ଯେଉଁମାନେ ସାହିତ୍ୟର କାରପଟଦାର ; ଯେଉଁମାନେ ଏକଦା ମୋ ପାଖକୁ ଆସୁଥିଲେ, ମୋତେ ଖୋଜୁଥିଲେ ଓ ଲୋଡ଼ୁଥିଲେ ; ସେମାନେ କାହିଁକି ଏହା ବନ୍ଦ କରିଦେଲେ ଆସ୍ତେ ଆସ୍ତେ?
ନାରୁ ମହାନ୍ତିଙ୍କର ବୟସ ଏବେ ୮୦ ବର୍ଷ ଏବଂ ସେ ଓଡ଼ିଆ କଥା-ସାହିତ୍ୟର ଜଣେ ପ୍ରତିଷ୍ଠିତ ସାଧକ। ସେ ୧୯୯୯ ମସିହାରେ ଓଡ଼ିଶା ସାହତ୍ୟ ଏକାଡେମୀ ପୁରସ୍କାରରେ ଭୂଷିତ ହୋଇଥିଲେ। ତାଙ୍କର ଏ ଯାବତ ତେରଗୋଟି ଗଳ୍ପ ସଂକଳନ, ତିନିଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶିତ। ସରକାରୀ ଚାକିରିରୁ ସେବାନିବୃତ ହେବା ପରେ ସେ ଏବେ ଭୁବନେଶ୍ୱରଠାରେ ଅବସ୍ଥାନ କରୁଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଛୁ ଯେ ଆପଣ ଇଂରାଜୀ ଭାଷାର ରଚନାରୁ ହିଁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ। ଏହା କ’ଣ ସତ?
ନାରୁ ମହାନ୍ତି: ହଁ, ସତ।
ସାହିତ୍ୟ ଚର୍ଚ୍ଚା: ଏମିତି ଇଂରାଜୀ ଭାଷାର ସୋପାନ ଦେଇ ସାହିତ୍ୟ ଜଗତରେ ପାଦ ଥାପିବାକୁ ମନ ବଳିଲା କାହିଁକି?
ନାରୁ ମହାନ୍ତି: ଓଡ଼ିଆରେ ମୁଁ ପ୍ରଥମେ ଚେଷ୍ଟା କରିଥିଲି; ଲେଖିଥିଲି ବି କିଛି। କିନ୍ତୁ କେତେକ ପତ୍ରିକାକୁ ଯେତେବେଳେ ଏହା ପଠାଇଲି, ସେମାନେ କେହି ଛପେଇଲେନି। ସେ ସମୟର ଗୋଟିଏ ପ୍ରସିଦ୍ଧ ପତ୍ରିକାର ମୁଖ୍ୟ ସମ୍ପାଦକଙ୍କ ପାଖକୁ, ଯିଏ କି ଏବେ ନାହାନ୍ତି, ମୁଁ ସେତେବେଳେ ଗୋଟିଏ ଚିଠି ଲେଖିଥିଲି, “ମୁଁ ଆପଣଙ୍କ ପାଖକୁ ଲେଖା ପଠାଉଛି; ଆପଣ ତା’କୁ ସଙ୍ଗେ ସଙ୍ଗେ ଡଷ୍ଟବିନ୍କୁ ଫୋପାଡ଼ି ଦେଉଛନ୍ତି ! ପଢୁନାହାନ୍ତି !” ଏହାର ଉତ୍ତରରେ ପତ୍ରିକାଟିର ସମ୍ପାଦକ ମୋତେ ଗୋଟିଏ କଡ଼ା ଚିଠି ଲେଖିଲେ। ସେଇଟି ପଢ଼ି ମୋ’ର ସାହିତ୍ୟ ପ୍ରତି ବିତୃଷ୍ଣା ଆସିଗଲା।
ସାହିତ୍ୟ ଚର୍ଚ୍ଚା: ତେବେ, ଓଡ଼ିଆ ପତ୍ରିକାମାନଙ୍କ ପ୍ରତି ବିତୃଷ୍ଣ ହୋଇ ଆପଣ ଇଂରାଜୀରେ ଲେଖିବା ଆରମ୍ଭ କଲେ! ଏହା ମଧ୍ୟ ଶୁଣିଛୁ ଯେ ଥରେ ଟ୍ରେନ୍ରେ ଯିବାବେଳେ ଆପଣଙ୍କ ମନରେ ସାହିତ୍ୟିକ ଭାବର ସ୍ଫୁରଣ ହୋଇଥିଲା, ଏବଂ ଆପଣ କାଗଜକଲମ ଧରି ସେହି ଟ୍ରେନ୍ରେ ହିଁ ଲେଖିଲେ ନିଜର ପ୍ରଥମ ଇଂରାଜୀ ରଚନା। ସେ ଅନୁଭୂତିଟି କ’ଣ ଥିଲା?
ନାରୁ ମହାନ୍ତି: ସେ ଅନୁଭୂତିଟି ଏବେ ପୂରାପୂରି ମୋ’ର ମନେ ନାହିଁ। ତେବେ ଏତିକି ଜାଣିଛି ଯେ, ସେଇଟି ଲେଖିବାକୁ ମୁଁ ମନ ଭିତରୁ ପ୍ରେରିତ ହୋଇଥିଲି। କିଛି ନିଆରା ଭାବ ମୋ କଲମରେ ସବାର ହୋଇଗଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚନା-ସମଗ୍ରକୁ ଆବୋରି ବସିଛି କେବଳ ଆପଣଙ୍କ ଉପନ୍ୟାସ ଓ ଗଳ୍ପସାହିତ୍ୟ। କବିତା ଆପଣଙ୍କୁ କେବେ ମାଡ଼ିନାହିଁ, ନା ଏଥିପ୍ରତି ଆପଣଙ୍କର କେବେ ଧ୍ୟାନ ଯାଇନାହିଁ?
ନାରୁ ମହାନ୍ତି: କବିତା କେବେ ମୋ ପାଖକୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଆସିନାହିଁ। ତେବେ ମଝିରେ ମଝିରେ ମୁଁ କବିତା ଲେଖେ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ସେହି କବିତାଗୁଡ଼ିକ କେବେ ସଂକଳନ ଆକାରରେ ପ୍ରକାଶ କରିନାହାନ୍ତି?
ନାରୁ ମହାନ୍ତି: ନା।
ସାହିତ୍ୟ ଚର୍ଚ୍ଚା: ‘ପୂର୍ବାପର’ ଆପଣଙ୍କର ଗୋଟିଏ କାଳଜୟୀ ଉପନ୍ୟାସ। ଏହାର ଚରିତ୍ରଗୁଡ଼ିକ ଅତି ଜୀବନ୍ତ। ଆପଣ କ’ଣ ଏମାନଙ୍କୁ ନିଜର ବାସ୍ତବ ଜୀବନରୁ ସାଉଁଟିଥିଲେ?
ନାରୁ ମହାନ୍ତି: ‘ପୂର୍ବାପର’ ହେଉଛି ଏକ ଅଟୋବାଇଓଗ୍ରାଫିକାଲ୍ ନଭେଲ୍। ଏଣୁ ଚରିତ୍ରଗୁଡ଼ିକ ବାସ୍ତବ ମନେହେବା ସ୍ୱାଭାବିକ। ଏବେ ଏହି ଉପନ୍ୟାସର ଦ୍ୱିତୀୟ ଭାଗ ପ୍ରକାଶିତ ହେବାକୁ ଯାଉଛି, ‘ପରାତ୍ପର’ ନାମରେ।
ସାହିତ୍ୟ ଚର୍ଚ୍ଚା: ‘ପୂର୍ବାପର’ ପ୍ରକାଶିତ ହେବାର ପ୍ରାୟ ୨୫ ବର୍ଷ ପରେ ଆପଣ ଏହାର ସେକ୍ୱେଲ୍ ‘ପରାତ୍ପର’କୁ ରୂପ ଦେଉଛନ୍ତି। ଏହି ୨୫ ବର୍ଷ ଭିତରେ ପ୍ରଥମ ଉପନ୍ୟାସଟିର ନାୟକ ନରେନ୍ଦ୍ର ଦାସର ଅବସ୍ଥା କ’ଣ ହୋଇଥିବ? ସେ କ’ଣ ଆଉ ସେତିକି ବର୍ଷ ବୁଢ଼ା ହୋଇଯାଇଥିବ?
