା। ସେଦିନ ସିଏ ଭାରି ଖତେଇ ହେଲା। ଖତେଇ ହୋଇ ହୋଇକା ତାଙ୍କ ପାଖକୁ ଚାଲି ଆସିଲା। ମାଙ୍କଡ଼ ଛୁଆ ଭିତରୁ ଜଣେ ମାରିଲା ପଥର। ଆଉ ଜଣେ ଫୋପାଡ଼ିଲା ବାଡ଼ି। ହେଲେ କୋଉଟା ବି ତା’ ଦିହରେ ବାଜିଲା ନାହିଁ। ସିଏ କୁଆଡ଼େ ଲୁଚିଗଲା।

ତୁ ଏଡ଼େ ଲକ୍ଷ୍ୟ କଲାବାଲା? – ଜଣେ ଆରଜଣକୁ ଥଟ୍ଟା କଲା।
ତୁ ଟା ତ ଭାରି… – ଆଉ ଜଣେ ଜବାବ ଦେଲା।
ଦି’ଜଣ ମନ ଦୁଃଖରେ ରହିଲେ।
ମା’ ଆସିବାରୁ ସବୁକଥା କହିଲେ।
ପୁଣି କହିଲେ – ମାଆ, ତୁ ଯା ଏବେ ତାକୁ ଧରି ଆଣିବୁ। ନ ହେଲେ ଆମେ ଆଜି ମୋଟେ ଖାଇବୁ ନାଇଁ କି ପିଇବୁ ନାଇଁ।
କ’ଣ କରିବ? ମା’ ମାଙ୍କଡ଼ ବାହାରିଲା ଠେକୁଆ ଛୁଆକୁ ଧରିବାକୁ।
ଗୋଟାଏ ଜାଗାରେ ଠେକୁଆ ମା’ ତା ଛୁଆକୁ କୋଳରେ ବସାଇ କ୍ଷୀର ପେଉଥିଲା। ତାକୁ ଦେଖୁ ଦେଖୁ ମା’ ମାଙ୍କଡ଼ ଗର୍ଜନ କଲା – ଛାଡ଼ ତୋ ପୁଅକୁ ମୁଁ ତାକୁ ଧରିନେବି।
କାଇଁ କି ଏମିତି ରାଗୁଚ? – ଠେକୁଆ କାନ୍ଦ କାନ୍ଦ ହୋଇ ପଚାରିଲା।
ଗୋଟି ଗୋଟି ସବୁ କଥା କହିଲା ମା’ ମାଙ୍କଡ଼।
ଠେକୁଆ ଛୁଆଟା ଯେତିକି ଚଗଲା, ତା’ ମାଆଟା ସେତିକି ଡରୁଆ। ସିଏ କହିଲା – ମୋ ଛୁଆକୁ କାହିଁକି ଧରିନେବୁ? ମୁଁ ଯାଉଚି ଏଇ କ୍ଷଣି ଏ ବଣ ଛାଡ଼ି ପଳାଇବି। ଇଏ ତ ଏଠି ନ ଥିବ, ତୋ ଛୁଆକୁ ଚିଡ଼େଇବ କିଏ?
ହଉ ଯା। ଆଉ କେବେ ଏଠିକି ଆସବୁ ନାଇଁ। ଆସିଲେ ଜାଣିବୁ ମୁଁ କିଏ? – ଏହା କହି ମାଙ୍କଡ଼ ମା’ ତା’ ଘରକୁ ଫେରିଲା।
ତାକୁ ଦେଖୁ ଦେଖୁ ଛୁଆ ଦି’ଜଣ ପଚାରିଲେ – ସେ ବଦମାସ୍ ଠେକୁଆ ଛୁଆ କାଇଁ?
ମାଆ ଅସଲ କଥାଟା ଲୁଚେଇ ନିଜ ବାହାଦୁରି ଦେଖାଇ କହିଲା – ମୁଁ ତାକୁ ଦେଖୁ ଦେଖୁ ରାଗରେ ଗିଳିଦେଲି। ସିଏ ମୋ ଏଇ ପେଟରେ।
