ବର୍ଷୀୟାନ୍ ଲେଖକ ଓ ଭାଷାବିଜ୍ଞାନୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସହ ଆଳାପ

” ମୁଁ ‘ନୀର ପାନ କରିବି,’ ଅପେକ୍ଷା ‘ପାଣି ପିଇବି ‘ ବୋଲି କହିବାକୁ ଅଧିକ ପସନ୍ଦ କରିବି। “

ଡ଼. ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବୟସ ଏବେ ୭୮ ବର୍ଷ। ବିଶିଷ୍ଟ ଲେଖକ ଓ ଭାଷାବିଜ୍ଞାନୀ ରୂପେ ସେ ସୁପରିଚିତ। କେନ୍ଦ୍ର ସାହିତ୍ୟ ଏକାଡେମୀର ଭାଷା ସମ୍ମାନ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ଏହି ବର୍ଷୀୟାନ୍ ସାରସ୍ୱତ ବ୍ୟକ୍ତିତ୍ୱ, ବୃତ୍ତିରେ ଥିଲେ ଇଂଲିଶ୍ ବିଭାଗର ଅଧ୍ୟାପକ। ଏବେ ପରିଣତ ବୟସରେ ବି ସେ ସକ୍ରିୟ ଭାବରେ ରଚନା-ପ୍ରବଣ। ଏଯାଏଁ ତାଙ୍କର ଆଠଟି ଗଳ୍ପ ସଂକଳନ ଓ ଦଶଟି କବିତା ସଂକଳନ ସହିତ ସେ ଓଡ଼ିଆ ଓ ସମ୍ବଲପୁରୀ-କୋଶଳୀ ଭାଷା ସମ୍ପର୍କିତ ଅନେକ ଶବ୍ଦକୋଷ, ବ୍ୟାକରଣ ଓ ଭାଷାତାତ୍ତ୍ୱିକ ପୁସ୍ତକର ରଚୟିତା। କଟକରେ ତାଙ୍କ ବସାରେ ତା’ଙ୍କୁ ସାକ୍ଷାତ କରି ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଯେମିତି ପ୍ରାୟ ସମସ୍ତ ସାହିତ୍ୟିକଙ୍କ ଜୀବନରେ ଘଟିଥାଏ, ଆପଣଙ୍କର ସାରସ୍ୱତ ଜୀବନର ଅୟମାରମ୍ଭ ବି ହୋଇଥିଲା କବିତାରୁ। ଜଣାଯାଏ, ମାତ୍ର ୧୧ ବର୍ଷ ବୟସରେ ଆପଣ କବିତାଟିଏ ଲେଖି ଲୁଚି ଲୁଚି ଯାଇ ସ୍କୁଲ୍‌ର ନୋଟିସ୍ ବୋର୍ଡରେ ଲଗାଇ ଦେଇଥିଲେ। କ’ଣ ଥିଲା ସେଇ କବିତା ?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ବାଳୁତ ବୟସରେ ମୁଁ ଲେଖିଥିବା ସେଇ ଆଶୁ କବିତାଟିର ନାଆଁ ଥିଲା ‘ଜଳ ଅଭାବ କାହିଁକି?’
