ବସ୍ତୁମାନଙ୍କ ବିଦ୍ରୋହ

ସେଠି ବସି ଢେର ସମୟ ଗପିବା। ଯେ ଯାଏଁ ନଦୀ ନ କହିଛି ଯେ, ଯାଅରେ ପିଲେ, ଯାଅ। ଘରକୁ ଫେରିଯାଅ।

ଜାକିର ଖାନ୍‌

ଲୋକଟି ମନକୁ ମନ କହିଲା- ଅନେକ ବିଚିତ୍ର ଓ ବହୁ ବିରୋଧାଭାସରେ ଭରପୂର ଏଇ ପୃଥିବୀରେ ଅସମ୍ଭବ ବୋଲି କିଛି ନାହିଁ। ଏହି ସଚରାଚରରେ କିଛି ବି ଘଟିପାରେ। ଏହା ଆମକୁ ଚକିତ ବି କରିପାରେ। ତେବେ ଆଶ୍ଚର୍ଯ୍ୟ ହେବା ଏବଂ ତା’ରି ଭିତରେ କିଛି ସମୟ ଧନ୍ଦି ହେବା ବ୍ୟତୀତ ଆମର ବା ଆଉ ଚାରା କ’ଣ? ଏମିତି ନିଜକୁ ନିଜେ କହିବା ସହ ବାରମ୍ବାର ଏ କଥା ଚିନ୍ତା କରିବା ଭିତରେ ଲୋକଟି କଡ଼ ମୋଡ଼ି ଶୋଇବାକୁ ଚେଷ୍ଟା କଲା।
ଲୋକଟି ସହିତ ଆଜି ଅଦ୍ଭୂତ ଘଟଣାମାନ ଘଟିଚାଲିଛି। ଆଜିର ଘଟଣାସବୁକୁ ସେ ମୁଣ୍ଡ ଭିତରୁ ଯେତିକି କାଢିବାକୁ ଚେଷ୍ଟା କରୁଛି, ସେତିକି ଅଧିକ ମାତ୍ରାରେ ଫସିଯାଉଛି ସେଇ ଘଟଣାମାନଙ୍କର ଗୋଲକଧନ୍ଦାରେ। ଏତିକି ବେଳେ ନିଜେ ନିଜ ଜାଲରେ ଫସିଯାଇଥିବା ଗୋଟେ ବୁଢିଆଣୀର ଦୃଶ୍ୟ ତା’ ଆଖି ଆଗରେ ଉଦ୍ଭାସିତ ହେଲା। ବୁଢିଆଣୀର ଚେହେରାଟି ତାକୁ ଠିକ୍ ନିଜ ଚେହେରା ଭଳି ଲାଗିଲା, ହେଲେ ସେ ସେଥିରେ ଜମାରୁ ଆଶ୍ଚର୍ଯ୍ୟ ହେଲା ନାହିଁ।
ଭୋର ସମୟର ସ୍ୱପ୍ନ ସହିତ କ’ଣ ଆଜିର ଘଟଣାର (ଅଘଟଣ କହିଲେ ଅଧିକ ଉଚିତ ହେବ) କିଛି ସମ୍ପର୍କ ଅଛି? ଲୋକଟି ଏମିତି ଚିନ୍ତା କରିବାରୁ ଭୋରର ସ୍ୱପ୍ନଟି ତାକୁ ବେଶି ବେଶି ଆବୋରି ବସିଲା।
ସ୍ୱପ୍ନ କଥା ତା’ର ଗୋଟି ଗୋଟି ହୋଇ ମନେ ପଡ଼ିଗଲା। ସ୍ୱପ୍ନରେ ସେ ଦେଖିଥିଲା ଯେ – ରାସ୍ତାରେ ସେ ଚାଲି ଚାଲି ଯାଉଛି। ଆକାଶରେ ବାଦଲର ଚିହ୍ନବର୍ଣ୍ଣ ନ ଥିବା ସତ୍ତ୍ୱେ ବର୍ଷା ବର୍ଷିବା ଆରମ୍ଭ କରିଥିଲା। ପାଖରେ ଛତା ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଥିଲା। ବର୍ଷା ମାଡରୁ ରକ୍ଷା ପାଇବା ପାଇଁ ସେ ଛତା ଖୋଲିଥିଲା। ଆରେ ଏ କ’ଣ? ଛତାକୁ ଭେଦି ବର୍ଷା ପାଣି ତା’ ଉପରେ ପଡିବା ଆରମ୍ଭ କରିଥିଲା। ଏମିତି ହେଲେ ତ ସେ ପୂରା ଓଦା ହୋଇଯିବ। ସେ ଚିଡି ଯାଇ ଛତା ବନ୍ଦ କରିଦେଇଥିଲା। ତା’ପରେ ସେ ଆଗଠାରୁ ବି ଅଧିକ ଆଶ୍ଚର୍ଯ୍ୟ ହୋଇଥିଲା। ବିନା ଛତାରେ ଠିଆ ହେବା ଏବଂ ମୂଷଳ ଧାରାରେ ବର୍ଷା ପଡୁଥିବା ସତ୍ତ୍ୱେ ସେ ଆଦୌ ଓଦା ହୋଇ ନ ଥିଲା। ଏ ତ ଏକ ଅଦ୍ଭୁତ କାରନାମା ! ଏମିତି କ’ଣ କେବଳ ତା’ ସହ ଘଟୁଛି ନା ଏହା ତା’ର ଭ୍ରମ? ଏମିତି ଚିନ୍ତା କରି ସେ ଚାରିଆଡକୁ ଚାହିଁ ଦେଖିଲା ଯେ ବର୍ଷାରେ ଲୋକେ ଚାଲି ଚାଲି ଯାଉଥିଲେ ମଧ୍ୟ ସେମାନେ ଆଦୌ ଭିଜୁନାହାନ୍ତି ! ତା ହେଲେ ପାଣି କ’ଣ ତା’ର ଭିଜାଇବା ଶକ୍ତି ହରାଇ ବସିଛି? – ଏମିତି ଭାବିବା ଭିତରେ ପାଖରେ ଥିବା ଏକ ନୂଆ ବି.ଏମ୍‌.ଡବ୍ଲ୍ୟୁ. କାର ଭିତରକୁ ତା’ର ଆଖି ପଡିଲା। କାରର ବ୍ୟକ୍ତି ଜଣଙ୍କ ଭିତରେ ଥାଇ ବି ବର୍ଷାରେ ଭିଜିବାରେ ଲାଗିଥିଲା। ସେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ବିରକ୍ତି ସହକାରେ କାରରୁ ବାହାରି ଆସିଲା। ବାହାରକୁ ଆସି ଶାନ୍ତିର ନିଃଶ୍ୱାସ ମାରିଲା କାରଣ ସେ ଏଥର ଭିଜିବାରୁ ରକ୍ଷା ପାଇଯାଇଥିଲା।


