ସଚରାଚର ଯାହା କିଛି ଘଟୁଥାଏ ତାହା ପଛରେ ଥାଏ ପ୍ରେମ। ପ୍ରେମ ନ ଥିଲେ ଆପଣ କିଛି ବି କରିପାରିବେ ନାହିଁ, ଏମିତିକି ମରି ବି ପାରିବେ ନାହିଁ।
![](https://www.sahityacharcha.com/wp-content/uploads/2023/04/Padmaj-Pal-104-1024x886.jpg)
ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ଡ଼. ପଦ୍ମଜ ପାଳଙ୍କ ଜନ୍ମ ୧୯୪୬ ମସିହାରେ। ବୃତ୍ତିରେ ସେ ଥିଲେ ଦର୍ଶନ ବିଭାଗର ଅଧ୍ୟାପକ। ଓଡ଼ିଆ କଥା ସାହିତ୍ୟକୁ ସମୃଦ୍ଧ କରିବାରେ ସେ ମହତ୍ୱପୂର୍ଣ ଭୂମିକା ପାଳନ କରିଛନ୍ତି। ଏ ଯାବତ ତାଙ୍କର ୧୧ଟି ଗଳ୍ପ ସଂକଳନ ତଥା ୧୯ଟି ଉପନ୍ୟାସ ପ୍ରକାଶିତ। ସେ ୧୯୯୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏତଦ୍ବ୍ୟତୀତ ୧୯୯୩ ମସିହାରେ ତାଙ୍କୁ ‘ଝଙ୍କାର ଗଳ୍ପ ପୁରସ୍କାର’ ତଥା ୧୯୯୫ରେ ‘ଉତ୍କଳ ସାହିତ୍ୟ ସମାଜ ପୁରସ୍କାର’ରେ ମଧ୍ୟ ଭୂଷିତ କରାଯାଇଥିଲା। ଏହି ବର୍ଷୀୟାନ୍ ସାରସ୍ୱତ ପ୍ରତିଭାଧରଙ୍କ ସହ ତାଙ୍କର ଖୋର୍ଦ୍ଧା ସ୍ଥିତ ବାସଭବନରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ୧୯୭୭ ମସିହାରେ, ଅଥଚ ପ୍ରଥମ ଉପନ୍ୟାସଟି ପ୍ରକାଶ ପାଇଲା ୧୯୮୮ରେ। ତା’ହେଲେ ଆମେ କ’ଣ ଧରିନେବା ଯେ ଆପଣ ଗଳ୍ପ ରଚନାରୁ ହିଁ ଆରମ୍ଭ କରିଥିଲେ ନିଜର ଏହି ସାରସ୍ୱତ ଯାତ୍ରା?
ପଦ୍ମଜ ପାଳ: ପ୍ରାୟ ସେଇଆ ହିଁ କୁହାଯାଇପାରେ। ଅବଶ୍ୟ ମୋ’ର ପ୍ରଥମ ଗଳ୍ପଟି ଲେଖିଥିଲି ୧୯୫୮ରେ। ସେଇଟି କିନ୍ତୁ ପ୍ରକାଶିତ ହୋଇ ନ ଥିଲା, ଏବଂ ତାହାର କୌଣସି କପି ମଧ୍ୟ ଏବେ ମୋ ପାଖରେ ନାହିଁ।
ସାହିତ୍ୟ ଚର୍ଚ୍ଚା: କିଛି ଆଲୋଚକମାନଙ୍କ ମତରେ ଆପଣଙ୍କର ଅଧିକାଂଶ ଗଳ୍ପ ପ୍ରେମ ଉପରେ ହିଁ ଆଧାରିତ। ଏହା ପଛର ରହସ୍ୟ କ’ଣ?
ପଦ୍ମଜ ପାଳ: ଆଲୋଚକମାନେ କ’ଣ କହନ୍ତି ସେଥିରେ ମୋର ବେଶୀ ଧାରଣା ନାହିଁ। ବୋଧହୁଏ ସେମାନେ ମୋର ପ୍ରେମଟିକୁ ଠିକ୍ଭାବେ ଧରି ପାରିନଥିବେ। କଥାଟି ହେଲା, ପ୍ରେମ ହେଉଛି ମୋ’ର ଶକ୍ତି। ସଚରାଚର ଯାହା କିଛି ଘଟୁଥାଏ ତାହା ପଛରେ ଥାଏ ପ୍ରେମ। ପ୍ରେମ ନ ଥିଲେ ଆପଣ କିଛି ବି କରିପାରିବେ ନାହିଁ, ଏମିତିକି ମରି ବି ପାରିବେ ନାହିଁ।
ସାହିତ୍ୟ ଚର୍ଚ୍ଚା: ପ୍ରଥମେ ଯେତେବେଳେ ଆପଣ ପ୍ରେମକୁ ଚିତ୍ରଣ କରିବା ଆରମ୍ଭ କଲେ, ସେ ସମୟର ପ୍ରେମ ଓ ଏବର ଯୁବଲେଖକମାନେ ପ୍ରେମକୁ ଯେମିତି ଭାବରେ ଦେଖନ୍ତି, ତା’ମଧ୍ୟରେ ଆପଣ କିଛି ଅବକ୍ଷୟ ଲକ୍ଷ୍ୟ କରନ୍ତି କି?
ପଦ୍ମଜ ପାଳ: ଅବକ୍ଷୟ ନାହିଁ ବୋଧହୁଏ। ତେବେ ମୁଁ ଭାବୁଛି, ପ୍ରେମଟା ଯେମିତି ‘ଡି-ରେଲ୍’ ବା ଲାଇନ୍ଚ୍ୟୁତ ହୋଇଯାଇଛି।
ସାହିତ୍ୟ ଚର୍ଚ୍ଚା: ଅବଶ୍ୟ ପ୍ରେମ ବ୍ୟତୀତ ଅନ୍ୟ ଏକ ବଳିଷ୍ଠ ଥିମ୍ ମଧ୍ୟ ଦୃଷ୍ଟିରେ ପଡେ ଆପଣଙ୍କ ରଚନାରେ। ତା’ ହେଉଛି ଏକାକୀତ୍ୱ। ଯେମିତି ‘ନିଷିଦ୍ଧ ଅରଣ୍ୟ’ ଗଳ୍ପରେ ଆପଣ କହିଛନ୍ତି, “ଜୀବନରେ ଆମେ ସମସ୍ତେ ପରସ୍ପରଠାରୁ ଦୂରରେ, ସମ୍ପୂର୍ଣ୍ଣ ଏକା।” ଏମିତି କାହିଁକି!
ପଦ୍ମଜ ପାଳ: ଜୀବନ ଓ ମୃତ୍ୟୁ – ଏହା ମଝିର ଯାତ୍ରାପଥରେ ମଣିଷ ରହିଥାଏ ଭୀଷଣ ଏକାକୀ। କୁହାଯାଏ ଯେ ମଣିଷ ଏକ ସାମାଜିକ ପ୍ରାଣୀ, ତଥାପି ଏକାକୀପଣ ତାକୁ ଘାରି ବସିଥାଏ।
ସାହିତ୍ୟ ଚର୍ଚ୍ଚା: ତେବେ, ଏହି ଏକାକୀତ୍ୱରୁ ମଣିଷ କ’ଣ ହାସଲ କରେ ବୋଲି ଆପଣ ଭାବନ୍ତି!
ପଦ୍ମଜ ପାଳ: ଏକାକୀତ୍ୱ ମଣିଷକୁ ବହୁ ଭାବରେ ସାହାଯ୍ୟ କରେ। ପ୍ରଥମରେ ତ ନିଜକୁ ବୁଝିବାକୁ ସମର୍ଥ କରେ, ତା’ପରେ ସମାଜକୁ ବୁଝିବାକୁ ବି। ଆମର ବୌଦ୍ଧିକ ଉତ୍ତରଣ ପାଇଁ ମଧ୍ୟ ଏକାକୀତ୍ୱ ଜରୁରୀ।
ସାହିତ୍ୟ ଚର୍ଚ୍ଚା: ପିଏଚ୍.ଡି ପାଇଁ ଆପଣଙ୍କ ଗବେଷଣାର ବିଷୟବସ୍ତୁ ଥିଲା ‘ଏସ୍ଥଟେିକ୍ସ’ ବା ସୌନ୍ଦର୍ଯ୍ୟତତ୍ତ୍ୱ। ତେବେ ସାହିତ୍ୟର ପ୍ରେକ୍ଷାପଟରେ ଆମେ ଏହି ‘ଏସ୍ଥଟେିକ୍ସ’କୁ କେମିତି ବୁଝିବା?
