ହିମାଳୟର ଜଣେ ସନ୍ଥଙ୍କର ଶ୍ରୀମନ୍ଦିର ଦର୍ଶନ

ପୁରୀରେ ରଥଯାତ୍ରା ସମୟରେ ଟ୍ରାଫିକ ଡ୍ୟୁଟିରେ ଥିଲାବେଳେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, ସେ ବିଷୟରେ ଗୋଟିଏ ଘଟଣା ବର୍ଣନା କରିଛନ୍ତି ଲେଖକ।

ସନ୍ତୋଷ କୁମାର ପଟ୍ଟନାୟକ

ହାଇସ୍କୁଲ ପଢିଲାବେଳେ ବାପା ଓ ମାମୁଙ୍କ ସାଙ୍ଗରେ ପୁରୀ ଯାଇ କେତେଥର ରଥଯାତ୍ରା ଦେଖିବାର ସୁଯୋଗ ମୋ ଭାଗ୍ୟରେ ଜୁଟିଛି। କିନ୍ତୁ ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ମୁଁ ଏତେ ଅନ୍ତରଙ୍ଗ ଭାବରେ ଜଡିତ ହୋଇଯିବି, ସେ କଥା କଳ୍ପନା ମଧ୍ୟ କରି ନ ଥିଲି।
‘ରଥଯାତ୍ରା’ ଆସିଲା ମାନେ ପୁରୀର ପୁଲିସ ବିଭାଗରେ ସତେ ଯେପରି ହଠାତ ଉଚ୍ଚଶକ୍ତିର ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଯାଏ। ଯାତ୍ରା ବ୍ୟତିରକେ ଅନ୍ୟ ସବୁ କାମ ଗୌଣ ହୋଇଯାଏ। ପୁରୀ ଜିଲ୍ଲା ପୁଲିସ ବିଭାଗରେ ଅନେକ ଦକ୍ଷ, ଅଭିଜ୍ଞ ଓ ବରିଷ୍ଠ ଅଫିସର ଥାଆନ୍ତି। ରଥଯାତ୍ରା ପାଇଁ ବାହାରୁ ଅଣାଯାଇଥିବା ଅଫିସର ଓ ଯବାନମାନଙ୍କୁ ସେମାନଙ୍କ ଦ୍ୱାରା ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକ ସୂଚନା ଓ ସତର୍କତାର ନିୟମାବଳି ପାଳନ ସମ୍ବନ୍ଧରେ ବିଶଦ୍ ଭାବେ ବୁଝାଇ ଦିଆଯାଇଥାଏ। ରଥଯାତ୍ରା ବେଳେ ଜନଗହଳିକୁ ନିୟନ୍ତ୍ରଣ କରିବା ସମୟରେ ବେଳେବେଳେ ଅପ୍ରତ୍ୟାଶିତ ସମସ୍ୟା ଓ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। କିନ୍ତୁ ଆଗରୁ ରଥଯାତ୍ରାରେ ଅଂଶଗ୍ରହଣ କରିଥିବା ଅଭିଜ୍ଞ ଅଫିସରଙ୍କ ନିର୍ଦ୍ଦେଶ ଓ ଉପଦେଶକୁ ମନେ ପକାଇ ଶାନ୍ତ ଓ ସହନଶୀଳ ହୋଇ ଅବସ୍ଥାର ସମାଧାନ ପାଇଁ ଚେଷ୍ଟା କରିବାକୁ ପଡିଥାଏ। ପୁରୀ ସହରରେ ଅନେକ ଦିନରୁ କାମ କରି ଆସୁଥିବା ହାବିଲଦାର ଓ କନେଷ୍ଟବଳମାନଙ୍କର ସେମାନେ ଅଙ୍ଗେ ନିଭାଇଥିବା ଅନୁଭୂତିରୁ ଅନେକ କିଛି ଶିକ୍ଷାଲାଭ କରିହୁଏ।
ପୁରୀ ସହରରେ ମୋର ଚାକିରି ଆରମ୍ଭ ସମୟର କଥା ଉଲ୍ଲେଖ କରୁଛି। ଆମେ ପ୍ରାୟ ଚାରିଜଣ ଯୁବ ଆରକ୍ଷୀ ଉପନିରୀକ୍ଷକ ପ୍ରଶିକ୍ଷଣ ସମାପ୍ତି ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ୍ କଲା ପରେ ସେ ଆମକୁ ପୁରୀ ଟାଉନଥାନା ଇନ୍ସପେକ୍ଟରଙ୍କ ପାଖକୁ ଅଧିକ ବ୍ୟାବହାରିକ ଜ୍ଞାନ ଆହରଣ ପାଇଁ ପଠାଇ ଦେଇଥିଲେ।

