ସମ୍ବର୍ଦ୍ଧିତ ହେବାକୁ ଦରଖାସ୍ତ

ସୁଶୋଭିତ ଏକ ମଞ୍ଚ ଉପରେ ନିଜର ବକ୍ଷସ୍ଥଳରେ ଫୁଲମାଳଟିଏ ଧାରଣ ପୂର୍ବକ ସମ୍ବର୍ଦ୍ଧିତ ହେବାପାଇଁ ଆଶା ବାନ୍ଧି ବସିଥିବା ଆମର ଏହି ପରମ-ପାବନ ଭାରତବର୍ଷର ପୂର୍ବ ଭୂଖଣ୍ଡ ସ୍ଥିତ ଉତ୍କଳ ପ୍ରଦେଶର ସାରସ୍ୱତ ପୁରୁଷମାନେ ସରକାର ବାହାଦୁରଙ୍କ ସାହିତ୍ୟ ଦରବାରରେ ଯୋଡହସ୍ତ ହୋଇ ସ୍ୱହସ୍ତ ଲିଖିତ ଦରଖାସ୍ତମାନ ଧରି କାଳେ ନେହୁରା ହେବେ, “ମହାଭାଗ! ଏ ଅକିଞ୍ଚନକୁ ଦୟାପୂର୍ବକ ସମ୍ବର୍ଦ୍ଧିତ କରିବା ହୁଅନ୍ତୁ। ସର୍ବସମକ୍ଷରେ ଆପଣଙ୍କ ଶ୍ରୀହସ୍ତରୁ ପୁଷ୍ପମାଲ୍ୟଟିଏ ଆଜ୍ଞା ହେଲେ ନିଜ ମସ୍ତକ ନୁଆଁଇ ତାହାକୁ ସ୍ୱକୀୟ ଗଳାରେ ଧାରଣ କରିବାପାଇଁ ଆମ୍ଭେ ପ୍ରସ୍ତୁତ, ଆଜ୍ଞା।” ଏହା ଶୁଣିବାକୁ ହୁଏତ ଅଡ଼ୁଆ ଲାଗୁଥାଇପାରେ। କିନ୍ତୁ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଆମ ରାଜ୍ୟର ସାହିତ୍ୟ ଏକାଡେମୀ।
ଏଠାରେ ସୂଚାଇ ଦିଆଯାଇପାରେ ଯେ କିଛିଦିନ ପୂର୍ବେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଖବରକାଗଜମାନଙ୍କରେ ପ୍ରକାଶିତ ଏକ ବିଜ୍ଞାପନରେ ରାଜ୍ୟର ସାରସ୍ୱତ ସାଧକ ଓ ସାଧିକାମାନଙ୍କଠାରୁ ସେମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରିବାପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନପତ୍ରମାନ ‘ଆହ୍ୱାନ’ କରାଯାଇଛି। ପାଠକସମାଜକୁ ସାରସ୍ୱତ ପ୍ରଜ୍ଞାରେ ଉଦ୍‌ବୁଦ୍ଧ କରିବାର ସାଧନାରେ ବ୍ରତୀ ଗୋଟିଏ ରାଜ୍ୟର ଲେଖକକୁଳ ପାଇଁ ଏହାଠାରୁ ବଳି ଅପମାନଜନକ ଆଉ କିଛି ଥାଇପାରେ କି? ଅବଶ୍ୟ ଆଶ୍ୱାସନାର କଥା, ଯେ ସ୍ୱୟଂ ଲେଖକଙ୍କ ବ୍ୟତୀତ ତା’ଙ୍କ ତରଫରୁ ଅନ୍ୟ କେହି ମଧ୍ୟ ଏଭଳି ଏକ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତାବ ରଖିପାରିବେ ବୋଲି ଏକ ବିକଳ୍ପ ବ୍ୟବସ୍ଥା ବିଜ୍ଞାପନଟିରେ ମଧ୍ୟ ରଖାଯାଇଛି। କେବଳ ଏହି ଗୋଟିଏ କଥା ଉଲ୍ଲେଖ ଥିଲେ ଆମର କିଛି କହିବାର ନଥିଲା। କାରଣ କୌଣସି ଗୁଣମୁଗ୍ଧ ପାଠକ ବା ପ୍ରଶଂସକଙ୍କ ଦ୍ୱାରା ନିଜର ପ୍ରିୟ ଲେଖକଙ୍କର ସମ୍ବର୍ଦ୍ଧନା ହେତୁ ପ୍ରସ୍ତାବ ଦିଆଯିବା