- ‘ତାନପୁରାରେ ସ୍ୱର ତୋଳ ରାଗ ପଲ୍ଲବୀରେ, କୋମଳ ଗାଂଧାର ଆଉ ତୀବ୍ର ମଧ୍ୟମାରେ ‘…କବି କୁଳମଣି ଓଝାଙ୍କ ଦ୍ଵାରା ରଚିତ ଏକ ମର୍ମସ୍ପର୍ଶୀ କବିତା ।
ଡ. କୁଳମଣି ଓଝା
ସକାଳର ସୂର୍ଯ୍ୟସ୍ନାତ ଶ୍ଳୋକ ପରି ଶୁଭୁଥିବା
ସେଇ ଗୀତଟି ଆଉ ଥରେ ଗାଅ ଅନାମିକା!
ତାନପୁରାରେ ସ୍ୱର ତୋଳ ରାଗ-ପଲ୍ଲବୀରେ
କୋମଳ ଗାଂଧାର ଆଉ ତୀବ୍ର ମଧ୍ୟମାରେ
ଶ୍ରୁତି ସୁଖଦାୟୀ ସେଇ ଶାସ୍ତ୍ରୀୟ ଆଳାପ
ତୋଳ ଥରେ କଅଁଳ ସୂର୍ଯ୍ୟଂକ ଜଗମୋହନରେ।
ଏବେ ତ ରାତିଧୁଆ ଭୋର୍ ଆକାଶରେ
ପଦ୍ମବନ ମୁକୁଳିତ ଚିତ୍ରିତ ଚାଂଦୁଆ…
ଦୂର କେଉଁ ପାହାଡ଼ର ସ୍ନିଗ୍ଧ ସବୁଜିମା ଛୁଇଁ
ଅଳପ ଆଲୁଏ ରେଖା କାଟି ଉଡ଼ିଗଲେ ପକ୍ଷୀ।
ସେ କେଉଁ ମନସ୍ୱୀ ସକାଳୁ ସକାଳୁ ନଈର ନାଭିରେ
ଟେକିଦିଏ ସୂର୍ଯ୍ୟାଂଜଳି ଭାବାତୀତ ତନ୍ମୟ ତୀର୍ଥରେ
ସଲ୍ଲଜ ମଂତ୍ରରେ ଘର ଅଗଣାରେ ନବବଧୂଟିଏ
ନିଉଛାଳି ତୁଳସୀ ମୂଳରେ ଢାଳିଦିଏ ଜଳ
ଏଇ ତ ମାହେଂଦ୍ର ମୁହୂର୍ତ୍ତ ପଲ୍ଲବୀ ରାଗର
ଏଥରକ ଗାଇଦିଅ ସେଇ ରାଗବଦ୍ଧ ଗୀତ!
ଆରୋହ ସୁରରେ ଚଉପାଶେ ନବ ପଲ୍ଲବନ
ଅବରୋହ ସୁରେ ସୁରେ ତୁହିନିତ ପୁଷ୍ପିତ କାନନ
ସେଇ ଗୀତଟି ଆଉ ଥରେ ଗାଇଦିଅ ଅନାମିକା!!
ପ୍ରସବିବ ଫୁଲ-ଫଳ-ଶସ୍ୟ, ପୀୟୂଷ ପବନ।
କାହିଁ କେତେ କାଳୁ ଝଂକାଳିଆ ବଉଳ ଶାଖାରେ,
କୋରକିତ କଦମ୍ବ ଡାଳରେ ଝୁଲୁଥିବା ସ୍ୱରମାନେ
ଏ ରାଗରେ ଶୁଦ୍ଧ-ଆୟୁଷ୍ମାନ୍, ଘୁମଂତ ବର୍ଷାର
ଅମୃତ ଛୁଆଁରେ ଉର୍ଜ୍ଜସ୍ୱଳ ପୁଷ୍ପିତ ପଲ୍ଲବୀ
ସେଇ ଗୀତ ଆଉ ଥରେ ଗାଅ ଅନାମିକା!
ଏବେ ଖାଲି ମହମହ ଅତୀନ୍ଦ୍ରିୟ ଚଂଦନ ସୁବାସ
ଗାଇଦିଅ ସେଇ ଗୀତ, ଖୋଲିଯାଉ ଅବରୁଦ୍ଧ ପଥ!!
ଏ ଗୀତରେ ଫୁଲବନେ ଭଅଁର ମେଳଣ
ଅଦିନରେ ତୋଟାମାଳ ମୁଖରିତ ମୁଗ୍ଧ କୁହୁତାନ
ଆକାଶରେ ଇଂଦ୍ରଧନୁ ମାଟିରେ ମହ୍ଲାର…
କେଦାରେ କେଦାରେ ଶ୍ୟାମ ସ୍ନିଗ୍ଧ ସବୁଜ ଶୀତ୍କାର
ଏ ଗୀତରେ ନୀଳଚକ୍ରେ ଉନ୍ମୀଳିତ ନେତ ଫରଫର
ହୃଦୟବୃତ୍ତରେ ସ୍ୱରାୟିତ ପରିଶୁଦ୍ଧ ଓଁକାର ନିନାଦ
ଏଥରକ ପଲ୍ଲବୀ ରାଗରେ ଗାଇଦିଅ ଗୀତ
ଚରାଚର ଏ ମାଟିରେ ସଂଭବିବ ସବୁଜ ସଂପଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ବହୁତ ଭଲ ହୋଇଛି ଏଇ କବିତା
ଭାରି ସୁନ୍ଦର୍ କବିତାଟି । ତନ୍ମୟ କବିଙ୍କୁ ଅନେକ ଅଭିନନ୍ଦନ ।
ଭାଷା ଓ ଭାବର ଅପୂର୍ବ ସମନ୍ବୟ।
ଅତି ସୁନ୍ଦର ଏ କବିତା।