କଣ କରିବ , ବିଲାତି ତ ଆଣିବାକୁ ପଡ଼ିବ। ସୁଲି ଅଧାପ୍ରାଣ ହେଲାଣି। ଧୁମ୍ ଦିପହରଟାରେ କୋଉ ଦୋକାନ ବଜାର ତା ପାଇଁ ଖୋଲା ଥିବ ଯେ?
ବସ୍ତିରେ ଆଜିକାଲି ସମସ୍ତେ ତା ପାଇଁ ବ୍ୟସ୍ତ । ବେଣୁଆ ମଧ୍ୟ ତା ପାଇଁ ବ୍ୟସ୍ତ। ତାକୁ ବହୁତ ଖୁସି ଲାଗୁଛି। ଅଚାନକ ସେ ଯେମିତି ସିନେମା ହିରୋଇନଟେ ପାଲଟି ଯାଇଛି। ତାର କଣ ଖାଇବାକୁ ଇଚ୍ଛା ହେଉଛି, କୋଉ ଜିନିଷ ପ୍ରତି ଲୋଭ ଅଛି ସବୁ ପଚାରି ପଚାରି ବୁଝୁଛନ୍ତି ବସ୍ତି ବାସିନ୍ଦା।
ଆହା, ଏତେ ଦିନକେ ପୁଆତି ହେଇଛିଟି ସିଏ। ମାଆ ମଙ୍ଗଳା ତାର ଡାକ ଶୁଣିଛନ୍ତି। ଆଉ କେହି ଉଲୁଗୁଣା ଦେବେ ନାହିଁ ତାକୁ ବାଞ୍ଝ ବୋଲି।
ସୁଲିକୁ ଏଡ଼େ ବଡ଼ ପୃଥିବୀଟା ପାହୁଣ୍ଡେ ପରି ଲାଗୁନି। ଆକାଶଟା ସତେ ଯେମିତି ତାର ହାତ ପାହାନ୍ତାରେ। ଜହ୍ନଟାକୁ ଯେମିତି ଏଇ ତୋଳି ଆଣିବ ଟପ୍ କିନା। ତାରା ଗୁଡ଼ିକ ଯେମିତି ଓହ୍ଲେଇ ଆସି ତାର ଟିଣ , ତାର୍ପୋଲିନ୍ ଛାତରେ ବସି ଖୁସିଗପ କରୁଛନ୍ତି। ଆଃ , ମାଆ ହେବାରେ ଏତିକି ସୁଖ ଥାଏ?
“ଯାଃ ଯାଃ , ମୁଁ ତୋ ପାଇଁ ପାଣି ନେଇ ଆସୁଛି।ସୁଲି ଲୋ, ଭାରି ଜିନିଷ ଜମା ଟେକିବୁନି ମା।”
ରଞ୍ଜି ମାଆ ସୁଲିର ପାଣି ବାଲ୍ଟିଟା ଟେକୁ ଟେକୁ କୁହେ।
“ସୁଲି ଭାଉଜ , ଦୋକାନରୁ କଣ ଆଣି ଦେବି କି?”
