ମହା ସାବିତିରୀ ବରତ

ଯଉଁ ଯମରାଜାଙ୍କ ବର ନେଇ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ଜିଆଇଁଥିଲେ, ପ୍ରଥମେ ସେଇ ଯମରାଜାଙ୍କୁ ପୂଜିବା ଦରକାର।

ଡ. ଅଜୟ କୁମାର ମିଶ୍ର

ସେଦିନ ଗାଡ଼ିର ବେଗଠାରୁ ମନର ଉଦ୍‌ବେଗ ଅଧିକ ଥାଏ। ଗାଡ଼ିର ଅନେକ ଯାତ୍ରୀଙ୍କ ଭଳି, ଘଣ୍ଟୁ ସିନା ଜଣେ ଯାତ୍ରୀ ମାତ୍ର। ଅନେକ ଯାତ୍ରୀଙ୍କ ଆଖିରେ ଯାହା ନ ପଡ଼େ, ଘଣ୍ଟୁଙ୍କ ଆଖିର ଲେନ୍‌ସରେ ଅନେକ କଥା ଅନେକ ଦୃଶ୍ୟ କ୍ୟାମେରାଠାରୁ ଆଉ ଫାଜଲ ହେଇ ପଡିବାକୁ ବାଧ୍ୟ। ନାଗୁଣୀ ଆଖିରେ ନାଗକୁ ମାରିଥିବା ଫଅଟ ଛପେଇ ହେବା ଭଳିଆ, ଘଣ୍ଟୁ ଆଖିରେ ଅନେକ ଦୃଶ୍ୟ-ଅଦୃଶ୍ୟ କେମନ୍ତ ପ୍ରକାରେ ହେଲେ ଛାପି ହେଇଯାଏ। କିଛି ବୋତାମ ବା ସୁଇଚ୍ ଟିପାଟିପି ନ ଥାଏ, ଘଣ୍ଟୁ ଆଖି ତ ଅଟୋମେଟିକ୍‌-କ୍ୟାମେରା। ଘଣ୍ଟୁ ଦେଖେ, ପରଖେ, ଭାବେ, ପୁଣି ଟିକିନିଧି ଖୋଳତାଡ କରି ଘଟଣା ସବୁକୁ ପରସ୍ତ ପରସ୍ତ କରି ଭେଦେ, ଭେଦାଏ। ଜଣେ କେହି ଯାତ୍ରୀ ଖବରକାଗଜଟେ କିଣି କିଛି ପଢ଼ା ନ ସାରୁଣୁ, ଅନ୍ୟ ଯାତ୍ରୀଏ ଟାଉକା ପଣରେ କାଗଜର ମଝି ଫରଦ ହାତେଇ ନିଅନ୍ତି, ଆଖି ପକାଉ ନ ପକାଉଣୁ ବି ଆଉ କେହି ଝାମ୍ପି ନିଅନ୍ତି। ବେଳେବେଳେ କାଗଜଟା ମୂଳ କର୍ତ୍ତାଙ୍କ ପାଖକୁ ଫେରିବା ସମ୍ଭବେ ନାହିଁ। କ୍ରମେ କାଗଜର ଗୋଟେ ଫାଳ ଅଗତ୍ୟା ଘଣ୍ଟୁ ହାବୁଡରେ ପଡିଲା, ତାଳୁଆ ବଳଦ ପଡିଆରୁ ଘାସ ଚରିବା ଭଳିଆ, ଘଣ୍ଟୁ ଆଖି ଖବରକାଗଜର ସବୁ ଆଡେ ତଲାସ କରି ଛାପାପାଠକୁ ମୂଳି ଉଠେଇ ଚରି ପକେଇଲା।

