ବୌଦ୍ଧିକ ସାହିତ୍ୟ ପରି ଓଡ଼ିଆ ଗୋଇନ୍ଦା ଉପନ୍ୟାସକୁ ଉତ୍ସାହିତ ବା ପୁରସ୍କୃତ କରାଯାଇନାହିଁ।
ଓଡ଼ିଆ ସାହିତ୍ୟରେ ଗୋଇନ୍ଦା ଉପନ୍ୟାସ ରଚନାର ଯାତ୍ରା ଆରମ୍ଭ ହୁଏ ୧୯୩୩ ମସିହାରୁ। କଥାକାର ବାସୁଦେବ ମିଶ୍ର ‘ପଞ୍ଚାନନ’ (୧୮୯୬ – ୧୯୬୦)ଙ୍କ ଦ୍ୱାରା ରଚିତ ‘ପେଟ ଖୋଲର ପାନ୍ଥନିବାସ’ ହେଉଛି ଓଡ଼ିଆ ଗୋଇନ୍ଦା ଉପନ୍ୟାସର ଆଦ୍ୟ ଅର୍ଘ୍ୟ। ସେବେଠାରୁ ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଅନେକ ଗୋଇନ୍ଦା ଉପନ୍ୟାସ ରଚନା ଓ ପ୍ରକାଶ ଲାଭ କରିଛି। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଓଡ଼ିଆ ସାହିତ୍ୟରେ ସମଗ୍ର ପର୍ଯ୍ୟାୟର ଉପନ୍ୟାସ ଯେତିକି ଲେଖା ହୋଇଛି ତା’ର ସତୁରି ପ୍ରତିଶତ ଓଡ଼ିଆ ଗୋଇନ୍ଦା ଉପନ୍ୟାସ। ତେଣୁ ଅନେକ ବିଳମ୍ବରେ ଓଡ଼ିଆ ସାହିତ୍ୟରେ ଗୋଇନ୍ଦା ଉପନ୍ୟାସ ରଚନାର ଧାରା ଆରମ୍ଭ ହୋଇଥିଲେ ମଧ୍ୟ ଖୁବ୍ ଅଳ୍ପ କାଳ ମଧ୍ୟରେ ତାହା ଗୋଟିଏ ସ୍ୱତନ୍ତ୍ର କଥାପ୍ରରୂପର ମାନ୍ୟତା ଲଭିବାରେ ସଫଳ ହୋଇପାରିଛି। ଶହ ଶହ ଉପନ୍ୟାସ ସହସ୍ରାଧିକ ସଂଖ୍ୟାରେ ମୁଦ୍ରଣ ହୋଇ ବିକ୍ରି ହୋଇଯିବା ଗୋଇନ୍ଦା ଉପନ୍ୟାସର ଲୋକପ୍ରିୟତା ଓ ପାଠକାଦୃତିର ପରିଚାୟକ।
କଥାବସ୍ତୁ
ଗୋଇନ୍ଦା ଉପନ୍ୟାସର କଥାବସ୍ତୁ ସମାଜରେ ଘଟିତ ନକାରାତ୍ମକ ଘଟଣାକୁ ଉପଜୀବ୍ୟ କରି ପୁଷ୍ଟ ହେଉଥିବାରୁ ସମାଜରେ ତାହା ନାସିକା କୁଞ୍ଚନର ଶିକାର ହେଉଥିଲା। ତାହାକୁ ପାଠ୍ୟ ବିଷୟ ବହିର୍ଭୂତ କରାଯାଉଥିଲା। ଏହି ଧରଣର କଥାବସ୍ତୁ ସମ୍ବଳିତ ପୁସ୍ତକ ପଢ଼ିବାଦ୍ୱାରା ଯୁବପିଢିଙ୍କ ଉପରେ ଖରାପ ପ୍ରଭାବ ପଡିବାର ଆଶଙ୍କାରେ ଉକ୍ତ ଉପନ୍ୟାସ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଗୋଟିଏ ଧାରଣା ସମାଜରେ ତିଆରି ହୋଇଥିଲା। ଏହି ଧରଣର ପ୍ରତିକୂଳତା ସତ୍ତ୍ୱେ ଓଡ଼ିଆ ଗୋଇନ୍ଦା ଉପନ୍ୟାସ ସଂଖ୍ୟାଧିକ ବିକ୍ରି ହେବା ବାସ୍ତବିକ୍ ଆଶ୍ଚର୍ଯ୍ୟର ବିଷୟ। ଗୋବିନ୍ଦ ଦାସ, ଦ୍ୱାରିକାନାଥ ଦାସ, ଗିରିଧାରୀ ମହାରଣା, ଭୂପେନ ଗୋସ୍ୱାମୀ, କଣ୍ଡୁରି ଚରଣ ଦାସ, ଗୋଇନ୍ଦା ସାହେବ୍, ପ୍ରମୋଦ କିଶୋର ପଣ୍ଡା, ମୁରଲୀଧର ମଲ୍ଲିକ, ରମାକାନ୍ତ ମିଶ୍ର, ବିଜୟ ରଣା, ଯୋଗେନ୍ଦ୍ର ମହାନ୍ତି ଆଦି ଶାଣିତ ଲେଖକମାନେ। ପ୍ରତ୍ୟେକେ ପ୍ରାୟ ଶତାଧିକ ଓଡ଼ିଆ ଗୋଇନ୍ଦା ଉପନ୍ୟାସ ରଚନା କରି ପାଠକଙ୍କୁ ଭେଟି ଦେଇଛନ୍ତି। ଦୀର୍ଘ ୬୦ ବର୍ଷର ଅବିଶ୍ୱସନୀୟ ସଫଳତା ପରେ ହଠାତ୍ ଏହିପରି ଏକ ବଳିଷ୍ଠ ଧାରାରେ ଆଦୌ କଲମ ଚାଳନା ନ ହେବା ଓଡ଼ିଆ ସାହିତ୍ୟ ପାଇଁ ନିଶ୍ଚିତ କ୍ଷୋଭ ଏବଂ ପରିତାପର ବିଷୟ।
ପାଠକୀୟତା ହରାଇବାର କାରଣ
ବିଶ୍ୱର ଦୁଇ ପ୍ରକାର ସାହିତ୍ୟର ଆଲୋଚନା କରାଯାଇଛି। ପ୍ରଥମତଃ ବୌଦ୍ଧିକ ସାହିତ୍ୟ ଏବଂ ଦ୍ୱିତୀୟରେ ଲୋକପ୍ରିୟ ସାହିତ୍ୟ। ଏହି ଲୋକପ୍ରିୟ ସାହିତ୍ୟର ଗୋଟିଏ ପ୍ରସିଦ୍ଧ ଧାରା ହେଉଛି ଗୋଇନ୍ଦା ଉପନ୍ୟାସ। ଲୋକପ୍ରିୟ ସାହିତ୍ୟର ରଚନାର ମୁଖ୍ୟ ଆଭିମୁଖ୍ୟ ହେଉଛି ମନୋରଞ୍ଜନ। ଓଡ଼ିଆ ଗୋଇନ୍ଦା ଉପନ୍ୟାସ ମନୋରଞ୍ଜନକୁ ଆଧାର କରି ଲେଖା ଯାଉଥିବାରୁ ଏହାର ସାହିତ୍ୟିକ ମୂଲ୍ୟ ତୁଳନାମୂଳକ ଭାବରେ ଅନ୍ୟ ପ୍ରରୂପର ଉପନ୍ୟାସଠାରୁ ସ୍ୱଳ୍ପ। ସମାଜରେ ଘଟିତ ଅପରାଧକୈନ୍ଦ୍ରିକ ରହସ୍ୟକୁ କେନ୍ଦ୍ର କରି କଥାନମାନ ଗତିଶୀଳ ହେଉଥିବାରୁ ସମାଜର ଅନ୍ୟାନ୍ୟ ଦିଗ ଉପରେ ବିଶେଷ ଦୃଷ୍ଟି ନିବଦ୍ଧକରି କଥାବସ୍ତୁ ସ୍ଥାନିତ କରିବାର ସୁଯୋଗ ଏଥିରେ ନ ଥାଏ। ତେଣୁ ପାଠକ ସମାଜର ଏକପାଖିଆ ମୂଲ୍ୟାୟନ ଏଥିରେ ଦେଖିବାକୁ ମିଳିଥାଏ। ଯଦିଓ ଅନ୍ଧାର ବିନା ଆଲୋକର ମର୍ଯ୍ୟାଦା ପ୍ରତିଫଳିତ ହୁଏ ନାହିଁ ତଥାପି, ଏହି ଧରଣର ଉପନ୍ୟାସରେ ଅପରାଧ ମୁଖ୍ୟ ବିନ୍ଦୁ ହୋଇଥିବାରୁ ତାହା ବୌଦ୍ଧିକ ମହଲରେ ଗ୍ରହଣୀୟ ହୋଇପାରେ ନାହିଁ।
ଓଡ଼ିଆ ଗୋଇନ୍ଦା ଉପନ୍ୟାସରେ କଥାବସ୍ତୁ ଉପସ୍ଥାପନ କାଳରେ ଉତ୍କଣ୍ଠା ଏବଂ ଦ୍ୱନ୍ଦ୍ୱ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଯାହା ଦ୍ୱାରା ତାହା ପାଠକକୁ ଆମୂଳଚୂଳ ପଠନ ପାଇଁ ବାନ୍ଧି ରଖିବାରେ ସକ୍ଷମ ହେବ। ଗୋଇନ୍ଦା ଉପନ୍ୟାସ ଯେ ପାଠକକୁ ପଠନ ଅଭିରୁଚି କରାଇଛି ତାହା ମୁକ୍ତ କଣ୍ଠରେ କୁହାଯାଇପାରେ। ହେଲେ ବୌଦ୍ଧିକ ସାହିତ୍ୟ ପରି ଲୋକପ୍ରିୟ ସାହିତ୍ୟକୁ ପ୍ରୋତ୍ସାହନ ମିଳିପାରି ନାହିଁ। ରାଜ୍ୟ ସ୍ତରରେ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବୌଦ୍ଧିକ ସାହିତ୍ୟ ପରି ଓଡ଼ିଆ ଗୋଇନ୍ଦା ଉପନ୍ୟାସକୁ ଉତ୍ସାହିତ ବା ପୁରସ୍କୃତ କରାଯାଇନାହିଁ। ଓଡ଼ିଆ ଗୋଇନ୍ଦା ଉପନ୍ୟାସ ଲେଖକମାନେ ନିଜ ହାତରୁ ଟଙ୍କା ବିନିଯୋଗ କରି ପୁସ୍ତକ ଛପେଇ ବଜାରକୁ ଛାଡୁଥିଲେ। ସେମାନେ ପାଠକର ଆଦୃତି ଓ ପ୍ରଶଂସାକୁ ହିଁ ନିଜର ପ୍ରାପ୍ୟ ଏବଂ ପୁରସ୍କାର ବୋଲି ମନେ କରୁଥିଲେ। ସାଥୀ ପ୍ରକାଶନ, ଜନପ୍ରିୟ ପ୍ରକାଶନ, ରାଜଶ୍ରୀ ପ୍ରକାଶନୀ ପରି ହାତଗଣତି ପ୍ରକାଶକ ଗୋଇନ୍ଦା ଉପନ୍ୟାସ ଛାପୁଥିଲେ। ତେଣୁ ଗୋଟେ ସମୟ ପରେ ଗୋଇନ୍ଦା ଉପନ୍ୟାସ ଛପାହେବା କ୍ରମଶଃ କମିବାକୁ ଲାଗିଲା। ଯୁବପିଢିର ସାହିତ୍ୟିକ ପରିଚୟ, ପୁରସ୍କାର ଏବଂ ପ୍ରୋତ୍ସାହନକୁ ଆଖି ଆଗରେ ରଖି ବୌଦ୍ଧିକ ସାହିତ୍ୟ ରଚନା ଦିଗରେ ଅନେକ ଅଧିକ ମନୋନିବେଶ କରିବାକୁ ଲାଗିଲେ। ତେଣୁ ଓଡିଆ ଗୋଇନ୍ଦା ଉପନ୍ୟାସ ଲେଖକଙ୍କ ନିକଟରେ ଆର୍ଥିକ ଅନଟନ ମଧ୍ୟ ଗୋଇନ୍ଦା ଉପନ୍ୟାସ ପତନର ଅନ୍ୟ ଏକ କାରଣ।