ପଦ୍ମଜ ପାଳ: ଏସ୍ଥଟେିକ୍ସ ନ ରହିଲେ ସାହିତ୍ୟ ସୌନ୍ଦର୍ଯ୍ୟରହିତ ହୋଇଯିବ। ସାହିତ୍ୟ ହେଉଛି ପ୍ରେମମୟ। ଏହା ହିଁ ସୌନ୍ଦର୍ଯ୍ୟ।
ସାହିତ୍ୟ ଚର୍ଚ୍ଚା: ତେବେ ଆମେ କ’ଣ କହିପାରିବା ଯେ ସୌନ୍ଦର୍ଯ୍ୟତତ୍ତ୍ୱ ହେଉଛି ସାହିତ୍ୟର ଏକ ଅଭିନ୍ନ ଅଙ୍ଗ?
ପଦ୍ମଜ ପାଳ: ହଁ, ଏହା ବିନା ସାହିତ୍ୟ ପ୍ରାଣହୀନ ହୋଇପଡେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗଳ୍ପ ‘ଧୂଳି ଧୂସରିତ’ରେ ମଣିଷର ଦୈନ୍ୟ ଓ ଅସହାୟତା ମଧ୍ୟ ବଡ଼ ମାର୍ମିକ ଭାବରେ ଚିତ୍ରିତ। ସମାଜର ନିଷ୍ପେଷିତ ବର୍ଗର ଏହି ବିଡ଼ମ୍ବନାକୁ ଏଭଳି ଭାବରେ ନିଜ ରଚନାରେ ସ୍ଥାନ ଦେଇ କ’ଣ ଆପଣ ନିଜର ସାମାଜିକ ଅଙ୍ଗୀକାରବଦ୍ଧତା ପାଳନ କରିଛନ୍ତି?
ପଦ୍ମଜ ପାଳ: ହଁ ଯେ, କିନ୍ତୁ ଏହା ଯେତିକି ମାତ୍ରାରେ କରିବା କଥା ତାହା ପାରିଛି ବୋଲି ମୁଁ ଭାବୁନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ଏ ଦିଗରେ ଆହୁରି କିଛି କରିବାକୁ ବାକି ରହିଗଲା!
![](https://www.sahityacharcha.com/wp-content/uploads/2023/04/Sita-Mu-Sita-1004.jpg)
ପଦ୍ମଜ ପାଳ: ନିଶ୍ଚୟ। ସାହିତ୍ୟ ହେଉଛି ଏକ କଠିନ ଯାତ୍ରା; ସେ ଯାତ୍ରାରେ ସଫଳତା ଏତେ ସହଜରେ ଆସେନାହିଁ। ନିଜ ରଚନାରେ ପ୍ରେମର ବିଭିନ୍ନ ଦିଗକୁ ମୁଁ ରୂପ ଦେଇଛି। ବିଶେଷତଃ ସୌନ୍ଦର୍ଯ୍ୟବୋଧର କଥା କହିଛି; ସେହି ସୌନ୍ଦର୍ଯ୍ୟବୋଧ ଯାହା ଆମ ଜୀବନକୁ ଧରିରଖେ।
ସାହିତ୍ୟ ଚର୍ଚ୍ଚା: ଏହି ସୌନ୍ଦର୍ଯ୍ୟତତ୍ତ୍ୱକୁ ଆପଣ ଯେଉଁ ଦୃଷ୍ଟିକୋଣରୁ ଦେଖନ୍ତି ବା ଯେଉଁଭଳି ଅଧ୍ୟୟନ କରିଛନ୍ତି ତାହା ବୋଧହୁଏ ଆଉ କିଏ କରିନାହାନ୍ତି।
ପଦ୍ମଜ ପାଳ: ଆଉ କେତେଜଣ ବି ଲେଖିଛନ୍ତି ଏ ବିଷୟରେ। ଏହି ତତ୍ତ୍ୱର ଆଲୋଚନା ଅନ୍ୟତ୍ର ମଧ୍ୟ ହୋଇଛି।
ସାହିତ୍ୟ ଚର୍ଚ୍ଚା: ୧୯୮୮ରେ ପ୍ରକାଶିତ ଆପଣଙ୍କ ଉପନ୍ୟାସ ‘ଦୁର୍ଗ ପତନର ବେଳ’ରେ ମୃତ ପିତାର ଶବ ନିକଟରେ ଠିଆ ହୋଇଥିବା ଜଣେ ପୁତ୍ରର ମୁହଁରେ ଆପଣ କୁହାଇଛନ୍ତି, “ବାପା, ତୁମ ଜୀବନ ଏ ନର୍କ ଭୋଗରୁ ମୁକ୍ତ ହେଉ।” ଦର୍ଶନଶାସ୍ତ୍ରର ଛାତ୍ର ଭାବରେ ଆପଣ ମୃତ୍ୟୁକୁ ମୁକ୍ତି ବା ମୋକ୍ଷର ଏକ ମାଧ୍ୟମ ଭାବରେ ଦେଖନ୍ତି କି?