ଅଧିକାରୀଙ୍କ ଉପଦେଶ
ତତ୍କାଳୀନ ପୁରୀ ଟାଉନଥାନା ଇନ୍ସପେକ୍ଟରଙ୍କର ଗମ୍ଭୀର ମୁଖମଣ୍ଡଳ ଓ କଠୋର ଦୃଷ୍ଟି ଦେଖି ଆମେ ସାମାନ୍ୟ ଶଙ୍କିତ ଥିଲୁ। କିନ୍ତୁ ସେ ଆମକୁ ସାମନାରେ ବସାଇ ବେଶ ସହଜ ହେବାର ଅବକାଶ ଦେଇଥିଲେ। ତାଙ୍କ ଉପଦେଶାବଳୀ ଆଜି ମଧ୍ୟ ମୋ ମନରେ ସତେଜ ଅଛି। ତାଙ୍କର ସଂକ୍ଷିପ୍ତ ଭାଷଣ ଆମ ପ୍ରତି ପ୍ରେରଣାଦାୟକ ଥିଲା ଓ କର୍ତ୍ତବ୍ୟନିଷ୍ଠ ହେବା ପାଇଁ ଆଗ୍ରହୀ କରାଇଥିଲା। ମୋର ଯାହା ମନେ ପଡୁଛି, ସେ ଆମକୁ କହିଥିଲେ, “ଦେଖ ପୁରୀରେ ସରକାରୀ ଚାକିରି, ପୁଣି ପୁଲିସରେ ନିଯୁକ୍ତି ପାଇବା ଭାଗ୍ୟର କଥା। ପୁରୀରେ ପୁଲିସର କର୍ତ୍ତବ୍ୟ ସମ୍ପାଦନର ଶୈଳୀ ଅନ୍ୟ ଜିଲ୍ଲାର କାର୍ଯ୍ୟକ୍ରମ ଅପେକ୍ଷା ଭିନ୍ନ। ଏଠି ତୁମମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ବିଭିନ୍ନ ବର୍ଗର ଭକ୍ତ, ସନ୍ଥ ତଥା ବାହାର ରାଜ୍ୟରୁ ଆସୁଥିବା ଉଚ୍ଚ ପଦାଧିକାରୀଙ୍କ ସହିତ ଭଦ୍ରତା ଓ ସମ୍ମାନ ସହିତ କାର୍ଯ୍ୟ କରିବାକୁ ପଡିବ। ସ୍ଥଳ ବିଶେଷରେ ଅନେକ ପ୍ରକାରର ଲୋକ ଠାକୁରଙ୍କ ଦ୍ୱାହି ଦେଇ କୌଣସି ନିୟମ ଓ ନିୟନ୍ତ୍ରଣକୁ ନ ମାନି ଦର୍ଶନ କରିବାକୁ ଅଡି ବସନ୍ତି। ମୁଁ ତୁମମାନଙ୍କୁ ସତର୍କ କରିଦେଉଛି, ତୁମେ ସବୁ ତାଙ୍କ ସହିତ ଯଥାସମ୍ଭବ ଭଦ୍ରତା ଓ ସମ୍ଭ୍ରମତା ରକ୍ଷା କରି ବୁଝାଇବାକୁ ଚେଷ୍ଟା କରିବ। ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ତାଙ୍କୁ ଶାନ୍ତ ରଖିବାକୁ ଚେଷ୍ଟା କରିବ। ଅନ୍ତତଃପକ୍ଷେ ଡ୍ୟୁଟି ତଦାରଖ ପାଇଁ ମୁତୟନ ଥିବା ଉଚ୍ଚ ପଦସ୍ଥ ଅଫିସର ଘଟଣାସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ତୁମକୁ ପରିସ୍ଥିତି ସମ୍ଭାଳିବାକୁ ପଡିବ। ଅବଶ୍ୟ ସବୁବେଳେ ଏପରି ପରିସ୍ଥିତି ଆସିବ ନାହିଁ। ଶ୍ରୀଜୀଉଙ୍କର ରଥଯାତ୍ରା ଦୁଇ ମାସ ଛାଡିଦେଲେ ଅନ୍ୟ ସମୟରେ ତୁମକୁ ସବୁ ଅସାମାଜିକ, ଚୋର ଓ ଡକାୟତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ। ପୁରୀ ନୀଳାଚଳ କ୍ଷେତ୍ର ହେଲେ ମଧ୍ୟ ଏଠି ଅପରାଧୀ ଓ ଅପରାଧ ଘଟାଉଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ।” ଅଳ୍ପ ସମୟ ନୀରବ ରହିବା ପରେ କହିଲେ, “ତୁମେ ସବୁ କାର୍ଯ୍ୟକ୍ଷେତ୍ରରେ ସୁନାମ ଅର୍ଜନ କର, ମୋର ଶୁଭେଚ୍ଛା ତୁମ ସହ ଅଛି।”
ଟାଉନ ଇନ୍ସପେକ୍ଟରଙ୍କର ଅଫିସରୁ ବାହାରି ଆସିବା ବେଳେ ଆମ ସମସ୍ତଙ୍କ ମୁହଁରୁ ହସ ଲିଭିଯାଇଥିଲା। ଅନ୍ୟମାନେ କିଏ କ’ଣ ଭାବୁଥିଲେ ମୁଁ କହିପାରିବି ନାହିଁ, କିନ୍ତୁ ମୋର ମାନସିକ ଉଦ୍‌ବେଗ ମଧ୍ୟରେ ଗୋଟିଏ ଆଶ୍ୱାସନାର ବିଷୟ ମୁଁ ଭାବୁଥିଲି ଯଦି କିଛି ଅସୁବିଧାଜନକ ପରିସ୍ଥିତିରେ ପଡେ ତା’ହେଲେ ଟାଉନ ଇନ୍ସପେକ୍ଟରଙ୍କ ପରି ଜଣେ ବହୁଦର୍ଶୀ ଅଫିସରଙ୍କର ଉପଦେଶ ନିଶ୍ଚିତ ଭାବରେ ନେବି। ଇନ୍ସପେକ୍ଟର ଅଫିସରେ କାର୍ଯ୍ୟରତ ପ୍ରଧାନବାବୁ ଆମ ସମସ୍ତଙ୍କର ପଛେ ପଛେ ଆସିଥିଲେ। ଆମମାନଙ୍କର ଚିନ୍ତିତ ମୁଖଭଙ୍ଗୀ ଦେଖି ତାଙ୍କ ମୁହଁରେ ସ୍ମିତହାସ୍ୟ ଫୁଟି ଉଠିଥିଲା।
ବାବାଜିଙ୍କ ପ୍ରତି ଆଚରଣ
ସମସ୍ତେ ଟାଉନଥାନା ସଂଲଗ୍ନ ଚା’ ଦୋକାନ ସାମ୍ନାରେ ଠିଆ ହୋଇ କଥାବାର୍ତ୍ତା କରୁଥିଲୁ। ଆମ ସାଙ୍ଗରେ ଟ୍ରେନିଂ ନେଇଥିବା ରେଡିବାବୁ କହିଥିଲେ “ମୁଁ ଜାଣିଛି ଭାଇ ଏ ସାଧୁ ସନ୍ଥ ବାବାଜିମାନଙ୍କ ମଧ୍ୟରୁ ଜଣେ ଜଣେ ଭାରି ଏକଜିଦିଆ। ଦିଅଁଦର୍ଶନ ପାଇଁ ଭିଡ଼ ନିୟନ୍ତ୍ରଣ ଓ ପୁଲିସ ବ୍ୟବସ୍ଥାକୁ ମାନିବେ ନାହିଁ। ଶେଷକୁ ବଳ ପ୍ରୟୋଗ କରିବାକୁ ପୁଲିସକୁ ବାଧ୍ୟ କରିବେ।” ଆମର ଏପରି କଥାବାର୍ତ୍ତା ଶୁଣି ହାବିଲଦାର ପ୍ରଧାନବାବୁ ଆମ ପାଖକୁ ଆସି କହିଲେ, “ରେଡି ସାର ଯାହା କହିଲେ ଠିକ କଥା, କିନ୍ତୁ ଆପଣମାନେ ଏପରି ସାଧୁ, ସନ୍ଥ ଓ ଦର୍ଶନାଭିଳାଷୀଙ୍କ ପ୍ରତି କୌଣସି ପ୍ରକାର ଅଶୋଭନୀୟ ଆଚରଣ ଦେଖାଇବେ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ଜଣେ ଅତି ସିଦ୍ଧ ପୁରୁଷ ଅଛନ୍ତି ଆଜ୍ଞା। ଯାହା ତାଙ୍କ ପାଟିରୁ ବାହାରିବ ତାହା ଫଳିଯିବ। ମୋର ଏହି ଟାଉନ ଥାନାରେ କୋଡିଏ ବର୍ଷ ହୋଇଗଲାଣି। ଏପରି କେତୋଟି ଘଟଣା ଦେଖିଛି ବୋଲି ଆପଣଙ୍କୁ କହୁଛି। ତେବେ ଆପଣମାନେ ସମସ୍ତେ ଭଦ୍ର ଓ ଉଚ୍ଚ ଶିକ୍ଷିତ, ଟିକେ ସତର୍କ ହୋଇ ଡ୍ୟୁଟି କଲେ କିଛି ଅସୁବିଧା ହେବ ନାହିଁ।”
