କଥାକାର ଶ୍ୟାମା ପ୍ରସାଦ ଚୌଧୁରୀଙ୍କ ସହ କିଛି ଅନ୍ତରଙ୍ଗ ଆଳାପ

କାଳେ ମୋ ପତ୍ନୀ ବି କେତେବେଳେ ଭାବିନେବେ ଯେ ମୁଁ ତା’ଙ୍କ ବିଷୟରେ ଲେଖିଛି, ତେଣୁ ମୋ ଗପରେ କେତେକ କଥା ମୁଁ ଜାଣିଶୁଣି ବଦଳାଇଦେଇଛି।

କଥାକାର ଶ୍ୟାମା ପ୍ରସାଦ ଚୌଧୁରୀ କଲିକତାରେ ଅବସ୍ଥାନ କରନ୍ତି ଏବଂ ତା’ଙ୍କୁ ବୟସ ଏବେ ୬୪ ବର୍ଷ। ଓଡ଼ିଆ କଥାସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ଭାବରେ ସେ ସୁପରିଚିତ। ୧୯୭୯ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ଏବଂ ଏହି ଦୀର୍ଘ ୪୩ ବର୍ଷର ଅବଧି ମଧ୍ୟରେ ତାଙ୍କର ଅନ୍ୟ କିଛି ଗଳ୍ପ ସଂକଳନ ତଥା ଏକ ଉପନ୍ୟାସ ମଧ୍ୟ ପ୍ରକାଶିତ ହୋଇ ବିଶେଷ ପାଠକୀୟ ଆଦୃତି ଲାଭ କରିଥିଲା। ଓଡ଼ିଶାର ବିଭିନ୍ନ ସରକାରୀ କଲେଜରେ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ଚୌଧୁରୀ ୧୯୮୩ ମସିହାରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇ ୩୭ ବର୍ଷ କାଳ ଦେଶର ବିଭିନ୍ନ ରାଜ୍ୟରେ ସେବା ପ୍ରଦାନ କରିବା ଉପରାନ୍ତେ ୨୦୧୯ ମସିହାରେ ପ୍ରିନ୍ସିପାଲ୍ ଚିଫ୍ କମିଶନର୍ ପଦରୁ ଅବସର ଗ୍ରହଣ କରିଥିଲେ। ତା’ଙ୍କ ସହିତ ବିବିଧ ସାରସ୍ୱତ ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ରେଭେନ୍ସାରେ ଆପଣଙ୍କର ଛାତ୍ର ଜୀବନଠାରୁ ଆରମ୍ଭ କରି ଏବେ ସରକାରୀ ଚାକିରିରୁ ଅବସର ନେବା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଆପଣ ସାହିତ୍ୟ ସହିତ ବିଭିନ୍ନ ଭୂମିକାରେ ଯୋଡି ହୋଇ ରହିଛନ୍ତି। ଏହା ସତ୍ତ୍ୱେ ଆପଣ ସାହିତ୍ୟ ବିପଣୀର ରାଜରାସ୍ତାକୁ ଆସିବା ପାଇଁ ଚେଷ୍ଟା କରିନାହାନ୍ତି, ଏବଂ ପ୍ରତେ ହୁଏ ସତେ ଯେମିତି ନିଜକୁ ଗୋପନ ରଖିବାକୁ ପସନ୍ଦ କରିଛନ୍ତି। ଏମିତି କାହିଁକି?
