ମୁଁ ପଢ଼େ ସେମାନଙ୍କ କବିତା

ହଁ, ୟୁରୋପ ଓ ଆମେରିକାର କବିଙ୍କୁ ମୁଁ ପଢ଼ି ଆସିଚି ଏଯାଏଁ, ଭାବି ଆସିଚିଯେ ଏଇମାନେହିଁ ଆଧୁନିକ ବିଶ୍ବରେ କବିତାର ସ୍ୱର ଓ ସ୍ଵାକ୍ଷର ପ୍ରତିଷ୍ଠିତ କରିଚନ୍ତି l କିନ୍ତୁ ପାଇଚି କଣ ? ଜଣେ ଭାରତୀୟ କବି, ବିଶେଷତଃ ଜଣେ ଓଡ଼ିଆ କବିର ବାସ୍ତବତା ଓ କଳ୍ପନାକୁ କାବ୍ୟଭାଷା ଦେବାର କଳା ଏଥିରେ ନାହିଁତ ! ତେବେ ଏ କବିତା ମୋ ପାଇଁ ସମକାଳୀଳ ଆଧୁନିକତାର ମାନକ ସିଦ୍ଧ ହେବ କାହିଁକି ? ମୋର ଆଧୁନିକତା ଭାରତୀୟ ଓ ଓଡ଼ିଆ ବାସ୍ତବତା, ସ୍ଥାନୀୟତା ଓ ଜୀବନଧାରାର ବିଶ୍ଵରୂପ !

ହରପ୍ରସାଦ ଦାସ

ମୁଁ ପଢ଼େ ସେମାନଙ୍କ କବିତା
ଯେତେବେଳେ ମେଘ ଢାଙ୍କିଦିଏ ସବୁତକ ତାରା ଆକାଶରେ,
ବର୍ଷା କଚାଡେ, ଝଡ଼ତୋଫାନରେ ଉପୁଡ଼ିଯାଏ ମହୀରୂହ,
ଉହୁଁକି ଆସେ ସମୁଦ୍ର,
ନିଶ୍ଚିହ୍ନ ହୋଇଯାନ୍ତି ଗାଁ ପରେ ଗାଁ
ଯେତେବେଳେ ଚାପାସ୍ୱରରେ ବ୍ୟଥା କହେ କଥା ଓ କବିର ପଥର ଆଖିରେ ମାଡ଼ିଯାଏ ଶିଉଳି, ଯେତେବେଳେ
ନଦୀରେ ବଉଳି ଉଠନ୍ତି ମାଛ ସମୁଦ୍ରର ଓ
ବନ୍ଦ ହୋଇଯାଏ ପ୍ରାଚୀନ ମୁହାଣ,
ଚେଇଁଉଠନ୍ତି ଅସଂଖ୍ୟ ମୃତ ନଦୀବନ୍ଦର
ଅମାବାସ୍ୟାର ଜୀବନ୍ତ ଅନ୍ଧାରରେ !

ମୁଁ ପଚାରେ ସେମାନଙ୍କୁ
କାଇଁକି ତାଙ୍କର କବିତା ଏତେ କାଠ,
କାଇଁକି ତାଙ୍କ କବିତାରେ ଲୁହ ନାହିଁ କି ଲହୁ ନାହିଁ,
କାହିଁକି ତାଙ୍କ କବିତାରେ ମତେ ଦିଶେନି
ବାନା ଭଳି ଉଡୁଥିବା ଦୂରର ସମୁଦ୍ର ଓ ଯୋଡ଼ହସ୍ତ ପର୍ବତ
କାଇଁକି ତାଙ୍କ ନିଆଁ ହଳଦିଆ, ପାଣି ଧଳା
କାଇଁକି ତାଙ୍କର ରାସ୍ତାରେ ଧୂଳି ନାହିଁକି ଧୂଆଁ ନାହିଁ ଚୂଲିରେ
ତାଙ୍କ ପଦରେ ଯତି ପଡ଼େନି କାଇଁକି,
ରଣଝଣ ହୋଇ ବାଜେନି କାଇଁକି ତାଙ୍କ କବିତାର ନୁପୂର
ରାଗ ଆଶାବରୀରେ ?
ଅବଗୁଣ୍ଠନରେ ରହେନି କାଇଁକି ତାଙ୍କ କବିତାର ଚନ୍ଦ୍ରମା ?
ବ୍ରହ୍ମାଣ୍ଡ କାଇଁକି ଦିଶେନି ତାଙ୍କ କବିତାର ଅବୋଧ ଆଁ ରେ?