ସାହିତ୍ୟ ଚର୍ଚ୍ଚା: ଏ ଜଳ ଅଭାବ କେଉଁଠି ଘଟିଥିଲା?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ସେ ସମୟରେ ଆମେ ସ୍କୁଲ୍ ହଷ୍ଟେଲ୍‌ରେ ରହୁଥାଉଁ। ୨୦୦ ଜଣ ପିଲାଙ୍କ ପାଇଁ ଗୋଟିଏ ବୋଲି କୂଅ ଥାଏ। ଖରାଦିନେ ସେଇଟି ପ୍ରାୟ ଶୁଖିଯିବା ଅବସ୍ଥାକୁ ଆସିଗଲା। ଏହାର ପ୍ରତିକ୍ରିୟାରେ ମୁଁ ଲେଖିଲି, ‘ଜଳ ଅଭାବ କାହିଁକି?’ କବିତାର ମୂଳ କଥାଟି ଥିଲା ଯେ, ଆମେ ତ ପାଣି ନ ପିଇ ମରିଯିବୁ; ଆଉ ପାଠ ପଢ଼ିବୁ କ’ଣ? ଏଇଟି ଲେଖିବା ପରେ ଅନ୍ଧାର ରାତିରେ ଯାଇ ପ୍ରଧାନଶିକ୍ଷକଙ୍କ ଅଫିସ୍ କଡ଼ରେ ଥିବା ନୋଟିସ୍ ବୋର୍ଡରେ ଲଗେଇ ଦେଇଥିଲି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବି-ଜୀବନର କଥା ଯେତେବେଳେ ପଡ଼ିଛି, ଗୋଟିଏ କଥା ଆମେ ଏବେ ଲକ୍ଷ୍ୟ କରୁ ଯେ, ଆପଣ ଯେମିତି ଓଡ଼ିଆ ଭାଗବତର ନବାକ୍ଷରୀ ଛନ୍ଦର ପ୍ରେମରେ ପଡିଯାଇଛନ୍ତି। ଅର୍ଥାତ୍ ଏବେ ଯାହା ବି ଲେଖୁଛନ୍ତି, ନବାକ୍ଷରୀ ଛନ୍ଦରେ। ଏମିତି କାହିଁକି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ମୁଁ ଯାହା ବି ଅଳ୍ପ-ବହୁତ ଓଡ଼ିଆ ସାହିତ୍ୟ ପଢ଼ିଛି, ମୋତେ ଲାଗିଲା ଯେ ସରଳ ଭାଷାରେ ଲୋକଙ୍କୁ ବୁଝାଇବାର ଉପଯୁକ୍ତ ମାଧ୍ୟମ ହେଉଛି ଏଇଆ। କାରଣ ଓଡ଼ିଆ ଏଭଳି ଏକ ଭାଷା, ଯେଉଁଥିରେ କ୍ରିୟା ପଦର ବ୍ୟବହାର ଏକାନ୍ତ ଜରୁରୀ ନୁହେଁ। ଆମେ ବିନା କ୍ରିୟାରେ ମଧ୍ୟ ନିଜର କଥା ପ୍ରକାଶ କରିପାରିବା। ଶବ୍ଦର କ୍ରମ ନାହିଁ; କେଉଁ ପଦ ପରେ କେଉଁ ପଦ ଆସିବ ତାହାର ନିର୍ଦ୍ଦିଷ୍ଟତା ନାହିଁ। ଆପଣ କହିବେ, ‘ସୁନ୍ଦର ଅରଣ୍ୟ।’ ଏହାକୁ ‘ଅରଣ୍ୟ ସୁନ୍ଦର’ ବୋଲି ମଧ୍ୟ କହିପାରନ୍ତି। ଏମିତି ଅନେକ ନମନୀୟତା ଅଛି ଆମ ଭାଷାରେ, ଯାହା ମୁଁ ଭାଗବତର ଛନ୍ଦରେ ପାଇଲି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ଏହି ଧାରା ଅନୁସରଣ କରି ଓ ଆମ ଭାଷାର ଏହି ବିଶେଷତ୍ୱଗୁଡ଼ିକୁ ବ୍ୟବହାର କରି ଗଦ୍ୟରେ ବି ତ ଲେଖିପାରିଥା’ନ୍ତେ! ଆଜିକାଲି କେବଳ ପଦ୍ୟରେ ହିଁ ଲେଖୁଛନ୍ତି କାହିଁକି?

ପ୍ରଫୁଲ୍ଲ କୁମାର ତ୍ରିପାଠୀ: ମୁଁ ଦେଖିଲି ଯେ ଯେଉଁ ଭାବରେ ଭାଗବତ ଲେଖି ଜଗନ୍ନାଥ ଦାସ ସେ ସମୟରେ ନିଜର ମାଆ ଓ ସେ ସମୟର ନିରକ୍ଷରା ବୁଢ଼ୀମାନଙ୍କୁ ସନ୍ତୁଷ୍ଟ କରିପାରୁଥିଲେ, ସେହି ଭାଷାଟି ହିଁ ଭାବସଞ୍ଚାରର ସବୁଠାରୁ ଭଲ ମାଧ୍ୟମ।
ସାହିତ୍ୟ ଚର୍ଚ୍ଚା: ଇଂଲିଶ୍ ବିଭାଗର ଅଧ୍ୟାପକ ହୋଇ ସୁଦ୍ଧା ଆପଣ ଓଡ଼ିଆ ଓ ସମ୍ବଲପୁରୀ ଭାଷାର ଅଧ୍ୟୟନ ଓ ଗବେଷଣା ପ୍ରତି ଅଧିକ ରୁଚି ଦେଖାଇଲେ କାହିଁକି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: କାହିଁକି ନା, ଇଂଲିଶ୍ ଅଧ୍ୟାପକ ହେବା ପଛରେ ମୋ’ର ଉଦ୍ଦେଶ୍ୟ ଥିଲା, ଏହି ଭାଷାରେ ଯଦି ମୁଁ ସ୍ନାତକୋତ୍ତର ଡିଗ୍ରୀଟିଏ ହାସଲ କରିନିଏ, ତେବେ ମୋ’ର ଜୀବିକା ଉପାର୍ଜନ ପାଇଁ କୌଣସି ଅସୁବିଧା ହେବନାହିଁ। ଭାବିଲି ନିଜର ଥଇଥାନ ପାଇଁ ଇଂଲିଶ୍ ବିଭାଗର ଅଧ୍ୟାପକ ହେବାଟା ହେଉଛି ମୋ’ର ବୃତ୍ତି। ଏଥିରେ ଚାକିରି ପାଇବାରେ ବିଶେଷ ପ୍ରତିଯୋଗିତା ନାହିଁ।
ସାହିତ୍ୟ ଚର୍ଚ୍ଚା: ସେଇଟି ବୃତ୍ତି ହେଲେ, ଓଡ଼ିଆ ଭାଷା ବିଷୟରେ ଅଧ୍ୟୟନ ଓ ଗବେଷଣା ହେଉଛି ଆପଣଙ୍କର ନିଶା!
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ନିଶା ନୁହେଁ, ପ୍ରବୃତ୍ତି ବୋଲି କହିପାରନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ପୂର୍ବରୁ ଆମକୁ ଥରେ କଥା ପ୍ରସଙ୍ଗରେ କହିଥିଲେ ଯେ ଆପଣଙ୍କ ମାତୃଭାଷା ହେଉଛି ସମ୍ବଲପୁରୀ, ଏବଂ ଦ୍ୱିତୀୟ ଭାଷା ଓଡ଼ିଆ। ଏମିତି ଭାବନ୍ତି କାହିଁକି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ସତ ସେଇଟା। ମୁଁ ପିଲାଦିନେ ପ୍ରଥମ ଭାଷା ଯେଉଁଟା ଶିଖିଲି ସେଇଟା ମୋ’ର ମାଆର ଭାଷା, ମୋ’ର ବାପାର ଭାଷା, ଗାଆଁ ସାରାର ଭାଷା। ସେଇଟା ଶିଖିସାରିବା ପରେ ମୁଁ ଯେତେବେଳେ ସ୍କୁଲ୍‌କୁ ଗଲି, ମୋତେ ଓଡ଼ିଆ ଭାଷା ଶିକ୍ଷା ଦିଆଗଲା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷାର ସରଳୀକରଣ ପାଇଁ ଆପଣ ବହୁ ଦିନ ହେଲା ପ୍ରୟାସରତ ଅଛନ୍ତି। ତେବେ, ଆମ ଭାଷାକୁ ସରଳ କରିବାର ଏତେ ଆବଶ୍ୟକତା ଅଛି ବୋଲି ଆପଣ କାହିଁକି ଭାବନ୍ତି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ମୁଁ ଏହା ଭାବେ ଏଥିପାଇଁ ଯେ ଯଦି ଗୋଟିଏ ଶବ୍ଦର ବହୁରୂପୀ ବନାନ ରହିଲା, ଏବଂ ସେହି ବନାନଗୁଡ଼ିକ ମଧ୍ୟରୁ ସବୁଗୁଡ଼ିକ ଶୁଦ୍ଧ, ତେବେ ସେଥି ମଧ୍ୟରୁ ଯାହା ସରଳ, ପିଲାମାନଙ୍କ ପାଇଁ କଷ୍ଟସାଧ୍ୟ ନୁହେଁ, କମ୍ପ୍ୟୁଟରରେ ଲେଖିବାକୁ ସହଜ ଓ ଯାହାର ଅର୍ଥ ମଧ୍ୟ ସ୍ପଷ୍ଟ, ତାହା ବ୍ୟବହୃତ ହେବା ଉଚିତ। ଯେମିତି ‘ନୀର ପାନ କରିବି,’ ଅପେକ୍ଷା ମୁଁ ‘ପାଣି ପିଇବି’ ବୋଲି କହିବାକୁ ଅଧିକ ପସନ୍ଦ କରିବି।


ସାହିତ୍ୟ ଚର୍ଚ୍ଚା: ଆପଣ ଶବ୍ଦ ଚୟନ କଥା ଯାହା କହିଲେ, ତାହା ଛଡ଼ା ବି, ଆମ ଭାଷାର କେତେକ ଯୁକ୍ତାକ୍ଷର ଏଡ଼ାଇବା ସପକ୍ଷରେ ଆପଣ ମତ ଦିଅନ୍ତି।
ପ୍ରଫୁଲ୍ଲ କୁମାର ତ୍ରିପାଠୀ: କାରଣ ଆମର ମୌଳିକ ବର୍ଣ୍ଣମାଳାରେ ଯେତେକ ଅକ୍ଷର ଅଛି, ତାହାଠାରୁ ବହୁ ଅଧିକ ଯୁକ୍ତାକ୍ଷର ଅଛି। ବ୍ରାହ୍ମୀ ଲିପିରୁ ଉଦ୍‌ଭୂତ ଅନେକ ଆର୍ଯ୍ୟ ଭାରତୀୟ ଭାଷା, ଯେପରି ମରାଠୀ, ହିନ୍ଦୀ ଓ ଗୁଜରାଟୀ – ସମସ୍ତେ ସରଳୀକରଣ କରିସାରିଲେଣି। ଆମେ ମଧ୍ୟ ଏହା କରିବାର ଆବଶ୍ୟକତା ଅଛି।
ସାହିତ୍ୟ ଚର୍ଚ୍ଚା: ଆଜିକାଲି ମୋବାଇଲ୍ ଓ କମ୍ପ୍ୟୁଟରରେ ୟୁନିକୋଡ୍ ଲିପି ମାଧ୍ୟମରେ ଓଡ଼ିଆ ଭାଷାର ଯେଉଁ ବ୍ୟବହାର ହେଉଛି, ସେଥିରେ ଆପଣଙ୍କର ମଧ୍ୟ ଗୋଟିଏ ଭୂମିକା ଅଛି। ଆପଣ ଏକଦା ପୁଣେସ୍ଥିତ ଭାରତ ସରକାରଙ୍କ ସି-ଡାକ୍ ସଂସ୍ଥା ସହିତ ସମନ୍ୱୟ ସ୍ଥାପନ କରି ଓଡ଼ିଆ ଲିପିର କମ୍ପ୍ୟୁଟରୀକରଣକୁ ଏକ ନୂଆ ଦିଶା ଦେଇଥିଲେ। ଏଥିରେ କୌଣସି ବିଶେଷ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ କି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ଦେଖନ୍ତୁ, ୟୁନିକୋଡ୍ ହେଉଛି ଗୋଟିଏ ବିଶ୍ୱବ୍ୟାପୀ ବ୍ୟବସ୍ଥା। ଏହା ଏବେ ବି ନିର୍ମିତ ହେଉଛି। ତହିଁରେ ଯେଉଁ ସବୁ ଅସୁବିଧା ଅଛି, ତା’କୁ କାଳକ୍ରମେ ସଂଶୋଧନ କରାଯିବ। କିନ୍ତୁ ଯେଉଁ ସଂସ୍ଥାଗତ ଉଦ୍ୟମ ଦରକାର ତାହା ଆମ ଓଡ଼ିଶାରେ ଅନ୍ତତଃ ନାହିଁ। ‘ସି-ଡାକ୍‌’ର ସମସ୍ୟା ହେଲା, ଯେ ଏକଦା ଓଡ଼ିଆ ଭାଷାର ଲିପି, ସି-ଡାକ୍ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ପରବର୍ତ୍ତୀ ସମୟରେ ଏହି ଦାୟିତ୍ୱଟା ନେଇଗଲେ ଆମ ଏଠାକାର ‘ଓକାକ୍‌’ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ। ସେମାନେ ଆଉ ଏ କ୍ଷେତ୍ରରେ ସକ୍ରିୟତା ଦେଖାଇଲେ ନାହିଁ।