ଜଣେ ଛୁଆ ପଚାରିଲା – ସିଏ ଏବେ ସେଠି କ’ଣ କରୁଚି?
ମାଙ୍କଡ଼ ମାଆ ହଠାତ୍ ଚିତ୍ ହୋଇ ଶୋଇପଡ଼ିଲା। ନିଜ ଦି’ କାନକୁ ଦି’ ହାତରେ ବୁଜି ଧରିଲା। ଆଖିକି ବି ବୁଜିଦେଲା।
ଦି’ ଛୁଆ ପଚାରିଲେ – ମାଆ ତୁ ଏ କ’ଣ କରୁଚୁ? ଆମକୁ ତତେ କ’ଣ ଭଲ ଲାଗୁନାଇଁ? କାନ ବୁଜି ଦଉଚୁ? ଆଖି ବୁଜି ଦଉଚୁ?
ମାଙ୍କଡ଼ ମାଆ କହିଲା – ବାହାରେ ଶବ୍ଦ ହେଉଚି ତ। ମୁଁ କାନ ବୁଜି, ଆଖି ବୁଜି ଚୁପ୍‌ଚାପ୍ ଶୁଣୁଚି ସିଏ ମୋ ପେଟରେ ରହି କ’ଣ କହୁଚି?
ଟିକିଏ ପରେ ସିଏ ପୁଣି କହିଲା – ସିଏ କହୁଚି, ମତେ ଆଜିକ ଛାଡ଼ିଦିଅ। ମୁଁ ଆଉ ଦିନେ ଏମିତି କରିବି ନାଇଁ।
ଆଚ୍ଛା। ସିଏ ତ ଏହା କହୁଚି। ତେବେ ଆମ ମନ କହୁଚି? ଛୁଆ ଦି’ଜଣ ଇଏ ତାକୁ ଚାହିଁ ସିଏ ତାକୁ ଚାହିଁ ଧୀରେ ପଚରାପଚରି ହେଲେ।
ମାଆ ସିଏ ସେମିତି ଥାଉ।
ଛୁଆ ଦି’ଜଣ ଯାକ ବାହାରକୁ ଦୌଡ଼ିଗଲେ।
କଥା କ’ଣ? – ମା’ କାନେଇ କାନେଇ ଶୋଇରହିଲା।
କିଛି ସମୟ ପରେ ଛୁଆ ଦିହିଁଙ୍କ ପାଦଶବ୍ଦ ଶୁଭିଲା। ତା’ପରେ କଥା ଶୁଭିଲା।
ଜଣେ କହୁଚି – ମୁଁ ତିନ୍ କହିଲା ମାତ୍ରେ ତୁ ପକାଇବୁ ପାହାର। ମୁଁ ଛାଡ଼ିବି ପଥର। ମା’ ପେଟରେ ତ ସିଏ ସିଧାସିଧା ମରିବ।
ହେଇ, ଶୁଣ୍। ଏକ୍‌, ଦୁ ଉ ଉଇ।
ତିନ୍ କହିଲା ପୂର୍ବରୁ ମା’ ଧଡ୍‌ପଡ୍ ହୋଇ ଉଠି ପଡ଼ିଲା – ଆରେ, ମତେ କ’ଣ ମାରିଦେବ?
ଆରେ ବୋକା ମା’ ପେଟରେ ବାଡ଼ି ପାହାର ଆଉ ଟେକା ବାଜିଲେ ମୁଁ ବଞ୍ଚିବି ତ।
ସତେ ତ! – ଛୁଆ ଦୁଇଟି ରହିଗଲେ।
ସେମାନେ ଏକ ସ୍ୱରରେ କହିଲେ – ମା’ ଆମର ଭୁଲ ହେଇଯାଇଚି।


