ଶେଷ ପ୍ରଶ୍ନ

ଏଇ ବର୍ଷଟା ସିନା ତିନିଶହ ଛଷଠି ଦିନ ବୋଲି ତମ ଘରେ ଅଧା ଦିନ ତାଙ୍କ ଘରେ ଅଧାଦିନ ରହିଯିବି , ଆର ବର୍ଷକୁ ତ ତିନିଶହ ପଞ୍ଚଷଠି ଦିନ ହେବ !

ସରୋଜିନୀ ମିଶ୍ର

ଜୁଲାଇ ଏକ ତାରିଖ। ସମୟ ସନ୍ଧ୍ୟା। ରାମୁଲୁ ହାଟରୁ ପରିବା ନେଇ ଘରକୁ ଫେରୁ ଥାଏ। ହଠାତ ରମାଦେବୀଙ୍କ ଉପରେ ନଜର ପଡିଲା। ‘ଆରେ, ଏ କ’ଣ? ମାଆ କଣ ପାହାଚଟା ଉପରେ ଏମିତି ଶୋଇଛନ୍ତି? ଏଗାରଟା ବେଳକୁ ତ ମୋ ଅଟୋରୁ ଏଇ ଗେଟ ପାଖରେ ଓହ୍ଲେଇ ଥିଲେ। କଣ ଆଉ ହେଲା? ଦେହ ଭଲ ନାହିଁ ନା କଣ?’
ଗେଟ ଖୋଲି ଭିତରକୁ ପଶିଲା ରାମୁଲୁ। ରମା ଦେବୀଙ୍କ ପାଖକୁ ଯାଇ ଡାକିଲା, “ମାଆ, ମାଆ।” କୌଣସି ଉତ୍ତର ପାଇଲା ନାହିଁ। ଦେହକୁ ଟିକେ ହଲାଇଦେଲା। ନା, ତଥାପି କୌଣସି ଉତ୍ତର ନାହିଁ। ଏ କ’ଣ? ମାଆ ବୋଧେ ବେହୋସ ହୋଇ ଯାଇଛନ୍ତି। ପରିବା ବ୍ୟାଗଟି ସେଠି ଥୋଇଦେଇ ଦୌଡ଼ିଗଲା ପିଣ୍ଟୁ ଘରକୁ। “ପିଣ୍ଟୁବାବୁ, ପିଣ୍ଟୁବାବୁ, ପାଣି ଢାଲଟେ ଦେଲ। ମାଆ ବେହୋସ ହୋଇ ଯାଇଛନ୍ତି। ତମ ମାଆଙ୍କୁ ମଧ୍ୟ ଟିକେ ଡାକିଦେବ ତ,” ଧଇଁସଇଁ ହୋଇ ବାହାରେ ଖେଳୁଥିବା ପିଣ୍ଟୁକୁ କହିଲା ରାମୁଲୁ।
ଦଶ ବର୍ଷର ପୁଅ ପିଣ୍ଟୁ। ରାମୁଲୁ ଅଟୋରେ ସବୁଦିନ ସ୍କୁଲକୁ ଯାଏ। ରାମୁଲୁର କଥା ଶୁଣି ଘର ଭିତରକୁ ଦୌଡ଼ିଗଲା। ମାଆଙ୍କୁ ଯାଇ କହିଲା – “ମମି, ମମି, ଅଟୋ ଅଙ୍କଲ ପାଣି ଢାଲଟେ ମାଗୁଛନ୍ତି, ଆଉ ତମକୁ ବି ଡାକୁଛନ୍ତି।” “କାହିଁକି ! କଣ ହେଲାକି?” ପଚାରି ପଚାରି ପାଣି ଢାଳଟେ ଧରି ବାହାରକୁ ଆସିଲେ ରଶ୍ମିଦେବୀ। ରାମୁଲୁକୁ ଦେଖି ପଚାରିଲେ – “କଣହେଲା ରାମୁଲୁ? ଏତେ ବ୍ୟସ୍ତ କ’ଣ?” ସେ କହିଲା, “ମାଆ, ମୋ ସାଙ୍ଗରେ ଟିକେ ଆସ। ସେ ଘରର ମାଆ ବେହୋସ ହେଇଯାଇଛନ୍ତି। ଘରେ କିଏ ନାହାନ୍ତି। ତାଲା ପଡିଛି।”
ରାମୁଲୁ ଓ ରଶ୍ମିଦେବୀ ପାଣି ଢାଳଟେ ଧରି ଦୌଡ଼ିଲା ପରି ଯାଇ ରମାଦେବୀଙ୍କ ପାଖରେ ପହଞ୍ଚିଲେ। ମୁହଁରେ ପାଣି ମାରିଲେ। ନା, କିଛି ଲାଭ ହେଲାନି। ଏମିତି ପରିସ୍ଥିତିରେ କ’ଣ କରିବେ କିଛି ବୁଝି ପାରିଲେନି।


