ଭ୍ରାନ୍ତ୍ୟାପହ୍ନୁତି *

ସାହିତ୍ୟିକ ହେଉଛି, ଭାବ ଓ ଶବ୍ଦବୋଧର ମହାସମୁଦ୍ରରେ ପହଁରୁଥିବା ମଣିଷଟିଏ।

ପ୍ରଶାନ୍ତ ଭୂୟାଁ

ଭାଗବତ ପୃଷ୍ଠାରେ ଅତିବଡ଼ୀ ଲେଖିଛନ୍ତି;
“ଯାହା ମିଳିବ ଅକସ୍ମାତେ। ଆନନ୍ଦେ ସମର୍ପିବ ମୋତେ।”
ଏଇ ଦୁଇପଦର ଓଲଟଜପ ଚାଲିଛି ଏବେ ଓଡ଼ିଆ ସାହିତ୍ୟ ଜଗତରେ। ଏଠି ଅପାଣ୍ଡୁକଙ୍କ ନାହିଁ ନ ଥିବା ଗହଳ। ପଦିଏ ଶିଖିଥିବେ କି ନାହିଁ ଖଣ୍ଡିଉଡ଼ାରେ ହିଁ ଆକାଶ ଲଂଘିବାକୁ ତିଆର। ଏଣୁ ତ ଯାହା ପଦେଅଧେ ମନକୁ ଆସିଲା ସେଥିରେ ଦେଖାଦେଖି, ଶିଖାଶିଖି, ଶୁଣାଶୁଣି, ପ୍ରଭୃତିର ବୋଧକୁ ନେଇ ପାଠକଙ୍କୁ ସମର୍ପଣ କରିବାରେ ଲାଗିଛନ୍ତି ପ୍ରାୟାଧିକ ଲେଖକଗଣ। ଏମାନଙ୍କର ଏଇ ଅଯାଚିତ ସମର୍ପଣରେ ଏବେ ଖବରକାଗଜ, ଦୂରଦର୍ଶନ, ପୁସ୍ତକମେଳା, ସାହିତ୍ୟମଞ୍ଚ ସବୁ ଭର୍ତ୍ତି।
ଏବେ ଅଭିଲାଭିଲାଙ୍କ ଆଲୋଚନାରେ ସାହିତ୍ୟ ଆସର ଓ ଖଟି ମଧ୍ୟ ଈଷଦୁଷ୍ଣ। ଅଧିକାଂଶ ଲେଖକ, ପାଠକ, ସମୀକ୍ଷକ ଓ ପ୍ରକାଶକ କେବଳ ପରୋକ୍ଷରେ ହିଁ ସାହିତ୍ୟର ଦୁଷ୍ଟବ୍ରଣଙ୍କ ଉପରେ ବିଷୋଦ୍‌ଗାର କରିବାରେ ବ୍ୟସ୍ତ। ସଂଶୟରେ ଏହି ପରିଭାଷାରେ ପ୍ରକୃତ ଦୋଷୀର ନାମୋଚ୍ଚାରଣ ହିଁ ହୁଏ ନାହିଁ। ଅମୁକ ଲୋକ ବାଜେ ଲେଖୁଛି, ସମୁକ ଲୋକ ଅର୍ଥବଳରେ ବାଜେ ବହିଟିଏ ଛପେଇ ଦେଲା, ଢମୁକ ଲୋକ ହାତଗୁଞ୍ଜା ଦେଇ ସମ୍ମାନଟିଏ ହାତେଇ ନେଲା, ଆଉ ସମୁକ ଲୋକ ଆପଣା ଉପାଧି ପାଇଁ ବାଟ ତିଆରୁଛି, ପ୍ରଭୃତି। ଏଇ ସବୁ ଅଜ୍ଞାତବ୍ ସରଳ ପାଠକ ପାଇଁ। ଏଣୁ ସେଇ ବିଚରା ଏବେ ଆଣ୍ଡ୍ରଏଡ୍‌ଟିଏ ନେଇ ବୁଲୁଛି ସାହିତ୍ୟ ମେଳା ଓ ପ୍ରଦର୍ଶନୀରେ। କେତେବେଳେ ନାମକରା ଲେଖକ ସହ ତ କେତେବେଳେ ବହିଟିଏ ସହ, କେତେବେଳେ ମେଳାର ଚାକଚକ୍ୟ ତୋରଣ ସହ ତ କେତେବେଳେ ନିଜର ହତାଶାବୋଧ ସହ ଗଣ୍ଡେ ଦିଗଣ୍ଡା ଚିତ୍ରୋତ୍ତୋଳନ କରି ସଞ୍ଚାର ମାଧ୍ୟମରେ ରଖି ଆପଣାକୁ ସର୍ବପ୍ରିୟ କରିବାର ପ୍ରୟାସ କରୁଛି। ଝାଳବୁହା ଅର୍ଥଶ୍ରାଦ୍ଧ କରି କିଣି ଆଣୁଛି ସୁନ୍ଦର ପ୍ରଚ୍ଛଦର ବହିସବୁ, ହେଲେ ପ୍ରାୟାଧିକ ବହିର ଭିତର ସବୁ ଅଗାଡ଼ି। ଶହ ଶହ ଟଙ୍କାଦେଇ କିଣିଥିବା ଅନ୍ତଃସାରଶୂନ୍ୟ ଏଇ ବହି ସବୁକୁ କବାଡ଼ୀ ମଧ୍ୟ ମୁହଁ ଆଡ଼େଇ ଦେଇ ଚାଲିଯାଉଛି। କେଞ୍ଚଡ଼ି ଲେଖକଙ୍କ ଦ୍ୱାରା ଦରାଣ୍ଡି ହୋଇ ଆସିଥିବା ଅକ୍ଷରସବୁ ସେଇମତେ ସେଇ ପୁସ୍ତକ ଭିତରେ ଅଣନିଃଶ୍ୱାସୀ ହୋଇ ରହୁଛନ୍ତି। ଅନାଲୋଡ଼ିତ ହୋଇରହୁଛି ପ୍ରକୃତ ସାହିତ୍ୟ ଓ ଅନାଲୋଚିତ ହୋଇଯାଉଛନ୍ତି ସୁଧୀ ସାହିତ୍ୟିକ ଏବେ।
ସାହିତ୍ୟିକ; ଭାବ ଓ ଶବ୍ଦବୋଧର ମହାସମୁଦ୍ରରେ ପହଁରୁଥିବା ମଣିଷଟିଏ। ଆପଣାର ଜ୍ଞାନର ପରିଧିକୁ ନେଇ ସଂସାରର ଚିତ୍ରକୁ ଚରିତ୍ର ସହ ଆଙ୍କେ ଓ ସମାଜକୁ ଦେଖାଏ ତା’ର ସ୍ପଷ୍ଟ ପ୍ରତିଫଳନ। ସେଇ ଚିତ୍ର ଦେଖି ସମାଜ ଚେଇଁ ଉଠେ। ପ୍ରେରଣା ପାଆନ୍ତି ଜନ କେତେ ଓ ସୁଧାରିବାକୁ ଅଣ୍ଟାଭିଡ଼ି ଠିଆ ହୁଅନ୍ତି। ସାହିତ୍ୟ ହିଁ ଗେଞ୍ଜେଣା କାଠି ଭଳି ପାଠକକୁ ଚିଆଁଏ। ସାହିତ୍ୟ ହିଁ ତ ଭ୍ରାନ୍ତ୍ୟାପହ୍ନୁତି * ଏଇ ଅଜ୍ଞାନ ତିମିରରେ ଶଢ଼ୁଥିବା ପ୍ରକୃତ ମଣିଷଙ୍କ ପାଇଁ। ସାହିତ୍ୟ କେବଳ ଭାଷା ଓ ଭାବବର୍ଣ୍ଣିତ କେତୋଟି ପ୍ରକରଣ ନୁହଁ; ଏହା ହିଁ ଅଘମର୍ଷଣ ସୂକ୍ତ ସମାଜର ଦୁଃସ୍ଥିତିରେ ହଜିଯାଉଥିବା ମଣିଷ ପାଇଁ। ଏଣୁ ହେ ମୋର ସାହିତ୍ୟିକବୃନ୍ଦ; ସମ୍ମାନ, ଉପାଧି ଓ ପଦପଦବୀର ଭକ୍ତ ନ ହୋଇ ପାଠକ ହାତରେ ଯୁଗୋପଯୋଗୀ ସାହିତ୍ୟର ପୃଷ୍ଠାଏ ହେଉ ପଛେ; ସେତକ ତ ଦିଆଯାଉ।
ପୁନଶ୍ଚ, ଭାଗବତରୁ ପଦିଏ ଲେଖି ନିଜକୁ ସେଇ ବ୍ରହ୍ମରୂପୀ ସାହିତ୍ୟର ପଦବୋଧରେ ଅର୍ପଣ କରୁଛି ଆପଣାକୁ;
“ସମ୍ପୂର୍ଣ୍ଣ ଅଘମରଷଣ। ସେ ପାଦେ ପଶିଲୁ ଶରଣ।”

