ସମାନ୍ତରାଳ ସାହିତ୍ୟ

ଓଡ଼ିଆ ସାହିତ୍ୟରେ ଯେ ଏକ ସମାନ୍ତରାଳ ସାହିତ୍ୟର ସଂସାର ମୁଣ୍ଡ ଟେକିଲାଣି, ଏ ବିଷୟରେ ଆମ ତଥାକଥିତ ମୁଖ୍ୟଧାରାର ସାରସ୍ୱତ ସ୍ରଷ୍ଟାମାନେ ହୁଏତ ଅନଭିଜ୍ଞ; କିମ୍ବା ଏହା ଜଳଜଳ ଦିଶୁଥିଲେ ହେଁ ସେମାନେ ଏହାକୁ ନ ଦେଖିବା ଭଳି ଅଭିନୟ କରୁଛନ୍ତି। ଏହି ସମାନ୍ତରାଳ ରଚନାର ଜଗତଟି ମନେହୁଏ ଯେମିତି ଆମ ସାହିତ୍ୟର ବିଶାଳ ପରିଧି ମଧ୍ୟରେ ଗଢିଉଠିଥିବା ଅନ୍ୟତମ ପରିଧିଟିଏ। ସେହି ନୂଆ ପରିଧିଟିକୁ କୋଳେଇ ଧରିଛନ୍ତି ଫେସବୁକ୍‌, ହ୍ୱାଟସଆପ୍‌, ଇ-ମାଗାଜିନ୍‌, ଅନଲାଇନ୍ ପ୍ଲାଟଫର୍ମ, ଆପ୍ ଓ ୱେବସାଇଟ୍ ଭଳି ଏ ଯୁଗର ନୂଆ ସାମାଜିକ ଗଣମାଧ୍ୟମମାନେ ଏବଂ ତନ୍ମଧ୍ୟରେ ପରମ ଉତ୍ସାହର ସହିତ ବିଚରଣ କରୁଛନ୍ତି ଆମ କନିଷ୍ଠ ପିଢ଼ିର ଅଗଣିତ ଲେଖକ ଓ ପାଠକଗଣ।
ଏହାକୁ କିଛି ଦଶକ ପୂର୍ବେ ଆମ ଦେଶର ରୂପେଲି ପରଦାର ଜଗତରେ ଜନ୍ମ ନେଇଥିବା ସମାନ୍ତରାଳ ଚଳଚ୍ଚିତ୍ର ବା ‘ପାରାଲାଲ୍ ସିନେମା’ ସହିତ ତୁଳନା କରାଯାଇପାରେ, ଯଦିଓ ବିପରୀତ ଭାବରେ। ବିଡମ୍ବନା ହେଲା ଯେ ‘ମେନ୍‌ଷ୍ଟ୍ରିମ୍‌’ ବା ମୁଖ୍ୟଧାରାରେ ଥିବା ସିନେମାମାନଙ୍କର ଯେଉଁ ସବୁ ଲକ୍ଷଣ ଥାଏ, ତାହା ଦେଖିବାକୁ ମିଳୁଛି ଏବେକାର ସମାନ୍ତରାଳ ସାହିତ୍ୟ ଭିତରେ; ଯଥା, ବାହ୍ୟ ଚାକଚକ୍ୟ, ତାତ୍କାଳିକ ଲୋକପ୍ରିୟତାର ଲୋଭ, ଆଙ୍ଗିକ ବିଶୃଙ୍ଖଳା, ସାହିତ୍ୟିକ ପରମ୍ପରାଗୁଡିକ ପ୍ରତି ହତାଦର ଓ ଫର୍ମୁଲା ଆଧାରିତ ଭାବ ସଂଯୋଜନା ଇତ୍ୟାଦି। ଅଥଚ ସାହିତ୍ୟର ମୁଖ୍ୟଧାରାରେ ସାମିଲ୍ ଥିବା ଆମର ରକ୍ଷଣଶୀଳ ରଚନାକାରମାନେ ‘ପାରାଲାଲ୍‌’ ସିନେମାକାରମାନଙ୍କ ଭଳି କାଳ-ସିଦ୍ଧ ମୂଲ୍ୟବୋଧ ଓ ସମ୍ବେଦନାମାନଙ୍କ ପ୍ରତି ନିଜର ପ୍ରତିବଦ୍ଧତା ବଜାୟ ରଖିଛନ୍ତି।