ନାରୁ ମହାନ୍ତି: ହଁ, ବୟସ ଅନୁସାରେ ତା’ର ମଧ୍ୟ ପରିବର୍ତ୍ତନ ହୋଇଛି। ମୁଁ ଏତିକି ସ୍ୱୀକାର କରିଦିଏ ଯେ ଯେହେତୁ ଏହା ଆତ୍ମଜୀବନୀମୂଳକ ଉପନ୍ୟାସ, ଯେଉଁ ଯେଉଁ ଚରିତ୍ରମାନଙ୍କର ସଂସ୍ପର୍ଶରେ ମୁଁ ଆସିଛି, ଏବଂ ଯେଉଁମାନେ ମୋତେ ସ୍ପର୍ଶ କରିଛନ୍ତି, ସେହିମାନଙ୍କୁ ହିଁ ଏଥିରେ ସ୍ଥାନ ଦେଇଛି। ପ୍ରଥମ ଭାଗଟି ଭଳି ଏଥିରେ ବି ପ୍ରାୟ ଶହେରୁ ଅଧିକ ଚରିତ୍ର ଅଛନ୍ତି।
ସାହିତ୍ୟ ଚର୍ଚ୍ଚା: ଏତେ ବର୍ଷର ବ୍ୟବଧାନ ପରେ ଏହି ଉପନ୍ୟାସର ଦ୍ୱିତୀୟ ଭାଗଟି ଲେଖିବାପାଇଁ ଆପଣ କାହିଁକି ଚିନ୍ତା କଲେ?
ନାରୁ ମହାନ୍ତି: ଏହି ଭାବନାଟି ମୋ ମନରେ ମୂଳରୁ ଲାଖି ରହିଥିଲା। ସେହି ଚରିତ୍ରମାନେ ମୋ ସାମ୍ନାରେ ଏବେ ବି ଆତଯାତ ହେଉଥିବାର ଦେଖୁଛି। ବଡ଼ ବିଚିତ୍ର ଚରିତ୍ରମାନେ। ଏମାନଙ୍କର ବର୍ତ୍ତମାନର ସ୍ଥିତିକୁ ଚିତ୍ରଣ କରିବାର ଆବେଶକୁ ଅଟକାଇ ପାରିଲି ନାହିଁ।
ସାହିତ୍ୟ ଚର୍ଚ୍ଚା: କୁହାଯାଏ, ଆପଣଙ୍କ କଥା ସାହିତ୍ୟର ଏକ ଅନନ୍ୟ ଦିଗ ହେଲା ଏହାର ଶବ୍ଦଚିତ୍ର, ଯେଉଁଥିରେ ଗୋଟିଏ ଗତିଶୀଳତା ଥାଏ। ଏହି ଶୈଳୀ ଆପଣଙ୍କ କଲମ ଭିତରକୁ ଜାଣତରେ ଆସିଛି, ନା ଅଜାଣତରେ?
ନାରୁ ମହାନ୍ତି: ମୋ’ର ବ୍ୟକ୍ତିତ୍ୱକୁ ନେଇ ଏହି ଭାଷା ଗଢ଼ି ହୋଇଛି। ମୋ’ର ପରିବାର, ମୋ’ର ପରିବେଶ ଓ ମୋ’ ପରିସ୍ଥିତିର ପ୍ରଭାବ ମଧ୍ୟ ପଡ଼ିଛି ଏଥିରେ। ମୁଁ କେବେ କୃତ୍ରିମ ଭାଷା କହିବାକୁ ଚେଷ୍ଟା କରିନାହିଁ। କାହାକୁ ଖୁସି କରିବା ପାଇଁ କହେନା, ଯାହା ମନକୁ ଆସେ କହିଯାଏ।
ସାହିତ୍ୟ ଚର୍ଚ୍ଚା: ଏହା ତେବେ ଆପଣଙ୍କ ଅନୁପମ ଭାଷାର ରହସ୍ୟ।
ନାରୁ ମହାନ୍ତି: ଏଥିରେ ରହସ୍ୟ ବୋଲି କିଛି ନାହିଁ। ଏହା ବାସ୍ତବତା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚନାକୁ ଅନୁଧ୍ୟାନ କଲେ ଜଣାଯାଏ, ଯେମିତି ଏହାର ପ୍ରତ୍ୟେକଟି ବାକ୍ୟ ହିଁ ନିଆରା। ଅର୍ଥାତ୍ କୌଣସି ଭାଷା ବା ଭାବ ଆପଣ ଥରେ ଲେଖିଦେଲେ, ପୁଣି କେଉଁଠି ତାହାର ପୁନରାବୃତ୍ତି କରନ୍ତି ନାହିଁ। ଆପଣଙ୍କଠାରେ ଏହି ଶୈଳୀଟି ବିକଶିତ ହେଲା କେମିତି?
ନାରୁ ମହାନ୍ତି: ଏ ବ୍ୟାପାରରେ ମୋ’ର ସ୍ମୃତି ଶକ୍ତି ହେଉଛି ବହୁତ କ୍ଷୀଣ। ମୁଁ ଭୁଲିଯାଏ। ଥରେ କ’ଣ ଲେଖି ଚାଲିଗଲି ତାହା ପରବର୍ତ୍ତୀ ସମୟରେ ମନେ ରହେ ନାହିଁ। ଏପରିକି ଆପଣ ମୁଁ ଲେଖିଥିବା ବହିଗୁଡ଼ିକର ନାଁ ପଚାରିଲେ ମୁଁ ଠିକ୍ ରୂପେ କହିପାରିବି ନାହିଁ। ତେଣୁ ମୁଁ ଯାହା ଲେଖିଛି, ତା’କୁ ମନେ ରଖିବି ବା କେମିତି? ପୁନରାବୃତ୍ତିର ପ୍ରଶ୍ନ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆମେ ଲକ୍ଷ୍ୟ କରିଛୁ ଯେ ଆପଣ ଆତ୍ମପ୍ରଚାର ଅଭିମୁଖୀ ନୁହନ୍ତି। ତେଣୁ କିଛି ବର୍ଷ ହେଲା ନିଜକୁ ସାହିତ୍ୟ ଜଗତରୁ ପ୍ରାୟ ଅଗୋଚର କରି ରଖିଛନ୍ତି। ଗୋଟିଏ ସମୟରେ ଆପଣ ସବୁ ପତ୍ରପତ୍ରିକାରେ ଯେମିତି ଛାଇ ହୋଇ ରହିଥିଲେ, ଏବେ ଟିକିଏ ଧିମେଇ ଯାଇଥିବା ଭଳି ଲାଗୁଛନ୍ତି। ଏହାର କାରଣ କ’ଣ?
ନାରୁ ମହାନ୍ତି: ମୁଁ ନିଜକୁ ଧିମେଇ ଦେଇନାହିଁ। ପରିବେଶ ଓ ପରିସ୍ଥିତି ମୋତେ ଏମିତି ଧିମେଇ ଦେଇଛି। ସେମାନେ ଚାହାନ୍ତି ଯେ ମୁଁ ନିରବ ହୋଇଯାଏ।
ସାହିତ୍ୟ ଚର୍ଚ୍ଚା: ‘ସେମାନେ,’ ଅର୍ଥାତ୍ କିଏ?
