ଆଧୁନିକତା ଯାଇଛି ଅଟକି

ଆମ ସାହିତ୍ୟର ଇତିହାସକାରମାନେ ବୋଧହୁଏ ଏକ ଭ୍ରମରେ ଅଛନ୍ତି ଯେ ରାଧାନାଥ, ମଧୁସୂଦନ ଓ ଗଙ୍ଗାଧରଙ୍କ ଭଳି ଦିବଂଗତ କବିମାନେ ଏବେ ବି ଆଧୁନିକତାର ଆସନରୁ ଓହ୍ଲାଇବାକୁ ଅମଙ୍ଗ।

ସାହିତ୍ୟରେ ଆଧୁନିକତା କହିଲେ କାହାକୁ ବୁଝାଏ? ଏ ପ୍ରଶ୍ନ ଉପରେ ବିଚାର କରିବାକୁ ଯାଇ ଆମକୁ ଦ୍ବନ୍ଦ୍ବରେ ପଡିବାକୁ ହୁଏ। ସଂସ୍କୃତ ଭାଷାର ‘ଅଧୁନା’ ଶବ୍ଦଟି ସହିତ ‘ଇକ’ ପ୍ରତ୍ୟୟର ସଂଯୋଗରେ ଏହି ‘ଆଧୁନିକ’ ଶବ୍ଦଟି ଗଠିତ, ଯାହାର ଅର୍ଥ ହେଲା ‘ଏହି ସମୟର’। କିନ୍ତୁ ବିଡମ୍ବନା ହେଲା, ଯେତେବେଳେ ଆମେ ଓଡ଼ିଆ ସାହିତ୍ୟର ପ୍ରେକ୍ଷାପଟରେ ଏହି ଶବ୍ଦଟିକୁ ପ୍ରୟୋଗ କରୁ, ତାହାର ଅର୍ଥ ହୋଇଯାଏ: ‘ସେହି ସମୟର’। ସେ ସାହିତ୍ୟର ଛାତ୍ର ହୁଅନ୍ତୁ, କି ଅଧ୍ୟାପକ, ଅବା ଆଲୋଚକ, ସମସ୍ତଙ୍କୁ ଯେତେବେଳେ ଓଡିଆ ସାହିତ୍ୟରେ ଆଧୁନିକ ଯୁଗ ବିଷୟରେ ପଚରାଯାଏ, ତ୍ବରିତ ଉତ୍ତରଟିଏ ଆସେ ଯେ ୧୮୮୦ ଦଶକର ରାଧାନାଥ କାଳରୁ ଆମ ସାହିତ୍ୟରେ ଆଧୁନିକ ଯୁଗର ଅୟମାରମ୍ଭ ହୋଇଥିଲା, ଯାହା ଆଗକୁ ପ୍ରାୟ ଶହେ ବର୍ଷ କାଳ ଗତିକରି ବିଂଶ ଶତାବ୍ଦୀର ଅଷ୍ଟମ ଦଶକ ବେଳକୁ ଶେଷ ହୋଇଛି। ଏ ଦୃଷ୍ଟିରୁ ରାଧାନାଥ, ଗଙ୍ଗାଧର, ମଧୁସୂଦନ, ଫକୀରମୋହନ ଓ ସବୁଜ ଗୋଷ୍ଠୀର ପଞ୍ଚସଖାଙ୍କ ଓଗେର ଅନେକ ସ୍ରଷ୍ଟାଙ୍କୁ ଆମେ ଏ ଯାବତ ବି ଆଧୁନିକତାର ଶ୍ରେୟ ଦେଉଛୁ।
ଯଦି ଆଧୁନିକ ଯୁଗ ୧୯୮୦ ମସିହା ବେଳକୁ ଶେଷ ହୋଇଯାଇଛି ବୋଲି ଧରିନିଆଯାଏ, ତେବେ ତାହାପରେ କ’ଣ ସାହିତ୍ୟରେ ସର୍ଜନାର ପ୍ରକ୍ରିୟା ଅଟକିଯାଇଛି? ନା, କ’ଣ ସେହି ତଥାକଥିତ ଆଧୁନିକ-ଯୁଗର ପରବର୍ତ୍ତୀ କାଳର ସାହିତ୍ୟ ବୋଇଲେ ଏବେ କିଛି ହିଁ ନାହିଁ? ଏହି ପ୍ରଶ୍ନର ମୁକାବିଲା କରିବାକୁ ଯାଇ ଆଲୋଚକମାନେ ଆମ ସାହିତ୍ୟର ଇତିହାସରେ ଏକ ନୂଆ ଯୁଗର ସୂତ୍ରପାତ କରାଇଲେ, ଯାହାକୁ କୁହାଗଲା ‘ଆଧୁନିକୋତ୍ତର’ ଯୁଗ। ଏବେ ପୁଣି କୁହାଗଲାଣି ଯେ ଏହି ଆଧୁନିକୋତ୍ତର ଯୁଗ ବି କେବେଠାରୁ ଶେଷ ହୋଇଯାଇଛି, ଏବଂ ତା’ ସ୍ଥାନରେ ମୁଣ୍ଡ ଟେକିଛି ଏକ ନୂଆ ପର୍ଯ୍ୟାୟର ସାହିତ୍ୟ, ଯାହାକୁ ହୁଏତ କୁହାଯାଇପାରେ ‘ଆଧୁନିକୋତ୍ତରୋତ୍ତର’ (!) ଯୁଗ।
କଥା ହେଲା, ଆଧୁନିକ ଶବ୍ଦଟି ସହ ଏମିତି ନୂଆ ନୂଆ ବିଶେଷଣଟିମାନ ଯୋଡି ଆମ ଚଳନ୍ତି ସମୟର ସଦ୍ୟତମ ସାହିତ୍ୟକୁ ତହିଁର ଅନ୍ତର୍ଭୁକ୍ତ କରିବା ଦ୍ବାରା ଆମେ ପ୍ରକୃତରେ କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛେ? ଆମ ସାହିତ୍ଯର ଇତିହାସକାରମାନେ ବୋଧହୁଏ ଏକ ଭ୍ରମରେ ଅଛନ୍ତି ଯେ ରାଧାନାଥ, ମଧୁସୂଦନ ଓ ଗଙ୍ଗାଧରଙ୍କ ଭଳି ଦିବଂଗତ କବିମାନେ ଏବେ ବି ଆଧୁନିକତାର ଆସନରୁ ଓହ୍ଲାଇବାକୁ ଅମଙ୍ଗ। ସମ୍ଭବତଃ ଏହି ମାନସିକତାଟି ଆମେ ଆହରଣ କରିଛୁ ପାଶ୍ଚାତ୍ୟ ସାହିତ୍ୟରୁ, ଯେଉଁଠି ଏଲିଅଟ୍, ୟିଟ୍ସ୍ ଓ ଏଜରା ପାଉଣ୍ଡ ଭଳି କବିମାନଙ୍କୁ ଏବେ ବି ‘ମଡ଼ର୍ଣିଷ୍ଟ ପୋଏଟ୍’ ଭାବରେ ଆଖ୍ୟାୟିତ କରାଯାଏ।
ତେବେ ଚିନ୍ତାର ବିଷୟ ହେଲା, ଯଦି ଆମ ସାହିତ୍ୟରେ ଆଧୁନିକତାର ଶ୍ରେୟଟି ଦିବଂଗତମାନଙ୍କ ଅକ୍ତିଆରରେ ଥିବାର ଏକ ଭ୍ରମଧାରଣାରେ ଆମେ ଏବେ ବି ବାନ୍ଧିହୋଇ ରହିଛେ, ତେବେ ସାହିତ୍ୟରେ ନୂଆ ଜୀବନ୍ୟାସ ଓ ସ୍ପନ୍ଦନ ଆଣିବାପାଇଁ ନିଜକୁ ସମର୍ପିତ କରିଚାଲିଥିବା ଆଜିର ତରୁଣ ଲେଖକ ଓ ଲେଖିକାମାନଙ୍କୁ ଆମେ କେଉଁଠି ଥୋଇବା? ଆଧୁନିକତାକୁ ଯଦି ଚଳନ୍ତି ସମୟର ଏକ ଜୀବନ୍ତ ପ୍ରତିଫଳନ ବୋଲି ଗ୍ରହଣ କରାଯାଏ, ତେବେ ଆଜିର ସେହି ତରୁଣ କବି ଓ ଲେଖକମାନେ ହିଁ ଯେ ଆଧୁନିକ ସ୍ରଷ୍ଟା ଭାବରେ ସ୍ବୀକୃତ ହେବାପାଇଁ ଏକମାତ୍ର ହକଦାର ଏଥିରେ ସନ୍ଦେହ ନାହିଁ। ଆଧୁନିକତା ଏକ ସ୍ଥିର ଓ ଅଟଳ ପର୍ଯ୍ୟାୟ ମାତ୍ର ନୁହେଁ, ବରଂ ଆଗକୁ ଆଗକୁ ଘୁଞ୍ଚି ଚାଲିଥିବା ଏକ ଚଳମାନ ଧାରା, ଏହା ବୁଝିବାକୁ ଆମକୁ ଆଉ କେତେ ବା ସମୟ ଲାଗିବ? ଏଣୁ ପ୍ରକୃତ ଆଧୁନିକ ସ୍ରଷ୍ଟାମାନଙ୍କୁ ଚିହ୍ନିବାପାଇଁ ଆମେ ଏବେ ବି ଯଦି ଇତିହାସର ବହି ଘାଣ୍ଟିଚାଲିଥିବା ତେବେ ତାହାକୁ ଦୁର୍ଭାଗ୍ୟଜନକ ବୋଲି କହିବାକୁ ହେବ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃଆରି ୨୦୨୩ , ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