ମନୋରଞ୍ଜନକୁ ଗୁରୁତ୍ୱ
ଅପରାଧ ଓ ମନୋରଞ୍ଜନକୁ ଗୁରୁତ୍ୱ ଦେଇ ଗୋଇନ୍ଦା ଉପନ୍ୟାସ ରଚନା କାଳରେ ଲେଖକ କାହାଣୀର ଗଠନ ବିନ୍ୟାସକୁ ସେତେଟା ସ୍ୱତନ୍ତ୍ର କରି ଗଢ଼ିପାରିଲେ ନାହିଁ। ଫଳରେ କିଛି ଗୋଇନ୍ଦା ଉପନ୍ୟାସ ପଢ଼ିସାରିବା ପରେ ପାଠକ ଏବେ ଗଳ୍ପ ଗୁନ୍ଥନରେ ସାମ୍ୟତା ଅନୁଭବ କଲା। ଗୋଟିଏ ଗୋଇନ୍ଦା ଉପନ୍ୟାସ ପଢ଼ିବା କାଳରେ ରୋମାଞ୍ଚିତ ହୋଇ ଉଠିଥିବା ପାଠକ ମନରେ ଆଉ ଭାବ ଆଗ୍ରହ ଜାତ ହେଲା ନାହିଁ। ଲେଖକ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିଲେ ହୁଏତ ପାଠକ ଏଯାବତ୍ ବାନ୍ଧି ହୋଇ ରହିଥାନ୍ତେ ଓଡ଼ିଆ ଗୋଇନ୍ଦା ଉପନ୍ୟାସର ଉତ୍କଣ୍ଠା ଭିତରେ। ଉପନ୍ୟାସରେ ଘଟଣା ବିନ୍ୟାସ କାଳରେ ଯୁଗୋପଯୋଗିତା ନ ରହିବା ଓଡ଼ିଆ ଗୋଇନ୍ଦା ଉପନ୍ୟାସର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି। ଏକବିଂଶ ଶତାବ୍ଦୀର ବିଶ୍ୱରେ ୫ଶ ଇଣ୍ଟରନେଟରେ ଅନେକ ଅସାମ୍ବିଧାନିକ କାର୍ଯ୍ୟ, ସାଇବର କ୍ରାଇମ୍, ଅନେକ ବୈଜ୍ଞାନିକ ପଦ୍ଧତି, ଉନ୍ନତ ପ୍ରଯୁକ୍ତି କୌଶଳକୁ ବ୍ୟବହାର କରି ଅପରାଧୀ ଅପରାଧ ଘଟାଉଛି। ଫଳରେ ସି.ବି.ଆଇ., କ୍ରାଇମ୍ ବ୍ରାଞ୍ଚ ତା ଦକ୍ଷ ପଦାଧିକାରୀ ମଧ୍ୟ ତାହାକୁ ଧରିବାରେ ବିଫଳ ହୋଇ ପଡ଼ୁଛନ୍ତି। ଫଳରେ ଗୋଇନ୍ଦା ବା ପୋଲିସ ନୁହେଁ, ଅପରାଧୀଟେ କେଉଁଠି ନା କେଉଁଠି ନାୟକ ହୋଇ ଉଠୁଛି। ଏହିପରି ଏକ ସମାଜରେ ଜନ୍ମିତ ନବଜାତକ ଓଡ଼ିଆ ଗୋଇନ୍ଦା ଉପନ୍ୟାସର କଥା