ଶ୍ୟାମା ପ୍ରସାଦ ଚୌଧୁରୀ: ନିଜକୁ ଗୋପନ ରଖିବାକୁ ପସନ୍ଦ କରିଛି ନକହି ବରଂ କହିବି, ଆତ୍ମ-ପ୍ରସାରିତ ହେବାକୁ ବ୍ୟାକୁଳ ହେଇନାହିଁ। ମୁଁ ଆଉ ଗୋପନ ହେଇ ରହିପାରିଲି ବା କେମିତି ବା କେବେ? ଆପଣ ପରା ପାଇଗଲେ ମୋତେ! ଯେତେବେଳେ ପ୍ରଥମେ ଲେଖିବା ଆରମ୍ଭ କଲି, ସେତେବେଳେ ଭାବୁଥିଲି ଯେ ମୋ ଗପ କେମିତି ‘ନବରବି’ ବା ‘ଆସନ୍ତା କାଲି’ ବା ‘ଝଂକାର’କୁ ଯିବ। ଛାତ୍ର ଜୀବନରେ ସମ୍ପାଦକମାନଙ୍କୁ ରେଜିଷ୍ଟ୍ରି ଡାକରେ ଲେଖା ପଠାଉଥିଲି ଏବଂ ଆକୁଳ ହେଇ ମୋର ବ୍ୟକ୍ତିଗତ ଈଶ୍ୱରଂକୁ ପ୍ରାର୍ଥନା କରୁଥିଲି ଯେ ତା’ ପ୍ରକାଶିତ ହେଉ। ନିଜକୁ ସାହିତ୍ୟ ଜଗତରେ ଗୋପନ ରଖିବାକୁ ଚାହୁଁଥିଲେ ତ ମୁଁ ଏକଥା କରିନଥା’ନ୍ତି!
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପ୍ରଥମ ବହିଟି କେମିତି ଛପା ହେଲା?
ଶ୍ୟାମା ପ୍ରସାଦ ଚୌଧୁରୀ: ବହି କେମିତି ଛପାହୁଏ, ଆଉ ଛପା ହେଲେ କ’ଣ ହେବ, ସେକଥା ବି ମୁଁ ଜାଣିନଥିଲି। ମୁଁ ସେତେବେଳକୁ ଯେବେ ବିଭୁତି ପଟ୍ଟନାୟକଙ୍କ ସହିତ ସମ୍ପର୍କରେ ଆସିଲି, ସେ ସବୁବେଳେ ପଚାରନ୍ତି, “ତୁମର କେତୋଟି ଗପ ହେଲା? ତୁମର କିଛି ଗପକୁ ଗୋଟିଏ ବହି କରିକି ଛପାଇଦେବା।”
ସାହିତ୍ୟ ଚର୍ଚ୍ଚା: ବିଭୂତି ବାବୁଙ୍କ ସହିତ ସମ୍ପର୍କ ସ୍ଥାପିତ ହେଲା କେମିତି?
ଶ୍ୟାମା ପ୍ରସାଦ ଚୌଧୁରୀ: ସେତେବେଳେ କଟକରୁ ଜଗନ୍ନାଥ ରଥ ଛାପୁଥିଲେ ତାଙ୍କ ଦ୍ୱାରା ସମ୍ପାଦିତ ‘ଗଳ୍ପ’ ପତ୍ରିକା ଏବଂ ସଂଯୋଗ କ୍ରମେ ମୁଁ ଏହାର ପ୍ରୁଫ୍‌-ରିଡିଂ କରୁଥିଲି। ଏହି କ୍ରମରେ ତା’ଙ୍କ ସହିତ ଯୋଡି ହୋଇଯାଇଥିଲି। ସେତେବେଳକୁ ମୁଁ ଛାତ୍ର ଥିଲି; ଜଗନ୍ନାଥ ରଥଙ୍କୁ ବିଭୂତି ସାର୍ କହିଥିଲେ ‘ଶ୍ୟାମାର ବହିଟିଏ କରନ୍ତୁ।’ ମୁଁ ଜେ.ଏନ୍‌.ୟୁରେ ଥିବା ସମୟରେ ହଠାତ ମୋ ପାଖରେ ପହଂଚିଥିଲା ରେଜିଷ୍ଟର୍ଡ୍ ପୋଷ୍ଟ୍ ରେ, ମୋର ପ୍ରଥମ ବହି, ଜଗନ୍ନାଥ ରଥଙ୍କ ଦ୍ୱାରା ପ୍ରକାଶିତ – ‘ନିଜଠାରୁ ନିଜର ଦୂରତା’।
ସାହିତ୍ୟ ଚର୍ଚ୍ଚା: ତଥାପି ମନେ ହୁଏ ଆପଣ ସାହିତ୍ୟ ଜଗତରୁ ନିଜକୁ ଗୋପନ ରଖିବାକୁ ଭଲ ପାଆନ୍ତି!
ଶ୍ୟାମା ପ୍ରସାଦ ଚୌଧୁରୀ: ଆପଣଙ୍କର ଏହି ‘ଗୋପନ’ ଶବ୍ଦଟି ୟା ଭିତରେ ମୋର ଅତି ପ୍ରିୟ ହେଇସାରିଲାଣି ; ତେବେ ବହୁଦିନରୁ ମୋର ଗୋଟେ ବଦ୍ଧମୂଳ ଧାରଣା ଅଛି ଯେ ଆମେ ସମସ୍ତେ ଲୁଚିଛେ। କାହାଠୁ ଲୁଚିଛେ, ଆଉ କେମିତି ଲୁଚିଛେ, ସେକଥା ଅବଶ୍ୟ ମୁଁ ଜାଣିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଗପ ଲେଖନ୍ତି କାହିଁକି?
ଶ୍ୟାମା ପ୍ରସାଦ ଚୌଧୁରୀ: ଆମେ ପ୍ରତ୍ୟେକେ ଗପ ଲେଖୁ, ବା କହୁ। ପୃଥିବୀରେ ଏମିତି କୌଣସି ମଣିଷ ନାହିଁ, ଯିଏକି ଗପ କହିନି, ବା ଲେଖିନି। ଏମିତିକି ଯିଏ ମୂକ ଓ ଅନ୍ଧ, ସେ ବି ଗପ ନକହି ବା ନଲେଖି ରହିପାରିନାହିଁ। ମୁଁ ତ କୌଣସି ବି ଦୃଷ୍ଟିହୀନ ଠାରୁ ଆହୁରି କମ୍ ଦେଖିଛି ଜୀବନରେ, ଏବଂ କୌଣସି ମୂକ ଠାରୁ କମ୍ ଠାରିପାରିଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ କେବଳ ଲେଖିବାଟା ତ ଯଥେଷ୍ଟ ନୁହେଁ, ଏବର ଦୁନିଆରେ ସାହିତ୍ୟରେ ନିଜକୁ ପ୍ରତିଷ୍ଠିତ ବା ବିଜ୍ଞପିତ କରିବା ପାଇଁ ପ୍ରୟାସର ମଧ୍ୟ ପ୍ରୟୋଜନ। ମନେହୁଏ ଆପଣ ଏଥିପ୍ରତି ଦୃଷ୍ଟି ଦେବାକୁ ଚାହିଁନାହାନ୍ତି।
ଶ୍ୟାମା ପ୍ରସାଦ ଚୌଧୁରୀ: ଅନ୍ୟମାନେ ବି ଏକଥା ମୋତେ ପଚାରିଛନ୍ତି। ବୋଧହୁଏ ନିଜକୁ ପ୍ରଚାରିତ ଓ ପ୍ରସାରିତ କରିବାରେ ଯେଉଁ ସୁଖ ମିଳେ, ତାହା ପ୍ରତି ମୁଁ ବିଶେଷ ଆସକ୍ତି ରଖିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଦ୍ୱିତୀୟ ସଂକଳନଟି ପ୍ରକାଶିତ ହୋଇଥିଲା ୧୯୮୬ ମସିହାରେ। ଅଥଚ ତୃତୀୟଟି ହେଲା ୨୦୧୪ରେ। ଏହି ଦୀର୍ଘ ୨୮ ବର୍ଷ କାଳ କ’ଣ ଆପଣ ସାହିତ୍ୟରୁ ଏକ ପ୍ରକାର ସନ୍ନ୍ୟାସ ନେଇଥିଲେ?


ଶ୍ୟାମା ପ୍ରସାଦ ଚୌଧୁରୀ: ନା, ଏହାକୁ ସନ୍ନ୍ୟାସ ବୋଲି କହିହେବ ନାହିଁ। ଏହି ସମୟ ଭିତରେ ନିଶ୍ଚିତ ଭାବରେ ମୋ ପ୍ରକାରେ ଏବଂ ମୋ ନିଜସ୍ୱ କୌଣସି ଅ-ସନ୍ନ୍ୟାସପଣ ଭିତରେ ଥିଲି। ଏମିତିରେ, ପତ୍ରପତ୍ରିକାରେ କେତେବେଳେ କେମିତି ତ ମୋ’ର ଲେଖା ପ୍ରକାଶ ପାଉଥିଲା!