ପଦ୍ମଜ ପାଳ: ହଁ, ଆମେ ସେଇମିତି ବିଶ୍ୱାସ କରୁ। ଆପଣ ଟିକିଏ ଗଭୀରକୁ ଗଲେ ଏହା ଅନୁଭବ କରିପାରିବେ।
ସାହିତ୍ୟ ଚର୍ଚ୍ଚା: ୨୦୧୧ ବେଳକୁ ପ୍ରକାଶିତ ହୋଇଥିଲା ଆପଣଙ୍କର ଏକ ଭିନ୍ନ ସ୍ୱାଦର ଉପନ୍ୟାସ ‘ଗାନ୍ଧି ଛକରୁ ଟିକିଏ ଆଗକୁ’। ଏହାକୁ କେହି କେହି ଏକ ‘ଆଣ୍ଟି-ନଭେଲ୍’ ବୋଲି ମଧ୍ୟ କହନ୍ତି। ଏମିତି କାହିଁକି?
ପଦ୍ମଜ ପାଳ: ଏଥିର ଭାବବସ୍ତୁ ଓ ଚରିତ୍ର ବିନ୍ୟାସ ବୋଧହୁଏ ଧରାବନ୍ଧା ଉପନ୍ୟାସମାନଙ୍କଠାରୁ ଏକ ଭିନ୍ନ ମୋଡ ନେଇଛି। ତେଣୁ ହୋଇପାରେ ଯେ ସମାଲୋଚକମାନେ ଏଥିରେ ଏକ ଭିନ୍ନ ପ୍ରକାରର ତତ୍ତ୍ୱ ଆବିଷ୍କାର କରନ୍ତି। ଅର୍ଥାତ ଏକ ଅନ୍ୟ ସ୍ତରର ଉତ୍ତରଣ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗଳ୍ପଗୁଡ଼ିକ ଅପେକ୍ଷାକୃତ ଭାବରେ ଦୀର୍ଘ କାହିଁକି?
ପଦ୍ମଜ ପାଳ: ଯେତେବେଳେ ଗଳ୍ପଗୁଡ଼ିକ ବଡ ହୋଇଯାଏ, ମୁଁ ଜାଣିପାରେ ଯେ ସେଗୁଡ଼ିକ ବେଶି ଲମ୍ବିଯାଉଛି। କିନ୍ତୁ ସେଠି ନିଜକୁ ପ୍ରକାଶ କରିବାର ଆକର୍ଷଣଟି ପ୍ରଚଣ୍ଡ ଭାବରେ ଥାଏ।
ସାହିତ୍ୟ ଚର୍ଚ୍ଚା: ଏହାକୁ କ’ଣ କହିପାରିବା ଯେ ଗଳ୍ପର ଭାବକୁ ପରିସ୍ଫୁଟ କରିବାର ଏକ ଆକର୍ଷଣ, ଯାହାକୁ ଛାଡିହୁଏନି?
ପଦ୍ମଜ ପାଳ: ହୁଏତ ତାହା। ଗଳ୍ପର ସୌନ୍ଦର୍ଯ୍ୟ ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଣୁ ଦୈର୍ଘ୍ୟକୁ ନେଇ ସାଲିସ୍ କରେ ନାହିଁ।
ସାହିତ୍ୟ ଚର୍ଚ୍ଚା: ବର୍ତ୍ତମାନ ଯୁଗରେ ଜୀବନ ଏତେ ତୀବ୍ର ଗତିରେ ଧାଇଁଛି ଯେ ଲୋକଙ୍କ ପାଖରେ ପଢ଼ିବା ପାଇଁ ସମୟର ଅଭାବ। ତାହାରି ପରିଣାମରେ ଆଜିର ପାଠକ ଖୋଜୁଛି ଅଣୁ ଗଳ୍ପ ବା ମିନିଗଳ୍ପ; ପୂର୍ଣ୍ଣାଙ୍ଗ ଗଳ୍ପ ଆଡ଼କୁ ସେ ଯାଉନାହିଁ। ଏ ବିଷୟରେ ଆପଣଙ୍କର ମତ କ’ଣ?