ସାହିତ୍ୟ ଚର୍ଚ୍ଚା: ‘ଭାଷା ଭାଗବତ’ ଆପଣଙ୍କର ଗୋଟିଏ ଅନୁପମ କୃତି। ଏହାର ପ୍ରଥମ ଖଣ୍ଡ ପ୍ରକାଶ ପାଇସାରିଛି। ଏବେ ଦ୍ୱିତୀୟ ଖଣ୍ଡଟି ପାଇଁ ଆପଣ ପ୍ରତିଦିନ ନବାକ୍ଷରୀ ଛନ୍ଦରେ ପଦ୍ୟ ଆକାରରେ ଓଡ଼ିଆ ଭାଷାର କେତେକ ସମସ୍ୟା ଉପରେ ଆଲୋକପାତ କରୁଛନ୍ତି, ଯାହା ସୋସିଆଲ୍ ମିଡିଆରେ ପ୍ରକାଶିତ ମଧ୍ୟ ହେଉଛି। ଲାଗୁଛି, ଏହା ଯେମିତି ଅସରନ୍ତି ସମୟ ପାଇଁ ଚାଲିବ। ତେବେ ଆମ ଭାଷାରେ କ’ଣ ଏତେ ସମସ୍ୟା ଅଛି ଯେ ତାହା ଉପରେ ଆଲୋଚନା ଶେଷ ହୋଇପାରିବ ନାହିଁ?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ସମସ୍ୟା ଯଦି ନ ଥାଆନ୍ତା, ତେବେ ମୋତେ ଦିଶନ୍ତା କେମିତି? ସମସ୍ୟା ଦିଶୁଛି ଏବଂ ବେଳେବେଳେ ସମାଧାନ ଦିଶୁଛି, କିନ୍ତୁ ବେଳେବେଳେ ସମାଧାନ ବି ଦିଶୁନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ମଧ୍ୟ ଯେ ଜଣେ ଦକ୍ଷ ଗାଳ୍ପିକ, ଏକଥା ବୋଧହୁଏ ବିଶେଷ ଲୋକଲୋଚନକୁ ଆସିନାହିଁ। ଆପଣଙ୍କର ତ ଆଠଗୋଟି ଗଳ୍ପ ସଂକଳନ ପ୍ରକାଶ ପାଇଛି। କିନ୍ତୁ ଆପଣ ଗଳ୍ପ ରଚନାରୁ ଏବେ ଦୂରେଇ ଯାଇଛନ୍ତି କାହିଁକି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ମୁଁ ଗଣିକରି ଦେଖିଲି ଯେ ମୋର ଯେତେବେଳେ ୧୮୬ଟି ଗଳ୍ପ ହୋଇଗଲା ବରାଦିଆ ଗଳ୍ପ ଲେଖିବାପାଇଁ ମୁଁ ଆଉ ସମର୍ଥ ହେଲି ନାହିଁ ; ମୋ’ର ଏଥିପାଇଁ ଆଗ୍ରହ ବି ହେଲା ନାହିଁ।
ସାହିତ୍ୟ ଚର୍ଚ୍ଚା: ବରାଦିଆ ଗଳ୍ପ?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ଗୋଟିଏ ସମୟରେ ବହୁତ ପତ୍ରପତ୍ରିକା ମୋତେ ଗପ ମାଗିଲେ, ଏବଂ ନ ଦେଲେ ମୁହଁ ଫୁଲେଇଲେ। ମୁଁ ଦେଖିଲି ଯେ ନାଇଁ, ଏ ଚାହିଦା ମୁଁ ପୂରଣ କରିପାରିବି ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର କାଳଜୟୀ ଗଳ୍ପଗୁଡ଼ିକ ଭିତରୁ ଗୋଟିଏ ହେଲା, ‘ନିରବତାର ଜନ୍ମସ୍ଥାନ,’ ଯେଉଁଥିରେ ଆପଣ ଗୋଟିଏ ଅବହେଳିତ ଶବର ଦୁର୍ଦ୍ଦଶା ବଡ଼ ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି। କ’ଣ ଥିଲା ଏହି ଗଳ୍ପ ପଛର ପ୍ରେରଣା?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ଏଇଟା ପ୍ରେରଣା ନୁହେଁ, ଗୋଟିଏ ସତ୍ୟ ଅନୁଭୂତି। ହରିଶଙ୍କରଠାରେ ଥିବା ସେଇ ଝରଣାରେ ପ୍ରକୃତରେ ଜଣେ ସାଧୁଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା। ସେ କେଉଁଠୁ ଆସିଥିଲେ ଏବଂ କାହିଁକି – ତାଙ୍କର ପରିଚୟ କାହାକୁ ଜଣା ନ ଥିଲା। ତାଙ୍କର ଶବକୁ ସତ୍କାର କରିବା ପାଇଁ କେହି ବି ଆଗେଇ ଆସି ନ ଥିଲେ। ଏହାରି ଉପରେ ଲେଖିଥିଲି ଗଳ୍ପଟି।