ସାହିତ୍ୟ ଚର୍ଚ୍ଚା: ତଥାପି ଆପଣ ମଝିରେ କିଛିଦିନ ନିରବ ବି ହୋଇଯାଇଥିଲେ!
ଶ୍ୟାମା ପ୍ରସାଦ ଚୌଧୁରୀ: ଅବଶ୍ୟ ବେଳେବେଳେ ଅଟକି ଯାଇଛି, ଏବଂ ନିଜକୁ ପଚାରିଛି, କ’ଣ ଲେଖିବି, କାହିଁକି ଲେଖିବି? ଆପଣ ଏବେ ପଚାରିବେ ଯେ, ତାହେଲେ ୨୦୧୪ରେ ହଠାତ୍ ଏମିତି କ’ଣ ହେଲା?
ସାହିତ୍ୟ ଚର୍ଚ୍ଚା: ହଁ ୨୦୧୪ରେ କ’ଣ ହେଲା?
ଶ୍ୟାମା ପ୍ରସାଦ ଚୌଧୁରୀ: ସେତେବେଳକୁ ମୋର ସାଙ୍ଗମାନଙ୍କ ତରଫରୁ ପ୍ରବଳ ଚାପ ଆସିଲା ସଂକଳନଟିଏ ବାହାର କରିବାପାଇଁ। ମୁଁ ନିଃସ୍ପୃ଼ହ ଥିଲି। ଏପରିକି ‘ଟାଇମ୍ ପାସ୍‌’ର ସରୋଜ ବଳଙ୍କୁ ବି, ମୋ ବହିର ଲୋକାର୍ପଣ ଦିନ ଆଗରୁ କେବେ ଦେଖିନଥିଲି। ସେ ପ୍ରକାଶ କଲେ ବହିଟି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅଧିକାଂଶ ରଚନାରେ କେବଳ ଭାବ ବା କଥାବସ୍ତୁ ନୁହେଁ, ଏପରିକି ଶିରୋନାମାରେ ମଧ୍ୟ ଏକ ନିଆରାପଣ ଦେଖିବାକୁ ମିଳେ। ଯେମିତି ଆପଣଙ୍କ କେତୋଟି ବହିର ନାମ, ‘କାପୁରୁଷର ଗୋଡ଼’ ଓ ‘ଚିଡିଆଖାନାର ଚିତ୍ର’ ଆଦି। ଏମିତି ଅଜବପଣ ଆପଣ ଜାଣିଶୁଣି ପ୍ରୟୋଗ କରନ୍ତି, ନା ଲେଖୁ ଲେଖୁ ହୋଇଯାଏ ଏମିତି?
ଶ୍ୟାମା ପ୍ରସାଦ ଚୌଧୁରୀ: ମୁଁ ଜାଣିନି, ଆପଣଙ୍କୁ ଏଥିପାଇଁ ଧନ୍ୟବାଦ ଦେବି କି କ’ଣ। କିନ୍ତୁ ‘ନିଆରାପଣ’ ଶବ୍ଦଟି ଆପଣ ପ୍ରଥମେ ବ୍ୟବହାର କରୁଛନ୍ତି ମୋ ପାଇଁ। ହୁଏତ ମୁଁ ନିଶ୍ଚିତ ଭାବରେ ଚାହିଁଥିବି, ନିଜ ଲେଖାରେ ସଚେତନ ବା ଅବଚେତନ ଭାବରେ କିଛି ଅଲଗାପଣ ଆଣିବାପାଇଁ। ‘କାପୁରୁଷର ଗୋଡ଼’ ବହି ର ସଂପୂର୍ଣ୍ଣ ନାମ ରଖିଥିଲି, ‘ପତ୍ନୀ ପ୍ରଭାତୀ ଚୌଧୁରୀଂକ ଦ୍ୱାରା ନିର୍ବାଚିତ କାପୁରୁଷର ଗୋଡ଼ ଓ ଅନ୍ୟାନ୍ୟ ଗଳ୍ପ।’
ସାହିତ୍ୟ ଚର୍ଚ୍ଚା: ଆପଣ ତ ନିଜର ଗପ ଶୂନ୍ୟରୁ ଛାଣିଆଣନ୍ତି। ଆପଣ ‘ଚିଡିଆଖାନାର ଚିତ୍ର’ ଗଳ୍ପ ସଂକଳନର ମୁଖବନ୍ଧରେ ବି ନିଜେ ସେକଥା ସ୍ୱୀକାର କରି କହିଛନ୍ତି, “ମୁଁ କଥାକୁ ଫେଣାଇଛି।” ଏଇଟି ମଧ୍ୟ ଆପଣଙ୍କର ଆରେକ ଅନନ୍ୟତା ନୁହେଁ କି?
