ଉଡ଼ିଯାଇଥିବା ସ୍ୱପ୍ନପକ୍ଷୀ

ଲାଗୁଥିଲା ଆଶାର ବସା ଭାଙ୍ଗି ଉଡ଼ିଯାଇଥିବା ସ୍ୱପ୍ନ ପକ୍ଷୀର ଠିକଣା ହଜିଯାଇନି। ସେ ଚାଲିଯାଇଛି, କିନ୍ତୁ ଅନ୍ୟମାନଙ୍କ ଭିତରେ ସେ ଅଛି।

ଚୌଧୁରୀ ବରଦାପ୍ରସନ୍ନ ଦାସ

କ’ଣ ଉତ୍ତର ଦେବେ ବୋଲି ଶଙ୍କିଗଲେ ସାମ୍ବାଦିକ ସୀତାକାନ୍ତ। ବାହାନଗାର ଛାତିଥରା ରେଳ ଦୁର୍ଘଟଣା ପରେ ସମ୍ବାଦ ସଙ୍ଗ୍ରହ କରୁ କରୁ ଦୁଇଦିନ ହେଲା ଅଟକିଯାଇଛନ୍ତି ରେଳ ଷ୍ଟେସନ, ଡାକ୍ତରଖାନା ଆଦି ସ୍ଥାନରେ। ଚମକି ପଡ଼ିଲା ପରି ଲାଗୁଥିଲା ତାଙ୍କୁ। “ରୋଷେଇ କରି ସବୁ ରଖି ଅପେକ୍ଷା କରିଛି, ଶୀଘ୍ର ଆସିବ” ବୋଲି ଘରୁ କହୁଥିଲେ ସ୍ତ୍ରୀ। କଥାଶୁଣି ଖାଲି ଚମକି ପଡ଼ୁ ନ ଥିଲେ ବରଂ ମନରେ ଅଜଣା ଭୟର କଳା ବାଦଲ ଢାଙ୍କି ହୋଇଯାଉଥିଲା। ଯେଉଁ କଳାବାଦଲର ରୂପେଲି ରେଖାନାହିଁ। ପ୍ରସ୍ତୁତ କରୁଥିବା ରିପୋର୍ଟକୁ ଚାହୁଁଥିଲେ ସେ। ଯେତେ ଦେଖୁଥିଲେ ଆଖିଲେ ଲୁହ ଆସିଲା ପରି ଲାଗୁଥିଲା ତାଙ୍କୁ। ସାମନାରେ ଦେଖାଯାଉଥିଲା ନୂଆ ବୋହୂଟିଏ।
ସ୍ଥାନ ଭଦ୍ରକ ରେଳଷ୍ଟେସନ। ସମୟ ସନ୍ଧ୍ୟା। ଅଫିସ କାମରେ ସ୍ୱାମୀ ଭଦ୍ରକରୁ ଯାଇଥିଲେ ବାଲେଶ୍ୱର। ଫେରୁଛନ୍ତି କରମଣ୍ଡଳ ଏକ୍ସପ୍ରେସ୍‌ରେ। ଫୋନରେ ଠିକ୍ ଏଇ କଥା କହୁଥିଲା ବୋହୂଟି। ଘରେ ଆସିଲେ ଖାଇବେ, ସାଙ୍ଗ ହୋଇ ଷ୍ଟେସନରୁ ଫେରିବେ ବୋଲି ଅପେକ୍ଷା କରିଛି। ବାହାଘର ଅଳ୍ପଦିନର। କାନ୍ଥରୁ ନାଗରୀ, କଦଳୀଗଛ, ମହୁରିର ଛବି ଲିଭିନି। ଉତ୍କଣ୍ଠିତ ବୋହୂଟି ମଝିରେ ମଝିରେ ଫୋନ୍ କରି ଦେଉଥାଏ, ଆରପଟରୁ କ’ଣ ଶୁଣେ, ହସି ହସି ଗଡିଯାଏ। ବାହାଘର ପରେ ଦମ୍ପତିଙ୍କ ଜୀବନ ଏମିତି। ଲେଖି ବସିଲେ ପଦେ ହେବନି। କିନ୍ତୁ କଥା ହେଲେ କଥା ସରେନି।
ହଠାତ୍ ମୋବାଇଲ ଫୋନରେ କଥାର ଖିଅ ଛିଣ୍ଡିଗଲା। ବାରବାର ହ୍ୟାଲୋ, ହ୍ୟାଲୋ ଶୁଣି ପାରୁଛ, ଶୁଣିପାରୁଛ ବୋଲି କହିଲେ ବି କିଛି ଉତ୍ତର ମିଳୁ ନ ଥାଏ। ଟିିକିଏ ଆଗରୁ “କିଛି ସମୟ ପରେ କରମଣ୍ଡଳ ଏକ୍ସପ୍ରେସ ଏକ ନମ୍ବର ପ୍ଲାଟଫର୍ମରେ ଆସି ପହଞ୍ଚିବ” ବୋଲି ବାରବାର ଘୋଷଣା କରୁଥିବା ଘୋଷକର ସ୍ୱର ନିରବ ହୋଇଗଲା। ସେଦିନର କରମଣ୍ଡଳ ଏକ୍ସପ୍ରେସ ଆଉ ଆସିବନି। ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାହାନଗାରେ। ସ୍ୱାମୀଙ୍କ ମୋବାଇଲ ଫୋନ୍‌ରେ ବହୁ ସମୟ ଧରି ଯୋଗାଯୋଗ କରିବା ପରେ ସେପଟରୁ ଫୋନଟି ଉଠେଇଥିବା କେହି ବ୍ୟକ୍ତି କହିଲେ, ଏ ଫୋନ୍ ଯାହାର ସେ ଆଉ ନାହାନ୍ତି। ବିନା ମେଘରେ ବଜ୍ରପାତ ହେଲା। ବୋହୂଟା ମଥାରୁ ଚକ୍‌ଚକ୍ କରୁଥିବା ସିନ୍ଦୂର ମଉଳିଗଲା।


ନିର୍ଭୀକ ସାମ୍ବାଦିକ ସୀତାକାନ୍ତ ଭାବୁଥିଲେ ସମୟ ବଡ଼ ଅବିଶ୍ୱାସୀ। କ୍ରୂର ମଧ୍ୟ। ମୁହୂର୍ତ୍ତକରେ ସବୁ ଓଲଟପାଲଟ ହୋଇଗଲା। ସ୍ୱପ୍ନ ଦେଖୁଥିବା ମଣିଷଟା ହିମାଳୟ ଶିଖରରୁ ପାତାଳକୁ ଖସି ପଡ଼ିଲା। ହୁଏତ ଏଇଟା ମଣିଷ ଜୀବନର ବାସ୍ତବତା। ଘରେ ସ୍ତ୍ରୀ ଅପେକ୍ଷା କରିଛନ୍ତି ତାଙ୍କ ପସନ୍ଦର ରୋଷେଇକରି। ମନ ଭିତରୁ କିଏ କହୁଥିଲା, ସୀତାକାନ୍ତ, ତୁ କ’ଣ ସମୟକୁ ବିଶ୍ୱାସ କରୁଛୁ। ସ୍ତ୍ରୀଙ୍କୁ ସେ କହିପାରୁ ନ ଥିଲେ, ଅପେକ୍ଷା କରିଥିବ, ଘରେ ସାଙ୍ଗ ହୋଇ ଖାଇବା। ସମୟ ଆଜି ଶହ ଶହ ଲୋକଙ୍କୁ ଧୋକ୍କା ଦେଇଛି, ସେ ବା କି ମାତ୍ର?
ଖାଇବା ସବୁ ବିଛାଡ଼ି ହୋଇ ପଡ଼ିଛି ରେଳଧାରଣା ପାଖରେ। ମେଲା ହୋଇ ପଡିଛି ଟିଫିନ ବାକ୍ସ। ରାତିପାଇଁ ଲୋକଟି ଘରୁ ଆଣିଥିବା ଖାଇବାର ଅଧା ଅଛି ବାକି ଭିତରେ ବାକି ଅଧକ ତଳେ। ଖାଇବାର ଦାବିଦାର ଆରପାରିରେ। ତଥାପି କ୍ରୂର ନିୟତି ଆଖିରେ ଲୁହନାହିଁ ନିଶ୍ଚୟ। ମଣିଷର ସ୍ୱପ୍ନ ସବୁ ଭାଙ୍ଗିଦେଇ ସେ ପାଏ କ’ଣ? ମଣିଷର ବିଶ୍ୱାସର ଠାକୁର ପ୍ରଭୁ ଜଗନ୍ନାଥ ତ ସ୍ନାନ ବେଦୀରେ ଚନ୍ଦନ ସୁବାସିତ ଜଳରେ ସେ ସ୍ନାନରତ। ଦୟାବତୀ କରୁଣାମୟୀ କମଳାଙ୍କ ଠାରୁ ସେ ଦୂରରେ। ମଣିଷର ଚିତ୍କାର କ’ଣ ଶୁଭୁନି ତାଙ୍କୁ। ସାମ୍ବାଦିକ ସୀତାକାନ୍ତ ଦେଖୁଥିଲେ ରଙ୍ଗିନ ଟେଡ଼ିଟାକୁ କୁଣ୍ଢେଇ ଶିଶୁଟାଏ ଶୋଇଚି ରେଳ ଧାରଣାରେ। ପରିଚୟହୀନ ହୋଇଯାଇଛି ସେ। କେଉଁ ବାପମା’ଙ୍କ କୋଳରୁ ସେ ଛିଟିକି ଆସିଛି କେହି କହିପାରିବେନି। ନିର୍ଜୀବ କଣ୍ଢେଇ ସାଙ୍ଗରେ ସେ ବି କଣ୍ଢେଇ ହୋଇଯାଇଛି। ସବୁ ବାପାମାଙ୍କର ଆଶାଥାଏ, ଦିନେ ମୋ ପୁଅ କି ଝିଅ ବଡ଼ ହେବ। ବାପମାଙ୍କ କାନ୍ଧ ସାଙ୍ଗରେ କାନ୍ଧ ଲଗେଇ ଠିଆ ହେବ। ବୁଢ଼ା ବାପାମା’ଙ୍କର ଆଶାବାଡ଼ି ହେବ। ସବୁ ସ୍ୱପ୍ନ ଲୌହ ଦାନବର ପାଟିର ଜଳନ୍ତା ନିଆଁରେ ଜଳିଯାଇଛି। ତାଙ୍କର ପୁଅଟା ପାଖରେ ନାହିଁ। ଇଚ୍ଛା ହେଲା ଦୌଡ଼ିଦୌଡ଼ି ଘରକୁ ପଳାନ୍ତେ, ପିଲାଟାକୁ ଏଇ ନିୟତିର ଅବିଶ୍ୱାସୀ ନିଃଶ୍ୱାସ ପାଖରୁ ଦୂରେଇ ନିଅନ୍ତେ।
