ଆମ ଚଉପଦୀ

ବିଭିନ୍ନ ପତ୍ରପତ୍ରିକା, କବିତା ସଂକଳନ ଓ ସମ୍ବାଦପତ୍ରମାନଙ୍କର ସାହିତ୍ୟ-ପୃଷ୍ଠା ପ୍ରତି ଦୃଷ୍ଟିଚାରଣ କଲେ ଆମେ ଜାଣିପାରିବା ଯେ ସେଗୁଡିକରେ ପ୍ରକାଶିତ ହେଉଥିବା କବିତା ସମ୍ଭାର ଭିତରୁ ବେଶ୍ କିଛି ଭାଗ ସନେଟ୍‌, ଗଜଲ୍‌, ଲିମେରିକ୍‌, ହାଇକୁ ବା ସେଭଳି କିଛି ବିଦେଶୀ ବା ପ୍ରତିବେଶୀ ଶୈଳୀର ଧାରା ଉପରେ ଆଧାରିତ। ଏଥିରେ ଦୋଷାବହ କିଛି ନାହିଁ। କାରଣ ଭାବ, ଭାଷା ଓ କାବ୍ୟରୂପର ଆଦାନ-ପ୍ରଦାନ ତ ସାହିତ୍ୟର ଏକ ସ୍ୱାଭାବିକ ପ୍ରକ୍ରିୟା। ତେବେ ଆମର ଉଦ୍‌ବେଗର ହେତୁ ହେଲା ଯେ ଆମ ଏବର ଓଡ଼ିଆ କବିମାନେ ‘ପ୍ରଦାନ’ ଅପେକ୍ଷା ‘ଆଦାନ’ଟି ଉପରେ ଅଧିକ ଭରସା ରଖନ୍ତି।
ଯେଉଁ ସନେଟ୍‌ର ଧାରାଟିକୁ ଆମେ ଇଂରାଜୀରୁ ଆହରଣ କରିଛେ ବୋଲି ଭାବିନେଉ, ତାହା ତ ପ୍ରକୃତରେ ଇଂରାଜୀ ସାହିତ୍ୟର ଜନ୍ମିତ ସନ୍ତାନ ହିଁ ନୁହେଁ, ବରଂ ୧୬ଶ ଶତାବ୍ଦୀରେ ସେମାନଙ୍କ ଦ୍ୱାରା ଇତାଲୀୟ ଭାଷାରୁ ଧାର କରାଯାଇଥିବା ଏକ ପଦ୍ୟରୂପ। ଏହି ଆହରଣ ଦ୍ୱାରା ଇଂରାଜୀ ସାହିତ୍ୟର କିଛି କ୍ଷତି ହୋଇନାହିଁ, ବରଂ ପ୍ରକାରାନ୍ତରେ ଏହା ସେହି ସାହିତ୍ୟକୁ ସମୃଦ୍ଧ କରିଛି। ଗଜଲ୍ କ୍ଷେତ୍ରରେ ମଧ୍ୟ ସେହି ଏକା କଥା କୁହାଯାଇପାରେ; ଆରବୀୟ ଭାଷାରୁ ଆମଦାନୀ ହୋଇ ମଧ୍ୟ ଏହା ସମକାଳୀନ ହିନ୍ଦୀ କବିତାକୁ ସମୃଦ୍ଧ କରିଛି।
କିନ୍ତୁ ଆମର କହିବାର କଥା, ଦେଢ଼ ହଜାର ବର୍ଷର ପୁରାତନ ତଥା ଶାସ୍ତ୍ରୀୟ ମର୍ଯ୍ୟାଦା ସଂପନ୍ନ ଆମ ମହାନ୍ ଓଡ଼ିଆ ଭାଷାର ସାହିତ୍ୟରେ କ’ଣ ରପ୍ତାନି-ଯୋଗ୍ୟ କିଛି ନାହିଁ? ବିଦେଶୀ କବିତାର ଶୈଳୀଗୁଡିକୁ ଅନୁସରଣ କରିବା ସହିତ ନିଜର ପାରମ୍ପରିକ ଶୈଳୀର କାବ୍ୟ-କବିତାର ଧାରାକୁ ମଧ୍ୟ ନୂଆ ଢଙ୍ଗରେ ପ୍ରୟୋଗରେ ଆଣି ସେଗୁଡିକର ନବୀକରଣ କରିବାପାଇଁ ଆମେ କେତେ ବା ତତ୍ପର! ଚଉପଦୀ, ଚଉତିଶା ଓ ଚମ୍ପୂ ଭଳି ଆମର ପୁରାତନ ପଦ୍ୟରୂପଗୁଡିକ କ’ଣ ଆଜି ନିଜର ପ୍ରାସଙ୍ଗିକତା ହରାଇ ବସିଛନ୍ତି! ଅବଶ୍ୟ ସାମ୍ପ୍ରତିକ କାଳରେ ଯେ ଆମ ଭାଷାରେ ଚଉପଦୀ ଇତ୍ୟାଦି ରଚିତ ହେଉନାହିଁ, ସେକଥା ଆମେ କହୁନାହୁଁ। କିନ୍ତୁ ଯାହା ବି ସୃଷ୍ଟ ହେଉଛି ସେଥିର ଭାବ, ଭାଷା ଓ ଅଳଙ୍କାର-ବିନ୍ୟାସ ମଧ୍ୟଯୁଗ ବା ରୀତିଯୁଗର ଅବାରିତ ଅନୁକରଣ କରେ, ଯାହା ଆଧୁନିକ ପାଠକମାନଙ୍କୁ ସେଥିରୁ ଦୂରେଇ ରଖିବାର ଏକ ପ୍ରଧାନ ହେତୁ।
ଏବେ ଏ ବିଷୟରେ ଚିନ୍ତା କରିବାର ବେଳ ଆସିଛି। ଆମେ ନିଜ କାବ୍ୟକବିତାର ଏହି ପୁରାତନ ରୂପଗୁଡ଼ିକର ଆଧୁନିକୀକରଣ କରିପାରିଲେ ଏହା ନୂଆ ପୀଢିର କବି ଓ ପାଠକମାନଙ୍କ ମଧ୍ୟରେ ବହୁଳ ଭାବରେ ଆଦୃତ ହୋଇପାରନ୍ତା, ଏବଂ ଏହା ଗଜଲ୍ ଓ ସନେଟ୍ ଭଳି ବିଦେଶୀ ପଦ୍ୟରୂପମାନଙ୍କର କେବଳ ସମକକ୍ଷ ନୁହେଁ, ବରଂ ତହୁଁ ବଳି ଅଧିକ ଉପଯୋଗୀ ବା ଗ୍ରହଣୀୟ ହୋଇପାରନ୍ତା। ଆମେ କାହିଁକି ସେହି ସୁଦିନର ସ୍ୱପ୍ନ ଦେଖିବା ନାହିଁ, ଯେବେ ଓଡ଼ିଆ ଚଉପଦୀର ପଦାଙ୍କ ଅନୁସରଣ କରି ଦିନେ ଇଂରାଜୀ ବା ଉର୍ଦ୍ଦୁରେ ମଧ୍ୟ କବିତାମାନ ଲେଖାଯିବ?
ଏହି ମାନସରେ ଏହି ପତ୍ରିକାରେ ଓଡ଼ିଆ କାବ୍ୟକବିତାର କିଛି ପୁରାତନ ରୂପକୁ ସାମ୍ପ୍ରତିକ ସମୟର ଭାବନା ଓ ଭାଷା ସହିତ ଖାପ ଖୁଆଇ ସମକାଳୀନ କବିମାନେ ତାହାକୁ ଏକ ନବୀନ ରୂପରେ ପରିବେଷଣ କରିବା ପାଇଁ ଆମେ ଉତ୍ସାହିତ କରିଆସିଛୁ। ଏ ପ୍ରେକ୍ଷାପଟରେ ପ୍ରଥମେ ଆମର ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି କେବଳ ‘ଚଉପଦୀ’କୁ ନେଇ। ସହୃଦୟ ପାଠକମାନେ ଆମର ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ହେଉଥିବା ଚଉପଦୀଗୁଡିକରେ ତାହା ଲକ୍ଷ୍ୟ କରିପାରିବେ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଜୁଲାଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

2 thoughts on “ଆମ ଚଉପଦୀ

  1. ସାହିତ୍ୟ ଚର୍ଚ୍ଚାର ଉତ୍ତମ ପ୍ରୟାସ ।

Leave a Reply

Your email address will not be published. Required fields are marked *