ଶ୍ୟାମା ପ୍ରସାଦ ଚୌଧୁରୀ: ମୁଁ ବିଶ୍ୱାସ କରେ ଯେ ଗୋଟିଏ ବଡ଼ କଥାକୁ କମ ଶବ୍ଦରେ କହିବା ଯଦି ଗୋଟିଏ କବିତା ହୁଏ, ତେବେ ଗୋଟିଏ ଅତି ଛୋଟ ବା ଅତି ସାଧାରଣ କଥାକୁ ବହୁତ ଅଲଗା ପ୍ରକାରେ ଏବଂ ଅଧିକ କରି କହିବା ତଥା ଶେଷକୁ ଯଥାସମ୍ଭବ ବିଳମ୍ବିତ କରିବା ହେଉଛି, ଗପ।
ସାହିତ୍ୟ ଚର୍ଚ୍ଚା: ହୁଏତ ଉପନ୍ୟାସରେ ସେକଥା ସମ୍ଭବ ହେଉଥାଇପାରେ, କିନ୍ତୁ କ୍ଷୁଦ୍ରଗଳ୍ପରେ?
ଶ୍ୟାମା ପ୍ରସାଦ ଚୌଧୁରୀ: ଦେଖନ୍ତୁ ଫେଣେଇବା କଥାଟା ମୁଁ ଏଇଥିପାଇଁ କହୁଥିଲି ଯେ କଫିମଗ୍ ରେ ବିନା କଫିରେ ଫେଣ ବି ହୋଇପାରିବନାହିଁ। ତେଣୁ ପ୍ରଥମେ କଫି ଦରକାର, ତାପରେ ଯାଇ ଫେଣ। କିନ୍ତୁ ଏଇ ଫେଣଟାକୁ ହିଁ ସମସ୍ତେ ଉପଭୋଗ କରୁଥା’ନ୍ତି। ସେ ଗଳ୍ପ ହେଉ ଅବା ଉପନ୍ୟାସ।
ସାହିତ୍ୟ ଚର୍ଚ୍ଚା: ତଥାପି ଆପଣଙ୍କ ‘ଚିଡିଆଖାନାର ଚିତ୍ର’ରେ ଏତେ ଫେଣ ଅଛି ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନେହୁଏ, ଏହା କେବଳ କବିତା ହିଁ କବିତା।
ଶ୍ୟାମା ପ୍ରସାଦ ଚୌଧୁରୀ: ମୋ ନିଜ ସଂପର୍କରେ ଗୋଟେ ଛୋଟ ଗପ କହୁଛି। ମୁଁ ପ୍ରତିଦିନ ତିନୋଟି କରି କବିତା ପଢ଼େ। ଏବଂ ବିଶ୍ୱାସ କରେ ଯେ, ପ୍ରତିଦିନ ତିନୋଟି କବିତା ପଢ଼ିଲେ, ତିନି ଜଣଙ୍କର ଆୟୁଷ ବଢ଼େ। କବିର, କବିତାର ଓ କବିତା ପଢ଼ୁଥିବା ଲୋକର।
ସାହିତ୍ୟ ଚର୍ଚ୍ଚା: ଗଢ଼ଣ କାରିଗରୀ ଦୃଷ୍ଟିରୁ ବିବେଚନା କଲେ ମନେହୁଏ ଯଦିଓ ‘ଚିଡିଆଖାନାର ଚିତ୍ର’କୁ ଏକ ଗଳ୍ପ ସଂକଳନ ବୋଲି କୁହାଯାଇଛି, ବହିଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେହି ଏକା ଚରିତ୍ରମାନେ ଆତଯାତ ହେଉଛନ୍ତି; ବିଭିନ୍ନ ଅଧ୍ୟାୟଗୁଡିକର ଘଟଣାକ୍ରମ ମଧ୍ୟ ପରସ୍ପର ସହିତ ଜଡିତ। ତେଣୁ ଏହାକୁ ଏକ ଉପନ୍ୟାସ ପ୍ରତିମ ପ୍ରୟୋଗ ବୋଲି କହିପାରିବା କି?