ନାଇଁ ଭୁଲ୍‌ଟା ମୋର। ତମମାନଙ୍କୁ ମୁଁ ମିଛ କଥା କହିଥିଲି। ସେଥିପାଇଁ ତ ବଡ଼ ଅଘଟଣ ଘଟିଯାଇଥାନ୍ତା। ଶୁଣ, ସେ ଠେକୁଆ ଛୁଆ ଆଉ ତମମାନଙ୍କୁ ଚିଡ଼ାଇ ପାରିବ ନାଇଁ। ତା’ ମା’ ମତେ କହିଚି, ତାକୁ ସିଏ ନେଇ ଏ ବଣ ଛାଡ଼ି ପଳାଇବ – ମା’ ମାଙ୍କଡ଼ କହିଲା।
ଟିକିଏ ରହି ପୁଣି କହିଲା – ହଁ, ସେ ବଣ ଛାଡ଼ି ଚାଲିଯିବ ଯେ, ହେଲେ ତମକୁ ଆଉ ଯଦି କିଏ ଚିଡ଼ାଏ?
ଆଉ କିଏ କାଇଁକି ଚିଡ଼ାଇବ? – ଛୁଆ ଦିହେଁ କହିଲେ।
ଯିଏ ଚିଡ଼େ ତାକୁ ସମସ୍ତେ ଚିଡ଼ାନ୍ତି – ମା’ ଉତ୍ତର ଦେଲା।
-ତମକୁ ଠେକୁଆ ଛୁଆ ଚିଡ଼େଇଲେ, ତମେ ତାକୁ ବାଡ଼େଇବ କି ଟେକା ପକାଇପାର। ତମକୁ ଟିକି ଚଢ଼େଇ ଚିଡ଼େଇଲେ, ତମେ ତାକୁ ଟେକା ପକାଇପାର। ଯଦି ମହୁମାଛି ଚିଡ଼ାଏ? ସିଏ ତ ତମ ମୁହଁ ପାଖକୁ ଆସି ତା’ ଦି’ ହାତକୁ ତା’ ମୁହଁରେ ଘଷି ଚିଡ଼େଇବ, ତମେ ତା’ର କ’ଣ କରିପାରିବ? ଟେକା ପକାଇପାରିବ ନା, ତାକୁ ବାଡ଼େଇ ପାରିବ? ନା ତାକୁ ଧରିପାରିବ? ମୁଁ ଜାଣିଚି ତମେ ତା’ର କିଛି କରିପାରିବ ନାଇଁ। ଏଣୁ ସିଏ ଚିଡ଼ାଉଚି, ଚିଡ଼ାଉଥାଉ। ତମେ ନ ଚିଡ଼ିଲେ ଗଲା। ସିଏ ଚିଡ଼ାଇ ଚିଡ଼ାଇ ଆପେ ରହିବ।
ଏମିତି ମା’ କଥା ଶୁଣି ଛୁଆ ଦୁହିଁଙ୍କର ମୁଣ୍ଡରେ ବୁଦ୍ଧି ପଶିଲା।
ସେ ଦୁହେଁ ଏକା ସ୍ୱରରେ କହିଲେ – ମା’, ଆମେ ସେଇଆ କରିବୁ। ଯିଏ ଚିଡ଼ାଉଚି, ସିଏ ଚିଡ଼ାଉଥାଉ। ଆମେ ମୋଟେ ସିଆଡ଼କୁ ଚାହିଁବୁ ନାଇଁ।
ମାଙ୍କଡ଼ଙ୍କ ସେଇ ଗୁମ୍ଫା କାନ୍ଥରେ ବସିଥିଲା ଝିଟିପିଟିଟିଏ। ସବୁ ଶୁଣୁଥିଲା, କହିଉଠିଲା – ଟିକ୍ ଟିକ୍ – ଠିକ୍ ଠିକ୍।
ଝିଟିପିଟି ସେ କଥାକୁ ଏଣ୍ଡୁଅକୁ କହିଲା। ଏଣ୍ଡୁଅ କହିଲା ଗୁଣ୍ଡୁଚି ମୂଷାକୁ। ଗୁଣ୍ଡୁଚି କହିଲା ହଳଦୀବସନ୍ତକୁ। ହଳଦୀବସନ୍ତ କହିଲା ଡାମରାକୁଆକୁ।
ତେଣେ ଠେକୁଆ ମା’ ତା ଛୁଆକୁ ଧରି ସେ ବଣରୁ ପଳାଇବାକୁ ବାହାରିଲା।
ଯାଉଚୁ ଯେ ଆଉ କ’ଣ ଆସିବୁନି? – ହରିଣ ତାକୁ ପଚାରିଲା।
ନା – ଠେକୁଆ ମା’ କହିଲା।
ପାହାଡ଼ିଆ ମୂଷା ସବୁ ଦେଖୁଥିଲା, ଶୁଣୁଥିଲା।
କହିଲା – ତୁ ଏଠୁ ଯାଆନା।
ଆଉ କ’ଣ କରିବି? ଯିବାକୁ ହିଁ ପଡ଼ିବ – ଠେକୁଆ ମା’ କହିଲା।
ଏହି ସମୟରେ ଡାମରା କୁଆଟା ଆସି ପହଂଚିଗଲା। ଯାହା ସିଏ ହଳଦୀବସନ୍ତ ଠୁଁ ଶୁଣିଥିଲା, ସବୁ ଗପିଗଲା ଠେକୁଆ ମା’ ଆଗରେ। ପୁଣି କହିଲା – ତୁ ଯାଆନା। ସବୁ ଠିକ୍ ହୋଇଯିବ।
ତା’ର ଅବିଶ୍ୱାସ ହେଲା ତ। ଠେକୁଆ ମାଆ ପଚାରିଲା- ସତ!
ପୂରା ସତ। ମୁଁ ଆଖି ଛୁଇଁଚି – ଏହା କହି ଡାମରା ତା’ ଆଖି ଛୁଇଁଲା।
ଠେକୁଆ ମାଆର ପୂରା ବିଶ୍ୱାସ ହେଲା।
ସିଏ ଆଉ ତା’ ଛୁଆକୁ ନେଇ ଗଲାନି। ହେଲେ, ତା’ ଛୁଆକୁ କାହାକୁ ଚିଡ଼େଇବାକୁ କି ଖତେଇ ନ ହେବାକୁ କହିବାକୁ ଭୁଲିଗଲା।
ସମସ୍ତେ ରହିଲେ।
ବଡ଼ ଚଗଲା ଠେକୁଆ ଛୁଆ, ସେ ମାଙ୍କଡ଼ ଛୁଆଙ୍କୁ ଚିଡ଼େଇବା, ଖତେଇ ହେବା ଛାଡ଼ିଲା ନାଇଁ। ଏମିତି ଚିଡ଼ାଇ ଖତେଇ ହୋଇ ହୋଇ ତା’ ମୁହଁ ନେଫେଡ଼ିଗଲା ସିନା ମାଙ୍କଡ଼ ଛୁଆ ଦୁଇଟି ମୋଟେ ତା’ ଆଡ଼କୁ ଚାହିଁଲେ ନାଇଁ।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