ପାଖ ଘର ରୁନୁ ତାର ଟିଣ କବାଟ ପାଖରେ ଅଟକି ଯାଇ ପଚାରେ, “ନେଏ ଲୋ ସୁଲି , ଜୁଆ ତେନ୍ତୁଳି ଫୁଟେ। ଅଇ ଧରିବନି ଜମା ଭାତ ଖାଇଲା ବେଳେ।”
ବିମଳା ମାଉସୀ ଗିନେ ଜୁଆ ତେନ୍ତୁଳି ଥୋଇଦିଏ ତା ପାଖରେ।
ଆଉ ବେଣୁଆ, ସିଏ ତ ପାଗଳାଟେ, ରାତି ଅଧରେ ବି ଯଦି ସେ ଭିଡ଼ି ମୋଡ଼ି ହୁଏ କି କଡ଼ ଲେଉଟାଏ, ପଚାରେ କଣ ଦରକାର ବୋଲି।
ଧୁ ଧୁ ଖରାବେଳ। ମଥାନ ଉପରେ ସୂର୍ଯ୍ୟଟା ନିଆଁ ଢାଳୁଛି। ବେଣୁଆ ଯାଇଛି କାମକୁ। ବସ୍ତିର ସବୁ ମିଣିପେ ମଧ୍ୟ ଯାଇଛନ୍ତି ଯେ ଯାହା କାମରେ। ଖଟି ଖଟି ଅଶକତ ହେଇ ସବୁ ମାଇପେ ଆଉ ଛୁଆପିଲା ଅକାଲ୍ ଶୋଇ ଯାଇଛନ୍ତି।
ସୁଲିକୁ ଅଇ ଦେଖେଇଲା। ଅଅଅ , ଅଅଅ ହେଇ ଧାଇଁଲା ନାଳ ପାଖକୁ। ସୁଦୁ କଞ୍ଚା ପାଣି ଓକାଳରେ ବାହାରିଗଲା କଂସେ ଖଣ୍ଡେ। ତାକୁ ବିଲାତି ପୋଡ଼ି ପଖାଳ ଖାଇବାକୁ ଇଚ୍ଛା ହେଉଥିଲା। ନଥିବ ଜାଣିଛି। ବିଲାତି, ମାନେ ଏଇ ଟମାଟୋ ବା, ଯେଉଁ ମହରଗ। ଶହେ ଟଙ୍କା କିଲୋ ! ଆଚ୍ଛା ଆଚ୍ଛା ଲୋକଙ୍କ ରୋଷେଇ ଘରେ ବର୍ତ୍ତମାନ ତାର ପ୍ରବେଶ ନିଷେଧ। ତାକୁ ତ୍ୟାଗ କରି ସାରିଲେଣି ଗୟାରେ ପିଣ୍ଡଦାନ କଲା ପରି।
ଜାଣିଥିଲା, ପରିବା ଡାଲାରେ ଖାଲି ପିଆଜ ଥୁଆ ହେଇଥିବ। ପିଆଜ ଶସ୍ତା ଥିବା ବେଳେ ଘେନି ଆସିଛି ବେଣୁଆ। ସୁଲି ନିରାଶ ହେଇ ମନ ମାରୁଥିଲା। ପୁଣି ଅଇ ଦେଖେଇଲା। ପୁଣି କଂସେ ପାଣି ଦିହରୁ ବାହାରିଗଲା ।
ବେଣୁଆ ଆଜିକାଲି ଶୀଘ୍ର ଫେରୁଛି କାମରୁ, ଘରେ ପୁଆତିଟା ଏକୁଟିଆ ଅଛି ବୋଲି। ଆଜି ଭି ଫେରି ଦେଖିଲା ସୁଲି ନିଢାଲ୍ ହେଇ ପଡ଼ିଛି। ତା ସାମନାରେ ଦୁଇ ତିନିଥର ଓକାଳି ସାରିଲାଣି।
“ହେ , ଯାଅନା , କୋଉଠୁ ବିଲାତି ଖଣ୍ଡେ ଆଣିବ। ନହେଲେ ବାନ୍ତି କରି କରି ପ୍ରାଣ ବାହାରି ଯିବ ଯେ।”
