ବର୍ଷୀୟାନ୍ ସାହିତ୍ୟିକା ବନଜ ଦେବୀଙ୍କ ସହିତ ସାରସ୍ୱତ ଆଳାପ

“ଯେତେବେଳେ ମୋତେ ୧୫ ବର୍ଷ ହୋଇଗଲା ମୁଁ ମୀନା ବଜାରର ବୟସ ଅତିକ୍ରମ କରିଗଲି ଏବଂ ନାରୀ ଜଗତ ପାଇଁ ଲେଖିବାକୁ ଆରମ୍ଭ କଲି।”

ବିଶିଷ୍ଟ ଲେଖିକା ବନଜ ଦେବୀଙ୍କୁ ବୟସ ବର୍ତ୍ତମାନ ୮୨ ବର୍ଷ। ତାଙ୍କର ସ୍କୁଲ ଜୀବନରୁ ନେଇ ଆଜି ପର୍ଯ୍ୟନ୍ତ ସେ ଗଳ୍ପ, ଉପନ୍ୟାସ ଓ କବିତା ଆଦି ବିଭାଗରେ ନିଜର କଲମ ଚାଳନା କରି ଓଡ଼ିଆ ବାଣୀଭଣ୍ଡାରକୁ ବହୁ ଭାବରେ ସମୃଦ୍ଧ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା ଶାରଳା ପୁରସ୍କାରରେ ସମ୍ମାନିତା ବନଜ ଦେବୀ ଜଣେ ନିରଳସ ସାହିତ୍ୟ ସାଧିକା। ସେ ଓଡ଼ିଶା ଲେଖିକା ସଂସଦର ଉପସଭାପତି ଭାବରେ ମଧ୍ୟ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଆପଣ ତ ଅତି କମ୍ ବୟସରୁ ଲେଖାଲେଖି ଆରମ୍ଭ କରିଥିଲେ ବୋଲି ଆମେ ଶୁଣିଛୁ। ସେତେବେଳକୁ ଲେଖିକାମାନେ ସାହିତ୍ୟରେ ଏତେ ପ୍ରାଧାନ୍ୟ ବିସ୍ତାର କରିନଥିଲେ। ଏ ଦୃଷ୍ଟିରୁ କ’ଣ ଥିଲା ଆପଣଙ୍କର ଅନୁଭୂତି?
ବନଜ ଦେବୀ: ମୁଁ ତ ଲେଖା ଆରମ୍ଭ କଲି ପଞ୍ଚମ କି ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳୁ। ଘରକୁ ଆସୁଥିଲା ‘ପ୍ରଜାତନ୍ତ୍ର’; ତା’ର ‘ମୀନା ବଜାର’ ପୃଷ୍ଠା ଦେଖି ମନ ବ୍ୟାକୁଳ ହେଲା ଲେଖିବାକୁ। ମୁଁ ଲେଖା ପଠାଇବା ଆରମ୍ଭ କଲି। ସେତେବେଳେ ମୋତେ ଖୁସି ଲାଗୁଥିଲା ଲେଖିବାକୁ। କିନ୍ତୁ ସେଇଟା ସାହିତ୍ୟ ପର୍ଯ୍ୟାୟକୁ ଯିବ କି ନାହିଁ ତାହା ସେତେବେଳେ ବୁଝିବାର ବୟସ ମୋ’ର ନଥିଲା।
ସାହିତ୍ୟ ଚର୍ଚ୍ଚା: ତାହା ଅର୍ଥ ହେଲା, ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳକୁ ଆପଣଙ୍କ ଲେଖା ମୀନା ବଜାରରେ ପ୍ରକାଶିତ ହେଲାଣି।
ବନଜ ଦେବୀ: ନାଇଁ, ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳୁ ମୋ’ର ଲେଖିବା ଆରମ୍ଭ ହେଲା। କିନ୍ତୁ ତାହା ପ୍ରକାଶିତ ହେବାକୁ ଆହୁରି ତିନି ବର୍ଷ ଲାଗିଗଲା; ଅର୍ଥାତ୍ ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲି।