ଶ୍ୟାମା ପ୍ରସାଦ ଚୌଧୁରୀ: ସେମିତି ଅବଶ୍ୟ ମୁଁ ଭାବିନାହିଁ। ଏଥିରେ ଥିବା ଗଳ୍ପଗୁଡ଼ିକ ମୁଁ ବିଭିନ୍ନ ସମୟରେ, ବିଭିନ୍ନ ପ୍ରକାରରେ ଲେଖିଛି। ହୁଏତ ହୋଇଯାଇ ଥାଇପାରେ, ଆପଣ ଯାହା କହୁଛନ୍ତି। କିନ୍ତୁ ମୁଁ ତାହା ଭାବି ଲେଖିନାହିଁ, ଏବଂ ପାଠକେ ବି ଏକଥା ନ ଭାବନ୍ତୁ ବୋଲି ଚାହେଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅନେକ ରଚନାରେ ଗୋଟିଏ ଅଟୋବାଇଓଗ୍ରାଫିକାଲ୍ ତତ୍ତ୍ୱ ମଧ୍ୟ ପ୍ରବେଶ କରିଯାଇଥାଏ, ବୋଧହୁଏ!
ଶ୍ୟାମା ପ୍ରସାଦ ଚୌଧୁରୀ: ମୋ’ର ବିଶ୍ୱାସ ଯେ ଏମିତି କେହି ଲେଖକ ବା କହିବାବାଲା ନାହିଁ ଯାହାର ଲେଖିବା ବା କହିବା ଅଟୋବାଇଓଗ୍ରାଫିକାଲ୍ ନୁହଁ। ଆପଣ ପ୍ରବନ୍ଧ ଲେଖନ୍ତୁ, କବିତା ଲେଖନ୍ତୁ, ଗଳ୍ପ ଲେଖନ୍ତୁ, ନାଟକ ଲେଖନ୍ତୁ, ରଚନା ଲେଖନ୍ତୁ ବା ଗୋଟିଏ ଆଡଭର୍ଟାଇଜମେଣ୍ଟ୍ ର ଜିଂଗଲ୍ ଲେଖନ୍ତୁ – ଯାହା ବି କରନ୍ତୁ,– ତାହା ଅଟୋବାଇଓଗ୍ରାଫିକାଲ୍ ହେବା ଛଡ଼ା ଆଉ କିଛି ବି ହୋଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ସେଇ ଆତ୍ମାନୁଚିନ୍ତନକୁ ଆଉ ଗୋଟିଏ ସ୍ତରକୁ ନେଇଯାଇଛନ୍ତି!
ଶ୍ୟାମା ପ୍ରସାଦ ଚୌଧୁରୀ: ଦେଖନ୍ତୁ, ରାମାୟଣ କେବଳ ଦଶରଥଂକ ରାମଙ୍କ ବିଷୟରେ ନୁହଁ, ତାହା କୈକେୟୀଙ୍କ ରାମ, ସୀତାଙ୍କ ରାମ ବିଷୟରେ ବି। କିନ୍ତୁ, ସର୍ବୋପରି, ସେ ରାମ ତ ବାଲ୍ମିକୀଙ୍କର ନା! ଆପଣ ଯାହା ବି କହିବେ, ତାହା ଆପଣଙ୍କ ନିଜ ଦର୍ଶନ, ନିଜ ଭାବିବା, ନିଜ ଚିନ୍ତିବା, ନିଜ ଜାଣିବା, ନିଜ ନଜାଣିବା, ଏହି ସବୁଥିରୁ ତିଆରି ହେବ ଇ ହେବ!
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣଙ୍କ ଗଳ୍ପର ନନ୍ଦିତା ଏକ କାଳ୍ପନିକ ସୃଷ୍ଟି ନହୋଇ ଜୀବନର ବାସ୍ତବ ଚରିତ୍ରଟିଏ ନୁହେଁ ତ?