ତୁହାକୁ ତୁହା ବର୍ଷା ହେଉଥିଲା। ଲୋକଟି ନିଜ ଜୀବଦ୍ଦଶାରେ ଏଭଳି ବର୍ଷା କେବେ ଦେଖି ନ ଥିଲା। ତେବେ କାର ଭିତରର ଦୃଶ୍ୟ କଥା ଚିନ୍ତା କରି ସେ ଦୃଢ ନିଶ୍ଚିତ ହେଲା ଯେ ବର୍ଷା ଜଳ ପ୍ରାଗଐତିହାସିକ କାଳରୁ ଯେଉଁ ସବୁ ଧର୍ମ ବହନ କରିଥାଏ, ଯେମିତିକି ଜଣକୁ ଭିଜାଇବା ବା ଓଦା କରିବା, ତା’ର ଏ ଗୁଣକୁ ସେ ଏଯାବତ ସୁରକ୍ଷିତ କରି ରଖିଛି। ତେବେ ଆଜିର ଏ ବ୍ୟତିକ୍ରମ ପୁଣି କେମିତି? ପାଦରେ ଚାଲି ଚାଲି ଯାଉଥିବା ଲୋକେ କିମ୍ବା ବିନା ଛତା ଧରି ରାସ୍ତାରେ ଛିଡା ହୋଇଥିବା ଲୋକେ ଏଭଳି ପ୍ରଳୟଙ୍କରୀ ବର୍ଷାରେ ତେବେ ଭିଜୁ ନାହାନ୍ତି କାହିଁକି? ସେ ଏମିତି ଚିନ୍ତା କରୁଥିବା ବେଳେ ତା’ ନିଦ ଭାଙ୍ଗିଯାଇଥିଲା।
ନିଜର ଏଭଳି ଅବାସ୍ତବ ଓ ଅଧା ସ୍ୱପ୍ନକୁ ନେଇ ଲୋକଟି ସକାଳେ ବ୍ୟସ୍ତ ହୋଇ ନ ଥିଲା। ସବୁଦିନ ଭଳି ଅଫିସ ଯାଇଥିଲା ଏବଂ ଯାବତୀୟ କାମ ଭିତରେ ତା’ର ଦିନଟି ଠିକ୍‌ଠାକ୍ କଟିଥିଲା। ହେଲେ ରାତିରେ ଘରକୁ ଫେରିବା ପରେ ହିଁ ତା’ ସମ୍ମୁଖରେ ସମସ୍ୟା ପରେ ସମସ୍ୟା ଆରମ୍ଭ ହେବାକୁ ଲାଗିଲା। ଆଉ ସେଇଥିପାଇଁ ସେ ସ୍ୱପ୍ନ କଥା ଚିନ୍ତା କରି ଘଟୁଥିବା ଘଟଣା ପଛରେ ତା’ର କିଛି ସମ୍ପର୍କ ରହିଛି କି ନାହିଁ ବୋଲି ଭାବିବାକୁ ଲାଗିଲା। ଏ ସବୁ କଥାର ଖିଅକୁ ସଂଯୋଗ କରି ସେ କିଛି ଗୋଟାଏ ନିଷ୍କର୍ଷରେ ପହଞ୍ଚିବାକୁ ଚାହୁଁଥିଲା।
ଲୋକଟି ଏଯାଏଁ ଅବିବାହିତ ଥିଲା। ଅତ୍ୟଧିକ କାମ ଚାପରେ ତା’କୁ ବିବାହ କରିବାକୁ ସମୟ ମିଳୁ ନ ଥିଲା। ଅବଶ୍ୟ ଅଫିସ୍‌ରେ ତା’ର ଜଣେ ପ୍ରେମିକା ଥିଲା।
ସେ ବାହାରେ ଖାଇ ଦେଇ ଶୀଘ୍ର ଘରକୁ ଫେରିଆସିଥିଲା। ଯୋଉ ଦିନ ତା’ର ରୋଷେଇ କରିବାକୁ ଇଚ୍ଛା ନ ଥାଏ ସେଦିନ ସେ ଏମିତି ହିଁ କରିଥାଏ। ଘରକୁ ଆସି ପ୍ରଥମେ ଟିଭି ଅନ୍ କରି ସେ କିଛି ସମୟ ନ୍ୟୁଜ ଦେଖେ। ଆଜି ମଧ୍ୟ ସେ ସେମିତି କଲା। ଏଇ ସମୟରେ ଥିଲା ଏକ ବ୍ରେକିଙ୍ଗ ନ୍ୟୁଜ୍। ଚାଲିଥିଲା, ଯାହା ଦେଖି ସେ ଚକିତ ହେଲା। ସହରରେ ଅନେକ ସ୍ଥାନରେ ଅଚାନକ ଟିଭି, ଫ୍ରିଜ୍‌, ଏସି, ଫ୍ୟାନ, ୱାସିଙ୍ଗମେସିନ୍‌, ହିଟର, ଆଇରନ ଏପରିକି ଲିଫ୍ଟ ଇତ୍ୟାଦି କାମ କରୁ ନ ଥିବା ସମ୍ପର୍କରେ ଖବର ପରିବେଷିତ ହେଉଥିଲା।
ତା’ ନିଜର ଟିଭି ଚାଲୁ ରହିଥିବାରୁ ସେ ଆଶ୍ୱସ୍ତ ହୋଇ ନ୍ୟୁଜ ଦେଖିବା ଜାରି ରଖିଲା। କିଛି ସମୟ ପରେ ତା’ର ପାଣି ପିଇବାକୁ ଇଚ୍ଛା ହେବାରୁ ସେ ଫ୍ରିଜ୍ ଖୋଲି ବୋତଲ ବାହାର କରିବା ସମୟରେ ତା’କୁ ଲାଗିଲା ଯେ ଫ୍ରିଜ୍ କାମକରୁ ନାହିଁ। କାରଣ ବୋତଲର ପାଣି ଆଦୌ ଥଣ୍ଡା ହୋଇ ନ ଥିଲା। ସେ କ’ଣ ଫ୍ରିଜ୍‌ର ସ୍ୱିଚ୍ ଅନ୍ କରି ନ ଥିଲା କି? ନା ସ୍ୱିଚ୍ ତ ଅନ୍ ଅଛି। ତେବେ କ’ଣ ଟିଭିରେ ପ୍ରସାରିତ ଖବର ଭଳି ତା ଫ୍ରିଜ୍ ବି ପ୍ରଭାବିତ ହୋଇପଡିଛି ନା କ’ଣ?
ଏହା ପରେ ସେ ତୁରନ୍ତ ଯାଇ ନିଜର ଏ.ସି. ସୁଇଚ୍ ଅନ୍ କଲା। ନା, ଏ.ସି. ମଧ୍ୟ କାମ କରୁନି। ସେ ବିବ୍ରତ ହୋଇ ଏ.ସି. ଆଡେ ଚାହିଁରହିଛି ତ ଧପ୍ କରି କ’ଣ ଗୋଟାଏ ଶବ୍ଦ ତା’ କାନରେ ପଡ଼ିଲା। ଟିଭି ବନ୍ଦ ହୋଇ ଯିବାର ସେ ଅନୁମାନ କଲା। କାରଣ ଏଯାଏଁ ସେ ଟିଭିର ଶବ୍ଦ ଶୁଣିପାରୁଥିଲା। କିନ୍ତୁ ଏବେ ଘର ସାରା ନୀରବ, ନିସ୍ତବ୍ଧ, ନିଃଶବ୍ଦ। ଆଉ ଏଭଳି ପରିସ୍ଥିତିରେ ହଠାତ ଏକ ହିଂସ୍ର ନୀରବତା ତାକୁ ଆକ୍ରାନ୍ତ କରି ଦେଲା।
ସେ ଦୌଡିଯାଇ ଦେଖିଲା ଯେ ଟିଭିଟି ବନ୍ଦ ହୋଇଯାଇଛି। ଅର୍ଥାତ ଏବେ ତା’ର ଟିଭି, ଫ୍ରିଜ୍ ଏବଂ ଏ.ସି. – ଏ ସବୁ ଆଉ କାମ କରୁନାହିଁ। ସେ ମେକାନିକ୍‌କୁ ଫୋନ୍ କରିବାକୁ ଭାବି ପକେଟରୁ ମୋବାଇଲ ବାହାର କରି ଚମକି ପଡ଼ିଲା। ମୋବାଇଲ ମଧ୍ୟ ବନ୍ଦ ହୋଇଯାଇଛି। ତା’କୁ ଏସବୁ ଗୋଟାଏ ବଡ଼ ରହସ୍ୟ ଭଳି ଲାଗୁଥିଲା ଏବଂ ଅସହାୟ ହୋଇ ସେ ଲଥ୍ କରି ଖଟରେ ବସି ପଡ଼ିଲା।

