ତା’ ଗଳ୍ପର କଳ୍ପିତ ନାୟିକାର ରୂପ ଟାଣିବାକୁ ବଣା ହେଉଥିବା ଗାଳ୍ପିକକୁ ‘ପାଇଗଲା ପାଇଗଲା’ ବୋଲି ଲାଗିଲା।
ସାମାନ୍ୟ କଥନରେ ସେ ଜଣେ ଗଳ୍ପଶିଳ୍ପୀ, ଜଣେ କଥା କାରିଗର।
ବିଶେଷ ବକ୍ତବ୍ୟରେ, ସେ ବହୁ ‘ସେ’ର ସେ। ତା ଆଖପାଖରେ ଆତଯାତ ହେଉଥିବା ‘ସେ’ମାନଙ୍କ ସାଙ୍ଗରେ ରଂଜଘଷ ହେଇ, ସେମାନଙ୍କ ବିଶ୍ୱାସକୁ ଜିଣି ସେମାନଙ୍କୁ ଆପଣାର କରିନିଏ। ସେମାନଙ୍କ ଭିତରକୁ ଧୁଣ୍ଡି, ଉପରକୁ ଅଣ୍ଡାଳି, ସେମାନଙ୍କ ହସଖୁସିକୁ କୁଣ୍ଢାଇ, ସେମାନଙ୍କ କାନ୍ଦଣା କଷଣକୁ ମୁଣ୍ଡାଇ, ସେମାନଙ୍କ ଢଙ୍ଗଢାଙ୍ଗରୁ କିଛି ଛିଣ୍ଡାଇ, ସେମାନଙ୍କୁ ଗଳ୍ପରେ ମଣ୍ଡାଇ ଦିଏ। ସେମାନଙ୍କ ଜୀବନଜାତକକୁ ଗଣାପୋଛା କରି, ସେମାନଙ୍କ ଜୀବନରୁ କିଛି ଛବି ବାଛି ଗଳ୍ପରେ ବିଛାଇ ଦିଏ।
ଆଉ ବି ଏମିତି ‘ସେ’ ଅଛନ୍ତି, ଯେଉଁମାନେ ସମାଜସେବୀ ସାଜରେ ସଜେଇ ହେଇ, ସମାଜର ଦୟାବନ୍ତ ସାଆନ୍ତ ସାଜନ୍ତି। ଭିତରେ ସମାଜମାରୁର କୁତ୍ସିତ ବେପାର କରନ୍ତି। ଉପରେ ତେଲାନ୍ତି, ଭିତରେ ତଳିତଳାନ୍ତ କରନ୍ତି। କାହାକୁ ପଇସାର ମଖମଲି ଚପଲ ମାରି, କାହାକୁ ଉପରପଡ଼ା ଉପକାରର ସୁଆଙ୍ଗର ଭଙ୍ଗି ଦେଖାଇ, ମଙ୍ଗାଇମୁଙ୍ଗାଇ, ସେମାନଙ୍କ ମୁହଁରେ ଚୁପ୍ହେବାର ତାଲା ଠୁକନ୍ତି। କାଳେ ପାଠପଢ଼ା ବେକାର ଟୋକାଏ ତାଙ୍କ ଭିତରକୁ ଖୋଳତାଡ କରିବେ, ତାଙ୍କୁ ଚାକିରି ଦେବାର ବାହାପିଆ ହଲପ କରି, ସେମାନଙ୍କୁ ନିଜର ହାତବାରିଶି ବନାନ୍ତିି।
ଏମନ୍ତ ସେ ଆଉ ଜଣେ ‘ସେ’ ର ଜୀବନ ସଂକଳନରୁ ଘଟଣାଟିଏ ଗୋଟାଇ ଗଳ୍ପ କରି ଗଢ଼ିଥିଲା।
ଗଳ୍ପଟା ଏମିତି ଥିଲା।
ଜଣେ ‘ସେ’ ଥିଲା। ତା’ର ଗଳ୍ପ ଲେଖାଲେଖିର ସଉକ ଥିଲା। ତା’ ଗତାନୁଗତିକ ଜୀବନକୁ ଅଣଦେଖା କରି, ସେ ସବୁବେଳେ କଳ୍ପନାରେ ପହଁରୁ ଥିଲା। ଗଳ୍ପର ନିଶାରେ ମସଗୁଲ ଥିଲା। ତାକୁ ଲେଖିବାର କାଳିସି ଲାଗିଲେ, ଗପ ତା’ ଭିତରେ ହୁଳହୁଳି ପକାଏ। ଗପଟେ ତା’ ଭିତରେ ଉଙ୍କି ମାରିଲେ, ଜୀବନର ସବୁ ଏଣୁତେଣୁକୁ ଫାଙ୍କିଦେଇ, ଖାଉଁଖାଉଁ, ଶୋଉଁଶୋଉଁ, ଯାଉଁଯାଉଁ ମନେମନେ ଗପଟାକୁ ଆଙ୍କି ଆଙ୍କି ଚାଲୁଥିଲା।
