ଗୀତିକାର ଦେବଦାସ ଛୋଟରାୟଙ୍କ ସହ ଏକ ସାରସ୍ୱତ ଆଳାପ

ମୋ ବାପା ତା’ଙ୍କ ଜୀବନର ପୁନରାବୃତ୍ତି ମୋ ଜୀବନରେ ଚାହୁଁନଥିଲେ । କାହିଁକି ନା , ସେ ଅନେକ ଅଭାବ, ଅସୁବିଧା, ଦୁଃଖ-କଷ୍ଟ ଭିତରେ ବଢିଥିଲେ ।

ନିଜ ଜୀବନର ସୁଦୀର୍ଘ ୭୬ଟି ବସନ୍ତ ଅତିକ୍ରମ କରିସାରିଥିବା ଶ୍ରୀ ଦେବଦାସ ଛୋଟରାୟ ଓଡ଼ିଆ ସାହିତ୍ୟ ଜଗତରେ ଏକାଧାରରେ ଜଣେ ଗୀତିକାର ଓ କାହାଣୀକାର ଭାବରେ ସୁପରିଚିତ। ଓଡ଼ିଆ ଗୀତିକବିତାକୁ ତା’ଙ୍କର ଅବଦାନ ସର୍ବାଦୌ ସ୍ୱୀକୃତ। ସେ ୨୦୧୬ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ସେ ପଶ୍ଚିମବଙ୍ଗ, ବିହାର, ଓଡିଶା ତଥା ନୂଆଦିଲ୍ଲୀରେ ବହୁ ବର୍ଷ କାଳ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଏତଦ୍‌ବ୍ୟତୀତ ସେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପଦ ମଧ୍ୟ ମଣ୍ଡନ କରିଥିଲେ। ତାଙ୍କର ସାରସ୍ୱତ ଜୀବନର ବିବିଧ ଦିଗ ସଂପର୍କରେ ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପିତା ସ୍ୱର୍ଗତ ଗୋପାଳ ଛୋଟରାୟଙ୍କ ଅନନ୍ୟ ସାରସ୍ୱତ ପ୍ରତିଭାର ପ୍ରଭାବ ଆପଣଙ୍କ କବି-ଜୀବନରେ କିଭଳି ଭାବରେ ପଡିଛି ବୋଲି ଆପଣ ଭାବନ୍ତି?
ଦେବଦାସ ଛୋଟରାୟ: ମୋ ବାପା ତା’ଙ୍କ ଜୀବନର ପୁନରାବୃତ୍ତି ମୋ ଜୀବନରେ ଚାହୁଁନଥିଲେ। କାହିଁକି ନା, ସେ ଅନେକ ଅଭାବ, ଅସୁବିଧା, ଦୁଃଖ-କଷ୍ଟ ଭିତରେ ବଢିଥିଲେ। ତା’ଙ୍କର ସମୟ କଟିଥିଲା ଡ୍ରାମା, ସିନେମା, ଥିଏଟର୍ସ ରେଡ଼ିଓ – ଏଇସବୁ ଜଗତରେ। ସେ ଚାହୁଁଥିଲେ ଯେ ମୁଁ କୌଣସିମତେ ମୋ’ର ପାଠପଢ଼ା ଠିକଣା ଭାବରେ ଶେଷ କରି ଗୋଟିଏ ନିର୍ଦ୍ଦିଷ୍ଟ ରକମର ଜୀବନ ଆଦରି ନିଏ, ଯାହା ବୃତ୍ତିହୀନ ହୋଇନଥିବ।
ସାହିତ୍ୟ ଚର୍ଚ୍ଚା: ତେବେ ସେ କ’ଣ ଚାହୁଁଥିଲେ ଯେ ଆପଣ ଏ କଳା-ସାହିତ୍ୟ-ସଂଗୀତର ଜଗତରୁ ଦୂରେଇ ରହନ୍ତୁ!