ନାରୁ ମହାନ୍ତି: ଯେଉଁମାନେ ସାହିତ୍ୟର କାରପଟଦାର; ଯେଉଁମାନେ ଏକଦା ମୋ ପାଖକୁ ଆସୁଥିଲେ, ମୋତେ ଖୋଜୁଥିଲେ ଓ ଲୋଡ଼ୁଥିଲେ। ସେମାନେ କାହିଁକି ଏହା ବନ୍ଦ କରିଦେଲେ ଆସ୍ତେ ଆସ୍ତେ?
ସାହିତ୍ୟ ଚର୍ଚ୍ଚା: ସେମାନେ କ’ଣ କିଛି ଅଲଗା ପ୍ରକାରର ଲେଖା ଚାହାନ୍ତି ଆପଣଙ୍କଠାରୁ?
ନାରୁ ମହାନ୍ତି: ସେମାନେ ଯେଉଁ ପ୍ରକାର କମର୍ସିଆଲ ଲେଖା ଚାହୁଁଛନ୍ତି ସେଇଟା ମୁଁ ଲେଖେ ନାହିଁ। କମର୍ସିଆଲିଟି ବିଷୟରେ ମୋ’ର ଧାରଣା ଅଲଗା। ମୁଁ ବି କମର୍ସିଆଲ ହେବାକୁ ଚାହେଁ, କିନ୍ତୁ ମୋ ବାଟରେ।
ସାହିତ୍ୟ ଚର୍ଚ୍ଚା: ସୁସାହିତ୍ୟର କ’ଣ କମର୍ସିଆଲ ଚାହିଦା ହୋଇପାରିବ ନାହିଁ?
ନାରୁ ମହାନ୍ତି: କାହିଁକି ହୋଇପାରିବ ନାହିଁ ! କିନ୍ତୁ, ଯାହା ଆମେ ପ୍ରାୟତଃ ଦେଖୁଛୁ, ଉଚ୍ଚକୋଟୀର ଲେଖାମାନଙ୍କର ପାଠକୀୟତା ସୀମିତ।
ସାହିତ୍ୟ ଚର୍ଚ୍ଚା: ସାଧାରଣ ଓଡ଼ିଆ ପାଠକମାନଙ୍କର ଭଲ ଗଳ୍ପଟିଏକୁ ଚିହ୍ନିବାର ଶକ୍ତି ଉପରେ ଆପଣଙ୍କର ଭରସା ଅଛି କି?
ନାରୁ ମହାନ୍ତି: କ୍ୱଚିତ ଲୋକଙ୍କର ସେ ଶକ୍ତି ଅଛି; ସମସ୍ତଙ୍କର ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚନା-ସମଗ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେଥି ମଧ୍ୟରୁ ସବୁତକ ହିଁ ଗଳ୍ପ, ଉପନ୍ୟାସ, କିମ୍ବା ଉପନ୍ୟାସିକା, କେବଳ ଗୋଟିଏ ପ୍ରବନ୍ଧ ସଂକଳନକୁ ଛାଡି – ‘ଆମ ଗଳ୍ପର ରୂପ, ଭେକ, ସ୍ୱଭାବ ଚରିତ୍ର।’ ଏଥିରେ ଆପଣ ଗୋଟିଏ ଆଦର୍ଶ ଗଳ୍ପର ପରିଭାଷା ବା ସ୍ୱରୂପ ଯେମିତି ଆଙ୍କିଛନ୍ତି, ତାହା କେତେଦୂର ଯଥାର୍ଥ?