ସାହିତ୍ୟ ଚର୍ଚ୍ଚା: ‘ସମ୍ବଲପୁରି ଓଡ଼ିଆ ବ୍ୟାକରଣ’ ଓ ‘ସମ୍ବଲପୁରି କୋଶଳୀ ବ୍ୟାକରଣ’ ଆପଣଙ୍କ ଦ୍ୱାରା ରଚିତ ଦୁଇଟି ପ୍ରାମାଣିକ ଗ୍ରନ୍ଥ। ଏ ଦୁଇଟି ବହି ନିଜର ସାର୍ଥକ ଭୂମିକା ତୁଲାଇବାରେ ସମର୍ଥ ହୋଇଛନ୍ତି ବୋଲି ଆପଣ ଭାବନ୍ତି କି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ବ୍ୟାକରଣ ବହିଟିର ମୁଁ ଏକକ ଲେଖକ ନୁହେଁ। ଶ୍ରୀ ନୀଳମାଧବ ପାଣିଗ୍ରାହୀ ମଧ୍ୟ ମୋ ସହିତ ଥିଲେ। ଅନେକ ଲୋକ ମୋତେ ସାହାଯ୍ୟ ନ କରିଥିଲେ ମୁଁ ଏ ବହି ଦୁଇଟି ଲେଖିପାରି ନ ଥାନ୍ତି। ମୁଁ ଗୋଟିଏ ଶବ୍ଦ-ଭିକାରି ହୋଇ ପଶ୍ଚିମାଞ୍ଚଳର ବହୁ ସ୍ଥାନ ବୁଲିଛି। ଏଇଟା ଯେହେତୁ ସେହି ଭାଷାର ପ୍ରଥମ ଶବ୍ଦକୋଷ, ତେଣୁ ହୁଏତ ବିଶେଷ ଭୂମିକା ନେଲା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷାର ବିଭିନ୍ନ ପ୍ରସଙ୍ଗକୁ ନେଇ ଆପଣଙ୍କ ପ୍ରକାଶିତ ପୁସ୍ତକର ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଆପଣଙ୍କ ଦ୍ୱାରା ରଚିତ ‘ଓଡିଆ ବ୍ୟାକରଣ କୋଷ’, ‘ଶବ୍ଦଗଠନ କୋଷ’, ଓ ‘ବର୍ଣ୍ଣ ବିଧାନ’ ଆଦି ବହି ଆପଣଙ୍କ ଦ୍ୱାରା ଓଡ଼ିଆ ଭାଷାର ଗଭୀର ଅଧ୍ୟୟନର ପରିଣାମ। ଏହି ମହତ୍ତ୍ୱପୂର୍ଣ୍ଣ ବହିଗୁଡିକୁ ଲେଖିବା ପାଇଁ ଆପଣ ଆବଶ୍ୟକୀୟ ଧୈର୍ଯ୍ୟ ଓ ସମୟ କେମିତି ପାଇଲେ?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ମୁଁ ଯେଉଁ ପ୍ରକାର ବୃତ୍ତିରେ ଥିଲି, ଏଥିପାଇଁ ସମୟ ଜୁଟାଇବା ମୋ ପକ୍ଷରେ କଠିନ ନ ଥିଲା। ଓଡ଼ିଆ ଭାଷାରେ ଯେତେବେଳେ ଦେଖିଲି ଯେ ଗୁଡ଼ିଏ ବହି ନାହିଁ, ଯେମିତି ସମାର୍ଥ-କୋଷଟିଏ, ‘ଥେସାରସ୍‌’ର ଅଭାବ ଦୂର କରିବାପାଇଁ ‘ଶବ୍ଦନିଧି’ ନାମକ ବହିଟିଏ ଲେଖିଲି। ଏଥିପାଇଁ ଧୈର୍ଯ୍ୟର ଅଭାବ ନ ଥିଲା।