“ଏଇ ପାଗିଳି, ଏମିତି କଥା କଅନା ଲୋ। ଯାଉଛି ଏଇଖୁଣି ମୁଁ ବିଲାତି ଧରି ଆସିବି, ହେଲା? ତୋର କିଛିହେଲେ ମୁଁ ମରିଯିବି ଲୋ। ମୋ ଆଇଷ ତୋତେ ନାଗୁ।”
ବେଣୁଆ ରାସ୍ତାରେ ଯାଉ ଯାଉ ଅଣ୍ଡାଳୁଥିଲା ତା ପକେଟ। ଏ ମାସରେ କଣ୍ଟ୍ରାକ୍ଟର ଦରମା ଦେଇ ନାହିଁ। ଛାତି ପକେଟରୁ ଦଶଟଙ୍କିଆ କଏନ୍ ଦୁଇଟା ସଂଗୃହିତ ହେଇ ପାରିଲା। ତୁଚ୍ଛା ପ୍ୟାଣ୍ଟ୍ ପକେଟ୍ ମାନେ କୁକୁର ଜିଭ ପରି ବାହାରକୁ ଉଝାଳି ହେଇ ଲହ ଲହ ହେଉଛନ୍ତି। କୋଉଠୁ ପଇସା କଷିଟିଏ ବାହାରିଲା ନାହିଁ।
ପରିବା ଡାଲାରେ ଦିକିଲୋ ଖଣ୍ଡେ ପିଆଜ ଅଛି ଖାଲି। ପିଆଜକୁ ଉପର ତଳ କଲା। ଏପଟ ସେପଟ ଖୋଜିଲା, କାଳେ ତା ସୁଲି ପାଇଁ ସେ ଅମୂଲ୍ୟ ଦରବଟା ମିଳି ଯିବ କି ଆଉ? ନାଃ , ବୃଥା ଚେଷ୍ଟା।
କଣ କରିବ , ବିଲାତି ତ ଆଣିବାକୁ ପଡ଼ିବ। ସୁଲି ଅଧାପ୍ରାଣ ହେଲାଣି। ଧୁମ୍ ଦିପହରଟାରେ କୋଉ ଦୋକାନ ବଜାର ତା ପାଇଁ ଖୋଲା ଥିବ ଯେ? ତଥାପି ସେ ମୁଣ୍ଡରେ ଗାମୁଛା ଭିଡ଼ି ଚାଲିଲା। ସବୁଆଡ଼େ ଖାଁ ଖାଁ। କାଉ କୋଇଲିର ଦେଖା ନାହିଁ। ଉପର ତାତି ଭିତର ଗରମରେ ଦେହ ମନ ଝାଳେଇ ଯାଉଥାଏ। ଅବିକା ତ ସବୁ ଦୋକାନ ବଜାର ବନ୍ଦ। ତାଙ୍କ ବସ୍ତି ଭିତରେ ପରଶୁ ଭାଇ ଦୋକାନ ଦେଇଥାଏ। ବସ୍ତିରେ କୋଉ ସାରାଦିନ ବିକ୍ରି ବଟା ହବ ନା କିଏ କଣ କିଣିବ ଯେ ସେ ଦୋକାନ ଖୋଲି ଅଧିଆ ପଡ଼ିବ? ତଥାପି ଗୋଟେ ଆଶାରେ ଯାଇ ପରଶୁ ର କବାଟ ଖଡ଼ ଖଡ଼ କଲା।
ବଡ଼ ଗୋଟାଏ ଅନିଚ୍ଛାରେ ଭିଡ଼ି ମୋଡ଼ି ହେଇ ଗେଞ୍ଜି ସମ୍ଭାଳି ପାରୁ ନଥିବା କାଳିଆ ଢିମା ନାହିଆ ଥନ୍ତଲ ପେଟଟାକୁ ଦେଖାଇ ଦରଜା ଖୋଲିଲା ପରଶୁ।
“କଣ ହେଲା ବେ?”