ପଦ୍ମଜ ପାଳ: ମୁଁ ଏହା ସହିତ ଏକମତ ନୁହେଁ। ମୁଁ ଭାବେ ଯେ ପୂର୍ଣ୍ଣାଙ୍ଗ ଗଳ୍ପ ଆଡ଼କୁ ବରଂ ସମସ୍ତେ ଯାଉଛନ୍ତି। ଗଳ୍ପଟି ପୂର୍ଣ୍ଣାଙ୍ଗ ନ ହେଲେ ସେଥିରେ ସମ୍ପୂର୍ଣ୍ଣ ଆବେଦନଟି ରହିବ କେମିତି!
ସାହିତ୍ୟ ଚର୍ଚ୍ଚା: ବୃତ୍ତିଗତ ଜୀବନରେ ଜଣେ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିବାର ଚାପ ଆପଣଙ୍କ ସାରସ୍ୱତ ସୃଷ୍ଟିକୁ ପ୍ରଭାବିତ କରିଛି କି?
ପଦ୍ମଜ ପାଳ: ମୋ ଅଧ୍ୟାପକୀୟ ଜୀବନରେ ନିଜର ଦାୟିତ୍ୱ ସୁଚାରୁ ଭାବରେ ତୁଲାଇପାରିଛି ମୁଁ ମନେକରେ। କିନ୍ତୁ ମୁଁ ନିଜକୁ ଏଥି ଜନିତ କୌଣସି ଚାପର ବଶବର୍ତ୍ତୀ ହେବାକୁ ଦେଇନାହିଁ। ତେଣୁ ମୋର ସର୍ଜନା କର୍ମରେ ଏହା ବିଶେଷ ବାଧା ସୃଷ୍ଟି କରିନାହିଁ।
ସାହିତ୍ୟ ଚର୍ଚ୍ଚା: ମାତ୍ର ଅଳ୍ପ ଦିନ ତଳେ ଉନ୍ମୋଚିତ ହୋଇଛି ଆପଣଙ୍କର ଏକ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ସୀତା ମୁଁ ସୀତା’। ଏହା ପରେ ଏବେ ଆଉ ଏକ ବହି ଲେଖିବାର ଯୋଜନା ଅଛି କି?
ପଦ୍ମଜ ପାଳ: ଯୋଜନା ତ ଅଛି। କିନ୍ତୁ ଏହା ମନ ଭିତରେ ହିଁ ରହିବା ଭଲ। ଏହା ବିଷୟରେ ପୂର୍ବରୁ ଆଲୋଚନା କଲେ ବହିଟି ପ୍ରଭାବିତ ହୋଇଯିବାର ସମ୍ଭାବନା ଥାଏ।
ସାହିତ୍ୟ ଚର୍ଚ୍ଚା: ଆମ ଭାଷାରେ ଭବିଷ୍ୟତର ଗଳ୍ପ ସାହିତ୍ୟ କିଭଳି ରୂପ ନେବାକୁ ଯାଉଛି ବୋଲି ଆପଣ ଭାବନ୍ତି?
ପଦ୍ମଜ ପାଳ: ଭବିଷ୍ୟତରେ ଗଳ୍ପ ଓ ଉପନ୍ୟାସର ଆଙ୍ଗିକତାରେ ପରିବର୍ତ୍ତନ ହେବାଟା ସ୍ୱାଭାବିକ। ସେ ପରିବର୍ତ୍ତନକୁ ଆମେ ଅଟକାଇ ପାରିବା ନାହିଁ। ଦଶବର୍ଷ ତଳର ଗଳ୍ପ ଓ ଏବର ଗଳ୍ପ ମଧ୍ୟରେ ଯେଭଳି ଫରକ୍ ରହିଛି, ସେମିତି ଭବିଷ୍ୟତରେ ମଧ୍ୟ ଏକ ଫରକ ଆସିବ।
ସାହିତ୍ୟ ଚର୍ଚ୍ଚା: ଆଜିର ସାରସ୍ୱତ ଆଲୋଚନାଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଏପ୍ରିଲ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଅତି ଚମତ୍କାର ଆଲୋଚନା।ବହୁତ ଭଲ ଲାଗିଲା।ଧନ୍ୟବାଦ ଓ ଆଶୀର୍ବାଦ।