ଦେଖିଲା ଠାଆକୁ ଠାଆ ଖାଲି ବିଜ୍ଞାପନ, ସଚିତ୍ର ବିଜ୍ଞାପନ। କେଉଁଠି ଅଧା ଶାଢ଼ି ତ କେଉଁଠି ଚଉଠ ଶାଢ଼ିରେ ସୁନ୍ଦରୀ ଚିତ୍ରାବୃତା। କମ୍ପାନୀବାଲାଏ ଲେଖିଚନ୍ତି ଏଇ ଶାଢ଼ିରେ କିସ୍କିନ୍ଧ୍ୟା ସୁନ୍ଦରୀ ବି ହିରୋଇନ୍ ହିରୋଇନ୍ ଲାଗିବେ। କେଉଁଠି ଅଛି -ଏ ଶାଢ଼ିରୁ ଗୋଟାଏ କିଣିଲେ, ଆରଟା ଫ୍ରି’ରେ ମିଳିବ। ଅନ୍ୟ କେଉଁଠି -ଗୋଟାଏ ଶାଢ଼ି କିଣନ୍ତୁ, ୟା ସହିତ ତଳପିନ୍ଧା ଓ ବକ୍ଷପିନ୍ଧା ଫ୍ରି। ଅନ୍ୟ ଠାଏ ଅଛି ଆଗକୁ ସାବିତ୍ରୀ ଅମାବାସ୍ୟା। ଏଇ ଶାଢ଼ିରେ ଆପଣ ସାବିତ୍ରୀ ପାଲଟି ଯିବେ। ମହାସତୀ ତାଲିକାରେ ଆପଣଙ୍କ ନାମ ଚଢ଼ିବ। ଶସ୍ତା-ସୁନ୍ଦର ମଜଭୁତ। ଆଉ ଠାଏ ଅଛି -“ଗାଡି ଧୀରେ ଚଲାନ୍ତୁ।” ଆଉ ଠାଏ ଅଛି “ବେଗ ହିଁ ଉନ୍ନତିର ଲକ୍ଷଣ।” ଶାଢ଼ି ବିଜ୍ଞାପନ ସହ ଏ ସଚେତନିଆ ବିଜ୍ଞାପନ ସହିତ ‘ଭାରତଯୋଡ’ ଭଳି ଯୋଡି ହେଇଗଲା ଘଣ୍ଟୁର ମନ-ମୁନ-ଚଇତନ।
ଘଣ୍ଟୁ ମନରେ ଭାବନାର ଢେଉମାନ ଖେଳିଲା, ଭଉଁରେଇ ଉଠିଲା ମନ। ଆରେ ଏ କେମିତି କଥା- ଗାଡି ଧୀରେ ଚଳେଇଲେ ବେଗ ଊଣା ହେବ, ବେଗ ନାଇଁ ତ ଉନ୍ନତି ନାଇଁ। ଏ କେମିତି ଖାପଛଡା ବିଭୋଳିଆ ଉବାଚ। ଦୋ ମୁଣ୍ଡିଆ ସାପ ଭଳିଆ କାରବାର ଏ। ପୁଣି ଶାଢ଼ି ପିନ୍ଧିଲେ ଜଣେ ସାବିତ୍ରୀ ହେଇଯିବ। ଆଗକୁ ତେବେ ଆଉଚି ସାବିତ୍ରୀ ବ୍ରତ। ଲୋକେ ତ ନିଶ୍ଚୟ ଶାଢ଼ି କିଣିବେ। ଏ ସୁଯୋଗରେ ଘଣ୍ଟୁର ମଗଜ ଫିଲ୍‌ଡରେ କେତେ କେତେ ଆଇଡିଆ ଆସି ବ୍ୟାଟିଂ ବୋଲିଙ୍ଗ୍ ଆରମ୍ଭ କରିଦେଲେ। ଘଣ୍ଟୁ ଜାଣିଚି, ଅନ୍ୟ ସିଜନ୍‌ଠାରୁ ଏ ସିଜନରେ ବେପାରଟା ଭଲ। ଘରେ ଘରେ ତ ଅଛନ୍ତି ଜିଦିଖୋରଣୀ ସାବିତ୍ରୀମାନେ। ସେମାନଙ୍କ ହେଣ୍ଟାଳରେ କେତେ କେତେ ପାରଖା, ଟାଣୁଆ ଦାଉଁଆ ସତ୍ୟବାନ ବି ଝୁଣ୍ଟି ପଡନ୍ତି, ଆଣ୍ଠେଇ ପେଟେଇ ଲହୁ-ଲୁହାଣ ହୁଅନ୍ତି। ସାବିତ୍ରୀ କୁଆଡେ ସେ କାଳରେ ବଛା ବଛା ନୂଆ ଦାମୀ ଶାଢ଼ି ପିନ୍ଧୁଥିଲେ, ଆଗବୁଜା ଓ ପିଠିଖୋଲା ବିଲାଉଜ୍ ଶାଢ଼ି ରଙ୍ଗ ସହିତ ରଙ୍ଗ ମନେଇ ପିନ୍ଧୁଥିଲେ। ସବୁ ପ୍ରକାର ଫଳମୂଳ କିଣି ଡାଲାରେ ଥୋଇ, ମେଳ ହେଇ ବଡ ପଟୁଆରରେ ମନ୍ଦିର ଯାଉଥିଲେ, ପୂଜାକୁ ଆଖିଠାର ମାରି ସ୍ମାର୍ଟ ଫୋନ୍‌ରେ ଫଅଟମାନ ଉଠେଇ ସାଙ୍ଗୀ-ସାଙ୍ଗୀତୁଣୀଙ୍କ ପାଖକୁ ଠେଲି ହେଉଥିଲେ। ଓଷା ପାଳିବା ଚୁଲିକି ଯାଉ, ଫେସନାଣୀମାନେ, ନିଜ ନିଜ ସତ୍ୟବାନମାନଙ୍କୁ ଅଣନିଃଶ୍ୱାସୀ କରାଇଦେଇ ନାନା ଫରମାସ କରାଇବା ଦୃଶ୍ୟ ଘଣ୍ଟୁ ଦେଖିଚି।
ଗହ୍ମା ପୁନେଇଁ ବେଳକୁ ଅସ୍ଥାୟୀ ରାଖୀ ଦୋକାନ, ନୂଆ ବରଷ ବେଳକୁ ହାପି ନ୍ୟୁୟର ଗ୍ରୀଟିଙ୍ଗସ୍ ଦୋକାନ, ଦୋଳବେଳକୁ ରଙ୍ଗ ଦୋକାନ, ଦୀପାବଳି ବେଳକୁ ବାଣ ଦୋକାନ ଭଳିଆ, ଛକ ମୁଣ୍ଡରେ ଘଣ୍ଟୁ ଏଥର ସାବିତ୍ରୀ ବ୍ରତ ଆଠ ଦିନ ପୂର୍ବରୁ ଖୋଲିଲା ଗୋଟେ ନୂଆ ଦୋକାନ। ବଡ ବଡ ଅକ୍ଷରରେ ଅତି ଆଖିଛୁଆଁ ଚିତ୍ର ଦେଇ ଟଙ୍ଗେଇ ଦେଲା ଗୋଟେ ଫ୍ଲେକସ୍। “ସାବିତ୍ରୀ ସରଞ୍ଜାମ ସେବା” – ଏଠାରେ ସୁଲଭ ମୂଲ୍ୟରେ ସାବିତ୍ରୀ ସରଞ୍ଜାମ ସେବା ଯୋଗାଇ ଦିଆଯାଏ। ସାମ୍‌ନାରେ ଟେବୁଲ୍ ପକାଇ ବସିଲା ନିଜେ, ନିଜର ଦୁଇ ଚାରିଜଣ ଚାମଚାଙ୍କୁ ଭିତରେ ଆସିଷ୍ଟାଣ୍ଟ୍ ଭାବେ ଅସ୍ଥାୟୀ ମୁତୟନ କଲା। ଛକ ବୁଲା ଦି’ଚାରିଟା ମୁତଫରକା, ବାନା, ବାଆସ୍ତରିଆ, ଘନଗାଲୁଆ, ଫଣଫଣିଆ- ୟା ଭିତରେ ମାଗଣାରେ ଆସି ପଇଁତରା ମାରିଲେ। ଭିତରଟା ଗହଳିଆ ବହଳିଆ ଲାଗିଲା, ବାଟ ଦେଇ ଯା’ ଆସ କରୁଥିବା ଲୋକେ ଏମନ୍ତ “ସାବିତ୍ରୀ ସରଞ୍ଜାମ ସେବା” ଲେଖା ଦେଖି ତାଜୁବ। ଅଫିସ୍ ଫେରନ୍ତିଆଣୀ, ଦିଚକିଆ ମଣ୍ଡନାଙ୍କ ଭିତରୁ କେହି କେହି ସେଠି ଅଟକି ଘଟଣାଟା କ’ଣ ବୁଝିବାକୁ ଲାଗିଲେ। ଘଣ୍ଟୁ ବି ଏମନ୍ତ କପଡା ମୁଖବୃତା ଭାବି-ସାବିତ୍ରୀମାନଙ୍କୁ ନିଜ ସେବାର ସବିଶେଷ ବିବରଣୀ ଯାଦୁ ମଲମ ବିକ୍ରେତାଠାରୁ ଅଧିକ ଆକର୍ଷଣୀୟ ଢଙ୍ଗରେ ବଖାଣ କରିଦେଲେ। ସାବିତ୍ରୀ ବ୍ରତ ଖାତାରେ ଏଥର ପ୍ରଥମେ ଧସେଇ ପ୍ରବେଶ କରିବାକୁ ଯାଉଥିବା ଅନେକ ଆଶାୟିନୀ ଏଥର ପହିଲେ ପହିଲେ ବରତ କରିବେ। ଘଣ୍ଟୁ ଏଇ ଇଣ୍ଟର୍ନସିପଆନୀଙ୍କ ପାଇଁ ଅନେକ ନୂଆ ନୂଆ ଯୋଜନା କଲେ। ଖୁଦୁରୁକୁଣୀ, ଗଣେଶ, ସରସ୍ୱତୀ ମୂର୍ତ୍ତି ପୂଜା ପୂର୍ବରୁ ବିକ୍ରି ହୁଏ। ଓଷା ବହି ବି ଅନ୍ୟ ବହିଠୁଁ ଜୋର ବିକିରି। ଘଣ୍ଟୁ ଏଥର ନୂଆ ସାବିତ୍ରୀମାନଙ୍କୁ ଟ୍ରେନିଂ ଦିଆ ପାଇଁ ତା’ ସାଙ୍ଗ ଜଣେ ତାତୁଣିଅଁ କବିଙ୍କୁ କୁହାପୋଛା କରି ଆଠପୃଷ୍ଠିଆ ‘ସାବିତ୍ରୀବ୍ରତ’ ଗୀତ ବହିଟିଏ ଛପେଇ ଦେଲା। ପୁଣି ଭାବିଲା ମୂର୍ତ୍ତି ଗଢ଼ିବା ସମ୍ଭବ ନୁହେଁ, ଫଅଟରେ ଚଳେଇନେବା। ତେଣୁ ଜଣେ ଚିତ୍ରକରଙ୍କୁ କୁହାପୋଛା କରି ଅଗ୍ରିମ ଦିଆଇ ଗୋଟେ ଚିତ୍ର ଠିଆ କରେଇଲା। ମଇଁଷି ପିଠିରେ ଯମ ରାଜା, ତଳେ ଶୋଇଥିବା ସତ୍ୟବାନ୍‌, ତା’ ପାଖରେ ଯୋଡହସ୍ତ ମୁଦ୍ରାରେ ସାବିତ୍ରୀ। ଚିତ୍ରକର ପାଖରେ ନିକିମା ହେଇ ବସି, ଏତକ ଚିତ୍ର କରେଇ, ତାକୁ ବିଭିନ୍ନ ସାଇଜରେ ରଙ୍ଗେଇ ଛାପା କରେଇ ତା’ ଦୋକାନ ଥାକଗୁଡିକରେ ଛଇ ମାରିଦେଲା। ଦୋକାନ ଆଗରେ ଫ୍ଲେକ୍ସରେ ଗୋଟାଏ ଚାରିଫୁଟିଆ ବଡ ଫଅଟ, ନମୁନା ଭାବରେ ଝୁଲେଇ ଦେଲା।
ତୁଣ୍ଡ ବାଇଦରେ କଥାଟା ଚାରିଆଡ଼େ କରୋନା ଭୂତାଣୁଠୁ ବି ଅଧିକ ବ୍ୟାପିଲା। ଲୋକଙ୍କ ମନ କିଣିବାକୁ ଘଣ୍ଟୁ ମୁହଁରେ ଶିରାବୋଳା ଓଦାଳିଆ ବଚନ। ଲୋକଙ୍କୁ ବୁଝେଇ ଦେଲା ଘରେ ନୂଆ ବେଶ ପୋଷାକ, ନୂଆ ଶାଢ଼ି ଶଙ୍ଖା ପିିନ୍ଧି ଫଳମୂଳ ଭୋଗ ଲଗେଇବା ଯୁଗ ସରିଗଲା। ମାତ୍ର ଏଠି ଲୋକେ ଆଡମ୍ବରରେ ମାତିଲେ ବ୍ରତ ପାଳନର ମୂଲ୍ୟ ଘରେ ଶୂନ୍ୟ। ଯଉଁ ଯମରାଜାଙ୍କ ବର ନେଇ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ଜିଆଇଁଥିଲେ, ପ୍ରଥମେ ସେଇ ଯମରାଜାଙ୍କୁ ପୂଜିବା ଦରକାର। ଯମଙ୍କ ମନ୍ତ୍ରୀ ଚିତ୍ରଗୁପ୍ତ, ତେଣୁ ମୂର୍ତ୍ତି କାମ ନୁହେଁ, ଚିତ୍ର ଯମରାଜଙ୍କୁ ଥାପନା କରି, ପୂଜିଲେ କ୍ୟାନ୍‌ସରିଆ ଆଉ ଆଉ ହାର୍ଟଆଟାକିଆ ସତ୍ୟବାନମାନେ ଆଇସିୟୁର ଗ୍ଲାସ ଡୋର୍ ଠେଲି ପଦାକୁ ବାହାରି ଆସିବେ। ମୌନୀବାବାଙ୍କର ଏଇଟା ଆଦେଶ। ଝଙ୍କାସାଇ, ଚେମ୍ପେଡାସାଇଙ୍କ ମାଉସୀ ପୁଅ ଭାଇ ନିଜେ ମୌନୀ ବାବା, ଅଖଣ୍ଡ ମହିମା, ଅକାଟବାଣୀ, ଯାହା କହିବେ- ଷୋଳଣା ସତ ଫଳେ। ପାଞ୍ଚବର୍ଷ ଆଗରୁ କରୁନା କଥା କହିଥେଲେ, ସତ ହେଲା ନା ନାଇଁ। ପୁଣି ଅଚୁତିଆଙ୍କ ଅବତାର ସେ ନିଜେ, ଏଇଠି ରହି ତିନିପୁର କଥା ବଖାଣନ୍ତି। ଯେ ଯମଙ୍କ ଚିତ୍ରପଟକୁ ନିନ୍ଦିବ, ତା’ ଡିହ କ୍ରିକେଟ୍ ପଡ଼ିଆ ହେବ, ତା’ ଆଂଶାନି ବଂଶାନି ପରେ ସମାନେ ବୁଲ୍‌ଡୋଜର ଚଢ଼ିଯିବ।

ମହୁଚିନି ଫଳ ଫେଣ୍ଟାଣ ହେଇଥିବା ଘଣ୍ଟୁଙ୍କ କଥା ଶୁଣି କେତେ ଲୋକେ ଆବାକାବା, କେହି କେହି ଧର୍ମୁଆଁ ଧର୍ମୁଆଣୀ ବି ୟାକୁ ବିଶ୍ୱାସକୁ ନେଇ ଶୁକଙ୍କୁ ପରୀକ୍ଷିତ ପୁଚ୍ଛା କଲା ଭଳିଆ ପୁଛୁଥାନ୍ତି। ଘଣ୍ଟେ ବି ସେମାନଙ୍କୁ ନନଷ୍ଟପିଆ ଭାଷଣମାନ ମାଠିଆ ମୁହଁରୁ ପାଣି ଅଜାଡିବା ଭଳିଆ ନିଗାଡି ପକାଉଥାନ୍ତି। ଯମପୁରାଣରୁ ଚାରିଧାଡି ଘଣ୍ଟେ ସ୍ୱର ଦେଇ ବଖାଣ କରିଦେଲେ।
ବୋଇଲା –
ଯେମାନେ ବିଶ୍ୱାସ ନ ଯିବେ।। ସେମାନେ ନିଶ୍ଚେ ନାଶ ଯିବେ।।
ରାସ୍ତାରେ ଯିବ ଗାଡି ଚଢ଼ି। ପଡିବ ଅବା ଘଡ଼ଘଡ଼ି।।
ବୋଇଲେ –
କରୋନାରେ ଯିବେ। ଯମ କଡ଼ାରେ ଭାଜି ହେବେ।।
କହିଲା-
ଯମଙ୍କ ଚିତ୍ରପଟ ନେଇ। ସାବିତ୍ରୀ ବ୍ରତେ ଯେ ପୂଜଇ।।
ନବ ଯୌବନ ଫେରିଥାଏ। ମେଡିକାଲରୁ ଉଭାହୁଏ।।
ଯେ ନାରୀ ଶ୍ରଦ୍ଧାରେ ପୂଜଇ। ପତି ସମ୍ପତ୍ତି ଫେରିପାଇ।।
ଯମ ଦିଅଇ ତା’ର ପତି। ତେଣୁ ସେ ସୁନ୍ଦର ଦମ୍ପତି।।
ବଢ଼ଇ ଧନ, ମାନ ଜାଣି। ହୁଅଇ ସେ କର୍ପୋରେଟାଣି।।
ଯେବେ ପୂଜଇ ଗଦ ଗଦେ। ନିକୁଛେ ବସେ ମନ୍ତ୍ରୀ ପଦେ।।

ବୋଇଲା –
ଯେମାନେ କଲେ ଅବହେଳା। ଡୁବିଣ ଯାଏ ତାଙ୍କ ଭେଳା।।