ଏଇ ସେଇ ପରଶୁ, ଯିଏ ଖାଲି ଚିରା ଗାମୁଛାଟିଏ ଅଣ୍ଟାରେ ଭିଡ଼ି ଫୁଙ୍ଗୁଳା ପଞ୍ଜରାମାଳିଆ ଦିହରେ ଆସି ତା ପାଖରେ ନେଉଲ୍ ପେଉଲ୍ ହେଉଥିଲା, କାମ ଖଣ୍ଡେ ଯୋଗାଡ କରିଦବା ପାଇଁ। ହେଇ କାଆଲି ପରି ଲାଗୁଛି। ରାତାରାତି କେମିତି ବଡ଼ଲୋକ ହେଲା, ତାର ଚାବିକାଠିଟାର ଟେର୍ କେହି ପାଇଲେ ନାହିଁ। ହଁ ଏତିକି , ସେ ବାରମ୍ବାର ଗାଁକୁ ଯାଏ , କେତେ ଗରୀବ , ଛେଉଣ୍ଡ , ନିଆଶ୍ରୀ ଝିଅ ମାନଙ୍କୁ ଆଣି କୁଆଡ଼େ କୁଆଡ଼େ କାମରେ ନଗେଇ ଦିଏ। ତେଣିକି କାହାରି କାହାରି ବାପମାନେ ଝିଅକୁ ଖୋଜି ଆଇଲେ ଚାରିଶ ପାଆଁଶ ଧରେଇ ବିଦା କରିଦିଏ। ସେ ଜାଣିଛି ଟଙ୍କାର କରାମତି। ସେ ବି ଭୋଗିଛି।
ଆ ବେ ପରଶୁ ଯା ବେ ପରଶୁ ବାବୁ ପରଶୁ ରାମ୍, ରୁପିଆ କ୍ୟା ନ କରେ କାମ୍।
“ଏ ପରଶୁ ଭାଇ, ବିଲାତି ଅଢ଼େଇଶ ଅଛି ହେଲେ ଦେଏ ନାରେ , ପୁଆତି ସୁଲିଟା ବାନ୍ତି କରି କରି ନିଝଲିଆ ହେଇ ଗଲାଣି। ବଡ଼ ପୁଣ୍ୟ ହେବ ତୋର।”
“ହୁଶ୍ , ବାଇଆ ହେଲୁ କି? ଶହେ ଟଙ୍କା କିଲୋ ବିଲାତି କିଏ ନଉଛି ନା ଆଗ?”
ମୁଣ୍ଡ କାନ ଆଉଁସି ଫେରି ଆସୁଥିଲା ସିଏ, ପଛରୁ ଡାକିଲା ପରଶୁ,
“ନେଏ ନେଏ, ପାଏ ବିଲାତି ଆଣିଥିଲି ଘର ଖର୍ଚ୍ଚ ପାଇଁ। ଦେଏ ଦେଏ, ପଚାଶ ଟଙ୍କା ଥୋ।”
“ହେଁ , ପାଆକୁ ପଚାଶେ? ମୋ କତିରେ ତ ଏଇ କୋଡ଼ିଏଟା ଟଙ୍କା ପଡ଼ିଛି ଗାଏ ମୋଟ୍।”
“ଶ୍ୟଃ, ଅଣ୍ଟିରେ କଉଡ଼ି ନାଇଁ , ହଳଦୀ କିଣିବ ପୁଅ ପାଇଁ ? ଯା ଯାଃ।”
ବେଣୁଆ ମନ କିମିତି କିମିତି ଧରିଲାଣି, ସୁଲିର ନିର୍ମାୟା, କାକୁତିଆ ଆଖି ଦୁଇଟି ଦିଶି ଗଲାଣି।
“ହେ ପରଶୁ ଭାଇ, ଦେଏ ଭାଇ ଦେଏ, ମୋ ସୁଲିଟା ବଞ୍ଚି ଯାଉ। ମୋ ଘରେ ଦି କିଲୋ ଖଣ୍ଡେ ପିଆଜ ଅଛି। ପିଆଜ ଦେଖିଲେ ତ ବାନ୍ତି ଉଠଉଛି ସୁଲିର। ସେ ଗୁଡ଼ା ନେଇ ଯା। ବିକ୍ରି କରିଦବୁ।”
“ପିଆଜ? ପିଆଜ ଏଖୁଣି ଯାହାକୁ ଯେତେ। ମାଗଣାକୁ ମହରଗ ଏଇନେ। କିଏ ପଚାରୁଛି ନା?”