ସାହିତ୍ୟ ଚର୍ଚ୍ଚା: ଭାଷା ସଂସ୍କାର ପ୍ରସଙ୍ଗରେ ସକ୍ରିୟତା ଦେଖାଇଥିବାରୁ ଆପଣଙ୍କୁ ଅନେକ ସମୟରେ ବିବାଦ ଘେରରେ ମଧ୍ୟ ରହିବାକୁ ପଡିଛି। ଆପଣଙ୍କ ପରାମର୍ଶ କ୍ରମେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଖବରକାଗଜ ‘ସମ୍ବାଦ’ରେ କେତୋଟି ଯୁକ୍ତାକ୍ଷରର ପ୍ରୟୋଗ ବନ୍ଦ ହୋଇଯିବାରୁ ଗୋଟିଏ ସମୟରେ ଏହା ବିରୁଦ୍ଧରେ ପ୍ରତିବାଦ ଜଣାଇ ଓଡ଼ିଶାର ରାସ୍ତାଘାଟରେ ଏହି ଖବରକାଗଜର ପୋଡାଜଳା କରାଗଲା। କୁହାଯାଏ ଯେ ଏହା ଫଳରେ କାଗଜଟିର ପ୍ରସାର ସଂଖ୍ୟା ବହୁତ କମିଗଲା, ଏବଂ ଏହାକୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ହେଲା। ଏହି ବିଫଳ ପ୍ରୟୋଗ ପାଇଁ କିଛି ଅବସୋସ ଅଛି କି?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ‘ସମ୍ବାଦ’ରେ ଯାହା ହୋଇଛି ବା ହେଉଛି, ତାହା ସଂସ୍ଥାଗତ ନିଷ୍ପତ୍ତି। ମୁଁ ଭାବୁଛି ଯେ ଯାହା ବି ପ୍ରୟୋଗ ହୋଇଥିଲା ତାହା ଯଥାର୍ଥ ଓ ସମୟୋପଯୋଗୀ ଥିଲା। ହୋଇପାରେ, ଏହାକୁ କାର୍ଯ୍ୟକାରୀ କରିବାର କୌଶଳରେ କିଛି ଗୋଳମାଳ ଥିଲା କିମ୍ବା କିଛି ଲୋକ ‘ଯାହା ଚାଲିଛି – ତାହା ଚାଲିଥାଉ’ ମାନସିକତାରେ ଥିଲେ। ଅନ୍ୟ ସମ୍ବାଦପତ୍ରମାନେ ମଧ୍ୟ ଏଥିରେ ସହଯୋଗ କଲେ ନାହିଁ। ଏହିଭଳି ବିଭିନ୍ନ କାରଣରୁ ଏଥିରେ କିଛି ସମସ୍ୟା ଦେଖାଦେଲା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ‘ବର୍ଣ୍ଣବୋଧ’କୁ ନେଇ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା, ଯାହାର ପ୍ରଣୟନରେ ଆପଣଙ୍କର ଏକ ଭୂମିକା ଥିଲା ବୋଲି କୁହାଯାଏ। ଏ ସମ୍ପର୍କରେ ହାଇକୋର୍ଟଙ୍କ ରାୟ ପରେ ସରକାରୀ ନିଷ୍ପତ୍ତି ଫଳରେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବହି ପିଲାମାନଙ୍କ ମଧ୍ୟରେ ବଣ୍ଟା ନ ଯାଇ ଏବେ ଗୋଦାମରେ ପଡ଼ିରହିଛି। ଏହି ନୂଆ ‘ବର୍ଣ୍ଣବୋଧ’ ବିରୋଧରେ ସମାଲୋଚନାର ମୂଳ ହେତୁ କ’ଣ ଥିଲା?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ଯେଉଁମାନେ ସମାଲୋଚନା କଲେ, ସେମାନେ କହିବେ। ବର୍ଣ୍ଣବୋଧରେ ଆମେ କିଛି ପରିବର୍ତ୍ତନ କରି ନ ଥିଲୁ, କେବଳ କିଛି ବିକଳ୍ପ ବନାନ ସୂଚାଇ ଦେଇଥିଲୁ। ମୂଳ ବନାନ ସବୁ ଯଥାପୂର୍ବ ରହିଛି। ସରକାର ତିନି ଜଣଙ୍କୁ ଏହାର ସଂପାଦନା ଦାୟିତ୍ୱ ଦେଇଥିଲେ। ମୁଁ ଏହାର ଏକମାତ୍ର ସଂପାଦକ ନ ଥିଲି।
ସାହିତ୍ୟ ଚର୍ଚ୍ଚା: ଏବେ ୭୮ ବର୍ଷର ପରିଣତ ବୟସରେ ବି ଭାଷା ଓ ସାହିତ୍ୟ ବିଷୟରେ ଅନୁଶୀଳନ ଓ ଗବେଷଣା କରିବା ପାଇଁ ଆପଣଙ୍କର ଯୁବସୁଲଭ ଉଦ୍ଦାମତା ରହିଛି। ଏହାର ରହସ୍ୟ କ’ଣ?