ଦମକଳ ଗାଡି ଯେ ନ ପାଇ। ଯାଏ ସେ ସମ୍ପୂର୍ଣ୍ଣେ ମିଳେଇ।।
ପଦ-ପଦବୀ ହୁଏ ଗୁଣ୍ଡ। ଅକାଳେ ଗଡେ ତାଙ୍କ ମୁଣ୍ଡ।।
ଏମନ୍ତେ ନାନାଦି ଭିଆଣ। ପଢ଼ି ଜାଣିବ ଏ ପୁରାଣ।।

ଘଣ୍ଟୁ ଦୋକାନ ସାମ୍‌ନାରେ ଭିଡ। ତା’ ଚାମଣ୍ଡାଏ ଅଗ୍ରିମ ରସିଦ୍ କଟେଇ ଅସୁଲରେ ଲାଗିଗଲେ। ରସିଦ ଧରି ଲୋକେ ଫେରିଗଲେ। ଘଣ୍ଟୁ ୟା ଭିତରେ ନାନା ଭଙ୍ଗିମାର ନାନା ରଙ୍ଗର, ନାନା ସାଇଜ୍‌ର ଚିତ୍ରପଟ ଆଣି ଫଅଟ ଦୋକାନ ଭଳିଆ ଛାଇ କରିଦେଲା। ବ୍ରତର ପୂର୍ବ ଦିନ ସଞ୍ଜବେଳକୁ ଦୋକାନରେ ଭାରି ଭିଡ। ଫଟୋମାନ ନୂଆ ହେଇ ଖେଳୁଥିବା ସିନେମା ଟିକେଟ୍ ଭଳିଆ, ବ୍ଲାକ୍ କାରବାର ହେଲା। ବିକ୍ରି ହେଲା ହଜାର ହଜାର ସଂଖ୍ୟାରେ ଆଠପୃଷ୍ଠିଆ ‘ଯମ ପୁରାଣ’ ବହି, ଦଶଟଙ୍କା ଜାଗାରେ ଚାଳିଶ ପଚାଶ ଟଙ୍କାରେ। ଷଡ ଇଞ୍ଚିଷ୍ଟ ଫଅଟମାନ ପଚାଶ ଷାଠିଏ ଟଙ୍କାରେ ଫୁଟିକିଆ ଫଅଟମାନ ଦୁଇଶ ଅଢ଼େଇ ଶହରେ। ଧାଡିରେ ଛିଡ଼ା ହେଇ ଅଧିକାଂଶ ଅଧୈର୍ଯ୍ୟ ସତ୍ୟବାନିଆ ୱାପସ୍ ଗଲେ, ପରଦିନ ସକାଳକୁ କେତେ ଜଣ ବି ନାକେଇଲେ।
ବାବୁଲି ଓ ବାଇନ ଦୁହେଁ ଟଙ୍କା ହିସାବ ରଖୁଥାନ୍ତି, ଟିମା ଓ ବାବେନା ଫଅଟ ଓ ପୁରାଣମାନ ବିକି ଚାଲିଥାନ୍ତି। ଘଣ୍ଟେ ଖାଲି ଚାରିଆଡେ ସିସିଟିଭିଆ ଆଖି ବୁଲଉଥାନ୍ତି। ରାତି ଅଧାଯାଏ କାରବାର ଚାଲିଲା। ଖଟିଖିଆଏ ଖଟି ଖଟି ରୋଜଗାର କରି ବଡ କଷ୍ଟରେ ଖଣ୍ଡେ ଖଣ୍ଡେ ପୁରାଣ ଓ ଫଅଟ୍‌ମାନ ଧରି, ଗଡଜିଣିଲା ଭଳି ଘରେ ପହଂଚି, ଏଗୁଡିକୁ ପତ୍ନୀ-ପ୍ରାଣେଶ୍ୱରୀ ସାବିତ୍ରୀମାନଙ୍କୁ ଦେଖାଇ ବୀରତ୍ୱ ଜାହିର କରୁଥିଲେ। ବଜାରରୁ କିଣାଯାଇଥିବା ଶାଢ଼ି ବ୍ଳାଉଜ୍ ଶଙ୍ଖା ଓ ଫଳମୂଳ କାଲି ପାଇଁ ସାଇତୁଥିବା ଘରଣୀମାନଙ୍କୁ ମନୋମିଟରରେ ଖୁସିର ପାରଦ ଉପରକୁ ଉଠୁଥିଲା।