ଶ୍ୟାମା ପ୍ରସାଦ ଚୌଧୁରୀ: ହେଇପାରେ … କିନ୍ତୁ ମୋର ଅନେକ ସାଙ୍ଗ, ଯେଉଁମାନେ ମୋ ପତ୍ନୀଙ୍କୁ ଭଲଭାବରେ ଜାଣିନାହାନ୍ତି, ଏକଥା ଭାବନ୍ତି ଯେ ନନ୍ଦିତା ହୁଏତ ମୋ ପ୍ରେମିକା ବା ପତ୍ନୀ। ସେମାନେ ମୋ ପତ୍ନୀଙ୍କୁ ବି କେତେଥର ସେକଥା ପଚାରିଛନ୍ତି, “ଆପଣଙ୍କ ବିଷୟରେ ଇ ଶ୍ୟାମା ଲେଖିଛି?” ଆପଣ ବିଶ୍ୱାସ କରିବେନି, କାଳେ ମୋ ପତ୍ନୀ ବି କେତେବେଳେ ଭାବିନେବେ ଯେ ମୁଁ ତା’ଙ୍କ ବିଷୟରେ ଲେଖିଛି, ତେଣୁ ମୋ ଗପରେ କେତେକ କଥା ମୁଁ ଜାଣିଶୁଣି ବଦଳାଇଦେଇଛି। ଯେମିତି ତାଙ୍କୁ କୁକୁର ଭଲ ଲାଗେ ସିନା; କିନ୍ତୁ ନନ୍ଦିତା କୁ ଭଲ ଲାଗଛି ହୁଏତ ବିଲେଇ। ସବୁକଥା କାଳ୍ପନିକ ଏବଂ କେବଳ ସେଇଥିପାଇଁ, ସବୁକଥା ସତ।
ସାହିତ୍ୟ ଚର୍ଚ୍ଚା: ଆପଣ କେବଳ ଜଣେ କଥାକାର ନୁହନ୍ତି, ଜଣେ ଅନୁଭବୀ ସମ୍ପାଦକ ମଧ୍ୟ, ଏକଥା ଅନେକେ ଜାଣନ୍ତି ନାହିଁ। ବିଶେଷତଃ ନିଜର ଆଦ୍ୟ ଜୀବନରେ, ଆପଣ ବିଭିନ୍ନ ଅଗ୍ରଣୀ ପତ୍ରିକାର ସମ୍ପାଦନା ସହିତ ସଂପୃକ୍ତ ଥିଲେ। ସେଇ ସମ୍ପାଦକୀୟ ନିଖୁଣତା ଆପଣଙ୍କ ସାହିତ୍ୟ ସର୍ଜନାରେ ମଧ୍ୟ କ’ଣ ପ୍ରତିଫଳିତ ହୋଇଛି?
ଶ୍ୟାମା ପ୍ରସାଦ ଚୌଧୁରୀ: ସେକଥା ମୁଁ କ’ଣ କହିବା ସମ୍ଭବ, ନା କହିବା ଯଥାର୍ଥ ହେବ? ତେବେ ମୁଁ ଏତିକି କହିପାରେ ଯେ ମୁଁ ବିଶେଷ ନିଖୁଣ କିଛି ଲେଖିନାହିଁ କି କରିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସମ୍ପାଦନାର ଅନୁଭୂତି କେମିତି ଥିଲା?