ସାହିତ୍ୟ ଚର୍ଚ୍ଚା: ତିନି ବର୍ଷ କାଳ ପଠାଇ ଚାଲିଥିଲେ ବି ତାହା ପ୍ରକାଶ ପାଇନଥିବାରୁ ଆପଣ ତ ପ୍ରଥମେ ନିରାଶ ହୋଇଥିବେ।
ବନଜ ଦେବୀ: ନିରାଶ ଆଉ କ’ଣ ! ତିନି ବର୍ଷ ଧରି ମୁଁ ଲଗାତାର ପଠାଇ ଚାଲିଲି। ମୋତେ ସଂଶୋଧନ କରି ବତାଇଦେବାକୁ ବି କେହି ନଥିଲେ ପାଖରେ। କିନ୍ତୁ ମୋ ଭିତରେ ଗୋଟିଏ ଜିଦ୍ ଆସୁଥିଲା ଯେ, ଯେତେଦିନ ଲାଗୁଛି ଲାଗୁ। ଦିନେ ମୀନା ବଜାରରେ ମୋର ପ୍ରଥମ ଲେଖାଟି ବାହାରିଲା ପରେ କିନ୍ତୁ ମୁଁ ଭାରି ଉତ୍ସାହିତ ହୋଇଗଲି। ପରେ ପରେ ମୋର ଆହୁରି ଅନେକ ଲେଖା ସେଥିରେ ପ୍ରକାଶ ପାଇଲା।
ସାହିତ୍ୟ ଚର୍ଚ୍ଚା: ପୁଣି ପ୍ରଜାତନ୍ତ୍ରର ‘ମୀନା ବଜାର’ରୁ ‘ନାରୀ ଜଗତ’ ପୃଷ୍ଠାକୁ ଉନ୍ନିତ ହେଲେ କେବେ?
ବନଜ ଦେବୀ: ଯେତେବେଳେ ମୋତେ ୧୫ ବର୍ଷ ହୋଇଗଲା ମୁଁ ମୀନା ବଜାରର ବୟସ ଅତିକ୍ରମ କରିଗଲି ଏବଂ ନାରୀ ଜଗତ ପାଇଁ ଲେଖିବାକୁ ଆରମ୍ଭ କଲି।
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ ସେହି କିଶୋରୀ ବୟସରୁ ହିଁ ଆପଣ ନାରୀ ଜଗତରେ ପ୍ରବେଶ କରିଗଲେ?
ବନଜ ଦେବୀ: ହଁ, ସେତେବେଳେ ଆମେ ତିନିଜଣ ସାଙ୍ଗ ହୋଇ ଲେଖୁଥିଲୁ: ଇନ୍ଦୁଲତା ମହାନ୍ତି, ସୁଧାଂଶୁ ବାଳା ପଣ୍ଡା ଓ ମୁଁ। ଆମେ ଆଗକୁ ଯାଇ ‘ଆସନ୍ତାକାଲି’ ରେ ମଧ୍ୟ ଲେଖିଲୁ।
ସାହିତ୍ୟ ଚର୍ଚ୍ଚା: ତେବେ ଜଣେ ନାରୀ ହିସାବରେ ଆପଣଙ୍କୁ ନିଜର ଲେଖାକୁ ପ୍ରକାଶିତ କରାଇବାରେ କୌଣସି ବାଛବିଚାର କିମ୍ବା ପ୍ରତିବନ୍ଧକ ଭୋଗିବାକୁ ପଡ଼ିନାହିଁ କି!
ବନଜ ଦେବୀ: ଦେଖନ୍ତୁ, ମୋତେ କେହି ଉତ୍ସାହିତ କରିବା ପାଇଁ ଘରୁ ଟାଣି ବାହାରକୁ ନେଇନାହାନ୍ତି। ପ୍ରଥମେ ପ୍ରଥମେ ଯେତେବେଳେ ଲେଖା ବାହାରୁ ନଥିଲା ସେତେବେଳେ କିନ୍ତୁ ନିରାଶ ହେଉନଥିଲି, ଏବଂ ଧୈର୍ଯ୍ୟର ସହ ଲେଖିଚାଲିଥିଲି।
ସାହିତ୍ୟ ଚର୍ଚ୍ଚା: କିଛି ଦିନ ତଳେ ଆପଣ ଏକ ସଭାରେ ବକ୍ତୃତା ରଖି କହିଥିଲେ ଯେ ଲେଖକ ତିଆରି କରିବାରେ ପ୍ରକାଶକଙ୍କ ଅପେକ୍ଷା ପତ୍ରିକା ସମ୍ପାଦକମାନଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏମିତି କାହିଁକି ଭାବନ୍ତି ଆପଣ?