ବସ୍ତୁରେ ଚିଠି, କ୍ରାଡେଲ୍ ଡାଏଲ୍ ଲେଣ୍ଡଫୋନ ଆଦି ପଢ଼ିବା ଦ୍ୱାରା ପାଠକ ସ୍ୱାଭାବିକ ବିରକ୍ତିର ଶିକାର ହେଉଛି। ତେଣୁ ସେ ଓଡ଼ିଆ ଗୋଇନ୍ଦା ଉପନ୍ୟାସରେ ସେହି ଧରଣର ରୋଚକ କାହାଣୀ, ରୋମାଞ୍ଚକର ଉପସ୍ଥାପନା ପାଇପାରୁନାହିଁ। ଏସବୁ ଦିଗରେ ଯୁବପିଢିର ଲେଖକ ଗୁରୁତ୍ୱ ଦେଲେ ପୁଣି ଥରେ ଓଡ଼ିଆ ଗୋଇନ୍ଦା ଉପନ୍ୟାସ ଯେ ତା’ର ହୃତ ଗୌରବ ଫେରି ପାଇବ ଏଥିରେ କୌଣସି ଦ୍ୱିରୁକ୍ତି ନାହିଁ।
ବାର୍ତ୍ତମାନିକ ସ୍ଥିତି
‘କାଦମ୍ବିନୀ’ ଓଡ଼ିଆ ପାରିବାରିକ ପତ୍ରିକାରେ ୨୦୦୦ ମସିହା ପୂଜା ସଂଖ୍ୟାରେ ପ୍ରକାଶିତ କଥାକାର କଣ୍ଡୁରି ଚରଣ ଦାସଙ୍କ ଦ୍ୱାରା ରଚିତ ‘ଅଙ୍ଗୁରୀୟମାଳ ରହସ୍ୟ’ ସମ୍ଭବତଃ ଓଡ଼ିଆ ଗୋଇନ୍ଦା ଉପନ୍ୟାସର ଶେଷତମ ମୌଳିକ କୃତି। ଏହା ପରେ ହାତଗଣତି କେତୋଟି ଓଡ଼ିଆ ଗୋଇନ୍ଦା ଉପନ୍ୟାସର ପୁନଃ ସଂସ୍କରଣ ଏବଂ କେତୋଟି ଇଂରାଜୀ ଗୋଇନ୍ଦା ଉପନ୍ୟାସର ଅନୁବାଦ କ୍ୱଚିତ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ବଜାରରେ ଓଡ଼ିଆ ଗୋଇନ୍ଦା ଉପନ୍ୟାସର ଲିଖନ, ପ୍ରକାଶନ, କିମ୍ବା ପୂର୍ବ ରଚିତ ଉପନ୍ୟାସଗୁଡ଼ିକର ଉପଲବ୍ଧି ବନ୍ଦ ହୋଇଗଲାଣି। ଅନେକ ପ୍ରକାଶନ ସଂସ୍ଥା ମଧ୍ୟ ବନ୍ଦ ହୋଇଗଲାଣି। ଏହି ଦୟନୀୟ ଅବସ୍ଥା କେବଳ ଓଡ଼ିଆ ଗୋଇନ୍ଦା ଉପନ୍ୟାସର ହୋଇଛି କାହିଁକି? ଯଦିଓ ଅନେକ ଶତାବ୍ଦୀ ପୂର୍ବରୁ ବିଶ୍ୱ ସାହିତ୍ୟର ଲୋକପ୍ରିୟ ଧାରାରେ ଜନ୍ମ ନେଇଥିବା ଗୋଇନ୍ଦା ଉପନ୍ୟାସ ଏବେ ବି ପାଠକୀୟ ଆଦୃତିର ଚରମ ସୋପାନରେ ନିଜକୁ ରଖି ପାରିଛି। ପଡ଼ୋଶୀ ବଙ୍ଗଳା ଗୋଇନ୍ଦା ଉପନ୍ୟାସ ରଚନା ମଧ୍ୟ ଲୋପ ପାଇଯାଇନାହିଁ। ଏହାର କାରଣ ଆମ ଯୁବପିଢିଙ୍କ ଅଯୋଗ୍ୟତା ନୁହେଁ ତ !