ଶ୍ୟାମା ପ୍ରସାଦ ଚୌଧୁରୀ: ସମ୍ପାଦନା କାମଟି ମୁଁ ପ୍ରଥମେ ଜାଣିଲି, ମାନେ ଶିଖିଲି, ବିଭୂତି ପଟ୍ଟନାୟକଙ୍କଠାରୁ। ଏମିତି ନୁହେଁ ଯେ ସେ ମୋତେ ଜାଣତରେ ଏହା ଶିଖାଇଛନ୍ତି; କିନ୍ତୁ ‘ଗଳ୍ପ’ ପତ୍ରିକାର ସମ୍ପାଦକ ଭାବରେ ତାଙ୍କର କାର୍ଯ୍ୟଶୈଳୀକୁ ଲକ୍ଷ୍ୟ କରି ଶିଖିଚି। ଏହା ବି ବେଶ୍ ଲକ୍ଷ୍ୟ କରିବା କଥା ଯେ, ଗଳ୍ପ ପତ୍ରିକାର ନାମ ଟା ହିଁ ଅନନ୍ୟ : ‘ବିଭୂତି ପଟ୍ଟନାୟକ ସଂପାଦିତ ଗଳ୍ପ’। ‘ପ୍ରତିବେଶୀ’, ‘ନବଲିପି’ ଓ ‘ପାକ୍ଷିକ ପ୍ରଜାପତି’ର ସମ୍ପାଦନା ସହିତ ସଂପୃକ୍ତ ଥାଇ ମଧ୍ୟ ଅନେକ କିଛି ମୋତେ ଶିଖିବାକୁ ମିଳିଛି।
ସାହିତ୍ୟ ଚର୍ଚ୍ଚା: ଇଂରାଜୀ ସାହିତ୍ୟର ଜଣେ ଛାତ୍ର ଭାବରେ ଆପଣ ଆହରଣ କରିଥିବା ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱର କିଛି ପ୍ରଭାବ ମଧ୍ୟ ପଡିଛି କି ଆପଣଙ୍କ ରଚନାରେ?
ଶ୍ୟାମା ପ୍ରସାଦ ଚୌଧୁରୀ: ଆପଣ ବି ତ ଇଂରାଜୀ ସାହିତ୍ୟର ଛାତ୍ର, ତେଣୁ ଜାଣିପାରୁଥିବେ; ଏବଂ ସେଇ କଥା ମୁଁ ସ୍ପଷ୍ଟ ଭାବରେ କହିଦେବା ଭଲ ହେବ ଯେ, ଥିଓରି ଆସେ ରଚନା ପରେ। କେହି ଥିଓରି ପଢି ତାହା ସହିତ ହୁଏତ ସମ୍ମତ ବା ଅସମ୍ମତ ହୋଇପାରେ; କିନ୍ତୁ ସେହି ଅନୁସାରେ ସେ ସୃଜନାତ୍ମକ ଲେଖାଟିଏ ‘ଗଢ଼ିବ’ ନାହିଁ। ସର୍ଜନାତ୍ମକ ପ୍ରକ୍ରିୟାରେ ଏ’ ପ୍ରକାରର ଆତ୍ମ-ପ୍ରବଂଚନା ନିଜ ଜାଣତରେ ରହୁନଥିବ ବୋଲି, — ଗୋଟେ ମୂର୍ଖଙ୍କ ପରି ହେଉ ପଛେ –ମୁଁ ବିଶ୍ୱାସ କରେ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ନେଇ ଆପଣ ଆଶାବାନ୍ କି?
ଶ୍ୟାମା ପ୍ରସାଦ ଚୌଧୁରୀ: ଓଡ଼ିଆ ମଣିଷର ଭାବିବା, ତା’ର କହିବା, ନିଜକୁ ଅଥବା ଅନ୍ୟକୁ ବୁଝିବା ଏବଂ ବୁଝେଇବାକୁ ଇଛାକରିବା କଥା କେବେ ବନ୍ଦ ହେଇଯିବ ଅବା ସରିଯିବ? ଏ’ ଭୟ ନା କେବେ ଆସିଛି ମୋର, ନା କେବେ ଆସିବ, ଆଉ ଯେତେଦିନ ଜୀଇଁବି, ସେଯାଏଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ମାର୍ଚ୍ଚ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

2 thoughts on “କଥାକାର ଶ୍ୟାମା ପ୍ରସାଦ ଚୌଧୁରୀଙ୍କ ସହ କିଛି ଅନ୍ତରଙ୍ଗ ଆଳାପ

  1. ଆତ୍ମ-ପ୍ରସାରିତ ହେବାକୁ ବ୍ୟାକୁଳ ନୁହଁନ୍ତି ଲେଖକ- ଯେଉଁଥି ପାଇଁକି ଲେଖକ ଲେଖିଚାଲିଛନ୍ତି।

Leave a Reply

Your email address will not be published. Required fields are marked *