ବନଜ ଦେବୀ: ହଁ, ଏଇଟା ମୁଁ କହିଥିଲି ଏବଂ ଆଜି ବି କହୁଛି। ସେତେବେଳେ କଲିକତାରୁ ବାହାରୁଥିବା ଆସନ୍ତାକାଲି, ଯୁବ ଭାରତୀ, ସମାବେଶ ଓ ଅଗ୍ରଣୀ – ଏହି ଚାରିଗୋଟି ପତ୍ରିକାରେ ମୁଁ ଲେଖୁଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କୁ ଜଣେ ଲେଖିକା ଭାବରେ ଗଢି ତୋଳିବାର ଶ୍ରେୟ କ’ଣ ଆପଣ ଏମାନଙ୍କୁ ଦେବେ?
ବନଜ ଦେବୀ: ପ୍ରଜାତନ୍ତ୍ରର ନାରୀ ଜଗତ ବ୍ୟତୀତ ମୁଁ ମଧ୍ୟ ସେତେବେଳେ ଲେଖୁଥିଲି ଏହି ସମସ୍ତ ପତ୍ରିକାରେ। ଏହି ପତ୍ରିକାମାନେ ମୋତେ ମୋ’ର ପରିଚୟ ଦେଇଛନ୍ତି।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଦ୍ୱାରା ରଚିତ ପ୍ରଥମ ଗଳ୍ପ ‘ଛିନ୍ନ ବୀଣା’ ୧୯୫୯ ମସିହାରେ ଆସନ୍ତାକାଲିରେ ପ୍ରକାଶ ପାଇଥିଲା। ତେବେ ଏହା ପୂର୍ବରୁ ବି ଥିଲା କି ଆପଣଙ୍କର କିଛି ଅପ୍ରକାଶିତ ଗଳ୍ପ?
ବନଜ ଦେବୀ: ନା ସେମିତି ଆଉ କିଛି ନଥିଲା। ‘ଛିନ୍ନ ବୀଣା’ ହିଁ ମୋର ପ୍ରଥମ ଗଳ୍ପ। ତା’ପରେ ‘ଜନ ସାହିତ୍ୟ’ ପତ୍ରିକାର ପୂଜା ସଂଖ୍ୟାରେ ମଧ୍ୟ ଗୋଟିଏ ଗଳ୍ପ ବାହାରିଲା। ସେଇଟା ୧୯୬୦-୬୧ ମସିହା ବେଳର କଥା। ‘ଜନ ସାହିତ୍ୟ’ର ସମ୍ପାଦକ ବଂଶୀଧର ଭୂୟାଁ ମୋତେ ଶ୍ରଦ୍ଧା କରୁଥିଲେ। ମୋର ଦୁଇଟି ଗଳ୍ପ ପଢି ସେ ଖୁସି ହୋଇଗଲେ, ଏବଂ ପଚାରିଲେ, ‘ଆପଣ କ’ଣ ଉପନ୍ୟାସ ଲେଖିପାରିବେ?’ ସେତେବେଳକୁ କଣ୍ଡୁରୀ ଚରଣ ଦାସ ମୋର ଗୋଟିଏ ଉପନ୍ୟାସ ମଧ୍ୟ ଛାପି ସାରିଲେଣି। ସେଠୁଁ ମୁଁ ‘ଜନ ସାହିତ୍ୟ’ ପାଇଁ ଯୋଡିଏ ଉପନ୍ୟାସ ଲେଖିଲି: ‘ବେଳାଭୂମି’ ଓ ‘ତଟିନୀର ତୃଷ୍ଣା ‘।
ସାହିତ୍ୟ ଚର୍ଚ୍ଚା: ତା’ହେଲେ ସେତେବେଳକୁ ଆପଣ ସମାନ୍ତରାଳ ଭାବରେ ଗଳ୍ପ ଓ ଉପନ୍ୟାସ, ଉଭୟ ଲେଖିବା ଆରମ୍ଭ କରିସାରିଲେଣି!