-ପ୍ରଭୂ

*ଭ୍ରାନ୍ତ୍ୟାପହ୍ନୁତି – କୌଣସି ଭ୍ରାନ୍ତିର ଦୂରୀକରଣାର୍ଥ ସତ୍ୟବସ୍ତୁର ବର୍ଣ୍ଣନରୂପ କାବ୍ୟାଳଙ୍କାର ବିଶେଷ।

( ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ  )

4 thoughts on “ଭ୍ରାନ୍ତ୍ୟାପହ୍ନୁତି *

  1. ଅଘମର୍ଷଣ ସୂକ୍ତ ?
    Literature should be the mirror of the society. It shouldn’t be biased. Nor should it be propaganda. Sometimes a third rated work is awarded whereas a masterpiece is ignored. Literature should aim at changing world order and give pleasure to the readers. Manifestoes like Liberty, Equality, Fraternity could bring about French Revolution.

    1. ରମାକାନ୍ତ ଭାଇ
      ସୁମନାସ।
      ଭାଷାକୋଷରେ ଏହି ମତେ ଲେଖା ଅଛି;
      ଅଘମର୍ଷଣ ସୂକ୍ତ— Aghamarshaṇa sūkta
      ସଂ. ବି. (ନାମ; କର୍ମଧା=ପାପନାଶକସୂକ୍ତ; କିମ୍ବା ମଧ୍ୟ— ପଦଲୋପୀ କର୍ମଧା; ଅଘମର୍ଷଣ ଋଷିଙ୍କ ରଚିତ ସୂକ୍ତ)
      ରୁଗ୍ବେଦୋକ୍ତ ଅଶ୍ୱମେଧଯଜ୍ଞର ଅବଭୃଥ— ସ୍ନାନମନ୍ତ୍ର। ଦୈନିକ ସନ୍ଧ୍ୟାବନ୍ଦନା କଲାବେଳେ ବ୍ରାହ୍ମଣମାନେ ଏ ମନ୍ତ୍ରପାଠ ପୂର୍ବକ ଦେହକୁ ଜଳଦ୍ୱାରା ମାର୍ଜନ କରନ୍ତି— A mystic formula uttered by Brāhmaṇas while performing Sandhyā.