ନାରୁ ମହାନ୍ତି: ସେଥିରେ ମୁଁ ଯାହା କହିଛି, ନିଜର ବିଷୟବସ୍ତୁ ଏବଂ ଚିନ୍ତାଧାରାକୁ ନେଇ ଗଳ୍ପଟିଏ ରୂପ ନିଏ। ତାହାର ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ବୋଲି କିଛି ନାହିଁ। ଷ୍ଟାଣ୍ଡାର୍ଡଟା ଆମେ ନିଜେ ହିଁ ଗଢୁ। ମୂଳ କଥା ହେଲା, ଗାଳ୍ପିକଟିଏ ସର୍ବଦା ଭାବିବା ଉଚିତ ଯେ ମୁଁ ମୋ’ ଭଳି ଲେଖିବି; ଆଉ କାହା ଭଳି ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣ ୧୯୯୮ ମସିହାରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ, ତା’ପରେ କେନ୍ଦ୍ର ଏକାଡେମୀ ପୁରସ୍କାରର ସୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିନାହିଁ। ଏହା ଆପଣଙ୍କୁ ବ୍ୟଥିତ କରିଛି କି?
ନାରୁ ମହାନ୍ତି: ମୋଟେ ବ୍ୟଥିତ କରିନାହିଁ। ବରଂ ବ୍ୟଥିତ କରୁଛି ଅନ୍ୟ ଦୃଷ୍ଟିରୁ, ଯେ ଏସବୁ କ’ଣ ଘଟିଯାଉଛି? ଆଜିକାଲି ପୁରସ୍କାରମାନେ ଯେଉଁ ପ୍ରକାର ସାହିତ୍ୟକୁ ଷ୍ଟାମ୍ପ ମାରୁଛନ୍ତି, ସେ ସାହିତ୍ୟ ତିଷ୍ଠିବ ତ? ବର୍ତ୍ତମାନ ତ ତିଷ୍ଠିପାରିନାହିଁ, ଆଉ କେବେ ତିଷ୍ଠିବ?
ସାହିତ୍ୟ ଚର୍ଚ୍ଚା: ଏବର ସମକାଳୀନ କଥା ସାହିତ୍ୟରେ ଆପଣ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି କି?
ନାରୁ ମହାନ୍ତି: ପରିବର୍ତ୍ତନ ବିଶେଷ ନାହଁ। ତେବେ ଏବର କଥାକାର ବେଶି ଅନୁକରଣ ପ୍ରିୟ। ଏମାନେ ଅନ୍ୟ ସାହିତ୍ୟକୁ ଦେଖି ତାହାରି ଅନୁକରଣରେ ଲେଖୁଛନ୍ତି; ଭାବୁଛନ୍ତି ଶସ୍ତା, ସୁନ୍ଦର ଜିନିଷ ତିଆରି କରିବେ। କିନ୍ତୁ ଜିନିଷଟି ଯେ ମଜଭୁତ ମଧ୍ୟ ହେବା ଦରକାର, ସେକଥା ଦେଖୁନାହାନ୍ତି। ଏହା ହିଁ ଦୁଃଖର କଥା।
ସାହିତ୍ୟ ଚର୍ଚ୍ଚା: ଆମ ଗଳ୍ପ ସାହିତ୍ୟକୁ ତ ନୂଆ ପିଢ଼ିର ଲେଖକମାନେ ଆଗକୁ ନେବେ। ସେଇ ଯୁବ ବା ତରୁଣ ଲେଖକମାନଙ୍କ କଲମରେ ଗଳ୍ପଗୁଡ଼ିକ କେଉଁ ପ୍ରକାର ରୂପ ନେଉଛି, ଏ ବିଷୟରେ ଆପଣଙ୍କର ମତ କ’ଣ?