ବନଜ ଦେବୀ: ହଁ।
ସାହିତ୍ୟ ଚର୍ଚ୍ଚା: ଗଳ୍ପ ଓ ଉପନ୍ୟାସ, ଏ ଦୁଇଟି ମଧ୍ୟରୁ କେଉଁଟିକୁ ଆପଣ ନିଜର ଭାବ ପ୍ରକାଶ ପାଇଁ ଅଧିକତର ସାର୍ଥକ ଏକ ମାଧ୍ୟମ ବୋଲି ମନେ କରନ୍ତି?
ବନଜ ଦେବୀ: ସାର୍ଥକତା ବା ସଫଳତାର କଥା ମୁଁ କହିପାରିବିନି। କିନ୍ତୁ ଉପନ୍ୟାସ ଲେଖିବାର ମୋ’ର ଗୋଟିଏ ଭାରି ବ୍ୟାକୁଳତା ଥିଲା। ଗୋଟିଏ ବଡ ଉପନ୍ୟାସ ଲେଖିବାର ମନୋବୃତ୍ତିକୁ ମୁଁ ଦୀର୍ଘ ଦିନ ଧରି ମନ ଭିତରେ ରଖିଥିଲି। କିନ୍ତୁ ପାରିଲିନି। କାହିଁକି ନା ଉପନ୍ୟାସ ଲେଖିବା ବେଳେ ଗୋଟିଏ ନିରବଚ୍ଛିନ୍ନ ଭାବନା ଭିତରେ ଜଣକୁ ବୁଡି ରହିବାକୁ ପଡେ। ଏଭଳି ସୁଯୋଗ ମୋର ସାଂସାରିକ ଜୀବନରେ ମୁଁ ପାଇପାରିଲି ନାହିଁ।
ସାହିତ୍ୟ ଚର୍ଚ୍ଚା: ତଥାପି ଆପଣଙ୍କର ଏ ଯାବତ ପ୍ରକାଶିତ ହୋଇଥିବା ଉପନ୍ୟାସଗୁଡିକ ମଧ୍ୟରୁ କେଉଁଟି ଆପଣଙ୍କର ଅତି ପ୍ରିୟ?
ବନଜ ଦେବୀ: ମୋର ସନ୍ତୋଷ ସହିତ କିଛି ନାହିଁ, ବଡ଼ କଥା ହେଲା କେଉଁଟି ପାଠକୀୟ ସ୍ୱୀକୃତି ପାଇଛି! ଏ ଦୃଷ୍ଟିରୁ ମୁଁ ହୁଏତ କହିପାରିବି ‘ନିଜ ଭିତରେ ସୂର୍ଯ୍ୟ’, ଯାହା ବାହାରିଥିଲା ପୂଜା ସଂଖ୍ୟା ‘ଆଇନା’ରେ।
ସାହିତ୍ୟ ଚର୍ଚ୍ଚା: ଏଇଟା ବୋଧହୁଏ ଏକ ଉପନ୍ୟାସ ନୁହଁ, ଉପନ୍ୟାସିକା।
ବନଜ ଦେବୀ: ହଁ, ଉପନ୍ୟାସିକା। ପରେ ଅବଶ୍ୟ ଏହାକୁ ଏକ ବହି ଆକାରରେ ମଧ୍ୟ ଅଶୋକ ମହାନ୍ତି ଛାପିଛନ୍ତି; ଯାହା ୧୨୦ ପୃଷ୍ଠାର ହୋଇଛି, କିଛି କମ୍ ପୃଷ୍ଠା ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଅନେକ ଉପନ୍ୟାସ ରଚନା କରିଛନ୍ତି, ଏହା ବ୍ୟତୀତ ଛଅଗୋଟି ଉପନ୍ୟାସିକା,ଅର୍ଥାତ୍ ‘ନଭେଲା’ ମଧ୍ୟ। ଆପଣଙ୍କର କ’ଣ ମନେହୁଏ ନାହିଁ ଯେ ଏବେ ଯେଉଁ ଯୁଗ ଆସିଛି, ସେଥିରେ ଉପନ୍ୟାସ ଅପେକ୍ଷା ଏହି ଉପନ୍ୟାସିକା ରୂପକ ସଂକ୍ଷିପ୍ତ ଅବତାରଟି ଯୁବପିଢିଙ୍କ ଦ୍ୱାରା ବରଂ ଅଧିକ ଗ୍ରହଣୀୟ ହେଉଛି?