ଏହା ପରେ ସମୟ କେତେ ହେଲାଣି ଜାଣିବା ପାଇଁ ସେ କାନ୍ଥ ଘଣ୍ଟା ଆଡକୁ ଚାହିଁଲା। ଏଗାରଟା ପନ୍ଦର। ଆରେ, ଏ କ’ଣ ସେକେଣ୍ଡ କଣ୍ଟାଟି ତ ଆଗକୁ ବଢୁନାହିଁ। ସେ ଖଟରୁ ଉଠି ଆସି ବେକ ଟେକି କାନ୍ଥ ଘଣ୍ଟାକୁ ଭଲ ଭାବରେ ନିରୀକ୍ଷଣ କଲା। ନା, ତା’ହେଲେ ଘଣ୍ଟା ବି ବନ୍ଦ ହୋଇଯାଇଛି। ଏଥର ସେ ଆହୁରି ଅଧିକ ଅସହାୟ ଅନୁଭବ କଲା। ସେ ଡରି ଡରି ଏଥର ଫ୍ୟାନ ସୁଇଚ୍ ଅନ୍ କଲା। ସେ ଯାହା ଅନୁମାନ କରୁଥିଲା ତାହା ହିଁ ହେଲା। ଫ୍ୟାନ ମଧ୍ୟ କାମ କରୁନାହିଁ। ସେ ଆଶ୍ଚର୍ଯ୍ୟ ସହକାରେ ଫ୍ୟାନ ଆଡେ ଚାହିଁ ରହିଥିବା ବେଳେ ହଠାତ ଚାରିଆଡ ଅନ୍ଧାର ହୋଇଗଲା। ଏଥିରୁ ସେ ବୁଝିଗଲା ଯେ ଏଲ୍‌.ଇ.ଡି. ଲାଇଟ୍ ମଧ୍ୟ ଇତିମଧ୍ୟରେ ଆକ୍ରାନ୍ତ ହୋଇ ସାରିଛି ଏବଂ ତାର କାମ କରିବା ବନ୍ଦ କରିଦେଇଛି।
ନା, ଏତେ ଗରମରେ ରହିହେବ ନାହିଁ। ସେ ଏଥର ଅଣ୍ଡାଳି ଅଣ୍ଡାଳି ରୁମ୍‌ର ଝରକା ଖୋଲିଲା। ଅବଶ୍ୟ ଅନେକ ଦିନରୁ ଖୋଲା ହୋଇ ନ ଥିବା ଝରକାକୁ ଖୋଲିବାକୁ ତାକୁ ସାମାନ୍ୟ କଷ୍ଟ କରିବାକୁ ପଡିଲା। ଝରକା ପାଖରେ ଠିଆ ହୋଇ ସେ ଏଥର ଅନ୍ଧାରରେ ବୁଡି ରହିଥିବା ସହରକୁ ଚାହିଁଲା। ରହସ୍ୟମୟ ଅନ୍ଧାରରେ ବୁଡି ରହିଥିବା ସହର ତାକୁ ଅଧିକ ରହସ୍ୟମୟ, ଆକର୍ଷଣୀୟ ଓ ନିରୀହ ଲାଗିଲା। ସହରର ଏମିତି ରୂପ ସେ ଆଗରୁ କେବେ ଦେଖି ନ ଥିଲା। ଏତିକି ବେଳେ ଦଲକାଏ ଥଣ୍ଡା ପବନ ଝରକା ଦେଇ ଘର ଭିତରକୁ ପଶି ଆସିଲା। ଆହା କି ଆରାମ। ତାକୁ ତା’ର ଏଇ ନୂଆ ଅନୁଭୂତି ସବୁ ଭଲ ଲାଗୁଥିବାରୁ ସେ ସେମିତି ଝରକା ପାଖରେ ଠିଆ ରହି ବାହାର ଦୁନିଆକୁ ଅଧିକ ଆତ୍ମୀୟ ଭାବରେ ଦେଖିବାକୁ ଲାଗିଲା।
ଏଥର ସେ ଆକାଶରେ ଝୁଲି ରହିଥିବା ଜହ୍ନକୁ ଦେଖିଲା। ଝଟକୁଥିବା ତାରାଙ୍କୁ ଦେଖିଲା। ତାକୁ ଏସବୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ମନୋରଞ୍ଜକ ଲାଗିଲା। ଏଇ ସମୟରେ ସେ ଅନ୍ଧାରରେ ବୁଡି ରହିଥିବା ପ୍ରତିଟି ଘର ଆଡ଼କୁ ଦୃଷ୍ଟି ଦେଲା। ଆଜି କାହାରି ଘରେ ଟିଭି, ଫ୍ରିଜ, ଏ.ସି, ଫ୍ୟାନ୍‌, ବାରଲାଇଟ, ଏଲ୍‌.ଇ.ଡି – କିଛି କାମ କରୁ ନାହିଁ। ତେବେ ସବୁ ବସ୍ତୁ ଆଜି କାହିଁକି କାମ କରିବା ବନ୍ଦ କରି ଦେଇଛନ୍ତି? ହଠାତ କ’ଣ ହେଇଗଲା ଏ ବସ୍ତୁମାନଙ୍କୁ? ଟିଭି ନ୍ୟୁଜ କହୁଥିଲା ଯେ ଏହି ଆଚମ୍ୱିତ ଘଟଣାର କାରଣ ଏଯାବତ୍ ଜଣା ପଡ଼ିନାହିଁ। ତେବେ ଏହା କୌଣସି ବିଦେଶୀ ଷଡ଼ଯନ୍ତ୍ର କିମ୍ୱା ଏଲିଅନ୍‌ଙ୍କ ଦ୍ୱାରା ଆକ୍ରମଣ ନୁହେଁ ବୋଲି ସରକାର ଘୋଷଣା କରିସାରିଛନ୍ତି ବୋଲି ସେ ନ୍ୟୁଜ ଆଙ୍କର କହୁଥିବାର ତା’ର ମନେ ପଡିଲା। ଏହାକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଧରି ନିଆଯାଇଥିବା କଥାଟିକୁ ଟିଭି ବାରମ୍ବାର ଘୋଷଣା କରି ଚାଲିଥିଲା। ଲୋକଟି ଏଥର ଭାବିଲା – ବସ୍ତୁମାନେ କ’ଣ ବିଦ୍ରୋହ କରିଛନ୍ତି ନା କ’ଣ? ଏମିତି ଅନେକ ଅଜବ ଅଜବ କଥା ତା’ ମୁଣ୍ଡରେ ଖେଳିଗଲା। ତା କପାଳରେ ଚିନ୍ତାର ରେଖା ସହ ତା’ ଓଠରେ ସ୍ମିତହାସ୍ୟଟିଏ ଉକୁଟି ଉଠିଲା।
ସକାଳେ ସେ ଯେ କୌଣସି ମତେ ପ୍ରସ୍ତୁତ ହୋଇ ଅଫିସ ବାହାରିଲା। ତା’ ବାଇକ କାମ କଲା ନାହିଁ। ବାଧ୍ୟ ହୋଇ ସେ ଚାଲିଚାଲି ଅଫିସ ବାହାରିଲା। ରାସ୍ତାରେ ଗୋଟିଏ ବି ହେଲେ ଯାନବାହାନ ଚଳାଚଳ କରୁଥିବାର ତା’ ନଜରକୁ ଆସିଲା ନାହିଁ। ସମସ୍ତେ ଚାଲିଚାଲି ଯାଉଥିବାର ସେ ଦେଖିଲା। ଅଫିସରେ ସେ ଡେରିରେ ପହଞ୍ଚିଲା ବୋଲି ତା’ର ମନେ ହେଲା। ତେବେ ଏଥିପାଇଁ ତାକୁ କେହି ଗାଳି ଦେଲେ ନାହିଁ। ଅଫିସ୍‌ର କୌଣସି ଗୋଟିଏ ବି କମ୍ପ୍ୟୁଟର କାମ କରୁ ନ ଥିଲା। ତେବେ ବି ସମସ୍ତେ ନିଜ ନିଜ ଚେୟାରରେ ବସି ରହି କମ୍ପ୍ୟୁଟର ଆଡକୁ ଚାହିଁ ରହିଥିଲେ। କେହି କିଛି ହେଲେ କଥାବାର୍ତ୍ତା କରୁନଥାନ୍ତି। କେଉଁ ଏକ ଅଜଣା ଭୟରେ ସତେକି ସମସ୍ତେ ମୂକ ଓ ହତବମ୍ବ ହୋଇପଡିଛନ୍ତି।