ନାଇଟି ଡୁଇଟିରେ ଥିବା ଖାକିଆ, ଖାକିଆଣୀ ଦିହେଁ, ଘଣ୍ଟୁ ଦୋକାନରେ ପହଞ୍ଚି ଭ୍ୟାନାବତରଣ କରି ନିଜ ଠାଣିମାଣିରେ ଚକ୍‌ମା ଆରମ୍ଭ କରିନେଲେ। ଘଣ୍ଟୁକୁ ଖଟିଖିଆଙ୍କୁ ଲୁଟୁଥିବା କଥା କହି ଧମକ ଦେଲେ। ମାଗଣା ମାଗଣାରେ ଫଅଟ୍ ଓ ପୁରାଣ ଦି’ ଚାରି ଖଣ୍ଡ ଧରି ତତ୍‌କ୍ଷଣାତ୍ ଦୋକାନ ବନ୍ଦ କରିବାକୁ ତାଗିତ କରି ଭ୍ୟାନାରୋହଣ ପୂର୍ବକ ଯିବା ବେଳକୁ, ବିଚରା ଡ୍ରାଇଭର୍ ବି ଗୋଟେ ବହି ଓ ଫଅଟ୍ ଧରି ଚକ୍ରଧାରଣ କଲା। ଘଣ୍ଟେ ଜାଣିଲେ କାଲି ଏସବୁ ବିକିଥିଲେ ଟଙ୍କା ଦି’ ହଜାର ହେଲେ ପାଇଥାନ୍ତା। ଛାଡ ଏମାନେ ତ ବଟିଖିଆ ନା। ଖଟିଖିଆଠୁ ଲୁଟିଖିଆ ବଡ଼, ବଟିଖିଆ ସବୁଠୁଁ ସରସ।
ପରଦିନ ନଅଟା ବେଳକୁ ଖାକିଆ ବାବୁଙ୍କ କୁଆଟରରେ ଘଣ୍ଟୁର ବିଶ୍ୱସ୍ତ ଚାମଣ୍ଡା ଘନା ଗୋଟାଏ ମୁଦା ପାକିଟ୍‌ରେ ଶାଢ଼ି ଓ ଶଙ୍ଖା ଦିପଟ ଧରି ହାଜର। ଡକରା ବେଲ୍ ଚିପୁ ନ ଚିପୁଣୁ, ସଜବାଜ ହେଇ ବାହାରି ଆସିଲେ ଖାକିଆଙ୍କ କ୍ୱାଟରରୁ ସାବିତ୍ରୀ। ଘନା ତାଙ୍କୁ ଅଣ୍ଟାଭାଙ୍ଗି ନବେଡିଗ୍ରିଆ ନମସ୍କାରଟେ ନାଛି ଦେଇ, ଅତି କାକୁସ୍ଥରେ ଜଣାଇଲା, ମାଡେମେ! ସାଆରେ ମହାପ୍ରୁ କୁଆଡେ ଗଲେ? ମତେ ଏ ପାକିଟିଟା ଦେଇ ପଟ୍ଟନାୟକ ମାଡେମେଙ୍କୁ ଦେବାକୁ କହିଥିଲେ। ମୁଁ ସକାଳୁ ଦି ଦି’ଥର ଯାଇ ଫେରିଲି, ତିସିରା ଥରକୁ ବି ସେଇ ଅବସ୍ଥା। ଆପଣ ଦୟାକରି ୟାକୁ ରଖନ୍ତୁ ନଇଲେ ସାଆରେ ମହାପ୍ରୁ ଯେମିତି ଆକବରିଆ ଗୁଡାଖୁ ଭଳିଆ କଡ଼ା ନା, ମୋ ଅବସ୍ଥା କ’ଣ ନାଇଁ କ’ଣ କରିଦେବେ। ଶାଢ଼ି ପାକିଟିଟା ଧରାଇ ଦେଇ ଏକା ନିଃଶ୍ୱାସରେ ଉଭାନ ହେଇଗଲା। ଘଣ୍ଟୁ ଠାରୁ ଗତ ରାତିରେ ବଟି କରିଥିବା ଏଇ ଖାକିଆ ତ, ନ ଥିଲେ, ଥିଲେ ତାଙ୍କ ସାବିତ୍ରୀ। ଏ ଶାଢ଼ି ଦେଖୁ ଦେଖୁ ଭକ୍ତି ଗଦ ଗଦ ହେଇ ଉଗାଳିଲେ- “ରଇଜଳା ଯୋଗନିଖିଆ ଅଳପେଇସା! ରାତିରେ ଯମ ପୁରାଣ ଆଣି ଧରଉଚି, ସତ୍ୟବାନ୍ ବୋଲାଉଚି ଏ ଗାତପଶା। ଆଜି ଘରକୁ ଆ, ଛତରା! ମନ ଜ୍ଞାନ ଦେଇ ପୂଜା ନବୁରେ ବାଡିପଡା! ଘରଛାଆଁଣିଆଁ ଚାଳରୁ ନଡ଼ା ଉଲାରିବା ଭଳିଆ, ଅତି ଭଗତିରେ ନିଜ ବେଶବାସକୁ ନିଜେ ହାତରେ ଉଲାରି ପକେଇ ଦୁମଦୁୁମ୍ ପଦପାଦ କଲେ।