ବନଜ ଦେବୀ: ହଁ ଠିକ୍। ମୁଁ ମଧ୍ୟ କହିବି ଯେ ମୁଷ୍ଟିମେୟ ପାଠକ ଆଜି ଅଛନ୍ତି। ସୋସିଆଲ ଓ ଇଲେକ୍ଟ୍ରୋନିକ ମିଡିଆରେ ଯାହାସବୁ ହେଲାଣି, ସେଥିରେ ଛୋଟଛୋଟ ଲେଖା ପଢି ସେମାନେ ଯେଉଁ ଆନନ୍ଦ ପାଉଛନ୍ତି, ବହି ପଢାରେ ସେ ଆନନ୍ଦ ଅନୁଭବ କରିପାରୁ ନାହାନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଅନେକ ରଚନାରେ ପ୍ରକୃତିର ସହିତ ମଣିଷର ନିବିଡତାର ଚିତ୍ର ପରିବେଷିତ ହୋଇଥାଏ। ଏ ବିଷୟରେ କିଛି କହିବେ କି!
ବନଜ ଦେବୀ: ଆମେ ଯଦି ଜନ୍ମଭୂମିକୁ ମାଆ ବୋଲି କହିବା ତେବେ ଆମ ଚାରିପଟେ ଥିବା ପ୍ରକୃତି ହେଉଛି ଆମର ଧାତ୍ରୀ। ପ୍ରକୃତି ହେଉଛି ସ୍ୱପ୍ନର ଗନ୍ତାଘର। ଆମେ ସମସ୍ତେ ସ୍ୱପ୍ନ ଦେଖିବା ଶିଖିଛୁ ପ୍ରକୃତିଠାରୁ। ତାହା ଏକ ନିର୍ଲିପ୍ତ ସ୍ୱପ୍ନ। ସେ ଆମକୁ ଲାଳନ କରିଛି। ମୋର ବିଶ୍ୱାସ ଯେ ପ୍ରକୃତିଠାରୁ ଆମେ ସବୁ ପାଇଛୁ: ନାଦ, ରୂପ, ରଂଗ, ସ୍ୱାଦ, ସବୁ କିଛି। ଶାରଳା ପୁରସ୍କାର ପ୍ରଦାନ ଅବସରରେ ଯେତେବେଳେ ମୋତେ କିଛି କହିବା ପାଇଁ କୁହାଗଲା, ସେତେବେଳେ କହିଥିଲି ଯେ ନିଜର ପ୍ରତି ନିଃଶ୍ୱାସ-ପ୍ରଶ୍ୱାସରେ ମୁଁ ଅଣୁ ଅଣୁ କରି ପିଇଛି ଏ ମାଟିର ରସ।

ସାହିତ୍ୟ ଚର୍ଚ୍ଚା: ଆପଣ ‘କାଠପୁଅ’ ଗଳ୍ପ ସଂକଳନ ପାଇଁ ଶାରଳା ପୁରସ୍କାର ପାଇଥିଲେ। ଏହି କାଠପୁଅ ଗଳ୍ପଟି ସମ୍ପର୍କରେ କୁହାଯାଏ ଯେ ଏଥିରେ ଅଛି ଆପଣଙ୍କର ଗଭୀର ସମ୍ବେଦନଶୀଳତା ଓ ଜୀବନବୋଧ। ତେବେ ଏହି ଗଳ୍ପଟି ଲେଖିବା ପଛର ମୁଖ୍ୟ ପ୍ରେରଣାଟି କ’ଣ ଥିଲା।