ଦେବଦାସ ଛୋଟରାୟ: ହଁ, ସେ ମୂଳରୁ ଚେଷ୍ଟା କରୁଥିଲେ ଯେ ମୁଁ ଯେମିତି ଏ ନାଚ, ଗୀତ, ସିନେମା, ଥିଏଟର ଜଗତକୁ ନ ଆସେ। ମୁଁ ଯଦିଓ ପ୍ରତ୍ୟକ୍ଷ ଭାବରେ ଆସିପାରିଲିନି, କିନ୍ତୁ ପ୍ରତ୍ୟେକ ପିଲା ପାଇଁ ତା’ ବାପା ହେଉଛନ୍ତି ହିରୋ। ସେ ହିସାବରେ ବାପାଙ୍କର ବ୍ୟକ୍ତିତ୍ୱର ଅନେକ ପ୍ରଭାବ ପଡିଥିଲା ମୋ ଉପରେ। ସେ କିନ୍ତୁ ଚାହିଁନଥିଲେ ମୁଁ ସେଇ ପରିଧି ଭିତରକୁ ଯାଏ ଯାହା ଭିତରେ ରହି ସେ ନିଜେ ଅନେକ କଷ୍ଟ ପାଇଛନ୍ତି।
ସାହିତ୍ୟ ଚର୍ଚ୍ଚା: ତଥାପି ବୋଧହୁଏ ତାଙ୍କର ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହେବା ଛଡା ଆପଣଙ୍କର ଗତ୍ୟନ୍ତର ନଥିଲା!
ଦେବଦାସ ଛୋଟରାୟ: ଏହାକୁ ମୋ’ର ଜୀବନ-ଦର୍ଶନ ବୋଲି କହିପାରନ୍ତି। ମୋତେ ଅନେକ ଲୋକ ପଚାରିଛନ୍ତି, “ଆପଣ ନାଟକ ଲେଖିଛନ୍ତି? ଆପଣଙ୍କ ବାପା ଯେ ଏତେ ନାଟକ ଲେଖିଛନ୍ତି!” ମୁଁ କହେ ଯେ ମୁଁ ନାଟକ ଯଦିଓ ଲେଖିନାହିଁ; କିନ୍ତୁ ମୋ ଦ୍ୱାରା ଯେଉଁ ଗୀତସବୁ ଲେଖାହୁଏ, ଅର୍ଥାତ ଯେଉଁ ପ୍ରକାର ଗୀତ ଲେଖିବା ପାଇଁ ଅକ୍ଷୟ ମହାନ୍ତି ମୋତେ ଶିଖାଇଥିଲେ ଏବଂ ମୋ ପାଖରୁ ଚାହୁଁଥିଲେ, ସେ ସବୁଥିରେ ଗୋଟିଏ ନାଟକୀୟତା ଅଛି, ଗୋଟିଏ ଗଳ୍ପ କହିବାର ପ୍ରବୃତ୍ତି ଅଛି। ସେ ଗୀତର ଶେଷ ଧାଡିରେ ସେମିତି ଗୋଟିଏ ପରିଣତି ଥାଏ ଯେମିତି ନାଟକରେ ଗୋଟିଏ ଉତ୍କଣ୍ଠା ଓ ପରିଣତି ଥାଏ। ମୁଁ ଭାବେ ଯେ, ଏହା ସମ୍ଭବିଥିଲା ବାପାଙ୍କ ସହ ମୋର ରକ୍ତଗତ ସମ୍ପର୍କର ହେତୁ ଓ ତାଙ୍କରି ଆଶୀର୍ବାଦରୁ।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସାହିତ୍ୟିକ ସୃଷ୍ଟିକୁ, ଅବଶ୍ୟ ଆପଣଙ୍କ ଗଳ୍ପ ସମ୍ଭାରକୁ ଛାଡ଼ି, ଆମେ ଦୁଇଭାଗରେ ବାଣ୍ଟିଥାଉ, କବିତା ଓ ଗୀତିକବିତା। ଏ ଦୁଇଟି ମଧ୍ୟରୁ କେଉଁଟିରେ ଆପଣ ନିଜକୁ ଅଧିକ ସହଜ ଓ ସାର୍ଥକ ମନେକରନ୍ତି?