ପାଗଳ ପରି ଲାଗୁଥିଲା ତାଙ୍କୁ। ପତ୍ନୀର ଶବ ପାଖରେ ଛିଡ଼ା ହୋଇଛି ସ୍ୱାମୀ। ତୁଣ୍ଡରେ ଭାଷା ନାହିଁ। ଉଦାସ ହୋଇ ଚାହୁଁଛନ୍ତି ଚାରିପଟକୁ। ଦେଖୁଥାଆନ୍ତି ନିରବରେ। କେହି ଜଣେ ମୃତା ସ୍ତ୍ରୀଙ୍କର ବେକରୁ ସୁନା ହାରଟି ଖୋଲି ତାଙ୍କୁ ଫେରାଇବାକୁ ଗଲାବେଳେ କରୁଣ ଭାବରେ କହିଲେ ଆଜି ସେ ସୁନା ମାଟି ହୋଇଯାଇଛି। ଥାଉ ତା’ ଦେହରେ। କାହା ମୁହଁକୁ ଅନେଇଲାନି ଚାଲିଗଲା। ମଣିଷ ଭାବପ୍ରବଣ ହୋଇ ଏମିତି ସବୁ କହେ। ସୀତାକାନ୍ତଙ୍କ ପ୍ରଶ୍ନରେ କାନ୍ଦିକାନ୍ଦି ଭଦ୍ରଲୋକ କହୁଥିଲେ ମୋର କିଡ୍‌ନୀ ରୋଗ, ବାଧ୍ୟକରି ଚିକିତ୍ସା ପାଇଁ ନେଉଥିଲେ ଚେନ୍ନାଇ। ଶୁଣିଥିଲେ ସେଠି ଜଣେ ଖ୍ୟାତନାମା ଡାକ୍ତର ଅଛନ୍ତି। ମନେ ମନେ ଲୁହରେ କୁହୁଳି ଉଠିଲେ ସୀତାକାନ୍ତ। ସତରେ ମଣିଷ ଏମିତି ଏକା ଏକା ଚାଲିଯାଏ। ରାତିରେ ଭାବିଥାଏ ସକାଳ ହେଲେ କେତେ କ’ଣ କରିବ, ହେଲେ ସବୁ ଅଧା ରହିଯାଏ।
ରେଳ ଧାରଣାରୁ ଗୋଟେଇ ଲୋକମାନେ ଅନେକ ସୁନା, ବିଡ଼ା ବିଡ଼ା ଟଙ୍କା ଜମା ଦେଇଥାଆନ୍ତି ଷ୍ଟେସନରେ ଖୋଲିଥିବା ପୋଲିସ ସହାୟତା କେନ୍ଦ୍ରରେ। ହେଲେ କେହି ମୋର ବୋଲି କହିବାକୁ ଆସୁ ନ ଥାଆନ୍ତି। ଟଙ୍କା କି ଦାମୀ ଜିନିଷକୁ ରେଳଧାରଣାକୁ କଡ଼ରୁ ଗୋଟେଇଲା ବେଳେ ବି କାହା ଆଖିରେ ଲୋଭର ଦାଗ ଦେଖିପାରୁ ନ ଥିଲେ ସୀତାକାନ୍ତ। ବାହାନଗାର ଦେବଦୂତମାନଙ୍କ ଆଖିରେ ଟଙ୍କା ସୁନା ସବୁ ବି ମାଟି ଗୋଡ଼ି ପରି ଦେଖାଯାଉଥିଲେ ନିଶ୍ଚୟ। ସବୁ ଉଦ୍ଧାରକାରୀ ଜନତାଙ୍କ ଆଖିଲେ ଲୁହ। ମା’ ଭଉଣୀମାନେ ବି ଓହ୍ଲେଇ ଆସିଛନ୍ତି ଘରୁ।

ଯେଉଁ ଦୃଶ୍ୟଟି ଚକିତ କଲା ସୀତାକାନ୍ତଙ୍କୁ ତା’ଥିଲା ଗୋଟିଏ ମା’ର ଶିଶୁଟିକୁ ଥନରୁ କ୍ଷୀର ଦେବାର ଦୃଶ୍ୟ। ଟ୍ରେନ ଦୁର୍ଘଟଣାର ଆହତ ମା’ଟିଏ ନିଜର ଅଳ୍ପ କେତେ ମାସର ଶିଶୁକୁ ଥନରୁ କ୍ଷୀର ଦେବାପାଇଁ ଅସମର୍ଥ। ସ୍ୱତଃ ଆଗେଇ ଆସିଛି ବାହାନଗାର ମା’ଟିଏ। ଶିଶୁଟିକୁ ନିର୍ବିକାରରେ କ୍ଷୀର ଦେଉଛି। ପିଲାର ଜାତି ଜାଣେନା, ଆହତ ମା’ର ଭାଷା ତା’ ପାଇଁ ଅବୁଝା। କିନ୍ତୁ ନିଜ ଥନରୁ କ୍ଷୀର ଦେଇଚାଲିଛି ଅଶେଷ ସ୍ନେହରେ। ସତରେ ପାଖରେ ଥିବା ମଣିଷଟି ସବୁବେଳେ ପ୍ରିୟ। ଜଣାପଡୁଥିଲା ଆହତ ମା’ଟି ଧନୀ ଘରର, ଅନେକ ଲୋକବଳ ଅଛି। କିନ୍ତୁ ସମୟ ଆଜି ତାଙ୍କୁ ଠିଆ କରିଦେଇଛି ବଡ଼ଦାଣ୍ଡରେ। ହେଲେ ମା’ ଲକ୍ଷ୍ମୀଙ୍କ ପରି ପାଖକୁ ଓହ୍ଲେଇ ଆସିଛି ଏଇ ମଳିନବେଶା ସ୍ଥାନୀୟ ନାରୀଟି। ଚମକି ପଡ଼ିଲେ ଦରଦୀ ସାମ୍ବାଦିକ ସୀତାକାନ୍ତ। ଏ ନାରୀ ମଳିନବେଶା ହେଲେ ବି ଅନ୍ତର୍ଚକ୍ଷୁରେ ଦେଖିଲେ ସେ ଜ୍ୟୋତିର୍ମୟୀ। ନ ହେଲେ ଏତେ ଦରଦ କୁଆଡୁ ଆସନ୍ତା ଅନ୍ତରରେ। ମନେହେଲା ପ୍ରତ୍ୟେକ ନାରୀ ମା’ ଲକ୍ଷ୍ମୀଙ୍କର ଅବତାର। ବଡ଼ ଠାକୁରଙ୍କ ପରି ଥାଟ ପଟୁଆର କରି ଯାଆନ୍ତିନି ବଡ଼ଦାଣ୍ଡରେ, ଯାଆନ୍ତି ମଳିନ ବେଶରେ। ନାରୀଟିଏ ହୋଇ ଦାସୀଟିର ସାଥିରେ। ଆବିଷ୍କାର କରନ୍ତି, ଅନୁଭବ କରନ୍ତି ମଣିଷର ଦୁଃଖ ଦୈନ୍ୟତାକୁ, ବୁଝନ୍ତି ମଣିଷର ଅନ୍ତରକୁ। ପୁଣି ଲୁଚିଲୁଚି ଯାଇ ଅଭିମାନରେ ଭାଙ୍ଗି ଦିଅନ୍ତି ପ୍ରାୟ ବଡ଼ଲୋକିର ପ୍ରତୀକ ରଥକୁ।
ବାହନଗା, ରେଳଷ୍ଟେସନରେ ଜୀବନକୁ ନୂଆକରି ଆବିଷ୍କାର କରୁଥାଆନ୍ତି ସାମ୍ବାଦିକ ସୀତାକାନ୍ତ। ଆହୁରି ନିବିଷ୍ଟ ଭାବରେ ବୁଝୁଥାଆନ୍ତି ଏ ମା’ଟିର ଲୁହଭରା କାହାଣୀକୁ। ମୟୂରଭଞ୍ଜ ଜିଲ୍ଲାର ସହଯୋଗୀ ସାମ୍ବାଦିକ ଏଇମାତ୍ର ପଠାଉଥିବା ରିପୋର୍ଟଟିକୁ ଦେଖୁଥିଲେ ସିନିୟର ରିପୋର୍ଟର ସୀତାକାନ୍ତ। ଚାରିଚାରିଟି ମୃତଦେହ ପହଁଚିଛି ଫୁଟୁକିଶୋର ଗାଁରେ। ଆଉ କେତୋଟି ମୃତଦେହ ଆସିବାକୁ ଅପେକ୍ଷା। ପ୍ରାୟ କାଗଜପତ୍ର କାମ ଏ ଯାଏ ସରିନି ବୋଲି ଶବ ଛଡ଼ାଯାଇନି। କଲମଟା ଅଟକିଗଲା ତାଙ୍କର। ଓଡ଼ିଶାର ଭୂମି ଓ ଭୂମାକୁ ଭଲଭାବରେ ଚିହ୍ନିଛନ୍ତି ସେ। ଏ ମାଟି ଉପରେ ପୁଣ୍ୟତୋୟା ନଦୀ ମାତୃକା ପ୍ରବହମାନ, ଆଉ ମାଟିତଳେ ରହିଛି ଅନନ୍ୟ ସମ୍ପଦ। ପୁଣି ତା’ର ପାଦରେ ନିତ୍ୟ ବନ୍ଦନା କରି ଚାଲିଛି ସାଗର ସମ୍ପଦ। ନିଜ ଉପରେ କ୍ରୋଧ ଆସିଲା। ତଥାପି ଏ ମାଟିର ମଣିଷ କି ସ୍ୱପ୍ନ ଦେଖି ଚାଲିଯାଉଛି ଆନ୍ଧ୍ରର ଇଟାଭାଟିକି, ଚେନ୍ନାଇରେ କଷ୍ଟକର କାମ କରିବାକୁ ଅବା ଥୋରିଆ ବଳଦ ପରି ଖଟିବାକୁ ପଞ୍ଜାବ କି ସୁରଟ ରାଜ୍ୟରେ।
ରିପୋର୍ଟଟି ଦେଖୁଥିଲେ ସେ। ବୃଦ୍ଧ ବାପମୁଣ୍ଡରେ ହାତ ଦେଇ ଗାଁ ଦାଣ୍ଡରେ ଧୂଳି ଉପରେ ବସିଛନ୍ତି। ଅଦୂରରେ ମା’ା “ଗଲାବେଳେ କେତେ ବୁଝେଇ କହିଥିଲୁ, ବାପା, ମୁଁ କାମ କରିବାକୁ ଗଲେ ତମର ସବୁ ଋଣ ଶୁଝିଦେବି, ବନ୍ଧା ପକେଇଥିବା ଜମିକି ମୁକୁଳେଇ ଆଣିବି।” ଯିବା ଆଗରୁ ପୁଅ ଦେଇଥିବା କଥାକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିଲେ ମା’। ଜଣେ ମଣିଷ କାନ୍ଦିଲେ ଆଉ ଜଣେ ଆସେ ସମବେଦନା ଦେଖେଇବା ପାଇଁ ବୋଧଦେଇ କେଇପଦ କଥା କହିବା ପାଇଁ। ଏଠି କିଏ ବା ଆସିବ? ପାଖ ଘରୁ ବି ଶୁଭୁଛି ସେଇ କରୁଣ ଚିତ୍କାର। ଘରୁ ଗଲାବେଳେ ବୋଧଦେଇ ଲୋକଟି କହିଥିଲା , “ତମ ପାଇଁ ଗୋଟାଏ ଭଲ ମଙ୍ଗଳସୂତ୍ର ଆଣିବି, ମନ ଦୁଃଖ କରିବନି।” ମନ ଦୁଃଖ କରିଥିବା ସ୍ତ୍ରୀକି ହସେଇବା ପାଇଁ କହିଥିଲା “ମୁଁ ଏଇ ଗଲି, ଏଇ ଆଇଲି। ସତରେ ଲୋକଟି ତା’ କଥା ରଖିଥିଲା। ଏଇ ଗଲା, ଏଇ ଆଇଲା। କିନ୍ତୁ ଯାଇଥିଲା କଥା କହି କହି ଫେରିଲା ଶବହୋଇ। ମଙ୍ଗଳସୂତ୍ର ନୁହେଁ, ପାଳଦଉଡ଼ି ଥିଲା ଦୁଆରେ। ପୁଣି କିଏ ଅନେକ ଶବ ଭିତରେ ଅଚିହ୍ନା ହୋଇଯାଇଛି। ଚେନ୍ନାଇ ଯିବେ ବୋଲି ଗାଁର ଦଳେ ଲୋକ ଚଢ଼ିଥିଲେ ଏଇ ଟ୍ରେନରେ। ସମସ୍ତେ ସ୍ୱପ୍ନ ଦେଖେଇଥିଲେ, ପ୍ରତିଶ୍ରୁତି ଦେଇଥିଲେ। ଗଲାବେଳେ କେତେ ଆଶା ଦେଖେଇଥିଲେ। ଏଇ ମେହନତି ମଣିଷଗୁଡ଼ାଙ୍କ ଉପରେ ମେଘାସନ ପାହାଡ ଛିଡ଼ିପଡିଲା। ମା’ କୋଳର ପିତୃହରା ପିଲାଟିଏ କିଛି ବୁଝି ନ ପାରି ଗୁଲୁଗୁଲୁ ହୋଇ କ’ଣ କହୁଥିଲା।
ଲୋତକ ନଦୀରେ ପହଁରି ପହଁରି ଯାଉଥାଆନ୍ତି ସୀତାକାନ୍ତ। “ସାର୍ ଏ ଫଟରେ ଥିବା ଲୋକକୁ ଦେଖିଛନ୍ତି କି?” ପାଖକୁ ଆସି ପଚାରୁଥିଲା ସ୍ତ୍ରୀ ଲୋକଟି। ସାଥିରେ ପାଖାପାଖି ଚାରି କି ପାଞ୍ଚ ବର୍ଷର ପୁଅଟିଏ। ଦରୋଟି ପାଟିରେ ପିଲାଟି ଯେତେବେଳେ ମା’ର କଥାକୁ ଦୋହରେଇଲା “ସାର୍ ମୋ ବାପାଙ୍କୁ ଦେଖିଛନ୍ତି କି?” ସମ୍ଭାଳି ପାରିଲେନି ସେ। ଲାଗିଲା ସତେ ଯେମିତି ସେ ନିଖୋଜ ହୋଇଯାଇଛନ୍ତି ଆଉ ତାଙ୍କର ସ୍ତ୍ରୀ ଆଉ ଏଇ ପରି ଛୋଟ ପୁଅଟି ବୁଲିବୁଲି ତାଙ୍କୁ ଖୋଜୁଛି। ମଣିଷ ଆଖିରେ ଲୁହ ଆସେ ଯେତେବେଳେ ସେ ନିଜକୁ ଅନ୍ୟ ଭିତରେ ଆବିଷ୍କାର କରେ। ‘ନାହିଁ’ ବୋଲି ଶୁଣି କରୁଣ ଦୃଷ୍ଟିଟିଏ ଢାଳି ପୁଣି ଆଗକୁ ଗଲେ ସେମାନେ।