ପୁଣି ପେଟକୁ ସାଉଁଳୁ ସାଉଁଳୁ କହିଲା,
“ହଉ , ଯାଆ ଆଣେ। ଯାହାହେଲେ ବି ତୁ ମୋତେ ଥାନ ଖଣ୍ଡେ ତ ଦେଇଥିଲୁ ମୁଣ୍ଡ ଗୁଞ୍ଜିବାକୁ। ଉପକାର ଅଛି ତୋର।”
ବେଣୁଆ ଧାଇଁ ଯାଇ ଟୁପାକ ଯାକ ପିଆଜ ଆଣି କୁଢ଼େଇ ଦେଲା। ତା ବାଦ୍ କୋଡ଼ିଏ ଟଙ୍କା ଦେଇ ପାଏ ଟମାଟୋ ଧରି ଫେରିଲା ଘରୁକୁ।
ଘରକୁ ଆସି ସୁଲି ପାଖରେ ଅତି ସରାଗରେ ଅଜାଡ଼ି ଦେଲା ବିଲାତି ତକ । ଏ କଣ ? ସୁଲି ବିଲାତି ଦେଖୁ ଦେଖୁ ନାକ ମୁହଁରେ ନୁଗା ଗେଞ୍ଜି ଓଓ ଓଓ ହେଲା ପୁଣି ।
“ଇହି , କି ଆଇଁଗିଣିଆ ଗନ୍ଧ କିଲୋ? ଉଠା, ଉଠା ଆକୁ ମୋ ଆଗୁରୁ। ଯାଇ ଫୋପାଡ଼ି ଦିଅ। ଇସିଇଇ, ମୋ ପେଟ ଭିତର ଘାଣ୍ଟି ପକଉଛି ଲୋ।”
“ଆଲୋ, ଏଇନା ପରା ବିଲାତି ବିଲାତି ଜପୁଥିଲୁ, କଣ ହେଲା ପୁଣି?”
ବେଣୁଆ କଣ କେବେ ମାଆ ହେଇଛି ଯେ ଜାଣିବ, ପୁଆତି ମନ କ୍ଷଣ କ୍ଷଣକେ ଆନ ବୋଲି?
“ନାଇଁ ନାଇଁ , ବିଲାତିକୁ ଆଉ ମନ ହେଉନାଇଁ। ଫୋପାଡ଼ ସେ ଗୁଡ଼ା।”
ବେଣୁଆ ସତେକି ଆକାଶରୁ ଖସି ପଡ଼ିଲା।
“ଆଲୋ , ଭାତ ଖାଇବୁ କଣ ନଗେଇ?”
“ମୋ ମନ କହୁଛି, ପିଆଜ ନଗେଇ ପଖାଳ ଖାଇଲେ ରୁଚିବ।”
ସୁଲି ରୋଷେଇ ଶାଳକୁ ଯାଇ ଅଣ୍ଡାଳି ପକାଇଲା, ଟୁପା, ଝୁଡ଼ି, ସିଡ଼ା ସବୁ କିଛି।
“ଆରେ, ଏଇଠି ପା ଦି କିଲୋ ସରିକି ପିଆଜ ଥିଲା, ଗଲା କୁଆଡ଼େ। ମୂଷା ନେଇ ଗଲା କି ସବୁ?”