ଉପରକୁ ଯେତେ ବିଶୃଙ୍ଖଳ ଓ ଅସଂଯତ ମନେ ହେଉଥିଲେ ହେଁ ସାମାଜିକ ଗଣମାଧ୍ୟମ ଓ ଅନଲାଇନ୍ ପ୍ଲାଟଫର୍ମମାନଙ୍କରେ ଗଢିଉଠିଥିବା ସାହିତ୍ୟର ଏହି ସମାନ୍ତରାଳ ଦୁନିଆଟିକୁ ଆମେ କିନ୍ତୁ ଅଣଦେଖା କରିପାରିବା ନାହିଁ। ଏହା ଏବେ ଆଉ କୁହୁଳୁଥିବା ଧୂଆଁ ଭାବରେ ରହିନାହିଁ, ବରଂ ହୋଇଛି ଦାବାନଳ ଭଳି ବ୍ୟାପିଚାଲିଥିବା ଏକ ଧାରା, ଯାହା ପ୍ରବଳ ଭାବରେ ଆମ ସାହିତ୍ୟକୁ କବଳିତ କରିଚାଲିଛି।
ଆମକୁ ଲକ୍ଷ୍ୟ କରିବାକୁ ହେବ ଏହି ସମାନ୍ତରାଳ ସାହିତ୍ୟର ଗତି ଓ ପ୍ରକୃତିକୁ। ଅନଲାଇନ୍ ପ୍ଲାଟଫର୍ମମାନଙ୍କରେ ସ୍ଥାନିତ ହେଉଥିବା ଲେଖାଗୁଡ଼ିକ ଉପରେ ଦୃଷ୍ଟି ପକାଇଲେ ଆମେ ଜାଣିପାରିବା, ସେଠାରେ ସାହିତ୍ୟର ଧରାବନ୍ଧା ତତ୍ତ୍ୱ ସବୁ କେମିତି ଓଲଟପାଲଟ ହୋଇଯାଇଛି। ସେଇ ବିଚିତ୍ର ରାଇଜରେ କେଉଁଟି ଶ୍ରେଷ୍ଠ ଗଳ୍ପ ବା କବିତା ତାହା ନିର୍ଣ୍ଣୟ କରିବା ପାଇଁ ଲେଖାଟି କେତେ ସଂଖ୍ୟକ ‘ଲାଇକ୍‌’ ସୂଚକ ଇମୋଜି ଚିହ୍ନ ପାଇଛି ତାହା ଗଣନା କରାଯାଏ; କିମ୍ବା କେଉଁ ଲେଖାଟି ସବୁଠାରୁ ଅଧିକ ଲୋକପ୍ରିୟ ତାହା ଜାଣିବା ପାଇଁ ସେଇଟିକୁ କେତେ ସଂଖ୍ୟକ ପାଠକ (ଅର୍ଥାତ୍ ‘ୟୁଜର୍‌’) କ୍ଲିକ୍ କରି ଖୋଲିଛନ୍ତି ତାହାର ହିସାବ ରଖାଯାଏ। କହିବା ବାହୁଲ୍ୟ, କୌଣସି ଏକ ଲେଖା ଉପରେ ‘ଲାଇକ୍‌’ ଚିହ୍ନମାନ ଅଜାଡିବା ପୂର୍ବରୁ ସେହି ତଥାକଥିତ ପାଠକମାନଙ୍କ ମଧ୍ୟରୁ ଅନେକେ ଲେଖାଟିକୁ ଥରେ ଭଲକରି ପଢ଼ି ମଧ୍ୟ ନ ଥାନ୍ତି। ସେହିପରି ମୋବାଇଲ୍ ବା ଲାପଟପ୍‌ର ପରଦା ଉପରେ ଜଣେ କେହି ଲେଖାଟିଏ ଥରେ ମାତ୍ର ଖୋଲିଦେଇ ତୁରନ୍ତ ସେଥିରୁ ବାହାରି ଆସିଲେ ବି ତାହା ସେହି ପାଠକଙ୍କ ଦ୍ୱାରା ପଢିନିଆଗଲା ବୋଲି ଧରାଯାଏ, ଏବଂ ସେହି ଅନୁସାରେ ସମ୍ପୃକ୍ତ ଲେଖକଙ୍କର ଲୋକପ୍ରିୟତା ନିର୍ଦ୍ଧାରିତ ହୁଏ।
ଏମନ୍ତ ଅନେକ ବିସଙ୍ଗତି ଥାଇ ମଧ୍ୟ ସେହିଦିନଟି ବିଶେଷ ଦୂର ନୁହେଁ, ଯେବେ ଏହି ସମାନ୍ତରାଳ ସାହିତ୍ୟ ଆମ ସାହିତ୍ୟରେ ମୁଖ୍ୟଧାରାର ଆସନ ମାଡି ବସିବ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

