ଆୱାର୍ଡ ୱାପସି

ଗୋଟିଏ ସମୟରେ ‘ଆୱାର୍ଡ ୱାପସି’ ଏକ ନିରବ ଆନ୍ଦୋଳନର ରୂପ ନେଇଥିଲା ଆମ ଦେଶରେ। ନିର୍ଦ୍ଦିଷ୍ଟ କିଛି ରାଜନୈତିକ ବା ସାମାଜିକ ଘଟଣାକ୍ରମ ବିରୁଦ୍ଧରେ ପ୍ରତିବାଦ ଜଣାଇବାର ଏକ ମାଧ୍ୟମ ଭାବରେ ଏହାକୁ ବ୍ୟବହାର କରି ଅବଶ୍ୟ ସେତେବେଳର ରାଜ୍ୟ ବା କେନ୍ଦ୍ର ସରକାରଙ୍କୁ ଅପଦସ୍ଥ କରିଥିଲେ କେତେଜଣ ପୁରସ୍କାର-ମଣ୍ଡିତ ସାହିତ୍ୟିକ। ସେ ସମୟରେ ଏହି ଆନ୍ଦୋଳନକୁ ବଳ ଯୋଗାଇବା ପାଇଁ ଆମ ଓଡିଶାର ଜଣେ ପ୍ରବୀଣ କବି ମଧ୍ୟ ସରକାରଙ୍କୁ ନିଜର ପଦ୍ମଶ୍ରୀ ପୁରସ୍କାର ଫେରାଇଦେଇଥିବା କଥା ଆମେ ଜାଣୁ। ଅବଶ୍ୟ ସାହିତ୍ୟ-ପୁରସ୍କାରଗୁଡିକ ସଂପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସେ ସମୟରେ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ ଥରେ କୌଣସି ପୁରସ୍କାର ବା ସମ୍ମାନ ପ୍ରଦତ୍ତ ହେବାପରେ ତା’କୁ ଫେରସ୍ତ ନେବାର ବ୍ୟବସ୍ଥା ଏକାଡେମୀର ସମ୍ବିଧାନରେ ନାହିଁ।
ତେବେ କେବଳ ଫେରସ୍ତ କରିବା ହିଁ ନୁହେଁ, ଏଭଳି ଅନେକ ନଜିର ମଧ୍ୟ ରହିଛି ଯେତେବେଳେ ପୁରସ୍କାରଟିଏ ଘୋଷିତ ହେବାପରେ ଏଥିପାଇଁ ମନୋନୀତ ହୋଇଥିବା ସାହିତ୍ୟିକ ଜଣକ ତାହାକୁ ଗ୍ରହଣ କରିବାକୁ ମନା କରିଦିଅନ୍ତି। ଏଭଳି ପ୍ରତ୍ୟାଖ୍ୟାନର କାରଣ ବିବିଧ ହୋଇଥାଏ। ଯଥା, ପୁରସ୍କାରଟି ତାଙ୍କୁ ବିଳମ୍ବରେ ଦିଆଯିବା, କ୍ଷମତାସୀନ ସରକାରଙ୍କ ସହ ନୀତିଗତ ମତଭେଦ, କିମ୍ବା ଯେଉଁ ନେତା ବା ନେତ୍ରୀଙ୍କ ହସ୍ତରେ ପୁରସ୍କାରଟି ବିତରିତ ହେବାକୁ ଥାଏ ତା’ଙ୍କ ସହିତ ପୁରସ୍କାର ଗ୍ରହୀତାଙ୍କ ମତପାର୍ଥକ୍ୟ। ଏଭଳି ଘଟଣାଗୁଡିକ ସହିତ ତ ଆମେ ଅଭ୍ୟସ୍ତ।
କିନ୍ତୁ, ଏବେ ନିକଟରେ ନିଜ ସପକ୍ଷରେ ଘୋଷିତ ହୋଇଥିବା ଏକ ମର୍ଯ୍ୟାଦାଜନକ ପୁରସ୍କାରକୁ ଗୁଜୁରାଟ ରାଜ୍ୟର ଜଣେ ଯୁବ-ସାହିତ୍ୟିକ ଏକ ଅସାଧାରଣ କାରଣରୁ ପ୍ରତ୍ୟାଖ୍ୟାନ କରିଥିବାର ଆମ ଦୃଷ୍ଟିକୁ ଆସିଛି। ସାଗର ଶାହ ନାମକ ଏହି ଯୁବଲେଖକ ଜଣଙ୍କୁ ଏ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ-ଲେଖକ ପୁରସ୍କାର ପାଇଁ ମନୋନୀତ କରିଥିଲା। କିନ୍ତୁ ଏହି ପୁରସ୍କାରଟି ଗ୍ରହଣ କରିବାକୁ ମନା କରିଦେଇ ସେ ସାହିତ୍ୟ ଏକାଡେମୀର ସଚିବଙ୍କୁ ଯେଉଁ ଚିଠିଟି ପଠାଇଛନ୍ତି, ତାହା ଆମର ଆଲୋଚନାର ବିଷୟ। ଗୁଜରାଟୀ ଭାଷାରେ ଲେଖାଥିବା ସେହି ଚିଠିର କିଛି ଅନୁବାଦିତ ଅଂଶ ଆମେ ଏଠାରେ ଉଦ୍ଧୃତ କରୁଛୁ:-