ଅନେକ ପ୍ରକାରର ଆଶା ଓ ଆଶଙ୍କା ମଧ୍ୟରେ ମୋର ପୁରୀ ଟାଉନ ଥାନାରେ ଗୋଟିଏ ବର୍ଷ ବିତିସାରିଥିଲା। ଦ୍ୱିତୀୟ ବର୍ଷରେ ରଥଯାତ୍ରା ଆରମ୍ଭ ହେବାର କେତୋଟି ମାସ ଆଗରୁ ମତେ ଟାଉନ୍‌ର ଟ୍ରାଫିକ ନିୟନ୍ତ୍ରଣର ଦାୟିତ୍ୱ ନେବାକୁ ପଡିଥିଲା। ଏହା ଏକ ଗୁରୁଦାୟିତ୍ୱ ଥିଲା। ସେତେବେଳେ ପୁରୀ ଟାଉନ୍‌ଥାନା ଛଡା କେବଳ ସମୁଦ୍ରକୂଳ ଥାନା ଥିଲା। ବସ୍ତୁତଃ ପୁରୀ ସହରର ସମସ୍ତ ଟ୍ରାଫିକ ପୋଷ୍ଟକୁ ଟାଉନ ଥାନାର ଟ୍ରାଫିକ ଅଫିସର ନିୟନ୍ତ୍ରଣ କରିବାକୁ ପଡୁଥିଲା। ମୋ ଅଧୀନରେ ସାତ ଜଣ ଟ୍ରାଫିକ ହାବିଲଦାର ଓ ପଇଁତିରିଶ ଜଣ କନେଷ୍ଟବଳ କାର୍ଯ୍ୟରତ ଥିଲେ। ଏତେ ସଂଖ୍ୟକ ଷ୍ଟାଫ ଜଣା ପଡୁଥିଲେ ମଧ୍ୟ ପୁରୀ ସହର ପାଇଁ ରଥଯାତ୍ରା ଓ ଭିଆଇପିଙ୍କର ଗସ୍ତ ସମୟରେ ଟ୍ରାଫିକ ଷ୍ଟାଫ ନିଅଣ୍ଟ ହେଉଥିଲେ। ସବୁ ବର୍ଷ ରଥଯାତ୍ରା ସମୟରେ ବହିରାଗତ ଯାତ୍ରୀମାନଙ୍କର ସୁରକ୍ଷା, ଗମନାଗମନର ସୁବିଧା କରିବା ଛଡା ଯାନବାହନ ଓ ଜନଗହଳି ନିୟନ୍ତ୍ରଣ ପୁରୀ ଟାଉନ ପୁଲିସ ପାଇଁ ଏକ ବିରାଟ ଆହ୍ୱାନ ଥିଲା।
କଡା ଟ୍ରାଫିକ୍ ବ୍ୟବସ୍ଥା
ସେ ସମୟରେ ରଥଯାତ୍ରା ବେଳେ ମରିଚକୋଟ ଛକଠାରେ ଏକ ଶକ୍ତ ଓ ବଡ ଧରଣର ଟ୍ରାଫିକ ବ୍ୟାରିକେଡ୍ ଲଗାଇ ଦିଆଯାଉଥିଲା। ଏହି ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହନ ଯିବାକୁ ଅନୁମତି ନ ଥିଲା। ଏପରିକି ସାଇକେଲକୁ ମଧ୍ୟ ରଖି ସମସ୍ତଙ୍କୁ ଚାଲିଚାଲି ଯିବାକୁ ପଡିଥାଏ। ଯେହେତୁ ଏହି ଛକଟି ଟ୍ରାଫିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ, ଏଠାରେ ଡ୍ୟୁଟି ଚବିଶ ଘଣ୍ଟା ପର୍ଯ୍ୟନ୍ତ ଥାଏ। ସେଠାରେ ଗୋଟିଏ ଛୋଟ ଟ୍ରାଫିକ ଟେଣ୍ଟ ପଡିଥାଏ। ତା’ ଭିତରେ ଗୋଟିଏ ଛୋଟ ଖଟ, କେତୋଟି ଫୋଲ୍‌ଡିଂ ଚେୟାର ସହିତ ପିଇବା ପାଣି ଓ ଫାଷ୍ଟଏଡ୍‌ର ମଧ୍ୟ ବ୍ୟବସ୍ଥା ମଧ୍ୟ ଥାଏ। ରଥଯାତ୍ରା ଅର୍ଥାତ ଶ୍ରୀଗୁଣ୍ଡିଚାର ଦୁଇଦିନ ଆଗରୁ ଆମକୁ ବିଶେଷ ସାବଧାନ ରହିବାକୁ ପଡିଥାଏ। ଦିନ ଓ ରାତି ଅବିଶ୍ରାନ୍ତ ଜନସ୍ରୋତ ଶ୍ରୀମନ୍ଦିର ଆଡକୁ ଚାଲିଥାଏ। ଗାଡ଼ିମୋଟର ରିକ୍ସା ଓ ସାଇକେଲକୁ ସେଠାରେ ରୋକିବା ପାଇଁ ବହୁତ ଯୁକ୍ତିତର୍କ, ଆୟାସ, ପ୍ରୟାସ କରିବାକୁ ପଡିଥାଏ।
ଆମେ ଅନେକ ଦୂରରୁ ଆସିଛୁ, ଏଠିକାର ଏହି ନୂଆ ଆଇନ ଆମେ ଜାଣିନାହୁଁ। ଆଗରୁ କାହିଁକି ଜଣାଇଲ ନାହିଁ, ଏବେ ଗାଡି କେଉଁଠି ରଖିବୁ? ଏଭଳି କେତେଗୁଡିଏ ବିଚିତ୍ର ପ୍ରଶ୍ନର ଉତ୍ତର ଆମକୁ ଦେବାକୁ ପଡିଥାଏ। ସେଥର ଡ୍ୟୁଟି କଲାବେଳେ ମତେ ଜଣାପଡୁଥିଲା ଦିନ ଅପେକ୍ଷା ରାତ୍ରିରେ ବିରାଟ ଜନସମୁଦ୍ର ଶ୍ରୀମନ୍ଦିର ଆଡେ ଆଗେଇ ଚାଲିଛି। ସାମାନ୍ୟ ଅସାବଧାନ ହେଲେ ଯଦି ଗାଡି, ମୋଟର ଗୋଟିଏ ପୁଲିସ ବ୍ୟାରିକେଡ୍ ଅତିକ୍ରମ କରିଗଲା ବଡ଼ଧରଣର ବିଭ୍ରାଟ ହୋଇଯିବାର ସମ୍ଭାବନା ଥାଏ।
ରଥଯାତ୍ରା ସମୟରେ ଟ୍ରାଫିକ ଡ୍ୟୁଟିରେ ଥିଲାବେଳେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, ସେ ବିଷୟରେ ଗୋଟିଏ ଘଟଣା ଉଲ୍ଲେଖ କରୁଛି।
ଦିନେ ମୁଁ ବ୍ୟାରିକେଡ୍ ଥିବା ରାସ୍ତା ଧାରରେ ପଡିଥିବା ତମ୍ବୁ ଭିତରକୁ ଯାଇ ଅଳ୍ପ ସମୟ ପାଇଁ ବିଶ୍ରାମ କରୁଥାଏ। ରାତ୍ରି କ୍ରମେ ଗଭୀର ହେଉଥିଲା କିନ୍ତୁ ଶ୍ରୀମନ୍ଦିର ଆଡକୁ ସମୁଦ୍ର ଲହଡି ସଦୃଶ ଯାଉଥିବା ଜନଗହଳି ଅବ୍ୟାହତ ଥିଲା। ତମ୍ବୁ ଭିତରେ ମତେ ଛାଇ ନିଦ ଲାଗିଯାଇଥିଲା। ହାବିଲଦାର ଗଫୁର ମିଆଁର ଡାକରେ ମୁଁ ଆଖି ଖୋଲି ପଚାରିଲି, “କ’ଣ ହେଲା?” “କିଛି ନାହିଁ ସାର, ଜଣେ ବାବାଜି ରିକ୍ସାରେ ପହଞ୍ଚି ବ୍ୟାରିକେଡକୁ ଅତିକ୍ରମ କରି ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ଜିଦ୍ ଧରୁଛି, ଯେତେ ବୁଝାଇଲେ ମଧ୍ୟ ତା’ର ସେଇ ଗୋଟିଏ ଜିଦ୍ ରିକ୍ସାରେ ବସି ମନ୍ଦିର ପର୍ଯ୍ୟନ୍ତ ଯିବ। ସେ ବାବାଜି ମୁଣ୍ଡରେ ଅଦ୍ଭୁତ ପ୍ରକାରର ଲମ୍ବା ଜଟ ଅଛି ସାର୍। ତାକୁ ଦେଖିବାକୁ ଲୋକମାନେ ଅଟକି ଯିବାରୁ ଭିଡ ମଧ୍ୟ ଅଧିକା ହେବାରେ ଲାଗିଛି।” ମୁଁ ହାତଘଣ୍ଟାକୁ ଚାହିଁଲି। ରାତ୍ରି ତିନିଟା ବାଜିବାକୁ ଯାଉଥିଲା।