ଏକ ସ୍ୱାଭାବିକ ଧାରା। କିନ୍ତୁ ଆମ ରାଜ୍ୟର ସାହିତ୍ୟିକମାନେ ନିଜେ ନିଜର ସମ୍ବର୍ଦ୍ଧନା ପାଇଁ ଦରଖାସ୍ତ ଦିଅନ୍ତୁ ବୋଲି ଏକାଡେମୀ ପକ୍ଷରୁ ଦିଆଯାଇଥିବା ଉଦ୍ଭଟ ଆହ୍ୱାନ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ଅବଶ୍ୟ ଆମ ସାହିତ୍ୟ ଜଗତର ରଥୀମାନେ ଯେ ଏହିଭଳି ସ୍ୱୀକୃତି, ସମ୍ବର୍ଦ୍ଧନା ବା ପୁରସ୍କାର ପାଇଁ ଅଭିଳାଷୀ ଏକଥା ଅସ୍ୱୀକାର କରିହେବ ନାହିଁ। ଏପରିକି କେତେକେ ନିଜର ଏହି ମନୋକାମନା ଚରିତାର୍ଥ କରିବାପାଇଁ ବିଭିନ୍ନ କଳ-ବଳ-କୌଶଳ ପ୍ରୟୋଗ କରିବାକୁ ପଛାଇନଥା’ନ୍ତି। କିନ୍ତୁ ଏସବୁ ଘଟିଥାଏ ସୌଜନ୍ୟର ସୀମାରେଖା ଭିତରେ, ଲୋକଲୋଚନର ଆଢୁଆଳରେ। ଏପରିକି ସାହିତ୍ୟ ଏକାଡେମୀର ‘ପୁରସ୍କାର’ ନିମନ୍ତେ ସ୍ୱୟଂ ଲେଖକମାନଙ୍କଠାରୁ ଆବେଦନ ବା ପ୍ରସ୍ତାବ ଆହ୍ୱାନ କରାଯିବାର ପ୍ରଥା ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ପୂର୍ବରୁ ଲାଗୁ ହୋଇସାରିଛି ଏବଂ ଏବେ ଏହା ଗ୍ରହଣୀୟ ବି ହୋଇସାରିଲାଣି। କିନ୍ତୁ ଓଡ଼ିଶାର ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ଏଥିରୁ ପାଦେ ଆଗକୁ ଯାଇ କେବଳ ପୁରସ୍କାର ନୁହେଁ, ବରଂ ‘ସମ୍ବର୍ଦ୍ଧନା’ ପାଇଁ ମଧ୍ୟ ସ୍ୱୟଂ ଲେଖକମାନଙ୍କଠାରୁ ଏବର୍ଷ ଦରଖାସ୍ତମାନ ଆହ୍ୱାନ କରିଛନ୍ତି।
ଅନ୍ୟ ଭାଷାରେ କହିଲେ, କେତେକ ଓଡ଼ିଆ ଲେଖକ ଓ ଲେଖିକା ମଞ୍ଚ ଉପରେ ଫୁଲମାଳ ପିନ୍ଧି ସମ୍ବର୍ଦ୍ଧିତ ହେବାପାଇଁ ଯେ ପ୍ରବଳ ଲାଳସୀ ଓ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ନିଜେ ଦରଖାସ୍ତ କରିବାକୁ ବି ପ୍ରସ୍ତୁତ, ଏହି ବିଡମ୍ବନାଟିକୁ ଏକାଡେମୀ କର୍ତ୍ତୃପକ୍ଷ ଖୋଲାଖୋଲି ଭାବରେ ସ୍ୱୀକୃତି ଦେଇଛନ୍ତି ନିଜର ଏହି ବିଜ୍ଞପ୍ତି ଜରିଆରେ। ଏହା ଯେ ଆମ ସାହିତ୍ୟ ଜଗତ ପାଇଁ ଏକ ଲଜ୍ଜାଜନକ ନଜିର ସୃଷ୍ଟି କରିଛି, ଏଥିରେ ସନ୍ଦେହ ନାହିଁ। ଏହା ମଧ୍ୟ ସୂଚାଇ ଦିଏ ଯେ ଆମ ରାଜ୍ୟର ସମ୍ବର୍ଦ୍ଧନା-ଯୋଗ୍ୟ ସାହିତ୍ୟିକମାନଙ୍କୁ ସ୍ୱତଃ ଚିହ୍ନଟ କରିବାପାଇଁ ଏକାଡେମୀ ନିଜର କ୍ଷମତା ଓ ଆତ୍ମବିଶ୍ୱାସ ହରାଇବସିଛି। ଏହା ଖୁବ୍ ପରିତାପର ବିଷୟ।