ପ୍ରଫୁଲ୍ଲ କୁମାର ତ୍ରିପାଠୀ: ଯୁବ ନୁହେଁ, ମୋର ଶିଶୁସୁଲଭ କୌତୂହଳ ରହିଛି। ମୋ’ର ବୟସ ବଢିଚାଲିଲେ ବି ମୋ ଭିତରେ ସେହି ଶିଶୁଟି ଅଛି, ସେହି ଯୁବକଟି ଅଛି, ସେହି ପ୍ରୌଢ଼ ଅଛି, ସେ ବୃଦ୍ଧ ମଧ୍ୟ ଅଛି। ଏ ସମସ୍ତଙ୍କର ଗୋଟିଏ ସମନ୍ୱୟ ହୋଇଯାଇଛି ମୋ ଭିତରେ, ବର୍ତ୍ତମାନ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା” ପତ୍ରିକାର ଜୁନ୍, ୨୦୨୩ ସଂଖ୍ୟାରେ ପ୍ରକାଶିତ ।)

4 thoughts on “ବର୍ଷୀୟାନ୍ ଲେଖକ ଓ ଭାଷାବିଜ୍ଞାନୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସହ ଆଳାପ

  1. Very good and valuable conversation. Salutes to the great man having made some epoch making effort in bringing reforms in our language, though on paper which need to be taken to practical application through efforts of state govt. It should be implemented by using our Education system and public media including films and dramas to reach the mass colloquialism and phonetics for mass use.

  2. ପ୍ରଫୁଲ୍ଲ ସାର୍ ଙ୍କୁ କୋଟି କୋଟି ପ୍ରଣାମ । ଶବ୍ଦକୁ ନେଇ ଘାଣ୍ଟି ହେବା ଓ ସେଇଥିରୁ ଚମତ୍କାର ଆନନ୍ଦ ପାଉଥିବା ମଣିଷ ଟିକୁ ଆମେ କେତେ କମ୍ ବୁଝିଛେ !

  3. ଯେଉଁ ପ୍ରକାର ବୃତ୍ତିରେ ଥିଲେ ବି ପ୍ରଫୁଲ ସାରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯେଉଁ ଚେଷ୍ଟା କରିଛନ୍ତି ତାହା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

  4. ସେ ଯେତିକି ସ୍ଥିତପ୍ରଜ୍ଞ, ସେତିକି ଭାବପ୍ରବଣ । ସେ ଯେତିକି ଜ୍ଞାନୀ, ସେତିକି ଅନୁସନ୍ଦିତ୍ସୁ । ସେ ଯେତିକି ଅନମନୀୟ ସେତିକି ସମ୍ବେଦନଶୀଳ । ଶବ୍ଦର ମନ ହୃଦୟ ଓ ଆତ୍ମାକୁ ଚିହ୍ନିଥିବା ଭାଷାପ୍ରବୀଣ ସାରସ୍ବତ ବ୍ଯକ୍ତିତ୍ବ ପ୍ରଣମ୍ଯ ପ୍ରୋଫେସର୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ ସାର୍ । ସଫଳତାର ଅନେକ ଶିଖରକୁ ଛୁଇଁସାରିବା ପରେ ବି ବିନମ୍ରତାର ଚୂଡ଼ାରେ ଅବସ୍ଥାପିତ ଯୁବପ୍ରାଣ ଅନୁଭବୀ ପଥପ୍ରଦର୍ଶକ ଶିକ୍ଷାବିଦ୍ ପ୍ରୋଫେସର୍ ତ୍ରିପାଠୀ ସାର୍ ଙ୍କ ପ୍ରତିଟି ଶବ୍ଦ ଆଗାମୀ ଯୁଗ ଯୁଗାନ୍ତର ଯାଏଁ ପଦଚିହ୍ନ ହୋଇ ରହିବ ॥

Leave a Reply

Your email address will not be published. Required fields are marked *