ଦେବଦାସ ଛୋଟରାୟ: ମୁଁ ଏ ଦୁଇଟି ମଧ୍ୟରେ କୌଣସି ପ୍ରଭେଦ କେବେହେଲେ ଦେଖିନାହିଁ। କବିତା ଓ ଗୀତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଗୀତସବୁ ଲେଖି ବବ୍ ଡିଲାନ୍ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇଲେ। ସେ କେବଳ ଗୀତ ଲେଖୁଥିଲେ। କିନ୍ତୁ ସେଇ ଗୀତ ଲେଖିଲେଖି ଅକ୍ଷୟ ମହାନ୍ତି ଲୋକଙ୍କ ହୃଦୟରେ ତ ସ୍ଥାନ ପାଇଲେ, ଅବଶ୍ୟ କୌଣସି ସାହିତ୍ୟିକ ସମ୍ମାନ ପାଇଲେନାହିଁ। କାରଣ ଏଠାରେ ଯେଉଁ ସାହିତ୍ୟିକ ଏଷ୍ଟାବ୍ଲିସମେଣ୍ଟ ଅଛି, ସେମାନେ ଭାବନ୍ତି ଯେ ଗୀତଟା କିଛି ନୁହଁ। ବହୁତ ପରେ ପତ୍ରପତ୍ରିକାମାନଙ୍କରେ ଗୀତିକବିତା ବୋଲି ଗୋଟିଏ ବିଭାଗ ଯୋଡା ହେଲା। ଆରେ! କବିତା କ’ଣ? ଗୀତି କବିତା କ’ଣ??
ସାହିତ୍ୟ ଚର୍ଚ୍ଚା: ଆମେ ସାଧାରଣତଃ ଭାବୁ ଯେ ଯେଉଁ କବିତାକୁ ସ୍ୱରବଦ୍ଧ କରି ଗାୟନ କରିହେବ, ହୁଏତ ତାହା ଗୀତି କବିତା।
ଦେବଦାସ ଛୋଟରାୟ: କଥା ହେଉଛି, ଆମର ରାପ୍ ମ୍ୟୁଜିକ୍ ବୋଲି ଗୋଟିଏ ସଂଗୀତ-କଳା ଅଛି। ଅକ୍ଷୟ ମହାନ୍ତି ବହୁତ ଦିନ ତଳେ ରାପ୍ ମ୍ୟୁଜିକ୍ କରିଥିଲେ। ସେମିତି ମୋ’ର ବି ଗୋଟିଏ ଗୀତ ସେ ଗାଉଥିଲେ, “ଯିବାକୁ ହେବ/ ଅନେକ ଦୂର/ ଛାଡି ଏ ଘର/ ଏଇ ସହର/ ଏ ଲୋକବାକ/ ଯିବାକୁ ହେବ …।’ ଏଇଟା କ’ଣ କବିତା, ନା ଗୀତ? ପଢ଼ିଲେ କବିତା, ଉଚ୍ଚାରଣ କଲେ ଗୀତ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟରେ ଅଳକା ସାନ୍ୟାଲ୍ ଗୋଟିଏ ଚର୍ଚ୍ଚିତ ଚରିତ୍ର। ସେହିଭଳି ଆପଣଙ୍କ ରଚନାରେ ଯେଉଁ ‘ମଲ୍ଲିକା’ ନାମଧାରିଣୀ ଜଣକ ବାରମ୍ବାର ପ୍ରତିଭାତ ହୁଅନ୍ତି, ତା’ଙ୍କ ପଛର ରହସ୍ୟ କ’ଣ?