“କାହାଣୀ ଜରିଆରେ ନିଜକୁ ଅଭିବ୍ୟକ୍ତ କରି ମୁଁ ଅନେକ ଆନନ୍ଦ ପାଏ। କିନ୍ତୁ ଗତ କିଛି କାଳ ହେଲା ଗୁଜରାଟୀ ସାହିତ୍ୟର ପରିସ୍ଥିତି ଦେଖି ମୁଁ ଭାରି ମର୍ମାହତ। ଜଣେ ଗମ୍ଭୀର ସାହିତ୍ୟ-ସ୍ରଷ୍ଟା ପାଇଁ ସବୁଠାରୁ ଯାହା ଅଧିକ କାମ୍ୟ, ତାହା ହେଲା ପାଠକଙ୍କ ଦ୍ୱାରା ତା’ ଦ୍ୱାରା ରଚିତ ଲେଖାସବୁର ଏକ ନିବିଡ ଓ ସହୃଦୟ ପଠନ। ମୋତେ ଲାଗୁଛି, ଆଜିକାର ଗୁଜରାଟୀ ସାହିତ୍ୟରେ ଏହାର ଘୋର ଅଭାବ ରହିଛି। ମୋ’ର ଆଶଙ୍କା ଯେ, ଏହିଭଳି ଏକ ସାହିତ୍ୟିକ ବାତାବରଣରେ ଏହି ପୁରସ୍କାରଟିକୁ ଗ୍ରହଣ କରିବା ମୋ’ପାଇଁ ଆତ୍ମ-ପ୍ରବଞ୍ଚନା ଛଡା ଆଉ କିଛି ହେବନାହିଁ। ମୋ’ର ମଧ୍ୟ ମନେହୁଏ ଯେ ମୋ’ର ଏହି ହତାଶା-ଭାବ ଓ ଅନୁଭୂତି କେବଳ ମୋ’ର ନୁହେଁ, ବରଂ ଏହା ସାହିତ୍ୟ ସହିତ ଯୋଡ଼ି ହୋଇଥିବା ଏ ସମୟର ସମସ୍ତ ଗମ୍ଭୀର ପାଠକ ଓ ଲେଖକମାନଙ୍କର। … ଏଭଳି ପରିସ୍ଥିତିରେ ମୁଁ ବିନମ୍ରତା ପୂର୍ବକ ଏହି ପୁରସ୍କାରଟି ଗ୍ରହଣ କରିବାପାଇଁ ନିଜର ଅସମର୍ଥତା ପ୍ରକାଶ କରୁଛି।”
ପାଠକଙ୍କ ଏଭଳି ନିସ୍ପୃହତା ଯୋଗୁଁ ବ୍ୟଥିତ ହୋଇ ଆମ ରାଜ୍ୟରେ କେବେ କୌଣସି ‘ଆୱାର୍ଡ ୱାପସି’ ହୋଇଛି କି? ଅବଶ୍ୟ ଏହା ଏକ ବିଡମ୍ବନା ଯେ ଏ ବର୍ଷ ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ଯୁବଲେଖକ ପୁରସ୍କାର ନିମିତ୍ତ ଏକମାତ୍ର ଓଡ଼ିଆ ଭାଷାର ହିଁ କୌଣସି ଲେଖକଙ୍କୁ ମନୋନୀତ କରିନାହାନ୍ତି।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

One thought on “ଆୱାର୍ଡ ୱାପସି

  1. ଓଡିଆ ସାହିତ୍ୟର ପରିସ୍ଥିତି ଦେଖି କାହିଁ କେହିତ ମର୍ମାହତ ହେଉନାହାଁନ୍ତି ?

Leave a Reply

Your email address will not be published. Required fields are marked *