ବାରମ୍ବାର ପାଣି ଛିଞ୍ଚିବା ପରେ ମଧ୍ୟ ଚେତା ନ ଫେରିବାରୁ ଉଭୟେ ଠିକ କଲେ ତାଙ୍କୁ ନେଇ ଡାକ୍ତରଖାନା ଯିବେ। ରାମୁଲୁ ଘରକୁ ଫୋନ କରି ସାନଭାଇ ସୋମୁକୁ ଅଟୋ ନେଇ ଆସିବା ପାଇଁ କହିଲା। କିଛି ସମୟ ପରେ ସୋମୁ ଅଟୋ ନେଇ ପହଞ୍ଚି ଗଲା। ରାମୁଲୁ, ସୋମୁ, ଏବଂ ରଶ୍ମିଦେବୀ ମିଶି ରମାଦେବୀଙ୍କୁ ଟେକାଟେକି କରି ଅଟୋରେ ବସାଇଦେଲେ। ପ୍ରାୟ ତିରିଶ ମିନଟ ପରେ ଅଟୋ ଯାଇ ଡାକ୍ତରଖାନାରେ ପହଞ୍ଚିଗଲା। ଏ ଭିତରେ ରଶ୍ମିଦେବୀ ରମାଦେବୀଙ୍କ ବୋହୂକୁ ଖବର ଦେଇଦେଇଥାନ୍ତି।
ତା ପରଦିନ ସକାଳ ପ୍ରାୟ ନଅଟା ବେଳକୁ ରମାଦେବୀଙ୍କ ଦୁଇ ପୁଅ, ଦୁଇ ବୋହୁ, ନାତି, ନାତୁଣୀ ସମସ୍ତେ ଆସି ଡାକ୍ତରଖାନାରେ ପହଞ୍ଚିଲେ। ସେତେବେଳ ପର୍ଯ୍ୟନ୍ତ ରମାଦେବୀଙ୍କ ଚେତା ଫେରି ନ ଥାଏ। ପ୍ରାୟ ଏଗାରଟା ବେଳକୁ ଚେତା ଫେରିଲା। ରମାଦେବୀ ଧୀରେ ଧୀରେ ଆଖି ଖୋଲି ଦେଖିଲେ ଦୁଇ ବୋହୁ ଗୋଡ଼ତଳେ ବସି ଯୁକ୍ତିତର୍କ କରୁଛନ୍ତି। ସେ କିଛି ବୁଝି ପାରିଲେନି। ପୁଣି ଆଖି ବନ୍ଦ କରି ଦେଇ ଚୁପଚାପ ଶୁଣିବାକୁ ଲାଗିଲେ। ବଡ ବୋହୁ ସାନ ବୋହୂକୁ କହୁଥାଏ – “ମାଆ ଅଧଦିନ ଆମ ଘରେ ଅଧା ଦିନ ତମ ଘରେ ରହିବେ ବୋଲି ଠିକ ହେଇଥିଲା। ତେଣୁ ଜୁଲାଇ ଏକ ରେ ମାଆଙ୍କୁ ଅଟୋରେ ବସାଇ ତମ ଘରର ଠିକଣା ଦେଇ ପଠାଇ ଦେଲି। ତୁ କେମିତି ଚାବି ପକେଇ ଦେଇ ଭୋଜି ଖାଇବାକୁ ପଳେଇଲୁ?” ସାନ ବୋହୁ କହିଲା – “ମୁଁ କେମିତି ଜାଣିବି ତମେ କାଲି ପଠେଇ ଦେବ ବୋଲି? ଏ ବର୍ଷ ଫେବୃଆରୀ ମାସଟା ଅଣତିରିଶି ଦିନ। ସେ ହିସାବରେ ବର୍ଷଟା ତିନିଶହ ଛଷଠି ଦିନ। ଅଧା ଅଧା ହେଲେ ଜଣକୁ ଶହେ ତେୟାଅଶି ଦିନ ପଡୁଛି। ସେ ହିସାବରେ ଜୁଲାଇ ଦୁଇ ତାରିଖଠୁ ମୋର ପାଳି ଆରମ୍ଭ ହେଵା କଥା। ସେଥିପାଇଁ ମୁଁ ଭୋଜି ଖାଇବାକୁ ପଳେଇଲି।”