କିଛି ସମୟ ପରେ ଅଫିସରେ କାମ କରୁଥିବା ତା’ ଗର୍ଲଫ୍ରେଣ୍ଡକୁ ଲୋକଟି ଇସାରାରେ ଡାକିଲା। କ୍ୟାଫେଟେରିଆକୁ ଯାଇ ଉଭୟେ କିଛି ସମୟ ପରସ୍ପରକୁ କେବଳ ଚାହିଁ ରହିଲେ। ତା’ପରେ ଲୋକଟି ପ୍ରଶ୍ନ କଲା – କାଲି କେମିତି ନିଦ ହେଲା?
ତା’ ଗର୍ଲଫ୍ରେଣ୍ଡ୍ କହିଲା – କାଲି ତମେ ଝରକା ଖୋଲା ରଖି ଶୋଇଥିଲ ନା? ଲୋକଟି ମୁଣ୍ଡ ଟୁଙ୍ଗାରି ହଁ ବୋଲି ଜଣାଇଲା। ତା’ ପରେ ପଚାରିଲା- ତମେ କେମିତି ଜାଣିଲ? ତା’ ପ୍ରେମିକା ହସି ହସି କହିଲା- ତମ ଦେହର ବାସ୍ନା ଝରକା ଦେଇ ମୋ ଘରକୁ ଆସୁଥିଲା।
ଝିଅଟିର କଥା ଶୁଣି ଲୋକଟି କହିଲା- ତା’ହେଲେ ତମେ ବି ଝରକା ଖୋଲି ଶୋଇଥିଲ? ତମ ଆଡ଼େ ବି କ’ଣ ବସ୍ତୁମାନେ କାମ କରୁନାହାନ୍ତି? ଝିଅଟି କହିଲା- ପ୍ରାୟ ସବୁ ଆଡେ ସେଇ ଏକା ଅବସ୍ଥା। ଲୋକଟି ପଚାରିଲା- କାହିଁକି ଏମିତି ହେଉଛି ବୋଲି ତମେ ଭାବୁଚ? ତା’ ଗର୍ଲଫ୍ରେଣ୍ଡ୍ ସେମିତି ହସି ହସି କହିଲା – ତମ ଭଳି ମୁଁ ଏତେ କଥା ଭାବେ ନାହିଁ। ଯାହା ହେବା କଥା ହେଉ। ଅଯଥାରେ ବ୍ୟସ୍ତ ହେଲେ କ’ଣ ହେବ? ବ୍ୟସ୍ତ ହୋଇପଡିଲେ ଯଦି ସବୁ କାମ କରିବା ଆରମ୍ଭ କରି ଦିଅନ୍ତେ ତେବେ ମୁଁ ବର୍ତ୍ତମାନଠାରୁ ବ୍ୟସ୍ତ ହେବା ଆରମ୍ଭ କରିଦିଅନ୍ତି। ଝିଅ କଥାରେ ଲୋକଟି ଏଥର ସହଜ ହୋଇ ଯାଇ କହିଲା – କାଲି ରାତିରେ ମୁଁ ତମକୁ ଦେଖିଲି। ଲୋକଟି କଥାରେ ଝିଅଟି ଆଶ୍ଚର୍ଯ୍ୟ ହେଲା ନାହିଁ। ସେ ଆଖି ନଚାଇ ଇସାରାରେ ପଚାରିଲା- କୋଉଠି? ପୁଅଟି ଏଥର ଚେହେରାରେ ସ୍ମିତ ହସ ଖେଳାଇ କହିଲା – ଆକାଶରେ। ଝିଅଟି ଲାଜେଇ ଯାଇ କହିଲା- ସତରେ, ବହୁଦିନ ପରେ ମୁଁ ବି କାଲି ରାତିରେ ଜହ୍ନ ଦେଖିଲି।