ଦେବଦାସ ଛୋଟରାୟ: ନିଜର ଭଲପାଇବା ପାଇଁ ଲୋକଟିଏ ଗୋଟିଏ ପ୍ରତିମା ଖୋଜେ। ସେ ପ୍ରତିମାଟି ଯେକୌଣସି ବାଟରେ ଆସିପାରେ। ଅଳକା ସାନ୍ୟାଲ୍ ର କଥା ସଚ୍ଚି ବାବୁ ଲେଖିଥିଲେ। ତା’ ପୂର୍ବରୁ ଜୀବନାନନ୍ଦ ଦାସ ‘ବନଲତା ସେନ୍‌’ ବୋଲି ଲେଖିଥିଲେ। କିନ୍ତୁ ନୀରା ବୋଲି ଗୋଟିଏ କାଳ୍ପନିକ ଝିଅକୁ ନେଇ ସୁନିଲ ଗଙ୍ଗୋପାଧ୍ୟାୟ ତା’ଙ୍କ ଜୀବନସାରା କବିତା ଲେଖିଥିଲେ। ମୁଁ ଭାବୁଛି ଯେ, ମୋ’ର ଅଜାଣତରେ ପ୍ରଭାବିତ ହୋଇଥିଲି ସୁନିଲ ଗଙ୍ଗୋପାଧ୍ୟାୟଙ୍କ ‘ନୀରା’ କବିତା ପଢି। ତାହାର ପରିଣାମରେ ମୁଁ ପ୍ରଥମେ ଲେଖିଲି ଏକ କବିତା ଯାହାର ଶୀର୍ଷକ ଥିଲା ‘ଦୁଇ ମିନିଟ୍ ର ମଲ୍ଲିକା’। ଏଭଳି ଭାବରେ ମଲ୍ଲିକା ଚରିତ୍ରଟି ସୃଷ୍ଟି ହେଲା।
ସାହିତ୍ୟ ଚର୍ଚ୍ଚା: ତେଣୁ କ’ଣ କୁହାଯାଇପାରେ ଯେ ମଲ୍ଲିକା ହେଉଛି ଆପଣଙ୍କର କାବ୍ୟ-ମାନସୀ!
ଦେବଦାସ ଛୋଟରାୟ: ନିଶ୍ଚୟ କୁହାଯାଇପାରେ। ମୋ’ର ‘ମଲ୍ଲିକା’ ବହିରେ ବି ମୁଁ ଲେଖିଛି ଯେ ତା’ର ଟେଲିଫୋନ୍ ନମ୍ବର ମୋ ପାଖରେ ନାହିଁ; କିନ୍ତୁ ମୋ ଟେଲିଫୋନ୍ ରେ ଯାହାବି ଖବର ଆସେ ସବୁ ମଲ୍ଲିକା ଜାଣିପାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ସଦ୍ୟ ପ୍ରକାଶିତ ରଚନା-ସମଗ୍ରର ନାମକରଣ କରିଛନ୍ତି, ‘ହଳଦିଆ ଉଡାଜାହାଜ’। ଏହି ହଳଦିଆ ରଙ୍ଗଟି ପ୍ରତି ଆପଣଙ୍କର ଏତେ ମୋହ ବା ଦୁର୍ବଳତା କାହିଁକି?
ଦେବଦାସ ଛୋଟରାୟ: ମୋ’ର ପ୍ରଥମ କବିତା-ବହି ବାହାରିଥିଲା, ‘ନୀଳ ସରସ୍ୱତୀ’; ତା’ପରେ ଗୋଟିଏ ଗପ-ବହି ବାହାରିଲା, ‘ଲାଲ୍ ମାଛ’। ମୋ’ ଭିତରେ ଗୋଟିଏ ଇଚ୍ଛା ଥିଲା ଯେ ତିନୋଟି ରଙ୍ଗକୁ ନେଇ ଗୋଟିଏ ‘କଲର୍ ଟ୍ରାଇଲୋଜି’ କରିବି। ତେଣୁ ନୀଳ ଓ ଲାଲ୍ ପରେ, ଏବେ ହଳଦିଆ ରଙ୍ଗକୁ ନେଇ ବହିଟିଏ କଲି। ଅବଶ୍ୟ ଏଥିପାଇଁ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଲାଗିଗଲା।