    ତାଙ୍କର ତର୍କର ଦୂରଗାମୀ ଟ୍ରେନ ଷ୍ଟେସନ ଛାଡ଼େ, ସେମାନେ କବିତା ନାଁରେ ଭଙ୍ଗାରୁଜା କବିତାର ଧାତୁ ଓ ଶବ୍ଦର ଯୁଦ୍ଧାସ୍ତ୍ର ନେଇ ବାହାରନ୍ତି ଦିଗବିଜୟରେ,

କାହିଁକି ସେମାନେ ବୁଝନ୍ତି ନାହିଁ କବିତାର କାୟା ତିଆରିହୁଏ ଶିଶିରରେ,
ବିଜୟୀ ନୁହେଁ, ବିଜିତ ହିଁ ରହେ ସବୁବେଳେ
କବିତାର ଆତ୍ମାରେ,
ରହେ ଗୋଟେ ରୁଗ୍ଣ, ଦରିଦ୍ର, ଅସହାୟ, ମଣିଷର
କଳି ତକରାଳ
ଡାହାଣିଆ ଖରା ଭଳି ନୁଆଁଣିଆ ଛାତରୁ ଖସିଖସି ଯାଉଥିବା
ଭାଗ୍ୟ ସାଙ୍ଗରେ !
ରହେ ଟୋପେ ଲୁହ, ଟୋପେ ଲହୁ
ତର୍କର ତୁଷାର ସାମ୍ରାଜ୍ୟରେ ନୁହେଁ
ତର୍କହୀନ ପାଉଁଶର ଅନିବାର୍ଯ୍ୟତାରେ !

ତାଙ୍କ କବିତାରୁ ବିଦାୟ ନେଇ
ମୁଁ ଫେରେ ଖାଲିହାତରେ

ସେତେବେଳକୁ ଛାଡ଼ିଯାଇଥାଏ ବର୍ଷା, ଫେରିଯାଇଥାଏ ସମୁଦ୍ର
କାଦୁଅ ଚକଟି ତିଆରି ହେଉଥାଏ ନୂଆ ଗାଁ
କାନ୍ଦିକାନ୍ଦି ବସିଯାଇଥିବା ସ୍ୱର ଫିଟୁଥାଏ ନିଶାର
କମି ଯାଇଥାଏ ବ୍ୟଥା
ନଦୀମାଛ ଫେରିଯାଇଥାନ୍ତି ସମୁଦ୍ରକୁ
ଖୋଲିଯାଇଥାନ୍ତି ସବୁ ମୁହାଣ
ଜାକିଜୁକି ହୋଇ ଶୋଇପଡ଼ିଥାନ୍ତି ନଦୀବନ୍ଦର
ସକାଳର ଉଷୁମ ପାଣିଚିଆ ଖରା ଧୋଇନେଇଥାଏ
ପଥରେଇ ଯାଇଥିବା କବି ଆଖିରୁ ଶିଉଳି
ତରଳୁଥାଏ ପଥର !

3 thoughts on “ମୁଁ ପଢ଼େ ସେମାନଙ୍କ କବିତା

  1. ଭାରତ ତଥା ଓଡ଼ିଶାର ବାସ୍ତବତା, ସ୍ଥାନୀୟତା ଓ ଜୀବନଧାରାର ବିଶ୍ଵରୂପ ହିଁ ଆମପାଇଁ ଆଧୁନିକତା – ମୁଁ ବରେଣ୍ଯ କବି ଓ ଚିନ୍ତକ ହରପ୍ରସାଦଙ୍କ ସହ ଏକମତ। ଆଧୁନିକତାର ଏ ପରିବର୍ତ୍ତିତ ପରିଭାଷା ଉତ୍ତର-ଉପନିବେଶୀ ଭାବନା, ଯାହାକି ଆମ ଜୀବନ ଓ କଳା ପାଇଁ ଅବଶ୍ଯାମ୍ଭାବୀ ଦୃଷ୍ଟିଭଙ୍ଗୀ। ଧନ୍ଯବାଦ।

  2. କବିତାଟି ମନ ମୋହିଲା।

  3. ହୃଦୟସ୍ପର୍ଶୀ ଭାବାବେଗ ,ସୁନ୍ଦର ଭାଷା ବିନ୍ୟାସ ତଥା କବି ମନର ବ୍ୟଥାର ରାଗିଣୀ କବିତାଟିକୁ ଅତି ସୁନ୍ଦର ଓ ମନୋମୁଗ୍ଧକର । ସତେ ଯେମିତି ଛନ୍ଦମୟୀ କଳକଲ୍ଲୋଲିନି
    ପାହାଡି ଝରଣାଟିଏ ।

Leave a Reply

Your email address will not be published. Required fields are marked *