ବନଜ ଦେବୀ: ଏଇଟା ଗୋଟିଏ ସତ ଘଟଣା ଉପରେ ପର୍ଯ୍ୟବେସିତ। ମୁଁ ଅତି ନିକଟରୁ ଜଣେ ମହିଳାଙ୍କୁ ଦେଖିଛି। ତାଙ୍କର ବିଶେଷ ଶିକ୍ଷା ଦୀକ୍ଷା ନାହିଁ ଏବଂ ସେ ଜଣେ ନିଃସନ୍ତାନ ମହିଳା। କିନ୍ତୁ ସେ ଜଗନ୍ନାଥଙ୍କୁ ପୁଅଟିଏ ଭଳି ପାଳନ କରିଛନ୍ତି, ଓ ସେଇଥିରେ ହିଁ ବିହ୍ୱଳ ହୋଇ ଜୀବନ ବିତାଇଛନ୍ତି। ଏମିତି ହୋଇଛି ଯେ, ଥରେ ଯେତେବେଳେ ରାତିରେ ତାଙ୍କ ସ୍ୱାମୀ ଘରକୁ କମଳା ଆଣିଛନ୍ତି, ସେତେବେଳେ ସେ ତାଙ୍କୁ କହିଛନ୍ତି ଯେ ରାତିରେ କମଳା ଖାଇଲେ କାଳିଆକୁ ଥଣ୍ଡା ଧରିଯିବ।
ସାହିତ୍ୟ ଚର୍ଚ୍ଚା: ଏ ପ୍ରସଙ୍ଗରେ ଆପଣଙ୍କୁ ଲେଖକୀୟ ଅନୁଭବର କଥା ପଚାରିବୁ। ଯେତେବେଳେ ଜଣେ ଲେଖକକୁ ଏକ ବାସ୍ତବ ଜୀବନ ବା ଘଟଣାକୁ ଆଧାର କରି ଲେଖିବାକୁ ପଡେ, ତେବେ ସେହି ଘଟଣା ଉପରେ କେତେ ମାତ୍ରାର କଳ୍ପନାର ପୁଟ ଦେବାକୁ ପଡେ, ଯଦ୍ୱାରା ସେହି ବାସ୍ତବ ଘଟଣା ଓ ପାତ୍ରମାନେ ଚିହ୍ନିତ ହୋଇପାରିବେ ନାହିଁ?
ବନଜ ଦେବୀ: ଦେଖନ୍ତୁ, ଗପ ଲେଖିବାର କଳା ଓ କାରିଗରୀ ସମ୍ପର୍କରେ ମୁଁ ବିଶେଷ ଜ୍ଞାନ ଅର୍ଜନ କରିନାହିଁ, ଯାହା ଏମିତି ଲେଖୁ ଲେଖୁ ଲେଖିଛି। ତେଣୁ ଗଳ୍ପରେ ମୋର ଅନୁଭବର କଥା ସିଧାସଳଖ ଲେଖିଛି। ସେଥିରେ ବାସ୍ତବତାକୁ ଘୋଡାଇବାର ପ୍ରୟାସ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସମକାଳୀନ ଲେଖିକା ମାନଙ୍କୁ ମଧ୍ୟରୁ ବୀଣାପାଣି ମହାନ୍ତି ଓ ପୂଣ୍ୟପ୍ରଭା ଦେବୀ ତ ଆଉ ଇହ ଜଗତରେ ନାହାନ୍ତି। ମନେ ପଡ଼ନ୍ତି ସେମାନେ?
ବନଜ ଦେବୀ: ବୀଣା ଅପା ମୋଠାରୁ ବୟସରେ ବଡ଼ ହେବେ। ତାଙ୍କ ସହିତ ମୋର ସମ୍ପର୍କ ୧୯୬୪ ମସିହାରୁ। ପୂଣ୍ୟପ୍ରଭା ବି ମୋଠାରୁ ଦୁଇ ତିନି ବର୍ଷ ବଡ ହେବେ। ସେ ଯାହା ହେଉ, ପୁଣ୍ୟପ୍ରଭା, ମୁଁ, ସୁଧାଂଶୁବାଳା ଓ ଇନ୍ଦୁ, ଆମେ ସବୁ ଏକା ସମୟରେ ଲେଖିଛୁ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶା ଲେଖିକା ସଂସଦର ଉପସଭାପତି ଭାବରେ ଆପଣଙ୍କର ସାଂଗଠନିକ ଅନୁଭୂତି କେମିତି ଥିଲା?