      [ଦ୍ର—ଏହା ଋଗ୍ବେଦର ୧ମ ଖଣ୍ଡର ୧୯ ସୂକ୍ତ—ଏହି ମନ୍ତ୍ର ଯଥା—ଅଘମର୍ଷଣ ସୂକ୍ତସ୍ୟ, ଅଘମର୍ଷଣ ଋଷିଃ, ଅନୁଷ୍ଟୁପ୍ଚ୍ଛନ୍ଦଃ, ଆପୋ ଦେବତା, ଅଶ୍ୱମେଧାବଭୃଥେ ବିନିଯୋଗଃ କିମ୍ବା ମାର୍ଜନେ— ବିନିଯୋଗଃ— ଓଁ ଋତଂ ଚ ସତ୍ୟଂ ଚାଭିନ୍ଧା ତପସୋଽ— ଧ୍ୟଜାୟତ, ତତୋ ରାତ୍ର୍ୟଜାୟତ, ତତଃ ସମୁଦ୍ରୋଽର୍ଣ୍ଣବଃ ସମୁଦ୍ରା ଦଧିସମ୍ବତ୍ସରୋଽଜାୟତ, ଅହୋରାତ୍ରାଣି ବିଦଧଦ୍ବିଶ୍ୱସ୍ୟ ମିଷତୋ ବସୀ ଇତ୍ୟାଦି। ଏବଂ ଓଁ ଦ୍ରୁପଦାଦିବମୁମୁଚାନଃ ସନ୍ନଃ ସ୍ନାତୋ ମଳାଦିବ ଇତ୍ୟାଦି” ଏହି ମନ୍ତ୍ର ପାଠ କରି ସ୍ନାନ ବା ଜଳରେ ଶରୀର ମାର୍ଜନ କରାଯାଏ।]

      ଆମ ସାହିତ୍ୟ ସଂସାର କିଆଁ; ପ୍ରାୟତଃ ସବୁ ଭାଷା ଓ ସାହିତ୍ୟରେ ସମଦଶା।
      ଏଣୁ ପଦିଏ ଲେଖିଥିଲି
      ॥ ରଚୟିତା॥
      ଦୁଇପଦ ଯେବେ ଆସିଯିବ ମନେ
      ପତରେ ନେବୁ ଉତାରି ।
      ଶବଦ ମାନେନା ସୀମା ସରହଦ
      ନା’ମାନେ ଆକଟ ହୁରି॥
      ଥିରି କରି କହେ କାନେ ତୁନି ତୁନି
      ଧୀ’ରେ ପଦ ପଦ କଥା।
      କେତେବେଳେ ଗଳ୍ପ କେବେ ସେ ନିବନ୍ଧ
      କେବେ କାବ୍ୟ ଓ କବିତା॥
      ଶବଦ କହଇ ତା’ ମନର ପୀଡ଼ା
      କହେ ତା’ ଖେଦ ବାରତା।
      କହଇ ସହିଛି, ସହୁଛି ବେଦନା
      ଯୁଗଯୁଗର ଏ କଥା॥
      ସାହିତ୍ୟ ସଂସାରେ କ’ଣ ଚାଲିଛି
      ପାଠକ କୁଳେ ପଚାର।
      ଶବଦ ଲୁଚୁଛି ଚୟନ ଡରରେ
      କବିକୁ ଲାଗଇ ଡର॥
      ମନ ଥିର କରି ଲେଖିବୁ ଦି’ପଦ
      ପାଠକ ଜଗିଛି ଭାବେ।
      ସେଇ ଦି’ପଦ ଯେ ମନରେ ରହିବ
      ସେମନ୍ତେ ସରବ ହୃଦେ॥
      -ପ୍ରଭୂ

    1. ସୁମନାସ ସତ୍ୟପ୍ରକାଶ ଭାଇ
      ପାଠକୀୟବୋଧରେ ଦୁଇପଦ ହିଁ ସର୍ବସ୍ୱ।
      ଜୟ ହୋ

Leave a Reply

Your email address will not be published. Required fields are marked *