ପୁଣି ବାଜିଲା ଘରୁ ସ୍ତ୍ରୀଙ୍କର ଫୋନ୍। ଟିଭି ନିଉଜରେ ଦେଖୁଛୁ କ୍ରେନରେ ଭଙ୍ଗା ରେଳଡବା ସବୁ କଟା ହେଉଛି। ବେଳେବେଳେ ଭଙ୍ଗା ଅଂଶ ସବୁ ଛିଟିକି ପଡୁଛି। ସତର୍କ କରି ଦେଇ କହିଲେ ଏଇ ସବୁ ଉଦ୍ଧାର କାମଠାରୁ ଟିକିଏ ଦୂରରେ ରହିବ, କେତେବେଳେ କ’ଣ ଛିଟିକି ଆସିବ। ଭାବୁକ ହୋଇ ଯାଉଥିଲେ ସୀତାକାନ୍ତ। ସତରେ ଏ ସବୁ କ’ଣ ବିଧିର ବିଧାନ, କପାଳ ଲିଖନ? ଶବଟି ପାଖରେ ଠିଆ ହୋଇ ଜଣେ ମୃତକର ଭାଇ କହୁଥିଲେ, “ଭାଇର ଟିକେଟ ଅନ୍ୟ ଗୋଟିଏ ଟ୍ରେନରେ ହୋଇଥିଲା କିନ୍ତୁ ପୁଣି ତାରିଖ ବଦଳେଇ ଗାଁର ଅନ୍ୟମାନଙ୍କ ସାଙ୍ଗରେ ଯିବା ପାଇଁ ଏ ଗାଡ଼ିରେ ଟିକେଟ କରିଥିଲା କହୁଥିଲା। ଆରେ ବାଟଘାଟର କଥା, ବାଟରେ ବିପଦ ପଡ଼ିଲେ ଜଣକ ପାଇଁ ଆଉ ଜଣେ ଅଛି।” ହେଲେ କାହା ପାଇଁ କେହି ହେଲେ ନାହିଁ। ମଣିଷର ସ୍ୱପ୍ନର ନୀଡ଼କୁ ନିୟତି ଭାଙ୍ଗିଦେଲା। ଦଲକାଏ ବୈଶାଖୀ ପବନରେ ସବୁ ସ୍ୱପ୍ନକୁ ଉଡ଼େଇନେଲା। ଠିକ୍ ଭୋଜି ପରେ ରାସ୍ତାରେ ପବନରେ ଉଡୁଥିବା ଅଇଁଠା ଖଲିପତ୍ର ପରି।
ଷ୍ଟେସନ ବାହାରକୁ ଆସି ଦେଖିଲେ, ପ୍ରାୟ ତଥାପି ଜଣଙ୍କ ପାଇଁ ଆଉ ଜଣେ ଅଛି। ମୁଁ ନ ଥାଇପାରେ ଆପଣ ଅଛନ୍ତି।

ଡାକ୍ତରଖାନାର ବ୍ଲଡ ବ୍ୟାଙ୍କରେ ମଣିଷଗୁଡ଼ାକ ଲମ୍ବା ଲାଇନ ଲଗେଇଛନ୍ତି। ପୁରୁଷ ନାରୀ ପ୍ରଭେଦ ନାହିଁ। ଜାତି ଧର୍ମର ପ୍ରଭେଦ ନାହିଁ। ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ସୀତାକାନ୍ତ। ରକ୍ତ ସାଥିରେ ମିଶିବା ପାଇଁ ରକ୍ତ କାନ୍ଦୁଚି। ସେ ରକ୍ତ ଅଜଣା ମଣିଷର ହିନ୍ଦୁ କି ମୁସଲମାନ ଜଣାନାହିଁ। ହୋଇପାରେ ବି ଖ୍ରୀଷ୍ଟିଆନ। ତଥାପି ରକ୍ତ ସାଥିରେ ମିଶିବା ପାଇଁ ରକ୍ତ ପାଗଳ। ରକ୍ତଦାନ ପାଇଁ ଲାଇନରେ ଥିବା ଝିଅଟିକି କାନ୍ଦୁଥିବାର ଦେଖି ଭାବିଲେ, ଏ ପିଲାର ନିଜର କେହି ପ୍ରାୟ ମରିଯାଇଛି। ଉତ୍ତରରେ ଯାହା ଶୁଣିଲେ ଭାବିଲେ ଦରଦୀ କୁନ୍ତଳା କୁମାରୀ କ’ଣ ପୁଣି ଆସିଛନ୍ତି ଏ ମାଟିକି। ସ୍ୱର୍ଗରେ ଥାଇ ବି କ’ଣ ସହି ପାରିନାହାନ୍ତି ମଣିଷର ଦୁଃଖକୁ। ଦୟାମୟୀ ଜନନୀ କ’ଣ ପୁଣି ଅବତରି ଆସିଛନ୍ତି। ସ୍ଥାନୀୟ କୁନ୍ତଳା କୁମାରୀ ସାବତ୍ ମହାବିଦ୍ୟାଳୟର ସାଲୁଆର ପିନ୍ଧା ଝିଅଟିର ଉତ୍ତର ଥିଲା “ଅଙ୍କଲ ଏମାନେ କ’ଣ ଆମ ନିଜର ନୁହନ୍ତି!” ଲାଇନରେ ଥିବା ଅନେକ ମହିଳା ବାରବାର ଆଖିରୁ ଲୁହ ପୋଛୁଥିଲେ। ମାନବିକତାର ନବ ଜାଗରଣ ପରି ଲାଗୁଥିଲା ସୀତାକାନ୍ତଙ୍କୁ। ଆଖି ଆଗରେ ଦେଖାଯାଉଥିଲା, ବିଶ୍ୱ ଏକ ପରିବାର ପାଲଟି ଯାଇଛି। ପରିବାରର କେହି ପାଖରେ ନ ଥିଲେ ବି ଆତ୍ମା ମିଶିଯାଇଛି ପରମାତ୍ମା ସାଥିରେ। ପାଖରେ ଥିବା ମଣିଷମାନେ ନିଜର ପାଲଟି ଯାଇଛନ୍ତି।
ହଠାତ୍ ଧାଡ଼ିର ଶେଷ ଆଡ଼କୁ ଥିବା ଜଣେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟରେ ଚାହିଁଲେ ସୀତାକାନ୍ତ। ସାଙ୍ଗରେ ଛୋଟ ପୁ୍‌ଅଟିଏ। ରକ୍ତଦାନ ପାଇଁ ଅପେକ୍ଷା କରିଛନ୍ତି। ଭଲଭାବରେ ଚିହ୍ନିପାରିଥିଲେ ବି ଭାବିଲେ ସେ ପ୍ରାୟ ଭୁଲ ଚିହ୍ନୁଛନ୍ତି। ତାଙ୍କ ଆଖିରେ ବି ଲୁହ। ସାଙ୍ଗରେ ଆସିଥିବା ପିଲାଟି ବି ନିରବ। ସ୍ତ୍ରୀ ଗୀତିମା ଏଠି କେମିତି? କିଛି ସମୟ ଆଗରୁ ଫୋନ କରିଥିଲେ ଘରେ ରୋଷେଇ କରି ତାଙ୍କ ଆଗରେ ବାଢ଼ିବା ପାଇଁ ଅପେକ୍ଷା କରିଛନ୍ତି। ଅନୁରୋଧ କରୁଥିଲେ ଶୀଘ୍ର ଫେରି ଆସିବାକୁ। ପୁଅ ବି ଖାଇନାହିଁ ବୋଲି କହୁଥିଲେ। କଇଁ କଇଁ ହୋଇ କାନ୍ଦି ଉଠିଲେ ଏଇ ଦୟାମୟୀ ଉତ୍କଳିନୀ। “ଘରେ ବସି ପାରିଲିନି, କ’ଣ ବା ମୁଁ କରିପାରିବି ମତେ କେମିତି ରକ୍ତ ଦେବାକୁ କିଏ ମନ ଭିତରେ କହିଲା। ଚାଲି ଆସିଛି।” ଆହୁରି ଆଶ୍ଚର୍ଯ୍ୟ ଲାଗିଲା ସୀତାକାନ୍ତଙ୍କୁ, ଘରେ ରୋଷେଇ କରିଥିବା ଖାଇବା ଜିନିଷ ସହିତ ଆଉ କିଛି ଖାଦ୍ୟ ବଜାରରୁ କିଣି ବାଣ୍ଟି ଦେଇଛନ୍ତି ଦୁର୍ଗତମାନଙ୍କ ଭିତରେ। ମାନବିକତାର ସେତୁବନ୍ଧରେ ଗୁଣ୍ଡୁଚି ମୂଷା ପରି ଆନ୍ତରିକତାର ଧୂଳି ଝାଡ଼ି ଦେଇଛନ୍ତି। ଲାଗୁଥିଲା ଆଶାର ବସା ଭାଙ୍ଗି ଉଡ଼ିଯାଇଥିବା ସ୍ୱପ୍ନ ପକ୍ଷୀର ଠିକଣା ହଜିଯାଇନି। ସେ ଚାଲିଯାଇଛି, କିନ୍ତୁ ଅନ୍ୟମାନଙ୍କ ଭିତରେ ସେ ଅଛି। ନୂଆ ରୂପରେ, ରୂପାନ୍ତରିତ ଭାବରେ। ମନକୁ ହୃଦୟଙ୍ଗମ କରି ସେଇ ପତିହରା, ପିତୃମାତୃହରାମାନେ ଦୁନିଆର ଝଡ଼କୁ ସାମ୍ନା କରୁଛନ୍ତି। ବାତ୍ୟାବିଧ୍ୱସ୍ତ ତରୁରାଜିରୁ ପୁଣି ନୂଆ ଆଶା ନେଇ କୁଆଁଟିଏ ବାହାରୁଛି। ଦୁଃଖୀ ମଣିଷମାନେ ପୁଣି ଆଶାର କୁଟାକାଠିକି ଏକାଠି କରି ଗଢୁଛନ୍ତି ନୀଡ଼ଟିଏ। ସ୍ୱପ୍ନର ସମ୍ଭାବନାର।