5 thoughts on “ଆଧୁନିକତା ଯାଇଛି ଅଟକି

  1. ଆପଣଙ୍କ ମତାମତ ଅତି ଚମତ୍କାର ଏବଂ ମୁଁ ଏକମତ। ଧନ୍ୟବାଦ ଓ ଆଶୀର୍ବାଦ

  2. ସମ୍ପାଦକୀୟଟି ବହୁତ ଆକର୍ଷଣୀୟ ହୋଇଛି ।

  3. ଆଧୁନିକତା ଅଟକି ଯାଇନି । ଏହା ଏକ ଚଳମାନ ଧାରା । ଆଧୁନିକ ଯୁଗ -ଆଧୁନିକୋତ୍ତର ଯୁଗ -ଆଧୁନିକୋତ୍ତରୋତ୍ତର ଯୁଗ । ଯୁଗ ପରେ ଯୁଗ ଆଗକୁ ବଢି ଚାଲିଥିବ ।

  4. Ek chintajanak bishaya. Kintu ehi samasyati samparkare kehi gamvira na heba udbegara bishaya.
    Nikhilanand Panigrahy

  5. କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି says:

    ବହୁତ ବଢ଼ିଆ ହୋଇଛି ସମ୍ପାଦକୀୟ ।

Leave a Reply

Your email address will not be published. Required fields are marked *