ଦିନେ ମନକୁ ମସ୍ତକରି, ରାସ୍ତାରେ ଚାଲୁଥିଲା। ସେ ଗଳ୍ପର ଥାଟଟା ଠିକ୍ କରି ସାରିଥିଲା। ତା’ ଠିଁ ଭାଷାର କିଛି କୌଶଳର କରାମତି ଲଗାଇ ଗଳ୍ପଟାକୁ ମୁଣ୍ଡିମାରିବାକୁ ମୁଣ୍ଡକୁ ପହଞ୍ଚାଉଥିଲା। ମନର ଇମିତି ଇମିତିରେ ଗୋଳମାଳିଆ ଭାବନାଟା ଗୋଟିଏ ଜାଗାରେ ଠିକିଗଲା। ଆଉ ନାୟିକାର କଥା! ନାୟିକାକୁ ନେଇ ଗଳ୍ପ, ନାୟିକା ଆଡକୁ ମନ ମୁହାଁଇଲା। ଗଳ୍ପର ନାୟିକା ସୁନ୍ଦରୀ ହେବ ତ ହେବ। ଭାଷାର କେଉଁ ଭୂଷଣ ପିନ୍ଧାଇ, ତାକୁ ଶୋଭନୀୟା କରିବ, ତା’ ମଗଜରେ ଜୁଟୁ ନ ଥିଲା।
ବାଟରେ ଜଣେ ଲୋକ ତାକୁ ଅଟକାଇଲା। ସେ କେମିତି ହଇରାଣରେ ଥିଲା ବୋଲି, ତା’ ଆବଭାବରୁ ଜଣା ପଡୁଥିଲା। ତା’ କହିବା କଥା ହେଲା, ତା’ ସ୍ତ୍ରୀ କ’ଣ କିଣାକିଣି କରିବାକୁ ବାହାରକୁ ଯାଇଥିଲା। ତା’ର ସଅଳ ଫେରି ଆସିବାର କଥା। ଏତେ ଡେରି ହେଲାଣି ସେ ଫେରିନି। ଯେବେ ଯାଏ, ଠିକ୍ ସମୟରେ ଫେରେ। ସେ ତାକୁ ଖୋଜି ଖୋଜି ନୟାନ୍ତ ହେଲାଣି। ତା’ ମନରେ କେମିତି ଛନକା ପଶୁଛି। ସେ ସ୍ତ୍ରୀକୁ ଦେଖିଛି କି ବୋଲି ପଚାରିଲା।
ଇୟେ ତା’ ସ୍ତ୍ରୀ କେମିତିକା ବୋଲି ଜାଣିବାକୁ ଚାହିଁଲା।
ଲୋକଟି ତା’ ସ୍ତ୍ରୀର ରୂପରଙ୍ଗ ବଖାଣିବାକୁ ଲାଗିଲା। କହୁଁ କହୁଁ ସେ ଭାବବିଭୋର ହେଇ ପଡୁଥିଲା। ତା’ ସ୍ତ୍ରୀ ଦେହରେ ଦୁଧଅଳତାର ରଙ୍ଗ। ସେ ହେଉଛି ଅପୂର୍ବା ସୁନ୍ଦରୀ, ସରଗର ଅପ୍ସରୀ ତା’ର ସରି ହେବ ନାହିଁ। ହସି ଦେଲେ ତା’ ପାଲିସ୍ ଗୋଲ ଗାଲରେ ଭଉଁରି ବୁଲିଯାଏ। ତା’ କଳା କଳା ଲମ୍ବ ଆଖିର କଣେଇ କଣେଇ ଚାହାଣି ମନକୁ ମଦୁଆ ମଦୁଆ କରିଦିଏ। ତା’ ନାଲି ନାଲି ଓଠରେ ଛିଞ୍ଚଡା ହେଇଯାଏ ଚପାଚପା ହସର ଫୁଲ ପାଖୁଡା। ତା’ ଛାତିର ଭାରକୁ ତା’ ସରୁ କମର ସମ୍ଭାଳି ନ ପାରି, ହଲିଯାଏ ଥରିଥରି, ପାଦ ପକାଏ ଥିରି ଥିରି।