ଆଣ୍ଡ୍ରଏଡ ଜମାନାରେ ନିରସ ବହିର ପୃଷ୍ଠା ପର ପୃଷ୍ଠା ଓଲଟାଇ ଦୀର୍ଘ କଳେବରକୁ ପଢ଼ିବା ପରେ ତା’ର ରସ ଆସ୍ୱାଦନ କରିବାର ଧୈର୍ଯ୍ୟ ଓ ସମୟ ଉତ୍ତରୋତ୍ତର ପିଢ଼ି ପାଖରେ ନାହିଁ। ତେଣୁ ସେମାନେ ପୁସ୍ତକ ଅଧ୍ୟୟନ ଅପେକ୍ଷା ମୋବାଇଲରେ ଦୃଶ୍ୟ, ଶ୍ରାବ୍ୟ ଏବଂ ଉଭୟ ଦୃଶ୍ୟଶ୍ରାବ୍ୟ ମାଧ୍ୟମ ଦ୍ୱାରା ତାହାକୁ ଉପଭୋଗ କରିବାକୁ ଅଧିକ ପସନ୍ଦ କରୁଛି। ଯେଉଁ କଥାବସ୍ତୁ କେବଳ ଧଳା ପ୍ରଚ୍ଛଦରେ କଳା ରଙ୍ଗର କାଳି ଦ୍ୱାରା ଲେଖକ ବ୍ୟକ୍ତ କରେ ଏବଂ ଶବ୍ଦ ମାଧ୍ୟମରେ ପାଠକ ତାହାକୁ ଉପଭୋଗ କରେ; ସେହି କଥାବସ୍ତୁକୁ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଅଧିକ ପ୍ରଭାବଶାଳୀ ଭାବରେ ଉପସ୍ଥାପନା କରାଯାଇ ପାରୁଛି। ସମ୍ପୂର୍ଣ୍ଣ ଘଟଣାକୁ ଆଲୋକ, ସଙ୍ଗୀତ, ଡିଜିଟାଲ ଇଫେକ୍ଟ ମାଧ୍ୟମରେ ଉତ୍କଣ୍ଠାକୁ ପ୍ରଗାଢ କରାଯାଇ ପାରିଛି। ତେଣୁ ପାଠକ କ୍ରମଶଃ ପୁସ୍ତକ ପଠନ ଠାରୁ ନିଜକୁ ଦୂରେଇ ନେଉଛି। ବିଶ୍ୱ ଗୋଇନ୍ଦା ସାହିତ୍ୟ ଫିଲ୍ମ ଧାରାବାହିକ ଭାବରେ ପ୍ରସାରିତ ହେବା ଦ୍ୱାରା ତାହାର ମର୍ଯ୍ୟାଦା ଅକ୍ଷୁଣ୍ଣ ରହିଛି, ଯାହା ଓଡ଼ିଆ ଗୋଇନ୍ଦା ଉପନ୍ୟାସ କ୍ଷେତ୍ରରେ ଏଯାବତ୍ ହୋଇପାରିନାହିଁ। ଧାରାବାହିକ ଭାବରେ ହିନ୍ଦୀ କିମ୍ବା ଇଂରାଜୀରେ ପ୍ରସାରିତ ହେଉଥିବା କ୍ରାଇମ୍ ପେଟ୍ରୋଲ, ସି.ଆଇ.ଡି. ପରି ଧାରାବାହିକ ବା ଅପରାଧ ଓ ରହସ୍ୟକୈନ୍ଦ୍ରିକ ଚଳଚ୍ଚିତ୍ର ଅଧିକ ଦର୍ଶକ ସାଉଁଟିବାରେ କୃତକାର୍ଯ୍ୟ ହେଉଥିବା ବେଳେ ଓଡ଼ିଆ ଗୋଇନ୍ଦା ଉପନ୍ୟାସର ସ୍ଥିତି ଏପରି କାହିଁକି? ଏହା କ’ଣ ଆମ ସାହିତ୍ୟ ଜଗତ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ନୁହେଁ କି?