“ତୁ ଏମିତି ହିସାବ କରିବୁ ବୋଲି ମୁଁ କ’ଣ ଜାଣିଥିଲି? ମୁଁ ଭାବିଲି ଜାନୁଆରୀରୁ ଜୁନ ଯାଏଁ ମୋର ଜୁଲାଇ ଠାରୁ ଡିସେମ୍ବର ଯାଏଁ ତୋର। ସେଥିପାଇଁ ମୁଁ ଜୁଲାଇ ଏକ ରେ ତମ ଘରକୁ ପଠେଇ ଦେଲି। ତତେ ଫୋନ ଲଗେଇ ଥିଲି, ତୁ ଉଠେଇଲୁନି। ମୋର ଟିକେ କଟକ ଯିବାର ଥିଲା, ପଳେଇଲି।” ସାନ ବୋହୁ ଚୁପ ରହିଲା। ମନେମନେ ଭାବିଲା – ‘ମୁଁ କାହିଁକି ଗୋଟେ ଦିନ ଅଧିକ ରଖିବି? ସେଥିପାଇଁ ଜାଣିକରି ଫୋନ ଉଠେଇଲିନି।’
ଠିକ ସେତିକିବେଳେ ଦୁଇ ଭାଇ ଭିତରକୁ ଆସିଲେ। ବଡ ଭାଇ ହାତରେ କାଗଜଟିଏ ଧରିଥାଏ। ସାନ ଭାଇକୁ କହିଲା – “ମୁଁ ଭାବୁଛି ଗାଁ ଘରଟା ବିକିଦେବା। ଚାଳ ଘର ତ, ତିନି ଲକ୍ଷ ହେଲେବି ଦେଇଦେବା। ଲକ୍ଷେ ବୋଉ ନାଁରେ ବାନ୍ଧି ଦେବା। ଆଉ ଦି ଲକ୍ଷ ତୋର ଲକ୍ଷେ ମୋର ଲକ୍ଷେ। ବୋଉର ଟଙ୍କାଟା ବ୍ୟାଙ୍କରେ ବାନ୍ଧିଦେଲେ ଯାହା କଳନ୍ତର ଆସିବ ସିଏ ଯା ପାଖରେ ରହିବ ସିଏ ନେବ। ତା ନାଁ ରେ ଯେଉଁ ଟଙ୍କାଟା ଥିବ ସେଇଟା ତା’ ସୁଧି ଘରେ ଲଗେଇ ଦେବା। ନ ହେଲେ କେମିତି କରିବା ଯେ? ତା ଦେହ ଖରାପର ଟଙ୍କା କିଏ ଦେବ? ତୁ କ’ଣ କହୁଚୁ? ତୋର ମତ କ’ଣ?” ସାନ ଭାଇ ଖୁବ ଖୁସିରେ କହିଲା – “ହଁ ଭାଇନା, ବଢିଆ ହେବ।” ବଡଭାଇ ହାତରେ ଧରିଥିବା କାଗଜଟିକୁ ସାନଭାଇ ହାତକୁ ବଢ଼େଇ ଦେଇ କହିଲା – “ଏଥିରେ ମୁଁ ସନ୍ତକ କରିଦେଇଛି, ତୁ କରିଦେ, ବୋଉର ଚେତା ଆସିଲେ କରିଦେବା।”
ରମାଦେବୀ ସବୁ ଶୁଣୁଥାନ୍ତି। ମନେ ମନେ ଭାବିଲେ, ‘ଏବେ ମୁଁ ବଞ୍ଚିଥିବା ବେଳେତ ଭଲଭାବେ ଖାଇବାକୁ ଗଣ୍ଡେ ପାଉନି। ସମସ୍ତେ ବlଦବୁଦିଅl ହେଉଛନ୍ତି। ହାତ ଖର୍ଚ୍ଚକୁ ଶହେ ଟଙ୍କା ବି ଦେଉ ନାହାନ୍ତି। ଶାଢ଼ୀ ଖଣ୍ଡେ କିଣିଦେଉନାହାନ୍ତି ଯେ ପୁରୁଣା ଶାଢୀରେ କାମ ଚଳଉଚି। ବଞ୍ଚି ଥିଲାବେଳେ ଭାତ ଗଣ୍ଡେ ଭଲଭାବେ ଦେବେନି, ଶାଢ଼ୀ ଖଣ୍ଡେ କିଣିଦେବେନି। ମଲାପରେ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ମୁଁ ପାଇଲି କଣ? ତା ଛଡ଼ା ଯଦି ଗାଁ ଘର ବିକ୍ରି କରି ଦିଅନ୍ତି, ମୁଁ ଏମାନଙ୍କର ପାଖରେ କ’ଣ ସବୁବେଳେ ରହି ପାରିବି? ମତେ ତ ଏଠି