ରାତିରେ ନାଇଟ୍ ଡିଉଟିକୁ ଯାଇଥିବା ଖାକିଆଣୀଙ୍କ ଠିକଣା ବୁଝି, ଘଣ୍ଟୁଙ୍କ ଅନ୍ୟତମ ଦକ୍ଷିଣହସ୍ତ ବାଇନ, ତାଙ୍କ ପତି ଦେବତାଙ୍କୁ ଅନୁରୂପ ଢଙ୍ଗରେ ପୂଜା ପାକିଟ୍‌ରେ ଥିବା ଶାଢ଼ିଟା ଧରାଇ ଦେଉ ଦେଉ କହିଲେ; ଆପଣଙ୍କୁ ମୁଁ ଜାଣେ, ଆପଣଙ୍କ ଘରକୁ ଏଇଟା ସାବିତ୍ରୀ ଉପହାର ପଠେଇଚନ୍ତି ଦାସ ବାବୁ। ରଖନ୍ତୁ ଆଜ୍ଞା! ମୁଁ ବହୁ କଷ୍ଟରେ ଆପଣଙ୍କୁ ଭେଟିଲି। ନମସ୍କାର ଆଜ୍ଞା, ମାଡେମେଙ୍କୁ ନମସ୍କାର। ହାଇବିପିଆ ଖାକିଆଣୀଙ୍କ ସତ୍ୟବାନ ଶାଢ଼ି ପାକିଟ୍ ଧରି ଘରକୁ ଫେରି, ଖାକିଆଣୀ ସାବିତ୍ରୀଙ୍କ ଉପରକୁ ଠିଆ ଠିଆ ଫୋପାଡି ଦେଲେ। ସନ୍ଦେହର କଳାଛିଟା ଉତୁରିଲା, ଘରେ ସାବିତ୍ରୀ ବ୍ରତ ଉଭେଇ ଯାଇ, ଆରମ୍ଭ ହେଲା ମହାଭାରତର ଗଦାପର୍ବ।
ଦୁଇ ବଟିଖିଆଙ୍କ ସାବିତ୍ରୀ ପୁରାଣ ଓ ଯମରାଜ ପୂଜା ସମ୍ପୂର୍ଣ୍ଣ ଘରୋଇ ବ୍ୟାପାର। ଘଣ୍ଟୁ ଭଳି ଭଦ୍ରଲୋକ ଏଥିରେ ମୁଣ୍ଡ ପୂରେଇବା ଉଚିତ ହେଇଥାଆନ୍ତା କି ?? ଭାବନ୍ତୁ ତ ଥରେ। ଖାଲି ଖାକିଆ, ଖାକିଆଣୀ କାହିଁକି, ଘଣ୍ଟୁ ବିଚାରରେ ଏମନ୍ତ ଅଘଟଣିଆ ବରତ ଆଉମାନଙ୍କ ଘରେ ଘରେ ବି ଘଟିବା ଅସମ୍ଭବ ନୁହେଁ। ଏ ତ ମହା-ସାବିତ୍ରୀ ବରତ ନା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ ଧାରାବାହିକ ବ୍ୟଙ୍ଗ ରଚନା।)

2 thoughts on “ମହା ସାବିତିରୀ ବରତ

  1. ବହୁତ ସୁନ୍ଦର | ଆମକୁ ଏହିପରି ଲେଖାଗୁଡିକ ଅଧିକ ଦରକାର |

Leave a Reply

Your email address will not be published. Required fields are marked *