ସାହିତ୍ୟ ଚର୍ଚ୍ଚା: ବହିଟି ଆମେ ଦେଖିଛୁ। ଏଇଟି ଏକ ବିଚିତ୍ର ରକମର ସଂକଳନ। ଏଥିରେ ଅଛି ଆପଣଙ୍କ ନିଜର ସୃଷ୍ଟି, ଆପଣ ବାଛିଥିବା ଅନ୍ୟମାନଙ୍କର ସୃଷ୍ଟି, ଏବଂ ଆପଣଙ୍କ ସୃଷ୍ଟି ବିଷୟରେ ଅନ୍ୟମାନଙ୍କର ଅଭିମତ – ଏମିତି ଗୋଳିଆ ମିଶା ବହୁକିଛି। ପରିବେଷଣର ଏହି ଅନନ୍ୟତା ପାଇଁ ବହିଟି ପାଠକଙ୍କୁ ଆକୃଷ୍ଟ କରିବାର କ୍ଷମତା ରଖେ।
ଦେବଦାସ ଛୋଟରାୟ: ଯଦି ଆପଣଙ୍କୁ ଏହା ଭଲ ଲାଗିଲା, ତେବେ ତ ଜାଣିଲି ଯେ ମୋ’ ପ୍ରଚେଷ୍ଟା ସଫଳ ହେଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୀତ ହେଉ ବା କବିତା, ତାହା ପ୍ରେମ ଆଉ ରୋମାଂସ୍ ସହିତ କେଉଁ ନା କେଉଁ ବାଟେ ଜଡିତ। ଏମିତିକି ଆପଣଙ୍କୁ ଲକ୍ଷ୍ୟକରି କବି ଫନୀ ମହାନ୍ତିଙ୍କୁ ଥରେ ଲେଖିବାକୁ ପଡିଲା, “ସାରା ରାତି ଗୀତ ଲେଖ ପଛେ, ତୁମେ ଆଉ ପ୍ରେମ କରନା ଦେବଦାସ।” ସତରେ ପ୍ରେମ ବିନା କ’ଣ ଆପଣଙ୍କର ସର୍ଜନା ଅପୂର୍ଣ୍ଣ?
ଦେବଦାସ ଛୋଟରାୟ: ଥରେ ମନୋଜ ଦାସ ନିଜ ଗୋଟିଏ ଭାଷଣରେ କହିଥିଲେ ଯେ, ମୃତ୍ୟୁର ଅପର ପାର୍ଶ୍ୱ ହେଲା ପ୍ରେମ। ଯାହାକୁ ଆମେ ଜୀବନ କହୁ, ସେଇଟା ଯଦି ପ୍ରେମ ନ ହୋଇଥିବ ତାହେଲେ ସେଇଟା ମୃତ୍ୟୁର ବିପରୀତ ନୁହଁ। ଅତଏବ ଲେଖିଲାବେଳେ, ସେ ଗପ ହେଉ ଅବା କବିତା, ସେଥିରେ ପ୍ରେମ ହିଁ ସିଂହଭାଗ ନେଇଥାଏ। ଆରମ୍ଭରୁ ମୁଁ ଯାହା ଲେଖିଛି, ସେଥିରେ ଯଦି ସେଥିରେ ପ୍ରେମ ବେଶୀ ପରିସ୍ଫୁଟ ହେଉଛି ତେବେ ସେଇଟା ହିଁ ମୋ’ର ଲେଖିବାର ମୁଖ୍ୟ ଭାଗ। ଅନେକ ସମୟରେ ଲୋକେ ମୋତେ କହନ୍ତି ଯେ ଲେଖାଲେଖିରେ ମୁଁ ମୋର କୈଶୋରକୁ ଟପିପାରିନି।
ସାହିତ୍ୟ ଚର୍ଚ୍ଚା: ଏମିତି କାହିଁକି?
ଦେବଦାସ ଛୋଟରାୟ: କମ୍ ବୟସର ଚିନ୍ତାଧାରା ମୋତେ ଭଲ ଲାଗେ।
ସାହିତ୍ୟ ଚର୍ଚ୍ଚା: ଏହା ଆପଣଙ୍କ ଚିର କୈଶୋରର ସଂକେତ!