ରହିବାକୁ ଜମା ଭଲ ଲାଗୁନି। ଖାଲି ପୁଅ ଘର ବୋଲି ରହିବା କଥା। କାହା ପାଖରେ ହେଲେ ସମୟ ଟିକେ ନାଇଁ ମୋ ସାଙ୍ଗରେ କଥା ପଦେ ହେବାକୁ। ଏକା ଏକା ଏମିତି କେମିତି ରହିବି? ଯଦି ଏମାନଙ୍କ ପାଖରେ ନ ରହି ଗାଁ କୁ ଚାଲିଯାଏ ତାହେଲେ ସେଠି ରହିବି କେମିତି? ଖାଇବି କ’ଣ? ଦେହ, ପା ଭଲ ମନ୍ଦ ବି ଅଛି। ଏଠି ରହିଲେ ଅପମାନ ପାଇ ଜିଇଁ ଥାଉ ଥାଉ ମରିବି। ସେଠିକି ଗଲେ ଭୋକ ଉପାସରେ ମରିବି। କାହାକୁ କହିବି? ପୁଅମାନେ ତ ଅବୁଝା। ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି। ହେ ଭଗବାନ ! କଣ କରିବି, କିଛି ବୁଦ୍ଧି ଦିଶୁନି। ମତେ ବୁଦ୍ଧିଦିଅ ପ୍ରଭୂ। ଆଉ ସହି ହେଉନି।’
କିଛି ସମୟ ପରେ ଧୀରେ ଧୀରେ ଆଖି ଖୋଲିଲେ ରମାଦେବୀ। ରମା ଦେବୀଙ୍କୁ ଆଖି ଖୋଲିବାର ଦେଖି ‘ବୋଉର ଚେତା ଆସିଲା, ବୋଉର ଚେତା ଆସିଲା’ କହି ଦୁଇ ପୁଅ ତା’ଙ୍କ ପାଖକୁ ଦୌଡ଼ି ଆସିଲେ। ବଡପୁଅ ହାତରେ ଧରିଥିବା କାଗଜଟି ରମାଦେବୀଙ୍କ ଆଡକୁ ବଢ଼େଇ ଦେଇ କହିଲା – ‘ବୋଉ, ଏଇଟାରେ ଟିକେ ସନ୍ତକ ଗୋଟେ କରିଦେଲୁ। ଆମ ଭାବୁଛୁ ଗାଁ ଘରଟା ବିକ୍ରି କରିଦେବା ଯେ ତୋର ଔଷଧ ପତ୍ର ଏବଂ ରହିବା ଖର୍ଚ୍ଚ ପାଇଁ କିଛି ଅସୁବିଧା ହେବନି। ନେ, ଏଇ ଜାଗାରେ ସନ୍ତକ ଟିଏ କରିଦେ।’
ରମାଦେବୀ କିଛିସମୟ ଚୁପ ରହିବା ପରେ ଦୀର୍ଘ ଶ୍ୱାସ ଟିଏ ନେଇ ପଚାରିଲେ – “ଏଇ ବର୍ଷଟା ସିନା ତିନିଶହ ଛଷଠି ଦିନ ବୋଲି ତମ ଘରେ ଅଧା ଦିନ ତାଙ୍କ ଘରେ ଅଧାଦିନ ରହିଯିବି, ଆର ବର୍ଷକୁ ତ ତିନିଶହ ପଞ୍ଚଷଠି ଦିନ ହେବ। ସମାନ ଭାଗ ହେବନି। ଗୋଟେଦିନ ବଳିଯିବ। ସେହି ଦିନଟା କୋଉଠି ରହିବି?” ପ୍ରଶ୍ନଟି ପଚାରି ଦେଇ ସେ ଚିରନିଦ୍ରାରେ ଶୋଇ ଯାଇଥିଲେ।

2 thoughts on “ଶେଷ ପ୍ରଶ୍ନ

  1. ଅତି ଚମତ୍କାର ଗପ ଟି।ଅତ୍ୟନ୍ତ ହୃଦୟସ୍ପର୍ଶୀ। ଧନ୍ୟବାଦ

  2. ଅତ୍ୟନ୍ତ ସଚେତନା ମୁଳକ ଗଳ୍ପ।ସମାଜରେ ଘଟୁଥିବା ନିତି ଦିନିଆ ଘଟଣାର ଏକ ନିଛକ ପ୍ରତିଛବି।

Leave a Reply

Your email address will not be published. Required fields are marked *