ତା’ପରେ ଦୁହେଁ ଚୁପ୍ ରହି ଉଭୟେ ଉଭୟଙ୍କୁ କେବଳ ଚାହିଁ ରହିଲେ। କିଛି ସମୟ ବିତିଯିବା ପରେ ଲୋକଟି କହିଲା- ଚାଲୁନ କାଲି ଛୁଟି ନେଇଯିବା। କୁଆଡ଼େ ଗୋଟିଏ ଯାଇ ଆମ ଦିହିଁଙ୍କର ଭବିଷ୍ୟତ କଥା ଚିନ୍ତା କରିବା।
ଝିଅଟି ରହସ୍ୟର ହସ ହସି ପଚାରିଲା – କୁଆଡ଼େ ଯିବା?
ଲୋକଟି କହିଲା- ନଦୀ କୂଳକୁ ଯିବା। ଦୁହେଁ କୂଳରେ ବସି ନଦୀକୁ ଦେଖିବା। ଗପିବା। ବିବାହ ତାରିଖ ସ୍ଥିର କରିବା। କାମଧନ୍ଦା ତ କିଛି ନାହିଁ। ଆଉ କ’ଣ କରିବା କୁହ? ଯିବା?
ଝିଅଟି ଏଥର କୁରୁଳି ଉଠି କହିଲା- ହଁ। ହଁ, କାଲି ନଦୀ କୂଳକୁ ଯିବା। ସବୁ କିଛି ସ୍ଥିର କରିବା। ବ୍ୟସ୍ତତା ଭିତରେ ଗପିବାକୁ ବି ମଣିଷ ସମୟ ପାଉ ନ ଥିଲା। ସେଠି ବସି ଢେର ସମୟ ଗପିବା। ଯେ ଯାଏଁ ନଦୀ ନ କହିଛି ଯେ, ଯାଅରେ ପିଲେ, ଯାଅ। ଘରକୁ ଫେରିଯାଅ। ବେଳ ବୁଡିଲାଣି। ଅନ୍ଧାର ମାଡି ଆସିବ; ସେ ଯାଏଁ ନଦୀ କୂଳରେ ବସି ରହିବା।
ଲୋକଟି ପ୍ରଶ୍ନିଳ ଆଖିରେ ତା’କୁ ଅନେଇ କହିଲା – ତମକୁ କ’ଣ ଲାଗୁଛି ଯେ ନଦୀ ସତରେ ଏମିତି କହିବ?
ଲୋକଟିର ଗର୍ଲଫ୍ରେଣ୍ଡ୍ ଏଥର ଉଠି ଠିଆ ହେଲା। ତା’ ପରେ ଫିସ୍‌ଫିସ୍ କରି କହିଲା – ହଁ ମୋତେ ଲାଗୁଛି ଯେ ନଦୀ ଏଇଆ ହିଁ କହିବ। ସେ କହିବ, ସେ କହିବ – ଏମିତି ଦୁଇ ଥର ଆସ୍ତେ ଆସ୍ତେ କହି ସେ ଚିତ୍କାର କଲା ଭଳି କହି ଉଠିଲା- ଯାଅରେ ପିଲେ ଯାଅ, ଘରକୁ ଫେରିଯାଅ, ସମୟ ଗଡି ଗଲାଣି। ଯାଅ। ଯାଅ। କାଲି ପୁଣି ଆସିବା ପାଇଁ ଯାଅ। ତା’ପରେ ତା’ କଣ୍ଠ ରୁଦ୍ଧ ହେଇଗଲା ଓ ସେ ଭୋ ଭୋ ହୋଇ କାନ୍ଦି ଉଠିଲା।

( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଏପ୍ରିଲ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

6 thoughts on “ବସ୍ତୁମାନଙ୍କ ବିଦ୍ରୋହ

  1. ଚମତ୍କାର ପରିକଳ୍ପନା, ସମ୍ପ୍ରତି ବସ୍ତୁବାଦୀ ଦୁନିଆରେ ସମସ୍ତେ ବସ୍ତୁ ସହିତ ନିବିଡ଼ ହୋଇଯାଇଥିଲାବେଳେ ଏହିଭଳି ଏକ ଲେଖା ଅତ୍ୟନ୍ତ ଚମତ୍କାର। ମୁଁ ଆଶାକରୁଛି ପାଠକେ ନିଶ୍ଚିତ ଏହି ଲେଖାକୁ ପଢ଼ିବେ ଓ ଏହା ସମସ୍ତଙ୍କୁ ଭଲ ଲାଗିବ। ଏହିଭଳି ଘଟଣା ଅର୍ଥାତ୍‌ ଲେଖାରେ ଥିବା ଘଟଣା ହୁଏ ତ କେବେ ହୋଇପାରେ।

  2. ଧାଁ ଦଉଡ଼ ପୃଥିବୀର ଅନେକ ବିରୋଧାଭାସ ଓ ଉଦ୍ଭଟ ମାନସିକତା ମଧ୍ୟରେ ସ୍ବପ୍ନ ଓ ସମ୍ଭାବନା କିପରି ବିପର୍ଯ୍ୟସ୍ତ,ତାହାର ସାଙ୍କେତିକତା ବାରି ହୋଇ ପଡ଼ୁଛି।

    ନଦୀ ଏଠି ଏକ ଶାନ୍ତିସ୍ତୁପ। ଯେଉଁଠାକୁ ଚେଷ୍ଟା କରି ମଧ୍ୟ ଯାଇ ହୁଏନାହିଁ ସମୟର ଅଭାବରୂ।

    ଲେଖକଙ୍କୁ ସାଧୁବାଦ।

  3. ବାଃ ଭାଇ! ସତରେ ଯଦି ଆମେ ଫେରି ପାରନ୍ତେ

Leave a Reply

Your email address will not be published. Required fields are marked *