ବନଜ ଦେବୀ: ମୋ ଜୀବନର ଅପରାହ୍ନରେ ମୁଁ ଯେତେବେଳେ ଭୁବନେଶ୍ୱରରେ ଆସି ରହିଲି, ଏବଂ ଓଡ଼ିଶା ଲେଖିକା ସଂସଦ ଗଠିତ ହେଲା, ସେତେବେଳେ ମୁଁ ଜାଣିନି, ସେମାନେ ମୋତେ କାହିଁକି ଉପସଭାପତି ଭାବରେ ବାଛିଲେ। ମୁଁ ଏହି ପଦରେ ରହିଲି ଦୀର୍ଘ ୧୫ଟି ବର୍ଷ। ବୀଣା ଅପାଙ୍କ ପରିଚାଳନାରେ ଅନୁଷ୍ଠାନଟି ଭଲ ଚାଲିଥିଲା। ଅବଶ୍ୟ ପରେ, ମୁଁ ନିଜର କିଛି ପାରିବାରିକ ଅସୁବିଧା ହେତୁ ସେଥିରୁ ଓହରି ଆସିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ଏବେ ଗୋଟିଏ ସଭାରେ କହିଲେ ଯେ ସାହିତ୍ୟ ଆପଣଙ୍କୁ ଦେଇଛି ‘ଅପରିସୀମ ଆନନ୍ଦ ଓ ମଧୁରତମ କଷ୍ଟ।’ ଅପରିସୀମ ଆନନ୍ଦ କଥାଟି ତ ବୁଝିହେଉଛି, କାରଣ ଏହା ଲେଖକମାନଙ୍କର ଏକ ସାର୍ବଜନୀନ ଅନୁଭବ। ତେବେ ‘ମଧୁରତମ କଷ୍ଟ’ ବୋଲି କହି ଆପଣ କ’ଣ ଇଙ୍ଗିତ କରିବାକୁ ଚାହାନ୍ତି?
ବନଜ ଦେବୀ: ମଧୁରତମ କଷ୍ଟ କଥାଟି ହେଲା, ଦୁଇଟି ସତ୍ତା ନେଇକରି ମୁଁ ବଞ୍ଚିଛି। ଗୋଟିଏ ମୋର ନାରୀ ସତ୍ତା, ଅନ୍ୟଟି ହେଲା ମୋ’ର ଲେଖକୀୟ ସତ୍ତା। ପ୍ରତି ମୁହୂର୍ତ୍ତରେ ଦୁଇଟିଯାକ ମଧ୍ୟରେ ଲଢେଇ ଚାଲିଛି। ଆଉ ସେ ଲଢେଇ ଭିତରେ ସବୁବେଳେ ନାରୀ ସତ୍ତାର ବିଜୟ ହେଉଛି। ତେଣୁ ସେ ଯେଉଁ ହାରିଯାଇଥିବା ସତ୍ତାଟା, ସେ ନା ରହି ପାରୁଛି, ନା ଛାଡିପାରୁଛି। ସେଇଟି ହେଲା ତାହାର ମଧୁରତମ କଷ୍ଟ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ତ ପାଞ୍ଚ ଗୋଟି କବିତା ସଙ୍କଳନ ରହିଛି। କବିତା କ’ଣ ନିଜକୁ ହାଲୁକା କରିବା ପାଇଁ ଲେଖନ୍ତି, ନା ପାଠକମାନଙ୍କ ପାଇଁ?
ବନଜ ଦେବୀ: ସତ କଥା କହୁଛି, କବିତା ମୋ’ର ପ୍ରଥମ ଆଗ୍ରହ। ଅଳ୍ପ ବୟସରେ ମୁଁ କବିତା ପ୍ରେମରେ ପଡ଼ିଯାଇଥିଲି। ଆପଣ କହିପାରନ୍ତି ଯେ ଉଭୟଙ୍କ ପାଇଁ ମୁଁ କବିତା ଲେଖେ, ଅର୍ଥାତ୍ ପାଠକ ଏବଂ ମୋ ନିଜ ପାଇଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା” ପତ୍ରିକାର ମଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ ।)

One thought on “ବର୍ଷୀୟାନ୍ ସାହିତ୍ୟିକା ବନଜ ଦେବୀଙ୍କ ସହିତ ସାରସ୍ୱତ ଆଳାପ

Leave a Reply

Your email address will not be published. Required fields are marked *