ରହସ୍ୟାଚ୍ଛନ୍ନ ବାବାଜି
ହାବିଲଦାର ଗଫୁର ସାଙ୍ଗେ ଆସି ସେ ରିକ୍ସା ଉପରେ ବସିଥିବା ସାଧୁଙ୍କ ପାଖରେ ପହଂଚିଥିଲି। ବାବାଜିଙ୍କର ସମଗ୍ର ଶରୀରରେ ଗେରୁଆ ବସ୍ତ୍ର। ମୁଣ୍ଡରେ ଗୁଡେଇ ହୋଇଥିବା ଜଟା ମତେ ଟିକେ ଅସ୍ୱାଭାବିକ ଭାବରେ ଉଚ୍ଚା ଜଣା ପଡିଥିଲା। ଜଟା ପ୍ରାୟ ଦୁଇ ଫୁଟରୁ କିଛି ଅଧିକା ହେବ। ଶରୀର ଶୀର୍ଣ୍ଣକାୟ ଓ ସେଥିରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ। କିନ୍ତୁ ଆଖି ଦୁଇଟି ବେଶ୍ ଉଜ୍ଜ୍ୱଳ। ଡୋଳା ଦୁଇଟିର ଦୀପ୍ତି ବିସ୍ମୟକର। ମତେ ଦେଖି ବିଶୁଦ୍ଧ ହିନ୍ଦୀରେ କହିଲେ “ମୁଁ ସୁଦୂର ହିମାଳୟରୁ ଆସିଛି। ଯେଉଁ ରାମଜୀ ମତେ ଏତେ ବାଟ ଟାଣି ଆଣିଛନ୍ତି ତାଙ୍କୁ ଦର୍ଶନ ନ କରି ମୁଁ ଫେରିଯିବି କିପରି?” ଏକଥା ଶୁଣି ହାବିଲଦାର ଗଫୁର ପାଟିରୁ ବାହାରିଗଲା “ରାମଜୀ? ମହାରାଜ ଏଇଟା ଜଗନ୍ନାଥଜୀଙ୍କ ମନ୍ଦିର।” ବାବାଜୀ ଗମ୍ଭୀର ଭାବରେ କହିଲେ, “ଜାଣିଛି, ଜଗନ୍ନାଥଜୀ ହେଉଛନ୍ତି ତ୍ରେତା ଯୁଗର ରାମଜୀ, ଏଇ ଜଗନ୍ନାଥଜୀଙ୍କର ସପ୍ତମ ଅବତାର। ଏଠାରୁ ଆଉ ତ ଅଳ୍ପ ବାଟ ମୋ ରିକ୍ସାକୁ ଟିକେ ଯିବାକୁ ଦିଅ। ମୁଁ କଥା ଦେଉଛି, ଦର୍ଶନ ସାରି ସାଙ୍ଗେ ସାଙ୍ଗେ ଫେରି ଆସିବି।” ମୁଁ ଧୀର ଭାବରେ କହିଥିଲି “ସାଧୁଜୀ ସବୁ ପ୍ରକାର ଲୋକଙ୍କର ଦର୍ଶନର ସୁବିଧା ପାଇଁ, ଏଠାରୁ ଆଗକୁ କୌଣସି ଯାନବାହନ ଛଡାଯାଉନାହିଁ। ଆପଣ ଦୟାକରି ଏଠାରେ ରିକ୍‌ସାରୁ ଓହ୍ଲାଇ ଚାଲି ଚାଲି ଯାଇ ଠାକୁରଙ୍କୁ ଦର୍ଶନ କରନ୍ତୁ। ଏଠାରୁ ଶ୍ରୀମନ୍ଦିର ଅଳ୍ପଦୂର। ଆପଣଙ୍କ ରିକ୍ସାକୁ ଏଠାରୁ ଛାଡିବା ବ୍ୟତୀତ ଆଉ ଯେକୌଣସି ପ୍ରକାରର ସହାୟତା ଦେବାକୁ ଆମେ ପ୍ରସ୍ତୁତ,” ମୁଁ କହିଥିଲି। “କିନ୍ତୁ ମୁଁ ଯିବି କିପରି?” ବାବାଜି ମତେ ପୁଣି ପଚାରିଥିଲେ। “ଚାଲିକରି ଯିବେ। ଅଗଣିତ ଆବାଳ ବୃଦ୍ଧ ବନିତା ଆପଣଙ୍କର ଆଗରେ ଠାକୁରଙ୍କ ଦର୍ଶନ ପାଇଁ ଚାଲି ଚାଲି ଯାଉଛନ୍ତି, ଆପଣ ମଧ୍ୟ ଚାଲି ଚାଲି ଯାଆନ୍ତୁ।” ଏଥର ମୋର ସ୍ୱରରେ ବିରକ୍ତିର ସ୍ପର୍ଶ ଥିଲା। ବାବାଜି ମତେ ହାତଠାରି ସେ ବସିଥିବା ରିକ୍ସାର ଅତି ନିକଟକୁ ଡାକିଥିଲେ। ମୁଁ ରିକ୍ସା କଡରେ ପହଞ୍ଚିଥିଲି। ମତେ ଅନାଇ କହିଲେ, “ତୁମେ କହୁଛ ଚାଲି ଚାଲି ଯିବି ତ? ଏବେ ଦେଖ ଆଉ କୁହ ମୁଁ କିପରି ଚାଲି ଚାଲି ଯିବି?” ଏମିତି କହି ସେ ପାଦଠାରୁ ଅଣ୍ଟା ପର୍ଯ୍ୟନ୍ତ ଢାଙ୍କି ହୋଇଥିବା କମ୍ବଳଟା ଖସାଇ ରିକ୍ସାର ଆଲୁମିନିୟମ ପାଦାନି ଉପରେ ପକାଇ ଦେଇଥିଲେ। ତାଙ୍କର ଅଣ୍ଟାତଳର ଅନାବୃତ ଶରୀରକୁ ଦେଖି ମୁଁ ସ୍ତବ୍ଧ ହୋଇଯାଇଥିଲି। ମୁଁ ଯାହା ଦେଖିଲି, ଗୋଡ ତ ନୁହେଁ, ଗାଈ ଲାଞ୍ଜ ପରି ସରୁସରୁ ଦୁଇଟି ଅଙ୍ଗ ତଳକୁ ଲମ୍ବି ଝୁଲୁଛି। ତା’ ତଳକୁ ପାଦର ଚିହ୍ନ ବର୍ଣ୍ଣ ନାହିଁ। ଏଭଳି ବିଚିତ୍ର ଭିନ୍ନକ୍ଷମ ମୁଁ ଆଗରୁ କେବେ ଦେଖି ନ ଥିଲି। ବାବାଜୀଙ୍କର ଡାକରେ ମୁଁ ସଚେତନ ହେଲି। ଏଥର ତାଙ୍କର ସ୍ୱରରେ ଆନ୍ତରିକତା ଥିଲା, ସେ ବଡ ଦେଉଳକୁ ଲକ୍ଷ୍ୟ କରି କହିଲେ, “ଦେଖ ବାବା ତାଙ୍କରି ଡାକରାରେ ଏ ଅବସ୍ଥାରେ ମୁଁ ହିମାଳୟରୁ ଏତେ ବାଟ ପର୍ଯ୍ୟନ୍ତ ଆସିପାରିଛି। ତମେ କୁହ ଏଠାରୁ ବିନା ରିକ୍ସାରେ ଠାକୁରଙ୍କ ପାଖରେ କିପରି ପହଞ୍ଚିବି? କ’ଣ ଫେରିଯିବି?”
ଧର୍ମ ସଙ୍କଟ
ମୁଁ ବାବାଜିଙ୍କ ଭକ୍ତିର ଗୁରୁତ୍ୱ ଅନୁଭବ କରୁଥିଲେ ବି ଧର୍ମ ସଙ୍କଟରେ ପଡି ଯାଇଥିଲି। କ’ଣ କରିବି କିଛି ସ୍ଥିର କରିପାରୁ ନ ଥିଲି। ଯଦି ବାବାଜିଙ୍କୁ ରିକ୍ସା ସହ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଛାଡିଦେବି ତାହାହେଲେ ସେ ଜନସ୍ରୋତ ଉପରେ ଗୋଟିଏ ପାଲଟଣା ଡଙ୍ଗା ପରି ସହଜରେ ସମସ୍ତଙ୍କ ନଜରରେ ପଡିବେ। ସେ ପୁଲିସ ବ୍ୟାରିକେଡକୁ ଅତିକ୍ରମ କରି କିପରି ରିକ୍ସା ଉପରେ ବସି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଉଛନ୍ତି ଦେଖି ସମସ୍ତେ ବିସ୍ମିତ ହେବେ। ଉପରିସ୍ଥ ଅଫିସରଙ୍କ ନଜର ଏହା ଉପରେ ନିଶ୍ଚିତ ପଡିବ ଓ ମୋର କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନବାଚୀ ଉଠିବ। ମୋ ପ୍ରତି ବିଭାଗୀୟ ଦଣ୍ଡ ବିଧାନ ହେବାର ସମ୍ଭାବନା ମଧ୍ୟ ଥିଲା। କିନ୍ତୁ ବାବାଜିଙ୍କୁ ସେଠାରୁ ଫେରାଇବାକୁ ମୋର ସାହସ ନ ଥିଲା, ବରଂ ଦଣ୍ଡବିଧାନ ଗ୍ରହଣୀୟ।
ମୁଁ ଗଫୁରକୁ କହିଲି, “ତମେ ଏ ରିକ୍ସାର ଆଗେ ଆଗେ ଯାଇ ଯେତେ ଶୀଘ୍ର ସମ୍ଭବ ଗରୁଡ ସ୍ତମ୍ଭ ପର୍ଯ୍ୟନ୍ତ ଏ ବାବାଜିକୁ ପହଞ୍ଚାଇ ଦିଅ। ସେଠାରେ ଏହାଙ୍କୁ ଓହ୍ଲାଇ ଦେଇ ତୁରନ୍ତ ଖାଲି ରିକ୍ସା ସହିତ ଫେରି ଆସିବ। ତମେ ଫେରି ଆସିବା ପର୍ଯ୍ୟନ୍ତ ମୁଁ ବ୍ୟାରିକେଡ ପାଖରେ ତମ ଅପେକ୍ଷାରେ ଠିଆ ହୋଇଛି।” ଟିକେ ଇତସ୍ତତଃ ହୋଇ ଗଫୁର ବାବାଜୀ ବସିଥିବା ସେ ରିକ୍ସାବାଲାର ଆଗେ ଆଗେ ବାଟ କଢାଇ ଚାଲିଲା। ଅଳ୍ପ ସମୟ ମଧ୍ୟରେ ବଡଦାଣ୍ଡର ଜନସମୁଦ୍ରରେ ଗଫୁର ସହିତ ରିକ୍ସା ଓ ତା’ ଉପରେ ବସିଥିବା ଅତି ଉଚ୍ଚା ଜଟଥିବା ବାବାଜୀ ଅଦୃଶ୍ୟ ହୋଇଯାଇଥିଲେ।
ମୁଁ ବ୍ୟାରିକେଡ୍ ଆଗରେ ଠିଆ ହୋଇ ମନେ ମନେ ସମୟର ଆକଳନ କରୁଥିଲି। ସାଧାରଣ ଭାବରେ ମରିଚକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଗଲେ ପ୍ରାୟ ପନ୍ଦର ମିନିଟ୍ ଲାଗେ। ଏହି ହିସାବରେ ଗଫୁର ସେଠାରେ ପହଞ୍ଚି ଖାଲି ରିକ୍ସା ସହ ଫେରିବାକୁ ଅଧ ଘଣ୍ଟା ଲାଗିଯାଇପାରେ। ଲୋକଙ୍କର ଭିଡ ହେତୁ ଅତି ବେଶିରେ ଚାଳିଶ ମିନିଟ୍ ଲାଗିବା କଥା। ମୁଁ ଘଡିକୁ ଚାହିଁଲି, ରାତି ସାଢ଼େ ତିନିଟା। ମନେ ମନେ ହିସାବ କଲି ଗଫୁର ରିକ୍ସା ସହିତ ଖୁବ ହେଲେ ଚାରିଟା ବାଜି ପନ୍ଦର ମିନିଟ ସୁଦ୍ଧା ଫେରି ଆସିବା କଥା। ଅପେକ୍ଷା କରି କରି ଭୋର ଚାରିଟା ବାଜିଲା, କ୍ରମେ ସାଢ଼େ ଚାରିଟା ଟପି ପାଞ୍ଚଟା ବାଜିବାକୁ ଗଲା। ଏତେ ଡେରି ହେବା ଦେଖି ମୋ ମନରେ ଆଶଙ୍କା ଓ ଉଦ୍‌ବେଗ ଲହଡି ଭାଙ୍ଗୁଥିଲା। କିଛି ଅଘଟଣ ହେଲା କି? ଯାହା କିଛି ହେଲେ ଗଫୁର ଆସି ମତେ ଜଣାଇଥାନ୍ତା। ସେ ମଧ୍ୟ ସେଠି ରହିଗଲା? ବ୍ୟାରିକେଡ ଛାଡି ଆଗକୁ ଯାଇ ଗଫୁରର ଫେରିବା କାହିଁକି ବିଳମ୍ବ ହେଲା ବୁଝିବା ଆଦୌ ସମ୍ଭବ ନ ଥିଲା। ଦର୍ଶକଙ୍କ ଭିଡ ମଧ୍ୟ କ୍ରମେ ବଢ଼ୁଥିଲା। ମୋର ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ଉପରେ। ହଠାତ୍ ଦୂରରୁ ଦେଖିଲି ଆଗରେ ଗଫୁର। ତା’ ପଛରେ ସେଇ ରିକ୍ସା ଓ ସେଥିରେ ସେଇ ବାବାଜୀ ବସିଛି। ବ୍ୟାରିକେଡ ପାଖରେ ଗଫୁର ସେମାନଙ୍କୁ ନେଇ ପହଞ୍ଚିବା ପରେ ମୋର ଉଦ୍‌ବେଗ କ୍ରୋଧରେ ପରିଣତ ହୋଇଗଲା। ମୁଁ ତାକୁ ରାଗରେ କହିଥିଲି, “ଗଫୁର ମିଆଁ ତମେ ତମର ଚାକିରିଟା ତ ହରାଇବ, ତା’ ସାଙ୍ଗରେ ମୋର ଚାକିରିଟା ବି ନେବ। ମୁଁ ତୁମକୁ ଗରୁଡ ସ୍ତମ୍ଭ ପାଖରେ ସେ ବାବାଜିକୁ ଓହ୍ଲାଇ ଦେଇ ତୁରନ୍ତ ଫେରି ଆସିବାକୁ କହିଥିଲି। ଘଣ୍ଟାଏ ପରେ ତାକୁ ସେଇ ରିକ୍ସାରେ ବସାଇ ପୁଣି ଏତେ ଭିଡ ଭିତରେ ଫେରୁଛ? ଏ ପ୍ରକାରର ଦାୟିତ୍ୱହୀନ କାମ ତମେ କରିବ ବୋଲି ମୁଁ ଆଶା କରି ନ ଥିଲି।”
ଗଫୁର ସେ ରିକ୍ସାବାଲାକୁ ସେଠାରେ ଅଟକାଇ ଦେଇ ମତେ କହିଥିଲା, “ସାର ମୋ କଥାଟା ଟିକେ ଶୁଣନ୍ତୁ। ମୁଁ ସେ ବାବାଜିର ରିକ୍ସା ସହିତ ଗରୁଡ ସ୍ତମ୍ଭ ପାଖରେ ପହଂଚିଛି କି ନାହିଁ, ଦୁଇଟା ମୋଟାସୋଟା ପଣ୍ଡା କୁଆଡୁ ଦୌଡି ଆସିଲେ। ଜଣେ ମୋ ରିକ୍ସା ପାଖରେ ଠିଆ ହେଲା ଓ ଆର ଜଣକ ବାବାଜିକୁ କାନ୍ଧରେ ଟେକି ନେଇ ବାଇଶ ପାହାଚ ଉପରେ ଖେପାମାରି ମନ୍ଦିର ଭିତରକୁ ପଶିଗଲା। ମୁଁ ସେ ରିକ୍ସାବାଲାକୁ ଗରୁଡସ୍ତମ୍ଭ ପାଖରୁ ମୋ ସାଙ୍ଗରେ ଯେତେବେଳେ ଫେରିଯିବାକୁ କହିଲି, ସେଠି ଠିଆ ହୋଇଥିବା ଆର ପଣ୍ଡା ଜଣକ କହିଲା “ଆଜ୍ଞା, ଆଉ ଅଳ୍ପ ସମୟ ଦର୍ଶନ, ତା’ପରେ ଠାକୁରମାନଙ୍କର ପହଡ ପଡିଯିବ। ବାବାଜୀଙ୍କୁ ଦର୍ଶନ କରାଇ ସାଙ୍ଗେ ସାଙ୍ଗେ ମୋ ଭାଇ ପହଞ୍ଚିଯିବ। ଯଦି ଏ ରିକ୍ସା ପଳେଇବ ବାବାଜୀ ବିଚରା ଫେରିବ କେମିତି? ସେ ଏତେ ଅନୁନୟ ବିନୟ ହୋଇ କହିଲେ ଯେ, ମୁଁ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲି। ଅଳ୍ପ ସମୟ ପରେ ବାବାଜୀଙ୍କୁ କାନ୍ଧରେ ନେଇ ଆର ପଣ୍ଡା ଜଣକ ପହଞ୍ଚିଥିଲେ। ଗୋଟିଏ ବଡ ତାଳପତ୍ର ପେଟିରେ ଭୋଗ ମଧ୍ୟ ଆଣିଥିଲେ। ସେ ବାବାଜିଙ୍କୁ ରିକ୍ସାରେ ବସାଇ ଭୋଗକୁ ତାଙ୍କ କୋଳରେ ରଖିବା ସାଙ୍ଗେ ସାଙ୍ଗେ ମୁଁ ରିକ୍ସା ସହ ପହଞ୍ଚୁଛି।”
ପଣ୍ଡାମାନଙ୍କ ବାବାଜୀ ସେବା