ଏଣେ ତା’ ଗଳ୍ପର କଳ୍ପିତ ନାୟିକାର ରୂପ ଟାଣିବାକୁ ବଣା ହେଉଥିବା ଗାଳ୍ପିକକୁ ‘ପାଇଗଲା ପାଇଗଲା’ ବୋଲି ଲାଗିଲା। ଲୋକଟି କହିଥିବା ତା’ ସ୍ତ୍ରୀର ରୂପର ଧାରାକୁ ଅନୁସରି ନାୟିକାର ଗାଲ, ଓଠ, ଆଖି, ଛାତି, କମର, ଚାଲିରେ ଖପେଇ ଦେଲା। ସେତେବେଳେ ସେ ନିଜେ ନିଜର ନ ଥିଲା। କଳ୍ପନାକୁ ସତ ବୋଲି ଧରିନେଇଥିଲା। ତା’ ନାୟିକା ଲୋକଟିର ସ୍ତ୍ରୀ ହେଇ ତା’ ଆଗରେ ଠିଆ ହେଇଗଲା।
ଲୋକଟି ତା’ ଆବେଶରୁ ଖସି ଆସିଥିଲା। ସେ ଲେଖକକୁ ତା’ ପ୍ରଶ୍ନ ଦୋହରାଇଲା, ତା’ ସ୍ତ୍ରୀକୁ ଦେଖିଛି କି ନାହିଁ? ଲେଖକ ଉତ୍ତରରେ ‘ହଁ’ ବୋଲି କହିଲା। ଲୋକଟି ଆନନ୍ଦରେ କୁରୁଳି ଉଠି, କେଉଁଠି କେଉଁଠି ବୋଲି ପଚାରିଲା। ସେତେବେଳେ ଲେଖକ କଳ୍ପନାର ମଣିଷ ଥିଲା। ତା’ ଗଳ୍ପର ଶେଷ ଅଂଶ ମନରେ ପଶିଗଲା। ସେ କହିଲା ତା’ ସ୍ତ୍ରୀ ନଈକୁ ଡେଇଁ ପଡିଛି। ଲୋକଟି ମୁଣ୍ଡରେ ହାତ ଦେଇ, ଲଥ୍ କରି ବସି ପଡ଼ିଲା।
ରାଗରେ ତମ ତମ ହେଇ, ଉଠି, ତା’ ହାତକୁ ଧରି ନେଲା। ତା’ପରେ ତାକୁ ଧମକେଇଲା- “ତୁ ତାକୁ ରକ୍ଷା କଲୁ ନାହିଁ କାହିଁକି? ତୁ ମୋ ସ୍ତ୍ରୀ ସାଙ୍ଗରେ ଖରାପ ବ୍ୟବହାର କରିଛୁ, ସେ ତା’ ଇଜ୍ଜତକୁ ବଞ୍ଚାଇବା ନାଚାରରେ ନଈକୁ କୁଦି ପଡିଛି। ନ ହେଲେ, ତୋ କଥା ମାନିଲା ନାହିଁ ବୋଲି, ତୁ ତାକୁ ନଈକୁ ପେଲି ଦେଇଛୁ।” ତା’ପରେ ତା ଗାଲରେ କାଠିଆ ଚାପଡ ଚଢ଼େଇ ଚଢ଼େଇ ଚାଲିଲା। ସେ କିଛି କହିବ ବୋଲି ପାଟି ଖୋଲିଲା ତ, ତା ମୁହଁ ଉପରେ ମୁଥାଟେ ବଜାଇଲା। ତା’ ପାଟିରୁ ରକ୍ତ ଥୋପି ପଡୁଥାଏ, ଲୋକଟା କିନ୍ତୁ ତାକୁ ଛାଡୁ ନ ଥାଏ।
ଏତିକି ବେଳେ ତା’ ସ୍ତ୍ରୀ ଆସି ପହଂଚିଲା। ଏତେ ଡେରି ହେବାର କାରଣ ଜଣାଇବାକୁ ଯାଇଁ, ତା’ ସ୍ତ୍ରୀ କହିଲା- “ବଜାର କାମ ସାରି, ଖରାରେ ମୁହଁଟା ଝାଳମାଳ ହେଇଥିବାରୁ ପାର୍ଲୋରକୁ ଯାଇଥିଲି। ସେଠି ମୋ’ର ଜଣେ ବାଲ୍ୟ ସଙ୍ଗିନୀର ଦେଖାହେଲା। ତା’ ସହିତ ଦୁଃଖସୁଖ ହେଉଁ ହେଉଁ ବେଳ ଗଡିଗଲା।”