  • ଏକ ବାସ୍ତବ ଘଟଣା ଉପରେ ଆଧାରିତ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

    4 thoughts on “ଉଡ଼ିଯାଇଥିବା ସ୍ୱପ୍ନପକ୍ଷୀ

    1. ଛାତି ଥରାଇଦେଇଥିବା ଦୃଶ୍ୟକୁ ଗଳ୍ପ ଆକାରରେ ପ୍ରକାଶ କରିଛନ୍ତି ଗାଳ୍ପିକ।

    2. ଖୁବ ଜୀବନ୍ତ ବର୍ଣ୍ଣନା।ଲେଖକଙ୍କୁ ଧନ୍ଯବାଦ।

    3. Sir i will share an anecdot.Entire family was in Gokarna in Karnataka,a sea beach by Arabian ocean ,450 k.m.from B’luru during my sojourn to B’luru to spend meaningful time with children after4/5 days Bahanaga station train tragedy which is a man- made accident ,to say the least in 21st century. Perhaps the evening when we are in seabeach was evening around 7.00 pm .We found a dozen people are enjoying bathing in June,23. we screamed please don’ t bath in evening since it was fullmoon day and there is chances of undercurrent in sea. One of the men who was bathingthen inside the sea asked me to which state do you belong to.I told him i belong to Odisha.He retorted it is the state where train tragedy occurred & huge human loss happened.So, please don’t say it was a train tragedy / accident.It took the state to 50 years back. This type of train tragedy happened when there no computer,IT controlled train traffic and technology .Everything is left to human brain & intelligence & divine power etc.

    Leave a Reply

    Your email address will not be published. Required fields are marked *