ଗଫୁରର ସ୍ପଷ୍ଟୀକରଣ ଉପରେ ମୋର ବିଶ୍ୱାସ ଆସୁ ନ ଥିଲା। ମୁଁ ତାକୁ କହିଲି, “ତମେ କହିବାକୁ ଚାହୁଁଛ ଯେ ବିନା ଦକ୍ଷିଣାରେ ସେ ପଣ୍ଡା ବାବାଜୀଙ୍କୁ ମନ୍ଦିରକୁ ଟେକି ନେଇ ଦର୍ଶନ କରାଇ ଭୋଗ ସହିତ ଆଣି ପୁଣି ରିକ୍ସାରେ ବସେଇଦେଲା?” ଗଫୁର କହିଲା “ସାର୍ ମୋ କଥା ଯଦି ବିଶ୍ୱାସ ହେଉନି, ତାହେଲେ ସେ ରିକ୍ସାବାଲାକୁ ପଚାରନ୍ତୁ।” ଯାହା ହେଉ ରିକ୍ସାଟି ବ୍ୟାରିକେଡ ବାହାରକୁ ଆସିଯାଇଛି ଦେଖି ମୁଁ ମନେ ମନେ ଆଶ୍ୱସ୍ତ ହେଉଥିଲି। ମୁଁ ସେ ରିକ୍ସାବାଲାକୁ ଚାହିଁବାରୁ ସେ କହିଲା, “ଆଜ୍ଞା ମୁଁ ଗରୁଡ ସ୍ତମ୍ଭ ପାଖରେ ରିକ୍ସାଟି ରଖିଚି କି ନାହିଁ, ଦି’ଟା ପଣ୍ଡା କୁଆଡୁ ଦୌଡି ଆସିଲେ। ବାବାଜୀ ସାଙ୍ଗେ ପଦେ ବି କଥାବାର୍ତ୍ତା କରିନାହାନ୍ତି, ଜଣେ ମୋ ରିକ୍ସା ହ୍ୟାଣ୍ଡେଲକୁ ଧରି ଠିଆ ହେଲା ଓ ଆଉ ଜଣେ ବାବାଜିକୁ ଛୋଟ ପିଲାଙ୍କ ପରି ଟେକି ନେଇ ମନ୍ଦିର ଭିତରକୁ ପଶିଗଲା। ମତେ ବି ଆଶ୍ଚର୍ଯ୍ୟ ଲାଗୁଥିଲା। ମୁଁ ଯେତେବେଳେ ମୋର ରିକ୍ସାର ହ୍ୟାଣ୍ଡଲ ଧରିଥିବା ପଣ୍ଡାକୁ ପଚାରିଲି, ‘ମୋ ଭଡା କିଏ ଦେବ?’ ସେ ମତେ ପଚାରିଲା, ‘ଭଡ଼ା କେତେ?’ ମୁଁ କହିଥିଲି ଷ୍ଟେସନରୁ ମନ୍ଦିର କୋଡିଏ ଟଙ୍କା, ସେ ସାଙ୍ଗେ ସାଙ୍ଗେ ଅଣ୍ଟାରୁ ଦୁଇଟି କୋଡିଏ ଟଙ୍କିଆ ନୋଟ କାଢ଼ି ମୋର ରିକ୍ସା ସିଟ୍ ଉପରେ ରଖି ଦେଇଥିଲା। ସେମାନେ ଦୁଇଜଣ ବାବାଜୀଙ୍କୁ ଆଣି ରିକ୍ସା ଉପରେ ବସାଇ, ଭୋଗ କୁଡୁଆ ରଖି ସାଙ୍ଗେ ସାଙ୍ଗେ କୁଆଡେ ପଳେଇଲେ।”
ମୋର ଚାରିପଟେ ବିସ୍ମୟର କୁହୁଡି କ୍ରମେ ଗାଢ ହେଉଥିଲା, ମୁଁ ବାବାଜୀଙ୍କୁ ପଚାରିଥିଲି, “ଆପଣ ସେ ପଣ୍ଡାମାନଙ୍କୁ ଆଗରୁ ଚିହ୍ନିଛନ୍ତି? କେତେ ପଇସା ଦକ୍ଷିଣା ଦେଲେ?” ବାବାଜୀ ମତେ ଚାହିଁଲେ। ମୁଁ ଅନୁଭବ କରୁଥିଲି ତାଙ୍କ ମୁହଁରେ ଆନନ୍ଦର ଜୁଆର। ସେ କହିଲେ, “ଆରେ ସାହାବ ମୁଁ କପର୍ଦ୍ଦକ ଶୂନ୍ୟ ବାବାଜି ଲୋକ, ମତେ କିଏ ଚିହ୍ନିବ? ଆଉ ମୋ ପାଖରେ ପଇସା ନାହିଁ? ଯିଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଅଧିକାରୀ ତାଙ୍କୁ ମୁଁ କ’ଣ ଦେଇପାରିବି? ଦେଖନ୍ତୁ ଯିଏ ମତେ ହିମାଳୟର ଗୌରୀକୁଣ୍ଡରୁ ଏ ପର୍ଯ୍ୟନ୍ତ ଆଣି ଦର୍ଶନ ଦେଇ ଭୋଗ ପ୍ରସାଦ ମଧ୍ୟ ଦେଇଛନ୍ତି, ଇଏ ତ ପ୍ରତ୍ୟକ୍ଷ ମୂର୍ତ୍ତି, ଭକ୍ତପ୍ରାଣ, ଅନ୍ତର୍ଯାମୀ ଓ ଭାବଗ୍ରାହୀ।” ତା’ପରେ ସେ ରିକ୍ସା ସିଟ୍ ଉପରେ ବସିଥିବା ଅବସ୍ଥାରେ ଘୂରିପଡି ଶ୍ରୀମନ୍ଦିର ଦିଗକୁ ଚାହିଁ ଯୋଡ ହସ୍ତରେ ପ୍ରଣାମ କରି ବଡ ପାଟିରେ କହିଥିଲେ, “ମୋତେ ଆଉ କିଛି ଲୋଡ଼ାନାହିଁ ପ୍ରଭୁ! ମତେ କିଛି…” ଶେଷ ଆଡକୁ କୋହରେ ବାବାଜୀଙ୍କର କଣ୍ଠରୁଦ୍ଧ ହୋଇଯାଇଥିଲା। ମୁଁ ଦେଖିଲି ବାବାଜିଙ୍କର ଦୁଇ ଆଖିରୁ ଲୁହର ଅବିରତ ଧାର।