ନିହାର ଶତପଥୀ

2 thoughts on “ସମ୍ବର୍ଦ୍ଧିତ ହେବାକୁ ଦରଖାସ୍ତ

  1. ଏହା କିଛି ନୂଆ କଥା ନୁହେଁ, ଏଭଳି ପ୍ରକ୍ରିୟା ବହୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଆରମ୍ଭ କରିସାରିଛନ୍ତି୤ ମୋ ଜାଣିବାରେ କିଛି ବର୍ଷ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ମାଧ୍ୟମରେ ବା / ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କର ଧରାଧରି ବା ଲବି କରି ସଫଳ ହେବା ବ୍ୟବସ୍ଥା ଜାରି ରହିଛି୤ ଏହାକୁ ଦୃଷ୍ଟିରେ ରଖି ବୋଧହୁଏ ସାହିତ୍ୟ ଏକାଡେମୀ ସମ୍ଭାଳୁଥିବା ମହାମାନ୍ୟମାନେ ଏହିଭଳି ଚମତ୍କାର ପ୍ରସ୍ତାବ ମାଧ୍ୟମରେ ସମ୍ବର୍ଦ୍ଧନା ନିମନ୍ତେ ଦରଖାସ୍ତା ଆହ୍ବାନ କରିଥିବେ ବୋଲି ମୁଁ ଭାବୁଛି୤ ଯେଉଁ ରାଜ୍ୟ ସାରାଦେଶର ପ୍ରଥମ ଭାଷାଭିଭିକ ରାଜ୍ୟ, ସେହି ରାଜ୍ୟର ପ୍ରମୁଖ ଭାଷା ଅନେକ ବର୍ଷ ପୂର୍ବେ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ପାଇଛି, କିନ୍ତୁ ସେହି ରାଜ୍ୟର ଲୋକପ୍ରିୟ ଏବଂ ବୋଧହୁଏ ବିଶ୍ବପ୍ରିୟ ମୁଖିଆ ରାଜ୍ୟର ପ୍ରମୁଖ ଭାଷା ଲେଖିବା, ପଢ଼ିବା ଓ କହିବା ଏବେ ମଧ୍ୟ ଚର୍ଚ୍ଚାରେ , ସେ ରାଜ୍ୟକୁ ଯେତେବେଳେ ଭଗବାନ ଭରଷା, ସେତେବେଳେ ସାହିତ୍ୟ ଏକାଡେମୀ ଭଳି ସଂସ୍ଥା ବା କିପରି ଚାଲିବ ବା ଚାଲୁଥିବ ବୋଲି ଆମେ ଭାବିବା? ସବୁ କିଛି ଜଗନ୍ନାଥଙ୍କ ହାତରେ ଛାଡ଼ି ଶ୍ରୀଚୈତନ୍ୟଙ୍କ ପରି କୀର୍ତ୍ତନ କରିବା ଭଲ୤

Leave a Reply

Your email address will not be published. Required fields are marked *