ତା’ ପରେ ଘଟଣାଟା କ’ଣ ବୋଲି ପଚାରିଲା।
ତା’ ସ୍ୱାମୀ କହିଲା- “ତୁମେ ନଈକୁ ଡେଇଁ ପଡିଛ ବୋଲି ଏ ଲଫଙ୍ଗା କହୁଛି।”
ସେ ପୁଣି ଗାଳ୍ପିକକୁ ମାରିବାକୁ ହାତ ଉଠାଇଲା, ତା’ ସ୍ତ୍ରୀ ତା’ ହାତକୁ ଧରି ପକାଇଲା।
ସ୍ତ୍ରୀ ଜାଣେ, ତା’ ସ୍ୱାମୀ ତାକୁ ଭଲପାଏ ବୋଲି, କହିଲେ ଚଳିବନି। ତାକୁ ଏତେ ଭଲପାଏ ଯେ, ତାର କଳନା କରିହେବ ନାହିଁ। ଏମିତି ଗୋଟେ ଖବର ଶୁଣି ସ୍ୱାମୀ ତା’ର ଅଣାୟତ୍ତ ହେଇପଡିଛନ୍ତି।
ଗାଳ୍ପିକଟି ସ୍ତ୍ରୀଙ୍କୁ ଦେଖି ଚମକି ପଡିଲା। ଆହା, କି ସୁନ୍ଦରୀ, ଲୋକଟି ଠୁଁ ରୂପର ଗରିମା ଶୁଣି, ତା’ ଗଳ୍ପର ନାୟିକାକୁ ଅନେକଟା ରୂପସୀ କରିପାରିଛି। ଟିକିଏ ସେ ସୁନ୍ଦରୀକୁ ଭଲ କରି ଦେଖିବାକୁ ଇଚ୍ଛା ଥିଲେ ମଧ୍ୟ ସେ ମୁହଁକୁ ପଛେଇ ଦେଲା। ମିଛରେ କାହିଁକି ମାଡ ମୂଲେଇବ!
ସୁନ୍ଦରୀ ଲୋକଟିକୁ ପାଗଳଟେ ବୋଲି ଭାବିଲା। କ’ଣ ବୋଲି କ’ଣ କହିପକାଇଛି, ତାକୁ ଉଠାଇ ମୁହଁ ଝାଡି ଝୁଡି ଦେଇ ବସାଇଲା। ସ୍ୱାମୀ ସ୍ତ୍ରୀ ହାତ ଧରାଧରି ହେଇ ଚାଲିଗଲେ।
ବିଚରା ଲେଖକଟି ଚାପଡ଼ା ମାଡରେ ଲାଲପଡ଼ି, ଫୁଲିଯାଇଥିବା ଗାଲକୁ ସାଉଁଳୁଥିଲା। ତା’ ମନଟା କୁଆଡେ କୁଆଡେ ବୁଲୁବୁଲୁ, ତା’ ଗଳ୍ପର କଳ୍ପିତ ନାୟିକାର ଗାଲପାଖରେ ପହଂଚିଗଲା, ଯେଉଁଠି ହସ ଖେଳୁଥିଲା। ସବୁ ପରାସକୁ ପାଶୋରି, ସେ ହସି ପକାଇଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୩ ସଂଖ୍ୟାରେ ପ୍ରକାଶିତ।)
ଗାଳ୍ପିକଟି ଗଳ୍ପ ଲେଖିବା ବେଳେ କଳ୍ପନା ରାଜ୍ୟରେ ଥାଏ। ପ୍ରତ୍ୟେକକୁ ସେ ତାର ଗଳ୍ପରେ ସ୍ଥାନ ଦେଇପାରେ। ସେ ଆଉ ସେମାନଙ୍କ କଥା ଭାବିବାକୁ ସମୟ ବା କାହିଁ ! ଲୋକଟି ତାର ସ୍ତ୍ରୀ ର ରୂପ ବର୍ଣ୍ଣନା କଲାବେଳେ ଏତେ ଅଧିକ କରିଦେଲେ ଯେ, ଗାଳ୍ପିକ ଗଳ୍ପର ଶେଷରେ ସ୍ତ୍ରୀ କୁ ମୃତ କରିଦେବାକୁ ବି ପଛେଇଲେ ନାହିଁ। ବାସ୍ତବିକ ଗଳ୍ପଟି ଅତ୍ୟନ୍ତ ସୁନ୍ଦର ହୋଇଛି।
ନମସ୍କାର। ଲେଖାଟି ବହୁତ ସୁନ୍ଦର ହୋଇଛି।