(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର
 ଜୁନ, ୨୦୨୩ ସଂଖ୍ୟାରେ ପ୍ରକାଶିତ।)

6 thoughts on “ହିମାଳୟର ଜଣେ ସନ୍ଥଙ୍କର ଶ୍ରୀମନ୍ଦିର ଦର୍ଶନ

  1. ଶ୍ରୀମନ୍ଦିର ଦର୍ଶନ ଶୀର୍ଷକ ରଚନାଟି ମନକୁ ଛୁଇଁଲା।

  2. ଜୟ ଜଗନ୍ନାଥ। ଜଗନ୍ନାଥଙ୍କ ବ୍ୟତୀତ କିଏ କରିବା ଏ ସବୁ ଲୀଳା।ଜୟ ଜଗନ୍ନାଥ

  3. ବହୁତ ସୁନ୍ଦର ବର୍ଣ୍ଣନା। ଜଗନ୍ନାଥଙ୍କ ମହିମା ଅବର୍ଣ୍ଣନୀୟ। ବିଶ୍ୱାସେ ମିଳଇ ହରି ! ପାଠକୀୟ
    ସମ୍ବେଦନ ବହୁତ ଉଚ୍ଚ ସ୍ତରୀୟ। ପଢ଼ିସାରି ମତେ ବହୁତ ପ୍ରେରଣା ଅନୁଭୂତ ହେଲା। ଜୟ ଜଗନ୍ନାଥ!

  4. ଶୁଭେନ୍ଦୁ ରଞ୍ଜନ ନାୟକ, ଭୁବନେଶ୍ୱର says:

    🛐ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଲୀଳା, ଧନ୍ୟ ପ୍ରଭୁ ଧନ୍ୟ ତୁମ ମହିମା. ଭକ୍ତ ପାଇଁ ତୁମେ ହିଁ କେବଳ ମାନବ ରୂପ ଧାରଣ କରିପାର.

  5. ସବୁ ତାଙ୍କରି କ୍ରୃପା। ଜୟ ଜଗନ୍ନାଥ।

  6. I read this article. Is it based on a true incident or an imaginary story? We as readers have to believe it as imaginary. It cannot be factual. The writer must declare whether it is based on his personal experience or not. Should it be autobiographical writing? We have to appreciate it as a story. The references to specific persons are to be verified.
    Jay Jagannath 🙏

Leave a Reply

Your email address will not be published. Required fields are marked *