2 thoughts on “ଠେକୁଆ ଛୁଆର ନେଫଡ଼ା ମୁହଁ

  1. ମିଛ କଥା ଦ୍ବାରା କିପରି ଅଘଟଣ ଘଟେ ଏହି ଲେଖାରେ ପ୍ରତିଫଳତିତ ହୋଇଛି । ମିଛ କହିବା ଆଗରୁ ଶହେ ଥର ଭାବିବାକୁ ପଡିବ । ଯିଏ ଚିଡାଉଛି ଚିଡାଉଥାଉ, ଆମକୁ ସେଥରୁ କଣ ମିଳିବ । ସେଥିପ୍ରତି ଦୃଷ୍ଟି ନଦେବା ଆବଶ୍ୟକ । ଲେଖାଟି ବହୁତ ଉପଯୋଗୀ ।

  2. ଏହି ଗଳ୍ପ ରୁ ସୁମଧୁର ଶିକ୍ଷା ଆମ ସମାଜ କୁ ମିଳିଛି। ଯିଏ ଚିଡାଉଛି ଚିଡାଉଥାଉ, ଆମକୁ ସେଥରୁ କଣ ମିଳିବ । ସେଥିପ୍ରତି ଆମକୁ ଧ୍ୟାନ ନଦେବା ଆବଶ୍ୟକ । ଲେଖାଟି ବହୁତ ସୁନ୍ଦର ଆଉ ଉପଯୋଗୀ ଅଟେ ।

Leave a Reply

Your email address will not be published. Required fields are marked *