ବେଣୁଆର ଫାକାନାସ୍ତି ବୁଡ଼ିଗଲା। ଓଲଟି ଧାଇଁଲା ଫେଣେ ପରଶୁ ପାଖକୁ।
“ଭାଇରେ, ଏ ପରଶୁ ଭାଇ, ନେଏ ନେଏ ଭାଇ, ତୋ ବିଲାତି ସବୁକୁ ନେଇକି ମୋ ପିଆଜ ଦେଏ। ମୋ ସୁଲି ପିଆଜ ଖୋଜୁଛି ଏଇନା।”
ପରଶୁ ନିଜର ପାନଖିଆ ଦାନ୍ତ କିଲେଇ ତା ଦୋକାନରେ ଥିବା ପୋର୍ଟେବୁଲ୍ ଟିଭି ଆଡ଼କୁ ଆଙ୍ଗୁଳି ଦେଖେଇ ଦେଲା। ସମାଚାର-ବାଚିକା ତାର ଭୃଲତା ନଚେଇ ତରଛର ହେଇ ନିଜେ ଧାଉଁଥିଲା ଏପାଖକୁ ସେପାଖ , ସେପାଖକୁ ଏପାଖ, ଚିଲ୍ଲେଇ ଚିଲ୍ଲେଇ,
“ପୁଣିଥରେ କନ୍ଦାଇଲା ପିଆଜ , କେଜି ଶହେ ଟପିଲା। ହୋର୍ଡିଂ ହେଇଗଲାଣି ମହଣ ମହଣ ପିଆଜ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ ଆସନ୍ତା କାଲି।”
ଅତି ମନଛୁଆଁ ଗଳ୍ପ। ଏଭଳି ଲେଖା କ୍ବଚିତ୍ ପଢିବାକୁ ମିଳିଥାଏ।
ଅନେକ ଅନେକ ଧନ୍ୟବାଦ ମେଡମ୍। 🙏🙏
ଅଚାନକ ପରିବା ଦାମ୍ ବଢ଼ିଯିବା ସାଧାରଣ ଗରିବ ଶ୍ରେଣୀର ଘରେ ଚଡ଼କ ପଡ଼ିବା ସହ ସମାନ। ତା ସହ ପୁଣି ଏଇ ଦଲାଲ ମାନଙ୍କ କଳା ବେପାର ଯୋଗୁଁ ଆହୁରି ହନ୍ତସନ୍ତ ହେଉଛନ୍ତି ସାଧାରଣ ମଧ୍ୟବିତ୍ତ ଆଉ ଗରିବ ମାନେ। ଗରିବ ମାନଙ୍କ କଥା କିଏ ବା ଭାବେ? ଏଠି ସମସ୍ତେ ରାଜନୀତି କରିବାରେ ବ୍ୟସ୍ତ। ପୁଣି ନାରୀ ମନସ୍ତତ୍ଵକୁ ଅତି ଚମତ୍କାର ଭାବେ ଗଳ୍ପରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଗାଳ୍ପିକା।
ହାର୍ଦ୍ଦିକ ଧନ୍ୟବାଦ ଆଜ୍ଞା । ନମସ୍କାର
Bahut Sundar lekha.
ସମାଜରେ ଘଟୁଥିବା ବର୍ତ୍ତମାନର ଘଟଣାବଳୀ ନିଚ୍ଛକ ସତ କଥାକୁ ସ୍ଥାନ ଦେଇଥିବାରୁ ଲେଖିକା ମହାଶୟାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ସତ୍ୟ ହିଁ ସୁନ୍ଦର ।
ଆମ ଆଗରେ ଅଛି, ପରିବା ବଜାରର ଚମକ୍ । ନାଁ ରହିଛି “ବିଲାତି…. ନାଁ କୁ ମାତ୍ର ! ହେଲେ, ଗଳ୍ପ ଭିତରେ ଭରି ରହିଛି ହଜିଯାଉଥିବା ଓଡ଼ିଆ ଭାଷାର ଶବ୍ଦ ସମ୍ଭାର । ଏକବିଂଶ ଶତାବ୍ଦୀରେ ଗାଁଉଲି କଥିତ ଭାଷାର ଶବ୍ଦ ସଂରକ୍ଷଣ ଲକ୍ଷ୍ୟ ରଖି ଗାଳ୍ପିକା ନିଜର ସୁନ୍ଦର ରଚନା ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି।
ନମସ୍କାର ସହ ଢେର ପ୍ରଶଂସା ।
ପ୍ରଭୁ ଚକାଡୋଳାଙ୍କ କୃପାରୁ ଗାଳ୍ପିକାଙ୍କ ଲେଖନୀ ମୂନ ଦୀର୍ଘାୟୁ ହେଉ, ଏହି କାମନା।
ବଂଶୀଧର ମହାପାତ୍ର, ସାହିତ୍ୟ ନିବାସ, ଭୁବନେଶ୍ୱର -୨୯ (9090949145)