ଦେବଦାସ ଛୋଟରାୟ: ମୁଁ ଭାବୁଛି, ବୋଧହୁଏ ତାହା। ମୋ ମାନସିକତା ସେଇ କୈଶୋର ଭିତରେ ଅଟକିଯାଇଛି, କହିପାରନ୍ତି ଯେ ସେଇଟା ଅଛି ମୋ ଚରିତ୍ରରେ ବା ମୋ’ ଜିନ୍ସ ଭିତରେ ବି।
ସାହିତ୍ୟ ଚର୍ଚ୍ଚା: ମୌଳିକ କବିତା ବ୍ୟତୀତ,କିଛି ବିଦେଶୀ ଭାଷାର କବିତାକୁ ମଧ୍ୟ ଓଡ଼ିଆ ଭାଷାରେ ଅନୁବାଦ କରିବାରେ ଆପଣ ଦକ୍ଷତା ଦେଖାଇଛନ୍ତି। ମନକୁ ଆସେ, ଆପଣଙ୍କ ଅନୁବାଦିତ ସିଲ୍ଭାନିଆ ପ୍ଲାଥ୍ ଙ୍କ ଗୋଟିଏ ଧାଡ଼ି, ‘ମୁଁ ଆଖି ବନ୍ଦ କରେ/ ଆଉ ଚଟ୍ କରି ମରିଯାଏ ଏ ପୃଥିବୀ …।’ ସତରେ କ’ଣ ଏମିତି ଏକ ପଳାୟନବାଦ ଉଙ୍କିମାରେ ଆପଣଙ୍କ ଅବବୋଧରେ?
ଦେବଦାସ ଛୋଟରାୟ: ନା, ନା ଏଇଟା ପଳାୟନବାଦର ସଂକେତ ନୁହଁ, ବରଂ ସେଇ ଧାଡ଼ିଟି ଜଣେ ପାଗଳିନୀର ପ୍ରଳାପ ଉପରେ ପର୍ଯ୍ୟବେସିତ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଜୀବନ ସହ ତିନୋଟି କଥା ଅଙ୍ଗାଙ୍ଗୀ ଭାବରେ ଜଡିତ। ସେଗୁଡିକ ହେଲା, କଟକ, ଅକ୍ଷୟ ଓ ରେଭେନ୍ସା। ଏ ତିନୋଟି ବିନା ଆପଣ ଅପୂର୍ଣ୍ଣ ମନେହୁଅନ୍ତି। କାହିଁକି?
ଦେବଦାସ ଛୋଟରାୟ: ଆଉ ଗୋଟିଏ ବି ଅଛି, ସବୁରି ପଛରେ, ସବୁଠୁଁ ମହିମାମୟ; ସେଇଟା ହେଲା ମୋ ବୋଉ, ଯାହା ବିଷୟରେ ମୁଁ ବିଶେଷ ଲେଖିନାହିଁ। ସେଇଟା ମୋ’ର ଗୋଟିଏ ନିଭୃତ, ପାରିବାରିକ, ଗୋପନ ଅଂଶ। ମୋ ବୋଉଠାରୁ ମୁଁ ଭାଷା ଶିଖିଛି। ଅତଏବ ମୋ ଭାଷାର ଅଧିକାଂଶ ମୋ ବୋଉର ଭାଷା। ତା’ ସହିତ ମିଶିଛି କଟକ ସହରର ଭାଷା।
ସାହିତ୍ୟ ଚର୍ଚ୍ଚା: କଟକିଆ ସଂସ୍କୃତି ସହିତ ଆପଣ କେମିତି ଛନ୍ଦି ହୋଇଗଲେ?
ଦେବଦାସ ଛୋଟରାୟ: ମୁଁ ତ ତିଆରି କଟକରେ। କଟକ ସହିତ ମୋ’ର ନିବିଡ଼ତା ଅଛି। ମୁଁ ଯେତେବେଳେ ବାହାରକୁ ଯାଏ, କିଏ ମୋତେ ପଚାରିଲେ ନିଜର ପରିଚୟ ଦେଇ କହେ ଯେ ମୁଁ ହେଉଛି କଟକର ଲୋକ।
ସାହିତ୍ୟ ଚର୍ଚ୍ଚା: ଅକ୍ଷୟ ମହାନ୍ତିଙ୍କ ବିଷୟରେ କ’ଣ କହିବେ?