5 thoughts on “ସମାନ୍ତରାଳ ସାହିତ୍ୟ

  1. ଏ ମାସର ସଂପାଦକୀୟ “ସମାନ୍ତରାଳ ସାହିତ୍ୟ” ଖୁବ୍ ସମୟୋପଯୋଗୀ ଓ ଅତ୍ୟନ୍ତ ଉପାଦେୟ। ସୋସିଆଲ ମିଡିଆରେ ବୁଲୁଛି ବହୁ ସଂଖ୍ୟାରେ ଅପରିପକ୍ଵ ହାତର ଲେଖା କାରଣ ବିନା ଏଡିଟିଙ୍ଗରେ ପ୍ରକାଶ ପାଇ ଯାଉଛି। ଏବେଠୁ ସେ ବିଷୟରେ ଚିନ୍ତା କରିବା ନିହାତି ଜରୁରୀ।

  2. ସମାନ୍ତରାଳ ସାହିତ୍ୟର ଲେଖକଙ୍କ ଲେଖା କିଛି କମ୍ ନୁହେଁ। ନୂଆ ପିଢ଼ିର ପିଲାମାନେ ପୁରୁଣା ଲେଖକଙ୍କ ତୁଳନାରେ ବହୁତ ଭଲ ଲେଖୁଛନ୍ତି। ସେମାନଙ୍କ ଭାବର କ୍ୟାନଭାସ ବେଶ୍ ବିସ୍ତୃତ, ବେଶ୍ ଉନ୍ନତ, ନୂଆ ନୂଆ। ସେମାନଙ୍କ ଶବ୍ଦ ସଂଯୋଜନା ଅତି ଉତ୍ତମ।ଏହି ବିକଳ୍ପ ପ୍ରକାଶନ ହିଁ ଭବିଷ୍ୟତ। ମହଙ୍ଗା କାଗଜପତ୍ର ଓ ଛାପାଖାନାର ଶୋଷଣ ଭିତରେ ମାଗଣାରେ ଡାଉନଲୋଡ ହୋଇପାରୁଥିବା ଲେଖା ପଢିବାକୁ ବହୁତ ଲୋକ ଏବେ ଭଲ ପାଉଛନ୍ତି। ମୋବାଇଲ ମାଧ୍ୟମରେ ବିଶ୍ବର ବହୁ ଭାଷାର ଲେଖା ଘରେ ବସି ପଢାଯାଇପାରୁଛି। ଏହାକୁ ଗ୍ରହଣ କରିବାକୁ ହେବ ଏବଂ ସ୍ବୀକୃତି ଦେବାକୁ ହେବ। ଏହାର ଆଲୋଚନା ଅନେକ ସମ୍ଭାବନାମୟ।

  3. ସମାନ୍ତରାଳ ସାହିତ୍ୟକୁ ସ୍ବାଗତ କରାଯାଉ।ସମସ୍ତେ ତ ପାଠକ ହୋଇପାରିବେନି।ଯିଏ ପାଞ୍ଚ ମିନିଟ୍ ଲେଖା ପଢ଼ିବାକୁ ଧୈର୍ଯ୍ୟ ରଖି ନାହିଁ ସେ ଉପନ୍ୟାସ ବହି ପଢ଼ିବ କେମିତି?
    ତଥାପି ଚାଲୁ। ଅନ୍ତତଃ ଲେଖକ ପାଇଁ ବିଭିନ୍ନ ମାଧ୍ୟମ ଖୋଲିଯାଉ।
    ଆପଣଙ୍କ ଅନୁଧ୍ୟାନ ନିଖୁଣ ଆଜ୍ଞା। ସୁନ୍ଦର ସମ୍ପାଦକୀୟ!

  4. ଅପ୍ରମିତ ଅଭିନନ୍ଦନ ଓ ଶୁଭେଚ୍ଛା ସାର୍।ଏଥର ସମ୍ପାଦକୀୟ ପୃଷ୍ଠାରେ ଏକ ସୁନ୍ଦର ବିଷୟ ଉତ୍ଥାପନ କରିଥିବାରୁ ମାଲକାନଗିରି ମାଟି ରୁ ଶୁଭେଚ୍ଛା ଓ ସମ୍ମାନ ଜଣାଉଛି। ବହୁତ ବଢିଆ ଉପସ୍ଥାପନା 🙏🙏
    ବଳରାମ ପୂଜାରୀ କୁଡୁମୁଲୁଗୁମ୍ମା ମାଲକାନଗିରି

  5. ସମାନ୍ତରାଳ ପୃଷ୍ଠାଟି ସ୍ବାଗତଯୋଗ୍ୟ। ଏ ସଂଖ୍ୟାରେ ପ୍ରକାଶିତ ବୈଷୟିକ ଜ୍ଞାନକୌଶଳରେ ସାହିତ୍ୟ ପତ୍ରିକାର ନବୀନତା ବା ପରିବର୍ତ୍ତନ ନିଶ୍ଚିତ ସ୍ଵାଗତ ଯୋଗ୍ୟ।

Leave a Reply

Your email address will not be published. Required fields are marked *