ଗୋଇନ୍ଦା ଉପନ୍ୟାସର ଭବିଷ୍ୟତ
ଶ୍ରୀମତୀ ପୁଣ୍ୟପ୍ରଭା ଦେବୀଙ୍କ ଦ୍ୱାରା ରଚିତ ‘କୁନି ଗୋଇନ୍ଦା’ (କ୍ଷୁଦ୍ରଗଳ୍ପ ସଂକଳନ) ୨୦୧୦ ମସିହା ପାଇଁ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ବାଳ ସାହିତ୍ୟ ପୁରସ୍କାର ଲାଭ କରିବା ଓଡ଼ିଆ ଗୋଇନ୍ଦା ଉପନ୍ୟାସ ପୁନର୍ଜନ୍ମ ପାଇଁ ଗୋଟିଏ ଶୁଭ ଲକ୍ଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୭ ମସିହାରୁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ. କଇଳାଶ ପଟ୍ଟନାୟକଙ୍କ ଓଡ଼ିଆ ଗୋଇନ୍ଦା ଉପନ୍ୟାସ ଉପରେ କ୍ରମାଗତ କେତୋଟି ପ୍ରବନ୍ଧ କାଦମ୍ବିନୀ, ପକ୍ଷୀଘର, ଇସ୍ତାହାର, ପ୍ରତିବେଶୀ, ସତ୍ୟବାଦୀ ପରି ସାହିତ୍ୟଧର୍ମୀ ପତ୍ରିକାରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଗବେଷଣା ଅନେକଙ୍କ ଦ୍ୱାରା ତ୍ୱରାନ୍ୱିତ ହୋଇଛି। ଜାକିର ଖାନ୍, ରାଜ୍ ମହାପାତ୍ର, କେ. ବିପ୍ଳବଙ୍କ ଦ୍ୱାରା କେତେକ ଗୋଇନ୍ଦା ଉପନ୍ୟାସ ଏବଂ ଉପନ୍ୟାସକାର ଆଲୋଚନାର ପରିସର ଭିତରକୁ ଆସିପାରିଛନ୍ତି। ହେଲେ କୌଣସି ପୂର୍ଣ୍ଣାଙ୍ଗ ମୌଳିକ ଓଡିଆ ଗୋଇନ୍ଦା ଉପନ୍ୟାସ ଏଯାବତ୍ ପ୍ରକାଶ ଲାଭ କରିନାହିଁ। ମାତ୍ର ସାମାଜିକ ଗଣମାଧ୍ୟମ (ମୁଖ ପୁସ୍ତିକା)ରେ ଧାରାବାହିକ ଭାବରେ ଗୋଇନ୍ଦା ଉପନ୍ୟାସ ରଚନା ହେବା ଓଡ଼ିଆ ସାହିତ୍ୟ ପାଇଁ ଖୁସି ଖବର ନିଶ୍ଚିତ ଭାବରେ। ଅପେକ୍ଷା ପୁଣି ଥରେ ଓଡ଼ିଆ ଗୋଇନ୍ଦା ଉପନ୍ୟାସର କଳେବର ତୀକ୍ଷ୍ଣ, ସୂକ୍ଷ୍ମ କାରୁକାର୍ଯ୍ୟରେ ପୂର୍ଣ୍ଣ ହେଉ। ପାଠକକୁ ପୁଣି ଥରେ ପଠନ ଓ ମନୋରଞ୍ଜନର ଖୋରାକ ଦେଉ। ପାଠକ ବି ନିଜର ପଠନ ଦକ୍ଷତାର ଗୋଇନ୍ଦା ଉପନ୍ୟାସକୁ ପୂର୍ବବତ୍ ଆପଣେଇ ନେଉ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଏପ୍ରିଲ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଖୁବ୍ ଦରକାରୀ ଓ ସୁନ୍ଦର ଆଲୋଚନା। ବର୍ତ୍ତମାନ ସମୟରେ ଆଉ ଗୋଟିଏ ହେଲେ ଓଡ଼ିଆ ଡିଟେକ୍ଟିଭ ଉପନ୍ୟାସ ଲେଖା ଯାଉନାହିଁ। ଏହା ଓଡିଆ ସାହିତ୍ୟର ଏକ ସଂକଟ। ଏହି ଉଚ୍ଚକୋଟୀର ଆଲୋଚନା ପାଇଁ ଲେଖିକା ପ୍ରତୀଚୀ ନନ୍ଦଙ୍କୁ ଅଭିନନ୍ଦନ। ସଂପାଦକ ଶ୍ରୀ ଶତପଥୀଙ୍କୁ ଧନ୍ୟବାଦ ଏମିତି ଗୋଟିଏ ପ୍ରବନ୍ଧ ସଂଗ୍ରହ କରିଥିବାରୁ।
ଚମତ୍କାର ଲେଖା। ଲେଖାଟି ଗବେଷଣାତ୍ମକ ହୋଇଥିବାରୁ ବେଶ୍ ଭଲ ହୋଇଛି। ଏଥିରେ ସେର୍ଲକ୍ସ ହୋମ୍ ବା ଏହି ଚରିତ୍ରର ରଚୟିତା ଆର୍ଥର କୋବାର ଦାୟଲଙ୍କ ସମ୍ପର୍କରେ କିଛି ତୁଳନାତ୍ମକ ଲେଖା ରହିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି ମୁଁ ଭାବୁଛି। ଯାହାହେଉ ଲେଖିକା ଓଡ଼ିଆ ଗୋଇନ୍ଦା ଉପନ୍ୟାସ ସମ୍ପର୍କରେ ଏକ ଚମତ୍କାର ତୁଳନାତ୍ମକ ବିଚାର କରିଛନ୍ତି, ଯାହା ପ୍ରାୟତଃ ହୁଏନାହିଁ। ସେଥିପାଇଁ ତାଙ୍କୁ ଏବଂ ଲେଖାକୁ ପ୍ରକାଶିତ କରିଥିବା ସମ୍ପାଦକ, ଉଭୟଙ୍କୁ ଧନ୍ୟବାଦ।
ମୋ ମତରେ ବୋଧହୁଏ ଏବେ ଗୋଇନ୍ଦା ଉପନ୍ୟାସ ଲେଖିବା ପାଇଁ ଲେଖକମାନେ ଆଗ୍ରହୀ ନୁହଁନ୍ତି।
ଲେଖାଟି ଗବେଷଣାତ୍ମକ ଓ ଉଚ୍ଚ ମାନର । କିନ୍ତୁ ଆଲୋଚିକାଙ୍କ ନିକଟରେ ସମସାମୟିକ ପୁସ୍ତକର ଖବର ନାହିଁ । ଏବେ ବି ଗୋଏନ୍ଦା ଉପନ୍ୟାସ ଲେଖା ହେଉଛି । ନିକଟରେ ପରେଶ ପଟ୍ଟନାୟକଙ୍କର ତିନୋଟି କିଶୋର ଗୋଏନ୍ଦା ଉପନ୍ୟାସ ପ୍ରକାଶ ପାଇଛି । ଦୁଇଟି ଉପନ୍ୟାସ ଭୁବନେଶ୍ବର ର ଲେଖାଲେଖି ପ୍ରକାଶ କରିଥିବା ବେଳେ ଗୋଟିଏ କଟକର ଆଦିତ୍ଯ ଭାରତ ଦ୍ଵାରା ପ୍ରକାଶିତ । ପୁସ୍ତକ ଗୁଡିକ ହେଲା ଗୋଇନ୍ଦାଗିରି, ଚୋରିବହିର ରହସ୍ୟ , ଏକ ଚୋରିର କାହାଣୀ । ପୁସ୍ତକ ଗୁଡିକ ବହି ବଜାର ସମେତ amazon ଓ flipkart ଭଳି ଅନଲାଇନ ଷ୍ଟୋର ରେ ମଧ୍ୟ ମିଳୁଛି ।
ପରେଶ ପଟ୍ଟନାୟଙ୍କ ଦ୍ଵାରା ଲିଖିତ ଉପନ୍ୟାସ ତିନୋଟି ପିଲାଙ୍କ ଉଦ୍ଦେଶ୍ୟରେ ଲିଖିତ ‘ବାଳ ସାହିତ୍ୟ ‘ । ଆପଣଙ୍କ ତଥ୍ୟମୂଳକ ଗାଠନିକ ମତାମତ ପାଇଁ ହୃଦୟରୁ ଧନ୍ୟବାଦ। ପ୍ରଣାମ