ଦେବଦାସ ଛୋଟରାୟ: ଗୋଟିଏ କୁମ୍ଭାର ଯେମିତି ମାଟିକୁ ଦଳି-ଚକଟି ପାତ୍ରଟିଏ ତିଆରି କରେ, ସେମିତି ଅକ୍ଷୟ ମୋତେ ତିଆରି କରିଯାଇଛନ୍ତି। ଆଜି ପର୍ଯ୍ୟନ୍ତ ମୋ’ ଉପରେ ତାଙ୍କର ପ୍ରଭାବ ଟିକିଏ ବି କମ୍ ହୋଇନାହିଁ। ମୁଁ ଯାହା ଲେଖେ ଓ ଭାବେ, ସବୁଥିରେ ଅକ୍ଷୟ ମହାନ୍ତି ଥାଆନ୍ତି, ମନ ଭିତରେ।
ସାହିତ୍ୟ ଚର୍ଚ୍ଚା: ଆଉ ରେଭେନ୍ସା !
ଦେବଦାସ ଛୋଟରାୟ: ମୋ ଜୀବନର କୌଣସି ଅନୁଷ୍ଠାନକୁ ଏତେ ଘନିଷ୍ଠ ଭାବରେ ଯଦି ମୁଁ ଭଲପାଇଛି, ତେବେ ସେ ହେଉଛି ରେଭେନ୍ସା। ମୋ’ର ମୂଳଦୁଆ ପଡିଥିଲା ସେଇ ପ୍ରଥମ ତିନି ବର୍ଷ ମୁଁ ରେଭେନ୍ସାରେ ପଢିବା ଭିତରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପରବର୍ତ୍ତୀ ପିଢ଼ି, ଅର୍ଥାତ୍ ଆଜିକାର ଗୀତିକାରମାନେ ସିନେମା ବା ଆଲବମ୍ ପାଇଁ ଯେଉଁ ଗୀତସବୁ ଲେଖୁଛନ୍ତି, ସେଥିରେ ମୁଲ୍ୟବୋଧର କିଛି ସ୍ଖଳନ ଆପଣ ଦେଖିପାରୁଛନ୍ତି କି?
ଦେବଦାସ ଛୋଟରାୟ: ମୂଲ୍ୟବୋଧର ସ୍ଖଳନ ମୁଁ ସେତେ ଦେଖୁନାହିଁ। ସେମାନେ ସେହି ଭଲ ପାଇବା ଓ ବିଚ୍ଛେଦ ବିଷୟରେ ଲେଖୁଛନ୍ତି, ବା ମଣିଷ ସମ୍ପର୍କର ସେହି ଶଠତା ଓ ପ୍ରବଞ୍ଚନା ବିଷୟରେ ଲେଖୁଛନ୍ତି। କିନ୍ତୁ ସେମାନଙ୍କ ଲେଖାର ମାନ ଆଶାଜନକ ହୋଇପାରୁନାହିଁ। ଏହାର କାରଣଟି ହେଲା, କୌଣସି ଘଟଣାକୁ ଆତ୍ମସ୍ଥ କରିବା ପାଇଁ ସେମାନଙ୍କ ମଧ୍ୟରେ ବୋଧଶକ୍ତିର ଅଭାବ। ସେଥିରେ ମୂଲ୍ୟବୋଧ-ହୀନତା ଅପେକ୍ଷା ଅର୍ଥ-ହୀନତା ମୁଁ ବେଶୀ ଲକ୍ଷ୍ୟ କରୁଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସହୃଦୟ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଫେବୃଆରୀ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

3 thoughts on “ଗୀତିକାର ଦେବଦାସ ଛୋଟରାୟଙ୍କ ସହ ଏକ ସାରସ୍ୱତ ଆଳାପ

  1. ସାକ୍ଷାତକାରଟି ବହୁତ ମନୋମୁଗ୍ଧକର ହୋଇଛି।

  2. ଶୀର୍ଷ ସୃଜନ ବୋଧ ର ସୁନ୍ଦର ସରସ ଆଳାପ ।

Leave a Reply

Your email address will not be published. Required fields are marked *