ନାରୁ ମହାନ୍ତି: ସେମାନଙ୍କ ପ୍ରାଥମିକ ପ୍ରେରଣାଟା ଖୁବ୍ ଭଲ; ଏହା ରହିବା କଥା। କିନ୍ତୁ ତାହା ପରର କଥାଟି ହେଲା ତାହାକୁ ପରିମାର୍ଜିତ ଓ ପରିବର୍ଦ୍ଧିତ କରିବା, ଯାହାର ଅଭାବ ରହୁଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
କଥାକାର ନାରୁ ମହାନ୍ତିଙ୍କ ସହ ସାକ୍ଷାତକାରଟିରୁ ଅତ୍ୟନ୍ତ ଶିକ୍ଷଣୀୟ ତଥ୍ୟ ଜାଣିବାକୁ ମିଳିଲା। ଏହାସହ କଥାକାରଙ୍କ ଜୀବନ ସାହିତ୍ୟ ସର୍ଜନା ସମ୍ପର୍କରେ ମଧ୍ୟ ଜାଣିବାକୁ ମିଳିଲା।
ଯୁବ ବା ତରୁଣ ଲେଖକମାନଙ୍କ କଲମରୁ ପ୍ରକାଶ ପାଉଥିବା ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ସେ ବିଷୟରେ ଟିକେ ମତାମତ ଦେଇଥିଲେ ଭଲ ହୋଇଥାନ୍ତା ।
ମୋର ଅନ୍ଯତମ ପ୍ରିୟ କଥାକାରଂକୁ କୋଟିଏ ପ୍ରଣାମ ।।
ପରିବେଶ ତଥା ପରିସ୍ଥିତି ଯୋଗୁ ଓଡ଼ିଆ ଗଳ୍ପ,ଉପନ୍ୟାସ, କବିତାର ପାଠକ ପାଠିକା ଅନେକ ରଚୟିତାଙ୍କ ଲେଖା ସମ୍ପର୍କରେ ଜାଣି ପାରୁନାହାନ୍ତି କି ପାଇପାରୁନାହାନ୍ତି । ବିଜ୍ଞାନର ପ୍ରଗତି ଓ ଯୁଗର ପରିବର୍ତ୍ତନର ଏହି ଘଡିସନ୍ଧି ବେଳରେ ଓଡ଼ିଶାର ସ୍ୱନାମଧନ୍ୟ କୃତୀ ସାହିତିକ୍ୟମାନଙ୍କୁ ଖୋଜିଲୋଡ଼ି, ତାଙ୍କୁ ସାକ୍ଷାତ କରି ତାଙ୍କ ସହିତ ଅନ୍ତରଙ୍ଗ ଆଲପକୁ ସାହିତ୍ୟଚର୍ଚ୍ଚା ଛାପି ପାଠକଙ୍କୁ ପରଷି ଦେଉଥିବାରୁ, ଓଡ଼ିଶାକୁ, ଓଡ଼ିଆମାନଙ୍କୁ ଆଉ ଓଡିଆଭାଷାକୁ ଭଲ ପାଉଥିବା ମୋ ଭଳି ଓଡ଼ିଆମାନେ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ପ୍ରଶଂସା, ପ୍ରେରଣା ଓ ଶୁଭେଚ୍ଛା ଜଣାଉଛୁ; ଆଉ ଅନୁରୋଧ ମଧ୍ୟ କରୁଛୁ ଯେ ସେହି କୃତୀମାନଙ୍କ ସହ ଅନ୍ତରଙ୍ଗ ଆଳାପ ଛାପିବା ବେଳେ ସେମାନଙ୍କ ଯୋଗାଯୋଗର ଠିକଣା ଓ ନମ୍ବର ଆଦି ଦେଲେ ସେମାନଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ଉପଲବ୍ଧ ହୋଇପାରନ୍ତା । ସମ୍ମାନର ସହ…..
ସୁନ୍ଦର ଓ ସ଼୍ବଭାବସିଦ୍ଧ ଆଲୋଚନାଟିଏ।ନାରୁ ମହାନ୍ତିଙ୍କ ସାହିତ୍ୟିକ ଆବେଗ ଓ କ୍ଷୋଭ ମଧ୍ୟ ବାରି ହୋଇପଡ଼ିଲା।ପ୍ରଶ୍ଧଗୁଡିକ ମଧ୍ୟ ବହୁତ ସୁନ୍ଦର ହୋଇଛି।